Unknown

 

 

 

 

 

 

 

 

 

 

 

ଦୂର ଦୂରାନ୍ତର

ମନୋଜ ଦାସ

 

ସୂଚୀପତ୍ର

 

ପରିଚ୍ଛେଦ : ଏକ

ଉପକ୍ରମଣିକା

ପରିଚ୍ଛେଦ : ଦୁଇ

ଅଭିଶପ୍ତ ଦୁର୍ଗ (୧)

ପରିଚ୍ଛେଦ : ତିନି

ଅଭିଶପ୍ତ ଦୁର୍ଗ (୨)

ପରିଚ୍ଛେଦ : ଚାରି

ଅଭିଶପ୍ତ ଦୁର୍ଗ (୩)

ପରିଚ୍ଛେଦ : ପାଞ୍ଚ

“ଲଣ୍ଡନ ସେତୁ ଭାଜି ତ ଗଲାଣି ସଖୀରେ !”

ପରିଚ୍ଛେଦ : ଛଅ

‘ଗୀତାଞ୍ଜଳି’ରୁ ଛତା ପର୍ଯ୍ୟନ୍ତ

ପରିଚ୍ଛେଦ : ସାତ

ମହମର ଯାଦୁ-ଜଗତ

ପରିଚ୍ଛେଦ : ଆଠ

କାହାଣୀ-ତୀର୍ଥ କ୍ୟାଣ୍ଟର୍‍ବାରି

ପରିଚ୍ଛେଦ : ନଅ

ଅନେକ ସେକ୍‌ସପିଅର୍‌ ! (୧)

ପରିଚ୍ଛେଦ : ଦେଶ

ଅନେକ ସେକ୍‌ସପିଅର୍‌ ! (୨)

ପରିଚ୍ଛେଦ : ଏଗାର

ସେକ୍‌ସପିଅର : ଉପସଂହାର

ପରିଚ୍ଛେଦ : ବାର

‘ବିଜନପଲ୍ଲି’ର କବି : ବିଜନ ସମାଧି

ପରିଚ୍ଛେଦ : ତେର

ମ୍ୟାକ୍‌ବେଥ୍‌ର ଦେଶେ

ପରିଚ୍ଛେଦ : ଚଉଦ

ଇତିହାସର ଗନ୍ତାଘର

ପରିଚ୍ଛେଦ : ପନ୍ଦର

ଅସ୍ତମିତ ସୂର୍ଯ୍ୟ : ସ୍ତିମିତ ଗୋଧୂଳି

ପରିଚ୍ଛେଦ : ଷୋହଳ

ପଦଚିହ୍ନର ସନ୍ଧାନରେ

ପରିଚ୍ଛେଦ : ସତର

ପ୍ୟାରିସ : ସ୍ମୃତି ବିଚିତ୍ର

ପରିଚ୍ଛେଦ : ଅଠର

ବାଭାରିଆ : ପ୍ରଥମ ତୃଷାରପାତ

ପରିଚ୍ଛେଦ : ଊଣେଇଶ

ସୁଶାନ୍ତ ସୁଇଜରଲ୍ୟାଣ୍ଡ

ପରିଚ୍ଛେଦ : କୋଡ଼ିଏ

‘ଚିରନ୍ତନ ନଗରୀ’ର କାହାଣୀ

ପରିଚ୍ଛେଦ : ଏକୋଇଶ

ଅଭ୍ୟୁଦୟ ନଗରୀ : ଏଥେନ୍‌ସ

ପରିଚ୍ଛେଦ : ବାଇଶି

କାଇରୋ : ଏକ ରାତି ଏକ ଦିନ

Image

 

ସ୍ୱୀକୃତି

 

“ଦୂରଦୁରାନ୍ତର” ଜାନୁୟାରି ୧୯୭୩ ଡିସେମ୍ବର ୧୯୭୪ ଯାଏ ଧାରାବାହିକ ମାସିକ “ନବରବି”ରେ ପ୍ରକାଶ ପାଇଥିଲା । ଏହି ଭ୍ରମଣବୃତ୍ତାନ୍ତ ରଚନାର ପଟଭୂମିରେ ରହିଛି ଶ୍ରୀ କଣ୍ଡୁରି ଚରଣ ଦାସ ଓ ଶ୍ରୀ ବିଭୁତି ପଟନାୟକଙ୍କ ପ୍ରସ୍ତାବ ଓ କ୍ରମାଗତ ଉତ୍ସାହ । ଏ ବନ୍ଧୁଦ୍ଵୟ ତଥା “ନବରବି”ର କର୍ତ୍ତୃପକ୍ଷଙ୍କ ପାଖରେ ଲେଖକ କୃତଜ୍ଞ ।

Image

 

ପରିଚ୍ଛେଦ : ଏକ

ଉପକ୍ରମଣିକା

 

ଅସତ୍ୟ ସହର

ଅବାସ୍ତବ ଜୀବନ

 

ନା, ଏସବୁ ମହାନଗରୀକୁ ନେଇ ଭ୍ରମଣ-କାହାଣୀ ଲେଖିବାର ସ୍ପୃହା ମୋର ନାହିଁ । ତା’ଛଡ଼ା ‘ଭ୍ରମଣ’ କରିବା ମୋର ବିଦେଶଯାତ୍ରାର ଆଭିମୁଖ୍ୟ ନୁହେଁ । ଏ କଥା ଠିକ୍, ପାଶ୍ଚାତ୍ୟ-ଜଗତରେ ଦୁଇ ଚାରି ଜଣ ଲେଖକ ଅଛନ୍ତି, ଯେଉଁମାନେ ଭ୍ରମଣ କାହାଣୀ ଲେଖିବାର ଉଦ୍ଦେଶ୍ୟ ନେଇ ହିଁ ପ୍ରାଚ୍ୟଭୂମିକୁ ଆସିଥାନ୍ତି । ଏପରି କି କଣ ଲେଖିବେ ନଲେଖିବେ, ସେ ସବୁର ମୋଟାମୋଟି ଖସଡ଼ା ବି ପ୍ରସ୍ତୁତ ହୋଇ ରହିଥାଏ । ସେମାନେ, ସେମାନଙ୍କ ପ୍ରକାଶକ ଓ ଏଜେଣ୍ଟମାନେ ସାଧାରଣ ପାଠକର ମନକୁ ମାପିଚୁପି ନେଇଥାନ୍ତି; ସେ ମନକୁ କଣ ସୁହାଇବ, ସେକଥା ସେମାନେ ଜାଣନ୍ତି, ସେହି ଅନୁସାରେ ଲେଖନ୍ତି । ବିଶେଷତଃ ଭାରତକୁ ନେଇ ପାଶ୍ଚାତ୍ୟର ଆଗ୍ରହ ତୀବ୍ର । ଅତଏବ ଭାରତ କିପରି ଏକ ଅନ୍ଧକାରମୟ ଦେଶ, ଏ କଥା ରସାଳଭାବରେ ସେ ଲେଖକ ବର୍ଣ୍ଣନା କରନ୍ତି ।

 

ତମସାଚ୍ଛନ୍ନ ପାଶ୍ଚାତ୍ୟର ପାଠକ ଆଉ ଏକ ତମସାଚ୍ଛନ୍ନ ଭୂଖଣ୍ଡର ଚିତ୍ର ଦେଖି ଆଶ୍ୱସ୍ତ ହୁଏ !

 

ମୁଁ ଜାଣେ, ଭାରତବର୍ଷରେ ବି ପାଶ୍ଚାତ୍ୟ ସମ୍ପର୍କରେ ପଢ଼ିବାକୁ ଆଗ୍ରହ ପ୍ରବଳ । “ଅମୁକଙ୍କ ମଧ୍ୟମପୁତ୍ର ତଥା ଅମୁକଙ୍କ କନିଷ୍ଠ ଜାମାତା”ଙ୍କ ବିଦେଶ ଯାତ୍ରାର ଘଟଣା ବିଂଶ ଶତକର ସପ୍ତମ ଦଶକରେ ମଧ୍ୟ ଓଡ଼ିଶାର ଖବରକାଗଜ ମାନଙ୍କରେ ସଚିତ୍ର ସମ୍ବାଦରୂପେ ପ୍ରକାଶ ପାଇବାକୁ ହକ୍‌ଦାର ! ତଥାପି ପାଶ୍ଚାତ୍ୟ ଉପରେ ବହି ଖଣ୍ଡିଏ ଲେଖି ବିଶ୍ଵବ୍ୟାପୀ ତମସଗାଥାରେ ଆଉ କିଛି ପୃଷ୍ଠା ସଂଯୋଗ କରିବାର ଉଦ୍ଦେଶ୍ୟ ଏ ଲେଖକର ନଥିଲା । କିନ୍ତୁ ଇଂଲଣ୍ଡରେ ପହଞ୍ଚବାର ଅବ୍ୟବହିତ ପରେ ହିଁ ବନ୍ଧୁମାନଙ୍କ ପାଖରୁ ନିର୍ଦ୍ଦେଶ ଗଲା—ଭ୍ରମଣ କାହାଣୀ ଲେଖିବାକୁ ପଡ଼ିବ ।

 

ଏଥିରେ ଗୁରୁତ୍ୱ ଦେଇ ନଥିଲା । କିନ୍ତୁ ସ୍ୱଦେଶ-ପ୍ରତ୍ୟାବର୍ତ୍ତନ ପରେ ଗୁରୁତ୍ୱ ନଦେଇ ଗତି ନଥିଲା । ଭ୍ରମଣ କାହାଣୀ ଲେଖିବ ନାହିଁ—କାହିଁକି କେଜାଣି ଏ କଥାକୁ ପାଠକ, ସମ୍ପାଦକ, ପ୍ରକାଶକ ସମସ୍ତେ ଗୋଟାଏ ଅବାସ୍ତବ ଜିଦ୍ ବୋଲି ମନେକରିଛନ୍ତି, ଷୋହଳ ବର୍ଷ ତଳେ ଏକଦା ଲେଖିଥିବା ଇଣ୍ଡୋନେଶିୟା ଭ୍ରମଣ କାହାଣୀ କଥା ମନେପକାଇଦେଇ ।

 

ଅଗତ୍ୟା ଲେଖୁଛି । କିନ୍ତୁ କିପରି ବୁଝାଇବି ଯେ ଷୋହଳ ବର୍ଷ ତଳର ହର୍ଷୋଦ୍ଦାମ ଦୃଷ୍ଟି କୋଣ ଆଜି ଆଉ ନାହିଁ ! ଷୋହଳ ବର୍ଷ ତଳେ ପାଶ୍ଚାତ୍ୟ ଜଗତ ଯାହା ଥିଲା, ଆଜି ସେ ତାହାଠୁଁ ବହୁ ଅଧଃପତିତ । ସେଇ ଅଧଃପତନର ବିଷାଦମୟ ବର୍ଣ୍ଣନା ଦେବାରେ କି ବା ଆନନ୍ଦ ଅଛି ?

 

ତଥାପି ଲେଖୁଛି । କାରଣ, ବନ୍ଧୁମାନେ ପ୍ରତିଶୃତି ଦେଇଛନ୍ତି, ସେମାନେ ବର୍ଣ୍ଣନା-ସର୍ବସ୍ଵ ଭ୍ରମଣ କାହାଣୀ ନ ପାଇଲେ କିଛି ମନେ କରିବେ ନାହିଁ । ଗୋଟାଏ ଗୋଟାଏ ସ୍ଥାନକୁ କେନ୍ଦ୍ର କରି ମୋର ଚିନ୍ତାଧାରା ଯେପରି ଭାବରେ ପ୍ରବାହିତ ହୋଇଛି, ଯେଉଁ ସବୁ ଘଟଣା ସ୍ମୃତିରେ ଜାଗରିତ ହୋଇଛି, ତାହାରି ଗପସପରେ ସେମାନେ ପ୍ରୀତି ରହିବେ । ବେଶ୍, ତାହାହିଁ ହେଉ ।

 

ବଣିକ-ସଭ୍ୟତା ଓ ବିଜ୍ଞାନ ବାତାବରଣକୁ ଏକାକାର କରିଦେଇଛି । କୌଣସି ମହାନଗରୀର ସ୍ଥୂଳ ଚେହେରାର ବୈଚିତ୍ର୍ୟ ନାହିଁ, ବିସ୍ମୟ ନାହିଁ । ଅଥଚ ଏଇ ପୃଥିବୀ ଥିଲା କେତେ ବୈଚିତ୍ର୍ୟମୟ ବିଗତ ଯୁଗର ପର୍ଯ୍ୟଟକ ଆଗରେ ! ଆଜି ବି ମୁଁ ସୁଯୋଗ ପାଇଲେ ମାର୍କୋପୋଲୋଙ୍କ ଭ୍ରମଣ ବୃତ୍ତାନ୍ତ ପଢ଼େ । ଦିଗ୍‌ବଳୟରେ ଦୃଶ୍ୟମାନ ଧୂମାଭ ପର୍ବତଶ୍ରେଣୀ ସେପାରିରେ ରହିଛି ଜନପଦଟିଏ ଅଥବା ଏକ ଅରଣ୍ୟାବୃତ ଦାନବ ବସତି, ସେ ବିଷୟରେ ଧାରଣା ନଥିଲା । ଦୀର୍ଘସ୍ଥାନରୁ ସ୍ଥାନାନ୍ତରକୁ ଯିବା ପାଇଁ ଲାଗୁଥିଲା ସୁଦୀର୍ଘ ସମୟ । ଆଫ୍‌ଗାନୀସ୍ଥାନର ରାଜା ଅର୍ଘୁନ ଖାଁଙ୍କର ପତ୍ନୀ-ବିୟୋଗ ହୁଅନ୍ତେ ସେ ଚିନ୍ ସମ୍ରାଟ୍ କୁବଲା ଖାଁଙ୍କ ନିକଟକୁ ଦୂତ ପ୍ରୟୋଗ କଲେ ଅଭିଜାତ ଖାଁ-ବଂଶର କନ୍ୟାଟିଏ ପାଇବା ପାଇଁ । ସେତେବେଳେ ସ୍ଥଳପଥରେ ଯୁଦ୍ଧ ଲାଗିଛି । କୁବ୍‍ଲାଙ୍କ ଦରବାର ତରଫରୁ ତାଙ୍କ ପ୍ରିୟ କର୍ମଚାରୀ ଇଟାଲୀୟ ଯୁବା ମାର୍କୋପୋଲୋ, ତାଙ୍କ ପିତା ଓ ପିତୃବ୍ୟ ଆଫ୍‍ଗାନ ରାଜଦୂତ ଓ ରାଜକନ୍ୟା ଧରି ୧୪ଟି ଜାହାଜ ଓ ଏକ ହଜାର ପରିଚାରକ-ପରିଚାରିକାଙ୍କ ଗହଣରେ ଯାତ୍ରାରମ୍ଭ କଲେ । ଦୀର୍ଘ ଜଳାଯାତ୍ରା ଭିତରେ ଝଡ଼ ଓ ରୋଗରେ ଅଧିକାଂଶ ‘କନ୍ୟାଯାତ୍ରା’ ମଲେ । ଅବଶେଷରେ କନ୍ୟା କାକୁଚିନ୍ ଆଫ୍‌ଗାନ୍ ଦରବାରରେ ପହଞ୍ଚିବାବେଳକୁ ବିରହୀ ବୃଦ୍ଧ ଅର୍ଘୁନ ଖାଁ ମଲେଣି । ଅର୍ଘୁନଙ୍କ ବିବେକୀ ସୁପୁତ୍ର ଅବଶ୍ୟ କାଳବିଳମ୍ବ ନକରି କାକୁଚିନ୍‌ଙ୍କ ପାଣି ଗ୍ରହଣ କରିଥିଲେ । (ବିଚରା ମାର୍କୋପୋଲୋ ଦୀର୍ଘ ଯାତ୍ରା ଭିତରେ କାକୁଚିନ୍‌ଙ୍କୁ ଭଲପାଇପକାଇଥିଲେ ବୋଲି କେହି କେହି ଲେଖକ ସନ୍ଦେହ କରନ୍ତି !)

 

ଏକଦା ବିଦେଶଯାତ୍ରା ଥିଲା ଏମନ୍ତ ରୋମାଞ୍ଚକର । ଆଜି ସେ ପ୍ରତ୍ୟୁଷରୁ ବୋମ୍ବେରୁ ବାହାରି ସନ୍ଧ୍ୟାବେଳକୁ ଲଣ୍ଡନରେ ପହଞ୍ଚିହେଉଛି, ସେତିକି ନୁହେଁ; କନ୍ୟା କାକୁଚିନ୍‌ମାନଙ୍କୁ ଆଜି ଆଉ ବିବାହ ସକାଶେ ଏଭଳି ଦୀର୍ଘ ଭୟାବହ ଯାତ୍ରାର କଳ୍ପନା କାରିବାକୁ ପଡ଼ୁନାହିଁ । ମୁଁ ଲଣ୍ଡନରେ ଥିବା ବେଳେ କେତେ ହଜାର ମାଇଲ ବ୍ୟବଧାନରେ ଥିବା ବରକନ୍ୟା ଯୋଡ଼ିଏ ନିର୍ଦ୍ଦିଷ୍ଟ ଶୁଭ କ୍ଷଣରେ ପରସ୍ପର ନିକଟରେ ଉପସ୍ଥିତ ହୋଇନପାରିବାରୁ ଟେଲିଫୋନ୍ ଯୋଗେ ବିଭା ହୋଇପଡ଼ିଲେ ।

 

ଆପଣ ଯେଉଁ ମହାନଗରୀକୁ ଯାଆନ୍ତୁ, କେତୋଟି ବଡ଼ ବଡ଼ ଆନ୍ତର୍ଜାତିକ ବ୍ୟବସାୟୀ ପ୍ରତିଷ୍ଠାନର ଏକ ହିଁ ପ୍ରତୀକ ଓ ବିଜ୍ଞାପନ ଆପଣଙ୍କ ଆଖିରେ ପଡ଼ିବ । ସମ୍ବାଦ-ପରିବେଷଣ ସଂସ୍ଥାମାନଙ୍କର ଏକ ଢଙ୍ଗର ସମ୍ବାଦ ପରିବେଷଣ ସବୁ ଦେଶର ଖବରକାଗଜରେ ସଂକ୍ରମିତ ।

 

ଏ ଶତାବ୍ଦୀର ଷଷ୍ଠ ଦଶକ ଶେଷ ହେବା ପରେ ମୁଁ ଇଂଲଣ୍ଡରେ ପହଞ୍ଚିଲି । ବ୍ରିଟିଶ ସରକାରଙ୍କ ପରିସଂଖ୍ୟାନ ଅଫିସ କର୍ତ୍ତୃକ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏ ଦଶକ ଥିଲା ଇଂଲଣ୍ଡ ପାଇଁ ଚଳିତ ଶତାବ୍ଦୀର ସବୁଠୁଁ ଦୁର୍ଭାଗ୍ୟଜନକ ସମୟ । ଚତୁର୍ଥ ଦଶକରେ ଲଣ୍ଡନ ଉପରେ ଜର୍ମାନୀ ବୋମା ମାଡ଼ କରିଥିଲା । ମହାଯୁଦ୍ଧରେ ବ୍ରିଟିଶ ଅର୍ଥନୀତି ଓ ସମାଜ ବ୍ୟବସ୍ଥାରେ ଦେଖାଦେଇଥିଲା ଭୟାବହ ସଙ୍କଟ; ଅଥଚ ସେ ଦଶକ ଅପେକ୍ଷା କିମିତି ଷଷ୍ଠ ଦଶକ ଅଧିକ ଦୁର୍ଭାଗ୍ୟଜନକ ହୋଇପାରେ ?

 

ସମାଜତତ୍ତ୍ୱବିଦ୍‌ମାନେ ଏ ଦଶକକୁ ଅଧିକ ଦୁର୍ଭାଗ୍ୟଜନକ ବୋଲି ମନେକରିବାର କାରଣ, ଏ ଦଶକରେ ସାମାଜିକ ଓ ନୈତିକ ବିଶୃଙ୍ଖଳା ହୋଇଛି ମାତ୍ରାଧିକ । ସେମାନଙ୍କ କହିବା ଅନୁସାରେ, ଏଇ ଦଶକରେ ବ୍ରିଟିଶ ଲୋକ “ଅଧିକ ହିଂସାଚରଣ କରିଛନ୍ତି, ସହଳ ସହଳ ବିଭା ହୋଇଛନ୍ତି ଓ ସହଳ ସହଳ ବିବାହ-ବିଚ୍ଛେଦ ଘଟାଇଛନ୍ତି; ସେମାନଙ୍କର ଅଧିକରୁ ଅଧିକ ଉପାର୍ଜନକୁ ସେମାନେ ଖର୍ଚ୍ଚ କରିଛନ୍ତି ମଦ, କାର ଓ ବିବିଧ ଆମୋଦରେ ।” ରିପୋର୍ଟରେ ଆହୁରି କୁହାଯାଇଛି ଯେ ଲୋକେ “ଅଧିକ ଛୁଟି ଆଦାୟ କରିଛନ୍ତି, ଅଧିକ ଅବୈଧ ସନ୍ତାନ ଜନ୍ମ ଦେଇଛନ୍ତି-।”

 

ଯେତେବେଳେ ଲଣ୍ଡନ ମହାନଗରୀ ଉପରେ ମୋର ବିମାନ ନିମ୍ନମୁଖୀ ହେବାକୁ ଆରମ୍ଭ କଲା, ସେତେବେଳେ ଗତ ଶତାବ୍ଦୀର ଆଦର୍ଶ ଅନୁସାରେ ନିର୍ମିତ ସହର ପ୍ରାନ୍ତର ଶହ ଶହ ଏକ ଧରଣର ଘରଗୁଡ଼ିକୁ ଅନାଇ ଦେଖିଥିଲୁ ସ୍ୱପ୍ନର ସୁନ୍ଦର ପ୍ରଫୁଲ୍ଲ ଇଂଲଣ୍ଡ । ଆଜିର ଇଂଲଣ୍ଡ ସେ ସ୍ୱପ୍ନକୁ ଛିଡ଼ି ପକାଇବାକୁ ବେଶି ସମୟ ନେଇନଥିଲା । ଲଣ୍ଡନରେ ପହଞ୍ଚିବାର ଅବ୍ୟବହିତ ପଟେ ଜଣେ ବ୍ୟବସାୟୀ ବନ୍ଧୁ ହଠାତ୍ ମୋତେ ନେଇଗଲେ ଗୋଟାଏ କ୍ଲବ-ପରିଚାଳିତ ହୋଟେଲକୁ । କ୍ଲବର ସଭ୍ୟ ଓ ସେମାନଙ୍କ ଅତିଥିମାନେ ହିଁ କେବଳ ସେ ହୋଟେଲକୁ ପ୍ରବେଶାଧିକାର ପାଇଥାନ୍ତି-। ହୋଟେଲଟିର ବିଶେଷତ୍ୱ, ପରିଚାରିକ ସମ୍ପ୍ରଦାୟଟି ପ୍ରାୟ ଲଙ୍ଗୁଳି । ସେଭଳି ଅବସ୍ଥାରେ ନିଃସଙ୍କୋଚରେ ବିଚରଣ କରିବା କେବଳ ଯେ ପ୍ରଚଣ୍ଡ ମାନସିକ ମୁଢ଼ତା ଓ ଦମ୍ଭର ପରିଚାୟକ ସେତିକି ନୁହେଁ, ଏକ ଶୀତପ୍ରଧାନ ଦେଶରେ ତାହା ରୀତିମତ ଶାରୀରିକ କଷ୍ଟସାପେକ୍ଷ ବ୍ୟାପାର-

 

ସେ ପରିବେଶରେ ଯାହା ଲାଗିଥିଲା ତାହା ବିସ୍ମୟ ନୁହେଁ, ପୁଲକ ବି ନୁହେଁ; ଏକପ୍ରକାର ବିଷାଦ । ଖିଆପିଆ ପରେ ବନ୍ଧୁ ମୋତେ କୋଠାର ଉପର ମହଲାକୁ ଘେନିଗଲେ । ସେଠାରେ ଜୁଆଖେଳର ନାନାବିଧ ଆଡ୍‍ଡ଼ା ଆୟୋଜନ । ପରିଚାରିକାମାନେ ଦେହଯାକ ପ୍ରାୟ-ବିବସ୍ତ୍ର; କିନ୍ତୁ ମୁଣ୍ଡଟିମାନ ଉପରେ ବିଚିତ୍ର ବ୍ୟବସ୍ଥା—କିଏ ହରିଣ ଭଳି, କିଏ ଠେକୁଆ ଭଳି, କାହା ମୁଣ୍ଡ ଉପରେ ଅବା ସାପଫଣା ଭଳି ମୁକୁଟ ।

 

ବନ୍ଧୁ ଓସ୍ତାଦ୍ ଖେଳୁଆଡ଼ । କୋଡ଼ିଏ ମିନିଟ ଭିତରେ ତିନି ପାଉଣ୍ଡ ଲାଭ କଲେ । “ଆପଣଙ୍କ ପାଇଁ ଯେତିକି ଖର୍ଚ୍ଚ କରିଥିଲି ପ୍ରାୟ ସେତିକି ଉଠିଗଲା—ମନ୍ଦ କ’ଣ !” ସେ ଆପ୍ୟାୟିତ ହୋଇ କହିଲେ ।

 

ଦୁଇଦିନ ପରେ—ଅନ୍ୟମନସ୍କ ଭାବରେ ଖବରକାଗଜ ପୃଷ୍ଠା ଓଲଟାଉଥିବାବେଳେ ଗୋଟାଏ ଛବି ଉପରେ ଆଖି ପଡ଼ିଲା । ଝିଅ ମୁହଁଟିଏ । କେଉଁଠି ଦେଖିଛ ? ସମ୍ବାଦଟି ପଢ଼ିବା ବେଳକୁ ମନେପଡ଼ିଲା, ଦେଖିଥିଲି ଉପରୋକ୍ତ ହୋଟେଲରେ । ଆମକୁ ଖାଦ୍ୟ ପରଷିଥିଲା । ସମ୍ବାଦର ବିଷୟ ବସ୍ତୁ : ‘ଏକାକୀ ମଧ୍ୟରାତ୍ରରେ ଝିଅଟି ହୋଟେଲରୁ ନିଜ ଘରକୁ ଫେରୁଥିଲା । ରାସ୍ତାରେ ତାକୁ ପଞ୍ଝାଏ ଅଜ୍ଞାତ ଲୋକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଫୋପାଡ଼ି ଦେଇ ଯାଇଛନ୍ତି; ସଂଜ୍ଞା ଫେରିନାହିଁ ।’ ପରଦିନ ପଢ଼ିଲି : ‘ମଝିରେ ଥରେ ଚେତା ଆସିଥିଲା । ଝିଅଟି ଦୁର୍ବୃତ୍ତମାନଙ୍କର ବର୍ଣ୍ଣନା ଦେଇ ପୁଣି ଚେତା ହରାଇଛି । ହୁଏତ ଆଉ ଆଖି ଖୋଲିବ ନାହିଁ ।’

 

ନଗ୍ନତା ଓ ହିଂସାର ଉନ୍ମତ୍ତ ମହାନଗରୀ । ରାସ୍ତାଘାଟ ଚାରିଆଡ଼େ ମଣିଷର ନିମ୍ନତମ ପ୍ରବୃତ୍ତିସବୁକୁ ଉଜ୍ଜୀବିତ କରି ସେଥିରୁ ଲାଭ ଉଠାଇବା ପାଇଁ ଲାଳସାର ଲେଲିହାନ ଜିହ୍ଵା ବାହାର କରି ଅନାଇ ରହିଛି ବିକଟ ବଣିକ ସଭ୍ୟତା । ଲଣ୍ଡନ, ପ୍ୟାରିସ, ରୋମ ଭଳି ମହାନଗରୀମାନଙ୍କର ଜୀବନର ଆଭିମୁଖ୍ୟହୀନ ଗଡ୍‍ଡ଼ାଳିକା ପ୍ରବାହ ମୋତେ ମ୍ରିୟମାଣ କରିଛି ।

 

ତଥାପି ଏ ଲେଖକ ହତାଶ ହୋଇନାହିଁ । ତା’ର ସ୍ୱପ୍ନର ଲଣ୍ଡନକୁ ମଧ୍ୟ ବାସ୍ତବ ଭାବରେ ଅନୁଭବ କରିଛି ଏକ ଏକ ଦୁର୍ଲଭ ମୁହୂର୍ତ୍ତରେ । ଏଥେନ୍‍ସର ଧ୍ୱଂସାବଶେଷ ଭିତରେ ସିଏ ଦେଖିଛି ସୌନ୍ଦର୍ଯ୍ୟର ଅମରତ୍ଵ, ପୋମ୍ପେର ହାହାକାର ଭିତରେ ଔଦ୍ଧତ୍ୟର ପରାଜୟ, ସବୁଠି ମଣିଷର ଉଲଗ୍ନ ବର୍ବରତା ଭିତରେ ଏକ ଅଦମନୀୟ ଗ୍ଳାନିବୋଧ—ଯାହା ଭିତରୁ ହୁଏତ ଏକ ନୂତନ ବିବେକବୋଧର ଉଦୟ ଅବଶ୍ୟମ୍ଭାବୀ ।

 

* ଲେଖକ ଇଣ୍ଡୋନେଶିୟା ଭ୍ରମଣ କରିଥିଲେ ୧୯୫୬ରେ; ଏ ଭ୍ରମଣ କାହାଣୀ ଲେଖା ଆରମ୍ଭ ୧୯୭୨ ଡିସେମ୍ବରରୁ ।

Image

 

ପରିଚ୍ଛେଦ : ଦୁଇ

ଅଭିଶପ୍ତ ଦୁର୍ଗ (୧)

 

ମହାନଗରୀର ପ୍ରଶସ୍ତ ରାଜପଥ ଛାଡ଼ି ଏକ ଛୋଟ ଗଳି ଭିତରକୁ ଆସିଯାଇଥିଲୁ । ବନ୍ଧୁ ଡିକ୍‌ ବେଟ୍‌ଷ୍ଟୋନ ଗୋଟାଏ ପୁରୁଣା ହଲ୍‌କୁ ଦେଖାଇ କହିଲେ, “ଏଇଟା ଗୋଟାଏ ଗୀର୍ଜା ଥିଲା ।”

 

“ଥିଲା ଅର୍ଥ ?” –ମୁଁ କହିଲି, “ବର୍ତ୍ତମାନ ବି ତ ରହିଛି ।”

 

ସେ ମୁଣ୍ଡ ହଲାଇ ନାହିଁକଲେ ଓ ବୁଝାଇଦେଲେ, “ଚଳିଲା ନାହିଁ । ଅଗତ୍ୟା ଗୋଟାଏ ସିନେମା ହଲ୍‌ ହୋଇଛି ।”

 

ଉପଭୋଗରୁ କିଛି ସମୟ ଛୁଟି ନେଇ ଉପାସନା କରିବାର ସୁଯୋଗ ପାଇବା ନିମନ୍ତେ ମଣିଷ ଗୀର୍ଜା ତିଆରି କରିଥିଲା । ବର୍ତ୍ତମାନ ପୁଣି ଉପାସନାକୁ ସେ ଉପଭୋଗରେ ପରିଣତ କରିଛି-। ଶୁଣିଥିଲି, ଆଧୁନିକ ପିଲାଟାଏ ସହର ଭିତରକୁ ଆସି ଗୀର୍ଜା ଉପରେ ଥିବା କ୍ରଶମାନ ଦେଖି କୁଆଡ଼େ ପ୍ରଶ୍ନ କରିଥିଲା, “ଏଣେତେଣେ ଗୁଡ଼ାଏ ଯୁକ୍ତ-ଚିହ୍ନ କାହିଁକି ରଖାଯାଇଛି ?” ଅବଶ୍ୟ କଥାଟା ଅତିରଞ୍ଜନ ହେବା ସମ୍ଭବ ।

 

“ତୁମ ଭାରତବର୍ଷରେ ଏ କଥା କେହି କଳ୍ପନା କରିପାରିବେ ନାହିଁ, ମୁଁ ଜାଣେ ।”—ବନ୍ଧୁ ହଠାତ୍‌ ଏକ ଅଭିମତ ପ୍ରକାଶ କଲେ ।

 

“କେଉଁ କଥା ?

 

“ତମ ଲୋକେ ମନ୍ଦିରକୁ କେବେ ସିନେମା ହଲରେ ପରିଣତ କରିପାରିବେ ? କେବେ ନୁହେଁ-। —ବେଟ୍‌ଷ୍ଟୋନ କହିଲେ ।

 

ମୁଁ ନୀରବ ରହିଲି । ମନ୍ଦିରର ଗଠନ ଅବଶ୍ୟ ସିନେମା ଘର ହେବାର ଉପଯୁକ୍ତ ନୁହେଁ-। ତେବେ ବୋଧହୁଏ ବନ୍ଧୁ ଠିକ୍‌ କହୁଛନ୍ତି; ଆମେ ହୁଏତ ମନ୍ଦିରକୁ ସିନେମା ଘର କରିଦେଇ ପାରିବୁ ନାହିଁ । କାରଣ ନିଜ ଧର୍ମହୀନତାକୁ ଏଡ଼େ ପ୍ରକାଶ୍ୟ ଭାବରେ ଜାହିର କରିବାର ସତ୍‌ସାହସ ଆମର ନାହିଁ । ମନ୍ଦିରକୁ ଆମେ ସିନେମା ଘର କରିବୁ ନାହିଁ ସିନା; କିନ୍ତୁ ମନ୍ଦିରର ଦିଅଁଙ୍କୁ କେତୋଟି ମୁଦ୍ରା ବିନିମୟରେ ଅକାତରରେ ବିକ୍ରି କରିଦେଇପାରିବୁ । ଅନ୍ୟ ଧର୍ମର ଲୋକେ ମନ୍ଦିର ବେଢ଼ା ଭିତରକୁ ପଶିପାରିବେ ନାହିଁ ସିନା; କିନ୍ତୁ ଡଲାର୍‌ ବିନିମୟରେ ମନ୍ଦିରର ଅମୂଲ୍ୟ ମୂର୍ତ୍ତିମାନଙ୍କୁ ସାତସମୁଦ୍ର ସେପାରିକୁ ଚାଲାଣ କରିଦେଇପାରିବାରେ ଆମ ଲୋକଙ୍କର କୁଣ୍ଠା ନାହିଁ । ଅନନ୍ୟ ହର-ପାର୍ବତୀ ଯୁଗ୍ମ-ମୂର୍ତ୍ତିରୁ ପାର୍ବତୀଙ୍କୁ ଆଣ୍ଠୁ ପାଖରୁ ଭାଙ୍ଗି ନିଆଯାଇଛି । ସେହି ବିକଳାଙ୍ଗ ମୂର୍ତ୍ତିର ଛବିକୁ ବର୍ତ୍ତମାନ ଖବରକାଗଜମାନଙ୍କରେ ବିଜ୍ଞାପିତ କରି ସଂପୃକ୍ତ ମହାପାପୀମାନଙ୍କ ଭିତରେ ବିବେକ ସଞ୍ଚାରର ଉଦ୍ୟମ କରୁଛନ୍ତି ଆମ ସରକାର । ସେଥିରେ ସଫଳତାର ଅଶା ନାହିଁ-। ଯେଉଁମାନେ ସେସବୁ କାମ କରନ୍ତି; ସେମାନେ ବିବେକମୁକ୍ତ ପୁରୁଷ; ସେମାନଙ୍କ ଭିତରେ ଗଣ୍ୟମାନ୍ୟ, ସାମାଜିକ “ମହାପୁରୁଷ” ସ୍ତରର କେହି କେହି ମଧ୍ୟ ଅଛନ୍ତି ।

 

ବେଟ୍‌ଷ୍ଟୋନଙ୍କୁ ଏସବୁ କଥା କହିବାର ଉତ୍ସାହ ନଥିଲା ।

 

ଟେମ୍‌ସ ନଦୀକୂଳ । ବେଟ୍‌ଷ୍ଟୋନ୍‌ କହିଲେ, “ଏଇ ଦେଖ ବିଖ୍ୟାତ “ଟାୱାର ଅବ୍‌ ଲଣ୍ଡନ୍‌” । ଆଉ ଏଇ ହେଲା ଟାୱାର ବ୍ରିଜ୍‌; ସେପଟେ ଲଣ୍ଡନ ବ୍ରିଜ୍‌ ।”

 

“ଟାୱାର ଅବ୍‌ ଲଣ୍ଡନ ?” ଶିହରି ଉଠିଲି । ପୁଲକରେ ନୁହେଁ, ଗୋଟାଏ ପ୍ରକାର ଆତଙ୍କ ମିଶା କୌତୂହଳରେ । ଟାୱାର୍‌ ବିଖ୍ୟାତ ଯେତିକି କୁଖ୍ୟାତ ସେତିକି ।

 

ଯଥାବିଧି ଟିକେଟ୍‌ କିଣି ଟାୱାର୍‌ର ଉଚ୍ଚ ପ୍ରାଚୀର ଟପି ଭିତରକୁ ପଶିଯିବାମାତ୍ରେ ମନେହେଉଥିଲା, ସମୟ-ସ୍ରୋତରେ ଉଜାଣି କାଟି ଅବା ଇତିହାସର ଅନ୍ଧ ଗର୍ଭ ଭିତରକୁ ଠେଲିହୋଇ ଆସିଛୁ ।

 

ଅଦ୍ୱିତୀୟ ଦୁର୍ଗ ଏଇ ଟାୱାର । କେତେ ନୃଶଂସତା ଓ ପ୍ରତାରଣାର ଇତିକଥାରେ ଏହାର ଅଭ୍ୟନ୍ତର ମୁଖରିତ ଅବା ! କେତେ ଦୀର୍ଘଶ୍ୱାସ ଓ କ୍ରୋଧ-ବହ୍ନିର ଅଦୃଶ୍ୟ ଧୂଆଁରେ ଆଚ୍ଛନ୍ନ ଏହାର ବାତାବରଣ !

 

କିଏ ଏଇ ଅଶୁଭ ଟାୱାର୍‌ର ଶୁଭ ଦେଇଥିଲା ? କୁହାଯାଏ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ଜୁଲିଅସ୍‌ ସିଜର ଇଂଲଣ୍ଡ ଉପରେ ପ୍ରଭୂତ୍ୱ ବିସ୍ତାର କରି ଏଇ ଟାୱାର ନିର୍ମାଣ କରିଥିଲେ । ଏ କଥା ସତ ହେବା ସମ୍ଭବ; କାରଣ ଏକ ରୋମାନ୍‌ ଅଟ୍ଟାଳିକାର ଧ୍ୱଂସାବଶେଷ ଏଠାରେ ମିଳିଛି । ତେବେ ସତ ହେଉ, ମିଛ ହେଉ; ସେକ୍‌ସପିଅରଙ୍କ ସମୟକୁ ଏ ବିଷୟରେ ବେଶ୍‌ ଯୁକ୍ତିତର୍କ ହେଉଥିଲା । ସେକ୍‌ସପିଅରଙ୍କ ତୃତୀୟ ରିଚାଡ୍‍ ନାଟକରେ ଆମେ ପଢ଼ୁ : ପ୍ରିନ୍‌ସ (ଅବ୍‌ ୱେଲ୍‌ସ)—ମୁଁ ଏ ଟାୱାରକୁ ମୋଟେ ପସନ୍ଦ କରେ ନାହିଁ ।

 

ଏହାକୁ କଣ ଜୁଲିଅସ୍‌ ସିଜର୍‌ ତିଆରି କରିଥିଲେ ?

 

ଗ୍ଳୋସେଷ୍ଟର—ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ପ୍ରତ୍ୟେକ ଯୁଗରେ ଏହାର ଅଭିବୃଦ୍ଧି ହୋଇଛି ।

 

ପ୍ରିନ୍‌ସ—ସିଜର୍ ଆରମ୍ଭ କରିଥିଲେ ବୋଲି କିଛି ଲିଖିତ ପ୍ରମାଣ ଅଛି ନା କିମ୍ବଦନ୍ତୀ ମାତ୍ର ? ଇତ୍ୟାଦି... ।

 

ଏକାଦଶ ଶତାଦ୍ଦୀରେ ଫ୍ରାନ୍‌ସର ଜଣେ ରାଜପୁରୁଷ ଉଇଲିୟମ (William the Conqueror) ଇଂଲଣ୍ଡ ଜୟ କରି ଏଇ ଦୁର୍ଗ ପୁନଃ ନିର୍ମାଣ କରିଥିଲେ । ତ୍ରୟୋଦଶ ଶତାଦ୍ଦୀରୁ ଇଂଲଣ୍ଡର ରାଜାମାନେ ବାରମ୍ବାର ଏହାକୁ ସମ୍ପ୍ରସାରିତ କରିଛନ୍ତି ଓ ବିଭିନ୍ନ ଭାବରେ ବ୍ୟବହାର କରିଛନ୍ତି ।

 

ପଞ୍ଚଦଶ ଶତକର କଥା । ରାଜା ଷଷ୍ଠ ହେନ୍‌ରୀ ଡ୍ୟୁକ୍‌ ଅବ୍‌ୟର୍କଙ୍କ ଦ୍ୱାରା ପରାଜିତ ହୋଇ ଏହା ଭିତରେ ବନ୍ଦୀ ହୋଇଥିଲେ । ଏଇ ହତଭାଗ୍ୟ ରାଜା ତାଙ୍କ ଶାସନକାଳରେ ଏପରି ଦୁଇଟି ଶିକ୍ଷାୟତନ ପ୍ରତିଷ୍ଠା କରିଥିଲେ, ଯାହା ଆଜି ଜଗତ୍‌ବିଖ୍ୟାତ କେମ୍ବ୍ରଜ୍‌ର କିଙ୍ଗସ୍‌ କଲେଜ ଓ ଇଟନ୍‌ କଲେଜ । ହୁଏତ ସେଭଳି ଆହୁରି କିଛି କରିବାର ସ୍ୱପ୍ନ ଥିଲା । କିନ୍ତୁ ଏଇ ଅତିକାୟ ପାଷାଣ ଦୁର୍ଗର ଅନ୍ଧକାର ଭିତରେ ବିଲୀନ ହୋଇଗଲା ସେସବୁ ସ୍ୱପ୍ନ । ବର୍ଷ ପରେ ବର୍ଷ ବିତିଗଲା । ମୁକ୍ତିର ସମସ୍ତ ଆଶା ଶୁଖିଗଲା । ବିମର୍ଷ ରାଜା କ୍ରମେ ପାଗଳ ହୋଇଗଲେ ।

 

ବିଶ୍ରାମ, ଆହାର, କେଉଁଥିରେ ନିୟମତା ରକ୍ଷା କରୁନଥିଲେ ପାଗଳ ରାଜା । କେବଳ ଗୋଟିଏ ଅଭ୍ୟାସରେ ବ୍ୟତିକ୍ରମ ଘଟୁନଥିଲା—ତାହା ହେଲା ନିୟମିତ ପ୍ରାର୍ଥନା ।

 

ଡିଉକ୍‌ ଅବ୍‌ୟର୍କ ସେତେବେଳେ ଚତୁର୍ଥ ଏଡ୍‍ଉଆର୍ଡ ନାମ ଗ୍ରହଣ କରି ଇଂଲଣ୍ଡ ସିଂହାସନରେ ଆସୀନ । ହେନରୀଙ୍କୁ ଆଠବର୍ଷ କାଳ ବନ୍ଦୀ କରି ରଖି ତାଙ୍କୁ ପାଗଳ କରି ମଧ୍ୟ ଏଡ୍‍ଉଆର୍ଡଙ୍କର ଶାନ୍ତି ନଥିଲା । ଅବଶେଷରେ ଦିନେ ଅସହାୟ ହେନ୍‌ରୀ ପ୍ରାର୍ଥନା କରୁଥିବାବେଳେ ଘାତକ ତାଙ୍କୁ ହତ୍ୟାକଲା ।

 

ଯେଉଁ ଜାଗାରେ ରାଜା ଟଳିପଡ଼ିଥିଲେ, ସେଠାରେ ବର୍ତ୍ତମାନ ସ୍ଥାପନ କରାଯାଇଛି ଏକ ମାର୍ବଲ୍‌ ଫଳକ । ପ୍ରାୟ ପାଞ୍ଚଶହ ବର୍ଷ ଅତିକ୍ରାନ୍ତ ହେବା ପରେ, ଏଇ ଶତାଦ୍ଦୀରେ ଇଟନ୍‌ ଓ କିଙ୍ଗ୍‍ସ୍‌ କଲେଜର କର୍ତ୍ତୃପକ୍ଷ ଏକ ବିଧି ପ୍ରଚଳନ କରିଛନ୍ତି । ରାଜାଙ୍କ ମୃତ୍ୟୁ-ଦିବସରେ ଉଭୟ କଲେଜର ପ୍ରତିନିଧିମାନେ ଆସି ସେଇ ଫଳକ ଉପରେ ପୁଷ୍ପସ୍ତବକମାନ ରଖନ୍ତି ।

 

ଅପ୍ରତ୍ୟାଶିତ ପନ୍ଥାରେ ମହାକାଳ ପ୍ରତିଶୋଧ ନିଏ । ପାଗଳ ତଥା ବନ୍ଦୀ ରାଜା ହେନ୍‌ରୀଙ୍କୁ ହତ୍ୟା କରିବାରେ ଜଣେ ତରୁଣ ଅନୁଚର ଏଡ୍‍ଉଆର୍ଡଙ୍କର ବିଶେଷ ସହାୟତା କରିଥିଲେ । ତାଙ୍କ ନାମ ରିଚାର୍ଡ, ଡ୍ୟୁକ୍‌ ଅବ୍‌ ଗ୍ଳୋସେଷ୍ଟାର୍‌ । ହେନ୍‌ରୀଙ୍କୁ ତାଙ୍କ ଉପାସନାକକ୍ଷରେ ହତ୍ୟା କରାଯିବାବେଳେ ସ୍ୱୟଂ ରିଚାର୍ଡ ଦୁର୍ଗରେ ଉପସ୍ଥିତ ରହି ଅନୁଷ୍ଠାନଟିର ତଦାରଖ କରିଥିଲେ ବୋଲି ପ୍ରମାଣ ମିଳେ ।

 

ଯାହା ହେଉ, ଯେତେବେଳେ ଚତୁର୍ଥ ଏଡ୍‍ଉଆର୍ଡଙ୍କର ମୃତ୍ୟୁ ହେଲା, ସେତେବେଳେ ତାଙ୍କ ବଡ଼ପୁଅଙ୍କ ବୟସ ମାତ୍ର ତେର ବର୍ଷ । ଉକ୍ତ ରିଚାର୍ଡ ଏହି ବାଳୁତ ରାଜାଙ୍କ ତତ୍ତ୍ୱାବଧାରକ ନିଯୁକ୍ତ ହେଲେ; କିନ୍ତୁ ସିଂହାସନର ଉତ୍କଟ ଲୋଭ ତାଙ୍କୁ ଅଚିରେ ଉନ୍ନତ୍ତ କରି ତୋଳିଲା । ବାଳୁତ ରାଜା ପଞ୍ଚମ ଏଡ୍‍ଉଆର୍ଡଙ୍କ ଅଭିଷେକ ଦିନ ଧାର୍ଯ୍ୟ ହୋଇଗଲା । ହଠାତ୍‌ ରିଚାର୍ଡ ମୁଖ୍ୟ ସାମନ୍ତ ଓ ଧର୍ମଯାଜକମାନଙ୍କର ଏକ ବୈଠକ ଡକାଇ କହିଲେ ଯେ ତାଙ୍କର ସନ୍ଦେହ ବାଳୁତ ରାଜା ହୁଏତ ପରଲୋକଗତ ଚତୁର୍ଥ ଏଡ୍‍ଉଆର୍ଡଙ୍କର ଠିକ୍‌ ସନ୍ତାନ ନୁହଁନ୍ତି; ହୁଏତ ସେ ଏକ ଅବୈଧ ସନ୍ତାନ । ତା ଛଡ଼ା ତାଙ୍କର ସନ୍ଦେହ, ବିଧବା ରାଣୀ କିଛି ଡାକୁଣୀ-ବିଦ୍ୟା ଜାଣନ୍ତି !

 

ହଠାତ୍‌ ରିଚାର୍ଡ ଙ୍କର ଏଭଳି ଉକ୍ତିରେ ସମସ୍ତେ ସ୍ତବ୍‌ଧ ହୋଇଗଲେ । ତାଙ୍କ ଉଦ୍ଦେଶ୍ୟ ବୁଝିବାକୁ ଅବଶ୍ୟ କାହାରି ବିଳମ୍ବ ହେଲା ନାହିଁ; କିନ୍ତୁ ଜଣକ ଛଡ଼ା ସେକଥା କହିବା ଭଳି ଦୁଃସାହସ କାହାରି ନଥିଲା । ସେ ଜଣଙ୍କ ନାମ ଲର୍ଡ଼ ହେଷ୍ଟିଂସ୍‌ ।

 

ଲର୍ଡ଼ ହେଷ୍ଟିଂସ୍‌ ଯେ କେବଳ ରିଚାର୍ଡ ଙ୍କ ଅଭିଯୋଗକୁ ଉଡ଼ାଇ ଦେଲେ, ସେତିକି ନୁହେଁ; ସେ କହିପକାଇଲେ, “ପାଗଳ ରାଜା ଷଷ୍ଠ ହେନ୍‌ରୀଙ୍କୁ ହତ୍ୟା କରିବା ପଛରେ ରିଚାର୍ଡ ଙ୍କ ହାତ ଥିଲା ।” ଗମ୍ଭୀର ବାତାବରଣ ଭିତରେ ରିଚାର୍ଡ କିଛି ସମୟ ଚୁପ୍‌ଚାପ୍‌ ବସିରହିଲେ । ତାପରେ କହିଲେ, “ତମେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି ବୋଲି ମୋର ହୃଦ୍‌ବୋଧ ହୋଇଛି । ତମ ଛିନ୍ନ ମୁଣ୍ଡ ନ ଦେଖିଲାଯାଏ ଆଜି ଦିବାହାର କରିବା ପାଇଁ ମୋର ରୁଚି ହେବ ନାହିଁ ।”

 

ଦିବାହାର ସକାଶେ ବେଶି ବିଳମ୍ବ ନଥିଲା । ଅତଏବ ସେଇ ବୈଠକ ଭିତରୁ ହେଷ୍ଟିଂସଙ୍କୁ ଭିଡ଼ିନିଆଗଲା । ରିଚାର୍ଡ ବୈଠକ ଉତ୍ତାରୁ ଦିବାହାର ପାଇଁ ଯିବା ବେଳକୁ ଆବଶ୍ୟକୀୟ ଛିନ୍ନ ମୁଣ୍ଡଟି ତାଙ୍କୁ ଦେଖାଇ ଦେବାର ବ୍ୟବସ୍ଥା ହୋଇଥିଲା ।

 

ତା’ପରେ ବାଳୁତ ରାଜା ଓ ତାଙ୍କ ସାନଭାଇଙ୍କୁ ଦୁର୍ଗ ଭିତରେ ବନ୍ଦୀ କରି ରଖାଗଲା । ରିଚାର୍ଡ ରାଜାଭାବରେ ଅଭିଷିକ୍ତ ହେଲେ ।

 

କିନ୍ତୁ ଦୁଇ ରାଜପୁତ୍ର ବଞ୍ଚିଥିବାଯାଏ ତାଙ୍କୁ ଭୋଜନରେ ପୂରା ରୁଚି ଆସିଲା ନାହିଁ ।

 

ତା’ପରେ, ଏକ ଅନ୍ଧକାର ମଧ୍ୟ-ରାତ୍ରିରେ ଦୁଇଜଣ ଘାତକ ନିଦ୍ରିତ ରାଜକୁମାର ଦୁହିଁଙ୍କ କାରାକକ୍ଷରେ ପ୍ରବେଶ କଲେ । (ବିଖ୍ୟାତ ମାଦାମ୍‌ ତୁଷାଦ୍‌ଙ୍କ ଯାଦୁଘରେ ଏଇ ଭୟାବହ ଦୃଶ୍ୟଟିର ମହମ-ପରିକଳ୍ପନା ଅତି ଜୀବନ୍ତଭାବରେ ଦେଖିବାକୁ ମିଳେ) । ବାଳକ ଦୁହିଁଙ୍କୁ ହତ୍ୟା କରାଗଲା ଶ୍ୱାସରୁଦ୍ଧ କରି । ହାଲୁକା, ଛୋଟ ମୃତ ଦେହ ଦୁଇଟିକୁ ଲୁଚାଇପକାଇବାକୁ କଷ୍ଟ ହେଲା ନାହିଁ ।

 

ପରବର୍ତ୍ତୀ କାଳରେ ଦୁଇ ରାଜପୁତ୍ରଙ୍କ ମୃତାବଶେଷ ଖୋଜି ବାହାର କରିବା ପାଇଁ ବାରମ୍ବାର ଚେଷ୍ଟା ହୋଇଥିଲା । ଦୁଇ ଶହ ବର୍ଷ ପରେ ଏକ ପାଷାଣ ଶିଡ଼ିତଳୁ ଦୁଇଟି ଛୋଟ କଂକାଳ ବାହାରିଲା । ବିଶେଷଜ୍ଞମାନେ ସେ ଦୁଇଟିକୁ ଏଇ ଦୁଇ ନିଶ୍ଚିହ୍ନ ରାଜକୁମାରଙ୍କର ବୋଲି ଚିହ୍ନଟ କଲେ ।

 

କାଳକ୍ରମେ ଦୁର୍ଗ ମଧ୍ୟସ୍ଥ ସେଇ ଅଭିଶପ୍ତ କୋଠା ରକ୍ତ-କୋଠା (Bloody Tower) ନାମରେ ପରିଚିତ ହେଲା ।

 

ଏଥର ମହାକାଳ ପ୍ରତିଶୋଧ ନେଲା ପ୍ରତ୍ୟକ୍ଷଭାବରେ । ରିଚାର୍ଡ ଙ୍କ ଏକମାତ୍ର ପୁତ୍ରର ହେଲା ଆକସ୍ମିକ ମୃତ୍ୟୁ । ପରେ ପରେ ରାଣୀ ମଲେ । ସେତେବେଳେକୁ ରକ୍ତ-କୋଠିର ପୈଶାଚିକ ହତ୍ୟାକାଣ୍ଡ କଥା ତୁଣ୍ଡବାଇଦରେ ପ୍ରଚାରିତ ହୋଇସାରିଲାଣି । ରିଚାର୍ଡ ଯେତେବେଳେ ପାରିବାରିକ ଦୁର୍ଘଟଣା ଯୋଗୁଁ ମ୍ରିୟମାଣ, ସେତିକିବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହେନ୍‌ରୀ ଟ୍ୟୁଡର ସୈନ୍ୟବାହିନୀ ଧରି ସିଂହାସନ ଦଖଲ କରିବାକୁ ଆସି ପହଞ୍ଚିଲେ । ରିଚାର୍ଡଙ୍କର କେତେଜଣ ଦକ୍ଷ ସେନାପତି ତାଙ୍କୁ ପରିତ୍ୟାଗ କଲେ । ହେନ୍‌ରୀ ଟ୍ୟୁରଙ୍କ ସହ ଯୁଦ୍ଧରେ ମାତ୍ର ୩୨ ବର୍ଷ ବୟସରେ ନିହତ ହେଲେ ରିଚାର୍ଡ । ଗୋଟାଏ ଘୋଡ଼ାପିଠିରେ ଲଦି, ଅତି ଦୟନୀୟ ଭାବରେ ତାଙ୍କ ଦେହକୁ ଲିସେଷ୍ଟାରକୁ ନିଆଯାଇ ସେଠାରେ ବିନା ସମ୍ମାନ, ବିନା ସମାରୋହରେ ପ୍ରୋଥିତ କରାଗଲା ।

 

ବହୁ ଦୁଃଖଦାୟକ ହତ୍ୟା ସଂଘଟିତ ହୋଇଛି ଏହି ଦୁର୍ଗ ଭିତରେ । ଟ୍ୟୁଡରବଂଶ ରାଜଗାଦି ପାଇବା ପରେ, ପରବର୍ତ୍ତୀ ଷୋଡ଼ଶ ଶତାଦ୍ଦୀରେ ରାଜା ଷଷ୍ଠ ଏଡ୍‍ଉଆର୍ଡ ତାଙ୍କ ମୃତ୍ୟୁବେଳେ ତାଙ୍କ ନିଜ ଭଉଣୀ ମେରୀଙ୍କୁ ଉତ୍ତରାଧିକାରିଣୀ ନବାଛି ବାଛିଗଲେ କକାଝିଅ ଭଉଣୀ ଜେନ୍‌ଗ୍ରେଙ୍କୁ । ଏକାନ୍ତ ଶାନ୍ତ ଶିଷ୍ଟ କନ୍ୟା ଥିଲେ ଏଇ ଜେନ୍‌ । ଶାସନକର୍ତ୍ତ୍ରୀ ହେବାର କୌଣସି ଅଭିଳାଷ ତାଙ୍କର ନ ଥିଲା ।

 

ଘଟଣାଚକ୍ରରେ, ଏଡ୍‍ଉଆାର୍ଡଙ୍କ ମୃତ୍ୟୁ ପରେ ଜେନ୍‌ ରାଣୀ ବୋଲାଇଲେ ବାଧ୍ୟ ହୋଇ; ମାତ୍ର ଦିନ କେତୋଟି ପାଇଁ । ଇତିମଧ୍ୟରେ ମେରୀ ଅବସ୍ଥା ଆୟତ୍ତ କରିନେଲେ ଓ ସିଂହାସନ ଦଖଲ କଲେ । ଏଇ ଦୁର୍ଗ ଭିତରେ ଥାଇ ଏ କଥା ଶୁଣିଲେ ଜେନ୍‌ ଓ ପୁଲକିତା ହେଲେ । ଅବାଞ୍ଚିତ ଦାୟିତ୍ୱ ମୁଣ୍ଡରୁ ଗଲା ।

 

ମୁଣ୍ଡରୁ ଦାୟିତ୍ୱ ଗଲା ଠିକ୍‌; କିନ୍ତୁ ମୁଣ୍ଡଟି ସହ । ପ୍ରଥମେ ତାଙ୍କର ନିରୀହ ତରୁଣ ସ୍ୱାମୀଙ୍କ ମୁଣ୍ଡକାଟ ହେଲା; ତାପରେ ତାଙ୍କର । ଉଭୟଙ୍କର ବୟସ ସେତେବେଳେ ସତର ବର୍ଷ ମାତ୍ର ।

 

ପରେ ପରେ ଜେନ୍‌ଙ୍କ ପିତା ଓ ଶ୍ୱଶୁରଙ୍କୁ ମଧ୍ୟ ବଳି ଦିଆଗଲା । ଇତିହାସରେ ରକ୍ତ-ସୁଖୀ ମେରୀ (Bloody Mary) ନାମରେ ପ୍ରଖ୍ୟାତ ଏଇ ଟ୍ୟୁଡର-ରାଣୀଙ୍କ ଯୁଗ ଆରମ୍ଭ ହେଲା ଏହି ପ୍ରକାରେ ।

 

ଦୁର୍ଗ ଭିତରେ ଯେଉଁ ଗୀର୍ଜାରେ ମେରୀ ବିଭା ହୋଇଥିଲେ, ଆମେ ଯାଇ ସେଠାରେ ପହଞ୍ଚିଥିଲୁ । ଅପୂର୍ବ ଅଭାବନୀୟ ସେହି ବିବାହ । ମେରୀ ଯେତେବେଳେ ଦୁଇବର୍ଷର ଶିଶୁକନ୍ୟା, ସେତେବେଳଠୁଁ ବିଭିନ୍ନ ରାଜପୁରୁଷଙ୍କ ସହ ତାଙ୍କ ବିବାହ ପ୍ରସ୍ତାବ ପଡ଼ୁଥାଏ ଓ ଭାଙ୍ଗୁ ଥାଏ । ସିଂହାସନରୂଢ଼ା ହେବା ପରେ ସେ ସ୍ପେନ୍‌ର ରାଜା ଫିଲି୍‍ପଙ୍କୁ ବିବାହ କରିବେ ବୋଲି ଘୋଷଣା କଲେ ।

 

ନିଧାର୍ଯ୍ୟ ଦିବସରେ ଫିଲିପ୍‌ ବିବାହ ପାଇଁ ଆସିପାରିଲେ ନାହିଁ । ମେରୀ କିନ୍ତୁ ଆଉ ଦିନ ଗଣିବାକୁ ରାଜି ନୁହଁନ୍ତି । ଫିଲିପ୍‌ଙ୍କ ପ୍ରୋକ୍‌ସି ଦେବା ପାଇଁ ଜଣେ ଭଦ୍ରଲୋକ ଛିଡ଼ାହେଲେ ମେରୀଙ୍କ ପାଖରେ । ଫିଲିପ୍‌ଙ୍କ ସହ ମେରୀଙ୍କ ବିବାହ ହେଲା ବୋଲି ପୁରୋହିତ ଘୋଷଣା କଲେ-। ଏହି ପ୍ରୋକ୍‌ସି-ପୁରୁଷଙ୍କ ନାମ କାଉଣ୍ଟ୍‍ ଇଗ୍‌ମୋଣ୍ଟ୍‍ । ଜୀବନରେ ସେ ଅବଶ୍ୟ କେବେ ରାଣୀଙ୍କ ସ୍ୱାମୀ ବୋଲାଇବାର ଆସ୍ପଦ୍ଧା କରି ନାହାନ୍ତି । ତେବେ, ମଜାର କଥା, ଯେଉଁମାନେ ପରବର୍ତ୍ତୀ କାଳରେ ଫିଲିପ୍‌ ତଥା ସ୍ପେନ୍‌ର ଘୋର ଶତ୍ରୁତା କରିଥିଲେ, ଉକ୍ତ କାଉଣ୍ଟ ଥିଲେ ତନ୍ମଧ୍ୟରୁ ଅନ୍ୟତମ-

Image

 

ପରିଚ୍ଛେଦ : ତିନି

ଅଭିଶପ୍ତ ଦୁର୍ଗ (୨)

 

୧୮୬୪ ମସିହାର ବିଦ୍ୟୁତ୍‌ହୀନ ନିଶାର୍ଦ୍ଧ । ଟାୱାର ଅବ୍‌ ଲଣ୍ଡନ୍‍ର ଉତ୍ତୁଙ୍ଗ ପ୍ରାଚୀର ଅନ୍ତରାଳରେ ଏକ ଦ୍ୱିତଳ ପ୍ରାସାଦର ବାତାୟନ ତଳେ ପ୍ରହରୀଟିଏ ବନ୍ଧୁକଟିକୁ ଏହାତ ସେହାତ କରି ଅନ୍ୟମନସ୍କ ଭାବରେ ଘୂରି ବୁଲୁଛି ।

 

ବହୁ ପ୍ରାସାଦର ସମଷ୍ଟି ଟାୱାର ଅବ୍‌ ଲଣ୍ଡନ । ସବୁକୁ ବଳୟାବଦ୍ଧ କରିଛି ପାଷାଣ ପ୍ରାଚୀର । ବହିରାଗତ ଅତିଥି ଓ ଦୂତବର୍ଗ ବିଦାୟ ହୋଇଯିବା ପରେ ପ୍ରାଚୀରର ପ୍ରଧାନ ଦ୍ୱାର ରୁଦ୍ଧ ହୁଏ ।

 

ଦୁର୍ଗର କୌଣସି ବାସିନ୍ଦା ନିଶାର୍ଦ୍ଧରେ ପ୍ରାଙ୍ଗଣ ଭିତରେ ବିଚରଣ କରିବାର ବିଧି ନାହିଁ । ଅଥଚ ପ୍ରହରୀଟି ଦେଖିଲା, କ୍ଷୀଣ ଜହ୍ନ-ଆଲୁଅରେ ଜଣେ ସମ୍ଭ୍ରାନ୍ତ-ଦର୍ଶନ ମହିଳା ଧିରୀ ଧିରୀ ଅଗ୍ରସର ହୋଇ ଆସୁଛନ୍ତି ।

 

“କିଏ ?” ପ୍ରହରୀ ଚିତ୍କାର କଲା । ଉତ୍ତର ଆସିଲା ନାହିଁ, କି ମହିଳାଙ୍କ ଗତିବିଧିରେ କୌଣସି ବ୍ୟତିକ୍ରମ ଦେଖାଗଲା ନାହିଁ । ବିସ୍ମିତ ପ୍ରହରୀ ଏକାଧିକବାର ପ୍ରଶ୍ନ କଲା—ପ୍ରତିଥର ଅଧିକରୁ ଅଧିକ କ୍ରୁଦ୍ଧ ଓ ଉଚ୍ଚ କଣ୍ଠରେ । କିନ୍ତୁ ଚଳମାନ ମୂର୍ତ୍ତିର ସଦମ୍ଭ ନୀରବତାରେ କୌଣସି ପରିବର୍ତ୍ତନ ଲକ୍ଷିତ ହେଲା ନାହିଁ ।

 

ମୂର୍ତ୍ତି ଯେତେବେଳେ ନିକଟବର୍ତ୍ତୀ ହେଲା, ସେତେବେଳେ ହଠାତ୍‌ ପ୍ରହରୀଟିର ମନେ ହେଲା, ମୂର୍ତ୍ତିଟିର ଚାଲିଚଳନ, ଚେହେରା—ସବୁ ଯିମିତି ଅସ୍ୱାଭାବିକ । ଭୟ ଓ ଶିହରଣାତ୍ରାନ୍ତ ଏକ ବିମୂଢ଼ ମୁହୂର୍ତ୍ତରେ ସେ ତାର ବେୟୋନେଟ ମୂର୍ତ୍ତି ଛାତିରେ ଭୂଷିଦେଲା ।

 

ମୂର୍ତ୍ତିଟି ଅବିଚଳିତ ପଦକ୍ଷେପରେ ବେୟୋନେଟ ତଥା ପ୍ରହରୀକୁ ଅତିକ୍ରମ କରି ଜହ୍ନ ଆଲୁଅରେ ଅଦୃଶ୍ୟ ହୋଇଗଲା ।

 

ଭୟାର୍ତ୍ତ ଚିତ୍କାର କରି ପ୍ରହରୀ ସଂଜ୍ଞାହତ ହୋଇ କଚାଡ଼ିପଡ଼ିଲା । ନିକଟତମ ପ୍ରାସାଦର ଦୁଇଜଣ କର୍ମଚାରୀ ପୂର୍ବରୁ ତାର କଣ୍ଠସ୍ୱର ଶୁଣି ଉଠିପଡ଼ିଥିଲେ । ସେମାନେ ବର୍ତ୍ତମାନ ଦୌଡ଼ିଆସିଲେ । କିନ୍ତୁ ପ୍ରହରୀ ପାଖରେ ପହଞ୍ଚିବା ପୂର୍ବରୁ ସେମାନେ ସେଇ ସମ୍ଭ୍ରାନ୍ତ, ଅପମୃୟମାଣା ମୂର୍ତ୍ତିକୁ ଦେଖିପାରିଥିଲେ ।

 

କାଗଜପତ୍ର କହେ—କିଛି ଦିନ ପରେ ଯେତେବେଳେ ପ୍ରହରୀଟିର ବିଚାର ହେଲା, ଉକ୍ତ କର୍ମଚାରୀଦ୍ୱୟ ସାକ୍ଷ୍ୟ ଦେଲେ : ପ୍ରହରୀ ମିଥ୍ୟାବାଦୀ ନୁହେଁ । ସେ ସେଇ ରହସ୍ୟମୟ ମୂର୍ତ୍ତିଟିକୁ ନ ଚିହ୍ନି ଥାଇପାରେ; କିନ୍ତୁ ସେମାନେ ଚିହ୍ନନ୍ତି । ସେ ରାଣୀ ଆନିବୋଲିନ୍‌ଙ୍କ ପ୍ରେତାତ୍ମା !

 

ଷୋଡ଼ଶ ଶତାଦ୍ଦୀର କଥା । ଆନି ଥିଲେ ରାଜା ଅଷ୍ଟମ ହେନ୍‌ରୀଙ୍କ ଦ୍ୱିତୀୟା ପତ୍ନୀ । ପ୍ରଥମା ପତ୍ନୀ କାଥାରିନ୍‌ ପୁତ୍ର ସନ୍ତାନ ଜନ୍ମ ଦେଇ ନପାରିବାରୁ ହେନ୍‌ରୀ ତାଙ୍କୁ ପରିତ୍ୟାଗ କରିବାକୁ ଚାହୁଁଥିଲେ । ତେବେ ସେଥିରେ ବିଶେଷ ତରବର ହେବାର ହେତୁ ନ ଥିଲା; ତରବର ହେଲେ କିଶୋରୀ ଆନିଙ୍କୁ ଦେଖିବା ପରେ ।

 

ଆନି ଜଣେ ସାମନ୍ତଙ୍କ କନ୍ୟା । ତରୁଣ କବି ଥମାସ୍‌ ୱାଟ୍‌ ତାଙ୍କୁ ଭଲ ପାଉଥିଲେ । ସାମାଜିକ ଅସାମ୍ୟ ଦୃଷ୍ଟିରୁ କବିଙ୍କ ସହ ଅବଶ୍ୟ ତାଙ୍କର ବିବାହ ହୋଇ ପାରି ନ ଥାନ୍ତା; ତେବେ ଆଉ ଜଣେ ଯୋଗ୍ୟ ଯୁବା ପାର୍ସିଙ୍କ ସହ ହୋଇ ପାରିଥାନ୍ତା । କିନ୍ତୁ ସେତେବେଳକୁ ହେନ୍‌ରୀ ତାଙ୍କୁ ଦେଖିସାରିଲେଣି । ଆନି ଖୁବ୍‌ ସୁନ୍ଦରୀ ଥିଲେ, ଏ କଥା କେହି କହନ୍ତି ନାହିଁ । ତେବେ ତାଙ୍କ ଆଖିଯୋଡ଼ିକ କୁଆଡ଼େ ଥିଲା ଖୁବ୍‌ ବୈଶିଷ୍ଟ୍ୟପୂର୍ଣ୍ଣ । କୁହାଯାଏ—ହେଲେନ୍‌ (ଅବ୍‌ଟ୍ରୟ)ଙ୍କ ନାକଟି ଅପେକ୍ଷାକୃତ ଛୋଟ ହୋଇଥିଲେ ହୁଏତ ଭୟଙ୍କର ଟ୍ରୋଜାନ୍‌ ଯୁଦ୍ଧ ସଂଙ୍ଘଟିତ ହୋଇନଥାନ୍ତା । ସେ ଯାହାହେଉ, ଆନିଙ୍କ ଆଖିଯୋଡ଼ିକ ଟିକିଏ କମ୍‌ ଚମତ୍କାର ହୋଇଥିଲେ ବିଚାରୀଙ୍କୁ ରାଣୀ ହେବାର ଦୁର୍ଭୋଗ ସହ୍ୟ କରିବାକୁ ପଡ଼ି ନ ଥାନ୍ତା ।

 

ପ୍ରଥମେ ରାଜା ଗୋପନରେ ତାଙ୍କୁ ବିବାହ କଲେ; ତା ପରେ ପ୍ରକାଶ୍ୟରେ । କିନ୍ତୁ ଆନିଙ୍କ ଆଖିର ମମତାକୁ ଅତିକ୍ରମ କରି ଯିବାକୁ ହେନ୍‌ରୀଙ୍କୁ ବେଶି ଦିନ ଲାଗିଲା ନାହିଁ । ଉତ୍ତରାଧିକାର ପ୍ରଶ୍ନର ସମାଧାନ ଦିଗରେ ମଧ୍ୟ ନୂଆ ରାଣୀ କିଛି ଅବଦାନ ଦେଇପାରିଲେ ନାହିଁ । ଗୋଟିଏ କନ୍ୟା (ପରବର୍ତ୍ତୀ କାଳରେ ରାଣୀ ପ୍ରଥମ ଏଲିଜାବେଥ୍‌) ପରେ ସେ ପର ପର ଦୁଇଟି ମୃତ ଶିଶୁଙ୍କୁ ଜନ୍ମଦେଲେ ।

 

ବିରକ୍ତ ହେନ୍‌ରୀ ହଠାତ୍‌ ଆଣିଲେ ଏକ ଚମକପ୍ରଦ ଅଭିଯୋଗ : ଆନି ତାଙ୍କ ପ୍ରତି ବିଶ୍ୱସ୍ତା ନୁହଁନ୍ତି । ତାଙ୍କର କୁଆଡ଼େ ଅଛନ୍ତି—ଜଣେ ଅଧେ ନୁହେଁ—ଦଳେ ପ୍ରେମିକ !

 

୧୫୩୬ ମସିହାର ମେ ୧୨ ତାରିଖ । ଆନିଙ୍କର ସମସ୍ତ ତଥାକଥିତ ପ୍ରେମିକଙ୍କୁ ଟାୱାର୍ ଭିତରେ ହତ୍ୟା କରାଗଲା । ତା’ପରେ ଠିକ୍ ସପ୍ତାହେ ଉତ୍ତାରୁ ସ୍ଵୟଂ ଆନିଙ୍କୁ । ଆନି ତାଙ୍କ ବିରୁଦ୍ଧରେ ଆନୀତ ଅଭିଯୋଗକୁ ତାଚ୍ଛଲ୍ୟ ସହକାରେ ଉଡ଼ାଇ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ମୁତ୍ୟୁର ଆତଙ୍କ ତାଙ୍କୁ ସ୍ପର୍ଶ କରି ନ ଥିଲା । ମୁଣ୍ଡକାଟ ହେବାର ଅବ୍ୟବହିତ ପୂର୍ବରୁ ସେ ହସିଥିଲେ; ସହଚରୀମାନଙ୍କୁ ହସାଇବାକୁ ଚେଷ୍ଟା କରିଥିଲେ ।

 

ହେନ୍‌ରୀଙ୍କ ପରେ ଏଡ୍‍ଉଆାର୍ଡ ଓ ତାଙ୍କ ପରେ ପୂର୍ବକଥିତ ରକ୍ତ ସୁଖୀ ମେରୀ ଇଂଲଣ୍ଡର ସିଂହାସନ ଆରୋହଣ କଲେ । ନିଃସନ୍ତାନଭାବରେ ମେରୀ ପରଲୋକ ଗମନ କରନ୍ତେ ତାଙ୍କ ବିମାତା-ଦୁହିତା ଭଗ୍ନୀ ଏଲିଜାବେଥ୍‍ ରାଣୀ ହେଲେ । ମେରୀଙ୍କ ରାଜୁତିରେ ଏଲିଜାବେଥ୍‍ଙ୍କୁ ମଧ୍ୟ କିଛିଦିନ ଟାୱାରରେ ବନ୍ଦୀ ହେବାକୁ ପଡ଼ିଥିଲା ।

 

ଏଲିଜାବେଥ୍‌ଙ୍କ ଶାସନକାଳରେ ଇଂଲଣ୍ଡରେ ହେଲା ଏକ ନବଯୁଗର ସୂତ୍ରପାତ । ସମୁଦ୍ର ସେପାରିର ଦେଶ-ମହାଦେଶ, ଦ୍ଵୀପ-ଦ୍ଵିପାନ୍ତର ଆବିଷ୍କାର ତଥା ସେ ସବୁର ଅନାବିଷ୍କୃତ ଐଶ୍ଵର୍ଯ୍ୟ ଆହରଣ କରିବାର କଳ୍ପନାରେ ଇଂରେଜ-ମାନସ ଉଦ୍ଦୀପିତ ହୋଇଉଠିଥିଲା ।

 

ଏଇ କଳ୍ପନାର ମୂର୍ତ୍ତିମାନ୍ ରୂପ ଥିଲେ ୱାଲ୍‌ଟର୍ ଗଲେ—ରାଣୀ ଏଲିଜାବେଥ୍‌ଙ୍କ ପ୍ରିୟପାତ୍ରମାନଙ୍କ ଭିତରେ ଅନ୍ୟତମ । ରାଣୀଙ୍କୁ ଖୁସୀ କରିବା ପାଇଁ କାଚଖଣ୍ଡ ଉପରେ ହୀରାର କଲମରେ କବିତାମାନ ଲେଖି ସେ ଉପହାର ଦେଇଥିଲେ । ରାଣୀଙ୍କ ସହ ଉଦ୍ୟାନରେ ଭ୍ରମଣ କରୁଥିବା ବେଳେ ହଠାତ୍ ରାଣୀଙ୍କ ଗତିପଥରେ କିଛି ପାଣି କାଦୁଅ ଜମା ହୋଇଥିବାର ଦେଖି ସେ ତତ୍‌କ୍ଷଣାତ୍ ନିଜର ମୂଲ୍ୟବାନ କୋଟ୍‍ଟିକୁ କାଦୁଅ ଉପରେ ବିଛାଇ ଦେଇ ରାଣୀଙ୍କୁ ତାହା ଉପରଦେଇ ଚଲାଇନେବାର କାହାଣୀ ତ ବିଖ୍ୟାତ । (ଇଂରେଜମାନଙ୍କୁ ଧୂଆଁ ପତ୍ରର ବ୍ୟବହାର ଶିଖାଇଥିଲେ ରାଲେ) ।

 

ମହାଶୂନ୍ୟର ଏକ ଉପଗ୍ରହରେ ମଣିଷ ଯାଇ ଆଜି ପଦାର୍ପଣ କଲେ ଯେତିକି ଚମକ ସୃଷ୍ଟିହୁଏ, ସେ ଯୁଗରେ ସାଗର ସେପାରି କୌଣସି ଭୂଖଣ୍ଡରେ କିଛିଟା ଆଧିପତ୍ୟ ବିସ୍ତାର କରିପାରିଲେ ତତୋଽଧିକ ଚମକ ସୃଷ୍ଟି ହେଉଥିଲା । ରାଲେ ଭାଜିନିଆକୁ ଆୟତ୍ତ କରିବା ପାଇଁ ତତ୍ପର ଥିଲେ । ରାଜକୀୟ ସମ୍ମାନ, ପ୍ରତିପତ୍ତି, ଐଶ୍ୱର୍ଯ୍ୟ, ସବୁଥିରେ, ଯେତେବେଳେ ଯୁବକ ଗଲେ ସଭାସଦ୍‌ବର୍ଗଙ୍କ ଭିତରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି, ସେତିକିବେଳେ ସେ ରାଣୀଙ୍କ ବିଷ-ଦୃଷ୍ଟିରେ ପଡ଼ିଗଲେ । କଥା ହେଲା, ରାଣୀଙ୍କ ସହଚରୀବର୍ଗଙ୍କ ଭିତରୁ ସେ ଜଣକୁ ବିଭାହେବାର ଗୋପନ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ରାଣୀଙ୍କ ପାଖରେ ଖବର ପହଞ୍ଚିଲା । ସ୍ଵୟଂ କୁମାରୀ ରାଣୀ ତଦୀୟା ହୃଦୟର କିୟଦଂଶ ଦାନ କରି କୃତାର୍ଥ କରିଛନ୍ତି, ସେ ପୁଣି ଜଣେ ସହଚରୀକୁ ବିଭା ହେବାକୁ ମନ ବଳାଇବ, ଏଇଟା ନିଶ୍ଚୟ ରାଣୀଙ୍କ ପାଇଁ ସୁସମାଚାର ନୁହେଁ ।

 

ଟାୱାର୍ ଅବ୍ ଲଣ୍ଡନ ଆଉ ଜଣେ ସମ୍ଭ୍ରାନ୍ତ ଅତିଥିଙ୍କୁ ପାଇଲା । ବନ୍ଦୀ ହେଲେ ଗଲେ । ସହଚରୀଙ୍କୁ ବିଭା ହେବା କଥା ସେ କେବେ ଭାବି ନାହାନ୍ତି, ଏହା କହି ସେ ପୁନର୍ବାର ରାଣୀଙ୍କ ଅନୁରାଗଭାଜନ ହେବାକୁ ଚେଷ୍ଟା କଲେ । କିନ୍ତୁ ରାଣୀଙ୍କ ନିର୍ଦ୍ଦେଶରେ ସେଇ ଦୁର୍ଗ ଭିତରେ ଆବଦ୍ଧ ଥିବା ଅବସ୍ଥାରେ ସହଚାରୀଟି ସହ ତାଙ୍କର ବିବାହ ହୋଇଗଲା ।

 

ଧୀରେ ଧୀରେ ରାଣୀଙ୍କ କ୍ରୋଧ ପ୍ରଶମିତ ହେଲା । ରାଲେ ମୁକ୍ତ ହେଲେ ।

 

କିନ୍ତୁ ରାଲେଙ୍କ ଜୀବନର ଗୌରବମୟ ଅଙ୍କ ଉପରେ ଯବନିକା ନଇଁ ଆସୁଥିଲା । ଏଲିଜାବେଥ୍‌ଙ୍କ ପରେ ପ୍ରଥମ ଜେମସ୍ ରାଜା ହେବା ମାତ୍ରେ ରାଲେଙ୍କ ସଙ୍କଟ ଘନୀଭୂତ ହେଲା । କୁମାରୀ ରାଣୀ ଏଲିଜାବେଥ୍‌ଙ୍କ ଅନ୍ୟତମ ପ୍ରିୟପାତ୍ର ଏସେକ୍‌ସ ରାଲେଙ୍କୁ ବଡ଼ ଈର୍ଷା କରୁଥିଲେ । ଘଟଣାଚକ୍ରରେ ଉକ୍ତ ଏସେକ୍‍ସ ନୂଆ ରାଜା ଜେମ୍‍ସଙ୍କ ପରାମର୍ଶଦାତା ବନିଗଲେ । ରାଜଦ୍ରୋହମୂଳକ ଷଡ଼ଯନ୍ତ୍ରରେ ଲିପ୍ତ ବୋଲି ଅଭିଯୋଗରେ ରାଲେଙ୍କୁ ଟାୱାର ଭିତରେ ବନ୍ଦୀ କରାଗଲା । ସେଇଠି ସେ ‘ବିଶ୍ଵ ଇତିହାସ’ ଲେଖିଲେ ବସି ବସି । ସନ୍ଧ୍ୟାବେଳେ ନିଜ କକ୍ଷ ବାହାରେ ଏକ ଅପ୍ରଶସ୍ତ ବାରନ୍ଦାରେ ସେ ପଦଚାରଣା କରୁଥିଲେ ଓ ଅଦୂରରେ ଦୂର୍ଗତଳେ ସବୁଦିନ ଆସି ଅପେକ୍ଷା କରିଥିବା ସ୍ତ୍ରୀ ଓ ସନ୍ତାନମାନଙ୍କୁ ଦେଖାଦେଉଥିଲେ । ସେ ବାରନ୍ଦାଟି Raleigh’s Walk ନାମରେ ଅଦ୍ୟାବଧି ଦର୍ଶନୀୟ । କାରାକକ୍ଷ ଭିତରେ ରହିଛି ତାଙ୍କ ବିଶ୍ଵ ଇତିହାସର ପ୍ରଥମ ସଂସ୍କରଣ ।

 

ବାରବର୍ଷକାଳ ବନ୍ଦୀ ରହିବା ପରେ ରାଲେ ପ୍ରସ୍ତାବ ଦେଲେ, ତାଙ୍କୁ ଆଉଥରେ ସମୁଦ୍ର-ବିଜୟ କରିବାକୁ ସୁଯୋଗ ଦିଆଯାଉ । ସେ ରାଜାଙ୍କ ପାଇଁ ଗାଏନା ଦେଶରେ ନିଶ୍ଚୟ ଏକ ସୁନାଖଣି ଆବିଷ୍କାର କରିବେ ।

 

ସୁନା ପାଇଁ ବଡ଼ ଲାଳାୟିତ ଥିଲେ ଜେମ୍‌ସ୍‌ । ସେ ରାଲେଙ୍କୁ ମୁକ୍ତି ଦେଲେ । ୧୬୧୭ରେ ପଞ୍ଚଷଠୀ ବର୍ଷ ବୟସ୍କ ରାଲେ ତାଙ୍କ ଜୀବନର ଶେଷ ଦୁଃସାହାସିକ ଜଳଯାତ୍ରାରେ ବହିର୍ଗତ ହେଲେ । କିନ୍ତୁ ଗାଏନାର ଦ୍ୱାରଦେଶରେ ସେଠାକାର ସ୍ପେନୀୟ ଔପନିବେଶମାନଙ୍କ ସହ ତାଙ୍କ ଦଳର ହେଲା ଗୁରୁତର ସଂଘର୍ଷ । ରାଲେ ନିଜେ ଜରାଗ୍ରସ୍ତ ହୋଇ ଜାହାଜ ଭିତରେ ପଡ଼ିରହିଥିଲେ । ତାଙ୍କ ପ୍ରିୟ ସହଚର ଲରେନ୍‌ସ କେମିସ୍ ଆସି ଖବର ଦେଲେ—ରାଲେଙ୍କ ତରୁଣ ପୁତ୍ର ସ୍ପେନୀୟମାନଙ୍କ ଦ୍ଵାରା ନିହତ ।

 

ରାଲେ ଚିତ୍କାର କରି ଲରେନ୍‍ସଙ୍କୁ ଭର୍ତ୍ସନା କଲେ, “ତୁମେ ମୋ ପୁଅକୁ ବଳି ଦେଇ ଆସି କେଉଁ ମୁହଁରେ ମୋ ଆଗରେ ସେ ବିବରଣୀ ପେଶ୍ କରୁଛ ?”

 

ଅପମାନିତ ଲରେନ୍‌ସ ଆତ୍ମହତ୍ୟା କଲେ ।

 

ଭଗ୍ନସ୍ୱାସ୍ଥ୍ୟ, ବିଷାଦଗ୍ରସ୍ତ ରାଲେ ସ୍ଵଦେଶକୁ ଫେରି ଆସିଲେ । ସ୍ୱର୍ଣ୍ଣଖଣି ଆବିଷ୍କାର କରି ପାରିଥିଲେ ସେ ମୁକ୍ତି ପାଇଥାନ୍ତେ । କିନ୍ତୁ ତାହା ନକରିଥିବାରୁ ତାଙ୍କୁ ପୁଣି ଥରେ ଟାୱାର୍ ଭିତରକୁ ଟାଣି ନିଆଗଲା । ଦିନ କେତୋଟି ପରେ ୧୩ବର୍ଷ ତଳର ତଥାକଥିତ ରାଜଦ୍ରୋହ ଅଭିଯୋଗରେ ତାଙ୍କର ପ୍ରାଣଦଣ୍ଡ ହେଲା ।

 

ବନ୍ଦୀ ଥିବାବେଳେ ସେ ନାନାଦି ଔଷଧପତ୍ର ତିଆରି କରିବାରେ ବହୁ ସମୟ ବ୍ୟୟ କରୁଥିଲେ । ପ୍ରାଣଦଣ୍ଡ ପୂର୍ବରୁ ଘାତକ ହାତରେ ଥିବା ଶାଣିତ କୁରାଢ଼ିରେ ଧାର ପରୀକ୍ଷା କରି ସେ କହିଥିଲେ, “ଏଇଟା ସର୍ବରୋଗହର ଔଷଧ !”

 

ଯେଉଁ କାଷ୍ଠଖଣ୍ଡ ଉପରେ, ଯେଉଁ ‘ସର୍ବରୋଗହର’ କୁରାଢ଼ି ସାହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା ତାହା ତାଙ୍କ କୋଠରିରେ ସୁରକ୍ଷିତ ରହିଛି ।

 

ଏକ ବିମର୍ଷ ବିତୃଷ୍ଣା ମୁହୂର୍ତ୍ତରେ ରାଲେ ଗୋଟେ ମର୍ମସ୍ପର୍ଶୀ ହତାଶା-ବ୍ୟଞ୍ଜକ କବିତା ଲେଖିଥିଲେ । ତା’ର ସଂକ୍ଷିପ୍ତ କିୟଦଂଶ ଏହିପରି :

 

“କହ ଯାଇ ଆତ୍ମା ମୋର ଦୁନିଆ ଦୁଆରେ

ମୋ ଅନ୍ତିମ ମୁହୂର୍ତ୍ତରେ ସତ୍ୟ କଥା ବାରେ—

ଦରବାରେ ଦୃଷ୍ଟି ଦେଇ କହ ବିଚାରକେ

ପ୍ରାଣହୀନ କାଷ୍ଠ ସମ ବୃଥା ସେ ଝଲକେ

ଗୀର୍ଜାକୁ ଶୁଣାଇ କହ, “ତୁମ ବାକି, ଭଲ,

କାର୍ଯ୍ୟକ୍ଷେତ୍ରେ ନାହିଁ ତୁମ କାଣିଚାଏ ମୂଲ !”

ପ୍ରତିବାଦ କରେ ଗୀର୍ଜା, ବିଚାରକ ଯଦି

ଶୁଣାଇଦେ ସେମାନଙ୍କୁ, ତୁମେ ମିଥ୍ୟାବାଦୀ !”

Image

 

ପରିଚ୍ଛେଦ : ଚାରି

ଅଭିଶପ୍ତ ଦୁର୍ଗ (୩)

 

ଏକ ପାନ୍ଥଶାଳାରେ, ଗୋଟିଏ ଟେବୁଲର ଦୁଇ କଡ଼ରେ ବସି ଆହାର କରୁଥିଲେ ଦୁଇଜଣ ପଥିକ । ଚାରିଶହ ବର୍ଷ ତଳର କଥା । ଇଂରେଜ ମାନଙ୍କ ସାମାଜିକ ଜୀବନରେ ଲୌକିକତା ଏତେ ପ୍ରାଧାନ୍ୟ ବିସ୍ତାର କରି ନଥିଲା । ଅତଏବ୍ ପରସ୍ପରର ପରିଚୟ ନଜାଣି ମଧ୍ୟ ଗଭୀର ଦାର୍ଶନିକ ତତ୍ତ୍ଵ ଉପରେ ଆଲୋଚନା ଜମାଇଥିଲେ ଦୁଇ ପଥିକ ।

 

ହଠାତ୍ ଜଣେ କହିପକାଇଲେ, “ଆପଣଙ୍କ ଭାଷା ଏତେ ଶାଣିତ ଯେ ଆପଣ ଯିମିତି ଥମାସ୍ ମୋର୍ ! ଆର ଜଣକ କହିଲେ, “ଆପଣଙ୍କ ବିଦ୍‌ବତ୍ତା ଏଡ଼େ ପ୍ରଖର ଯେ ଆପଣ ଅବା ସ୍ଵୟଂ ଇରାସ୍ ମାସ୍ ।”

 

ଉଭୟେ ଠିକ୍ କହିଥିଲେ । ଏମିତି ନାଟକୀୟ ଭାବରେ ସେ ଯୁଗର ଦୁଇ ମନୀଷୀ ସେଦିନ ପରସ୍ପରକୁ ଚିହ୍ନିଥିଲେ ।

 

ସାର୍ ଥମାସ୍ ମୋର୍ (୧୪୭୮-୧୫୩୫)ଙ୍କ କଥା ନ କହିଲେ ଅଭିଶପ୍ତ ଦୂର୍ଗଟିର ପ୍ରସଙ୍ଗ ଅସମ୍ପୁର୍ଣ୍ଣ ରହିଯିବ । ଇଂରାଜୀ ସାହିତ୍ୟ ତଥା ଚିନ୍ତା ରାଜ୍ୟରେ ଅବୀସ୍ମରଣୀୟ ଥମାସ୍ ମୋର ବିଖ୍ୟାତ ‘ୟୁଟୋପିଆ’ ଗ୍ରନ୍ତର ଲେଖକ ଭାବରେ । ‘ୟୁଟୋପିଆ’ ଏକ କାଳ୍ପନିକ ଦ୍ୱୀପ । ଦ୍ୱୀପର ପୁଂଜିଭୂତ ସମ୍ପତ୍ତି ଉପରେ ସେଠାରେ ସମସ୍ତଙ୍କର ଅଧିକାର ସମାନ । ବଳାତ୍କାର ନାହିଁ, ବିଦ୍ରୋହ ନାହିଁ; ସହନଶୀଳତା ଓ ସହାନୁଭୂତି ହିଁ ତହିଁର ସାମାଜିକ ଜୀବନର ଭିତ୍ତି ।

 

‘ୟୁଟୋପିଆ’ର ଏଇ କଳ୍ପନା ପରବର୍ତ୍ତୀ ଯୁଗର ସମାଜବିଜ୍ଞାନକୁ କମ୍ ପ୍ରଭାବିତ କରି ନାହିଁ ।

 

ଥମାସ୍ ମୋର୍ ଯେତେବେଳ ପାର୍ଲିଆମେଣ୍ଟର ସଭ୍ୟ, ସେତେବେଳେ ଅଷ୍ଟମ ହେନ୍‌ରୀ ଇଂଲଣ୍ଡର ରାଜା । ଦିନେ ଅଦାଲତରେ ପୋପ୍ ଓ ତରୁଣ ରାଜାଙ୍କ ଏକ ବିବାଦର ବିଚାର ଚାଲିଥାଏ । ଥମାସ୍ ମୋର୍ ରାଜାଙ୍କ ବିରୁଦ୍ଧରେ, ପୋପ୍‍ଙ୍କ ସପକ୍ଷରେ ଲଢ଼ୁଥାଆନ୍ତି । ସ୍ଵୟଂ ତରୁଣ ରାଜା ଉପସ୍ଥିତ ରହି ବିଚାର ଶୁଣୁଥାନ୍ତି । ଥମାସ୍ ମୋର୍‌ଙ୍କ ବୁଦ୍ଧି ଦୀପ୍ତ ଯୁକ୍ତି ଫଳରେ ରାଜାଙ୍କର ପରାଜୟ ଘଟିଲା । ଏହା ଫଳରେ ମୋର୍‌ଙ୍କ ଅବସ୍ଥା କଣ ହେବ ସେକଥା ଅନୁମାନ କରିବା କଷ୍ଟକର ନଥିଲା । କିନ୍ତୁ ସମସ୍ତ ଅନୁମାନକୁ ଭୂଲ୍ ପ୍ରମାଣିତ କରି, ମୋର୍‌ଙ୍କ ଉପରେ କୃଦ୍ଧ ହେବା ପରିବର୍ତ୍ତେ ବିଚାର ଅନ୍ତେ ରାଜା ଆଗେଇ ଯାଇ ତା’ଙ୍କ ସହ କରମର୍ଦ୍ଦନ କଲେ ଓ ତାଙ୍କୁ ପ୍ରିଭ୍-କାଉନସିଲର୍ ସଭ୍ୟରୂପେ ଗ୍ରହଣ କଲେ ।

 

ତରୁଣ ରାଜାଙ୍କ ସହ ମୋର୍‍ଙ୍କ ବନ୍ଧୁତା କ୍ରମେ ଗାଢ଼ତର ହେଲା । ସମୟ ଅସମୟରେ ରାଜା ତାଙ୍କୁ ଡାକିପଠାଉଥାନ୍ତି ଓ ତାଙ୍କ ସହିତ ଦୀର୍ଘ ସମୟ ଧରି ଦର୍ଶନ ଓ ଇତିହାସ ଆଲୋଚନା କରୁଥାନ୍ତି ।

 

କ୍ରମେ ରାଜା ମୋର୍‍ଙ୍କର ଏଡ଼େ ଅନୁରକ୍ତ ହୋଇପଡ଼ିଲେ ଯେ ତେଣିକି ତାଙ୍କୁ ନଅରକୁ ଡାକିପଠାଇବା ପରିବର୍ତ୍ତେ ସ୍ୱୟଂ ଯାଇ ମୋର୍‍ଙ୍କ ଘରେ ହାଜର ହେବାକୁ ଲାଗିଲେ । ହୁଏତ ମୋର୍ ଖାଇବାକୁ ଯାଉଛନ୍ତି, ପୂର୍ବରୁ ଖବର ନଦେଇ ରାଜା ଯାଇ ତାଙ୍କ ସହିତ ଆହାରରେ ବସିଗଲେ । କହିବା ବାହୁଲ୍ୟ, ରାଜାଙ୍କୁ ଏଭଳି ଅନ୍ତରଙ୍ଗ ଭାବରେ ପାଇବା ସଚରାଚର ଭାଗ୍ୟରେ ଜୁଟେ ନାହଁ । ଉଭୟ ରାଜା ତଥା ମୋର୍‍ଙ୍କ ପାଖଲୋକ ଯେ ଚମତ୍କୃତ ହେବେ, ସେଟା ବା କେଉଁ ବିଚିତ୍ର କଥା !

 

ଦିନେ ଘଣ୍ଟାଏ କାଳ ମୋର୍‌ଙ୍କ କାନ୍ଧରେ ହାତ ପକାଇ ଉଦ୍ୟାନ ଭ୍ରମଣ ପରେ ରାଜା ବିଦାୟ ନେଇଗଲେ । ମୋର୍‌ଙ୍କ ଜାମାତା ତହିଁ ଉତ୍ତାରୁ ଶ୍ଵଶୁରଙ୍କୁ ତାଙ୍କ ଅନନ୍ୟ ସୌଭାଗ୍ୟ ଯୋଗୁ ଅଭିନନ୍ଦନ ଜଣାନ୍ତେ ମୋର୍ ଧୀର କଣ୍ଠରେ କହିଲେ, “ବାପା, ଗୋଟାଏ କଥା ମନେରଖ । କାଲି ଯଦି କେଉଁଠାରେ ଦୂର୍ଗଟାଏ ପାଇବା ପାଇଁ ମୋ ମୁଣ୍ଡଟି ଦରକାର ପଡ଼େ, ରାଜା ବିନା ଦ୍ଵିଧାରେ ମୋର ଯେଉଁ କାନ୍ଧ ଉପରେ ହାତ ପକାଇଥିଲେ, ତହିଁ ଉପରୁ ମୁଣ୍ଡଟିକୁ ତୋଳି ନେଇ ଚାଲିଯିବେ-।”

 

ରାଜାଙ୍କ ପ୍ରବଳ ପ୍ରୀତ ମୋର୍‍ଙ୍କ ନମ୍ରତା ଓ ନ୍ୟାୟପରାୟଣତାରେ ତିଳେ ମଧ୍ୟ ବ୍ୟତିକ୍ରମ ସୃଷ୍ଟି କରି ପାରିନଥିଲା । ଇତିହାସ କହେ, ଚାନସେଲାର୍ ହିସାବରେ ମୋର୍ ଗରିବ ଓ ଦଳିତ ଲୋକଙ୍କ ଆପତ୍ତି ଅଭିଯୋଗ ପ୍ରତି ବିଶେଷ ଦରଦ ସହକାରେ ଧ୍ୟାନ ଦେଉଥିଲେ । ଇଂରାଜୀରେ କଥାଟାଏ ଅଛି, “Any one can be polite to a king. It takes a gentleman to be polite to a beggar,” ରାଜାଙ୍କ ଆଗରେ ସମସ୍ତେ ବିନୟ ଆଚରଣ କରିବେ; କିନ୍ତୁ ଭିକ୍ଷୁଟିଏ ଆଗରେ ଯିଏ ବିନୟ ଆଚରଣ କରିପାରେ ସିଏ ଏକା ଭଦ୍ରଲୋକ । ମୋର୍ ଥିଲେ ପ୍ରକୃତ ଭଦ୍ରଲୋକ ।

 

ସମୟ-ସ୍ରୋତରେ ମୋର୍ ବହୁ ଗୌରବ ଅର୍ଜନ କଲେ; କିନ୍ତୁ ମଣିଷ ଭାବରେ ସେ ବଦଳିଗଲେ ନାହିଁ । ବଦଳିଗଲେ କିନ୍ତୁ ରାଜା ହେନ୍‌ରୀ । ଇଂଲଣ୍ଡର ଭୌତିକ ସର୍ବେସର୍ବା ମାତ୍ର ହୋଇ ସେ ତୃପ୍ତ ହେଲେ ନାହିଁ । ଇଂଲଣ୍ଡର ଧର୍ମସଂସ୍ଥା ଉପରେ ପୋପଙ୍କ କ୍ଷମତାକୁ ବାତିଲ କରିଦେଇ ନିଜେ ଧର୍ମ-ଚକ୍ରବର୍ତ୍ତୀ ବନିବାକୁ ମନ ବଳାଇଲେ ।

 

ମୋର ରାଜାଙ୍କର ଅଭିନବ ଅଭିଳାଷକୁ ସମର୍ଥନ କରିପାରିଲେ ନାହିଁ । ଏପରିକି ପାର୍ଲିଆମେଣ୍ଟ ରାଜାଙ୍କୁ ସମର୍ଥନ କଲେ ସେ ନିଜ ବିବେକକୁ ଠକି ପାରିବେ ନାହିଁ ବୋଲି କହିଲେ । “ପାର୍ଲିଆମେଣ୍ଟର ଆଇନ୍ ପ୍ରଣୟନ କରିବାର ଗୋଟାଏ ସୀମା ଅଛି । ଭଗବାନ ଏଣିକି ଭଗବାନ ହୋଇପାରିବେ ନାହିଁ—ଏଇଟା ପାର୍ଲିଆମେଣ୍ଟ ଆଇନ୍ କରିପାରିବେ କି ? ସେମିତି ପୋପ ଖ୍ରୀଷ୍ଟିୟାନ୍ ଧର୍ମ-ସଂସ୍ଥାର ପୁରୋଧା ହେବା ପରିବର୍ତ୍ତେ ରାଜା ହେବେ, ଏଇଟା ମଧ୍ୟ ପାର୍ଲିଆମେଣ୍ଟ ଆଇନଦ୍ଵାରା ସ୍ଥିର କରିପାରିବ ନାହିଁ ।” ଏଇ ଥିଲା ମୋର୍‌ଙ୍କ ଯୁକ୍ତି ।

 

ରାଜଦ୍ରୋହ ଅପରାଧରେ ଧୃତ ହେଲେ ସାର୍ ଥମାସ୍ ମୋର୍; ହେଲେ ଟାୱାର ଅବ୍ ଲଣ୍ଡନ ଭିତରେ ବନ୍ଦୀ । ୧୫୩୫ ମସିହାରେ ଏକ ଜୁଲାଇ ପ୍ରଭାତରେ ତାଙ୍କର ସେଇ କାନ୍ଧ, ଯାହା ଉପରେ ରାଜାଙ୍କ ମୂଲ୍ୟବାନ୍ ବାହୁ ଘଣ୍ଟା ଘଣ୍ଟା ଧରି ବିଶ୍ରାମ କରୁଥିଲା, ସେଥିରୁ ମୁଣ୍ଡଟିକୁ ଛିନ୍ନ କରି ନିଆଯାଇ ଲଣ୍ଡନ୍ ବ୍ରିଜ୍ ଉପରେ ଜନସାଧାଣଙ୍କ ଉପଭୋଗାର୍ଥେ ଝୁଲାଇ ରଖାଗଲା ।

 

ନିର୍ଜନ ଟେମ୍‌ସ ନଦୀର ତମସାବୃତ କୋଳରେ ଗୋଟିଏ ଛୋଟିଆ ନୌକାରେ ବସି ଝିଅଟିଏ ଅବିରଳ କାନ୍ଦୁଥାଏ । ସେ ଥମାସ୍ ମୋର୍‌ଙ୍କ ବଡ଼ ଝିଅ, ବାପାଙ୍କର ଏକାନ୍ତ ସ୍ନେହର ପାତ୍ରୀ-। ସନ୍ଧ୍ୟା ହୋଇଆସୁଥିଲା । ଝୁଲନ୍ତ ଛିନ୍ନ ମୁଣ୍ଡ ଆଡ଼କୁ ଅନାଇ ଝିଅଟି ଚିତ୍କାର କଲା, “ବାପା-! କେତେଥର ମୋ କୋଳରେ ମୁଣ୍ଡ ରଖି ତୁମେ ଶୋଇଛ ! ଆଜି କଣ ମୋ କଥା ଶୁଣି ପାରୁନାହଁ-?”

 

କିମ୍ବଦନ୍ତୀ କହେ, ଅକସ୍ମାତ୍ ମୁଣ୍ଡଟି ଖସିଆସିଲା—ଆସି ପଡ଼ିଲା ଝିଅ କୋଳରେ ।

 

କିମ୍ବଦନ୍ତୀ ସତ୍ୟ ହୋଇପାରେ, ନ ହୋଇପାରେ । କିନ୍ତୁ ଯେମିତି ପ୍ରକାରେ ହେଉ, ମୁଣ୍ଡଟି ଯେ ଝିଅ ଲଣ୍ଡନ ବ୍ରିଜ୍‌ରୁ ଖସାଇ ନେଇଥିଲେ, ଏହା ଇତିହାସ-ସ୍ଵୀକୃତ କଥା । ସାରା ଜୀବନ ତାକୁ ସେ ନିଜ ପାଖରେ ରଖିଥିଲେ ଓ ମୃତ୍ୟୁ ପରେ ନିଜ ସହିତ ସମାଧିସ୍ଥ କରିବାରେ ବ୍ୟବସ୍ଥା କରିଯାଇଥିଲେ ।

 

ଟାୱାର ଅବ୍ ଲଣ୍ଡନ ବ୍ରିଟୀଶ୍ ରାଜା-ରାଣୀଙ୍କ ହୀରା-ମାଣିକ୍ୟର ପ୍ରଧାନ ଗନ୍ତାଘର । ଏଇ ସୁରକ୍ଷିତ ବିପୁଳ ଐଶ୍ୱର୍ଯ୍ୟପୁଞ୍ଜ ଦର୍ଶନ କରିବାକୁ ହେଲେ ଅଳ୍ପ କିଛି ଦର୍ଶନ ଦେବାକୁ ପଡ଼େ ।

 

ଆମେ ଆସି ଛିଡ଼ାହୋଇଥିଲୁ ଭୁଗର୍ଭମୁଖୀ ବାତାୟନାହୀନ ପାଷାଣ କୋଠରୀ ଭିତରେ-। ଏଇ ଯକ୍ଷପୁରୀ ଭିତରେ କେତେ ବିଗତ ରାଜାରାଣୀଙ୍କ ଦର୍ପ ଓ ହର୍ଷର ପ୍ରତୀକ ଅମୂଲ୍ୟ ମୁକୁଟମାନ ସଜ୍ଜିତ ରହିଛି । ଯୁଗ ଯୁଗ ଧରି କେତେ ଆଶା ଓ ହତାଶା, ଆନନ୍ଦ ଓ ମରଣର ହେତୁ କେତେ ଖଣ୍ଡି ବିଖ୍ୟାତ ହୀରାଖଣ୍ଡ ରହିଛି ଏହି ସବୁ ମୁକୁଟରେ ଖଚିତ ।

 

ଏବଂ ସେ ସବୁ ଭିତରେ ଜାଜ୍ଜ୍ଵଲ୍ୟମାନ ବିଶ୍ଵବିଶ୍ରୁତ ହୀରା କୋହୀନୂର୍ ।

 

ପନ୍ଦର କୋଡ଼ିଏ ବର୍ଷ ତଳେ ନିଜ ସଂପାଦିତ ‘ଦିଗନ୍ତ’ରେ ଛଦ୍ମ ନାମରେ ଏ ଲେଖକକୁ ଗୁଡ଼ିଏ ରମ୍ୟରଚନା ଲେଖିବାକୁ ପଡ଼ୁଥିଲା । ସେଥିପାଇଁ ଉଦ୍ଦିଷ୍ଟ ପୁରୁଣା କାଗଜପତ୍ର ଭିତରେ ଆଜି ଦେଖୁଛି କୋହୀନୂର ଉପରେ ଏକ ନୋଟ୍ । କେଉଁ କେଉଁ ବହିରୁ ତଥ୍ୟ ସଂଗ୍ରହ କରିଥିଲି, ମନେନାହିଁ ତଥ୍ୟଂଶ ଏଠାରେ ଉତାରି ଦେଉଛି :

 

ଏ କଥା ଶୁଣିଲେ ହୁଏତ ଚମତ୍କୃତ ହେବାକୁ ପଡ଼ିବ ଯେ କୋହୀନୂର ହୀରା ଆମ ଓଡ଼ିଶାର ହିଁ ପ୍ରାପ୍ୟ ।

 

ଇତିହାସର ବଙ୍କିମ ଘଟଣା ପ୍ରବାହରେ ଯେଉଁ କୋହୀନୂର୍ ଆଜି ଯାଇ ଇଂଲଣ୍ଡର ରାଣୀଙ୍କ ମୁକୁଟର ଶୋଭା ଓ ଗୌରବ ବଢ଼ାଇଛି, ତାହାର ପୂର୍ବତନ ମାଲିକ ରଣଜିତ୍ ସିଂହଙ୍କ ଇଚ୍ଛାନୁସାରେ ତାହା ପୁରୀର ଶ୍ରୀଜଗନ୍ନାଥଦେବଙ୍କ ମନ୍ଦିରରେ ରହିବା ନିମନ୍ତେ ଉଦ୍ଦିଷ୍ଟ ଥିଲା । କେବଳ କୋହୀନୂର ନୁହେଁ; ରଣଜିତ୍ ସିଂହଙ୍କ ଇଚ୍ଛାନୁସାରେ ତାଙ୍କର ବହୁ ମୂଲ୍ୟବାନ ଧନରତ୍ନ ଶ୍ରୀମନ୍ଦିରକୁ ସ୍ଥାନାନ୍ତରିତ ହେବାର କଥା । କିନ୍ତୁ ତାଙ୍କର ମୃତ୍ୟୁ ପରେ ତାଙ୍କର ଏ ଇଚ୍ଛା ପ୍ରତି ସମ୍ମାନ ପ୍ରଦର୍ଶନ କରାଗଲା ନାହିଁ ।

 

ଏହା ଅବଶ୍ୟ ମାତ୍ର ଉନ୍ନବିଂଶ ଶତକର ପ୍ରଥମାର୍ଦ୍ଧର କଥା କିନ୍ତୁ କୋହୀନୂର୍ ଇତିହାସ ବହୁ ପ୍ରାଚୀନ । ରହସ୍ୟମୟ ଭୂଗର୍ଭର କେଉଁ ଗନ୍ତାଘର ଭିତରୁ କେବେ ଏହି ଚପଳ, ଦୁର୍ଲଭ ବସ୍ତୁଟିର ଆବିର୍ଭାବ ଘଟିଥିଲା, ସେ କଥା ମହକାଳର ଅନନ୍ତଗର୍ଭରୁ କୌଣସି ଗବେଷକ ବୋଧହୁଏ କେବେ ଆବିଷ୍କାର କରିପାରିବେ ନାହିଁ ।

 

ଥୋକେ କହନ୍ତି, କୋହୀନୂର୍ ଆଉ କିଛି ନୁହେଁ, ସୁନ୍ଦର ଅତୀତର ସେହି ମହାଭାରତଖ୍ୟାତ ସ୍ନିଗ୍‌ଧ ‘ସ୍ୟମନ୍ତକ ମଣି’ । ତେବେ ଏ ବିଶ୍ୱାସକୁ ପ୍ରମାଣ କରିବା ଦୁରୁହ ।

 

ଆଉ କେତେକେ କହନ୍ତି ଯେ ପ୍ରାଚୀନ ପାରସ୍ୟର ଜଣେ ଅମାପ ଧନଶାଳୀ ସମ୍ରାଟ ଥିଲେ କୋହୀନୂରର ପ୍ରଥମ ମାଲିକ ।

 

ଯାହା ହେଉ, ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ କୋହୀନୂରର ବିଚରଣ ଓ ହସ୍ତାନ୍ତର ସମ୍ପର୍କୀୟ ସବୁକଥା କିମ୍ୱଦନ୍ତୀ ଓ ଜନଶ୍ରୁତି-ଆଶ୍ରିତ ।

 

ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗ । ପାନିପଥ ଯୁଦ୍ଧରେ ବିଜେତା ହେଲେ ହୁମାୟୁନ୍ ଓ ପରାଭୂତ ଲୋଦି ସମ୍ରାଟ୍‌ଙ୍କ ସହଯୋଗୀ ବିକ୍ରମଜିତଠାରୁ କୋହୀନୂର୍ ହାସଲ କଲେ ।

 

ହୁମାୟୁନ୍‌ଙ୍କ ଜୀବନ ଅସ୍ଥିର ଘଟଣାବହୁଳ । ବିଦ୍ରୋହୀ ଶେର୍ ଶାହ–ଦ୍ଵାରା ନିପୀଡ଼ିତ ହୋଇ ସେ ଯେତେବଳେ ପାରସ୍ୟାଧିପତିଙ୍କଠାରୁ କିଛି ଅନୁଗ୍ରହ ଲାଭ କଲେ, ସେତେବେଳେ କୃତଜ୍ଞତା ସ୍ୱରୂପ ପାରସ୍ୟାଧିପତିଙ୍କୁ କୋହୀନୂର୍‍ଟି ଦେଇଦେଲେ । ପାରସ୍ୟାଧିପତି ରତ୍ନଟିର ମୂଲ୍ୟ ନିରୁପଣ ନିମନ୍ତେ ଅଗ୍ରାହାନିତ୍ଵ ହୁଅନ୍ତେ ହୁମାୟୁନ କୁଆଡ଼େ କହିଥିଲେ, ଏ ରତ୍ନର ଆର୍ଥିକ ମୂଲ୍ୟ ନିରୂପଣ କରାଯାଇପାରେନା । ଏହା ମିଳିପାରେ ହୁଏତ ତରବାରି ବଳରେ; ନଚେତ୍ କୌଣସି ପ୍ରତାପଶାଳୀ ସମ୍ରାଟର କୃପା ଫଳରେ ।

 

୧୫୮୭ ମସିହାରେ କୋହୀନୂର୍ ଭାରତକୁ ପ୍ରତ୍ୟାବର୍ତ୍ତନ କଲା । ପାରସ୍ୟ ରାଜା ଆହମ୍ମଦନଗରର ରାଜା ପ୍ରଥମ ବୁର୍‌ହାନ୍‌ଙ୍କୁ ଏହା ଉପହାର ଦେଇଥିଲେ ।

 

୧୬୩୦ରେ ପାରସ୍ୟରୁ ଆଗତ ଜଣେ ବ୍ୟବସାୟୀ ମୀରଜୁମ୍‌ଲା ନିଜ ବୁଦ୍ଧିରେ ଗୋଲ୍ କୁଣ୍ଡାର ଶାସକଙ୍କୁ ମୁଗ୍‌ଧ କରି ତାଙ୍କ ମନ୍ତ୍ରୀ ହେଲେ । କିଛି ଦିନ ପରେ ଶାସକଙ୍କ ବିଷନେତ୍ରରେ ପଡ଼ି ପଳାଇଗଲାବେଳେ କୋହିଇନୂର୍‌ଟି କୌଣସି ପ୍ରକାରେ ହସ୍ତଗତ କରି ନେଇଗଲେ ଓ ଶାହାଜାହାନ୍‌ଙ୍କୁ ଭେଟି ଦେଲେ ।

 

ତା’ପରେ ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ହେଲା ନାଦିରଶାହାର ନାରକୀୟ ଅଭିଯାନ । ଦିଲ୍ଲୀର ପରାଜିତ ସମ୍ରାଟ ଏକା ପ୍ରାଣପ୍ରିୟ କୋହୀନୂରଟି ଛଡ଼ା ତାଙ୍କର ସବୁ ସମ୍ପତି ନାଦିରଶାହାକୁ ସମର୍ପି ଦେଇଥିଲେ । କୋହୀନୂରଟି ଲୁଚାଇ ରଖିଥିଲେ ନିଜ ମୁକୁଟ ଭିତରେ । କୂଟଜ୍ଞ ନାଦିରଶାହ ହଠାତ୍ ପ୍ରସ୍ତାବ ଦେଲା, ସୌହାର୍ଦ୍ୟର ନିଦର୍ଶନସ୍ଵରୂପ ଆମ ମୁକୁଟ ବଦଳାଇ ଦେବା ଚାଲ !” ଏତଦୂତ୍ତାରୁ ପ୍ରକାଶ୍ୟ ଦିବାଲୋକରେ ହତବାକ୍ ସମ୍ରାଟ ମୁଣ୍ଡରେ ନିଜର ଶସ୍ତା ପଗଡ଼ିଟି ଥୋଇଦେଇ କୋହୀନୁର୍ ସମ୍ବଳିତ ଅମୂଲ୍ୟ ମୁକୁଟଟି ଅପହରଣ କଲା ନାଦିରଶାହା । “କୋହ-ଇ-ନ୍‍ର” ବା ଆଲୋକର ପାହାଡ଼ ନାମଟି ନାଦିରଶାହ ଦ୍ଵାରା ପ୍ରଦତ୍ତ ।

 

କୋହୀନୂର୍ ସଂକ୍ରାନ୍ତୀୟ ପରବର୍ତ୍ତୀ ବ୍ୟାପାରମାନ ରକ୍ତପାତ ଓ ବିଶ୍ୱାସ ଘାତକତାର ଏକ ଘଟଣାପୁଞ୍ଜ । ନାଦିରଶାହ ତାର ଭ୍ରାତୃଷ୍ପୁତ୍ର ଆଲିହୋସେନ୍‌ର ଚକ୍ରାନ୍ତରେ ନିହତ ହେଲା । ଆଲିହୋସେନ୍‌କୁ ଗାଦିରୁ ହଟାଇ ତାର ପୌତ୍ର କ୍ଷମତା ଓ କୋହୀନୂର୍ ଦଖଲ କଲା । କୋହୀନୂର୍ ସଂଦର୍ଶନରେ କୃତାର୍ଥ ହୋଇଥିବା ଆଲିହୋସେନ୍‌ର ଆଖିଯୋଡ଼ିକୁ ତାର ଉତ୍ତରାଧିକାରୀ ଉତ୍‌ପାଟିତ କରିପକାଇଲା ।

 

ନୂଆ ରାଜା କୋହୀନୂରକୁ କିପରି ବହୁ ଲୋଲୁପଙ୍କ କବଳରୁ ରକ୍ଷା କରିବେ, ସେ ନେଇ ବହୁ ବିବ୍ରତ ହେବା ପରେ ଦୁରାଣୀବଂଶର ପ୍ରଥମ ରାଜା ଆହମଦ୍‌ଶାହଙ୍କୁ ତାହା ଦାନ କଲେ-। କିଛି ବର୍ଷ ପରେ ଆହମଦ୍‌ଶାହଙ୍କ ଦୁଇ ନାରୀ ଭିତରେ ଲାଗିଲା ସଂଘର୍ଷ । ଜଣେ ନାତି କୋହୀନୁର୍‍ଟି କାନ୍ଥ ସନ୍ଧିରେ ଲୁଚାଇ ପକାଇଥିଲେ । ବନ୍ଦୀ ହୋଇ ବହୁ ନିର୍ଯାତନା ସହି ମଧ୍ୟ ସେ ତାହାର ସନ୍ଧାନ ଦେଲେ ନାହିଁ । ଯାହାହେଉ, ଉକ୍ତ କାନ୍ଥ ଖନନ କରି ଆଫଗାନିସ୍ତାନର ଅମୀର ଶାହ ସୁଜା ସେ ଖଣ୍ଡି ହସ୍ତଗତ କଲେ । ପରେ ପରେ ଶାହ ସୁଜା ସେ ଖଣ୍ଡି ହସ୍ତଗତ କଲେ-। ପରେ ପରେ ଶାହସୁଜା ଦେହାନ୍‌ଜଦ୍ ଖାଁଙ୍କ ହାତରେ ବନ୍ଦୀ ହେଲେ । ରଣଜିତ୍ ସିଂହଙ୍କ ଶିଖ ସୈନ୍ୟବାହିନୀ ଅନ୍ୟମାନଙ୍କ ସହାୟତାରେ ଶାହ ସୁଜାଙ୍କୁ ମୁକ୍ତ କରନ୍ତେ ଶାହ ସୁଜାଙ୍କ ବେଗମ କୃତଜ୍ଞଚିତ୍ତରେ ରଣଜିତ୍ ସିଂହଙ୍କୁ କୋହୀନୂର୍ ପ୍ରଦାନ କଲେ ।

 

୧୮୪୯ ମସିହାରେ ପଞ୍ଜାବ ବ୍ରିଟିଶ୍ ଅଧୀକାରକୁ ଆସିଲା କୋହୀନୂର୍ ହୀରାକୁ ବିଶେଷ ଆଗ୍ରହସହକାରେ କରକବଳିତ କଲେ । ଲର୍ଡ ଡାଲହାଉସୀଙ୍କ ତଦ୍‍ବିରରେ ଏକ ବିଶେଷ ଆନୁଷ୍ଠାନରେ ତାହା ରାଣୀ ଭିକ୍‌ଟୋରିଆଙ୍କୁ ଉପହାର ଦିଆଗଲା ।

 

ଏକ ଦିଗରେ ଅସ୍ତ୍ରାଗାର—ଅନ୍ୟ ଦିଗରେ ଗନ୍ତାଘର, କ୍ଷମତା ବିସ୍ତାରର ଉପାୟ ଓ କ୍ଷମତାଭୋଗର ଐଶ୍ୱର୍ଯ୍ୟ ସମ୍ଭାର—ଏ ଉଭୟ ଦୃଶ୍ୟ ଆଜି ଟାୱାର୍‌ ଅବ୍ ଲଣ୍ଡନର ଯାଦୁଘରେ ସଂରକ୍ଷିତ ମାତ୍ର । ଆଜି ସାମ୍ରାଜ୍ୟ ନାହିଁ । ସାମ୍ରାଜ୍ୟର ଏଇ ସଂକ୍ଷିପ୍ତ ଇତିହାସର ସ୍ଥୂଳ ନିଷ୍ପ୍ରାଣ ଦୃଶ୍ୟ–ଅସ୍ତ୍ର ଓ ଐଶ୍ୱର୍ଯ୍ୟର ସମାହାର ଟାୱାର ଅବ୍ ଲଣ୍ଡନ ।

Image

 

ପରିଚ୍ଛେଦ : ପାଞ୍ଚ

“ଲଣ୍ଡନ ସେତୁ ଭାଜି ତ ଗଲାଣି ସଖୀ ରେ !”

 

ଲଣ୍ଡନରେ ପହଞ୍ଚିବା ଦିନ କଥା । ହିଥ୍ରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇଲା ବେଳକୁ ଗତି ପ୍ରାୟ ସାଢ଼େ ନଅଟା । ଦୁଇଜଣ ବନ୍ଧୁ ଅପେକ୍ଷା କରିଥିଲେ । ସେମାନଙ୍କ ସହ କାର୍‌ରେ ମହାନଗରୀ ଅଭିମୁଖେ ଚାଲିଲି ।

ରାତି ଠିକ୍; କିନ୍ତୁ ଭାରତର ଗୋଧୂଳି ସମତୁଲ ଆଲୋକରେ ଚତୁର୍ଦ୍ଦିଗ ଉଜ୍ଜ୍ୱଳ । ଜନବିରଳ ପ୍ରାନ୍ତର ପରିବେଶ ଅତିକ୍ରମ କରି ସହର ଭିତରେ ପ୍ରବେଶ କରିବା ବେଳକୁ ଯାଇ ଗତି ଅନୁଭୂତ ହେଲା ।

ସେତେବେଳକୁ ରାତି ସାଢ଼େ ଦଶ । ମୁହୂର୍ତ୍ତକ ପାଇଁ ଭ୍ରମରେ ପଡ଼ିଥିଲି । ବିଖ୍ୟାତ ଅକ୍‌ସଫୋର୍ଡ ଷ୍ଟ୍ରିଟ ନିସ୍ତବ୍‌ଧ; କିନ୍ତୁ ଆଲୋକିତ ବିପଣୀମାନଙ୍କ ଭିତରେ ବହୁ ସୁଶୃଙ୍ଖଳ ନରନାରୀଙ୍କର ଭିଡ଼ । ପରେ ପରେ ବୁଝିଗଲି, ସେମାନେ ଜୀବନ୍ତ ନରନାରୀ ନୁହନ୍ତି; ସେମାନଙ୍କ ଡାମି (Dummy) । ମୂର୍ତ୍ତିମାନଙ୍କୁ ନାନାବିଧ ପୋଷାକ ପିନ୍ଧାଇ ପଥଚାରୀ ଜନତାଙ୍କୁ ବୁଝାଇ ଦିଆଯାଉଛି, ଏଇ ପୋଷାକ ପିନ୍ଧିଲେ ତୁମେ ବି ଏମିତି ସ୍ମାର୍ଟ ଓ ସୁନ୍ଦର ଦେଖାଯିବ । ଜନତା ଆରାମରେ ପ୍ରତାରିତ ହୁଅନ୍ତି । ପ୍ରତାରିତ ହୁଅନ୍ତି କହିବାର ତାତ୍ପର୍ଯ୍ୟ : ମୂର୍ତ୍ତିକୁ ଆବୋରିଥିବା ପୋଷାକ ଯେ କେବଳ ମୂର୍ତ୍ତି ଅନୁସାରେ ମାପଚୁପ୍ ହୋଇ ତିଆରି ହୋଇଛି । ତ୍ରେଜା ମହୋଦୟ ସିନା କନାଟି କିଣି ତାକୁ ନିଜ କଳେବର ଅନୁସାରେ କଟାକଟି କରିବେ, ନିଜ କଳେବରଟିମାନ ଯେ ଅଧିକାଂଶ କ୍ଷେତ୍ରରେ ସୋନ୍ଦର୍ଯ୍ୟର ମାନଦଣ୍ଡରେ ପ୍ରସ୍ତୁତ ନୁହେଁ, ସେକଥା କ୍ଵଚିତ କେହି ମନେରଖନ୍ତି ।

ଡମି–ଧର୍ମୀ ଆଧୁନିକ ମାନବ ।

ବିଜ୍ଞାପନ-ସର୍ବସ୍ଵ ବ୍ୟବସାୟ-ଜଗତ ଆମକୁ ନାନା ଅଜବ କଥା କହି କହି, ଶୁଣାଇ ଶୁଣାଇ, ବିଶ୍ୱାସ କରିବାକୁ ଶିଖାଇ ଦେଇଛି । ଏ ଲେଖା ଲେଖିବା ବେଳେ ସାମ୍‌ନାରେ ପଡ଼ିଥିବା ଖଣ୍ଡିଏ ଇଂରାଜୀ କାଗଜରେ ଏକ ବିରାଟ ବିଜ୍ଞାପନ ଦେଖିଛି । ଜଣେ ହା-ହୃତାଶମୟୀ ରମଣୀ ଜଣେ ଉଦ୍ଧତ-ଦର୍ଶନ ଯୁବା ଆଡ଼କୁ ଅନାଇ ରହିଛନ୍ତି । ବିଜ୍ଞାପନ ଭାଷା ଅନୁସାରେ ରମଣିଙ୍କ ହୃଦୟ କୁଣ୍ଡାଇ (itching) ହେଉଛି—ଚାଲିଯାଉଥିବା ଯୁବକଟି ଉଦ୍ଦେଶ୍ୟରେ, ଯେହେତୁ ଯୁବକଟି ଅମୁକ କମ୍ପାନୀର ସ୍ୟୁଟ୍ ପିନ୍ଧିଛନ୍ତି ।

ଅଗଣନ ବିଜ୍ଞାପନର ଏହାହିଁ ମୋଟାମୋଟି ନିତ୍ୟନୈମିତ୍ତିକ ଭାଷା ଓ ବକ୍ତବ୍ୟ । ପୁରୁଷ-ଜୀବନର ଏକମାତ୍ର ଆଭିମୁଖ୍ୟ ହେଲା ନାରୀ-ହୃଦୟ ଜର୍ଜରଣ । ନାନାଦି ଉପାୟରେ ତାହା ସମ୍ଭବପର—ଅମୁକ ବ୍ଲେଡ଼୍, ଅମୂକ ଟୁଥବ୍ରାଶ, ଅମୁକ ଜୋତା, ଅମୁକ ଜୋତା-ପାଲିଶ୍‍ ବ୍ୟବହାର ଦ୍ଵାରା । ନାରୀ-ଜୀବନର ଏକମାତ୍ର ଆଭିମୁଖ୍ୟ ହେଲା ନିଜକୁ ବିକଳଭାବରେ—ଅଥବା ବିକଟ ମାତ୍ରାରେ ଲୋଭନୀୟ କରି ତୋଳିବା । ଆଧୁନିକ ବିଜ୍ଞାପନ-ଜଗତ ଆମକୁ ଏଇ ମହାନ୍ ଜୀବନ-ଦର୍ଶନରେ ସମୃଦ୍ଧ କରିଛି ।

 

ଏବଂ ମଜା କଥା ହେଲା, ଏମାନଙ୍କ ବିଚକ୍ଷଣ ପ୍ରଚେଷ୍ଟାର ଧୀରେ ଧୀରେ ଏକ ମିଥ୍ୟା ନିର୍ଭରତାର ସୃଷ୍ଟି ହୋଇଛି । ଏକ ପଣ୍ୟ-ମୁଖୀ ନିର୍ଭରତା । ଆତ୍ମ-ବିଶ୍ୱାସ ସ୍ତିମିତ ହୋଇଛି । ତା’ର ସ୍ଥାନ ନେଇଛି ସ୍ଥୂଳ ପ୍ରତିଶ୍ରୁତି ଉପରେ ନିର୍ଭରତା—ଯେଉଁ ପ୍ରତିଶ୍ରୁତିର ଉତ୍ସ ସ୍ଵାର୍ଥ-ନିଷ୍ଟ ବ୍ୟବସାୟ ।

 

ଆତ୍ମ-ବିଶ୍ଵାସର ବିଲୁପ୍ତି ସଙ୍ଗେ ସଙ୍ଗେ ନିସ୍ତେଜ ହୋଇଛି ବ୍ୟବହାରରେ ସମବୋଧ । ଚତୁର୍ଦ୍ଦିଗରେ ମଣିଷ ତିଆରି କରିଛି ରୁଗ୍‌ଣ ପରିବେଶ, ଏବଂ ନିର୍ବିକାରଭାବରେ ତାକୁ ସହ୍ୟ କରିଚାଲିଛି ।

 

ସୁସଜ୍ଜିତ ଟୋଟେନ୍‌ହାମ୍ କୋର୍ଟ ରୋଡ଼୍‌ର ଫୁଟ୍‌ପାଥରେ ବାଟ ଚାଲୁଥିଲି । ମୋ ଆଗେ ଆଗେ ଅଣ୍ଟା ଭିଡ଼ାଭିଡ଼ି ହୋଇ ଚାଲିଥିଲେ ମଧ୍ୟବୟସୀ ଦମ୍ପତିଟିଏ । ସେମାନଙ୍କ ଅତି ସାନ ପୁଅଝିଅ ଯୋଡ଼ିଏ ହାତ ଧରାଧରି ହୋଇ ସେମାନଙ୍କ ଅନୁସରଣ କରିଥିଲେ । (ସେମାନେ ଦମ୍ପତି ଓ ଏମାନେ ତାଙ୍କ ପୁଅଝିଅ, ଏଇଟା ଚେହେରାଗତ ସାମଞ୍ଜସ୍ୟରୁ ଅନୁମାନ ।)

 

ଏକ ଲୋଭନୀୟ ସିନେମା ଘର ଆଗରେ ପୁଅଝିଅ ଦୁଇଟି ଛିଡ଼ାହୋଇ ପଡ଼ିଲେ । ଦଶ ବାର ଗଜ ଉଚ୍ଚ ଏକ ବିରାଟ ନାରିଚିତ୍ର ଝୁଲାଇ ରଖାଯାଇଛି—ସମ୍ପୂର୍ଣ୍ଣ ଉଲଗ୍ନ ।

 

ଝିଅଟି ଭାଇଠାରୁ ସାନ । ଛବିଆଡ଼କୁ ଅନାଇ ହସିପକାଇ ଦରୋଟି କଣ୍ଠରେ କହିଲା, “ଉଃ, ତା’ର ପିନ୍ଧିବାକୁ ମୋଟେ ଲୁଗା ନାହିଁ ! ଇଣ୍ଡିଆନ ଲେଡି ।”

 

ବଡ଼ଭାଇ ଗମ୍ଭୀର ଭାବରେ ତା’ ମୁଣ୍ଡ ଥାପୁଡ଼ାଇ କହିଲା, “ହୁଟ୍—ସିଏ ଇଂଲିଶ୍ !”

 

“ନା, ଇଣ୍ଡିଆନ୍‌ । ଇଣ୍ଡିଆନ୍‌ମାନଙ୍କର ପିନ୍ଧିବାକୁ ନ ଥାଏ, ଖାଇବାକୁ ନଥାଏ ।” ଝିଅ କହିଲା ।

 

“ବୁଦ୍ଦ ଅଛୁ । ସିଏ ଇଂଲିଶ !” ପୁଅ କହିଲା ।

 

ଝିଅଟି ଚିତ୍ରସ୍ଥ ମହିଳାଙ୍କ ଜାତୀୟତା ଉପରେ ଆଉ ଯୁକ୍ତି ନ କରି କ୍ଷୋଭ ସହକାରେ ଆଉ ଥରେ କେବଳ କହିଲା, “ତା’ର ଟିକିଏ ବି ଲୁଗା ନାହିଁ ।”

 

“ବୁଦ୍ଦୁ ! ଲୁଗା ଅଛି, ବହୁତ ଅଛି । ସେ ଜାଣି ଜାଣି ପିନ୍ଧିନାହିଁ । ତୁ ବୁଝିପାରିବୁ ନାହିଁ; ବଡ଼ ହେଲେ ବୁଝିବୁ ।”

 

ଉତ୍କର୍ଣ୍ଣ ହୋଇ ସେମାନଙ୍କ କଥାବାର୍ତ୍ତା ଶୁଣୁ ଶୁଣୁ ସେମାନଙ୍କ ଆଗକୁ ଚାଲିଆସିଥିଲି । କଣେଇ ଚାହିଁ ଦେଖିଲି, ଝିଅଟି ଆଖିରୁ ସହାନୁଭୂତି ଓ ସରଳତା ଅପସରିଗଲା; ଉକୁଟି ଉଠିଲା ଏକପ୍ରକାର ବିଷଣ୍ଣ ସନ୍ଦେହ ।

 

ମା’ ପଛକୁ ହଟିଆସି ପିଲା ଦୁହିଁଙ୍କୁ ଭିଡ଼ିନେଲେ ।

 

ଝିଅଟିର ସେଇ ଅପସୃତ ସରଳତା ହୁଏତ ତା’ ଜୀବନରେ ଆଉ ଫେରିବ ନାହିଁ ।

 

ଇଂରାଜୀ ‘ଧୋରେ ବାୟା’ (Lullaby) ଗୀତରେ କେଉଁ ଅତୀତରେ କେଉଁ ଅଜ୍ଞାତ କବି ବୋଲିଥିଲେ, “ଲଣ୍ଡନ ସେତୁ ଭାଜି ତ ଗଲାଣି, ସଖିରେ !” (“London bridge is broken down my fair lady ।”) ସେବଠାରୁ ଆଜିଯାଏ ଲଣ୍ଡନ ସେତୁକୁ ଏକ ପ୍ରତୀକଭାବରେ ଦେଖି ଓ ଦେଖାଇଆସିଥିଲେ ଇଂଲଣ୍ଡର ଜନସାଧାରଣ—ଐତିହାସିକ ଆଭିଜାତ୍ୟର ପ୍ରତୀକ । ଏ ଯୁଗର ବିଦଗ୍‌ଧ କବି ଟି. ଏସ୍. ଏଲିଅଟ୍‌ଙ୍କ କବିତାରେ ଲଣ୍ଡନ ସେତୁ ପୁଣି ହୋଇଉଠିଲା ଆଜିର ସଭ୍ୟତା ଓ ମଣିଷର ପ୍ରତ୍ୟୟର ପ୍ରତୀକ—ଯେଉଁ ସଭ୍ୟତା ଓ ମଣିଷର ପ୍ରତ୍ୟୟ ଭାଙ୍ଗି ଭାଙ୍ଗି ଯାଉଛି । ଅତଏବ ସିଏ ଲେଖିଲେ, “London bridge in falling down, falling down, falling down.”

ହୁଏତ କବିଙ୍କ ମନଭିତରେ ଥିବ, ଏମିତି ଧାଡ଼ିଟିଏ ପଢ଼ି ଲୋକେ ଚମକିଯିବେ । ଲଣ୍ଡନ ସେତୁ ଭଳି ଶକ୍ତ, ବିଶାଳ ଐତିହାସିକ ସେତୁ ପୁଣି ପଡ଼ିଯାଇପାରେ ? କବିଙ୍କର ବିଶ୍ୱାସ ଥିବ—ଏ ଧାଡ଼ିଟି କେବେ ବି ଆକ୍ଷରିକ ଅର୍ଥରେ ସତ୍ୟ ହେବ ନାହିଁ । ମୋର ଦୃଢ଼ ଧାରଣା, କବି ଆଜି ବଞ୍ଚିଥିଲେ ବଡ଼ ଲଜ୍ଜିତ ହୋଇଥାନ୍ତେ ।

ଆଜି ଏଲିଅଟ୍‌ଙ୍କ ଧାଡ଼ିର ଲାଳିକା କରାଯାଇପାରେ : “London bridge in sold away, sold away, sold away !”

ଲଣ୍ଡନ ସେତୁକୁ ସରକାର ଖସାଇ ପକାଉଛନ୍ତି । ହୁଏତ ତା’ର ପ୍ରୟୋଜନ ଥିଲା; କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ଏଇ ଐତିହାସିକ ସେତୁକୁ କିଣିନେଉଛନ୍ତି ଆମେରିକାର ଜନୈକ ଧନପତି । ଯେଉଁ ସେତୁ ସହିତ ଏତେ ଜ୍ଞାତ-ଅଜ୍ଞାତ କବିଙ୍କ ଆବେଗ ଜଡ଼ିତ, ସେ ସେତୁକୁ ବିକ୍ରି କରିଦେଇପାରେ ଏକ ମହାଜାତି ?

ଇଂରେଜ ଆବେଗ-କେନ୍ଦ୍ରିକ ଜାତି ନୁହେଁ ।

କିନ୍ତୁ ମାର୍କିନ୍‌ ଧନପତିଜଣକ ସେ ବିଶାଳ ସେତୁକୁ ନେଇ ବା କରିବେ କଣ ? ସାଇତି ରଖିବେ ନିଜ ସଉକ୍ ମେଣ୍ଟାଇବା ପାଇଁ । ଅତୀତର ଶତ ଶତ ‘ରାଜଦ୍ରୋହୀ’ଙ୍କ ଛିନ୍ନଶିର-ସ୍ମୃତି-ବିଜଡ଼ିତ ଲଣ୍ଡନ ସେତୁ । ବିତ୍ତର ପ୍ରାବଲ୍ୟ ସହିତ ନିତ୍ୟ ନୂତନ ସଉକର ଜନ୍ମ ହୁଏ । ଲଣ୍ଡନ-ସେତୁ କ୍ରୟ ସେଇ ସଉକର ଶେଷ ଦୌଡ଼ ।

ସେତୁ ଖୋଲାଚାଲିଥାଏ । ଟେମସ୍ ନଦୀ କୂଳରେ ଛିଡ଼ା ହୋଇ ସେ ଦୃଶ୍ୟ ଦେଖୁଥିଲି-। ଦିନକର କାମ ଶେଷ ହେଲାଣି । ନିସ୍ତବ୍‌ଧ ସେତୁ ଓ ନଦୀ । ସୂର୍ଯ୍ୟାସ୍ତ ସମୟ । ଘନ କୁହୁଡ଼ି ଘୋଟିଆସୁଛି ।

“ନିଜର ଏଡ଼େ ବଡ଼ ଐତିହାସିକ ସମ୍ପତ୍ତିକୁ ଇଂରେଜମାନେ ବିକି ଦେଉଛନ୍ତି ! ପକ୍‌କା ବଣିକ ଜାତି !” ମନ୍ତବ୍ୟ ଦେଇଥିଲେ ଜଣେ ଅଣ-ଇଂରେଜ୍‌ ପାଶ୍ଚାତ୍ୟବାସୀ । ହଠାତ୍ ଏ ଲେଖକ ପ୍ରତି-ମନ୍ତବ୍ୟ ଦେଲା : “ଦେଖନ୍ତୁ, ଆମେରିକାନ୍‌ମାନଙ୍କ ଆଦିମ ମାତୃଭୂମି ଏଇ ଇଂଲଣ୍ଡ । ଯଦି ନିଜ ଐତିହ୍ୟର ଗୋଟିଏ ନମୁନା ଜଣେ କିଣିବାକୁ ଚାହେଁ ଓ ଇଂରେଜମାନେ ପ୍ରବାସୀ ଭାଇକୁ ସେଟା ବିକିଦେବାକୁ ରାଜି ହୁଅନ୍ତି, ସେଥିରେ ଖରାପ କଣ ହେଲା !”

“ଠିକ୍, ଏହା ବି ଗୋଟାଏ ଦିଗ !” ଭଦ୍ରଲୋକ ହତୋତ୍ସାହ ହୋଇ କହିଗଲେ ।

ନିଜେ ଆଶ୍ଚର୍ଯ୍ୟ ହେଲି ଇଂରେଜ ତରଫରୁ ଏତକ ଓକାଲତି କରି । ଭୂତପୂର୍ବ ଶାସକ ଜାତି ପ୍ରତି ଅବଚେତନ . ମମତା ? ବିଚିତ୍ର ଏ ମନ !

“Sweet Thames ! Run softly, till I end my song,” ବୋଲିଥିଲେ ଷୋଡ଼ଶ ଶତାବ୍ଦୀର କବି ସ୍ପେନ୍‌ସର୍ । କେତେ ସଙ୍ଗୀତ ଶେଷ ହେଲାଣି । ଶେଷ ହୋଇଛି ଆଜି ସନ୍ଧ୍ୟାରେ ସଙ୍ଗୀତ ମଧ୍ୟ । ତେବେ ସେସବୁ ସ୍ପେନ୍‌ସର୍‌ଙ୍କ ମଧୁର ଲଳିତ ଗୀତ ନୁହେଁ, ଟେମ୍‌ସ କୂଳବର୍ତ୍ତୀ, ରେସ୍ତୋରାଁମାନଙ୍କ ଭିତରେ ଓ ବାହାରେ ଉଦ୍ଦାମ ଆଧୁନିକ ସଙ୍ଗୀତ—ମାଦକ-ପାନୀୟ ସ୍ପୂର୍ତ୍ତ କିଛି କିଛି ଖଣ୍ଡିଆ ନୃତ୍ୟ ସହିତ ।

ଗ୍ରୀଷ୍ମ-ସନ୍ଧ୍ୟା । ଯେଉଁ ଗ୍ରୀଷ୍ମ-ସନ୍ଧ୍ୟାର ଅବସାନ ଅନ୍ତେ ଟେମସ୍‌କୁ ଲକ୍ଷ୍ୟ କରି ଏଲିଅଟ୍ ଲେଖିଥିଲେ :

 

ଗ୍ରୀଷ୍ମ ରଜନୀର ଆମୋଦର ସାକ୍ଷ୍ୟ—

ଖାଲି ବୋତଲ୍‌, ସ୍ୟାଣ୍ଡଉଇଚ୍‌ କାଗଜ

ସିଲ୍‍କ ରୁମାଲ୍, କାଗଜ ବାକ୍‌ସ, ଖଣ୍ଡିଆ ସିଗାରେଟ୍

ଇତ୍ୟାଦି ଆଉ ଭାସୁନାହିଁ—ପରୀମାନେ

ଘରକୁ ଫେରିଲେଣି ।

 

(ୱେଷ୍ଟ ଲ୍ୟାଣ୍ଡ)

 

ଅର୍ଥାତ୍ ବିତ୍ତବାନ୍ ତରୁଣମାନଙ୍କୁ ସାହଚର୍ଯ୍ୟ ଦେଇସାରି, ନଈକୂଳରେ ମଦ୍ୟ ଖାଦ୍ୟ ସହଯୋଗେ ରଜନୀର ପ୍ରଥମାଂଶ ବିତାଇ ବିଳାସିନୀଗଣ ଚାଲିଗଲେଣି ।

 

ସବୁ ଆବର୍ଜନା ଟେମସ୍ ଭସାଇନେଇଯାଇଛି ।

Image

 

ପରିଚ୍ଛେଦ : ଛଅ

‘ଗୀତାଞ୍ଜଳିରୁ ଛତା ପର୍ଯ୍ୟନ୍ତ

 

୧୯୧୨ ମସିହାର ଏକ ମଧ୍ୟାହ୍ନରେ ଲଣ୍ଡନ୍‌ର ଭୂଗର୍ଭ ଟ୍ରେନ୍‌ଯୋଗେ ଚାରିଂକ୍ରସ୍‌ ଷ୍ଟେସନ୍‌ରୁ ବ୍ଲୁମ୍‌ସବାରି ଅଭିମୁଖେ ଯାଉଥିଲେ ଦୁଇଜଣ ଭାରତୀୟ; ପିତା ଓ ପୁତ୍ର । ମୋର ଯେତେଦୂର ମନେହୁଏ, ବ୍ଲୁମସ୍‌ବାରି ଯିବାକୁ ହେଲେ ଟୋଟେନ୍‌ହାମ୍‌ କୋର୍ଟ ରୋଡ୍‍ ଷ୍ଟେସନରେ ଭୂଗର୍ଭରୁ ବାହାରିବାକୁ ପଡ଼େ । ସେଇଠି ଓହ୍ଲାଇ ସେମାନେ ବ୍ଲୁମସ୍‌ବାରି ହୋଟେଲକୁ ଯାଇଥିଲେ ।

 

ପରଦିନ ପିତା ତାଙ୍କର ଗୋଟାଏ ସୁଟ୍‌କେଶ୍ ଖୋଜିଲେ । ବିଚଳିତ ପୁତ୍ରଙ୍କର ମନେପଡ଼ିଲା, ଗତ କାଲି ଭୂଗର୍ଭ-ଟ୍ରେନ୍‌ରୁ ବାହାରିବା ବେଳେ ଆଉ ସବୁ ଜିନିଷ ଆସିଛି—ସୁଟକେଶଟି ଛଡ଼ା ।

 

ସେ ଧଇଁସଇଁ ହୋଇ ଦୌଡ଼ିଲେ ହୃତସମ୍ପଦ (left luggage) ଅଫିସକୁ । ସୁଟ୍‌କେଶ୍‌ଟି ଯଥାରୀତି ସେଠାରେ ମହଜୁଦ୍‌ ଥିଲା ।

 

ପୁତ୍ରଙ୍କର ପୁଲକ କହିଲେ ନ ସରେ । ପରବର୍ତ୍ତୀ କାଳରେ ସେ ପୁଲକର ମାତ୍ରା ଆହୁରି ବହୁଗୁଣ ବଢ଼ିବାର ହେତୁ ଥିଲା; ସେଇ ସୁଟକେଶରେ ଥିଲା ‘ଗୀତାଞ୍ଜଳି’ର ଇଂରାଜୀ ଅନୁବାଦର ପାଣ୍ଡୁଲିପି । କହିବା ବାହୁଲ୍ୟ, ପିତା-ପୁତ୍ର ହେଲେ ରବୀନ୍ଦ୍ର ନାଥ ଓ ରଥୀନ୍ଦ୍ର ନାଥ । ସେହି ଅଭିଯାନରେ ରବୀନ୍ଦ୍ରନାଥଙ୍କ କବିପ୍ରତିଭା ସହିତ ଲଣ୍ଡନର ବିଦଗ୍‌ଧ ସମାଜର ପରିଚୟ ଘଟିଲା । ଡବ୍ଲ୍ୟୁ ବି. ୟେଟ୍‌ସ୍‌ଙ୍କ ସୁଲଳିତ କଣ୍ଠରେ ‘ଗୀତାଞ୍ଜଳି’ର ଆବୃତ୍ତି ଶୁଣିଲେ ଏଜ୍‌ରା ପାଉଣ୍ଡ ପ୍ରମୁଖ କବିମାନେ । କିଛି ବର୍ଷ ପରେ ‘ଗୀତାଞ୍ଜଳି’ ନୋବେଲ୍‌ ପୁରସ୍କାର ଅର୍ଜନ କଲା ।

 

ରଥୀନ୍ଦ୍ରନାଥଙ୍କ ଲିଖିତ ପିତା ରବୀନ୍ଦ୍ରନାଥଙ୍କ ଏକ ଜୀବନୀ ଅଛି । ନାମ “On the Edges of Times” । ରବୀନ୍ଦ୍ରନାଥଙ୍କ ଜୀବନର ଏଇ ଅନ୍ତରଙ୍ଗ ବିବରଣୀ କଥା ଏପର୍ଯ୍ୟନ୍ତ ଖୁବ୍ କମ୍ ଲୋକ ଜାଣନ୍ତି ବୋଲି ମୋର ଧାରଣା; କାରଣ ବହିଟିର ପ୍ରଥମ ସଂସ୍କରଣ ସରିନାହିଁ ।

 

ରବୀନ୍ଦ୍ର ନାଥ ଲେଖିଛନ୍ତି—“ସେଦିନ ଯଦି ମୋ ଅବହେଳାରୁ ‘ଗୀତାଞ୍ଜଳି’ ପାଣ୍ଡୁଲିପି ଚିରଦିନ ପାଇଁ ହଜିଯାଇଥାନ୍ତା, ତେବେ ଘଟଣାସ୍ରୋତ କି ପଥରେ ପ୍ରବାହିତ ହୋଇଥାନ୍ତା, ଅନେକ ସମୟରେ ସେକଥା ମୁଁ ଚିନ୍ତାକରେ ।”

 

ପଞ୍ଚାଶ ବର୍ଷ ତଳେ ଲଣ୍ଡନରେ ସେଭଳିଭାବରେ ସୁଟକେଶ୍‌ଟିଏ ହଜିବା ସହଜ ନଥିଲା-। ଇଂରେଜ୍‌ମାନଙ୍କ ସାମାଜିକ ସାଧତା ସମ୍ପର୍କରେ ପୁରୁଣା ଭ୍ରମଣ କାହାଣୀମାନଙ୍କରେ ବହୁ ଦୃଷ୍ଟାନ୍ତ ରହିଛି । ସେସବୁ ମୋଟାମୋଟି ସତ୍ୟ ।

 

ପଞ୍ଚାଶ ବର୍ଷ ପରେ ଠିକ୍ ସେହି ପଥରେ ମୁଁ ଯାଉଥିଲି । ଚାରିଂକ୍ରସ୍ ଓ ଟୋଟେନ୍‌ହାମ୍ କୋର୍ଟ ରୋଡ୍‍ ମଧ୍ୟବର୍ତ୍ତୀ ୱାରେନ୍‌ଷ୍ଟ୍ରିଟ୍ ଷ୍ଟେସନରେ ଭୂଗର୍ଭ ଟ୍ରେନ୍‌ରୁ ଓହ୍ଲାଇବାବେଳେ ମୋ ଡବାରେ ବସିଥିବା ଆଉ ଜଣେ ମାତ୍ର ଯାତ୍ରୀ—ଜଣେ ମହିଳା—ମୋ ଆଡ଼କୁ ହଠାତ୍ ବିସ୍ମୟ ତଥା ହର୍ଷଭରେ ଦୃଷ୍ଟିପାତ କରିବାର ମୁଁ ଲକ୍ଷ୍ୟ କରିଥିଲି । ତେବେ ସେ ବିଷୟରେ କାହିଁକି ବା କୌତୁହଳୀ ହୋଇଥାନ୍ତି !

 

ଉପରକୁ ଆସିବାମାତ୍ରେ, ମୃଦୁ ବାରିପାତ ଶବ୍ଦରେ ମନେପଡ଼ିଲା, ଛତାଟି ଡବା ଭିତରେ ପାଖରେ ଥୋଇଥିଲି; ଛାଡ଼ିଆସିଛି ।

 

ଛତା ଛାଡ଼ିବା ଏମିତି କିଛି ଅପ୍ରତ୍ୟାଶିତ ବିୟୋଗାନ୍ତକ ଘଟଣା ନୁହେଁ । ବିଶେଷତଃ ମୋଭଳି ଦୁର୍ବଳ-ସ୍ମୃତି ବ୍ୟକ୍ତିମାନେ ଛତା ଭୁଲିବାର ଦୁଃଖ ଯେ କୌଣସି ମୁହୁର୍ତ୍ତରେ ଅଙ୍ଗେ ନିଭେଇବାକୁ ପ୍ରସ୍ତୁତ ଥିବା ସ୍ଵାଭାବିକ । (ବାସ୍ତବିକ୍ ଭୁଲାମନ ସହିତ ଛତାର ସଂପର୍କ ଅବିଚ୍ଛେଦ୍ୟ । ଜନୈକ ଭୁଲାମନ ଅଧ୍ୟାପକଙ୍କ କାହାଣୀ ଶୁଣିଥିବେ ହୁଏତ : ସେ ବନ୍ଧୁଙ୍କୁ କହିଲେ, ‘ଛତାଟି କେଉଁଠି ଭୁଲରେ ଛାଡ଼ିଆସିଛି ।’ ବନ୍ଧୁ କହିଲେ, ‘ଛାଡ଼ିଆସିଛ ବୋଲି ଏତିକି ମନେ ରଖିପାରିଲ କିମିତି ?’ ଅଧ୍ୟାପକ ଉତ୍ତର ଦେଲେ, ‘ମନେ ନ ଥିଲା । ବର୍ଷାରେ ଆସୁଥିଲି । ବର୍ଷା ପରେ ଯେତେବେଳେ ଛତା ବନ୍ଦ କରିବାକୁ ବାହାରିଲି, ସେତେବେଳେ ଯାଇ ଜାଣିଲି ଛତା ହଜାଇସାରିଛି-।’)

 

ତେବେ ମୋର ହୃତ ଛତାଟିର ଆବେଗଗତ ମୂଲ୍ୟ କିଛି ଥିଲା । ବମ୍ବେ ଛାଡ଼ିବାବେଳେ ମୋର ଅଗ୍ରଜପ୍ରତିମ ବନ୍ଧୁ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେଆରମ୍ୟାନ୍ ଶ୍ରୀ ଆର୍. କେ. ତଲୱାର୍‌ ସେଇ ମୂଲ୍ୟବାନ୍‌ ବିଦେଶୀ ବସ୍ତୁଟି ଉପହାର ଦେଇଥିଲେ । ନିର୍ଦ୍ଦିଷ୍ଟ ପ୍ରଣାଳୀରେ ମୋଡ଼ିଦେଲେ ଛତାଟି ପାନଡ଼ବାଟିଏ ଭଳି ହୋଇ ଓଭର୍‌କୋଟ୍‌ ପକେଟରେ ରହିଯାଉଥିଲା ।

 

ଆଶା ଥିଲା—ହୁଏତ ହୃତ୍ ବସ୍ତୁଟି ଉପରୋକ୍ତ ଅଫିସରୁ ମିଳିବ—ବହୁ-ବିଦିତ ସାମାଜିକ ସାଧୁତା ସମ୍ପର୍କରେ ବ୍ୟକ୍ତିଗତ ପ୍ରମାଣ ପାଇବି ।

 

କିନ୍ତୁ ମିଳିଲା ନାହିଁ । ମହିଳାଙ୍କ ବିସ୍ମୟ ଓ ପୁଲକସୂଚକ ଦୃଷ୍ଟିର ଅର୍ଥ ସ୍ପଷ୍ଟ ହୋଇଗଲା ।

 

ତେବେ ଏ ସାମାନ୍ୟ ଘଟଣାକୁ ବ୍ରିଟିଶ୍ ଜାତିର ଚରିତ୍ରରେ ପୂର୍ବ ତୁଳନାରେ ପତନର ସୂଚନା ବୋଲି କେହି ଗ୍ରହଣ କରିବା ଉଚିତ୍ ନୁହେଁ । ମୋ ଛତାଟି ମହିଳା ଯାତ୍ରୀ ଜଣକ ବ୍ୟବହାର ପାଇଁ ରଖିନେଲେ ଠିକ୍, ତେବେ ହୃତ-ସମ୍ପଦ ଅଫିସକୁ ଯାଇ ସେଠାରେ ଛତାର ଅରଣ୍ୟ ଦେଖି ଆଚମ୍ବିତ ହୋଇଥିଲି । ଲଣ୍ଡନରେ ଏତେ ଭୁଲା-ମନ ଲୋକ ଅଛନ୍ତି ! ପୁଣି, ସାଧୁ ବି ଏତେ ଅଛନ୍ତି–ଛତାଟିମାନ ପାଇ ଶ୍ରମ ସ୍ଵୀକାର କରି ଅଫିସରେ ଆଣି ଜମା ଦେଇଯାଇଛନ୍ତି !

 

ଅବଶ୍ୟ ସାମାଜିକ ସାଧୁତାର ଡିଗ୍ରୀ ଯେ କିଛି ମାତ୍ରାରେ ତଳକୁ ଖସିଛି, ସେଥିରେ ସନ୍ଦେହ ନାହିଁ । ‘ଗୀତାଞ୍ଜଳି’ଠୁଁ ମୋ ଛତା ଭିତରେ ଦୁଇ ଦୁଇଟା ମହାଯୁଦ୍ଧ ସଂଘଟିତ ହୋଇଯାଇଛି, ଯେତେ ହେଲେ ! ତେବେ ଆପଣ ଯଦି କୌଣସି ପୁରୁଖା ଇଂରେଜଙ୍କୁ ଏ ବିଷୟରେ ପ୍ରଶ୍ନ କରିବେ, ସେ ଦୀର୍ଘ ନିଶ୍ଵାସ ଛାଡ଼ି କହିବେ, “କିଛି ମନେ କରିବେ ନାହିଁ । ଏ ଅସାଧୁତା ବିଦେଶୀମାନେ ଆମଦାନି କରିଛନ୍ତି ।”

 

ବିଦେଶୀ ବୋଇଲେ ସେମାନେ ଅବଶ୍ୟ କଲା, ଶ୍ୟାମଳ ଓ ଧଳା—ସବୁ କିସମର ବିଦେଶୀଙ୍କୁ ବୁଝାନ୍ତି । ତେବେ ମୁଖ୍ୟତଃ କ୍ରୋଧର ଉଦ୍ଦାମତା କଳା ଓ ଶ୍ୟାମଳମାନଙ୍କ ଉଦ୍ଦେଶ୍ୟରେ ହିଁ ଧାବିତ ହୋଇଥାଏ ।

 

ବ୍ୟବହାର ଓ ଜୀବନଧାରଣ ପ୍ରଣାଳୀରେ ଅତ୍ୟନ୍ତ ଗର୍ହିତ ଦୃଷ୍ଟାନ୍ତ ସୃଷ୍ଟି କରୁଥିବା ଅଣ-ଇଂରେଜ ଜାତି ଲଣ୍ଡନରେ ବ୍ରିଟିଶ୍ ନାଗରିକ ବନି ରହିଛନ୍ତି । ସେମାନଙ୍କୁ କିନ୍ତୁ ଇଂରେଜମାନେ ଜାତୀୟ ବୈଚିତ୍ର୍ୟର ଏକ ଅଂଶ ଭାବରେ ସହ୍ୟ କରି ନେଇଛନ୍ତି । ବହୁ କାରଣରୁ ଅଣ-ଇଂରେଜ-ମୁଖୀ ଅସନ୍ତୋଷର ଲକ୍ଷ୍ୟ ହୋଇପଡ଼ିଛନ୍ତି ଭାରତୀୟମାନେ (ପାକିସ୍ଥାନ ସମେତ) । ବିଶାଳ ଭାରତ ସାମ୍ରାଜ୍ୟ ଖସିଯିବାଜନିତ ଅତୃପ୍ତି ଏକ ମନସ୍ତାତ୍ତ୍ୱିକ କାରଣ । ତେବେ ଅପେକ୍ଷାକୃତ ସ୍ଥୂଳ କାରଣ ବୋଧହୁଏ ଇଂଲଣ୍ଡବାସୀ ଭାରତୀୟମାନଙ୍କ ଆଚରଣ । ଅଧିକାଂଶଙ୍କ ଜୀବନର ଏକମାତ୍ର ଆଭିମୁଖ୍ୟ ହେଲା ଉପାର୍ଜନ ଓ ଉପଭୋଗ । ଭାରତର ଇତିହାସ, ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ସେମାନଙ୍କ ଅଜ୍ଞତା ଓ ବୀତସ୍ପୃହତା ଭୟାବହ । ଅନ୍ୟ ଦିଗରେ ଇଂରେଜ୍‌ର ସାଂସ୍କୃତିକ ଜୀବନଧାରା ସହିତ ସାମିଲ୍ ହୋଇଯିବା ମଧ୍ୟ ସୁଦୂରପରାହତ ବ୍ୟାପାର । ସଂସ୍କୃତି-ବିଚ୍ୟୁତ ମଣିଷ ପ୍ରାୟଶଃ ହୁଏ ଉଦ୍ଧତ ଏବଂ କହିବା ବାହୁଲ୍ୟ, ଔଦ୍ଧତ୍ୟ ଓ ସାହସ ଏକ କଥା ନୁହେଁ ।

 

ମୁଁ ଲଣ୍ଡନରେ ଥିବାବେଳେ ସେଠାରେ ଇଂଲଣ୍ଡ ଉପରେ ଭାରତର କ୍ରିକେଟ-ଖେଳାଳି ଦଳ ବିଜୟ ହାସଲ କଲେ । ଖେଳ ସମ୍ପର୍କରେ ମୋର ଜ୍ଞାନ ଉଦ୍ୟାନ-ବିଦ୍ୟାରେ ମାଙ୍କଡ଼ର ଜ୍ଞାନର ସମତୁଲ । ତେବେ ଏତକ ବୁଝୁଥିଲି ଯେ ତାହା ଏକ ‘ଐତିହାସିକ ବିଜୟ’ ।

 

ବିଜୟ ଦିନ ସନ୍ଧ୍ୟାରେ ଏକ ଭାରତୀୟ ଆଡ୍‍ଡ଼ାରେ କିଛି ସମୟ ବସିବାର ‘ସୁଯୋଗ’ ହୋଇଥିଲା । ସମବେତ ଯୋଦ୍ଧାମାନେ କଥାଭାଷା ହେଉଥିଲେ—

 

“ଆମ କ, ଖ ଓ ଗ ଙ୍କ ସାହସ କମ୍ ନୁହେଁ । ସେମାନେ ହାତତାଳି ଦେଉଁ ଦେଉଁ ଛିଡ଼ାହୋଇ ପଡ଼ିଲେ । ପଛ ଧାଡ଼ିରେ ବସିଥିଲେ ଇଂରେଜମାନେ । ସେମାନେ କହିଲେ—ବସିଯାଅ, ବସିଯାଅ ।”

 

“ସେଉଠୁ ?”

 

“ଆମ କ, ଖ ଓ ଗ ବୁଲିପଡ଼ି ଶୁଣାଇଦେଲେ, ବସିବୁଁ ? କିଆଁ ? ତମେ ଦେଖିପାରୁନା ଆମ ଭାରତବର୍ଷ କ’ଣ କରୁଛି ? ଆହୁରି ଆମକୁ ବସିବାକୁ କହୁଛି ? ଲାଜ ନାହିଁ ?”

 

“ସେଉଠୁ ?”

 

“ସେଉଠୁ, ଆମ କ, ଖ ଓ ଗ ସେମିତି ଛିଡ଼ାହୋଇ ରହିଲେ । ନାଚିଲେ ବି । ଇଂରେଜମାନେ ଶୃଙ୍ଖଳାରକ୍ଷକମାନଙ୍କୁ ଡାକିବେ ଡାକିବେ ବୋଲି ହେଉଥିଲେ ଯେ, କିନ୍ତୁ ଶେଷ ପର୍ଯ୍ୟନ୍ତ କିଛି କଲେ ନାହିଁ । ଲାଜ ଅଛି ତ ପୁଣି !”

 

ବିଜୟ ପରେ ପରେ କେତେଜଣ ଅତ୍ୟୁତ୍ସାହୀ ଭାରତୀୟ ଖେଳ-ମୈଦାନ ଭିତରେ ହିଁ ଜାତୀୟ ପତାକା ବାହାର କରି ନଚାଇବାକୁ ଲାଗିଲେ । ଭାରତର ରାଷ୍ଟ୍ରଦୂତ ମହୋଦୟ ଅଦୂରରୁ ସେ ଦୃଶ୍ୟ ଦେଖି ବିଚଳିତ ବୋଧକରନ୍ତେ ମୋର ଜଣେ ବନ୍ଧୁ ତାଙ୍କୁ ଆଶ୍ଵାସନା ଦେଲେ, “କିଛି କରିବାର ଉପାୟ ନାହିଁ । ସେ ଆଡ଼କୁ ନ ଅନାଇ ଆସନ୍ତୁ ଯିବା ।”

 

ଲଣ୍ଡନରେ ପହଞ୍ଚିବାର ଅବ୍ୟବହିତ ପରେ ‘ସମାଜ’ରେ ‘ସନ୍ଧାନ ଓ ସମୀକ୍ଷା’ ସ୍ତମ୍ଭରେ ଏକ ଦୃଶ୍ୟର ବର୍ଣ୍ଣନା ଦେଇଥିଲି; ଏକ ମଦ୍ୟାଳୟ ସାମ୍‌ନା ଫୁଟ୍‌ପାଥରେ କିପରି ତିନିଜଣ ଭାରତୀୟ ମାତାଲ ହୋଇ ଜଣେ ବିକଟ ରଡ଼ିରେ ଗୀତ ବୋଲୁଥିଲେ, ଜଣେ ନାଚୁଥିଲେ ଓ ଆଉ ଜଣେ ଚେଆର ଉପରୁ ତଳକୁ ଗଡ଼ିପଡ଼ି ଗୋଡ଼ ଉପରକୁ କରି ରହିଥିଲେ । ଭାରତୀୟ ସଙ୍ଗୀତ, ନୃତ୍ୟ ଓ ଯୋଗାସନର ସେଇ ପ୍ରଦର୍ଶନ ଉପଭୋଗ କରୁଥିଲେ ମଦ୍ୟାଳୟର ଆମୋଦିତ କର୍ମଚାରୀମାନେ ।

 

ତେବେ, ବିଦ୍ୱେଷ ସବୁବେଳେ ହେତୁ-ନିର୍ଭର ନୁହେଁ । ତା’ ଛଡ଼ା, ଯେତେବେଳେ ଯାବତୀୟ ଆବିଳତାରେ ମହାନଗରୀ ଭର୍ତ୍ତି, ସେତେବେଳେ ଆଉ କୌଣସି ଏକ ଜାତି ଆଗରେ ଯେ ଭାରତୀୟମାନେ ଛୋଟ ହୋଇଯାଉଛନ୍ତି, ସେକଥା ବି ନୁହେଁ ହୁଏତ !

 

ଭାରତୀୟମାନଙ୍କ ପ୍ରତି ବିଦ୍ୱେଷ ସମ୍ପର୍କରେ ବହୁତ କଥା ଶୁଣିଥିଲି । ମଧ୍ୟେ ମଧ୍ୟେ ସେ ବିଷ ଚହଟିଉଠୁଥିବ, ସନ୍ଦେହ ନାହିଁ । କିନ୍ତୁ କେଇ ମାସ ଭିତରେ ତା’ର ପ୍ରମାଣ ପାଇଁ ଯଥେଷ୍ଟ ସଜାଗ ରହିଥିଲେ ବି ପାଇଲି ନାହିଁ । ସବୁ କ୍ଷେତ୍ରରେ ଇଂରେଜମାନଙ୍କ ସୌଜନ୍ୟ ହିଁ ମନରେ ରେଖାପାତ କରିଛି । ପଥଚାରୀ ଭାରତୀୟ ଆଡ଼କୁ ଅନାଇଲେ ସିଏ ମୁହଁ ଭାରିକରି ଚାଲିଯାଏ; କିନ୍ତୁ ଇଂରେଜ ଆଖିରେ ଆଖି ପଡ଼ିଲେ ସିଏ ସ୍ମିତ ହସ ଫୁଟାଇ ଅଭିବାଦନ କରେ ।

 

ସାହାଯ୍ୟ କରିବାକୁ ସେମାନେ ସ୍ଵତଃସ୍ଫୁର୍ତ୍ତ ଭାବରେ ପ୍ରସ୍ତୁତ । ଦିନେ ସନ୍ଧ୍ୟାବେଳେ କୁହୁଡ଼ି ଘୋଟିଗଲାଣି । ଏକ ନିର୍ଜନ ଅଞ୍ଚଳରେ, ଛକ ଉପରେ ଜଣେ ବୟସ୍କ ପଥିକଙ୍କୁ ଗୋଟାଏ ରାସ୍ତାର ନିର୍ଦ୍ଦେଶ ମାଗିଲି । ନିର୍ଦ୍ଦେଶ ଦେଇସାରି ସେ କୁହୁଡ଼ି ଭିତରେ ଅଦୃଶ୍ୟ ହୋଇଗଲେ । ମୁଁ ଗଲି ବିପରୀତ ଦିଗରେ । ଦୁଇ ତିନି ମିନିଟ ବାଟ ଚାଲିବା ପରେ ହଠାତ୍ ପଛରୁ ଚିତ୍କାର ଶୁଣିଲି, ‘ରୁହ, ରୁହ !’ କୁହୁଡ଼ି ଭିତରୁ ଆବିର୍ଭୂତ ହେଲେ ସେଇ ଭଦ୍ରଲୋକ । କହିଲେ, “ମୁଁ ଠିକ୍ ଅନୁମାନ କରିଥିଲି, ତମେ ଅସଲ ମୋଡ଼ ଛାଡ଼ି ଏ ମୋଡ଼ରେ ପଶିବ । ସେଥିପାଇଁ ତୁମକୁ ଅନୁସରଣ କରୁଥିଲି ।” ଏଥର ସେ ମୋତେ ଠିକ୍ ରାସ୍ତାରେ ଛାଡ଼ି ତା’ପରେ ଯାଇ ବିଦାୟ ନେଲେ ।

 

ଅନୁରୂପ ଅଭିଜ୍ଞତା ହୋଇଥିଲା ଟ୍ରାଫାଲ୍‌ଗାର ସ୍କୋୟାର ଉପରେ । ମୋତେ ଗୋଟାଏ କୋଠାର ସବିଶେଷ ବିବରଣୀ ଦେଇସାରି ମଧ୍ୟ ଜଣେ ପଥଚାରୀ ଭଦ୍ରଲୋକ ଛିଡ଼ାହୋଇ ରହିଥାନ୍ତି ମୁଁ ଠିକ୍ ବାଟରେ ଯାଉଛି କି ନା, ଦେଖିବା ପାଇଁ । ଯେତେବେଳେ ମୁଁ କିଛି ଦୂର ଆଗେଇଗଲି ଏବଂ ତାଙ୍କର ସନ୍ଦେହ ହେଲା ଯେ ମୁଁ ତାଙ୍କ ନିର୍ଦ୍ଦେଶ ଠିକ୍ ଧରିପାରିନାହିଁ, ସେ ଦୌଡ଼ିବାକୁ ଲାଗିଲେ; ସେତେବେଳେ ମୁଁ ବୁଝିଲି ଯେ ଭଦ୍ରଲୋକ ଛୋଟା ।

 

ଆଉ ଦିନକର ମେଘଳ ସକାଳେ ରାଜପଥରେ ତିନିଜଣ ଗଳ୍ପରତ ଇଂରେଜଙ୍କୁ ପଚାରିପକାଇଲି, “ଏଆର ଇଣ୍ଡିଆ ଅଫିସ୍‌ଟା କେଉଁଠି କହି ପାରିବେ ?” ପ୍ରଥମେ ସେମାନେ ଥତମତ ହେଲେ । ତା’ପରେ ସ୍ମୃତି ମନ୍ଥନ କରି ହଠାତ୍ ତିନିହେଁ ଉଠିପଡ଼ି ପ୍ରବଳ ଉତ୍ସାହରେ ଆଙ୍ଗୁଳି ନିର୍ଦ୍ଦେଶ କରି ସାମନାର ଗୋଟାଏ ବଡ଼ କୋଠା ଦେଖାଇଦେଲେ । ମୁଁ ସେ କୋଠାର ଦ୍ଵାରଦେଶରେ ପହଞ୍ଚିବାମାତ୍ରେ ସେମାନଙ୍କ ସଶ୍ରଦ୍ଧ କଣ୍ଠସ୍ଵରର କୋରସ୍ ପଛରୁ ଶୁଭିଲା–“ସେଇଠି, ସେଇଠି ।”

 

ବାଧ୍ୟ ହୋଇ ଭିତରେ ପଶି ମିନିଟିଏ ଅପେକ୍ଷା କରି ପୁଣି ମୋ ଲକ୍ଷ୍ୟସ୍ଥଳର ଅନୁସନ୍ଧାନରେ ବାହାରିଗଲି । ସେମାନେ ଯେଉଁ କୋଠାଟି ଦେଖାଇଥିଲେ, ସେଇଟା ଏଆର୍ ଇଣ୍ଡିଆ ନୁହେଁ, ଅନ୍ୟ ଏକ ଆନ୍ତର୍ଜାତିକ ବିମାନ ସଂସ୍ଥାର ଅଫିସ୍; କିନ୍ତୁ ସେମାନେ ଏଡ଼େ ଆନ୍ତରିକତାସହକାରେ ମୋତେ ସାହାଯ୍ୟ କରୁଥିଲେ ଯେ କୋଠା ଭିତରେ ନ ପଶିବା ଭଳି କ୍ରୂରତା ମୁଁ ଦେଖାଇ ପାରିଲି ନାହିଁ ।

 

ତେବେ ହଁ—ଯେଉଁଦିନ ଲଣ୍ଡନ ଛାଡ଼ିବି, ଠିକ୍ ତା’ ପୂର୍ବଦିନ ଅପରାହ୍ନରେ ଭାରତୀୟ-ବିଦ୍ୱେଷର ଏକ ନମୁନା ପାଇଥିଲି । ସହରର ଗୋଟିଏ ଦୂର ପ୍ରାନ୍ତରେ ବସ୍‌କୁ ଅପେକ୍ଷା କରି ଛିଡ଼ାହୋଇଥିବା ଧାଡ଼ିଏ ଲୋକଙ୍କୁ ପଚାରିଦେଲି, “ଅମୁକ ରାସ୍ତାଟା କେଉଁଠି ?” ସଙ୍ଗେ ସଙ୍ଗେ ଜଣେ ବୁଢ଼ା ମାତାଲ ଟଳମଳ ହୋଇ ଚାପାକଣ୍ଠରେ ଗର୍ଜିଲା, “Indian ? get out ! get out ! Away to your country !” ତତ୍‌କ୍ଷଣାତ୍ ଧାଡ଼ିକଯାକ ଭଦ୍ରଲୋକ ଓ ଭଦ୍ରମହିଳା ମୋ ଚାରିପଟେ ଘେରିଯାଇ ନିଜ ନିଜ ପକେଟ୍‌ରୁ ରାସ୍ତାଘାଟର ଚିତ୍ରମାନ ବାହାର କରି ଗଭୀର ମନୋଯୋଗସହକାରେ ମୋତେ ସେ ରାସ୍ତାରେ ପହଞ୍ଚିବାର ସୂତ୍ର ସମ୍ପର୍କରେ କହିବାକୁ ଲାଗିଲେ–ଯେପରି ମୁଁ ସେ ବୁଢ଼ା କଥା ଶୁଣି ନ ପାରେ ! ମୁଁ ବି ଯେମିତି ସେ ମନ୍ତବ୍ୟ ଶୁଣିନାହିଁ, ସେମିତି ଆଚରଣ କରିଥିଲି ।

 

କିନ୍ତୁ ଦୁଷ୍ଟ ବୁଦ୍ଧି ! ବିଦାୟ ନେବା ବେଳକୁ କହିଦେଲେ, “ମୋର ଏଡ଼େ ତତ୍ତ୍ଵ ନେଲେ; ସେପାଇଁ ବହୁତ ଧନ୍ୟବାଦ । ଏଥର ସେଇ ବିରକ୍ତ, ଅସହାୟ ବୃଦ୍ଧ ସହଯାତ୍ରୀଙ୍କର ତତ୍ତ୍ଵ ନିଅନ୍ତୁ ଟିକିଏ ।”

Image

 

ପରିଚ୍ଛେଦ : ସାତ

ମହମର ଯାଦୁ-ଜଗତ

 

ବହୁଦିନ ପର୍ଯ୍ୟନ୍ତ ଫ୍ରାନ୍‌ସ ନାମ ଶୁଣିବାମାତ୍ରେ ମନରେ ଜାଗରିତ ହେଉଥାଏ କେବଳ ଫରାସୀ-ବିପ୍ଳବର କାହାଣୀ; ପ୍ୟାରିସ୍ ନାମରେ ଜାଗରିତ ହେଉଥାଏ ବାସ୍ତିଲ୍ ପତନର ସ୍ମୃତି । ପ୍ୟାରିସ୍ ମହାନଗରୀରେ ସ୍ମୃତିବାହୀ କିଛି ନିର୍ଜୀବ ମନୁମେଣ୍ଟକୁ ଛାଡ଼ିଦେଲେ ସେ ବିପ୍ଳବର ରୋମାଞ୍ଚ ଜଗାଇବା ଭଳି କୌଣସି ବ୍ୟବସ୍ଥା ଅଛି କି ନାହିଁ ଜଣେନା; ଅଛି କିନ୍ତୁ ଲଣ୍ଡନରେ ।

ଛଅ ବର୍ଷର ଝିଅ ମେରୀ । ପିତା ମାତା ସୁଇସ୍ ଓ ଜର୍ମାନ୍ । ୧୭୬୮ରେ ମେରୀ ଗଲା ପ୍ୟାରିସ୍ କକା ଫିଲିପ୍ କାର୍ଟିସଙ୍କ ପାଖରେ ରହିବା ନିମନ୍ତେ । କକା ଡାକ୍ତର । ମହମରେ ମଣିଷର ଅଙ୍ଗ-ପ୍ରତ୍ୟଙ୍ଗ ତିଆରି କରିବା ଥିଲା ତାଙ୍କର ଏକ ବିଶେଷ ସଉକ୍ । ଡାକ୍ତର ଧନ୍ଦାକୁ କିନ୍ତୁ ସଉକ ଶୀଘ୍ର ବଳିଗଲା । ଆଉ ଅଙ୍ଗ-ପ୍ରତ୍ୟଙ୍ଗ ନୁହେଁ; ପୂରା ମଣିଷ-ମୂର୍ତ୍ତିମାନ ଗଢ଼ି ସେ ୧୭୭୦ ମସିହାରେ ପ୍ୟାରିସରେ କଲେ ଏକ ପ୍ରଦର୍ଶନୀର ବ୍ୟବସ୍ଥା । ସେ ପ୍ରଦର୍ଶନୀ ହେଲା ବେଶ୍ ଜନପ୍ରିୟ-

କକାଙ୍କ ଅପୂର୍ବ ସଉକ୍ ମେରୀଙ୍କୁ କଲା ଏକାନ୍ତ ଅନୁପ୍ରାଣିତ । ଅଚିରେ ସେ ଆୟତ୍ତ କଲେ ମହମରେ ପ୍ରତିମୂର୍ତ୍ତି ପ୍ରସ୍ତୁତ କଳା । ୧୭ ବର୍ଷ ବୟସରେ ସେ କ୍ରୁଦ୍ଧ ଦାର୍ଶନିକ ଭଲ୍‌ତେଆର୍‌ଙ୍କୁ ନିମନ୍ତ୍ରଣ କରି ଆଣି ଘରେ ବସାଇ ତାଙ୍କର ଅବିକଳ ମୂର୍ତ୍ତି ବନାଇଥିଲେ । କିଛି ଦିନ ପରେ ଫ୍ରାନ୍‌ସରେ ଥିବା ତତ୍କାଳୀନ ଆମେରିକାନ୍ ରାଷ୍ଟ୍ରଦୂତ, ପରବର୍ତ୍ତୀ ଯୁଗର ବିଖ୍ୟାତ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌ଙ୍କ ମୂର୍ତ୍ତି ମଧ୍ୟ ସେ ବନାଇପକାଇଲେ । ସେଇସବୁ ମୌଳିକ ମୂର୍ତ୍ତିର ଛାଞ୍ଚରୁ ତିଆରି ମୂର୍ତ୍ତି ଆଜି ଦୁଇଶହ ବର୍ଷ ପରେ ମଧ୍ୟ ଦେଖିବାକୁ ମିଳେ ।

ତା’ପରେ ସଂଘଟିତ ହେଲା ଫରାସୀ ବିଦ୍ରୋହ । ରାଜପରିବାର ସହିତ କିଛି ସମ୍ପର୍କ ରଖିଥିବା ହେତୁ ମେରୀ ହେଲେ କାରାରୁଦ୍ଧା । କିନ୍ତୁ ବେଶି ଦିନ ପାଇଁ ନୁହେଁ । ଗିଲୋଟିନ୍ ଯୋଗେ ଜଣକ ପରେ ଜଣେ ପ୍ରକୃତ ଓ ଅପ୍ରକୃତ ବିପ୍ଳବବିରୋଧୀ ବ୍ୟକ୍ତିମାନଙ୍କ ମୁଣ୍ଡକାଟ ଆରମ୍ଭ କରିଦେଇ ଦୂରଦର୍ଶୀ ବିପ୍ଳବୀମାନେ ଭାବିଲେ ସେଇ ବିଖ୍ୟାତ ବଳିମାନଙ୍କର ଆକୃତି ଭବିଷ୍ୟତ ସକାଶେ ସଞ୍ଚିତ କରି ରଖିଯିବା ଉଚିତ । ବନ୍ଦିଶାଳାରୁ ମେରୀଙ୍କୁ ତଲବ କରାଗଲା । ପ୍ରତିବାଦ କରିବାର ଉପାୟ ନାହିଁ । କମ୍ପିତ ହାତରେ ମେରୀ ଏକ ପରେ ଏକ ଛିନ୍ନ ମୁଣ୍ଡର ଛାଞ୍ଚ ନେବାକୁ ଲାଗିଲେ । କେବେ କେବେ ଗଭୀର ରାତିରେ ଏକାଳିନ ତାଙ୍କୁ ସେ କାମ କରିବାକୁ ପଡ଼ିଛି । କ୍ରମେ ଅଭ୍ୟାସ ହୋଇଗଲା । ଆଉ ହାତ କମ୍ପିଲା ନାହିଁ; ଏପରିକି ସ୍ଵୟଂ ସମ୍ରାଟ୍ ଷୋଡ଼ଶ ଲୁଇ ଓ ରାଣୀ ମେରୀ ଆନ୍ତୋନିଏତ୍‌ଙ୍କ ଛିନ୍ନ ମୁଣ୍ଡର ଛାଞ୍ଚ ନେବାବେଳେ ମଧ୍ୟ ନୁହେଁ ।

ମେରୀ ବିବାହ କଲେ ତୁଷାଦ୍ ପଦବୀଧାରୀ ଜଣେ ଭଦ୍ରଲୋକଙ୍କୁ ଓ ବନିଲେ ମାଦାମ୍ ତୁଷାଦ୍ (Madame Tussaud) । ପ୍ୟାରିସରେ ମହମମୂର୍ତ୍ତି ପ୍ରଦର୍ଶନୀ ଭଲ ଚାଲିଲା ନାହିଁ । ମାଦାମ ତୁଷାଦ ଆସିଲେ ଇଂଲଣ୍ଡ । ଗୋଟାଏ ଶକଟରେ ମହମ ମୂର୍ତ୍ତିମାନ ବୋଝାଇ କରି ସେ ସହର-ସହରାନ୍ତର ବୁଲିବାକୁ ଲାଗିଲେ । ବଜାର ଛକରେ, ସ୍କୁଲ ସାମନାରେ ଗାଡ଼ି ଅଟକେ । ମାଦାମ୍‌ଙ୍କ ସାନ ପୁଅ ଚିତ୍କାର କରି ସେଇ ଅଭିନବ ପ୍ରଦର୍ଶନୀ ପାଇଁ ଦର୍ଶନ ସଂଗ୍ରହ କରେ । ବଡ଼ପୁଅ ବାଜା ବଜାଏ । ବର୍ଷ ପରେ ବର୍ଷ ଦୀର୍ଘ କାଳ ଏମିତି ଇତସ୍ତତଃ ବୁଲି ବୁଲି କଟିଲା । ତାପରେ, ୧୮୩୫ ମସିହାରେ, ୭୪ ବର୍ଷ ବୟସ୍କା କ୍ଳାନ୍ତ ମାଦାମ୍ ଲଣ୍ତନ୍‌ର ବେକାର ଷ୍ଟ୍ରିଟରେ ଗୋଟାଏ ଘର ଭଡ଼ା ନେଇ ସ୍ଥାୟୀ ପ୍ରଦର୍ଶନୀର ବ୍ୟବସ୍ଥା କଲେ । (ଅଖ୍ୟାତ ବେକାର ଷ୍ଟ୍ରିଟ୍ ହଠାତ୍ ଏଡ଼େ ବିଖ୍ୟାତ ହୋଇଉଠିଲା ଯେ ଲେଖକ ଆର୍ଥର କୋନାନ୍‌ ଡୋଏଲ୍ ତାଙ୍କର ସ୍ୱନାମଧନ୍ୟ ଡିଟେକ୍‌ଟିଭ୍ ନାୟକ ସାର୍ଲକ ହୋମ୍‌ସଙ୍କ ଠିକଣା ହିସାବରେ ସେଇ ରାସ୍ତାର ନାମକୁ ବ୍ୟବହାର କଲେ ।)

 

ବୃଦ୍ଧା ମାଦାମ୍ ତୁଷାଦ ୮୧ ବର୍ଷ ଯାଏ ନିଜ କଳାସାଧନାରୁ ବିରତ ହୋଇ ନଥିଲେ । ତାଙ୍କର ଶେଷ କୃତି ହେଲା ସ୍ୱପ୍ରତିକୃତି । ଆଜି ବି ତାହା ଏକାନ୍ତ ଜୀବନ୍ତ ।

 

ନବେବର୍ଷ ବୟସରେ ମାଦାମ୍ ଦେହତ୍ୟାଗ କଲେ । ତାହାର କିଛି ବର୍ଷ ପରେ ପ୍ରଦର୍ଶନୀ ମେରିଲ୍‌ବୋନ୍‌ଷ୍ଟ୍ରିଟ୍‌କୁ ଉଠିଆସିଲା । ଅଦ୍ୟାବଧି ସେଇଠି ରହିଛି ଲଣ୍ଡନର ଏଇ ଅମ୍ଳାନ, ଅତୁଳନୀୟ ଆକର୍ଷଣ ।

 

ଲଣ୍ଡନର ବିପଣୀମାନଙ୍କରେ ଡାମି-ପ୍ରାଚୁର୍ଯ୍ୟ ଦେଖି ବିରକ୍ତ ହୋଇଯାଇଥିଲି । ବନ୍ଧୁମାନଙ୍କୁ କହୁଥିଲି, “ଆଉ ଅଧିକ ଗୁଡ଼ାଏ ମୂର୍ତ୍ତି ଦେଖିବାର ଅଭିଳାଷ ନାହିଁ ।”

 

ମାଦାମ୍ ତୁଷାଦ୍‍ଙ୍କ ପ୍ରତିଷ୍ଠାନ ସମ୍ପର୍କରେ ମୋର ଏମିତି ମାନ୍ଦା ଧାରଣା ଭାଙ୍ଗିଦେବା ଉଚିତ ବୋଲି ଉପଲବ୍‌ଧି କରି ଦିନେ ଜଣେ ବନ୍ଧୁ ମୋ ପାଇଁ ଟିକେଟ୍ କିଣି ମୋତେ ତହିଁ ଭିତରକୁ ଭିଡ଼ିନେଇଗଲେ ।

 

ଅଭିଭୂତ ହେବାକୁ ବେଶି ସମୟ ଲାଗିଲା ନାହିଁ । ବଜାର ବିପଣୀର ଡାମିଗୁଡ଼ିକ ମଣିଷକୁ ପ୍ରାଣହୀନ ମୂର୍ତ୍ତିରେ ପରିଣତ କରିବାର ବ୍ୟବସାୟୀ ଲାଳସାର ପ୍ରତୀକ । ଏଠାରେ ପ୍ରାଣହୀନ ମୂର୍ତ୍ତି ଦେହରେ କଳା କରିଛି ଜୀବନ-ସଞ୍ଚାର ।

 

ନେପୋଲିଅନ୍ ବୋନାପାର୍ଟଙ୍କଠୁଁ ଆରମ୍ଭ କରି ଏ କାଳର ଚିତ୍ରାଭିନେତ୍ରୀ ବ୍ରିଗିଟ୍ ବାର୍ଡୋଟ୍‌ଙ୍କ ପର୍ଯ୍ୟନ୍ତ କେତେ ସମ୍ରାଟ୍, ରାଜା, ରାଷ୍ଟ୍ରନେତା ଓ ଖେଳଅଭିନୟ-ତାରକାବର୍ଗ ମାଦାମ୍ ତୁଷାଦ ତଥା ତାଙ୍କ ଉତ୍ତରାଧିକାରୀ ଶିଳ୍ପୀମାନଙ୍କ ଆଗରେ ଘଣ୍ଟା ଘଣ୍ଟା ଧରି ବସିରହିଛନ୍ତି ନିଜ ନିଜର ମୂର୍ତ୍ତିଟିମାନର ନିର୍ମାଣ ଓ ପ୍ରତିଷ୍ଠା ଦେଖିବା ଲାଗି । “ନିଜର କଣ୍ଠସ୍ଵର ପୃଥିବୀର ସବୁଠୁ ବଳି ମଧୁର ସଂଗୀତ” ବୋଲି କଥା ଅଛି । ନିଜ ନିଜର ଚେହେରା ବି ବୋଧହୁଏ ଅଧିକାଂଶଙ୍କ ପାଇଁ ପୃଥିବୀର ସୌମ୍ୟତମ ସୃଷ୍ଟି । ଏପରି କି ଜର୍ଜ ବାର୍ଣ୍ଣାଡ଼ ଶ’ ମଧ୍ୟ ଦୀର୍ଘ ସମୟ ବସିରହି ତାଙ୍କ ମୂର୍ତ୍ତି ନିର୍ମାଣ କରିବାର ସୁଯୋଗ ଦେଇଥିଲେ । ଅବଶ୍ୟ ପରେ କହିଲେ, “ବାଧ୍ୟ ହୋଇ ବସିଲି । ମନାକଲେ ହୁଏତ ଫୁଟାଣି ଦେଖାଉଛି ବୋଲି ଲୋକଙ୍କର ଧାରଣା ହୋଇଥାନ୍ତା ।” (“It would have seemed so snobbish to refuse !”)

 

ଶ’ ମହାଶୟ ନୋବେଲ ପୁରସ୍କାର ପ୍ରକାଶ୍ୟରେ ପ୍ରତ୍ୟାଖ୍ୟାନ କରିବା ବେଳେ (ଅବଶ୍ୟ ପରେ ପରେ ପୁଣି ଗ୍ରହଣ ବି କଲେ) ସେଇଟା ଫୁଟାଣି ହେବ ବୋଲି କେମିତି ଭାବିଲେ ନାହିଁ କେଜାଣି !

 

ମାଦାମ୍ ତୁଷାଦଙ୍କ ଯାଦୁଘର କେବଳ ବିଖ୍ୟାତ ବ୍ୟକ୍ତିମାନଙ୍କ ମୂର୍ତ୍ତିଭଣ୍ଡାର ନୁହେଁ—ଅଦ୍‌ଭୁତ୍ ଚରିତ୍ରମାନଙ୍କ ସମାବେଶ ଘଟିଛି ଯାଦୁଘରର ଗୋଟାଏ ଅଂଶରେ—ଯାହାର ନାମ ‘ଭୟଙ୍କର କୋଠରି’ (Chamber of Horrors) । ନିଜକୁ ‘ଜନତାର କ୍ରୋଧ’ (“I am the rage of the people”) ବୋଲି ଜାହିର୍ କରି ଅଗଣିତ ନର-ନାରୀଙ୍କ ନୃଶଂସ ହତ୍ୟା ସକାଶେ ଦାୟୀ ହୋଇ ନିଜେ ଅବଶେଷରେ ଘାତକର ତରବାରିରେ ନିହତ ହୋଇଥିବା (୧୮୯୩) ଫରାସୀ-ବିପ୍ଳବର ଦ୍ୱିତୀୟ ପର୍ଯ୍ୟାୟର ନେତା ମାରାଟ୍‌ଙ୍କ ଠାରୁ ଆରମ୍ଭ କରି ୧୯୬୩ରେ ପ୍ରେସିଡେଣ୍ଟ କେନେଡିଙ୍କୁ ହତ୍ୟା କରି ପରେ ନିଜେ ପୁଣି ନିହତ ହୋଇଥିବା ଓସ୍‌ୱ୍ୱାଲ୍‌ଡ୍‍ ପର୍ଯ୍ୟନ୍ତ; ଏଡିନ୍‌ବରା ସହରର ଏକ ପାନ୍ଥଶାଳାରେ ରହି ସେଠାକାର ଅତିଥିମାନଙ୍କୁ ଜଣଜଣ କରି ମାରିପକାଇ ଜଣେ ଦେହତତ୍ତ୍ଵ ଗବେଷଣା ଡାକ୍ତରଙ୍କୁ ହାରାହରି ଦୁଇ ଶହ ଟଙ୍କା ଦାମରେ ଗୋଟାଏ ଗୋଟାଏ ମୃତଦେହ ବିକ୍ରି କରି ଗୁଜରାଣ ମେଣ୍ଟାଉଥିବା ଦୁଇଚକ ବାକ୍ ଓ ହେଆର (ଗତ ଶତାବ୍ଦୀ) ଙ୍କଠାରୁ ଆରମ୍ଭ କରି ୪୬ ଟି ରାଉଣ୍ଡ ଶିଶୁଙ୍କୁ ହତ୍ୟା କରି ଟେମ୍‌ସ ନଦୀ ଶଯ୍ୟାରେ ପୋତିଥିବା ମିସେସ୍ ଡାୟା ପର୍ଯ୍ୟନ୍ତ ବହୁ ମୂର୍ତ୍ତିରେ ‘ସମୃଦ୍ଧ’ ଏଇ ଭୟଙ୍କର କୋଠରି ।

 

ତେବେ କେବଳ ପୈଶାଚିକ ନୁହେଁ, ବହୁ କିସମର ବିଚିତ୍ର ଚରିତ୍ରର ସମାବେଶ ଘଟିଛି ଏଇ କୋଠରିରେ । ତହିଁ ମଧ୍ୟରେ ଅଛନ୍ତି ଅତ୍ୟନ୍ତ ଭଦ୍ରଦର୍ଶନ ଇଂଲଣ୍ଡର ଶେଷ ସରକାରୀ ଘାତକ ଆଲୋନ୍ ସାହେବ । ତାଙ୍କ ପରେ ଘାତକ ଚାକିରି କେତେ ବର୍ଷ ହେଲା—ଉଠିଯାଇଛି କାରଣ ପ୍ରାଣଦଣ୍ଡ ବିଧି ବର୍ତ୍ତମାନ ଆଉ ଚାଲୁନାହିଁ ।

 

ପ୍ରଖ୍ୟାତ ଓ କୁଖ୍ୟାତ ବ୍ୟକ୍ତିମାନଙ୍କ ମୂତ୍ତି ସଙ୍ଗେ ସଙ୍ଗେ ମାଦାମ୍ ତୁଷାଦଙ୍କ ଯାଦୁଘରେ ରହିଛି କେତେକ କରୁଣ ଐତିହାସିକ ଘଟଣାର ଦୃଶ୍ୟ । ‘ଟାୱାର୍ ଅବ୍ ଲଣ୍ଡନ’ ସମ୍ପର୍କରେ ଲେଖିବାବେଳେ ଦୁଇ ଶିଶୁ ରାଜପୁତ୍ରଙ୍କ ନିଧନ କଥା ଉଲ୍ଲେଖ କରିଥିଲି । ଦୁର୍ଗ ଭିତରେ ଶାୟିତ ଦୁଇ ସୁକୁମାର କୁମର । ଦୁଇଜଣ କ୍ରୂର ଆତତାୟୀ ନିଶାର୍ଦ୍ଧରେ ସନ୍ତର୍ପଣରେ ସେମାନଙ୍କ ଆଡ଼କୁ ଅଗ୍ରସର ହେଉଛନ୍ତି—ଏ ଦୃଶ୍ୟ ଏଡ଼େ ଜୀବନ୍ତ ଯେ ହଠାତ୍ ଚିତ୍କାର କରି ଆତତାୟୀମାନଙ୍କୁ ଚମକାଇ ଦେବାକୁ ଇଚ୍ଛା ହୁଏ ।

 

ଆଉ ଏକ ମହମ-ଦୃଶ୍ୟରେ ମେରୀ ଷ୍ଟୁଆର୍ଟଙ୍କ ଅର୍ଗଳବଦ୍ଧ ସ୍କନ୍ଧ ଉପରେ ଉଦ୍ୟତ ଘାତକର କୁଠାର ।

 

ସର୍ବୋପରି ରହିଛି ଆଲୋକ ଓ ଶବ୍ଦର ଯାଦୁ ସମନ୍ଵୟରେ ଐତିହାସିକ ଟ୍ରାଫାଲଗାର୍ ଯୁଦ୍ଧ ଓ ଠିକ୍ ବିଜୟ ହାସଲ ବେଳେ ବୀର ସେନାପତି ନେଲ୍‌ସନଙ୍କ ମୃତ୍ୟୁର ଦୃଶ୍ୟ ।

 

ଏଇସବୁ ମୂର୍ତ୍ତି ଓ ଦୃଶ୍ୟ ଥରେ ଥରେ ଚମକପ୍ରଦ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ୧୯୫୪ ରେ ଜଣେ ଦର୍ଶକ ଗୋଟାଏ ଛୁରା ବାହାର କରି ଚର୍ଚ୍ଚିଲଙ୍କ ମୂର୍ତ୍ତିର ମୁଣ୍ଡଟି କାଟିପକାଇଥିଲେ । ରାଣୀ ଏଲିଜବେଥ୍‌ଙ୍କ ସାନଭଉଣୀ ମାର୍ଗାରେଟ୍‌ଙ୍କୁ ଜଣେ ସାଧାରଣ ଲୋକ ବିବାହ କରିବାଟାକୁ ବ୍ରିଟେନ୍‌ର ବହୁ ଲୋକ ନାପସନ୍ଦ କରି ଆସିଛନ୍ତି । ତନ୍ମଧ୍ୟରୁ କେତେ ଜଣ ଭାବପ୍ରବଣ ବ୍ୟକ୍ତି ମାର୍ଗାରେଟ୍‌ଙ୍କ ସ୍ୱାମୀ ଲର୍ଡ ସ୍ନୋଡନ (ଭଦ୍ରଲୋକ ବିବାହ ପରେ ଲର୍ଡ ବନିଥିଲେ)ଙ୍କ ମୂର୍ତ୍ତିଟିକୁ ଟେକିନେଇ ଗୋଟାଏ ଟେଲିଫୋନ୍ ବୁଥ୍ ଆଗରେ ଥୋଇ ଦେଇ ଆସିଥିଲେ ୧୯୬୦ରେ । ୧୯୬୫ରେ ଦିନେ ମାର୍ଶାଲ ଟିଟୋଙ୍କ ମୂର୍ତ୍ତିଟି ଉଭେଇଗଲା । ପରେ ଦେଖାଗଲା, କିଏ ତାକୁ ନେଇ ଯୁଗୋସ୍ଲୋଭିଆ ଦୂତାବାସ ଆଗରେ ଠିଆ କରାଇଦେଇ ଆସିଛି ।

 

ତେବେ ମାଦାମ୍ ତୁଷାଦ୍‌ଙ୍କ ଯାଦୁଘରେ ଆଜି ପର୍ଯ୍ୟନ୍ତ ଯେତେ ଲୋକଙ୍କର ଯେତେ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି, ସେଥିମଧ୍ୟରୁ ସବୁଠୁଁ ମୌଳିକ ଓ ଚମକପ୍ରଦ ବୋଧହୁଏ ୧୮୬୩ ମସିହାରେ ଇରାନ୍‌ର ଶାହାଙ୍କ ପ୍ରତିକ୍ରିୟା । ସେ ଗିଲୋଟିନ୍‌କୁ ଦେଖି ବଡ଼ ଚମତ୍କୃତ ହେଲେ । (ଗିଲୋଟିନରେ ବ୍ୟବହୃତ ବ୍ଲେଡ୍‍ଟି ଫରାସୀ-ବିପ୍ଳବରେ ବ୍ୟବହୃତ ଅସଲି ବ୍ଲେଡ୍‍; ନକଲି ନୁହେଁ ।) ଶାହା ପଚାରିଲେ, “ଏ ଯନ୍ତ୍ର ବର୍ତ୍ତମାନ କାମ କରିବ ?”

 

“ହଁ”—ଉତ୍ତର ମିଳିଲା ।

 

“କିମିତି କାମ କରୁଛି ଟିକିଏ ଦେଖନ୍ତେ !” ଶାହା କହିଲେ ।

 

ଶାହାଙ୍କ ପରିଚର୍ଯ୍ୟାକାରୀ ଇଂରେଜମାନେ ସ୍ତବ୍‌ଧ ହୋଇ ରହିଲେ । ଶାହା ସଙ୍ଗେ ସଙ୍ଗେ ତାଙ୍କ ନିଜ ଗହଣରେ ଆସିଥିବା ଇରାନୀ ପରିଚାରକଙ୍କ ଭିତରୁ ଜଣକୁ ଟାଣି ଆଣି କହିଲେ, “ଏଇଟିକୁ କାଟ ।”

 

ଇଂରେଜମାନେ ଯେ କାହିଁକି ଶାହାଙ୍କ ଅନୁରୋଧ ରକ୍ଷା କଲେ ନାହିଁ ତାହା ଶାହାଙ୍କ ପାଇଁ ଆଜୀବନ ଏକ ସମସ୍ୟା ହୋଇ ରହିଗଲା ।

Image

 

ପରିଚ୍ଛେଦ : ଆଠ

କାହାଣୀ-ତୀର୍ଥ କ୍ୟାଣ୍ଟର୍‌ବାରି

 

ସୁଦୂର ଆଫ୍ରିକାର ଏକ ଜନବିରଳ ସହର ଉପକଣ୍ଠରେ ଜନ୍ମ ହୋଇଥିଲେ ଦୁଇଟି ଭାରତୀୟ ଶିଶୁ । ବ୍ୟବସାୟୀ ବାପାଙ୍କ ସହିତ ଦୀର୍ଘପଥ ଅରଣ୍ୟ ପରିକ୍ରମା କରିଛନ୍ତି ସେମାନେ । ନାଇରୋବି ନିକଟବର୍ତ୍ତୀ ଏକ ଛାୟାଘନ ଜନବସତି-ସେଠାକାର ସ୍ୱଚ୍ଛ ଜଳାଶୟ ଓ ଆଦିମ ବାସିନ୍ଦାମାନଙ୍କ ଗହଣରେ ସେମାନେ ଥିଲେ ତୃପ୍ତ ଓ ଆନନ୍ଦିତ । ବହୁ ପ୍ରାକୃତିକ ପ୍ରଭଞ୍ଜନ ସହ୍ୟ କରି ମଧ୍ୟ ସେମାନେ ଆଫ୍ରିକାର ଜଳବାୟୁକୁ ଭଲପାଇଥିଲେ, କିନ୍ତୁ ଶେଷରେ ଅସହ୍ୟ ହେଲା ରାଜନୈତିକ ପ୍ରଭଞ୍ଜନ । ଆଫ୍ରିକାରେ ଆରମ୍ଭ ହେଲା ଭାରତୀୟ-ବିତାଡ଼ନ । ବାପା-ମା’ଙ୍କ ସହିତ ବାଳକ ଦୁଇଟି ପଳାଇ ଆସିଲେ ଭାରତବର୍ଷକୁ ।

 

ଯଥାକ୍ରମେ ସାତ ଓ ନଅ ବର୍ଷ ବୟସ୍କ ଦିଲୀପ ଓ କିରୀଟ ୧୯୬୩ରେ ପଣ୍ଡିଚେରୀରେ ଆସି ଏ ଲେଖକ ପାଖରେ ରହିଥିଲେ କିଛିଦିନ । ସେମାନେ ବ୍ରିଟିଶ ନାଗରିକ । ପରେ ପରେ ବାପ ମା’ ସହିତ ଲଣ୍ଡନ ଚାଲିଯାଇ ସେଠାରେ ପଢ଼ାପଢ଼ି ଆରମ୍ଭ କଲେ । ଆଉ ସମ୍ପର୍କ ନଥିଲା ।

 

ଲଣ୍ଡନର ଏକ ପ୍ରାନ୍ତରେ ଅବସ୍ଥିତ ‘ଗ୍ରେଟ୍‌ବ୍ରିଟେନ ଶ୍ରୀ ଅରବିନ୍ଦ ସୋସାଇଟି’ର କେନ୍ଦ୍ର କାର୍ଯ୍ୟାଳୟ । ସେଇଠାରେ ଏକ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଦ୍ୱାରଦେଶରେ ଘନ କୁହୁଡ଼ି ଭିତରୁ ଦଶନ୍ଧି ତଳର ସେଇ ସ୍ନେହର ଶିଶୁ—ବର୍ତ୍ତମାନ ଦୀର୍ଘତନୁ ଉଜ୍ଜ୍ୱଳ ତରୁଣ—ଦୁଇଟିଙ୍କୁ ଆବିଷ୍କାର କଲି । ସେମାନେ ଓ ତାଙ୍କ ବାପ ମାଆ ଚୁନିଭାଇ ଓ ଶ୍ରୀମତୀ କପିଳା ପଟେଲ ମୋ ଆସିବା ସମ୍ବାଦ ପାଇ ଭେଟିବାକୁ ଚାଲିଆସିଥିଲେ ।

ଦିଲୀପ ଓ କିରୀଟଙ୍କୁ ପାଇ ମୋ ଆନନ୍ଦ କହିଲେ ନ ସରେ । ଲଣ୍ଡନରେ ବନ୍ଧୁ ଓ ହିତୈଷୀଙ୍କ ଅଭାବ ନଥିଲେ; କିନ୍ତୁ ପରବର୍ତ୍ତୀ ପ୍ରବାସ ସମୟ ଭିତରେ ଏଇ ପରିବାର ସହିତ ହିଁ ସର୍ବାଧିକ ସମ୍ପର୍କ ରହିଥିଲା । ଇଂଲଣ୍ଡ ଭିତରେ ଯେତେବେଳେ ଯୁଆଡ଼େ ଯିବାକୁ ଚାହିଁଛି–ଷ୍ଟ୍ରାଟ୍‌ଫୋର୍ଡ କାଣ୍ଟର୍‌ବାରି ସହର ଉପକଣ୍ଠର କୌଣସି ଏକ ମେଳା ବା ଦୂରବର୍ତ୍ତୀ ଏକ ପଲ୍ଲୀଗ୍ରାମ–ଅକୃପଣ ଉତ୍ସାହରେ ସେମାନେ ତାଙ୍କ ଗାଡ଼ିରେ ବସାଇ ମୋତେ ନେଇ ବୁଲାଇ ଆଣିଛନ୍ତି-

ସେମାନେ ରହୁଥିଲେ ଏକ ସହର ତଳି ଅଞ୍ଚଳରେ । ଦିନକର ପ୍ରଭାତରେ ସେଇଠାରୁ ବାହାରି ଆମେ ଛୁଟି ଚାଲିଥିଲୁଁ କ୍ୟାଣ୍ଟର୍‌ବାରି । ଛଅ ଶହ ବର୍ଷ ତଳେ ଚସର୍ (Chaucer)ଙ୍କ ‘କ୍ୟାଣ୍ଟର୍‌ବାରି ଟେଲ୍‌ସ’ର ଚରିତ୍ରମାନେ ସିମିତ ଏକ ସହର ତଳି ଅଞ୍ଚଳରୁ କ୍ୟାଣ୍ଟର୍‌ବାରି ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ସେମାନଙ୍କୁ କ୍ୟାଣ୍ଟର୍‌ବାରି ପହଞ୍ଚିବାକୁ ଅବଶ୍ୟ ଚାରିଦିନ ସମୟ ଲାଗିଥିଲା-। ଆମେ ୬୫ ମାଇଲ୍ ପଥ ଅତିକ୍ରମ କରିବୁ ଦୁଇ ତିନି ଘଣ୍ଟାରେ । ଚସର୍‌ଙ୍କ ଚରିତ୍ରମାନେ କ୍ୟାଣ୍ଟର୍‌ବାରି ଯାଇଥିଲେ ସେଠାକାର ବିଖ୍ୟାତ କ୍ୟାଥିଡ୍ରାଲରେ ସେଣ୍ଟ୍ ବେକେଟଙ୍କ ସମାଧି ଦର୍ଶନ କରିବା ନିମନ୍ତେ । ଆମେ ଚାଲିଥିଲୁଁ ଚସର୍‌ଙ୍କ ଅମର କାବ୍ୟ-କାହାଣୀର କ୍ୟାଣ୍ଟର୍‌ବାରି ଦେଖିବା ପାଇଁ । ଆମର କ୍ୟାଣ୍ଟର୍‌ବାରି ଯାତ୍ରା ଥିଲା ଚସର୍‌ଙ୍କ ପ୍ରତି ହିଁ ଏକ ଶ୍ରଦ୍ଧାଞ୍ଜଳି-

ଇଂଲଣ୍ଡର ଇତିହାସରେ କ୍ୟାଣ୍ଟର୍‌ବାରିର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କେଣ୍ଟ ରାଜ୍ୟର ଏଇ ପ୍ରାଚୀନ ରାଜଧାନୀରୁ ହିଁ ଦକ୍ଷିଣ ଇଂଲଣ୍ଡରେ ଖ୍ରୀଷ୍ଟଧର୍ମର ପ୍ରସାର ଆରମ୍ଭ ହୋଇଥିଲା । ତାହା ଷଷ୍ଠ ଶତାଦ୍ଦୀର କଥା । ସେଣ୍ଟ ଅଗଷ୍ଟାଇନ କେଣ୍ଟର ରାଜାଙ୍କୁ ଖ୍ରୀଷ୍ଟିଆନ କରାଇଥିଲେ ଓ ତାଙ୍କରି ସ୍ମୃତିରେ ଏଠାରେ ପ୍ରତିଷ୍ଠିତ ହୋଇଥିଲା ଏକ ଗୀର୍ଜା—ପ୍ରଥମ ଇଂରେଜ ନିର୍ମିତ ଗୀର୍ଜା ।

କ୍ରମେ କ୍ୟାଣ୍ଟର୍‌ବାରି ହୋଇ ଉଠିଥିଲା ଇଂଲଣ୍ଡର ପ୍ରଧାନ ତୀର୍ଥ । କ୍ୟାଣ୍ଟର୍‌ବାରିର ଆର୍କବିଶପ୍ ହେଲେ ଇଂଲଣ୍ଡର ଧର୍ମମୁଖ୍ୟ ।

ଦ୍ଵାଦଶ ଶତାଦ୍ଦୀର କଥା । ବେକେଟ୍ ହେଲେ ଆର୍କବିଶପ । ସେତେବେଳେ ଇଂଲଣ୍ଡର ରାଜା ହେଲେ ଦ୍ଵିତୀୟ ହେନରୀ । ହେନରୀଙ୍କ ସହିତ ବେକେଟ୍‌ଙ୍କର ଥିଲା ନିବିଡ଼ ବନ୍ଧୁତା—ବେକେଟ୍ ଆର୍କବିଶପ ବନିବା ପୂର୍ବରୁ ଓ ହେନେରୀ ସିଂହାସନାରୋହଣ କରିବା ପୂର୍ବରୁ । କିନ୍ତୁ ଆର୍କବିଶପ ବନିବା ପରେ ପରେ ଉଭୟଙ୍କ ଭିତରର ସେ ନିବିଡ଼ ବନ୍ଧୁତା ପରିଣତ ହେଲା ନିବିଡ଼ ଶତ୍ରୁତାରେ ।

ରାଜା ଦିନେ ଅତ୍ୟନ୍ତ ଉତ୍ତେଜିତ ହୋଇ ବେକେଟଙ୍କ ବିରୁଦ୍ଧରେ ସଭାସଦ୍‌ବର୍ଗଙ୍କ ଆଗରେ ବିଷୋଦ୍‌ଗାର କରିବାକୁ ଲାଗିଲେ । ବିଷତକ ଉଦଗାରି ରାଜାଙ୍କର ଶାନ୍ତି ହେଲା ହୁଏତ; କିନ୍ତୁ ଏକ ଜାତୀୟ ବିଷରେ ଥାଏ ମାଦକତା । ସେଇ ମାଦକତାରେ ଉନ୍ମତ୍ତ ହୋଇ ଚାରିଜଣ ଅମାତ୍ୟ ସଙ୍ଗେ ସଙ୍ଗେ କ୍ୟାଣ୍ଟର୍‌ବାରି ଅଭିମୁଖେ ଘୋଡ଼ା ଛୁଟାଇ ଦେଲେ । ୬୫ ମାଇଲ ବ୍ୟାପି ଡିସେମ୍ବରର ଶୁଭ୍ର ବରଫ ଓ ଶୀତଳ ହାୱା ବି ସେମାନଙ୍କର ସେ ଉତ୍ତେଜନାକୁ ଶାନ୍ତ କରିପାରିଲା ନାହିଁ ।

କଦମ୍ ଥମିଲା କ୍ୟାଥିଡ୍ରାଲ ସମ୍ମୁଖରେ । ସେତେବେଳେ ସନ୍ଧ୍ୟା କ୍ୟାଥିଡ୍ରାଲ ଭିତରେ ଆଗନ୍ତୁକମାନଙ୍କର ଉଦ୍ଧତ ପଦ ଶବ୍ଦରେ ବିସ୍ମିତ ବେକେଟ୍ ପଛକୁ ଅନାଇ ଦେଇଥିବେ । ନିଷ୍ପ୍ରଭ ଆଲୁଅରେ ସେମାନଙ୍କୁ ଚିହ୍ନି ପାରିବା ପୂର୍ବରୁ ହିଁ ସେ ଅନୁଭବ କଲେ ସେମାନଙ୍କର ଉଦ୍ୟତ ଛୁରିକା-

ଏକ ବିଷର୍ଣ୍ଣ ଶୀତ ସନ୍ଧ୍ୟାରେ କ୍ୟାଥିଡ୍ରାଲ ଭିତରେ ଜଣେ ନିର୍ଭୀକ ଧର୍ମଯାଜକଙ୍କର ସେଇ ନିଷ୍ଠୁର ହତ୍ୟାର ସ୍ମୃତି ଜାତୀୟ ମାନସରୁ ଅଦ୍ୟାବଧି ଲୁପ୍ତ ହୋଇନାହିଁ । ଏ ଯୁଗର କବି ଟି. ଏସ୍. ଏଲିଅଟଙ୍କ ବିଖ୍ୟାତ ନାଟକ ‘Murder in the cathedral’ ରେ ତାହାର ପ୍ରତିଧ୍ଵନି । ଆଉ ଜଣେ ସମସାମୟିକ ଲେଖକ ଖ୍ରୀଷ୍ଟଫାର୍ ଫ୍ରାୟଙ୍କ ‘Curtmantle’ ନାଟକର ବିଷୟବସ୍ତୁ ମଧ୍ୟ ସେଇ ଐତିହାସିକ ସ୍ମୃତି । ଯେତେବେଳେ ରାଜା ହେନେରୀ ବନ୍ଧୁ ବେକେଟଙ୍କୁ ଆର୍କବିଶପ ବନାଇବାକୁ ଆଗ୍ରହୀ—ନିଜର ସୁବିଧା ହେବ ବୋଲି ମନେକରି—ସେତେବେଳେ ଖ୍ରୀଷ୍ଟଫାର୍ ଫ୍ରାୟଙ୍କ ନାଟକର ବେକେଟ୍ ତାଙ୍କୁ ଚେତାବନୀ ଶୁଣାଉଛନ୍ତି : “ଯେ କେହି ଧର୍ମଯାଜକ ହେବ, ସେ ଯଥାଶୀଘ୍ର ହୁଏ ତ କରିବ ତୁମର ବିରୋଧ—ନଚେତ୍‌ କରିବ ଭଗବାନଙ୍କ ବିରୋଧ । କାହିଁକି ଜାଣ-? ଧର୍ମ ଓ ରାଷ୍ଟ୍ର ଭିତରର ବିରୋଧ ବାସ୍ତବ ଓ ଜୀବନ୍ତ ଏବଂ ରହିଥିବ ଯୁଗେ ଯୁଗେ ଅବ୍ୟାହତ”-

 

ଘାତକମାନଙ୍କ ହାତରେ ବେକେଟ ନିହତ ହେବାର ସମ୍ବାଦ ବିଦ୍ୟୁତ୍ ବେଗରେ ଖେଳିଗଲା ଖ୍ରୀଷ୍ଟିଆନ ଜଗତ ବ୍ୟାପି । ପରେ ପରେ ପ୍ରଚାରିତ ହେଲା ନାନାଦି ଅଭିନବ ଘଟଣା–ବେକେଟ୍‌ଙ୍କ ଆତ୍ମା କୁଆଡ଼େ ଭକ୍ତମାନଙ୍କ ପାଇଁ ବହୁ ଅସମ୍ଭବ ସମ୍ଭବ କରୁଛି ।

 

ଅନୁତପ୍ତ ରାଜା ହେନ୍‌ରୀ କ୍ୟାଣ୍ଟର୍‌ବାରି ଯାଇ ଅବନତ ହୋଇ ବସିଲେ ବେକେଟ୍‌ଙ୍କ ସମାଧି ନିକଟରେ । ରାଜାଙ୍କ ଅନୁରୋଧରେ କ୍ୟାଥିଡ୍ରାଲ୍‌ର ସବୁ ପୁରୋହିତ ଜଣ ଜଣ କରି ତାଙ୍କ ପିଠିରେ ଚାବୁକ ପ୍ରହାର କଲେ ।

 

ଅବନତ ଶିର ରାଜା କରୁଥିଲେ ଅନର୍ଗଳ ଅଶ୍ରୁ ବିସର୍ଜନ । ସେ ଦୃଶ୍ୟରେ ସମବେତ ଜନତା ମଧ୍ୟ ଅଶ୍ରୁ ସମ୍ବରଣ କରି ପାରି ନ ଥିଲେ । ତା’ପରେ ପ୍ରାୟଶ୍ଚିତ୍ତ ଶେଷ କରି ରାଜା ଠିକ୍ କ୍ୟାଥିଡ୍ରାଲ ହାର ଦେଶକୁ ବାହାରି ଆସିଛନ୍ତି ସେତିକିବେଳେ ସୀମାନ୍ତରୁ ଆଗନ୍ତୁକ ଘୋଡ଼ସବାର୍ ଡଗରମାନେ ତାଙ୍କୁ ଅଭିବାଦନ ଜଣାଇ ଖବର ଦେଲେ : ପ୍ରତିବେଶୀ ଦେଶ ସହିତ ଇଂଲଣ୍ଡର ଯେଉଁ ସଙ୍କଟଜନକ ଯୁଦ୍ଧ ଚାଲିଥିଲା, ସେଥିରେ ଇଂଲଣ୍ଡ ହୋଇଛି ବିଜୟୀ !

 

ଅଶରୀରୀ ବେକେଟ୍‌ଙ୍କ ଆଶୀର୍ବାଦରୁ ହିଁ ଏହା ସମ୍ଭବ ହେଲା ବୋଲି ମନେକଲେ ରାଜା । କହିବା ବାହୁଲ୍ୟ, କ୍ୟାଣ୍ଟର୍‌ବାରି କ୍ୟାଥିଡ୍ରାଲ ଓ ବେକେଟ୍‌ଙ୍କ ସମାଧି ତେଣିକି ହୋଇଉଠିଲା ଏକ ଜନପ୍ରିୟ ତୀର୍ଥ ଓ ପର୍ଯ୍ୟଟନ କ୍ଷେତ୍ର ।

 

ଚୁନୀଭାଇ କାର୍ ଚଳାଉଥିଲେ । ମୋ ପାଖରେ ବସିଥିଲେ କିରୀଟ ଓ ଦିଲୀପ । ଦୁଇଜଣ ସୁସଂସ୍କୃତ, ବୁଦ୍ଧିଦୀପ୍ତ ଛାତ୍ରଙ୍କ ମଝିରେ ବସି ଚସର୍‌ଙ୍କ ‘କ୍ୟାଣ୍ଟର୍‌ବାରି ଟେଲ୍‌ସ’ ରଚନାର ପଟ୍ଟଭୂମି ବର୍ଣ୍ଣନା କରୁଥିଲି । କ୍ୟାଣ୍ଟର୍‌ବାରି ଯିବା ପଥରେ ନିଜ ଛାତ୍ରଙ୍କୁ ‘କ୍ୟାଣ୍ଟର୍‌ବାରି ଟେଲ୍‌ସ’ ବୁଝାଇବାର ସୁଯୋଗ ଏକ ଅଭାବନୀୟ ଅନୁଭୂତି । ଶିକ୍ଷକତା ବୃତ୍ତି ପାଇଁ ନିଜକୁ ସର୍ବଦା ଅଯୋଗ୍ୟ ମନେ କରି ଆସିଥିବା ଏ ଲେଖକ କେତେ ଘଣ୍ଟା ପାଇଁ ନିଜ ଜୀବନରେ ବୃତ୍ତିଟିର ସାର୍ଥକତା ଅନୁଭବ କରିପାରିଥିଲା ।

 

ଏ ଲେଖକ ଛାତ୍ର ଥିବା ବେଳେ ‘କ୍ୟାଣ୍ଟର୍‌ବାରି ଟେଲ୍‌ସ’ର କିୟଦଂଶ ପାଠ୍ୟ ଥିଲା । ଛଅ ଶତାଦ୍ଦୀ ତଳର ଇଂରାଜୀ ଭାଷା ଖୋଦ୍ ଇଂରେଜ ଛାତ୍ର ପକ୍ଷରେ ମଧ୍ୟ ଜଟିଳ । ଅଧ୍ୟାପକଙ୍କଠୁଁ ଷ୍ଟ୍ରାଟେଜିକ ଦୁରତ୍ଵ ବଜାୟ ରଖି ବସୁଥିବା ସେ ଦିନର ଏ ‘ସୌଖୀନ’ (amateur ଅର୍ଥରେ) ଛାତ୍ର ସେଥିରୁ ବା କେତେ ଦୂର ରସ ଆସ୍ଵାଦନ କରି ପାରିଥାନ୍ତା ! ଇଂଲଣ୍ଡର କଲେଜ ମହଲରେ ଏକ ମଜା କଥା ପ୍ରଚଳିତ ଅଛି ! ଶିକ୍ଷକ ପଚାରିଲେ, “ଜାଣ ପିଲେ ଚସର୍‌ଙ୍କ କବିତା ପୃଥିବୀର କେତେ ଭାଷାରେ ଅନୁବାଦ ହେଲାଣି” ? ଉତ୍ତର ମିଳିଲା, “ଗୁଡ଼ାଏ ଭାଷାରେ ହେବଣି, ସାର୍ ! କିନ୍ତୁ ଇଂରାଜୀରେ କେହି କରୁନାହାନ୍ତି କାହିଁକି” ?

 

ସେ ଯୁଗର ଦୁର୍ବୋଧ ଇଂରାଜୀ (ଆଜିର Such ସେତେବେଳେ ଥିଲା Swich, Then ଥିଲା Thanne ଓ Wife ଥିଲା Wif)ରେ ଲିଖିତ ‘କ୍ୟାଣ୍ଟର୍‌ବାରି ଟେଲ୍‌ସ’ର କେତେ ସରଳିକୃତ ଗଦ୍ୟ ଓ ପଦ୍ୟ ସଂସ୍କରଣ ପ୍ରକାଶ ପାଇଲାଣି । ଏ ଲେଖକ କିନ୍ତୁ ଛାତ୍ରୋତ୍ତର ଜୀବନରେ ଯେତେଥର ସେ ମୂଳ ଦୁର୍ବୋଧ୍ୟ କବିତା ପଢ଼ିଛି, ସେତିକି ଅଧିକରୁ ଅଧିକ ମୋହିତ ହୋଇଛି ।

 

କିରୀଟ ଓ ଦୀଲୀପ୍‌ଙ୍କ କୌତୂହଳ ମେଣ୍ଟାଇ ଚାଲିଥିଲି : ଚତୁର୍ଦ୍ଦଶ ଶତାଦ୍ଦୀରେ କ୍ୟାଣ୍ଟର୍‌ବାରି ଯାତ୍ରା ଥିଲା ଖ୍ରୀଷ୍ଟିଆନ ଜୀବନର ଏକ ବିଶେଷ ଘଟଣା । ଅବଶ୍ୟ କିଏ ବା ଯାଉଥିଲା ଭ୍ରମଣ-ବିଳାସ ପାଇଁ; କିଏ ହୁଏ ତ ଯାଉଥିଲା ନିଜ ସୀମିତ ସମାଜରେ ତୀର୍ଥ-ପ୍ରତ୍ୟାଗତର ମର୍ଯ୍ୟାଦା ଲାଭ ପାଇ; କେହି କେହି ବା ସତକୁ ସତ ଯାଉଥିଲେ ତୀର୍ଥ ଦର୍ଶନର ପବିତ୍ର ପ୍ରେରଣାର ବଶବର୍ତ୍ତୀ ହୋଇ । ଏ ସମସ୍ତ ପ୍ରକାର ଚରିତ୍ର ସମାବେଶରେ ଏକ ତେତିଶ ଜଣିଆ ତୀର୍ଥଯାତ୍ରୀ ଦଳର କଳ୍ପନା କରିଛନ୍ତି ଚସର୍ । ପ୍ରଥମ ବସନ୍ତର ମାଦକତା ଭରା ବାତାବରଣ ଭିତରେ ସେ ଯାତ୍ରା ଯେପରି ଆହୁରି ମଧୁମୟ ହେବ, ସେଥି ସକାଶେ ପ୍ରତ୍ୟେକ ଯାତ୍ରୀ ଚାରିଗୋଟି ଲେଖାଏଁ କାହାଣୀ କହିବାକୁ ପ୍ରତିଶ୍ରୁତ ହୋଇଛନ୍ତି । ଅବଶ୍ୟ ସେଇ ପ୍ରସ୍ତାବିତ କାହାଣୀମାଳାର ଏକ ପଞ୍ଚମାଂଶ ମାତ୍ର ଲେଖି ଯାଇଛନ୍ତି ଚସର୍ ଏବଂ ଲେଖିଯାଇଛନ୍ତି ଏକ ଅନବଦ୍ୟ ପୂର୍ବ-କଥନ (Prologue) । ବିବୃତ କାହାଣୀମାନ ଯେତିକି ଚମତ୍କାର, ସେତିକି ତାତ୍ପର୍ଯ୍ୟପୂର୍ଣ୍ଣ ସେଇ ସବୁ କାହାଣୀର ବକ୍ତା ବକ୍ତ୍ରୀମାନଙ୍କର ସଂକ୍ଷିପ୍ତ ଚରିତ୍ର ଚିତ୍ରଣ ।

 

“ଇତିହାସ ଶୁଣିଲୁଁ, ଏଥର କାହାଣୀ କୁହନ୍ତୁ”—ବରାଦ କରିଥିଲେ ଦିଲୀପ ଓ କିରୀଟ । ଶତ ଶତ ବର୍ଷ ପୂର୍ବେ ଚସର୍‌ଙ୍କ କଳ୍ପନା ଅନୁସାରେ ଯେଉଁ ପଥରେ ସେ ସବୁ କାହାଣୀ ବର୍ଣ୍ଣିତ ହୋଇଥିଲା, ସେଇ ପଥରେ ସେ କାହାଣୀର ପୁନରୁଚ୍ଚାରଣ ପାଇଁ ମୋର ଆପତ୍ତି ନ ଥିଲା—ବିଶେଷତଃ ମୋର ଯେଉଁ ଦୁଇ ତିନୋଟି ପ୍ରିୟ କାହାଣୀ ସୁଯୋଗ ପାଇବା ମାତ୍ରେ ମୁଁ କହିଥାଏ :

 

କାହିଁ କେଉଁ ପୁରାକାଳର କଥା । ଗ୍ରାମର ନିଛାଟିଆ ପ୍ରାନ୍ତରେ, ବଣକୁ ଲାଗି କୁଡ଼ିଆ ଘରେ ଥାଏ ବୁଢ଼ୀଟିଏ । ବୁଢ଼ୀର ଥିଲେ ଗୁଡ଼ାଏ କୁକୁଡ଼ା । ତହିଁ ମଧ୍ୟରେ ଯିଏ କୁକ୍‌କୁଟ-ପୃଙ୍ଗବ, ନାମ ତାର ଚଣ୍ଟିକ୍ଳିଆର୍ ।

 

ଏକଦା ରାତିରେ ଦୁଃସ୍ଵପ୍ନଟିଏ ଦେଖିଲା ଚଣ୍ଟିକ୍ଳିଆର୍ —ଯେମିତିକି ତାର ପ୍ରାଣ ହରଣ ସକାଶେ ଅପେକ୍ଷା କରିଛି କୌଣସି କ୍ରୂର ଘାତକ । ପ୍ରଭାତରେ କୁକ୍‌କୁଟବରକୁ ବିମର୍ଷ ଦେଖି ତାର ପଟ୍ଟପତ୍ନୀ ମାଦାମ ପାତିଲୋତି ହେତୁ ପୃଚ୍ଛା କରନ୍ତେ ଚଣ୍ଟିକ୍ଳିଆର୍ ଦେଲା ତାର ଭୟାବହ ସ୍ଵପ୍ନର ବର୍ଣ୍ଣନା ।

 

ମାଦାମ କିନ୍ତୁ ଥିଲେ ନିହାତି ବସ୍ତୁବାଦୀ । ସ୍ଵପ୍ନ ଫପ୍ନର କୌଣସି ତାତ୍ପର୍ଯ୍ୟ ନାହିଁ ବୋଲି ମତ ଦେଇ, କେଉଁ କେଉଁ ବିଶେଷ ପୋକ ଜୋକ ପଥ୍ୟ କଲେ ଦେହ ମନର ବିକାର ଦୂର ହେବ ଓ ଫଳରେ ଦୁଃସ୍ଵପ୍ନ ବନ୍ଦ ହେବ, ମାଦାମ୍ ତାର ନିଦାନ ଦେଲେ ।

 

କିନ୍ତୁ ଅତଃପର ବୁଦାଟିଏ ଆଢ଼ୁଆଳରେ ଯୋଡ଼ିଏ ରକ୍ତାଭ, ଲୋଭାତୁର ଆଖି ତା ଉପରେ ନିବଦ୍ଧ ଥିବାର ଦେଖି ଚଣ୍ଟିକ୍ଳିଆର୍ ଚିତ୍କାର କରି ପଳାଇ ଯିବାବେଳକୁ ସେ ଆଖିଯୋଡ଼ିକ ଯାହାର, ସାର୍ ରାସେଲ୍ ନାମଧାରୀ ସେହି ଶୃଗାଳପ୍ରବର କହିଲେ, “ଆହା, ଆହା, ଯାଉଛ କୁଆଡ଼େ ? ପିତୃବନ୍ଧୁକୁ ଚିହ୍ନି ମଧ୍ୟ ପାରୁନ ? ତମ ସ୍ଵର୍ଗତ ପିତୃଦେବ ଗୀତ ବୋଲୁଥାନ୍ତି, ମୁଁ ଶୁଣୁଥାଏ । ହାୟ ! ସେ ଦିନ ଆଉ ଆସିବ ନାହିଁ । ତମ ସ୍ଵର ବି ଖୁବ୍ ମଧୁର ଅବଶ୍ୟ; ତେବେ ତୁମ ବାପାଙ୍କର ବିଶେଷତ୍ଵ ଥିଲା—ସେ ଆଖି ବୁଜି ପୂରା ମଜ୍ଜିଯାଇ ଗୀତ ବୋଲୁଥିଲେ ।”

 

“ମୋତେ ବି ଆଖି ବୁଜି ଗୀତ ବୋଲି ଆସେ”—କହିଲା ଉତ୍ସାହୀ ଚଣ୍ଟିକ୍ଳିଆର୍ । କହିବା ବାହୁଲ୍ୟ, ସେ ଆଖି ବୁଜିବା ମାତ୍ରେ ଶୃଗାଳ ତା ଉପରକୁ ଡେଇଁ ପଡ଼ି ତାକୁ କାମୁଡ଼ି ଧରି ବଣ ଭିତରକୁ ପଳାଇବାକୁ ଲାଗିଲା ।

 

ସେ ହୃଦୟବିଦାରକ ଦୃଶ୍ୟ ଦେଖିପକାଇଲେ ଅଦୂରରୁ ମାଦାମ୍ ପାତିଲୋତି । ସେ ଚିତ୍କାର କରିଉଠିଲେ—ଚିତ୍କାର କଲେ ତାଙ୍କ ସଖିଗଣ । ଟ୍ରୟ ନଗରୀର ପତନବେଳେ ଦୁର୍ଗସ୍ଥ ଅନ୍ତଃପୁରବାସିନୀମାନେ ସେଭଳି ମର୍ମନ୍ତୁଦ ଆର୍ତ୍ତନାଦ କରିନଥିବେ !

 

ସେମାନଙ୍କ ମାଲିକାଣୀ ବୁଢ଼ୀ ଦୌଡ଼ିଆସି ଶୃଗାଳର ଅନୁଧାବନ କଲା । ପଛେ ପଛେ ଦୌଡ଼ିଲେ ବୁଢ଼ୀର ଝିଅ—କୁକୁର—ବିଲେଇ—ପ୍ରତିବେଶୀବର୍ଗ ।

 

ଟିକିଏ ପ୍ରକୃତିସ୍ଥ ହେବା ଉତ୍ତାରୁ ଚଣ୍ଟିକ୍ଳିଆର୍ କହିଲା, “ସାର୍ ରାସେଲ ! ଆପଣ ଥରେ ଏ ବୁଦ୍ଦୁମାନଙ୍କୁ କହିଦେଉ ନାହାନ୍ତି କାହିଁକି ଯେ ଆପଣଙ୍କୁ ଜବଦ କରିବାର ଚେଷ୍ଟା ଧୃଷ୍ଟତା ମାତ୍ର !”

 

“ଠିକ କଥା, ମୁଁ ସେଇଆ କହିଦେବି !” କହିଲା ଶୃଗାଳ ।

 

ଶୃଗାଳ ପାଟି ଫିଟାଇବା ମାତ୍ରେ ଚଣ୍ଟିକ୍ଳିଆର୍ ଖସିଯାଇ ଗୋଟାଏ ଗଛ ଉପରେ ଚଢ଼ି ବସିଲା । ନିଜର ଭୁଲ ବୁଝିପାରି ଶୃଗାଳ କହିଲା, “ବତ୍ସ ! ମୋତେ ବୋଧହୁଏ ଭୁଲ ବୁଝିଲ । ମୁଁ ତମକୁ ତରବରରେ ନେଇଯାଉଥିଲି ସତ୍ୟ; କିନ୍ତୁ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା । ଓହ୍ଲାଇ ଆସ । ଏଥର ଧୀରେ ସୁସ୍ଥେ ଯିବା ।”

 

ଚଣ୍ଟିକ୍ଳିଆର୍ କହିଲା, “ଆଉ ବାକ୍ୟବ୍ୟୟ କରି ଲାଭ ନାହିଁ । ମୋତେ ଧିକ୍ ! ଯେତେବେଳେ ଏକାନ୍ତ ଜାଗ୍ରତ ରହିବା କଥା, ସେତିକିବେଳେ ଯାହା ମୁଁ ଆଖି ବୁଜିଲି !”

 

ଦୀର୍ଘ ନିଃଶ୍ଵାସ ଛାଡ଼ି ଶୃଗାଳ କହିଲା, “ମୋତେ ଧିକ୍ ! ଯେତେବେଳେ ମୁହଁ ବନ୍ଦ ରଖିବା କଥା, ସେତିକିବେଳେ ଯାହା ମୁଁ ଅଯଥା କଥା କହିଲି !”

 

“ଚମତ୍କାର ! ଅବଶ୍ୟ ଆମେ ଏଇଟା ପଢ଼ିଥିଲୁ” । କହିଲେ ଦିଲୀପ ଓ କିରୀଟ ।

 

“ପଢ଼ିଥିଲ ? ମୁଁ ତେବେ କାହିଁକି ଗପୁଥିଲି ?”

 

“ଶୁଣିବାକୁ କିନ୍ତୁ ବହୁତ ଭଲଲାଗିଲା । ଆଉ ଗୋଟାଏ ହେଉ ।”

 

ଏକ ନଗରରେ ଥିଲେ ତିନିଜଣ ଧନୀକ ପୁତ୍ର । ତିନି ବନ୍ଧୁ । ସକାଳୁ ହେଲେ ଯାଇ ବସନ୍ତି ଗୋଟାଏ ପାନ୍ଥଶାଳାରେ । ମଦ ପିଇ, ଅନ୍ୟକୁ ସମାଲୋଚନା କରି ଦିନଯାଏ ।

 

ହଠାତ୍ ଦିନେ ସେମାନେ ଶୁଣିଲେ ଏକ ବିଚିତ୍ର ଘୋଷଣା । ସହର ଉପକଣ୍ଠସ୍ଥ ଅରଣ୍ୟ ଭିତରେ ଉପନୀତ ଏକ ଭୟଙ୍କର ଦାନବ । ନିଶାର୍ଦ୍ଧରେ ସେ ପ୍ରବେଶ କରେ ନଗରୀ ଭିତରେ । ଧନୀ, ଗରିବ, ଭୃତ୍ୟ, ଅମାତ୍ୟ, ଯାହାକୁ ପାଏ ତାକୁ ହତ୍ୟା କରେ ।

 

ରାଜାଙ୍କ ଘୋଷଣା : ଯିଏ ପାରିବ ସେଇ ଦାନବକୁ ମାରି ସେ ପାଇବ ଅର୍ଦ୍ଧେକ ରାଜ୍ୟ । “ଆମଠୁଁ ବଳି ବୀର କିଏ ?” ତିନିବନ୍ଧୁ ବିଚାରିଲେ ଓ ପ୍ରବେଶ କଲେ ଅରଣ୍ୟ ଭିତରେ ।

 

ଅରଣ୍ୟ ଭିତରେ ସେମାନେ ନିର୍ଦ୍ଦେଶ ପାଇଲେ—ନିଘଞ୍ଚ ଅଞ୍ଚଳରେ ଏକ ଅନ୍ଧକାର ଗୁମ୍ଫା ମଧ୍ୟରେ ଦାନବ ଶାୟୀତ । ସୁବର୍ଣ୍ଣ ସୁଯୋଗ । ଏତିକିବେଳେ ତାକୁ ନିଧନ କର ।

 

ଶିହରିତ ବନ୍ଧୁତ୍ରୟ ଉଭାହେଲେ ଯାଇ ଗୁମ୍ଫା ସମ୍ମୁଖରେ । ତା’ପରେ ଅସ୍ତ୍ର ଶସ୍ତ୍ର ଉଦ୍ୟତ କରି, ସତର୍କ ପଦକ୍ଷେପରେ ଯାଇ ଗୁମ୍ଫା ଭିତରକୁ ଦୃଷ୍ଟିପାତ କରନ୍ତେ ସେମାନଙ୍କ ଚକ୍ଷୁ ହେଲା ଝଲସିତ । ଗୁମ୍ଫା ଭିତରେ ମୋତିମାଣିକ୍ୟର ବିପୁଳ ସମାବେଶ ।

 

ଦାନବ କଥା ସେମାନେ ପାଶୋରି ଦେଲେ । ପ୍ରଶ୍ନ ହେଲା—କିଭଳି ସେହି ବିପୁଳ ଧନ ନିଜ ନିଜ ଘରକୁ ବୋହିନେବେ । ଦିବାଲୋକରେ ନେବା ବିଜ୍ଞତାର କାର୍ଯ୍ୟ ହେବ ନାହିଁ । ଅତଏବ ଅନ୍ଧକାର ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ।

 

ଖାଦ୍ୟ, ପାନୀୟ ଓ ଗୋଟିଏ ଶକଟ ଆଣିବା ପାଇଁ କନିଷ୍ଠତମ ବନ୍ଧୁଟି ସହରକୁ ପ୍ରେରିତ ହେଲା । ସେ ଯିବା ମାତ୍ରେ ଅନ୍ୟ ଦୁଇଜଣ ପରସ୍ପର ପରାମର୍ଶ କଲେ : ଧନକୁ ତିନିଭାଗ ନ କରି ଆମେ ଦୁହେଁ ଦୁଇଭାଗ କରି ବାଣ୍ଟିନେଲେ ତ ଚଳିବ !

 

ପ୍ରସ୍ତାବ ଅନୁସାରେ କାର୍ଯ୍ୟକ୍ରମ ସ୍ଥିର ହୋଇ ରହିଲା । ସୂର୍ଯ୍ୟାସ୍ତର ଅବ୍ୟବହିତ ପରେ ତୃତୀୟ ବନ୍ଧୁ ଶକଟ ଆରୋହଣ ଗୀତ ବୋଲି ବୋଲି ସେଠାରେ ପହଞ୍ଚିବା ମାତ୍ରେ ପ୍ରତୀକ୍ଷାରତ ବନ୍ଧୁଦ୍ୱୟ ତାକୁ ଅତର୍କିତ ଆକ୍ରମଣ କରି ହତ୍ୟା କଲେ ।

 

ଏହା ପରେ ଶକଟରେ ମୋତିମାଣିକ୍ୟ ବୋଝେଇ କରିବା କଥା । କିନ୍ତୁ ତାହା ପୂର୍ବରୁ ସାରା ଦିନର କ୍ଷୁଧାତୃଷା ମେଣ୍ଟାଇବା ଲାଗି ପରଲୋକଗତ ବନ୍ଧୁ ଏଡ଼େ ସରାଗରେ ଆଣିଥିବା ଖାଦ୍ୟ ପେୟର ସଦ୍‌ବ୍ୟବହାର କରିବାକୁ ବସିଲେ ଦୁଇ ବନ୍ଧୁ ।

 

ପରଲୋକଗତ ବନ୍ଧୁଟି ବୟସରେ କନିଷ୍ଠ ଥିଲେ; କିନ୍ତୁ ଚତୁରତାରେ ନୁହେଁ । ସିଏ ବି ଭାବିଥିଲା : ସମସ୍ତ ଧନର ଅଧିକାରୀ ମୁଁ ଏକା ନ ହେବି କାହିଁକି ? ଯଥା ଚିନ୍ତା ତଥା କାର୍ଯ୍ୟ । ଖାଦ୍ୟ ପେୟରେ ସେ ମିଶାଇଥିଲା ତୀବ୍ରତମ ବିଷ ।

 

ସୂର୍ଯ୍ୟ ଅସ୍ତ ଗଲେ । ତିନିବନ୍ଧୁଙ୍କ ମୃତଦେହକୁ ଗ୍ରାସ କଲା ଅରଣ୍ୟର ଆଦିମ ଅନ୍ଧକାର ।

 

ସେମାନେ ଯାଇଥିଲେ ଦାନବର ଅନ୍ଵେଷଣରେ । ଅଥଚ ପ୍ରକୃତ ଦାନବ ଥିଲା ନିଜ ଭିତରେ—ନିଜ ନିଜର ଲୋଭ ଓ ପ୍ରତାରଣାର ଛଦ୍ମବେଶରେ ।

 

ଚସର୍‌ଙ୍କ କାହାଣୀରେ ଏଇ ଦାନବର ତାତ୍ପର୍ଯ୍ୟପୂର୍ଣ୍ଣ ନାମ ‘ମୃତ୍ୟୁ’ ।

 

ଦୂରରୁ କ୍ୟାଣ୍ଟର୍‌ବାରିର ବିଶାଳ କ୍ୟାଥିଡ୍ରାଲ୍ ଦେଖାଗଲା । ଅଚିରେ ଆମେ ସହର ଭିତରେ ପହଁଞ୍ଚିଲୁ । ‘ଏଇଠି ଦେଖ ମାର୍ଲୋ ଥିଏଟର୍‌ ।’ ମାର୍ଲୋ ସେକ୍‌ସପିଅରଙ୍କ ସମସାମୟିକ ନାଟ୍ୟକାର । ମାତ୍ର ୨୯ ବର୍ଷ ବୟସରେ ଦିନେ ରାତିରେ ମଦ୍ୟଶାଳାରେ ଜଣେ ସାଥି ସହିତ କଳହ କରି ମାତାଲ୍ ସାଥିଟିର ଛୁରା ମାଡ଼ରେ ପ୍ରାଣ ଦେଲେ ଅସାମାନ୍ୟ ପ୍ରତିଭାଧର ମାର୍ଲୋ ।

 

କିନ୍ତୁ କେହି କେହି କହନ୍ତି—ମାର୍ଲୋ ନିହତ ବୋଲି ମିଛ ଖବର ଜାଣି ଜାଣି ପ୍ରଚାର କରାଯାଇଥିଲା । ମାର୍ଲୋ ବହୁବର୍ଷ ବଞ୍ଚିଥିଲେ । ବହୁତ ନାଟକ ବି ଲେଖିଥିଲେ । ସେସବୁ ନାଟକ ଚାଲୁ ହେଲା ସେକ୍‌ସପିଅର୍‌ଙ୍କ ନାମରେ । ସେ କଥା ପରେ ।

Image

 

ପରିଚ୍ଛେଦ : ନଅ

ଅନେକ ସେକ୍‌ସପିଅର ! (୧)

 

ଅପେକ୍ଷାକୃତ ଉଜ୍ଜ୍ଵଳ ଏକ ଜୁଲାଇ ପ୍ରଭାତରେ ଲଣ୍ଡନର ଏକାନବେ ମାଇଲ ଉତ୍ତର-ପଶ୍ଚିମକୁ ଅବସ୍ଥିତ ଗୋଟିଏ ଛୋଟିଆ ସହରର ଅନତିପ୍ରଶସ୍ତ ପଥ ଉପରେ ଛିଡ଼ାହୋଇ ଚାରିଶହ ବର୍ଷରୁ ଅଧିକ ପୁରୁଣା ପରିପାଟୀହୀନ ଏକ ଦ୍ଵିତଳ କୋଠାକୁ ଅନାଇଥିଲି—ଅନାଇଥିଲେ ଦୂରାଗତ ଆହୁରି କେତେକ ପର୍ଯ୍ୟଟକ ।

 

୧୮୦୬ ମସିହାରେ ଜଣେ ଭଦ୍ରଲୋକ ଘରଟିକୁ ମାତ୍ର ଦୁଇଶହ ଦଶ ପାଉଣ୍ଡ ବିନିମୟରେ କିଣିଥିଲେ । ମୋ ପକେଟରେ ଥିଲା ତାର ଦୁଇଗୁଣ ପରିମାଣ ଅର୍ଥ । କିନ୍ତୁ ନା, ତାର ଦୁଇଗୁଣର ଦୁଇଗୁଣ, ଏପରିକି ସେ ବର୍ଷଯାକ ଯେତେ ଆଗନ୍ତୁକ ସେ ଘରକୁ ବିସ୍ମୟ-ପୁଲକ-ଭରା ନୟନରେ ନିରୀକ୍ଷଣ କରିଥିଲେ, ସେ ସମସ୍ତଙ୍କ ସମ୍ବଳର ଦୁଇଗୁଣ ଦେଇ ମଧ୍ୟ ଏ ଘର କିଣି ହେବ ନାହିଁ । ଏବଂ ଆପଣଙ୍କ ଅବଗତି ନିମନ୍ତେ : ବର୍ଷକୁ ହାରାହାରି ତିନିଲକ୍ଷ ପଚାଶ ହଜାର ବ୍ୟକ୍ତି ସେ ଘର ଦର୍ଶନ କରିବାକୁ ଆସିଥାନ୍ତି !

 

ସେ ଘରେ ଜନ୍ମଗ୍ରହଣ କରିଥିଲେ ଉଇଲିୟମ ସେକ୍‌ସପିଅର—୧୫୨୪ ମସିହାର ଏପ୍ରିଲ ମାସର ସମ୍ଭବତଃ ୨୩ ତାରିଖ ଦିନ । ୫୨ ବର୍ଷ ଉତ୍ତାରୁ ପୁଣି ଏକ ଏପ୍ରିଲ ୨୩ ରେ ତାଙ୍କର ଦେହାନ୍ତ ହୋଇଥିଲା ।

 

ମାତ୍ର ପନ୍ଦର ହଜାର ସରିକି ସ୍ଥାୟୀ ବାସିନ୍ଦା ସମାବିଷ୍ଟ ସହର ଷ୍ଟ୍ରାଟ୍-ଫୋର୍ଡ । ମଝିରେ ପ୍ରବାହିତା ସୁକୁମାରୀ ନଦୀ ଆଭନ୍ । ପ୍ରଶସ୍ତ ପାର୍କ, ଉନ୍ନତ ତରୁରାଜି ଏବଂ ସେକ୍‌ସପିୟର-ନାଟକମାଳା-ପରିବେଷଣ ପଟୁ ଏକ ଥିଏଟର୍ ସମନ୍ଵିତ ଏ ସହର ସୁନ୍ଦର, ଅଥଚ ସଦା ଚଳଚଞ୍ଚଳ-

 

“ଏଇ ସେଇ ପାର୍କ—ଯାହା ଏକଦା ଥିଲା ଜଣେ ସ୍ଥାନୀୟ ଜମିଦାରଙ୍କ ସମ୍ପତ୍ତି । କିଶୋର ସେକ୍‌ସପିଅର ଦିନେ ୟା ଭିତରୁ କୁକୁଡ଼ାଟିଏ (ମତାନ୍ତରେ ଛେଳି !) ଚୋରୀ କରି ଧରାପଡ଼ିଥିଲେ । ନିର୍ଯାତନାରୁ ତ୍ରାହି ପାଇବା ପାଇଁ ରାତାରାତି ବାହାରି ପଳାଇଥିଲେ ଲଣ୍ଡନ ଅଭିମୁଖେ । ସେଠାରେ ଜୀବନ-ସଂଗ୍ରାମ ଭିତରେ କେତେବେଳେ ସ୍ଫୁରିତ ହୋଇଥିଲା ଅସାମାନ୍ୟ ପ୍ରତିଭା । କୁକୁଡ଼ାଚୋର ପଳାତକ କିଶୋର ଭିତରୁ ହେଲା ମହାନ୍ ନାଟ୍ୟକାର ଓ କବି ସେକ୍‌ସପିଅରଙ୍କ ଅଭ୍ୟୁଦୟ,” କିରୀଟ ଓ ଦିଲୀପଙ୍କୁ କହୁଥିଲି, “ସେଇ ଦିନଠୁ ଆଜି ଭିତରେ କେତେ ଲୋକ କେତେ କୁକୁଡ଼ା ଚୋରି କରିବେଣି; କିନ୍ତୁ ହାୟ ! ଦ୍ଵିତୀୟ ସେକ୍‌ସପିଅରଟିଏ ଯାହା ସମ୍ଭବ ହେଲା ନାହିଁ !”

 

ମାତ୍ର ୫୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ଏଇ କାଳଜୟୀ ପ୍ରତିଭା । ଯିମିତି ମୃତ୍ୟୁର କିଛିକାଳ ପୂର୍ବରୁ ମହାନ୍ ନାଟ୍ୟକାର ଜୀବନ-ନାଟ୍ୟର ଆସନ୍ନ ଯବନିକା ପତନ ସମ୍ପର୍କରେ ଆଭାସ ପାଇଯାଇଥିଲେ ! The Tempest ତାଙ୍କର ଶେଷ ନାଟକ ବୋଲି ଯେଉଁମାନେ ବିଶ୍ଵାସ କରନ୍ତି, ସେମାନେ ସେ ନାଟକର ପ୍ରବୁଦ୍ଧ ଚରିତ୍ର ପ୍ରୋସ୍ପାରୋ ଭିତରେ ଦେଖନ୍ତି ସେକ୍‌ସପିଅରଙ୍କ ଅନ୍ତିମ ମାନସର କେତୋଟି ଝଲକ ।

 

ଏକ ଜନଶୂନ୍ୟ ଦ୍ଵୀପର ସ୍ଵପ୍ନ-ସମ୍ଭବ ପରିବେଶ ଭିତରେ, ଆରିଏଲ୍, କାଲିବାନ୍ ଭଳି ବିଚିତ୍ର ଜୀବମାନଙ୍କ ଗ୍ରହଣରେ ଜୀବନର ବିପୁଳାଂଶ କଟାଇଛି ପ୍ରୋସ୍ପାରୋ—ଯିମିତି କଟାଇଛନ୍ତି ସେକ୍‌ସପିଅର୍ ତାଙ୍କ ସ୍ଵପ୍ନ, କଳ୍ପନାର କାବ୍ୟଦ୍ଵୀପ ଭିତରେ, ଆପଣା ସୃଷ୍ଟି ଅପୂର୍ବ ଚରିତ୍ରମାନଙ୍କ ଗହଣରେ । ନିଃସଙ୍ଗ ଜୀବନଯାତ୍ରା ଭିତରେ ପ୍ରୋସ୍ପାରୋର ଏକମାତ୍ର ପୁଲକର ଉତ୍ସ କନ୍ୟା ମିରାଣ୍ଡା—ସେକ୍‌ସପିଅରଙ୍କ ଜୀବନରେ ଯିମିତି ତାଙ୍କ ନିଜସ୍ଵ ସୃଜନୀ କଳା । ସମସ୍ତ ଶତ୍ରୁଙ୍କୁ କ୍ଷମା କରିଛି ପ୍ରୋସ୍ପାରୋ—ପରିପକ୍ଵ ଅଭିଜ୍ଞତା-ସଞ୍ଜାତ ସମତାବୋଧ ଦ୍ଵାରା ତାଙ୍କ ପ୍ରତିଦ୍ଵନ୍ଦୀ ଓ ଈର୍ଷ୍ୟୁକମାନଙ୍କୁ ଯେପରି କ୍ଷମା କରିଥିବେ ସେକ୍‌ସପିଅର । ତନୁଜା ମିରାଣ୍ଡାକୁ ଚତୁର ସତର୍କତା ଓ ଏକାଗ୍ର ମମତା ଭିତରେ ବଢ଼ାଇ ଆଣି ପ୍ରୋସ୍ପାରୋ ଅବଶେଷରେ ସୁଯୋଗ୍ୟ ପାତ୍ର ହାତରେ ତାକୁ ସମର୍ପି ଦେଇ ଦାୟିତ୍ଵମୁକ୍ତ ହୋଇଛି—ଯିମିତି ସେକ୍‌ସପିଅର ତାଙ୍କ ପ୍ରତିଭା-ସଞ୍ଜାତ କଳାକୃତିର ଭବିଷ୍ୟତ ସମ୍ପର୍କରେ ନିଶ୍ଚିନ୍ତ ହୋଇ ଅବସର ଗ୍ରହଣ କରିଛନ୍ତି । ପ୍ରୋସ୍ପାରୋ ତାର ଯାଦୁକାଠି ପୋତି ପକାଇ ଧର୍ମ ଚିନ୍ତାରେ ମନୋନିବେଶ କରିବାର ସଂକଳ୍ପ କରିଛି—ଯିମିତି ସେକ୍‌ସପିଅର ତାଙ୍କ ଯାଦୁ-କଲମକୁ ଅବ୍ୟାହତି ଦେଇ ଶେଷ କିଛିଦିନ ପରଲୋକ ଚିନ୍ତା କରିଛନ୍ତି ।

 

ପରଲୋକ ସମ୍ପର୍କରେ ସେ ଯେ ଯଥେଷ୍ଟ ଚିନ୍ତା କରିଥିଲେ, ଏଥିରେ ସନ୍ଦେହ ନାହିଁ । ଷ୍ଟ୍ରାଟ୍‌ଫୋର୍ଡର ହୋଲି ଟ୍ରିନିଟି ଗୀର୍ଜାର ମରାମତି ପାଇଁ ବିପୁଳ ଅର୍ଥଦାନ କରି ଗୀର୍ଜାର ସବୁଠୁ ମୂଲ୍ୟବାନ ସ୍ଥାନଟି ତାଙ୍କ ନିଜ କଥା ବଂଶର ଅନ୍ୟମାନଙ୍କ ସମାଧି ପାଇଁ ରିଜର୍ଭ କରି ନେଇଥିଲେ ।

 

ସେ ଯୁଗରେ ସଦ୍ୟମୃତ ନର ନାରୀଙ୍କୁ ସମାଧି ଦେବା ପାଇଁ ଉପଯୁକ୍ତ ସ୍ଥାନର ଅଭାବ ହେଲେ ପୁରୁଣା ସମାଧିମାନ ଖୋଳି ତାଡ଼ି ତନ୍ମଧ୍ୟସ୍ଥ ଧ୍ଵଂସାବଶେଷକୁ ଫୋପାଡ଼ି ଦିଆଯାଉଥିଲା । ସେଇ ଆଶଙ୍କାରେ ସେକ୍‌ସପିଅର ନିଜ ସମାଧି-ଶୀଳା ଉପରେ ଏଇ ଚାରି ଧାଡ଼ି ନିବେଦନ ତଥା ଚେତାବନୀ ଖୋଦିତ କରିବାର ବ୍ୟବସ୍ଥା କରି ଯାଇଥିଲେ—

 

Good friends, for Jesus’ sake forbear

To dig the dust enclosed here.

Blessed be the man that spares these stones.

And cursed be he that moves by bones.

 

ଅର୍ଥାତ୍‌

 

ହେ ବନ୍ଧୁ, ରହିଲା ଦ୍ୱାହି ଯୀଶୁଙ୍କ ନାମରେ

ତାଡ଼ି ପକାଇବ ନାହିଁ ଏ ମୋ ସମାଧିରେ

ଏକଥା ମାନିବ ଯିଏ ହେଉ ତା’ ମଙ୍ଗଳ

ସର୍ବନାଶ ହେଉ ତା’ର ଯେ ଛୁଇଁବ ମୋହର କଙ୍କାଳ ।

 

ଯେଉଁ ଇଂରେଜମାନେ କହନ୍ତି ଯେ ସେମାନଙ୍କ ବିଶାଳ ସାମ୍ରାଜ୍ୟ ଓ ସେକ୍‌ସପିଅର, ଏ ଉଭୟରୁ ଗୋଟିକୁ ରଖି ଅନ୍ୟଟିକୁ ତ୍ୟାଗ କରିବାକୁ କୁହାଗଲେ ସେମାନେ ସେକ୍‌ସପିଅରଙ୍କୁ ରଖି ସାମ୍ରାଜ୍ୟକୁ ତ୍ୟାଗ କରିବେ, ସେମାନେ ପୁଣି ସେକ୍‌ସପିଅରଙ୍କ ସମାଧିକୁ ତାଡ଼ି ପକାଇଥାନ୍ତେ—ଏ ଆଶଙ୍କା କିପରି ସେକ୍‌ସପିଅରଙ୍କ ମନକୁ ଛୁଇଁଲା ?

 

କଥା ହେଲା, ସେକ୍‌ସପିଅରଙ୍କ କଳ୍ପନାରେ ନ ଥିଲା ଯେ ସେ ଦିନେ ମହାଜାତିର ମହାର୍ଘତମ ଐଶ୍ୱର୍ଯ୍ୟ ରୂପେ ପରିଗଣିତ ହେବେ । ନାଟକ ଗୁଡ଼ିକରୁ ଯେ ପରେ ଦୁଇ ପଇସା ଆୟ ହେବ, ସେତେକ ମଧ୍ୟ ସେ ବିଶ୍ୱାସ କରୁ ନ ଥିଲେ । ସେଇଥି ସକାଶେ ତାଙ୍କ ଅନ୍ତିମ ଉଇଲରେ ତାଙ୍କ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିର ହିସାବ ଦିଆଯାଇଥିଲେ ମଧ୍ୟ ପ୍ରଣୀତ ନାଟକ ସବୁର ଉଲ୍ଲେଖ ନାହିଁ । ପୃଥିବୀର ଅସଂଖ୍ୟ ସମ୍ପାଦକ ଓ ପ୍ରକାଶକ ଯେଉଁ ଗ୍ରନ୍ଥରାଜି ସମ୍ପାଦନା ଓ ପ୍ରକାଶ କରି ବିପୁଳ ବିତ୍ତ ଆୟ କରି ଚାଲିଛନ୍ତି, ସେଇ ଗ୍ରନ୍ଥରାଜିର କୌଣସି ଆର୍ଥନୀତିକ ମୂଲ୍ୟ ଥାଇପାରେ ବୋଲି ସ୍ଵୟଂ ଲେଖକ ବିଶ୍ୱାସ କରିନଥିଲେ । ବିଡ଼ମ୍ବନା !

 

ଷ୍ଟ୍ରାଟ୍‌ଫୋର୍ଡର ସମସାମୟିକ ଅଧିବାସୀମାନେ ବି ସେକ୍‌ସପିଅରଙ୍କ ଲେଖକବ୍ୟକ୍ତିତ୍ୱ ଉପରେ କୌଣସି ଗୁରୁତ୍ଵ ଦେଇଥିଲେ ବୋଲି ମନେହୁଏନା । ସମାଧି ନିକଟବର୍ତ୍ତୀ ଗୀର୍ଜା କାନ୍ଥରେ ତାଙ୍କର ଯେଉଁ ମୂର୍ତ୍ତି ରଖାଯାଇଛି, ସପ୍ତଦଶ ଶତକର ସେ ମୂର୍ତ୍ତିଟି ହାତରେ କେରାଏ ଶସ୍ୟ ଥିବାର ଦେଖୁଥିଲେ ପର୍ଯ୍ୟଟକମାନେ । ଅର୍ଥାତ୍ ସେକ୍‌ସପିଅର ଜଣେ ବ୍ୟବସାୟୀ ଥିଲେ ବୋଲି ଦେଖାଇ ଦିଆ ଯାଇଥିଲା । ପରେ ଯେତେବେଳେ ତାଙ୍କ ନାଟ୍ୟ ପ୍ରତିଭାର ଖ୍ୟାତି ବଳବତ୍ତର ହୋଇଛି, ସେତେବେଳେ ସ୍ଥାନୀୟ ଲୋକେ ମୂର୍ତ୍ତିର କିୟଦଂଶ ବଦଳାଇ ଧରାଇଛନ୍ତି କଲମଟିଏ ।

 

ଗୀର୍ଜାସ୍ଥିତ ସେଇ ମୂର୍ତ୍ତିଟିର ମୁଖମଣ୍ଡଳ ଏଡ଼େ ମାନ୍ଦା ଯେ କେହି କେହି ସମାଲୋଚକ କହନ୍ତି ଏ ମଣିଷ କସ୍ମିନ୍‌କାଳେ ମହାକବି ହୋଇଥାଇପାରେନା । ତା’ହେଲେ ମହାକବିଙ୍କ ଚେହେରା ପାଇଁ ମୂଳତଃ ଦାୟୀ ବିଧାତାର ଭୁଲ ନା ମୂର୍ତ୍ତିଟି ଗଢ଼ିଥିବା ଶିଳ୍ପୀର ଭୁଲ ?

 

ପୂର୍ବୋକ୍ତ ସମାଲୋଚକମାନଙ୍କ ବକ୍ତବ୍ୟ କିନ୍ତୁ ଭିନ୍ନ । ବିଧାତାର ଭୁଲ ନୁହେଁ କି ଶିଳ୍ପୀର ବି ନୁହେଁ । ବିଧାତା ସେକ୍‌ସପିଅର୍‍ଙ୍କୁ ବ୍ୟବସାୟୀଟିଏ ମାତ୍ର ହେବାପାଇଁ ବରାଦ କରିଥିଲେ ଏବଂ ସେକ୍‌ସପିଅର ବି ସେ ବରାଦ ମାନି ବ୍ୟବସାୟୀଠୁ ଅଧିକ କିଛି ହୋଇ ନ ଥିଲେ । ନାଟକ ଓ କବିତା ରଚନା କରିଥିଲେ ପ୍ରକୃତରେ ଅନ୍ୟ ଲୋକ । ସେସବୁ ଚାଲୁ ହୋଇଥିଲା ଥିଏଟର୍ ମେନେଜର୍ ସେକ୍‌ସପିଅରଙ୍କ ନାମରେ ।

 

କିଏ ତେବେ ସେଇ ‘ଅନ୍ୟ ଲୋକ’ ?

 

ସେକ୍‌ସପିଅରଙ୍କ ସାହିତ୍ୟ ହିଁ ଯେ କେବଳ ଯୁଗେ ଯୁଗେ ଅସରନ୍ତି ରସର ଉତ୍ସ, ତାହା ନୁହେଁ, ତାଙ୍କ ନାମ ଓ ପରିଚୟ ମଧ୍ୟ ଯୁଗେ ଯୁଗେ ରହସ୍ୟ ଓ ଆଲୋଡ଼ନର କାରଣ । ବର୍ଷ କେତୋଟି ତଳେ ଜଣେ ରୁଷ ଗବେଷକଙ୍କର ଏକ ବିଚିତ୍ର ଦାବି ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । ଗବେଷକଙ୍କ ମତରେ ସେକ୍‌ସପିଅର୍ ଇଂରେଜ ନ ଥିଲେ, ଥିଲେ ରୁଷୀୟ । ତାଙ୍କ ନାମ ଥିଲା ଭ୍ଲାଡିମିର ସୋଖୋସ୍ପୋରୋଭ୍ । ଇଂଲଣ୍ଡକୁ ଯାଇ ବନିଗଲେ ଉଇଲିୟମ୍ ସେକ୍‌ସପିଅର ।

 

ରୁଷୀୟ ଗବେଷକଙ୍କ ଦାବିର ଯଥାର୍ଥ ବିଚାର କରିବାର ଅବକାଶ, କହିବା ବାହୁଲ୍ୟ, ଏଠାରେ ନାହିଁ । ସେକ୍‌ସପିଅର୍ ଇଂରେଜ ହୁଅନ୍ତୁ ବା ନ ହୁଅନ୍ତୁ, ସେ ଯେ ତାଙ୍କ ନାମରେ ଚାଲୁହୋଇଥିବା ବହି ସବୁର ରଚୟିତା ନୁହନ୍ତି, ଏହା ପ୍ରମାଣ କରିବାପାଇଁ ବହୁ ପ୍ରବନ୍ଧ ଓ ବହିପତ୍ର ଲେଖା ହୋଇଛି; ଏ ତତ୍ତ୍ଵକୁ ଜାହିର୍ କରିବା ପାଇଁ ଇଂଲଣ୍ଡ ତଥା ଅନ୍ୟାନ୍ୟ ଦେଶରେ ଗୁଡ଼ାଏ ଅନୁଷ୍ଠାନ ମଧ୍ୟ ରହିଛି ।

 

ଥିଏଟର୍-ମ୍ୟାନେଜର-ଅଭିନେତା ସେକ୍‌ସପିଅର୍‌ଙ୍କ ନାମକୁ ବ୍ୟବହାର କରି ତେବେ କିଏ ସେ ଅଦ୍ଵିତୀୟ ପ୍ରତିଭା ଯିଏ କି ଏକ ପରେ ଏକ ସଇଁତିରିଶଟି ଅପୂର୍ବ ନାଟକ ଓ ସନେଟ୍ ସମୂହ ରଚନା କରିଗଲେ ? ଏହାର ଉତ୍ତରରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗବେଷକ ଅନ୍ତତଃ ପଚାଶଜଣ ବ୍ୟକ୍ତିଙ୍କ ନାମ ତଥା ସ୍ଵ ସ୍ଵ ମତ ପ୍ରତିପାଦିତ କରିବା ନିମନ୍ତେ ତଥାକଥିତ ପ୍ରମାଣମାନ ଉପସ୍ଥାପିତ କରିଯାଇଛନ୍ତି ।

 

ସେଇ ତାଲିକାରେ ଅନ୍ତର୍ଭୁକ୍ତ ହେଲେ ଚିନ୍ତାବିଦ୍ ପ୍ରାବନ୍ଧିକ ଫ୍ରାନ୍‌ସିସ ବେକନ, ନାଟ୍ୟକାର କ୍ରିଷ୍ଟୋଫାର୍ ମାର୍ଲୋ, ରାଷ୍ଟ୍ରପୁରୁଷ ୱାଲ୍‌ଟର ରାଲେ, ଆର୍ଲ ଅବ୍ ଅକ୍‌ସଫୋର୍ଡ ଏବଂ ଏପରିକି ଖୋଦ୍ ସେକ୍‌ସପିଅରଙ୍କ ପତ୍ନୀ ।

 

ଉଇଲରେ ନାଟକ କଥା ଉଲ୍ଲେଖ ନ ଥିବା ଯିମିତି ବିସ୍ମୟକର, ସିମିତି ବିସ୍ମୟକର ହେଲ—ସେକ୍‌ସପିଅରଙ୍କ ମୃତ୍ୟୁ ସମୟର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯେତେ ଲେଖାଲେଖି, ଡାଏରୀ ଇତ୍ୟାଦି ମିଳିଛି, ସେଥିରେ ଏଡ଼େ ବଡ଼ ଜଣେ ନାଟ୍ୟକାର ପରଲୋକ ଗମନ କଲେ ବୋଲି କେହି ଶୋକ ପ୍ରକାଶ କରିବାର ଜଣା ପଡ଼ୁ ନାହିଁ ।

 

ପ୍ରଖ୍ୟାତ ନାଟ୍ୟକାର କ୍ରିଷ୍ଟୋଫାର୍ ମାର୍ଲୋ ୧୫୯୩ ମସିହାରେ ରହସ୍ୟମୟ ଭାବରେ ଅନ୍ତର୍ହିତ ହୋଇଗଲେ । ଠିକ ପର ବର୍ଷଠାରୁ ହେଲା ନାଟ୍ୟକାର ଭାବରେ ସେକ୍‌ସପିଅରଙ୍କ ଆବିର୍ଭାବ । ମାର୍ଲୋ ଥିଲେ ଗୁପ୍ତଚର ବିଭାଗର ଜଣେ କର୍ମଚାରୀ । ଜଣେ ପ୍ରଭାବଶାଳୀ ଅମାତ୍ୟଙ୍କର କେତେକ ଭୟାବହ ଗର୍ହିତ କାର୍ଯ୍ୟର ଅନୁସନ୍ଧାନ କରିବାକୁ ଯାଇ ସେ ଅମାତ୍ୟଙ୍କ ବିଷଦୃଷ୍ଟିରେ ପଡ଼ିଲେ । ଅମାତ୍ୟ ତାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କଲେ । ମାର୍ଲୋଙ୍କୁ ରକ୍ଷା କରିବା ପାଇଁ ତାଙ୍କର ବନ୍ଧୁମାନେ ପ୍ରଚାର କରିଦେଲେ ଯେ କ୍ୟାଣ୍ଟରବାରିର ଏକ ପାନଶାଳାରେ ଜଣେ ଉନ୍ମତ୍ତ ଯୁବକର ଛୁରା ମାଡ଼ରେ ମାର୍ଲୋ ନିହିତ ହୋଇଛନ୍ତି । ମାର୍ଲୋ ପଳାଇଗଲେ ବିଦେଶ । ସେଠାରୁ ଏକ ପରେ ଏକ ନାଟକ ଲେଖି ପଠାଇବାକୁ ଲାଗିଲେ ଓ ସେସବୁ ସେକ୍‌ସପିଅରଙ୍କ ନାମରେ ମଞ୍ଚସ୍ଥ ହେଲା । ସେକ୍‌ସପିଅର ଏକାଧାରରେ ରଙ୍ଗମଞ୍ଚର ଅନ୍ୟତମ ମାଲିକ, ମ୍ୟାନେଜର ଓ ଅଭିନୟର ନିର୍ଦ୍ଦେଶକ ଥିବା ହେତୁ ଏହା ସହଜ ହୋଇଥିଲା । ଏଇ ତତ୍ତ୍ଵ ଉପସ୍ଥାପିତ କରନ୍ତି କେତେକ ସୌଖିନ୍‌ ଐତିହାସିକ ।

 

ଆଉ ଏକ ତତ୍ତ୍ଵ ଅଛି । କାଗଜପତ୍ରରୁ ଜଣାଯାଏ ଯେ ଆର୍ଲ ଅବ୍ ଅକ୍‍ସଫୋର୍ଡ ୧୫୮୫ ମସିହାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରାଜକୋଷରୁ ବର୍ଷକୁ ବର୍ଷ ଏକ ବିପୁଳ ଅଙ୍କ ଭତ୍ତା ସ୍ୱରୂପ ପାଉଥିଲେ—ନାଟକ ଜରିଆରେ ରାଜବିରୋଧୀ ଚକ୍ରାନ୍ତକୁ ଜନତା ଆଗରେ ଅପ୍ରିୟ କରି ତୋଳିବା ପାଇଁ ତାଙ୍କୁ ଏ ଅର୍ଥ ଦିଆଯାଉଥିଲା । ଆର୍ଲଙ୍କ ଭଳି ଜଣେ ଅଭିଜାତ ବ୍ୟକ୍ତିଙ୍କ ପକ୍ଷରେ ତତ୍କାଳୀନ ସାମାଜିକ ମୂଲ୍ୟବୋଧ ଅନୁସାରେ ରଙ୍ଗମଞ୍ଚ ସହିତ ସମ୍ପର୍କ ରଖିବା ସମ୍ମାନଜନକ ହୋଇ ନ ଥିବା ଦୃଷ୍ଟିରୁ ସେ ଆଉ ଜଣଙ୍କ ନାମରେ ଲେଖିବା ବିଚିତ୍ର ନୁହେଁ ବୋଲି ଅନେକ ମନେକରନ୍ତି ।

 

କେଇବର୍ଷ ତଳେ ଖଣ୍ଡିଏ ବହି ପଢ଼ିଥିଲି : ଜର୍ଜ ଏଲିଏଟ୍-ସୁଇଟ୍ ଲିଖିତ Shakespeare the Mystery (Neville Spearman, London) । ବହିଟିର ଭୂମିକା ଲେଖି ଆର୍ଲ ଷ୍ଟାନଲେ ଗାର୍ଡନାର ତାହାକୁ ସାହିତ୍ୟ ଜଗତର ଏକ ଡିଟେକ୍‌ଟିଭ କୀର୍ତ୍ତି ବୋଲି ଅଭିନନ୍ଦନ ଜଣାଇଛନ୍ତି । ପ୍ରଣେତାଙ୍କ ପ୍ରତିପାଦ୍ୟ ହେଲା : ସେକ୍‌ସପିଅର ଆଉ କେହି ନୁହନ୍ତି, ସ୍ୱୟଂ ରାଣୀ ପ୍ରଥମ ଏଲିଜାବେଥ୍ । ସେ ଏଡ଼େ ସୁନ୍ଦର ଯୁକ୍ତି ସବୁର ଅବତାରଣା କରିଛନ୍ତି ଯେ ବହିଟି ପଢ଼ିବାବେଳେ ଆପାତତଃ ତାଙ୍କ ତତ୍ତ୍ଵକୁ ମାନିନେବାକୁ ବଡ଼ ଲୋଭହୁଏ ।

 

ଏଲିଜାବେଥ୍‌ଙ୍କୁ ସଂପୃକ୍ତ କରି ଏ ବିଷୟ ଉପରେ ପୂର୍ବରୁ ଆଉ କେହି ଏତେ ବେଶି ଯୁକ୍ତି ଦେଖାଇ ନ ଥିଲେ ଠିକ୍, ତଥାପି ଏ ସନ୍ଦେହ ମଧ୍ୟ ନୂଆ କଥା ନୁହେଁ । କଥା ଅଛି : ଥରେ ଜଣେ ଗବେଷକ ଅନର୍ଗଳ ବକ୍ତୃତା ଦେଇ ଏଇଆ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ ଯେ ସେକ୍‌ସ୍‌ପିଅରଙ୍କ ନାମରେ ପ୍ରଚଳିତ ନାଟକ ଓ କବିତାର ପ୍ରଣେତା ରାଣୀ ଏଲିଜାବେଥଙ୍କ ଛଡ଼ା ଆଉ କେହି ହୋଇ ନପାରନ୍ତି । ହଠାତ୍ ଜଣେ ଶ୍ରୋତା ପଚାରିଲେ : “ଆପଣ ସତ ସତ ବିଶ୍ୱାସ କରୁଛନ୍ତି ଯେ ଜଣେ ସ୍ତ୍ରୀଲୋକ ଏଭଳି ନାଟକମାନ ଲେଖିପାରିଲେ ?”

 

ଗବେଷକ ଆହୁରି ଉତ୍ତେଜିତ ତଥା ଉତ୍ସାହିତ ହୋଇ ଉତ୍ତର ଦେଲେ, “ଗବେଷଣା ଦ୍ଵାରା ମୁଁ ଏହା ବି ପ୍ରମାଣ କରିଦେଇପାରିବି ଯେ ରାଣୀ ଏଲିଜାବେଥ୍ ମୋଟେ ସ୍ତ୍ରୀଲୋକ ନଥିଲେ-!”

Image

 

ପରିଚ୍ଛେଦ : ଦେଶ

ଅନେକ ସେକ୍‌ସପିଅର ! (୨)

 

ଛାଡ଼ନ୍ତୁ ସେସବୁ କଥା । ପ୍ରଖ୍ୟାତ ବ୍ୟକ୍ତିମାନଙ୍କୁ ନେଇ ଯୁଗେ ଯୁଗେ ମଣିଷର କୌତୂହଳର ଅନ୍ତ ନ ଥାଏ । ସେମାନଙ୍କୁ କେନ୍ଦ୍ର କରି ଅଜବ ଗୁଜବ ସୃଷ୍ଟି କରିବା ମଣିଷର ସ୍ଵତଃସ୍ଫୃର୍ତ୍ତ ପ୍ରବୃତ୍ତି । ସାଧାରଣ ଲୋକେ କେବଳ ଗୁଜବରେ ତୃପ୍ତ ରହନ୍ତି । ବୁଦ୍ଧିଜୀବୀ ମହଲରେ ସେସବୁ ଗୁଜବ ଅର୍ଜନ କରନ୍ତି ଏକ ତାତ୍ତ୍ଵିକ ଆବରଣ ।

 

ଯେଉଁସବୁ ଅନ୍ୟାନ୍ୟ ନାଟକ ଓ କବିତା ପୁରୁଷ ପୁରୁଷ ଧରି ଆମକୁ ଚମକିତ, ପୁଲକିତ କରିଆସିଛି, ସେ ସବୁର ଉତ୍ପତ୍ତିକୁ ନେଇ ଯଦି କୌଣସି ରହସ୍ୟର ଅବକାଶ ନ ଥାନ୍ତା, ତେବେ ଉତ୍ସାହୀଜନେ ହୁଏତ ଏକ ବିଶେଷ ରସରୁ ବଞ୍ଚିତ ହୋଇଥାନ୍ତେ ! ଚାର୍ଲସ ଡିକେନ୍‌ସ ତ ଏକଥା ସ୍ଵୀକାର କରିପକାଇଛନ୍ତି, କହିଛନ୍ତି : “ଉଇଲିୟମ୍ ସେକ୍‌ସପିଅରଙ୍କ ଜୀବନ ଏକ ଚମତ୍କାର ରହସ୍ୟ-। ହଠାତ୍ କେତେବେଳେ କେଉଁ ଅପ୍ରତ୍ୟାଶିତ ବ୍ୟାପାର ପଦାରେ ପଡ଼ିଯିବ, ସେକଥା ଭାବି ମୋର ସବୁଦିନେ ଭୀତି-ରୋମାଞ୍ଚ ହେଉଥାଏ ।”

 

କହିବା ବାହୁଲ୍ୟ, ଡିକେନ୍‌ସଙ୍କ ମନରେ ସନ୍ଦେହ ବଦ୍ଧମୂଳ ଥିଲା—ସେକ୍‌ସପିଅର ହୁଏତ ତାଙ୍କ ନାମରେ ପ୍ରଚଳିତ ସାହିତ୍ୟ-କୃତିର ସ୍ରଷ୍ଟା ନୁହନ୍ତି । ଡିକେନ୍‌ସ ଗବେଷକ ନ ଥିଲେ । ତେଣୁ ନିଜ ସନ୍ଦେହକୁ ଅନ୍ୟ ଉପରେ ଚାପିବା ସକାଶେ ସେ କୌଣସି ଦୃଢ଼ ଯୁକ୍ତିର ଅବତାରଣା କରିନାହାନ୍ତି । ସନ୍ଦେହଟା ତାଙ୍କର ବ୍ୟକ୍ତିଗତ ଅନୁଭବ ସମ୍ଭୂତ । ଏହି ଧାରଣାର, ସନ୍ଦେହୀ ପର୍ଯ୍ୟାୟରେ ଯିବେ ଆହୁରି କେତେକ ବିଶିଷ୍ଟ ବ୍ୟକ୍ତି-ନାଥାନିଏଲ୍ ହଥର୍ଣ୍ଣ, ୱାଲ୍‌ଟ୍ ହୁଇଟ୍‌ମ୍ୟାନ୍‌, ମାର୍କଟୁଇନ୍‌, ଇମାରସନ୍‌, ହେନ୍‌ରୀ ଜେମ୍‌ସ୍ ଓ ଏପରିକି ନିର୍ମମ ମନସ୍ତତ୍ତ୍ଵ ଗବେଷକ ସିଗ୍‌ମଣ୍ଡ୍ ଫ୍ରୟେଡ଼୍ ।

 

ଛାଡ଼ନ୍ତୁ । କିଏ ଜଣେ ସେକ୍‌ସପିଅରଙ୍କ ସଂଜ୍ଞା ନିରୂପଣ କରିଥିଲେ ଏହି ପରି : ସେକ୍‌ସପିଅର ହେଉଛନ୍ତି ସେହି ଲୋକ ଯିଏ ଏଡ଼େ ଭଲ ଲେଖିଛନ୍ତି ଯେ ଚିନ୍ତାଶୀଳ ଲୋକଙ୍କ ମତରେ ସେସବୁ ଅନ୍ୟ କିଏ ଲେଖିଥିବ !

 

ଷ୍ଟ୍ରାଟ୍‌ଫୋର୍ଡ଼ ଛୁଇଁବା ମୁହୂର୍ତ୍ତରୁ ମୁଁ ଥିଲି ବିମୁଗ୍‌ଧ ଓ ସ୍ଵପ୍ନାବିଷ୍ଟ । ସେହି ଅବସ୍ଥାରେ ଥାଇ ପଶିଯାଉଥିଲି ହୋଲି ଟ୍ରିନିଟି ଚର୍ଚ୍ଚ ଭିତରକୁ—ସେକ୍‌ସପିଅରଙ୍କ ସମାଧି ଦେଖିବାପାଇଁ । ହାତ ଦେଖାଇ, ଯେତେଦୂର ସମ୍ଭବ ଅଭଦ୍ର ନ ହୋଇ, ଆମକୁ ଅଟକାଇ ଦେଲେ ଚର୍ଚ୍ଚର ଜଣେ କର୍ମଚାରୀ । ଟିକେଟ କାଟିବାକୁ ପଡ଼ିବ ନାହିଁ—ତେବେ ଆଉ ବେଶି ଦୂର ଅଗ୍ରସର ହେବା ପୂର୍ବରୁ କିଛି ଚାନ୍ଦା ଦେବାକୁ ପଡ଼ିବ ।

 

ମନ ବିଦ୍ରୋହ କରି ଉଠିଲା ମୁହୂର୍ତ୍ତକ ପାଇଁ । ସେକ୍‌ସପିଅରଙ୍କ ଜନ୍ମଗୃହ ଦେଖିବି—ପଇସା ଦେଇ; ତାଙ୍କ ସ୍ତ୍ରୀ ଆନ୍‌ ହାଥାୱେଙ୍କ କୁଡ଼ିଆ ଦେଖିବି-ପଇସା ଦେଇ; ଏବେ ସମାଧି ଦେଖିବାକୁ ହେଲେ ବି ପଇସା ଦେବାକୁ ପଡ଼ିବ । ମୋର ମହାକବି-ପ୍ରୀତି ଉପରେ ଟିକସ ବସାଇବାକୁ କିଏ ଦେଇଛି ଏମାନଙ୍କୁ ଅଧିକାର ? ମୁଁ ବି ତ ଗୋଟାଏ ଛୋଟକାଟର ଲେଖକ । ସେକ୍‌ସପିଅରଙ୍କ ଜୀବଦ୍ଦଶାରେ ତାଙ୍କ ସହ ଇଣ୍ଟର୍‌ଭିଉ କରିବାକୁ ଆସିଥିଲେ ମହାକବି ଭଦ୍ରଲୋକଟି ଚାହା ନ ହେଲେ ଅନ୍ୟ କିଛି ପିଆଇ ମୋର ଅଭ୍ୟର୍ଥନା କରିଥାନ୍ତେ ଅବଶ୍ୟ !

 

ଦୈନିକ ଅଗଣନ ମୁହଁରେ ଅସ୍ଵସ୍ତିର ସେ ଅଭିବ୍ୟକ୍ତି ଦେଖୁଥିବେ କର୍ମଚାରୀ ମହୋଦୟ-। ସହସ୍ରଥର ସେ ଯାହା କହିଥିବେ, ତାହା ହିଁ ପୁଣି କହିବାକୁ ବାଧ୍ୟ ହେଲେ : “ଅନାଇ ଦେଖନ୍ତୁ ଏ ଅଟ୍ଟାଳିକା କେଡ଼େ ବିରାଟ । ଏହାକୁ ଧ୍ଵଂସ ମୁଖରୁ ବର୍ତ୍ତାଇ ରଖିବାକୁ ହେଲେ ପ୍ରଚୁର ବିତ୍ତର ପ୍ରୟୋଜନ ବୋଲି ବୁଝି ପାରୁଛନ୍ତି ନିଶ୍ଚୟ । ଗୀର୍ଜାର ରକ୍ଷଣାବେକ୍ଷଣ ଦିଗରେ ଆଜିକାଲି ଯେ ଲୋକମାନେ ପୂର୍ବ ଭଳି ଦାନ ଧ୍ୟାନ ଦିଅନ୍ତି ନାହିଁ, ସେକଥା ବି ଆପଣଙ୍କୁ ଅବିଦିତ ନ ଥିବ-। ଆପଣ କୁହନ୍ତୁ, ଆପଣମାନଙ୍କଠାରୁ ଚାନ୍ଦା ଆଦାୟ ନ କଲେ କିପରି ସେକ୍‌ସପିଅରଙ୍କ ସ୍ମୃତିମଣ୍ଡିତ ଏହି ବିରାଟ ଗୀର୍ଜାକୁ ଠିଆ ରଖି ପାରିବୁ ?”

 

ଅନେକଟା ଅହେତୁକୀ ଭାବରେ ମନେପଡ଼ିଗଲା ଚେଷ୍ଟାର୍‌ଟନ୍‌ଙ୍କର ଏକ ମଜା କବିତା :

 

Lord Lilac thought it rather rotten

That Shakespeare should be quite

forgotten,

And therefore got on a Committee

With several chaps out of the City.

 

(The Shakespeare Memorial)

 

ତେବେ ଲର୍ଡ଼ ଲାଇଲାକ୍‌ଙ୍କ କମିଟି ଅପେକ୍ଷା ଅଧିକ ଉପଯୁକ୍ତ ଏକ କମିଟି ସାର୍ ମାଇକେଲ୍‌ ରେଡ଼ଗ୍ରେଭ୍‌ଙ୍କ ନେତୃତ୍ଵରେ ସଂପ୍ରତି ଗଠିତ ହୋଇ ଥିବାର ସମ୍ବାଦ ପଢ଼ିଥିଲି । “ଏଇ ଗୀର୍ଜା, ଏଇ ସମାଧି ବିଶ୍ଵର ମହତ୍ତମ ତୀର୍ଥସ୍ଥଳମାନଙ୍କ ମଧ୍ୟରୁ ଏକ”—କହିଥିଲେ ରେଡ୍‍ଗ୍ରେଭ୍ ଓ ଚାନ୍ଦା ପାଇଁ ନିବେଦନ କରିଥିଲେ ।

 

ଏକଦା ସେକ୍‌ସପିଅର ଆଶ୍ରୟ ନେଇଥିଲେ ଏ ଗୀର୍ଜାରେ; ଆଜି ଗୀର୍ଜା ଆଶ୍ରୟ କରିଛି ସେକ୍‌ସପିଅର୍‌ଙ୍କୁ I

 

ଆମେ ଯଥାବିଧି ଚାନ୍ଦା ଦେଇ ସମାଧି ଦେଖିଲୁ । ମୁହୂର୍ତ୍ତକ ପାଇଁ ମଧ୍ୟ ବିରକ୍ତ ହେବା ଉଚିତ ହୋଇ ନାହିଁ ବୋଲି ମୁଁ ଶୀଘ୍ର ହୃଦୟଙ୍ଗମ କଲି । ସେକ୍‌ସପିଅର୍‌ଙ୍କର ଏହି ପ୍ରତ୍ୟକ୍ଷ ସ୍ମୃତିକୁ ଚହଟ କରି ରଖିବା ଦିଗରେ ସାମାନ୍ୟ ଦାନ ଦେବା ପାଇଁ ଆମର ଯେଉଁ ଭାବଗତ କର୍ତ୍ତବ୍ୟ ରହିଛି, ସେକଥା ଛାଡ଼ିଦେଲେ ମଧ୍ୟ ନିର୍ମଳ ବ୍ୟାବହାରିକ ଦୃଷ୍ଟିରୁ ଆମର କର୍ତ୍ତବ୍ୟ ରହିଛି, ସେକଥା ଛାଡ଼ିଦେଲେ ମଧ୍ୟ ନିର୍ମଳ ବ୍ୟାବହାରିକ ଦୃଷ୍ଟିରୁ ଆମର କର୍ତ୍ତବ୍ୟ କମ୍ ନୁହେଁ । ସେକ୍‌ସପିଅର୍ ହେଲେ ପୃଥିବୀର ସର୍ବବୃହତ୍ କର୍ମଯୋଗାଣ-ସଂସ୍ଥାମାନଙ୍କ ଭିତରୁ ଅନ୍ୟତମ । ଗତବର୍ଷ (୧୯୭୨) ପ୍ରକାଶିତ ଏକ ହିସାବ ଅନୁସାରେ ବର୍ତ୍ତମାନ ଆଠଲକ୍ଷ ଲୋକ ସେକ୍‌ସପିଅରଙ୍କ ଆନୁକୂଲ୍ୟରେ ଜୀବିକା ଅର୍ଜନ କରୁଅଛନ୍ତି । ସେମାନେ ଅନ୍ତର୍ଭୁକ୍ତ ହେଲେ ଲେଖକ, ଅନୁବାଦକ, ସମାଲୋଚକ, ପ୍ରକାଶକ, ପୁସ୍ତକ-ବିକ୍ରେତା, ଅଭିନେତା, ପ୍ରଯୋଜକ, ଶିଳ୍ପୀ, ବହି-ବନ୍ଧେଇବାଲା, ଟୁରିଷ୍ଟ୍ ଗାଇଡ଼ ଓ ସ୍ମାରକୀ-ବିକ୍ରେତା ।

 

ହୋଲି ଟ୍ରିନିଟି ଗୀର୍ଜାକୁ ଲାଗି ଏକ ବିସ୍ତୃତ ପାର୍କର ଦୁର୍ବା-ସମୃଦ୍ଧ କୋଣରେ ବସି ଆମେ ଖିଆପିଆ ଶେଷକଲୁ ।

 

ଆଗରେ ବହମାନ ମଧୁର ଆଭନ୍‌ । ତହିଁ ଖେଳୁଛନ୍ତି ଦଳ ଦଳ ହଂସ ।

 

Sweet Swan of Avon !

What a sight it were

To see thee in our waters

Yet appear……

 

ଆଭନ୍ ତଟିନୀର ହେ ମଧୁର ହଂସ ! ଆମର ଜାତୀୟ ହୃଦୟନୀରରେ ତୁମର ଏ ସନ୍ତରଣ କେଡ଼େ ମହନୀୟ ଦୃଶ୍ୟ ସତେ !

 

ସେକ୍‌ସପିଅରଙ୍କ ମୃତ୍ୟୁର ଅବ୍ୟବହିତ ପରେ ତାଙ୍କରି ଉଦ୍ଦେଶ୍ୟରେ ଏ କବିତା ଲେଖିଥିଲେ ତାଙ୍କ ସମସାମୟିକ ନାଟ୍ୟକାର ବେନ୍‌ ଜନ୍‌ସନ ।

 

ହୋଲି ଟ୍ରିନିଟି ଗୀର୍ଜା ଓ ପାର୍ଶ୍ଵବର୍ତ୍ତୀ ପାର୍କର ପରିବେଶ ଏବେ ମଧ୍ୟ ଘନଛାୟା ସମନ୍ଵିତ-। ବେଳ ଥାଉଁ ଥାଉଁ ଅଧିକାଂଶ ପର୍ଯ୍ୟଟକ ଲଣ୍ଡନ୍‌କୁ ଫେରି ଯାଉଥିବା ହେତୁ ଶେଷ ଅପରାହ୍‌ଣ ବେଳକୁ ସ୍ଥାନଟି ପ୍ରାୟ ନିର୍ଜନ ହୋଇଆସେ ।

 

ଶହେ ବର୍ଷ ତଳେ ଏ ପରିବେଶ ଥିଲା ପ୍ରାୟ ଆରଣ୍ୟକ । ସେତେବେଳେ ‘ପର୍ଯ୍ୟଟନ’ ଏକ ‘ଶିଳ୍ପ’ ରୂପେ ଗଣ୍ୟ ହେଉନଥିଲା । ବିପୁଳ ସାମ୍ରାଜ୍ୟ ଉପଭୋଗରତ ଇଂଲଣ୍ଡ ପକ୍ଷରେ ପର୍ଯ୍ୟଟକମାନଙ୍କ ପାଖରୁ ଦୁଇପଇସା ଆୟ କରିବାକୁ ଉଦ୍‌ଯୋଗ କରିବାର କୌଣସି ପ୍ରୟୋଜନ ନ ଥିଲା । ଆଜି ଯେପରି ଜୀବନରେ ସେକ୍‌ସପିଅର୍ ଶାସ୍ତ୍ର ସ୍ପର୍ଶ କରିନଥିବା ବହୁ ପର୍ଯ୍ୟଟକ ଷ୍ଟ୍ରାଟ୍‌ଫୋର୍ଡ ଆସିଥାନ୍ତି—ଆସିବା ଯେହେତୁ ଏକ ମର୍ଯ୍ୟାଦାର କଥା—ଏକ ସାମାଜିକ ପ୍ରଥା ବୋଇଲେ ଅତ୍ୟୁକ୍ତି ହେବ ନାହିଁ—ସେତେବେଳେ ସେପରି ନ ଥିଲା । ବିଦଗ୍‌ଧ ସେକ୍‌ସପିଅର୍-ରସିକମାନେ ହିଁ ଆସୁଥିଲେ କେବଳ ।

 

ଶତାଧିକ ବର୍ଷ ତଳେ ଆସିଥିଲେ ସେମିତି ଜଣେ ବିଦଗ୍‌ଧ ରସିକ—ମାର୍କିନ୍‌ ଲେଖକ ୱାସିଂଟନ୍‌ ଆର୍‌ଭିଂ । ଷ୍ଟ୍ରାଟ୍‌ଫୋର୍ଡରେ କେତୋଟି ମୁହୂର୍ତ୍ତ ବିତାଇବାର ଯେଉଁ ସୁନ୍ଦର ସ୍ମୃତି ସେ ଲିପିବଦ୍ଧ କରିଯାଇଛନ୍ତି, ଷ୍ଟ୍ରାଟ୍‌ଫୋର୍ଡ ସମ୍ପର୍କରେ ସେଭଳି ଲେଖା ମୁଁ ଆଉ ପଢ଼ି ନାହିଁ । ସେତେବେଳେ ସେକ୍‌ସପିଅରଙ୍କ ବାସଗୃହ ସରକାରୀ ତତ୍ତ୍ଵାବଧାନ ଓ ଟ୍ରଷ୍ଟର ନିୟନ୍ତ୍ରଣ ଭିତରକୁ ଆସି ନ ଥିଲା । ଘରଟିକୁ ଅଧିକାର କରି ରହିଥିଲେ ଜଣେ “ନାଲି ମୁହୀଁ, ନୀଳ ଆଖିରେ ବ୍ୟଗ୍ର ଚାହାଣୀ ସମ୍ପନ୍ନା” ବାଚାଳ ବୃଦ୍ଧା । ସେ ଆରଭିଂଙ୍କୁ ସେକ୍‌ସପିଅର୍‌ଙ୍କ ସ୍ମୃତି-ବିଜଡ଼ିତ କେତେ ଜିନିଷ ଦେଖାଇ ପକାଇଲେ । ଏପରିକି ଖଣ୍ଡିଏ ଛୋଟିଆ ବନ୍ଧୁକ ଦେଖାଇ ମହିଳା କହିଲେ ଯେ ସେଇ ଅସ୍ତ୍ରଟି ସାହାଯ୍ୟରେ ସ୍ଥାନୀୟ ସାମନ୍ତଙ୍କ ବଗିଚାରୁ ଅନଧିକାର ଶିକାର କରି ସେକ୍‌ସପିଅର ଲଣ୍ଡନ ପଳାୟନ କରିବାକୁ ବାଧ୍ୟହୋଇଥିଲେ ।

 

ଆହୁରି ମଧ୍ୟ ବୃଦ୍ଧା ଦେଖାଇଥିଲେ ଖଣ୍ଡିଏ ଚୌକି । ସେକ୍‌ସପିଅର୍ କୁଆଡ଼େ ସେଥିରେ ବସୁଥିଲେ । ଯିଏ ଘର ଦେଖିବାକୁ ଆସେ, ସିଏ ଥରେ ସେ ଚେଆରରେ ବସିପଡ଼ି ଗୋଡ଼ ହଲାଇହୁଏ । ତାହା ଦ୍ଵାରା ମହାକବିଙ୍କୁ ଲେଖନୀ ଚାଳନାରେ ଉଦ୍‌ବୁଦ୍ଧ କରିଥିବା ପ୍ରେରଣା ସେମାନଙ୍କ ଭିତରେ କେତେ ମାତ୍ରାରେ ସଞ୍ଚାରିତ ହେଉଥିଲା ସେକଥା ଅବଶ୍ୟ କହିହେବ ନାହିଁ, ତେବେ ବୃଦ୍ଧା ‘ଗୋପନ’ରେ ଆର୍‌ଭିଂଙ୍କୁ କହିଥିଲେ ଯେ ଅତିଥିମାନଙ୍କର ସେ ପ୍ରବଳ ଉତ୍ସାହ ହେତୁ ମଧ୍ୟେ ମଧ୍ୟେ ଚୌକିଟିର ପଟା ବଦଳ କରିବାକୁ ହୋଇଥାଏ ।

 

ଆର୍‌ଭିଂ ଲେଖିଛନ୍ତି, ଚୌକିଟି ଆରବ୍ୟରଜନୀର ଉଡ଼ନ୍‌ ଖଟୌଲା ଜାତୀୟ ପଦାର୍ଥ ହୋଇଥିବ ପରା ! କାରଣ ବର୍ଷ କେତୋଟି ତଳେ ଏହି ପରିଚୟ-ଯୁକ୍ତ ଏକ ଚୌକିକୁ ଏହିଠାରୁ କିଣି ନେଇଯାଇଥିଲେ ଦୂରାନ୍ତରର ଜଣେ ରାଜକୁମାରୀ । ଚୌକିଟି ନିଶ୍ଚୟ ଗୋପନରେ ଉଡ଼ି ପଳାଇ ଆସିଛି ବୁଢ଼ୀ ପାଖକୁ !

 

ଆର୍‌ଭିଂ ଯେତେବେଳେ ସେକ୍‌ସପିଅର୍‌ଙ୍କ ଘର ଦେଖି ସାରି ତାଙ୍କ ସମାଧି ଦେଖିବାକୁ ଗଲେ ଓ ଗୀର୍ଜାର ଚାବି ଦାୟିତ୍ଵରେ ଥିବା ଜଣେ ଅଶୀତିପର ବୃଦ୍ଧଙ୍କ କୁଟୀରରେ ପହଞ୍ଚି ବୃଦ୍ଧ ଓ ତା’ର ଜଣେ ସମବୟସୀ ସାଥୀଙ୍କୁ ଭେଟିଲେ, ସେତେବେଳେ ସେ ଦୁହେଁ ସୂଚାଇଲେ ଯେ ବାଚାଳ ବୃଦ୍ଧାର ଅଧିକାଂଶ କଥା କପୋଳକଳ୍ପିତ ମାତ୍ର । ବହୁ ଲୋକ ବୁଢ଼ୀ ଘର ଦେଖିବାକୁ ଯାଉଥିବା ସ୍ଥଳେ ମହାକବିଙ୍କ ମହାଯାତ୍ରାର ସମାପ୍ତି ଘଟିଛି ଯେଉଁଠାରେ, ସେହି ଗୀର୍ଜାକୁ ଖୁବ୍ କମ୍ ଲୋକ ଆସୁଥିବା ହେତୁ ବୃଦ୍ଧଦ୍ଵୟ କ୍ଷୋଭ ପ୍ରକାଶ କରିଥିଲେ ।

 

ସେ ଯୁଗରେ ଷ୍ଟ୍ରାଟ୍‌ଫୋର୍ଡର ବାତାବରଣ ସେକ୍‌ସପିଅର ସମ୍ପର୍କୀୟ ଅଜସ୍ର କାହାଣୀରେ ଭରପୂର ଥିଲା । ଏପରିକି ଆର୍‌ଭିଂ ଯେଉଁ ହୋଟେଲରେ ରହୁଥିଲେ, ସେ ହୋଟେଲର ମାଲିକାଣୀ ମଧ୍ୟ ସ୍ଵୟଂ ସେକ୍‌ସପିଅର୍‌ଙ୍କର ଜଣେ ବଂଶଧର ହିସାବରେ ଆର୍‌ଭିଂଙ୍କୁ ନିଜର ପରିଚୟ ପ୍ରଦାନ କରିଥିଲେ ।

 

ଆରଭିଂ ସମସ୍ତ କାହାଣୀକୁ ବିଶ୍ୱାସ କରିନେବାକୁ ଭଲପାଉଥିଲେ । ସହରର ଅଦୂରବର୍ତ୍ତୀ ବନାନୀ ପାଖରେ ବୁଲି ବୁଲି ସେ କଳ୍ପନା କରୁଥିଲେ As You Like It ର ଆରଣ୍ୟକ ଦୃଶ୍ୟାବଳି ପାଇଁ ମହାକବି ଏହି ବନାନୀ ଭିତରୁ ପ୍ରେରଣା ପାଇଥିବେ ।

 

ଶତାବ୍ଦୀ ତଳର ଜନବିରଳ ଷ୍ଟ୍ରାଟ୍‌ଫୋର୍ଡ ଆଜି ରୂପାନ୍ତରିତ । ମହାକବିଙ୍କ ଜନ୍ମଗୃହ ଓ ସମାଧିସ୍ଥଳ ଆଜି ଆଉ ପରସ୍ପର ପ୍ରତିଦ୍ୱନ୍ଦୀ ନିଃସଙ୍ଗ ବାଚାଳ ବୁଢ଼ାବୁଢ଼ୀଙ୍କ କର୍ତ୍ତୃତ୍ତ୍ଵରେ ନାହିଁ । ସେସବୁକୁ ପ୍ରହରା ଦେଉଛନ୍ତି ମାର୍ଜିତ, ଶିକ୍ଷିତ କର୍ମଚାରୀମାନେ । ଆଜି ଆଉ ପ୍ରକ୍ଷିପ୍ତ କାହାଣୀମାନ ପାଖରେ ନିଜ ବିଶ୍ୱାସକୁ ସ୍ୱେଚ୍ଛାପୂର୍ବକ ଅର୍ପଣ କରିଦେବା ରୋମାଞ୍ଚ ପ୍ରଶ୍ନ ଉଠୁନାହିଁ । ଗବେଷକମାନଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ଗାଇଡ୍‍ ବହି ସେସବୁ କାହାଣୀକୁ ବିତାଡ଼ିତ କରିଛି ।

 

ତଥାପି ଷ୍ଟ୍ରାଟ୍‌ଫୋର୍ଡ଼-ଅନ୍-ଆଭନ୍‌ର ମାଟି, ପାଣି, ପବନରେ ରହିଛି ଏକ ବିଶେଷ ଅନ୍ତରଙ୍ଗ ଆବେଗ । ସେହି ଆବେଗ ଅନୁଭବ କଲାବେଳେ ବୁଝି ହୁଏ ବିଦେଶୀ ସେକ୍‌ସପିଅର ଆମର କେଡ଼େ ନିଜର !

 

ଦିଲୀପ ଓ କିରୀଟ ଯାଇ ନଦୀର କିଛି ସମୟ ନୌକାବିହାର କଲେ । ନଦୀ କୂଳରେ ବୁଲୁ ବୁଲୁ ମୁଁ କିଛି ଘାସଫୁଲ ତୋଳିଲି ।

 

ଚୁନିଭାଇ (ଦିଲୀପ ଓ କିରୀଟଙ୍କ ବାପା) ଟିକିଏ ଶୋଇପଡ଼ିଥିଲେ ପାର୍କ ଭିତରେ । ଆମେ ଫେରି ଆସିବା ମାତ୍ରେ ସେ ଉଠି ଛିଡ଼ାହେଲେ ।

 

“ଯିବା ଏଥର !” ସେ କହିଲେ ଓ ନିଜ ଓଭରକୋଟଟି ତଳୁ ଗୋଟାଇଲେ । ଓଭର୍ କୋଟ୍‌ଟି ଯିମିତି ଆପେଆପେ ପାର୍କର ସୀମାବର୍ତ୍ତୀ ଅନୁଚ୍ଚ କାନ୍ଥ ପର୍ଯ୍ୟନ୍ତ ଚାଲିଯାଇଥିଲା ।

 

ଅଚିରେ ରହସ୍ୟ ଅନାବୃତ ହେଲା । କାନ୍ଥ ସେପଟେ ନୁଆଣିଆ ଜମି ଓ ଅନ୍ଧକାରାବୃତ ବଣବୁଦା । କାନ୍ଥର ଖୋପ ଭିତର ଦେଇ ଓଭରକୋଟ୍‌ଟିକୁ ଧୀରେ ଧୀରେ ଟାଣି ନେଇ ପକେଟ ଅଣ୍ଡାଳି ପର୍ସଟିକୁ କାଢ଼ି ନେଇଛି ଚୋର । ଭାଗ୍ୟକୁ ସେ ପାର୍ସରେ ବେଶି ଟଙ୍କା କଉଡ଼ି ନ ଥିଲା । ତତୋଽଧିକ ଭାଗ୍ୟର କଥା ମହାକବି ସେକ୍‌ସପିଅର ଏଭଳି ଦୁର୍ଘଟଣା କଥା ଭାବି ଏଇ ଆଶ୍ୱାସବାଣୀ ଲେଖି ଯାଇଥିଲେ—

 

Who steals my purse steals trash; ’tis something, nothing;

‘t was mine, ‘tis his, and has been slave to thousands;

But he that filches from me my good name

Robs me that which not enriches him,

And makes me poor indeed.

 

(Othello)

Image

 

Unknown

ପରିଚ୍ଛେଦ : ଏଗାର

ସେକ୍‌ସପିଅର : ଉପସଂହାର

 

ବଡ଼ ଭଲଲାଗିଥିଲା ଛୋଟ ସହର ଷ୍ଟାଟ୍‌ଫୋର୍ଡ ଆପନ-ଆଭନ୍‌ର ଅଦ୍ୟାବଧି ଅବ୍ୟାହତ ଗ୍ରାମ୍ୟ ପରିବେଶ । ଆଜିର ଇଂଲଣ୍ଡ ପ୍ରତି ମୋର କୌଣସି ଆକର୍ଷଣ ନ ଥିଲା । ମୁଁ ଯେଉଁ ନିର୍ଦ୍ଦିଷ୍ଟ କାମ ପାଇଁ ଯାଇଥିଲି (୧) ତା’ର ଆକର୍ଷଣକୁ ଛାଡ଼ିଦେଲେ ମୁଁ ଖୋଜୁଥିଲି ପୁରୁଣା ଇଂରାଜୀ ସାହିତ୍ୟରେ ପ୍ରତିଫଳିତ ଇଂଲଣ୍ଡକୁ । “ସ୍ପର୍ଦ୍ଧିତ ସମୁଦ୍ର-ବଳୟିତ ଇଂଲଣ୍ଡ” (୨) ସୀମାହୀନ କୌତୂହଳ ନେଇ ଏକଦା ସାଗର ପାରିର ବୃହତ୍ତର ଦୁନିଆକୁ ଖୋଜୁଥିଲା । ସାମୁଦ୍ରିକ ବୀରମାନେ ପାଲ ତୋଳି ଭାସିଯାଇ ଦୂର ଦିଗନ୍ତର କୁହେଳିକା ଭେଦ କରିବାକୁ ଉତ୍ସୁକ ଥିଲେ; କିନ୍ତୁ ସେହି ଦୁଃସାହସିକ ଜଳଯାତ୍ରାରେ ସାଥୀ ଓ କର୍ମୀ ହେବାପାଇଁ ଯଥେଷ୍ଟ ସଂଖ୍ୟକ ନାବିକ ପାଇବା ସହଜ ନଥିଲା ।

 

ସମୁଦ୍ର ଭିତରେ ରହିଛି କେତେ ଅଜବ ଦ୍ଵୀପ । ହୁଏତ ଭୂତ-ପ୍ରେତ ଅଧ୍ୟୁଷିତ, ନଚେତ୍‌ କୈଣସି ମାୟାବି-କବଳିତ । ଏଭଳି ବିଶ୍ୱାସ ପ୍ରାୟ ସାର୍ବଜନୀନ ଥିଲା । ଶୀତ ସନ୍ଧ୍ୟାରେ ଅଗ୍ନିକୁଣ୍ଡକୁ ବେଷ୍ଟନ କରି ବସି ସେଥିରେ ଇନ୍ଧନ ପକାଇବା ସଙ୍ଗେ ସଙ୍ଗେ ପ୍ରତ୍ୟାଗତ ନାବିକମାନେ କପୋଳ-କଳ୍ପନା ଲମ୍ବାଇ ଏସବୁ ବିଶ୍ଵାସକୁ ଇନ୍ଧନ ଯୋଗାଉଥିଲେ । ବାତାବରଣରେ ସଜୀବ ସେହିସବୁ କାହାଣୀର ପ୍ରଭାବ ଆମେ ଦେଖୁ The Tempest ନାଟକର ନିର୍ଜନ ଯାଦୁମୁଗ୍‌ଧ ଦ୍ଵୀପ ଓ ତା’ର ଅନନ୍ୟ ବାସିନ୍ଦାଦ୍ଵୟ—ଅଶରୀରୀ ଏରିଏଲ୍ ଓ ବିକଳାଙ୍ଗ କାଲିବାନ୍‌ର ଚିତ୍ରଣ ଭିତରେ ।

 

ଆଭନ୍‌ ନଦୀ ତୀରେ ତୀରେ ବୁଲୁ ବୁଲୁ, ଅଥବା ଅତୀତରେ ରୋମାନ୍-ଅଧିକୃତ ଇଂଲଣ୍ଡର ଅନ୍ୟତମ ସୁପ୍ରାଚୀନ ସହର କୋଲ୍‌ଚେଷ୍ଟାର୍‌ର ଅଦୂରବର୍ତ୍ତୀ ପଲ୍ଲିମୟ ସମୁଦ୍ରତଟରେ ନଗ୍ନ-ବକ୍ଷ ନାବିକମାନଙ୍କ ଭିତରେ ପଦଚାରଣ କରୁ କରୁ ସେହି ବିଗତ ଯୁଗର ଇଂଲଣ୍ଡକୁ ଅନୁଭବ କରିବାକୁ ଚେଷ୍ଟା କରିଛି । ସମ୍ପୂର୍ଣ୍ଣ ଅସଫଳ ହୋଇଛି ବୋଲି କହି ହେବ ନାହିଁ ।

 

ଆଜି ଇଂଲଣ୍ଡର ଗ୍ରାମ୍ୟଜୀବନ ଧୀରେ ଧୀରେ ମ୍ଳାନ ହୋଇ ଆସୁଛି କ୍ରମପ୍ରସାରିତ କଳକାରଖାନ ଓ ଯାନ୍ତ୍ରିକ ଯାତାୟାତର ବାହୁଲ୍ୟ ସକାଶେ । ‘ଖ୍ରୀଷ୍ଟିୟାନ୍ ସାଏନ୍‌ସ ମନିଟର’ କାଗଜରେ ପ୍ରକାଶିତ ହୋଇଥିଲା ଏକ ମଜାର ଘଟଣା—ମଜା ଅଥଚ ବେଦନାଦାୟକ । ୧୯୬୨ ମସିହାରେ ଦେଶବ୍ୟାପୀ ସମୀକ୍ଷା ପରେ ଖବରକାଗଜମାନଙ୍କରେ ପ୍ରକାଶ ପାଇଲା ଯେ କାସ୍‌ଲକୋମ୍ବ ନାମକ ଗ୍ରାମ ଇଂଲଣ୍ଡ ଭିତରେ ସବୁଠୁ ନିଶ୍ଚିନ୍ତ, ଶାନ୍ତ ଓ ସୁନ୍ଦର ପଲ୍ଲି । ସେ ଗାଁରେ ସର୍ବମୋଟ ପାଞ୍ଚଶହରୁ କମ୍ ବାସିନ୍ଦା । ସେମାନେ ଜାଣି ନ ଥିଲେ ଯେ ବିଶେଷଜ୍ଞମାନେ ତାଙ୍କ ଗାଁଟିକୁ ଦେଶର ସବୁଠୁ ଲୋଭନୀୟ ଗ୍ରାମ ଭାବରେ ଗୌରବ ଦେଇଛନ୍ତି ।

 

କିନ୍ତୁ ଯଥାଶୀଘ୍ର ତାହା ନଜାଣି ଉପାୟ ନ ଥିଲା । ବାଇନୋକ୍ୟୁଲାର କ୍ୟାମେରା ଧରି, ଧୂଳି ଉଡ଼ାଇ, ଡଜନ୍ ଡଜନ୍‌ କାର୍ ଯାଇ ଶାନ୍ତ ଗ୍ରାମର ଅପ୍ରସ୍ତୁତ ମାର୍ଗକୁ ଚଷିପକାଇଲେ; ଦେଶ ବିଦେଶରୁ ଶହଶହ ପର୍ଯ୍ୟଟକ ଆସି ପହଞ୍ଚିଗଲେ ନିଭୃତ ପଲ୍ଲିର ସୁକୁମାର ସୌନ୍ଦର୍ଯ୍ୟ ପିଇଯିବା ପାଇଁ । କିନ୍ତୁ ସୌନ୍ଦର୍ଯ୍ୟ ପିଇବାରେ ହିଁ ସବୁ ଜାତୀୟ ତୃଷ୍ଣା ମେଣ୍ଟେ ନାହିଁ । ଅନ୍ୟ ତୃଷ୍ଣା ଚରିତାର୍ଥ କରିବା ପାଇଁ ପାନାଗାରମାନ ଖୋଲାହେଲା । ଆଶ୍ରୟ ଦେବାପାଇଁ ଗଢ଼ି ଉଠିଲା ହୋଟେଲ । ରାତି ହେଲେ ଯେତେବେଳେ ଆଉ ପ୍ରାକୃତିକ ଗ୍ରାମ୍ୟ ସୌନ୍ଦର୍ଯ୍ୟ ଉପଭୋଗ କରିବା ସମ୍ଭବ ନୁହେଁ ସେତେବେଳେ ଉପଭୋଗ ପାଇଁ ଖୋଲିଲା ପ୍ରେକ୍ଷାଳୟ ।

 

ବହୁ ଶତାବ୍ଦୀର ନୀରବତା ଚୂର୍ଣ୍ଣ ହେଲା । ଏପରିକି ସେଠାରେ ଥିବା ତ୍ରୟୋଦଶ ଶତାବ୍ଦୀର ଛୋଟିଆ ପାନ୍ଥଶାଳାଟିର କର୍ତ୍ତୃପକ୍ଷ ମଧ୍ୟ ଅନ୍ୟମାନଙ୍କ ସହିତ ତାଳ ଦେବାପାଇଁ ରକ୍ ସଙ୍ଗୀତ ଆମଦାନୀ କଲେ । ଆଧୁନିକ ଜୀବନର ଦାନବିକ ଗ୍ରାସ ଭିତରୁ ଆଉ ବୋଧହୁଏ ସେ ଭୀରୁ ପଲ୍ଲିର ଆତ୍ମାକୁ ଆବିଷ୍କାର କରିବା ସମ୍ଭବପର ହେବ ନାହିଁ ।

 

୧୮୦୦ ମସିହାରେ ଇଂଲଣ୍ଡର ଜନସଂଖ୍ୟାର ପାଞ୍ଚ ଭାଗରୁ ଚାରିଭାଗ ରହୁଥିଲେ ଗ୍ରାମାଞ୍ଚଳରେ । ଆଜି ବିପରୀତ । ଏକଭାଗ ଗ୍ରାମାଞ୍ଚଳରେ, ଚାରିଭାଗ ସହରରେ ।

 

ସେକ୍‌ସପିଅର୍‌ଙ୍କ ଯୁଗର ଇଂଲଣ୍ଡରେ ସହର ଓ ଗ୍ରାମ ଭିତରେ ପାର୍ଥକ୍ୟ ଥିଲା କ୍ଷୀଣ । ଇଂଲଣ୍ଡରେ ଯଥେଷ୍ଟ ବଡ଼ ବଡ଼ ସହର ନ ଥିଲା ବୋଲି ହୁଏତ ସେକ୍‌ସପିଅର୍ ତାଙ୍କ ନାଟକସମୂହର ପଟ୍ଟଭୂମି ଭାବରେ ବିଦେଶର ପ୍ରଖ୍ୟାତ ସହରମାନଙ୍କର ନାମ ବ୍ୟବହାର କରୁଥିଲେ । ବିଶେଷତଃ ଇତାଲି ହିଁ ଥିଲା ତାଙ୍କର ସର୍ବାଧିକ ପ୍ରିୟ ଦେଶ । ତାଙ୍କର ଏଗାରଟି ନାଟକର ଘଟଣାସ୍ଥଳୀ ଭାବରେ ସେ ଉତ୍ତର ଇତାଲିର ନଗରୀମାନଙ୍କର (ଭେନିସ୍, ପାଦୁଆ, ଭେରୋନା ଇତ୍ୟାଦି) ନାମ ବ୍ୟବହାର କରିଛନ୍ତି । କିନ୍ତୁ ସେତିକି ମାତ୍ର ନୁହେଁ, ଇତାଲିର ରୀତିନୀତି, ସମାଜ ବିଷୟରେ ସେ ନିଜର ବିଶଦ ଜ୍ଞାନର ପରିଚୟ ଦେଇଛନ୍ତି ମଧ୍ୟ ।

 

ସେକ୍‌ସପିଅର୍‌ଙ୍କର ଏହି ଇତାଲି-ପ୍ରୀତି ହେତୁ ଗବେଷଣା ରାଜ୍ୟରେ ଘଟିଛି ଏକ ଛୋଟିଆ ଧରଣର ବିସ୍ଫୋରଣ । ସାନ୍ତି ପାଲାଦିନୋ ନାମକ ଜଣେ ସାହିତ୍ୟ ଗବେଷକ କିଛି ବର୍ଷ ତଳେ ଷୋଡ଼ଶ ଶତାବ୍ଦୀର ଏକ ବହି ପଢ଼ୁଥିଲେ । ବହିଟିର ଲେଖକଙ୍କର ନାମ ମାଇକେଲ୍‌ ଆଗନୋନୋ ଫ୍ଳୋରିଓ । ପଢ଼ୁ ପଢ଼ୁ ପାଲାଦିନୋଙ୍କର ମନେହେଲା, ବହିଟିର ଅନେକ କଥା ଓ ଧ୍ୟାନଧାରଣା ସେ ଯେପରି ପୂର୍ବରୁ ଅନ୍ୟ କୌଣସି ଭାଷାରେ ପଢ଼ିଛନ୍ତି । କ୍ରମେ ମନେପଡ଼ିଲା, ସେ ସବୁ ସେକ୍‌ସପିଅର୍‌ଙ୍କ Hamletରେ ବିଦ୍ୟମାନ ।

 

ଫ୍ଳୋରିଓ ତାଙ୍କ ବହିଟି ସେକ୍‌ସପିଅରଙ୍କ ଜନ୍ମର ୧୫ବର୍ଷ ପୂର୍ବରୁ ଲେଖିଥିଲେ । ତେବେ କ’ଣ ସେକ୍‌ସପିଅର୍‌ ଇତାଲି ଆସି ଫ୍ଳୋରିଓଙ୍କ ବହିରୁ କିଛି ମାଲ୍ ମସଲା ଆତ୍ମସାତ୍ କରିଥିଲେ ? ହୋଇପାରେ—ପାଲାଦିନୋ ଭାବିଲେ ।

 

କିନ୍ତୁ ପାଲାଦିନୋଙ୍କ କୌତୂହଳ ସେତିକିରେ ପ୍ରଶମିତ ହେଲା ନାହିଁ । ଫ୍ଳୋରିଓଙ୍କ ଜୀବନ ସମ୍ପର୍କରେ ଗବେଷଣା କରି ସେ ଜାଣିଲେ, ସେ ଥିଲେ ଜଣେ ଧର୍ମଯାଜକ । କିନ୍ତୁ ଗୀର୍ଜାର ତତ୍କାଳୀନ କର୍ତ୍ତୃପକ୍ଷଙ୍କ ସହ ବିରୋଧ ହେତୁ ବିପଦରେ ପଡ଼ିବେ ବୋଲି ଭୟକରି ସେ ଲଣ୍ଡନ ପଳାଇଯାଇଥିଲେ । ଜଣେ ଇଂରେଜ ମହିଳାଙ୍କୁ ବିବାହ କରି ସେଠାରେ ଭଦ୍ରଲୋକ ଘରଦ୍ଵାର କରି ରହିଲେ । ତାଙ୍କ ପୁଅ ଜିଓଭାନି ‘ଅଭିନେତା’ ସେକ୍‌ସ୍‌ପିଅରଙ୍କର ବନ୍ଧୁ ଥିଲେ । ଜିଓଭାନିଙ୍କଠୁ ଫ୍ଳୋରିଓଙ୍କର ଇତାଲିୟ ବହି ସବୁନେଇ ସେକ୍‌ସପିଅର ସେସବୁକୁ ଇଂରାଜୀ କରିପକାଇ ମଞ୍ଚରେ ସେ ସବୁ ଚାଲୁ କରିଦେଲେ—ଏହା ହିଁ ବର୍ତ୍ତମାନ ପାଲାଦିନୋଙ୍କ ବକ୍ତବ୍ୟ ।

 

ଉତ୍ତର ଇତାଲିର ଏକ ସହର ଲୋମ୍ବାଡ଼ିର ଅଧିବାସୀ ଥିଲେ ଫ୍ଳୋରିଓ । The Taming of the Shrew ନାଟକରେ ସେ କହୁଛନ୍ତି, “ମହାନ୍ ଇତାଲିର ଫଳଭରା ମଧୁର ଉଦ୍ୟାନ ଯେଉଁ ଲୋମ୍ବାଡ଼ି—ମୁଁ ଆସିଛି ସେଇଠାରୁ ।” ପାଲାଦିନୋଙ୍କ ମତରେ ଏଇ ବିବୃତି ଭିତରେ ଧରାପଡ଼ିଯାଇଛି ସେକ୍‌ସପିଅରଙ୍କ ଅସଲ ପରିଚୟ ।

 

ତେବେ, ସେକ୍‌ସପିଅର୍‌ଙ୍କ ସୃଜନ-ଜଗତର ପରିସର ବଡ଼ ବ୍ୟାପକ । ସେହି ବ୍ୟାପକତା ଭିତରରୁ କିଛି କିଛି ବିବୃତି ଉଠାଇ ଆଣି ଅନେକ କଥା ‘ପ୍ରମାଣ’ କରିଦେଇହେବ—ଯିମିତି ପୂର୍ବରୁ କିଏ, ବା ‘ପ୍ରମାଣ’ କରିଛି ସିଏ ଥିଲେ ବେକନ୍‌, କିଏ ବା ‘ପ୍ରମାଣ’ କରିଛି ସିଏ ଥିଲେ ମାଲୋ, ଆଉ କିଏ ବା ‘ପ୍ରମାଣ’ କରିଛି ସିଏ ଥିଲେ ରାଣୀ ପ୍ରଥମ ଏଲିଜାବେଥ୍ ।

 

କେବଳ ସିଏ କିଏ ଥିଲେ, ସେତିକି ନୁହେଁ, ତାଙ୍କ ଜୀବନ-ଦର୍ଶନ ଉପରେ ମଧ୍ୟ ଆମେ ଯେମିତ ତାଙ୍କରି ଲେଖାରୁ ‘ପ୍ରମାଣ’ କରିଦେଇ ପାରିବା ଯେ ସେ ଥିଲେ ସାମନ୍ତବାଦୀ, ସେମିତି ‘ପ୍ରମାଣ’ କରି ଦେଇ ପାରିବା ଯେ ସେ ଥିଲେ ସାମ୍ୟବାଦୀ ।

 

ବିବ୍ରତ ପାଇଁ ସାନ୍ତ୍ଵନା, ଭାବୁକ ପାଇଁ ଚିନ୍ତାର ଖୋରାକ—ସବୁ ଧରଣର ବାଣୀ ହୃଦୟଗ୍ରାହୀ ଭାଷାରେ ରଖିଯାଇଛନ୍ତି ସେକ୍‌ସପିଅର୍‌ । ସେଥିପାଇଁ ସମସ୍ତେ ତାଙ୍କ ଲେଖାରୁ ଉଦ୍ଧୃତିମାନ କଥାରେ ବ୍ୟବହାର କରନ୍ତି । ଅନେକେ କ୍ରମେ ଭୁଲିଯାଆନ୍ତି ସେ ସବୁର ଉତ୍ସଟି କିଏ ? ଜଣେ ଭଦ୍ରମହିଳା ଯେ ‘ହାମଲେଟ’ ଅଭିନୟ ଦେଖି ମନ୍ତବ୍ୟ ଦେଇଥିଲେ, “ସାରା ନାଟକଟା ଲେଖକ ଖାଲି ଗୁଡ଼ାଏ Quotationରେ ଭର୍ତ୍ତି କରି ଦେଇଛନ୍ତି”, ସେଥିରେ ବିସ୍ମୟ କିଛି ନାହିଁ । ବଡ଼ ବଡ଼ ଉଦ୍ଧୃତି କଥା ଛାଡ଼ିଦେଲେ ବି ଆଜି ଆମେ ଇଂରାଜୀରେ ଲେଖିବା ବେଳେ ବା କଥା କହିଲା ବେଳେ ଏଭଳି ଛୋଟ ଛୋଟ phrase ମାନ ବ୍ୟବହାର କରୁ, ଯାହାର ପ୍ରବର୍ତ୍ତକ ସେକ୍‌ସପିଅର୍ ବୋଲି ମନେ ରଖିବା ସମ୍ଭବପର ନୁହେଁ ।

 

ଯଥା—

 

Beginning of the end, Love is blind, Truth will come to light, Bag and baggage, Hold your tongue, Grim necessity, Mind’s eye—ଏବଂ ଆହୁରି କେତେ ।

 

ସେକ୍‌ସପିଅର୍‌ଙ୍କ ନାଟକ ଶହ ଶହ ବର୍ଷ ଧରି ସମାନ ଉତ୍ସାହରେ ଅଭିନୀତ ହେଉଛି–ଏହା ଏକ ବିରାଟ ବିସ୍ମୟ । ଅବଶ୍ୟ ଥରେ ଥରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କ ଉତ୍ସାହ ଟିକିଏ ମାରାତ୍ମକ ଭାବରେ ବେଶି ହୋଇଯାଏ; ନହେଲେ ଭଲ ହୁଅନ୍ତା । ଉଦାହରଣ ସ୍ୱରୂପ, ଏ ଲେଖକ ଯେତେବେଳେ ସ୍କଟ୍‌ଲ୍ୟାଣ୍ତରେ ଥିଲା, ସେତେବେଳେ ଏଡିନ୍‌ବରାର ଜଣେ ସ୍ଵନାମଧନ୍ୟ ନିର୍ଦ୍ଦେଶକ ‘ଓଥେଲୋ’ ନାଟକର ଏକ ଦୃଶ୍ୟରେ ନାୟିକା ଡେସ୍‌ଡିମୋନାଙ୍କୁ ଉଲଗ୍ନ ଭାବରେ ଦେଖାଇବାକୁ ଜିଦ୍‌ ଧରି ବସିଲେ । ତାଙ୍କର ମନ୍ତବ୍ୟ-ସେକ୍‌ସପିଅର୍ ସ୍ୱୟଂ ସେ ଦୃଶ୍ୟରେ ତାହା ହିଁ କରିଥିବେ ତାଙ୍କ ସମୟରେ ।

 

ହାୟ ! ଉତ୍ସାହର ସେହି ପ୍ରାବଲ୍ୟ ଭିତରେ ଭଦ୍ରଲୋକ ଭୁଲିଯାଇଥିଲେ ଯେ ସେକ୍‌ସପିଅରଙ୍କ ସମୟରେ ନାରୀ ଚରିତ୍ରରେ ଯେଉଁ ଅଭିନେତୃବର୍ଗ ଅବତୀର୍ଣ୍ଣ ହେଉଥିଲେ, ସେମାନେ ଥିଲେ ନିପଟ ପୁରୁଷ !

 

୧ । ଏଇ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ସ୍ଵାଧୀନତା ପାଇଁ ଭାରତରେ ଯେଉଁ ବୈପ୍ଳବିକ ଅଭିଯାନ ହୋଇଥିଲା ତାର ସାରଥୀ ଥିଲେ ଶ୍ରୀ ଅରବିନ୍ଦ । ସେହି ସଂକ୍ରାନ୍ତ କେତେକ ତଥ୍ୟ ସଂଗ୍ରହ ଥିଲା ଲେଖକର ଉଦ୍ଦେଶ୍ୟ ଓ ଆକର୍ଷଣ । ସଂଗୃହୀତ ତଥ୍ୟାବଳି ଶ୍ରୀ ଅରବିନ୍ଦ-ଜନ୍ମ-ଶତବାର୍ଷିକୀ ଉପଲକ୍ଷେ ୧୯୭୨ରେ ଶ୍ରୀ ଅରବିନ୍ଦ ଆଶ୍ରମ ଟ୍ରଷ୍ଟ କର୍ତ୍ତୃକ SRI AUROBINDO IN THE FIRST DECADE OF THE CENTURY ନାମରେ ପ୍ରକାଶିତ ହୋଇଛି ।

 

୨ । England, bound in with the triumphant sea.

(Shakespeare; King Richard II)

 

* As You Like It ଗୀତଟି...under the greenwood tree

Who loves to lie with me

... ... ...

Seeking the food he eats,

And pleased with what he

gets.

 

ଏଇ ଧାଡ଼ି କେତୋଟି ସାମ୍ୟବାଦର ସ୍ଲୋଗାନ୍ Each man according to his capacity, each man according to his needର ଏକ ଲଳିତ ପୂର୍ବ-ସଂସ୍କରଣ ନୁହେଁ କି ?

Image

 

ପରିଚ୍ଛେଦ : ବାର

“ବିଜନ ପଲ୍ଲି”ର କବି : ବିଜନ ସମାଧି

 

“କୁହୁଡ଼ି ଲଣ୍ଡନର ଏକାନ୍ତ ନିଜସ୍ୱ”—ଲେଖିଥିଲେ ଚାର୍ଲ୍‌ସ ଡିକେନ୍‌ସ । ଭୟାବହ ଝଡ଼ ତୋଫାନ ବା ଭୂମିକମ୍ପ ବା ବନ୍ୟା ସେ ଦେଶରେ ପ୍ରାୟ ଅଜଣା । କେବେ ଥରେ ବନ୍ୟାରେ ମହାନଗରୀର ଏକ ଅଂଶ ବାଟାର୍‌ସିଆ ପ୍ଳାବିତ ହୋଇ ଯାଇଥିଲା ବୋଲି ସେତେବେଳେ ଦୈବାତ୍ ଅନୁପସ୍ଥିତ ଥିବା ସେଠାକାର ବାସିନ୍ଦା ଚେଷ୍ଟାର୍‌ଟନ୍‌ ସେ ଅପୂର୍ବ ଅନୁଭୂତିରୁ ବଞ୍ଚିତ ହୋଇଥିବା ହେତୁ ହା-ହୁତାଶ କରିଥିଲେ । ଏଡ଼େ ସୌଖୀନ ଲଣ୍ଡନର ବନ୍ୟା !

ଅତଏବ, ତୁଷାରପାତ ବ୍ୟତୀତ, ସେଠାରେ ଏକମାତ୍ର ପ୍ରାକୃତିକ ‘ଦୁର୍ଯୋଗ’ କୁହୁଡ଼ି । ଟେମ୍‌ସ ନଦୀର ୱାଟର୍‌ଲୁ ବ୍ରିଜ୍‌ ଉପରେ ଛିଡ଼ା ହୋଇ ଗହନ କୁହୁଡ଼ି ଭିତରେ ଭୌତିକ ଭୌତିକ ଦେଖାଯାଉଥିବା ଉଭୟ ଦିଗରେ ପ୍ରସାରିତ ଗମ୍ବୁଜ ଶ୍ରେଣୀ ଆଡ଼କୁ ଅନାଇ ରହିବାକୁ ବଡ଼ ଭଲଲାଗୁଥାଏ । ୱାଟାର୍‌ଲୁ ବ୍ରିଜ୍‌ରୁ ଅଦୂରରେ ଓଲ୍‍ଡ ଇଣ୍ଡିଆ ଅଫିସ ଲାଇବ୍ରେରୀ—ଅବିଭକ୍ତ ଭାରତର ବହୁ ଐତିହାସିକ ଜଣା ଅଜଣା ନଥିପତ୍ରର ଗନ୍ତାଘର—ମୋର ସାମୟିକ କର୍ମସ୍ଥଳୀ ।

ଦିନକର କୁହେଳିକାବୃତ ସକାଳେ ଟେମ୍‌ସ କୂଳେ କୂଳେ ବୁଲୁଥିଲି ବନ୍ଧୁ ଡିକ୍ ବେଟ୍‌ଷ୍ଟୋନ୍‌ଙ୍କ ସହିତ । ଅକାଳେ ସକାଳେ ହଠାତ୍ ଗୋଟାଏ କୌଣସି ଐତିହାସିକ ଇମାରତ୍ ଅଥବା ସାହିତ୍ୟସ୍ତୃତିବିଜଡ଼ିତ ସ୍ଥାନ ଦେଖାଇଦେବା ଥିଲା ବନ୍ଧୁଙ୍କର ଅନ୍ୟତମ ବିଶେଷତ୍ଵ ।

ସେଦିନ ବୁଲୁ ବୁଲୁ ଆମେ ପହଞ୍ଚିଲୁ ଟେମ୍ପଲ୍‌ ନାମକ ଇତିହାସ-ବିଦିତ ଅଞ୍ଚଳରେ । ବେଟ୍‌ଷ୍ଟୋନ୍‌ ମୋତେ ନେଇଗଲେ ଏକ ପରିଚ୍ଛନ୍ନ, ସମ୍ଭ୍ରାନ୍ତ ଆୟତନ ଭିତରକୁ । ତହିଁ ଅବସ୍ଥିତ ଅତି ପ୍ରାଚୀନ ଗୀର୍ଜାଟିଏ ! ସେ ଗୀର୍ଜାର ଏକ କଡ଼ରେ ଛୋଟ ଦୂର୍ବାଚ୍ଛାଦିତ ସ୍ଥାନ ଟିକିଏ । କୁହୁଡ଼ି ଅପସରି ଯାଉଥାଏ । ବନ୍ଧୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଲେ, ଅଯତ୍ନବର୍ଦ୍ଧିତ ଗୋଟିଏ ଦୁଇଟି ଛୋଟ ଗଛ ତଳେ ହୁଏତ ଦୁଇ ଫୁଟ ଉଚ୍ଚତା ଓ ପାଞ୍ଚ ଛଅ ଫୁଟ ଦୈର୍ଘ୍ୟ ବିଶିଷ୍ଟ ସିମେଣ୍ଟ୍ ଫଳକଟିଏ କହୁଛି—ଏହାରି ତଳେ ଶୋଇଛନ୍ତି ଓଲିଭାର୍ ଗୋଲ୍‌ଡ଼ ସ୍ମିଥ୍ । (୧)

ଚମକି ଉଠିଲି । ୱେଷ୍ଟମିନ୍‌ଷ୍‌ଟାର ଆବି—ଯେଉଁଠି ଏକ ସୁନିର୍ଦ୍ଦିଷ୍ଟ ଚଟାଣ ତଳେ ବିଶ୍ରାମରତ ଇଂରାଜୀ ସାହିତ୍ୟର ମହନୀୟ ନିର୍ମାତାମାନଙ୍କର ଦେହାବଶେଷ–ସେଠାରେ ତେବେ ଗୋଲ୍‌ଡ୍‍ସ୍ମିଥଙ୍କୁ ଦେଖି ନ ଥିଲି ? Poet’s Corner ନାମରେ ଖ୍ୟାତ ୱେଷ୍ଟ୍‌ମିନ୍‌ଷ୍ଟର୍ ଆବିର ସେହି ଅଂଶରେ ରହିଛନ୍ତି ଇଂରାଜୀ କବିତାର ଜନକ ଚଷର, ରହିଛନ୍ତି ବିଦଗ୍‌ଧ କବି ଟେନିସନ୍ ଓ କାବ୍ୟପ୍ରଖର ବ୍ରାଉନିଂ; ଆଉ ଏକ ଅଂଶରେ ରହିଛନ୍ତି ଭାଷାବିଦ୍, ସାହିତ୍ୟରଥୀ ଡା: ଜନସନ୍ ଓ ଅସାମାନ୍ୟ କଥାପ୍ରତିଭା ଚାର୍ଲସ୍‌ ଡିକେନ୍‌ସ୍ ଓ ଥମାସ୍ ହାର୍ଡି । ସାହିତ୍ୟିକମାନଙ୍କ ଛଡ଼ା ମୁଁ ଯେଉଁମାନଙ୍କ ଖ୍ୟାତି ସହିତ ପରିଚିତ, ତନ୍ମଧ୍ୟରୁ ସେଠାରେ ଥିଲେ ସେ ଯୁଗର ବିଖ୍ୟାତ ଅଭିନେତା ଡାଭିଡ୍‍ ଗ୍ୟାରିକ୍‍ଙ୍କ । ଅନ୍ତତଃ ତାଙ୍କ ସମାଧି ଦେଖି ଗୋଲ୍‌ଡ ସ୍ମିଥ୍‌ଙ୍କ କଥା ମନେପଡ଼ିବା ଉଚିତ ଥିଲା । ବନ୍ଧୁ ଗ୍ୟାରିକ୍‌ଙ୍କ ମୃତ୍ୟୁରେ ଗୋଲ୍‌ଡ ସ୍ମିଥ୍ ଲେଖିଥିଲେ—

ଏହିଠାରେ ସମାଧିସ୍ଥ ଡାଭିଡ୍‍ ଗ୍ୟାରିକ୍

କେ ପାରିବ ବର୍ଣ୍ଣି ତା’ର ଗୁଣ,

ସିଏ ଥିଲା ମଣିଷର ସବୁ ମାଧୁର୍ଯ୍ୟର

ସଂକ୍ଷେପିତ ଏକ ସଂସ୍କରଣ ! (୨)

 

ଯାହାହେଉ, ଗୋଲ୍‌ଡ଼ ସ୍ମିଥ୍‌ଙ୍କ କଥା ପୂର୍ବରୁ ସ୍ମରଣ କରି ନ ଥିବା ହେତୁ ଦୁଃଖ ଲାଗିଲା-। ମୋ ଚେତନାରେ ଗୋଲ୍‌ଡ ସ୍ମିଥ୍‌ଙ୍କ ପାଇଁ ଏକ ବିଶେଷ ମମତା ଥିଲା । “ଭିକାର ଅବ୍ ୱେକଫିଲ୍‌ଡ”, ‘ସିଷ୍ଟୁପ୍‌ସ ଟୁ କଂକାର’ ଭଳି ତାଙ୍କର କେତେକ ଲେଖାରେ ରହିଛି ତୀକ୍ଷ୍‌ଣଧାର ବ୍ୟଙ୍ଗ ଓ ଉଚ୍ଛଳ ହାସ୍ୟରସ; ପୁଣି ‘ଡେଜାର୍ଟେଡ ଭିଲେଜ୍‌’ ଭଳି କବିତାରେ ଅଛି ସଂକ୍ରାମକ ଦରଦ ଓ ବେଦନା । ତାଙ୍କ ‘ଭିକାର ଅବ୍ ୱେକ୍‌ଫିଲଡ’ ରେ ଅନେକ ତ୍ରୁଟି ଅଛି ବୋଲି ସମାଲୋଚକମାନେ ଦର୍ଶାଇଥାନ୍ତି । ମନେହୁଏ ସ୍ୱୟଂ ଲେଖକ ସେ ବିଷୟରେ ସଚେତନ ଥିଲେ । ବହିଟିଏ ବିଜ୍ଞାପନ ସେ ନିଜେ ଲେଖିଥିଲେ ଓ ଲେଖିଥିଲେ ଏହି ସତକଥା: “ଅନେକ ତ୍ରୁଟି ବିଚ୍ୟୁତି ଥାଇ ବି ଖଣ୍ଡିଏ ବହି ହୋଇପାରେ ସୁଖପାଠ୍ୟ; ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇ ବି ଆଉ ଗୋଟାଏ ବହି ହୋଇପାରେ ବିଲ୍‌କୁଲ୍ ଅପାଠ୍ୟ !”

 

ଗୋଲ୍‌ଡ ସ୍ମିଥ୍‌ଙ୍କ ପ୍ରତି ମମତାର ହେତୁ କିନ୍ତୁ ତାଙ୍କର ବେଦନା ନୁହେଁ କି ବ୍ୟଙ୍ଗ ନୁହେଁ । ବହୁ ପ୍ରତିଭାଧର ଲେଖକଙ୍କ ପାଖରେ ତ ଏସବୁ ଗୁଣ ଅଛି । ଏ ପାଇଁ ସେମାନଙ୍କ ପ୍ରାପ୍ୟ ଆମର ସମ୍ମାନ ।

 

ମମତା (ବରଂ ସହାନୁଭୂତି)ର ହେତୁ—ଗୋଲ୍‌ଡ ସ୍ମିଥ୍‌ଙ୍କ ଜୀବନରେ ତାଙ୍କ ସାହିତ୍ୟ ପ୍ରତିଭା ଓ ବ୍ୟକ୍ତିଗତ ଜୀବନ ଭିତରର ବ୍ୟାପକ ବ୍ୟବଧାନ । ଏଡ଼େ ବଡ଼ ବୁଦ୍ଧିମାନ୍‌ ଲେଖକ, ଯିଏ କି ଅନ୍ୟର ଆସ୍ଫାଳନ, ଉଚ୍ଚାଶା ଓ ଭଣ୍ଡାମିକୁ ବିଚକ୍ଷଣ ସାବଲୀଳତା ସହକାରେ ଚିତ୍ରଣ କରିପାରନ୍ତି, ସେ କିପରି ନିଜର ବ୍ୟକ୍ତିଗତ ଜୀବନରେ ଏଡ଼େ ହାସ୍ୟାସ୍ପଦ ଭାବରେ ପିଲାଳିଆ ଥିଲେ, ସେ କଥା ଭାବିଲେ ଆଚମ୍ବିତ ହେବାକୁ ପଡ଼େ । ଅନେକ ଦିନ ତଳେ ବସୱେଲ ଲିଖିତ ଡା: ଜନସନ୍‌ଙ୍କ ଅମର ଜୀବନକାହାଣୀ ଭିତରେ ଗୋଲ୍‌ଡ ସ୍ମିଥ ବୃତ୍ତାନ୍ତ ପଢ଼ିବା ପରଠୁ ଅନେକ ପ୍ରତିଭାଧରଙ୍କ ଭିତରେ ଏଇ ପିଲାଳିଆମି ଊଣାଅଧିକେ ଦେଖିଛି—ନିଜକୁ ସବୁଥିରେ ପୁରୁଷୋତ୍ତମ ବୋଲି ପ୍ରତିପାଦିତ କରିବାର, କରି ନପାରିଲେ କାନ୍ଦ କାନ୍ଦ ହେବାର—ଅନ୍ୟକୁ, ବିଶେଷତଃ ସମଗୋତ୍ରୀୟଙ୍କୁ, ଈର୍ଷା କରିବାର ମନୋବୃତ୍ତି । କିନ୍ତୁ ଗୋଲ୍‌ଡ଼ ସ୍ମିଥଙ୍କ ଜୀବନ କଥା ମନେପଡ଼ିଲେ ବୁଝିହୁଏ ସେମାନେ କେଡ଼େ ନିରୁପାୟ ଭାବରେ, ଆତ୍ମ-କୈନ୍ଦ୍ରିକ । ସେ ନିରୁପାୟତା ପାଇଁ ବିରକ୍ତ ହୋଇ ଲାଭ ନାହିଁ ।

 

ଗୋଲ୍‌ଡ୍ ସ୍ମିଥ ଦେଖିବାକୁ ଛୋଟିଆ ମଣିଷଟାଏ ଥିଲେ । ତାଙ୍କ ସମସାମୟିକ ଯୋଡ଼ିଏ ଉଦ୍ଧତା ସାମାଜିକତା-ସର୍ବସ୍ଵା ମହିଳାଙ୍କ କଥା ଯଦି ବିଶ୍ଵାସ କରାଯାଇପାରେ, ତେବେ ସେ ଦେଖିବାକୁ ଥିଲେ ଅସୁନ୍ଦର । (ଶାରୀରିକ ବିଶାଳତା ଉପରେ ଗୁରୁତ୍ଵ ଆରୋପ କରିବାର ପ୍ରାଗୈତିକ ଅବଚେତନ ଅଭ୍ୟାସ ଓ ସୁନ୍ଦର ଅସୁନ୍ଦର ଅତି ହାଲୁକା, ଗତାନୁଗତିକ ମାପକାଠି ପୃଥିବୀରେ ଏଡ଼େ ବ୍ୟାପକ ଭାବରେ ଚାଲୁ ରହିଛି ଯେ ସେକଥା ଭାବିଲେ ହତାଶ ଲାଗେ ।) ଦୁର୍ଭାଗ୍ୟକୁ ଗୋଲ୍‌ଡ୍ ସ୍ମିଥ୍ ବେଶଭୂଷାର ଜାକଜମକ ଦ୍ଵାରା ନିଜକୁ ପ୍ରଦର୍ଶନୀୟ କରି ରଖିବା ପାଇଁ ନିହାତି ଉତ୍ସୁକ ଥିଲେ । ଏପରିକି ଥରେ କୌଣସି ହୋଟେଲ ବାଲକନିରେ ଦୁଇଜଣ ସୁଦରୀଙ୍କ ସହିତ ଛିଡ଼ା ହୋଇଥିବା ବେଳେ ରାସ୍ତାରେ କଦମପାତ କରି ଯାଉଥିବା ସୈନ୍ୟଦଳ ତାଙ୍କୁ ନଦେଖି ମହିଳାମାନଙ୍କ ଉପରେ ଦୃଷ୍ଟି ନିବଦ୍ଧ କରିବାରୁ ସେ ଅଭିମାନ କରି ମହିଳାଙ୍କ ଗହଣରୁ ଦୂରେଇ ଯାଇ ଏକୁଟିଆ ଛିଡ଼ାହୋଇ ସେ ପଦାତିକବାହିନୀ ଆଗରେ ନିଜ ବୈଶିଷ୍ଟ୍ୟ ଜାହିର୍ କରିଥିବାର ଲୋକାପବାଦ ଦୁର୍ନିବାର ।

 

ସେତେବେଳେ ଲଣ୍ଡନ ସାହିତ୍ୟ ଜଗତରେ ତୁଙ୍ଗ ପୁରୁଷ ଡା: ଜନ୍‌ସନ-ବପୁବୈଶିଷ୍ଟ୍ୟ ଓ ବାକ୍‌ଚାତୁରୀ ସକାଶେ ସବୁ ବୈଠକ, ମଜ୍‌ଲିସ୍‌ ଓ ଆଡ଼୍‌ଡ଼ାରେ ସର୍ବାଗ୍ରେ ତାଙ୍କର ସ୍ଥାନ । ଅନେକ ଦିନ ଯାଏ ତାଙ୍କର ସେ ଆଧିପତ୍ୟ ମୋଟେ ସହି ପାରୁ ନ ଥିଲେ ଗୋଲ୍‌ଡ୍ ସ୍ମିଥ୍ । ସୁଯୋଗ ପାଇଲେ ହିଁ ଦାବନ୍ ଦେବାକୁ ଚେଷ୍ଟା କରୁଥିଲେ । ମନେହୁଏ, ସହାନୁଭୂତି ବଶତଃ ଦୁର୍ଦ୍ଦାନ୍ତ ଡା: ଜନ୍‌ସନ୍ ତାଙ୍କର କ୍ଷୀଣକାୟ ପ୍ରତିଦ୍ଵନ୍ଦ୍ଵୀକୁ ଅପେକ୍ଷାକୃତ କମ୍ ପ୍ରତିଦାବନ୍ ଦେଉଥିଲେ । ଜନ୍‌ସନ୍ ବା କ’ଣ କରିଥାନ୍ତେ ! ତାଙ୍କ ବ୍ୟକ୍ତିତ୍ଵ ପ୍ରତି ଲୋକଙ୍କର ସହଜାତ ଆକର୍ଷଣ ଥିଲା । ଥରେ କୌଣସି ବୈଠକରେ ଗୋଲ୍‌ଡ୍ ସ୍ମିଥ୍ କଥା କହୁଥିଲା ବେଳେ ହଠାତ୍ ଡା: ଜନ୍‌ସନ୍‌ଙ୍କ ବପୁଶ୍ରୀ ଆନ୍ଦୋଳିତ ହେଲା । ସଙ୍ଗେ ସଙ୍ଗେ ପାଖରେ ବସିଥିବା ଜଣେ ଜର୍ମାନ ଭଦ୍ରଲୋକ ପ୍ରବଳ ଉତ୍ସାହରେ ଗୋଲଡ୍‍ ସ୍ମିଥ୍‌ଙ୍କୁ ହଲାଇ ପକାଇ ତାଙ୍କ ନିଜସ୍ଵ ଉଚ୍ଚାରଣ ଭଙ୍ଗୀରେ କହିଲେ, “ତୁମେ ଚୁପ୍ କର, ଚୁପ୍ କର, ଟକ୍ଟର୍ ସନ୍‌ସନ୍ କଥା କହିବାକୁ ଉଦ୍ୟତ !” ଏ ଅପମାନ ଗୋଲ୍‌ଡ୍ ସ୍ମିଥ୍ ବା କେମିତି ଭୁଲନ୍ତେ ! ‘ଟକ୍ଟର୍ ସନ୍‌ସନ୍’ ବୋଲି ଉଚ୍ଚାରଣ କରି ବାରମ୍ଵାର ସେ ଏ ଘଟଣା ଗପୁଥାନ୍ତି । ଥରେ ଥରେ ସେ କହୁଥାନ୍ତି, “ଜନ୍‌ସନ୍‌ଙ୍କ ସହ ଯୁକ୍ତି କରିବ ? ଅସମ୍ଭବ । ତାଙ୍କ ଗୁଳି ଯଦି ଲକ୍ଷ୍ୟଚ୍ୟୁତ ହେବ, ତେବେ ସେ ପିସ୍ତଲକୁ ହାତୁଡ଼ି ଭଳି ତମ ମୁଣ୍ଡରେ ବାଡ଼େଇବେ ।”

 

କକା ଓ ବଡ଼ଭାଇ ଛାତ୍ର ଜୀବନରେ ଯେତିକି ଟଙ୍କା ଯୋଗାଇ ଦେଉଥିଲେ, ତାକୁ ଗୋଲ୍‌ଡ୍ ସ୍ମିଥ ଜୁଆ ଖେଳି ଉଡ଼ାଇ ଦେଉଥିଲେ । ଏଡିନ୍‌ବରାରେ ଡାକ୍ତରୀ ପଢ଼ିବାକୁ ଯାଇ କିଛି ସୁବିଧା କରି ପାରିଲେ ନାହିଁ । ୟୁରୋପ ଖସିଯାଇ ପାଦରେ ଚାଲି ଗୁଡ଼ାଏ ବୁଲାବୁଲି କରି ଫେରିଆସି କୌଣସି ଏକ ବିଦେଶୀ କଲେଜରୁ ଏମ୍. ଡି. ପାସ୍ କରି ଆସିଛନ୍ତି ବୋଲି ଘୋଷଣା କଲେ । ହାୟ ! ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନୀକାରମାନେ ତାଙ୍କର ସେ ଘୋଷଣା ଉପରେ ଆସ୍ଥା ରଖିବାର ପ୍ରମାଣ ମିଳୁନାହିଁ ।

 

କ୍ରମେ ସେ ଲେଖାଲେଖିରେ ହାତ ଦେଲେ ଓ ସଫଳ ହେଲେ । ଅଷ୍ଟାଦଶ ଶତାବ୍ଦୀର ମାପକାଠିରେ ଦେଖିଲେ ସାହିତ୍ୟରୁ ତାଙ୍କର ଉପାର୍ଜନ କିଛି କମ୍ ନ ଥିଲା । ସେ ପୁଣି ଥିଲେ ଏକୁଟିଆ ଲୋକ । କିନ୍ତୁ ମ୍ୟାକଲେ ଲେଖିଛିନ୍ତି, “ଲର୍ଡ କ୍ଳାଇବ୍ ବଙ୍ଗଦେଶରୁ ଯେଉଁ ଅମାପ ବିତ୍ତ ଆଣିଥିଲେ, ତାହା ବି ଗୋଲ୍‌ଡ୍ ସ୍ମିଥ୍‌ଙ୍କ ପକ୍ଷରେ ଯଥେଷ୍ଟ ହୋଇ ନଥାନ୍ତା ।” ଏକ ଦିଗରେ ନିଜର ଅସଂଯତ ଜୀବନଯାତ୍ରା ଓ ଅନ୍ୟ ଦିଗରେ ବଦାନ୍ୟତା ତାଙ୍କୁ ସର୍ବଦା ନିଧିମୁକ୍ତ କରି ରଖିଥିଲା ।

 

ଗୋଲ୍‌ଡ୍ ସ୍ମିଥ୍‌ଙ୍କ ଅନ୍ତିମ ସମୟର ଚିତ୍ର ରଖି ଯାଇଛନ୍ତି ମ୍ୟାକଲେ । ବିଦେଶରୁ ଫେରି ଯେତେବେଳେ ନିଜକୁ ଡାକ୍ତର ବୋଲି ବିଜ୍ଞାପିତ କରି କରି ସେ ରୋଗୀମାନଙ୍କୁ ଆକୃଷ୍ଟ କରି ପାରି ନଥିଲେ, ସେତେବେଳେ ସେ କହି ବୁଲୁଥିଲେ, “ମୁଁ ଯାହାକୁ ତାହାକୁ ଚିକିତ୍ସା କରେନାହିଁ । କେବଳ ବନ୍ଧୁମାନଙ୍କୁ ଚିକିତ୍ସା କରେ ।” ଏହା ଶୁଣି ଜଣେ ବନ୍ଧୁ କହିଥିଲେ, “ଡାକ୍ତର ଗୋଲ୍‌ଡ଼ସ୍ମିଥ୍ ! ଦୟାକରି ତମ ନିୟମ ବଦଳାଇ ଦେଇ ବନ୍ଧୁମାନଙ୍କ ପରିବର୍ତ୍ତେ ଶତ୍ରୁମାନଙ୍କୁ ଚିକିତ୍ସା କର ।”

 

ମ୍ୟାକଲେ ଲେଖିଛନ୍ତି, ସେ ଦିନର ଏଭଳି ବିଜ୍ଞ ଉପଦେଶ ସତ୍ତ୍ଵେ ଉତ୍ତର କାଳରେ ସ୍ନାୟୁ ରୋଗରେ ପୀଡ଼ିତ ହୋଇ ସେ ନିଜ ନିଜ ଚିକିତ୍ସା ଆରମ୍ଭ କଲେ । ଫଳରେ ରୋଗ ପ୍ରବଳତର ହେଲା । ଶେଷକୁ ସତସତକିଆ ଡାକ୍ତର ଡକା ହୋଇ ଆସିଲେ । କିନ୍ତୁ ବିଶେଷ ଫଳ ହେଲାନାହିଁ । ଜଣେ ଶୁଶ୍ରୂଷାକାରୀ ତାଙ୍କୁ କହିଲେ, “ତୁମେ ତୁମ ରୋଗ ତୁଳନାରେ ବେଶି ଛଟପଟ ହେଉଛ । ତମ ମନ ଠିକ୍ ଅଛି ତ ?” “ନା, ନାହିଁ”, ଉତ୍ତର ଦେଲେ ଗୋଲ୍‌ଡ଼ସ୍ମିଥ୍ । ଏହା ହିଁ ହେଲା ତାଙ୍କର ଅନ୍ତିମ ଉକ୍ତି ।

 

ଗୋଲ୍‌ଡ଼ସ୍ମିଥ୍‌ଙ୍କ ସମାଧି ପାଖରେ ଚୁପ୍‌ଚାପ୍ ବସିଲେ କିଛି ସମୟ । ପାଖରେ ଏକ ସୁପ୍ରାଚୀନ ଐତିହାସିକ ଗୀର୍ଜା । ଦ୍ଵାଦଶ ତ୍ରୟୋଦଶ ଶତାବ୍ଦୀରେ ଏହି ଗୀର୍ଜାରେ ଶପଥ ନେଇ ବୀରମାନେ ‘ନାଇଟ୍‌ ଟେମ୍ପଲାର’ (knight Templer) ବା ତୀର୍ଥଯାତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ଧର୍ମ-ଯୋଧ୍ୟା ବନୁଥିଲେ । ବିଗତ ଯୁଗର ବୀରମାନଙ୍କ ସ୍ମୃତିପୂତ ସେହି କ୍ଷେତ୍ରରେ ଗୋଲ୍‌ଡ଼୍‌ସ୍ମିଥ୍‌ଙ୍କ ମହାଶଯ୍ୟା ପ୍ରସ୍ତୁତ ହୋଇଛି । ବିଡ଼ମ୍ବନା ? ନା । ବରଂ ମନେହୁଏ, ସାମାଜିକ ବୀରତ୍ୱରୁ ବଞ୍ଚିତ ବୋଲି ଧାରଣାରେ ପୀଡ଼ିତ ଏହି ସଦାବିମର୍ଷ ଲେଖକଟିକୁ ମହାକାଳ ଅବା ସାନ୍ତ୍ଵନା ଦେଇଛି ସେହି ବୀର ତୀର୍ଥରେ ଶାୟିତ ରହିବାର ବ୍ୟବସ୍ଥା କରିଦେଇ ।”

 

ଡିକ୍ ବେଟ୍‌ଷ୍ଟୋନ୍‌ଙ୍କ ସହ ଯେଉଁଦିନ ସେଠାକୁ ଯାଇଥିଲି, ସେଦିନ ସାଥିରେ କ୍ୟାମେରା ନଥିଲା । ଆଉ ଥରେ ଯାଇ ଗୋଲ୍‌ଡ଼ସ୍ମିଥ୍‌ଙ୍କ ସମାଧିର ଫଟୋ ନେବି ବୋଲି ସ୍ତିର କଲି । ସମୟ ନଥିଲା । ଲଣ୍ଡନ ଛାଡ଼ିବାର ଦିନକ ଆଗରୁ ସମୟ କରି ଟେମ୍ପଲ୍ ଅଞ୍ଚଳରେ ଯାଇ ପହଞ୍ଚିଲା । କିନ୍ତୁ ଏଥର ବେଟ୍‌ଷ୍ଟୋନ୍‌ ସାଥିରେ ନଥିବାରୁ ସେ ପରିସର ଭିତରକୁ ରାସ୍ତାଟି ଖୋଜି ପାଇ ନ ଥିଲି । ପାଖରେ ଗୋଟାଏ ଖବରକାଗଜ କାର୍ଯ୍ୟାଳୟ । ଆଗରେ ଛିଡ଼ା ହୋଇଥିବା ଜଣେ ସାହେବଙ୍କୁ ପଚାରିଲି, “କହି ପାରିବେ ଏଇଠି କେଉଁଠି ଓଲିଭାର୍ ଗୋଲ୍‌ଡ୍ ସ୍ମିଥ୍‌ଙ୍କ ସମାଧି ?”

 

“ଏହି ରାସ୍ତାରେ ଯାଆନ୍ତୁ । ଗୋଟିଏ ପୁରୁଣା ଗୀର୍ଜା କଡ଼ରେ ଦୁଇ ତିନିଟା ସମାଧି ଅଛି-। ସେଇଠି ହୋଇଥିବ ।” ସେ ଉତ୍ତର ଦେଲେ ।

 

ମୁଁ ଚାଲିଯାଉଛି, ସେ ମୋତେ ଅଟକିବାକୁ ଇଙ୍ଗିତ କରି ସବିନୟେ ପଚାରିଲେ, “ଆଚ୍ଛା, ଏଇ ଓଳିଭାର୍ ଗୋଲ୍‌ଡ୍ ସ୍ମିଥ୍‌ଟି କିଏ ?”

 

ମୁଁ ସ୍ତବ୍‌ଧହୋଇ ତାଙ୍କୁ ଚାହିଁରହି ସାମାନ୍ୟ ରୁକ୍ଷ ସ୍ୱରରେ କହିଲି, “ଥଟ୍ଟା କରୁଛନ୍ତି ?”

 

ଭଦ୍ରଲୋକ ବ୍ୟସ୍ତହୋଇ କୈଫିୟତ୍ ଦେଲେ, “ନା ନା, ମୁଁ ପ୍ରକୃତରେ ଜାଣେନା ବୋଲି ପଚାରୁଛି ।”

 

ମୁଁ ତାଙ୍କ କୈଫିୟତ୍ ଗ୍ରହଣ କରିବି କି ନା ଦୋଦୋପାଞ୍ଚ ହୋଇ କହିଲି, “ଔପନ୍ୟାସିକ, କବି, ସନ୍ଦର୍ଭ ଲେଖକ ଗୋଲ୍‌ଡ୍ ସ୍ମିଥ ! ‘ସିଟିଜନ୍‌ ଅବ୍‌ ଦି ୱାର୍ଲଡ୍’ ପଢ଼ିନାହାନ୍ତି ? ପଢ଼ିନାହାନ୍ତି ‘ଭିକାରି ଅବ୍‌ ୱ୍ୱେକ୍‌ଫିଲ୍ଡ’ ଅଥବା ‘ଡେଜାର୍ଟେଡ୍ ଭିଲେଜ୍’ ?”

 

“ଓଃ, ଲେଖକ ! ଆମେ ସେକ୍‌ସ୍‌ପିଅରଙ୍କୁ ଜାଣୁ ।”

 

ପରାଧୀନ ଭାରତରେ ଜନ୍ମହୋଇଥିବା ଏ ଲେଖକ ଏତେ ଦିନ ପରେ ହୃଦୟଙ୍ଗମ କଲା, ସାହେବ ମାତ୍ରେ ଶିକ୍ଷିତ ନୁହନ୍ତି ।

 

ସେ ଯାହାହେଉ, ମନେହେଉଥିଲା, ଭଦ୍ରଲୋକଙ୍କୁ କହିବି, “ଦୟାକରି ସ୍ୱର ଧୀର କରି କଥା କୁହନ୍ତୁ । ଗୋଲ୍‍ଡ୍‍ସ୍ମିଥ କାଳେ ଶୁଣିପକେଇବେ । ସେ ବଡ଼ ଅଭିମାନୀ ।”

 

ଗୋଲ୍‌ଡ୍ ସ୍ମିଥ୍‌ଙ୍କ Deserted Villageର ଶ୍ରୀ ଚନ୍ଦ୍ରମଣି ଦାଶଙ୍କ କୃତି ଓଡ଼ିଆ ଅନୁବାଦର ନାମ “ବିଜନ ପଲ୍ଲି ।”

 

(୧) ଗୋଲ୍‌ଡ୍ ସ୍ମିଥ୍‌ଙ୍କର ଜନ୍ମ ୧୭୨୮ରେ, ମୃତ୍ୟୁ ୧୭୭୪ରେ । ଭ୍ରମଣକାହାଣୀର ଏହି ଅଧ୍ୟାୟଟି ଲେଖିବାବେଳେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ଶତବାର୍ଷିକୀ ପାଳନର ଯୋଗାଯୋଗ ଘଟୁଛି । ଗୋଲ୍‌ଡ୍ ସ୍ମିଥ୍‌ଙ୍କ କବିତା ଓ ଲଘୁ ପ୍ରବନ୍ଧ ସହ ସୁପରିଚିତ ଆମର ଶିକ୍ଷିତ ସମାଜ । ଏ ଅଧ୍ୟାୟଟି ତେଣୁ ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ରୂପେ ଗୃହୀତ ହେଉ । —ଲେଖକ

 

(୨) Here lies David Garrick, describe me, who can. An abridgement of all that was pleasant in man.

Image

 

ପରିଚ୍ଛେଦ : ତେର

ମ୍ୟାକବେଥ୍‌ର ଦେଶେ

 

୧ମ ଡାକିଣୀ :ଏକତ୍ରିତ ହେବୁ ଆମେ ପୁଣି କେଉଁ କ୍ଷଣେ ?

 

ବଜ୍ର ଓ ବିଜୁଳି ବେଳେ ଅବା ବରିଷଣେ ?

 

୨ୟ ଡାକିଣୀ :ସବୁକିଛି ବିପର୍ଯ୍ୟସ୍ତ ହେବାର ଲଗନେ

 

ଜୟ ତଥା ପରାଭବେ, ଯୁଦ୍ଧ ଅବସାନେ !

 

ପାର୍ବତ୍ୟ ଅଞ୍ଚଳରେ ଘନ କୁହୁଡ଼ି ଘେରା ଏକ ଉପତ୍ୟକାରେ ଘଟିଛି ତିନି ଭୟଙ୍କର ଡାକିଣୀଙ୍କର ମିଳନ । ସେମାନେ ନର ନୁହନ୍ତି କି ନାରୀ ନୁହନ୍ତି; ସେମାନେ ସକାଳ, ଦ୍ଵିପ୍ରହର, ସନ୍ଧ୍ୟା ଭଳି ସ୍ଵାଭାବିକ ସମୟର ହିସାବ ରଖନ୍ତିନାହିଁ । ଝଡ଼ ବର୍ଷା, ଭୂମିକମ୍ପ ଇତ୍ୟାଦି ଦୂର୍ଯୋଗକୁ ହିଁ ସେମାନେ ସମୟ ଭାବରେ ଚିହ୍ନନ୍ତି । ସେମାନଙ୍କର ଦୃଷ୍ଟିରେ ଯୁଦ୍ଧରେ ମଣିଷର ଜୟ ଭିତରେ ହିଁ ପରାଜୟ ନିହିତ ଥାଏ ।

 

ସ୍କଟ୍‍ଲ୍ୟାଣ୍ଡର ଏକ ନିର୍ଜନ ପ୍ରାନ୍ତରରେ ଦିନକର ଶୀତ-କଣ୍ଟକିତ ଅପରାହ୍ନରେ ତିନି ଡାକିଣୀଙ୍କର ଆବିର୍ଭାବ-ଘଟିତ ଦୃଶ୍ୟକୁ ନେଇ ସେକ୍‌ସପିୟର ତାଙ୍କ ମ୍ୟାକବେଥ ନାଟକ ଆରମ୍ଭ କରିଛନ୍ତି । ମଣିଷ ଜଗତର ସମସ୍ତ ମୂଲ୍ୟବୋଧ ଓ ନୀତିନିୟମର ବହିର୍ଭୁତ ଏହି ଆଧିଭୌତିକ ଶକ୍ତିମାନେ ମଣିଷର ଭାଗ୍ୟକୁ ନେଇ କେତେ ଖେଳ ଖେଳିପାରନ୍ତି, ହୁଏତ ସେକ୍‌ସପିୟର ତାହା ହିଁ ଦେଖାଇବାକୁ ଚାହିଁଥିଲେ । ଶତ୍ରୁ ପକ୍ଷକୁ ପରାଜିତ କରି ସୀମାନ୍ତରୁ ଫେରୁଛନ୍ତି ଉତ୍‌ଫୁଲ୍ଲ ମ୍ୟାକବେଥ । ଜୀବନରେ କୃତିତ୍ୱ-ହାସଲର ମୁହୂର୍ତ୍ତଠୁଁ ବଳି ବିପଜ୍ଜନକ ମୁହୂର୍ତ୍ତ ବୋଧହୁଏ ଆଉ କିଛି ନାହିଁ । ଗୋଟାଏ ଦୁର୍ଗ ହୁଏତ ସର୍ବଦା ଜାଗ୍ରତ ପ୍ରହରୀଙ୍କ ଆକଟରେ ରହିଛି । ଅବାଞ୍ଛତ ଅତିଥି କେହି ଭିତରକୁ ଯାଇପାରିବେ ନାହିଁ । କିନ୍ତୁ ହଠାତ୍ ଉତ୍ସବ ମୁଖରିତ କୌଣସି ରଜନୀରେ ସେ ଆକଟ ଶିଥିଳ ହୋଇଥାଏ; ସଚରାଚର ବନ୍ଦ ରହିଥିବା ହାର, ବାତାୟନ ସବୁ ଖୋଲି ଦିଆହୁଏ । ସେତିକିବେଳେ ନିମନ୍ତ୍ରିତ ଅଭ୍ୟାଗତଙ୍କସହ ଛଦ୍ମବେଶୀ ଚୋର ଡାକୁ ଭିତରକୁ ପଶିଯିବା ଅସମ୍ଭବ ନୁହେଁ ।

ସାଫଲ୍ୟ-ମଣ୍ଡିତ ମଣିଷର ଅବସ୍ଥା କେତେ ସମୟ ପାଇଁ ହୋଇଥାଏ ସେହି ଉତ୍ସବ-ମୁଖରିତ ଦୁର୍ଗଭଳି । ସେତିକିବେଳେ ତାର ଉତ୍‌ଫୁଲ୍ଲ ସତ୍ତାର ଅର୍ଗଳମାନ ଖୋଲି ହୋଇଯାଇଥାଏ-। ସେହି ସୁଯୋଗରେ ତା’ ଚେତନା ଭିତରକୁ ପଶିଯାଆନ୍ତି ବହୁ ଅବାଞ୍ଛିତ ଶକ୍ତି ।

ବିଜୟୀ ମ୍ୟାକବେଥ୍‌ର ସେହିଭଳି ଅବସ୍ଥାବେଳେ ତା’ ଚେତନାରେ ଡାକିଣୀମାନେ ଆରୋପଣ କରିଥିଲେ ଦୁରାକାଂକ୍ଷାର ବୀଜ । ନିଜେ ସିଂହାସନ ପାଇବା ପାଇଁ ମ୍ୟାକ୍‌ବେଥ ବୃଦ୍ଧ, ଭଦ୍ର ରାଜା ଡନ୍‍କାନକୁ ହତ୍ୟା କଲା । ବିଚାରା ପଡ଼ିଗଲା ପାପର ଆବର୍ତ୍ତ ଭିତରେ । ଆଉ ଉଠି ପାରିଲା ନାହିଁ ।

ମ୍ୟାକବେଥର ଜୀବନାବସାନ ଅନ୍ତେ ନିହିତ ଡନ୍‌କାନଙ୍କ ପୁତ୍ର ମାଲକୋଲମ ପୁଣି ସ୍କଟ୍‌ଲ୍ୟାଣ୍ଡର ସିଂହାସନ ଅଧିକାର କଲେ । ହଜାର ହଜାର ବର୍ଷ ତଳେ ବିଶାଳ ତୁଷାର ଖଣ୍ଡର ପ୍ରବଳ ଚାପ ସହି ନ ପାରି ଏକ ପର୍ବତର ଉଭୟ ଦିଗ ଧସିପଡ଼ିଥିଲା । ସେହି ପର୍ବତ ଉପରେ ପ୍ରାୟ ସପ୍ତମ ଶତାବ୍ଦୀରେ ରାଜାଟିଏ ଗୋଟାଏ ଦୁର୍ଗ ବନାଇଥିଲେ । ମାଲକୋଲମ ସେହି ପରିତ୍ୟକ୍ତ ଦୁର୍ଗକୁ ମରାମତି କରି ନିଜ ଦୁର୍ଗ ସ୍ଥାପନ କଲେ । ତାଙ୍କ ଧର୍ମପ୍ରାଣା ସ୍ତ୍ରୀ ମାର୍ଗାରେଟ (ପରବର୍ତ୍ତୀ କାଳରେ ସେଣ୍ଟ ମାର୍ଗାରେଟ ନାମରେ ଖ୍ୟାତ) ପ୍ରାସାଦ କଡ଼ରେ ଏକ ଗୀର୍ଜା ନିର୍ମାଣ କଲେ । ଏହା ଏକାଦଶ ଶତାବ୍ଦୀର ଇତିହାସ । ନଅଶହ ବର୍ଷ ତଳର ସେ ଗୀର୍ଜା ଅଦ୍ୟାପି ବିଦ୍ୟମାନ-ନଗରୀର ପ୍ରାଚୀନତମ ଅଟ୍ଟାଳିକା ।

ସେ ନଗରୀ ଏଡିନବରା; ମାଲକୋଲମଙ୍କ ପ୍ରାସାଦକୁ କେନ୍ଦ୍ର କରି ଯାହା କାଳକ୍ରମେ ଗଢ଼ିଉଠିଛି । ଏକଦା ସ୍ଵତନ୍ତ୍ର ସ୍କଟଲ୍ୟାଣ୍ଡର ରାଜଧାନୀ । ୧୬୦୩ରେ ରାଣୀ ପ୍ରଥମ ଏଲିଜାବେଥଙ୍କ ମୃତ୍ୟୁ ପରେ ସ୍କଟଲ୍ୟାଣ୍ଡର ରାଜା ଜେମ୍‍ସ ଆସି ଇଂଲଣ୍ଡ ରାଜସିଂହାସନ ଆରୋହଣ କଲେ ଓ ଲଣ୍ଡନରୁ ଉଭୟ ରାଜ୍ୟ ଶାସନ କଲେ ।

ଲଣ୍ଡନରୁ ଏକ ନୈଶ ଟ୍ରେନ ଆରୋହଣ କରି ଏଡିନବରା ଯାଇଥିଲି । ଟ୍ରେନରେ ଦୁଇଟି ଶ୍ରେଣୀ, ଫାଷ୍ଟ ଓ ସେକେଣ୍ଡ୍‌ । ସେକେଣ୍ଡକ୍ଲାସ ଡବାରେ ସୁକୁମାର ଶଯ୍ୟା ସମନ୍ଵିତ ଉପର ତଳ ହୋଇ ଦୁଇଟି ବର୍ଥ । ଉପର ବର୍ଥର ଯାତ୍ରୀ ଆସିଲେ ନାହିଁ । ଏକୁଟିଆ ଦୀର୍ଘ ସମୟ ଧରି ଜ୍ୟୋସ୍ନାପୁଲକିତ ପଲ୍ଲି ପ୍ରାନ୍ତରର ଦୃଶ୍ୟ ଉପଭୋଗ କରିବାର ସୁଯୋଗ ମିଳିଥିଲା । ଇଂଲଣ୍ଡ ସୀମାନ୍ତ ପାରହୋଇ କେତେବେଳେ ସ୍କଟଲ୍ୟାଣ୍ଡରେ ପ୍ରବେଶ କରିଥିଲି ।

ଭୋର ବେଳକୁ ଏଡିନବରାରେ ପହଞ୍ଚିଥିଲି । ଲଣ୍ଡନରେ ତତ୍କାଳୀନ ଭାରତୀୟ ରାଷ୍ଟ୍ରଦୂତ ଆପ୍‌ପା ସାହେବ ପନ୍ଥଙ୍କ ସଦୟ ନିର୍ଦ୍ଦେଶରେ ଗ୍ଲାସଗୋରେ ଅବସ୍ଥିତ ତାଙ୍କ ସହକାରୀ ମୋ ପାଇଁ ଏଡିନବରା ୱାଇ. ଏମ୍. ସି. ଏ.ର ଏକ ପାନ୍ଥଶାଳାରେ କୋଠରିଟିଏ ଠିକ୍ କରିଥିଲେ ଓ ସ୍କଟଲ୍ୟାଣ୍ଡ ନ୍ୟାସ୍‌ନାଲ ଲାଇବ୍ରେରୀରେ କାଗଜପତ୍ର ଦେଖିବାର ଅନୁମତି ଅଣାଇ ରଖିଥିଲେ । ପାନ୍ଥଶାଳାରେ ପହଞ୍ଚି କାଳବିଳମ୍ବ ନକରି ନ୍ୟାସ୍‌ନ୍ୟାଲ ଲାଇବ୍ରେରୀ ଅଭିମୁଖେ ବାହାରିଗଲେ ।

ଉଚ୍ଚ ଶିଳା ଭୂଇଁ ଉପରେ ଅବସ୍ଥିତ ସୁନ୍ଦର ନଗରୀ ଏଡିନବରା । ନଗରୀ ଭିତରେ ବ୍ୟାପକ ଉଦ୍ୟାନ । ଉଦ୍ୟାନ ସୀମାରେ ପର୍ବତ; ତହିଁ ଉପରେ ନଗରୀର ମଉଡ଼ମଣି ଏଡିନବରା ଦୁର୍ଗ ।

ଏଇ ଦୁର୍ଗ ତଥା ଦୂର ଓ ଅଦୂରବର୍ତ୍ତୀ ପର୍ବତମାଳା ବହୁ ରୋମାଞ୍ଚକର ଘଟଣାର ଘର । ସେଠାରୁ ଉତ୍ତର ଦିଗକୁ ବ୍ୟାପ୍ତ ପାର୍ବତ୍ୟ ଅଞ୍ଚଳର ଆଦିବାସୀମାନେ ‘ଉଚ୍ଚଭୂମି ନିବାସୀ’ (Highlanders) ନାମରେ ଖ୍ୟାତ । ଏମାନଙ୍କୁ ନେଇ ଗଠିତ ସୈନ୍ୟବାହିନୀ ବ୍ରିଟିଶ ନିୟନ୍ତ୍ରିତ ଭାରତର ସାମରିକ ବ୍ୟବସ୍ଥାର ଏକ ବିଶେଷ ଭୂଷଣ ଥିଲା । ୱେବଷ୍ଟାର୍‌ଙ୍କ (ମୂଳ) ବିଶାଳ ଅଭିଧାନ ଏଇ Highland ଶବ୍ଦର ଅର୍ଥ ହିସାବରେ ଆଇଆନ ଫିନଲେଙ୍କର ଏକ ଲେଖାରୁ ଉଦ୍ଧୃତ ହୋଇଛି । “ଗର୍ବ ଓ ନମ୍ରତା, ଦାରିଦ୍ର୍ୟ ଓ ବ୍ୟୟ—ଔଦ୍ୟର୍ଯର ଏକ ଅଦ୍ଭୁତ ମିଶ୍ରଣ ।” (A strange mixture of pride and tenderness of poverty and generosity.)

ଇଂଲଣ୍ଡର ରବିନ୍‌ହୁଡ୍‍ କିମ୍ଵଦନ୍ତୀ ଭଳି ସ୍କଟଲ୍ୟାଣ୍ଡର ରବ୍‌ରୟ କାହାଣୀ ବିଖ୍ୟାତ । ତେବେ ରବିନହୁଡ଼୍‌ର ସତ୍ୟତା ସମ୍ପର୍କରେ ଇତିହାସ କୌଣସି ସାକ୍ଷ୍ୟ ଦେବାକୁ ଅକ୍ଷମ । ରବ୍‌ରୟ କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଐତିହାସିକ ଚରିତ୍ର, ଆରଣ୍ୟକ ଉତ୍ତର ଉଚ୍ଚଭୂମିର ଦ୍ଵରନ୍ତ ସନ୍ତାନ । ଜଣେ ଜମିଦାର (ମଣ୍ଟ୍ରୋସର ଡିଉକ) ସହିତ ରବ୍‌ର ଶତ୍ରୁତା ଉପୂଜିଲା । ଜମିଦାରଙ୍କ ଲୋକେ ତା’ ଘର ହାର ଛିନ୍‌ଛତ୍ର କରି ତା’ ସ୍ତ୍ରୀ ଓ ପିଲାପିଲିଙ୍କୁ ଏକ ଶୀତ ରାତିରେ ଘରୁ ବାହାର କରିଦେଇଥିଲେ । ରବ୍ ତା’ ପାର୍ବତ୍ୟ ଗୋଷ୍ଠୀର ଲୋକଙ୍କୁ ଏକତ୍ର କରି ଗଢ଼ିଲା ଏକ ଦୁର୍ଦ୍ଧର୍ଷ ଦସ୍ୟୁବାହିନୀ । ରବିନହୁଡ୍‍ ଭଳି ସେ ଲୋକଙ୍କୁ ଧନୀମାନଙ୍କୁ ଲୁଣ୍ଠନ କରେ—ଗରିବମାନଙ୍କ ଭିତରେ ଲୁଣ୍ଠିତ ବିତ୍ତ ବିତରଣ କରେ । ଆଇନରକ୍ଷକମାନେ ତାକୁ କାବୁ କରିବା ପାଇଁ ବହୁ ଉଦ୍ୟମ କରି ବିଫଳ ହୁଅନ୍ତି; କାରଣ ଠିକ୍ ସମୟରେ ତା’ର ବିଶ୍ଵସ୍ତ ଚରମାନେ ତାକୁ ସତର୍କ କରିଦିଅନ୍ତି । ଜନୈକ ପ୍ରଭାବଶାଳୀ ସାମନ୍ତ ବି ତାକୁ ସାହାଯ୍ୟ କରୁଥିଲେ ।

କିମ୍ବଦନ୍ତୀ କହେ, ଅନେକ ସାହସିକ ଅଭିଯାନ ଓ ଲଢ଼େଇ ତଥା ଶତ୍ରୁ କବଳରୁ ଦୁଃସାହସିକ ପଳାୟନ ପରେ ବୃଦ୍ଧାବସ୍ଥାରେ ରବରୟ ଧର୍ମପ୍ରାଣ ବନିଯାଇଥିଲା । କିନ୍ତୁ ସ୍ଵଭାବ ପୂରାପୂରି ନୈବ ମୁଞ୍ଚନ୍ତେ ! ସେ ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ଜଣେ ଶତ୍ରୁ ସହାନୁଭୂତି ବଶତଃ ତାକୁ ଦେଖିବାକୁ ଆସୁଥିବାର ସମ୍ବାଦ ପାଇ ସେ ତାର ଅନୁଗତମାନଙ୍କୁ ବ୍ୟାକୁଳ ଭାବରେ ପଚାରିଲା, “ମୋ ଛୁରା, ପିସ୍ତଲ ସବୁ କାହିଁ ? ଶୀଘ୍ର ଆଣି ମୋ ବିଛଣାରେ ରଖ । ଜଣେ ଶତ୍ରୁ ମୋତେ ନିରସ୍ତ୍ର, ଅସହାୟ ଅବସ୍ଥାରେ ଦେଖିଯିବ, ଏକଥା କେବେ ହୋଇ ପାରିବ ନାହିଁ ।”

ମୃତ୍ୟୁ ଯେତେବେଳେ ଆସନ୍ନପ୍ରାୟ, ଜଣେ ଧର୍ମଯାଜକ କହିଲେ, “ରବ ! ଶେଷ ନିଃଶ୍ୱାସ ତ୍ୟାଗ ପୂର୍ବରୁ ଥରେ କୁହ ଯେ ତୁମେ ତୁମ ଶତ୍ରୁମାନଙ୍କୁ କ୍ଷମା କଲ !”

ରବ୍‌ରୟ ଅଗତ୍ୟା କହିଲା, “ଆଚ୍ଛା ହଉ, କଲି ।” କିନ୍ତୁ ସଙ୍ଗେ ସଙ୍ଗେ ପୁଅ ମୁହଁକୁ ଅନାଇ କହିଲା, “ମୁଁ ସେମାନଙ୍କୁ କ୍ଷମା କଲି । କିନ୍ତୁ ତୁ ସେମାନଙ୍କୁ ଥରେ ଦେଖିନେବୁ, ପୁଅ !”

ସମୟର ଧରଣ ବଦଳିଯାଉଥିଲା । ରବ୍‌ରୟର ମୃତ୍ୟୁ ସଙ୍ଗେ ସଙ୍ଗେ ସେ ରୋମାଞ୍ଚକର “ଦୁଃସାହସ ଯା’ର ମୁଲକ ତା’ର” ଯୁଗ ଉପରେ ଯବନିକା ନଇଁଆସୁଥିଲା । ସ୍କଟ୍‌ଲ୍ୟାଣ୍ଡର କୁହେଳିକାଚ୍ଛନ୍ନ ପାର୍ବତ୍ୟ ଉପତ୍ୟକାର ଉଦ୍ଦାମ ଅଧିବାସୀମାନଙ୍କୁ ଧୀରେ ଧୀରେ ରାଷ୍ଟ୍ରୀୟ ଆଇନ କାନୁନ ଶୃଙ୍ଖଳାବଦ୍ଧ କରି ଆଣୁଥିଲା ।

 

କିନ୍ତୁ ରବ୍‌ରୟର ହତଭାଗ୍ୟ ପୁଅ ରବିନ୍‌ ଏକଥା ବୁଝୁନଥିଲା । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ହଠାତ୍‌ ସେ ଏକ ବିତ୍ତବତୀ ସୁନ୍ଦରୀ ତରୁଣୀକୁ ବିଭା ହେବାକୁ ମନ କରି ଦିନେ ରାତିରେ ସଦଳବଳେ ତା’ ଘର ଉପରେ ଚଢ଼ଉ କଲା ଓ ଝିଅଟିକୁ ଘୋଡ଼ା ପିଠିରେ ବାନ୍ଧି ହରଣଚାଳ କରି ପଳାଇଗଲା । ଏକଦା ଅବଶ୍ୟ ସ୍କଟଲ୍ୟାଣ୍ଡର ସେହି ‘ଉଚ୍ଚଭୂମି’ ଅଞ୍ଚଳରେ ଏ ରୀତି ଚଳୁଥିଲା । କିନ୍ତୁ ଆପତତଃ ଚଳିଲା ନାହିଁ । ଅପହୃତା ତରୁଣୀଟି ବସନ୍ତରେ ମରିଗଲା । ଅନୁସନ୍ଧାନ ଚଳାଇ ସରକାରୀ କର୍ମଚାରୀମାନେ ରବିନ୍ ଓ ତା ଦସ୍ୟୁବୃତ୍ତିରେ ସହାୟତା କରିଥିବା ତା’ର ଜଣେ ଭାଇ ଜେମ୍‌ସ ଓ କେତେକ ସାଥିଙ୍କୁ ଗିରଫ କଲେ । ରବିନ୍‌ ଫାଶୀ ପାଇଲା । ଭାଇ ଜେମ୍‌ସକୁ ବନ୍ଦୀ କରାଯାଇଥିଲା ଏଡିନ୍‌ବରା ଦୁର୍ଗରେ । ଦିନେ ସେ ବିଚକ୍ଷଣ କୌଶଳରେ ଦୁର୍ଗରୁ ଖସିଗଲା । ପଳାଇଗଲା ପ୍ୟାରିସ୍‌କୁ । ପ୍ୟାରିସର ପଥପ୍ରାନ୍ତରେ ବହୁ ବର୍ଷ ପର୍ଯ୍ୟନ୍ତ ରୁଗ୍‌ଣ, ବିକଳ ଅବସ୍ଥାରେ ତାକୁ ଯେଉଁମାନେ ଦେଖିଥିଲେ, ସେମାନେ କହନ୍ତି, ମୃତ୍ୟୁ ଯାଏ ସେ ସର୍ବଦା ସବୁଜ ସ୍କଟଲ୍ୟାଣ୍ଡର ଶୀତଳ ହ୍ରଦ, ରହସ୍ୟାବୃତ ଗିରିକନ୍ଦର ଭିତରକୁ ପୁଣି ଥରେ ଫେରିବାର ସ୍ଵପ୍ନ ଦେଖୁଥିଲା । ସ୍ଵପ୍ନରେ ହିଁ ରହିଗଲା ସବୁ ।

ଜନଶ୍ରୁତିରୁ ତଥା ଇତିହାସରୁ ଉତ୍ତୀର୍ଣ୍ଣ ହୋଇ ରବ୍‌ରୟର ଚରିତ୍ର ଅମରତ୍ଵ ଲାଭ କରିଛି ସ୍କଟ୍‌ଲ୍ୟାଣ୍ଡର ସରସ୍ଵତୀ-ପୁତ୍ର ସାର୍ ୱାଲଟାର ସ୍କଟ୍‌ଙ୍କ ଉକ୍ତ ନାମର ବିଖ୍ୟାତ ଉପନ୍ୟାସରେ । ମୋର ଏଡିନ୍‌ବରା ଯାତ୍ରା ସହିତ ଯୋଗାଯୋଗ ଘଟିଥିଲା ଦୁଇଟି ବିଶେଷ ଘଟଣାର : ସେତିକିବେଳେ ସାର୍ ୱାଲଟାର ସ୍କଟ୍‌ଙ୍କର ଦ୍ଵିତୀୟ ଜନ୍ମ ଶତବାର୍ଷିକୀ (ତାଙ୍କ ଜନ୍ମ ଅଗଷ୍ଟ ୧୫, ୧୭୭୧ରେ) ପାଳିତ ହେଉଥାଏ । ତାଙ୍କ ଭାସ୍ୱର ସ୍ମୃତିରେ ଉଦ୍‌ଭାସିତ ଥାଏ ସମଗ୍ର ନଗରୀ । ଦ୍ଵିତୀୟରେ ସେତିକିବେଳେ ଅନୁଷ୍ଠିତ ହେଉଥାଏ ‘ଏଡିନବରା ଉତ୍ସବ’ : ପୃଥିବୀର ବୃହତ୍ତମ ସାଂସ୍କୃତିକ ସମାରୋହ ।

ୱାଲଟର୍ ସ୍କଟ୍ ଇଂରାଜୀ ସାହିତ୍ୟର ଅନ୍ୟତମ ମହତ୍ତମ ପ୍ରତିଭା । ଏଡିନବରା ରେ ତାଙ୍କ ଜନ୍ମ; ସେ ଥିଲେ ନଗର-ଶାସନର ଅନ୍ୟତମ କର୍ଣ୍ଣଧାର-ସେରିଫ୍ । ବ୍ୟକ୍ତିଗତ ଜୀବନରେ ସେ ଥିଲେ ଯେପରି କର୍ତ୍ତବ୍ୟପରାୟଣ ଓ ଉଦାର, ସାହିତ୍ୟ ସ୍ରଷ୍ଟା ଭାବରେ ଥିଲେ ସେହିପରି ମହାନ୍ । ସ୍କଟ୍ ଜାତୀୟତାବୋଧକୁ ସେ ନିଜର ବ୍ୟକ୍ତିତ୍ଵ ଓ ଅବଦାନ ହାର କରିଥିଲେ ଶାଣିତ ଓ ଗୌରବମୟ ।

ସବୁ ଠିକ୍ ଚାଲିଥିଲା । ହଠାତ୍ ସେ ସଂଶ୍ଳିଷ୍ଟ ଥିବା ଏକ ବ୍ୟବସାୟ ସଂସ୍ଥା ତାଙ୍କ ଅଂଶୀଦାରମାନଙ୍କ ଅଦୂରଦର୍ଶିତା ଯୋଗୁ ଭୁଷୁଡ଼ି ପଡ଼ିଲା । ୨୭ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ପଡ଼ିବ, ନଚେତ୍ ଦେବାଳିଆ ବୋଲି ଘୋଷିତ ହେବାର କଥା । ଦୃଢ଼ମନା ସ୍କଟ୍ ସ୍ଥିର କଲେ—ଆଇନତଃ ବାଧ୍ୟ ନ ହେଲେ ବି ସମଗ୍ର ଋଣ ସେ ଏକା ପରିଶୋଧ କରିବେ ।

ତେଣେ ସେରିଫ୍ ଭାବରେ ନଗରୀବାସୀଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟରେ ତ୍ରୁଟି କରିବେ ନାହିଁ–ଏଣେ ଖଣ୍ଡିଏ ପରେ ଖଣ୍ଡିଏ ବହି ଲେଖି ଚାଲିବେ–ବିକ୍ରି ହୋଇ ଟଙ୍କା ଆସି ଋଣଭାର ଲଘୁ ହୋଇ ଚାଲିଥିବ–ସମୟ ସହିତ ତୁମୂଳ ଲଢ଼େଇରେ କ୍ରମେ ତାଙ୍କ ସ୍ଵାସ୍ଥ୍ୟ ଭାଜିପଡ଼ିଲା । ହେଲା ଆଂଶିକ ପାରାଲିସିସ୍‌ । ତଥାପି ଲେଖାରେ ବିରାମ ନାହିଁ । ପ୍ରକାଶ ପାଇ ଚାଲିଛି ଏକ ପରେ ଏକ ଅନବଦ୍ୟ କୀର୍ତ୍ତି–‘ରବ୍‌ରୟ୍‌’, ‘ଦି ହାର୍ଟ ଅବ୍‍ ମିଡ୍‍ଲେଥିଆନ’, ‘ଏ ଲିଜେଣ୍ଡ ଅବ ମଣ୍ଟ୍ରୋସ୍‌’, ‘ଆଇଭାନ ହୋ’, ‘କେନିଲ୍‌ୱାର୍ଥ’, ‘ଦି ଟାଲିସ୍‌ମ୍ୟାନ୍’ ଓ ଆହୁରି କେତେ ।

ଋଣର କିୟଦଂଶ ପରିଶୋଧ ହୋଇଗଲା ଠିକ୍, କିନ୍ତୁ ଇତି ମଧ୍ୟରେ ଅସୁସ୍ଥତା ଦେହକୁ ଟପି ମନକୁ ସଂକ୍ରମିତ ହୋଇସାରିଥିଲା । ତେବେ, ତାହା ହେଲା ଶାପେ ବର । ହଠାତ୍ ସ୍କଟଙ୍କର ମନେହେଲା ଯେ ସେ ସମସ୍ତ ଋଣ ପରିଶୋଧ କରିଦେଇଛନ୍ତି । ନିଜେ ଆଶ୍ଵସ୍ତ ହେଲେ ।

 

ଅବଶ୍ୟ ତାଙ୍କ ସାହିତ୍ୟ-ଲବ୍‌ଧ ଅର୍ଥରୁ ହିଁ ଦିନେ ସେ ଋଣ ପରିଶୋଧ ସମ୍ଭବ ହେଲା । ତେବେ ସେଇଟା ହେଲା ତାଙ୍କ ମୃତ୍ୟୁର କେତେ ବର୍ଷ ପରେ ।

 

ସାମୁଦ୍ରିକ ଜଳବାୟୁ ସେବନ ପାଇଁ ଡାକ୍ତରମାନେ ପରାମର୍ଶ ଦେଲେ । ସରକାର ଏକ ଛୋଟ ଜାହାଜ ଯୋଗାଇଦେଲେ । କିଛି ଦିନ ଭୁମଧ୍ୟ-ସାଗରରେ ଭାସମାନ ରହିଲେ ସ୍କଟ । ତାପରେ ସେ ବୁଝିଲେ, ବିଦାୟ ମୁହୂର୍ତ୍ତ ଆସନ୍ନ । ଜନ୍ମଭୂମିକୁ ଫେରିଆସି ଶେଷ ନିଃଶ୍ୱାସ ତ୍ୟାଗକଲେ ।

 

ହୁଏତ ସେତେବେଳେ ବିଷାଦଗ୍ରସ୍ତ ବନ୍ଧୁମାନେ ସ୍କଟଙ୍କର ‘ଦି ଲେଡ଼ି ଅବ୍ ଦି ଲେକ୍’ କବିତାର ଧାଡ଼ି କେତୋଟି ମନେପକାଇଥିବେ ।

 

ହେ ଯୋଦ୍ଧା; ବିଶ୍ରାମ କର, ସମର ସମାପ୍ତ,

ଏ ନିଦ୍ରା କସ୍ମିନ୍ କାଳେ ନ ହେବ ବ୍ୟାହତ,

ସମର ଭୂଇଁର ସ୍ଵପ୍ନ, ସ୍ୱତନ୍ତ୍ର ଦିବସ

ଅଥବା ବିନିଦ୍ର ନିଶା, ସବୁ ହେଲା ଶେଷ ।

 

ସ୍କଟଙ୍କର ଜୀବନ-ସଂଗ୍ରାମ ଓ ସାହିତ୍ୟ ସାଧନା ସମ୍ପର୍କରେ ଖୋଲିଥାଏ ଚିତ୍ତାକର୍ଷକ ପ୍ରଦର୍ଶନୀ । ତା’ଛଡ଼ା ସ୍ଥାୟୀ ଭାବରେ ରହିଛି ଏକ ସୁଦୃଶ୍ୟ ଇମାରତ୍—ଯାହା ଗାତ୍ରରେ ସ୍କଟଙ୍କ ବିଭିନ୍ନ ଉପନ୍ୟାସର ମୁଖ୍ୟ ଚରିତ୍ରମାନଙ୍କର ମୂର୍ତ୍ତି କଳ୍ପନା କରାଯାଇଛି ।

 

ସ୍କଟଲ୍ୟାଣ୍ଡର ଲୋକଙ୍କ ସମ୍ପର୍କରେ କେତେ ମଜା କଥା ପ୍ରଚଳିତ ଅଛି । ସେ ସବୁର ମର୍ମ—ସେମାନେ କୃପଣ ଓ ଅରସିକ । ହୁଏତ ସେମାନେ ଟିକିଏ କୃପଣ ଥିଲେ । କାରଣ ‘ଏଡିନବରା ଉତ୍ସବ’ର ଉତ୍ପତ୍ତି ସମ୍ପର୍କରେ ସ୍ଥାନୀୟ ନଗରପାଳିକା ସଂସ୍ଥା ପ୍ରକାଶିତ ଏକ ପୁସ୍ତିକାରେ ଲେଖାଥିଲା—ଏ ଉତ୍ସବଟି ୧୯୪୭ରେ ପ୍ରବର୍ତ୍ତନ କରାହେଲା, ପ୍ରୀତି ଶୁଭେଚ୍ଛାର ଏକ ଅନୁଷ୍ଠାନ ରୂପେ । କିନ୍ତୁ ତାହାଠୁଁ ବଡ଼ ଅଭ୍ୟସ୍ତ ହୋଇ ପଡ଼ିଥିଲେ, ସେ ଅଭ୍ୟାସ ଭାଙ୍ଗିବା ଥିଲା ଏହାର ଉଦ୍ଦେଶ୍ୟ ।

 

ନିଜ ଅଭ୍ୟାସ ସମ୍ପର୍କରେ ଯେଉଁ ଜାତି ଏକଥା ସ୍ଵୀକାର କରିପାରେ, ସେ ଜାତି ଅରସିକ ହୋଇପାରେନା । ଜଣେ ଭଦ୍ରଲୋକ ଲେଖିଥିଲେ, ଜଣେ ସ୍କଟଲ୍ୟାଣ୍ଡବାସୀର ମଗଜରେ ମଜାରସ ତୁକାଇବାକୁ ହେଲେ ରୀତିମତ ଡାକ୍ତରୀ ଅପରେସନ ଦରକାର ହେବ । (It requires a surgical operation to get a joke well into a Scotch understanding.)

 

ବୁଝିବାକୁ ବିଳମ୍ବ ହେଲାନାହିଁ, ଏସବୁ ଅତିରଞ୍ଜନ । ସ୍କଟମାନେ ଚମତ୍କାର ଲୋକ । ଏସବୁ ପ୍ରକାଶ୍ୟ ଥଟ୍ଟାରେ ସେମାନେ ମ୍ରିୟମାଣ ବୋଧ କରନ୍ତି ନାହିଁ ।

 

1st witch :When shall we three meet again

In thunder, lighting or in rain ?

2nd witch:When the hurlyburly’s done,

When the battle’s lost and won.

 

Macbeth

 

ସାର୍ ୱାଲ୍‌ଟାର୍‌ ସ୍କଟଙ୍କୁ ଜଣେ ବୃଦ୍ଧା କହିଥିଲେ :

 

“My mither never saw my father till the night that he carried her awa’ wi’ ten head o’ black cattle, and there wasna a happier couple in a’ the Highlands.”

 

Soldier, rest; thy warfare o’ er,

Sleep the sleep that knows not breaking,

Dream of battled fields no more.

Days of danger, nights of waking.

 

(The Lady of the Lake)

Image

 

ପରିଚ୍ଛେଦ : ଚଉଦ

ଇତିହାସର ଗନ୍ତାଘର

 

ଏଡିନ୍‌ବରାରେ ଟେଲିଫୋନ ବ୍ୟବହାର କରିବାରେ ଏକ ବିଶେଷ ଶିହରଣ ଥିବା କଥା-। କାରଣ ଏଇ ନଗରୀରେ ଜନ୍ମଗ୍ରହଣ କରିଥିଲେ ଟେଲିଫୋନ୍‌ର ସ୍ଵନାମଧନ୍ୟ ଉଦ୍‌ଭାବକ ଆଲେକ୍‌ଜାଣ୍ଡର ଗ୍ରାହାମ ବେଲ୍ ।

 

ଲଣ୍ଡନର ରାସ୍ତାଘାଟରେ ଯେପରି ଭାରତୀୟମାନେ ସାଲୁବାଲୁ ହେଉଥାନ୍ତି ଏଡିନ୍‌ବରାରେ ସେପରି ନୁହେଁ । ଲଣ୍ଡନର ଜଣେ ଡାକ୍ତରବନ୍ଧୁ ଏଠାକାର ଜଣେ ବଙ୍ଗୀୟ ବାସିନ୍ଦାଙ୍କ ଠିକଣା ଦେଇଥିଲେ । ସେହି ଶ୍ରୀଯୁକ୍ତ ନନ୍ଦୀଙ୍କ ପାଖକୁ ଫୋନ୍‌ କଲି । ଠିକ୍ ହେଲା, ନ୍ୟାସ୍‌ନ୍ୟାଲ ଲାଇବ୍ରେରୀରେ ମୋର ଦିନକର କାମ ସାରିବା ପରେ ଓ ସେ ବି ତାଙ୍କ କର୍ମକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାବେଳେ ତାଙ୍କୁ ଯାଇ ତାଙ୍କ ଘରେ ଭେଟିବ । ଫୋନରେ ସେ ବାଟର ନିର୍ଦ୍ଦେଶ ଦେଲେ ।

 

ସନ୍ଧ୍ୟା ହେଲା । ନଗରୀର ରାଜପଥରେ କିଛି ଦୂର ଅଗ୍ରସର ହୋଇ ଆଉ ବାଟ ଠଉରାଇ ପାରିଲି ନାହିଁ । ରାସ୍ତାକଡ଼ର ଗୋଟାଏ ଦୋକାନକୁ ଉଠିଯାଇ ମାଲିକଙ୍କୁ ଠିକଣାଟିରେ ପହଞ୍ଚିବାର ଉପାୟ ଜିଜ୍ଞାସା କରନ୍ତେ ସେ ମୋତେ ଥରେ ଆପାଦମସ୍ତକ ଦେଖିନେଇ ଉଦାର କଣ୍ଠରେ କହିଲେ, “ଥୟ ଧରନ୍ତୁ । ମୁଁ ଅଳ୍ପ ସମୟ ପରେ ଦୋକାନ ବନ୍ଦ କରିବା କଥା । ତେବେ ଆପଣଙ୍କ ସେବାରେ ଲାଗିବା ପାଇଁ ବର୍ତ୍ତମାନ ସଙ୍ଗେ ସଙ୍ଗେ ବନ୍ଦ କରିବାକୁ ପ୍ରସ୍ତୁତ ।”

 

ଦୋକାନ ବନ୍ଦ କରି ସେ ତାଙ୍କ କାରରେ ବସାଇ ମୋତେ ନେଇ ଚାଲିଲେ । ବିନା ଭୂମିକାରେ ସେ ଇଂଲଣ୍ଡ କିପରି ସ୍କଟ୍‌ଲ୍ୟାଣ୍ଡକୁ ଶୋଷଣ କରୁଛି, ସେ ବିଷୟରେ କେଇ ମିନିଟ୍ ଗପି ସାରି ସେ କହିଲେ, “ଆପଣ ନିଶ୍ଚୟ ଲଣ୍ଡନ ହୋଇ ଏଠାକୁ ଆସିଛନ୍ତି । ମୋର ସନ୍ଦେହ ନାହିଁ, ଲଣ୍ଡନ ତୁଳନାରେ ଆମ ସହର ଆପଣଙ୍କୁ ବହୁତ ଭଲ ଲାଗିବ । ଏଠାକାର ଲୋକେ ଆପଣଙ୍କୁ ବେଶି ଭଲଲାଗିବେ-କାରଣ ସେମାନେ ଭଲ ଲୋକ । ଏଠାକାର ଜଳବାୟୁ ବି ଆପଣଙ୍କୁ ବେଶି ସୁହାଇବ । ଯଦି କୌଣସି ଅସୁବିଧାରେ ପଡ଼ନ୍ତି, ମୋତେ ଆସି କହିବେ । ଆମେ ଇଂରେଜଙ୍କ ଭଳି ସ୍ଵାର୍ଥପର ନୋହୁଁ-। ଆମେ ବହୁତ ଭଲ । ମୁଁ ଇଂରେଜ ନ ହୋଇ ସ୍କଟ୍ ହୋଇଥିବାରୁ ବହୁତ ଗର୍ବିତ–ବୁଝିଲେ ?”

 

“ନିଶ୍ଚୟ !” ମୁଁ କହିଲି, “ତେବେ ଇଂଲଣ୍ଡରେ ଥିବାବେଳେ ମନେ ହୋଇଥିଲା, ଇଂରେଜମାନେ ବି ଇଂରେଜ ହୋଇଥିବାରୁ ବେଶ୍ ଗର୍ବିତ ।”

 

ଭଦ୍ରଲୋକ ଷ୍ଟିଅରିଂ ଉପରେ ହାଲୁକା ଭାବରେ ହାତ ରଖି ରାସ୍ତାକୁ ନ ଅନାଇ ଯେପରି ଭାବରେ ମୋ ଉପରେ ଦୃଷ୍ଟି ନିବଦ୍ଧ କଲେ; ସେଥିରେ ପ୍ରମାଦ ଗଣିଲି । ସେ କହିଲେ, “ସେମାନେ ଗର୍ବିତ ଟି ? ଏଇଥିରୁ ବୁଝନ୍ତୁ ସେମାନଙ୍କ ଚରିତ୍ର !” ଟିକିଏ ରହି ସେ ପୁଣି କହିଲେ, ଦେଶ ବିଦ୍ରୋହୀ କଣ୍ଠରେ, “କିନ୍ତୁ ଇଂରେଜମାନଙ୍କର ଗର୍ବିତ ହେବାର ଅଛି କ’ଣ ?” ମୁଁ ଉତ୍ତର ଦେଇ ନ ପାରିବାରୁ ମୋତେ ଆଶ୍ଵାସନା ଦେଲା ଭଳି ସ୍ଵରରେ କହିଲେ, “କିଛି ନାହିଁ, ବୁଝିଲେ—କିଛି ନାହିଁ । ଏଇ ପାର୍କ ଦେଖନ୍ତୁ, କେଡ଼େ ସୁନ୍ଦର । ଏଇ ପାର୍କ ସେପାରିରେ ଆପଣ ଖୋଜୁଥିବା ସ୍ଥାନ । ଓହ୍ଲାନ୍ତୁ-। ବିଦାୟ ।”

 

ଭଦ୍ରଲୋକ ତାଙ୍କ ବୟାନ୍ ଭିତରେ ଯେଉଁ ସବୁ ଅର୍ଥନୀତିକ ଉଦାହରଣ ଦେଇଥିଲେ (ଯଥା—କୁକୁର ପାଳିବାକୁ ହେଲେ ସ୍କଟ୍‌ମାନଙ୍କୁ ଟିକସ ଦେବାକୁ ପଡ଼େ ଏବଂ ସେ ଟିକସ ଯାଇ ଲଣ୍ଡନ ନଗରୀର ଉନ୍ନୟନରେ ଢଳାହୁଏ !), ସେ ସବୁ ମୋଟାମୋଟି ଭୁଲ ହୋଇଥିବା ହିଁ ସମ୍ଭବ । କିନ୍ତୁ ଇଂରେଜ ସମ୍ପର୍କରେ ଜଣେ ସାଧାରଣ ସ୍କଟ୍‌ର ମନୋଭାବକୁ ହିଁ ସେ ପରିଷ୍କାର କରିଦେଲେ ।

 

ଅଭିଷେକ ବେଳେ ବ୍ରିଟିଶ ରାଜା ବା ରାଣୀ ୱେଷ୍ଟମିନ୍‌ଷ୍ଟର୍ ଆଦିରେ ସଂରକ୍ଷିତ ଯେଉଁ ବିଶେଷ ସିଂହାସନରେ ଆରୂଢ଼ ହୁଅନ୍ତି, ସେ ସିଂହାସନ ତଳେ ଖଣ୍ଡିଏ ପଥର ଥାଏ । ସେହି ପଥରଟି (The stone of scone) ପବିତ୍ର ଏବଂ ତାହାରି ଉପରେ ପୂରାକାଳରେ ସ୍କଟ୍‌ଲ୍ୟାଣ୍ଡ ରାଜାଙ୍କର ଅଭିଷେକ ହେଉଥିଲା । ୧୯୫୦ ମସିହାର କ୍ରିସ୍‌ମାସ ଦିନ ସେ ପଥର ଖଣ୍ଡିକ ୱେଷ୍ଟମିନ୍‌ଷ୍ଟର୍‌ରୁ ଚୋରି କରି ନେଇପକାଇଥିଲେ ସ୍କଟ୍ ଜାତୀୟବାଦୀମାନେ । କିଛି ଦିନ ପରେ ଅନ୍ୟ ଏକ ଗୀର୍ଜା ଭିତରୁ ସେ ଖଣ୍ଡିକ ଆବିଷ୍କୃତ ହେଲା ଓ ପୁଣି ୱେଷ୍ଟମିନ୍‌ଷ୍ଟର୍‌କୁ ଫେରାଇ ଅଣାଗଲା ।

 

ସ୍କଟ୍‌ଲ୍ୟାଣ୍ଡ, ଇଂଲଣ୍ଡ ସହ ସଂଯୁକ୍ତ ଏକ ରାଷ୍ଟ୍ର, ଇଂଲଣ୍ଡର ଅଧୀନସ୍ଥ ନୁହେଁ । ତଥାପି ସ୍କଟମାନଙ୍କ ଜାତୀୟତାବୋଧ କେଉଁଠାରେ ଅତୃପ୍ତ ରହୁଛି । ମନେହୋଇଥିଲା, ୟୁନାଇଟେଡ୍‍ କିଂଡମ୍‌ର ରାଜଧାନୀ ଯଦି ଲଣ୍ଡନ ନ ହୋଇ ଏଡିନ୍‌ବରା ହୋଇଥାନ୍ତା, ତେବେ ହୁଏତ ସ୍କଟ୍‌ମାନଙ୍କର ଏ ତିକ୍ତତା ବଳେ ମିଳେଇଯା’ନ୍ତା ।

 

ସେ ଯାହାହେଉ, ବିଦେଶୀ ପ୍ରତି ସେମାନଙ୍କ ସୌହାର୍ଦ୍ଦ୍ୟ ମୋତେ ମୁଗ୍‌ଧ କରିଥିଲା । ତିରିଶ ଲକ୍ଷ ବହି ଓ ବିପୁଳ ସଂଖ୍ୟକ ଅମୂଲ୍ୟ ନଥିପତ୍ର ସମ୍ବଳିତ ୟୁନାଇଟେଡ୍‍ କିଂଡମ୍‌ର ଚାରି ବୃହତ୍ତମ ଲାଇବ୍ରେରୀରୁ ଅନ୍ୟତମ ନ୍ୟାସନାଲ୍ ଲାଇବ୍ରେରୀ ଅବ୍ ସ୍କଟ୍‌ଲ୍ୟାଣ୍ଡର କର୍ମଚାରୀମାନେ ମୋର ସାମାନ୍ୟ ସନ୍ଧାନରେ ମୋତେ ଯେଉଁଭଳି ଅକୁଣ୍ଠ ସହଯୋଗ ଦେଉଥିଲେ, ତାହା କୃତଜ୍ଞ ଚିତ୍ତରେ ସ୍ମରଣ କରୁଥିବି । ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତର ଭାଇସ୍‌ରାୟ ଥିଲେ ଏଡିନ୍‌ବରା ନିବାସୀ ଲର୍ଡ ଗିଲ୍‌ବାର୍ଟ ଏଲିଅଟ୍ ମିଣ୍ଟୋ । ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତର ଭାଇସ୍‌ରାୟ ହେଲେ ତାଙ୍କ ପଣନାତି ଗିଲ୍‌ବାର୍ଟ ଜନ୍ ମୁରେ ମିଣ୍ଟୋ । (ପ୍ରଥମ ମିଣ୍ଟୋ ଭାରତକୁ ଆସିଥିଲେ ୧୮୦୫ରେ; ଦ୍ଵିତୀୟ ମିଣ୍ଟୋ ଆସିଥିଲେ ଠିକ୍ ଶହେ ବର୍ଷ ପରେ, ୧୯୦୫ରେ । ଆଉ ଏକ ଯୋଗାଯୋଗ ହେଲା, ପ୍ରଥମ ମିଣ୍ଟୋଙ୍କ ମୃତ୍ୟୁ ହେଲା ୧୮୧୪ରେ; ଦ୍ଵିତୀୟଙ୍କ ମୃତ୍ୟୁ ହେଲା ୧୯୧୪ରେ ।)

 

ମିଣ୍ଟୋ ପରିବାରର ସମସ୍ତ କୌଳିକ କାଗଜପତ୍ର ଜମାରହିଛି ଏହି ଲାଇବ୍ରେରୀରେ । ଉପରୋକ୍ତ ଦ୍ଵିତୀୟ ମିଣ୍ଟୋଙ୍କ ଶାସନକାଳ ଭାରତର ସ୍ଵାଧୀନତା ଆନ୍ଦୋଳନର ଇତିହାସରେ ଏକ ବିଶେଷ ଗୁରୁତ୍ଵପୂର୍ଣ୍ଣ ସମୟ । ଶ୍ରୀ ଅରବିନ୍ଦ ପ୍ରତ୍ୟକ୍ଷ ରାଜନୀତିରେ ଅବତୀର୍ଣ୍ଣ ହେବା ଓ ମିଣ୍ଟୋ ଭାଇସ୍‌ରୟ ହେବା ଘଟିଲା ଏକ ସମୟରେ । ପୁଣି ଶ୍ରୀ ଅରବିନ୍ଦ “ତାଙ୍କ ପ୍ରତିଭାର ପ୍ରଚଣ୍ଡ ଆଲୋକରେ ଆକୁମାରୀ ହିମାଚଳ ଭାରତର ଚିତ୍ତ-ଆକାଶକୁ ଉଲ୍‌କା ଭଳି ଝଲସାଇ” (ଡା: ପଟ୍ଟାଭି ସୀତାରାମାୟାଙ୍କ ଭାଷା) ଦେଇ ହଠାତ୍ ପ୍ରତ୍ୟକ୍ଷ ରାଜନୀତି ତ୍ୟାଗ କରି ପଣ୍ଡିଚେରୀ ଚାଲିଯିବା ସଙ୍ଗେ ସଙ୍ଗେ ସେହି ୧୯୧୦ରେ ଲର୍ଡ ମିଣ୍ଟୋ ବି ଭାରତରୁ ବିଦାୟ ନେଲେ ।

 

ଲର୍ଡ ମିଣ୍ଟୋଙ୍କ କାଗଜପତ୍ର ଭିତରେ ଯେ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ବହୁ ତଥ୍ୟ ରହିଥିବ, ଏହା ସ୍ଵାଭାବିକ । ଗୋଟା ପରେ ଗୋଟା ଓଜନିଆ ଫାଇଲ୍ ଆଣି ଯୋଗାଇଦେଉଥାନ୍ତି ଯେଉଁ ଭଦ୍ରଲୋକ, ତାଙ୍କ ବ୍ୟବହାରରେ ଥାଏ ଅକୁଣ୍ଠ ଶୁଭେଚ୍ଛା । ଦିନେ ସନ୍ଧ୍ୟାରେ ମୁଁ କୋଠା ଭିତରୁ ବାହାରିଯିବାବେଳେ ସେ କହିଲେ–ଭାରତରେ ଜୀବନର ଦୀର୍ଘତମ ଅଂଶ ସେ ବିତାଇଛନ୍ତି-ନୀଳଗିରି ଚାହା ବଗିଚାରେ ଜଣେ କର୍ମଚାରୀ ରୂପେ । “ଭାରତର ଅଭାବ ଖୁବ୍ ବେଶି ଅନୁଭବ କରୁଛି”—ସେ କହିଥିଲେ ସ୍ମୃତିର ସ୍ଵପ୍ନରେ ଆଖି ସଜଳକରି ।

 

ଦିନ କେତୋଟିରେ ସମସ୍ତ କାଗଜପତ୍ର ଦେଖିନେବାକୁ ଚାହେଁ । ତେଣୁ ସକାଳ ସାଢ଼େ ନ’ରେ ଲାଇବ୍ରେରୀ ଖୋଲିବାଠୁଁ ସନ୍ଧ୍ୟା ପର୍ଯ୍ୟନ୍ତ, ମଝିରେ ଥରେ ଅଳ୍ପ ସମୟ ପାଇଁ ବାହାରେ କୌଣସି କ୍ୟାଣ୍ଟିନରେ ଖାଇ ଆସିବା ସମୟ ଛଡ଼ା, ଏକାଦିକ୍ରମେ କାଗଜପତ୍ର ଭିତରେ ନିମଜ୍ଜିତ ରହୁଥିଲି । ଭାରତ ବ୍ୟାପାରୀୟ ଦଲିଲପତ୍ରରେ ଯିଏ ସେ ଅନୁଷ୍ଠାନରେ ବିଶେଷଜ୍ଞ, ସେ ଥରେ ମୋତେ ଉତ୍ସାହ ଦେଲେ, “ଆପଣଙ୍କ ଭଳି ଇତିହାସର ଅଧ୍ୟବସାୟୀ ଛାତ୍ରଙ୍କୁ ସାହାଯ୍ୟ କରିବାରେ ଆନନ୍ଦ ଅଛି ।”

 

ବଡ଼ ଲଜ୍ଜିତ ହୋଇ କହିଲି, “ବହୁତ ଧନ୍ୟବାଦ । କିନ୍ତୁ ସତକଥା ନ କହିଦେଲେ ଗ୍ଳାନିବୋଧ କରିବି । ମୁଁ ଇତିହାସର ଛାତ୍ର ନୁହେଁ । ଇତିହାସ କାହିଁକି, କୌଣସି ବିଷୟରେ କସ୍ମିନ୍‌କାଳେ ଅଧ୍ୟବସାୟୀ ଛାତ୍ର ନ ଥିଲି । ଛାତ୍ର ଭାବରେ ଥିଲି ଅଧମ ।”

 

ସେ ମୋ ଆତ୍ମକଥାରେ ଗୁରୁତ୍ଵ ନ ଦେଇ କହିଚାଲିଲେ, “ଜଣେ ଭାରତୀୟ ଐତିହାସିକ କେତେ ବର୍ଷ ତଳେ ଆସି ମିଣ୍ଟୋ କାଗଜପତ୍ର ଅଧ୍ୟୟନ କରୁଥିଲେ । ଆରେ ! ତାଙ୍କ ନାମ ବି ତ ଦାସ ! ମୋର୍ଲେ-ମିଣ୍ଟୋ ଉପରେ ତାଙ୍କ ବହି ମଧ୍ୟ ଲଣ୍ଡନରୁ ପ୍ରକାଶପାଇଛି ।”

 

କହିଲି, “ହଁ, ଡକ୍ଟର ଏମ୍. ଏନ୍. ଦାସ—ସେ ମୋ ବଡ଼ଭାଇ, ଐତିହାସିକ । ତାଙ୍କରି ସେ ବହିରେ ପ୍ରଥମ କରି ଶ୍ରୀ ଅରବିନ୍ଦଙ୍କ ଉପରେ ମିଣ୍ଟୋଙ୍କ ଚିଠି ପତ୍ରର କିୟଦଂଶ ପ୍ରକାଶ ପାଇଛି-। ମୋର୍ଲେ-ମିଣ୍ଟୋଙ୍କ ଗୋପନୀୟ ଚିଠିପତ୍ର ଉନ୍ମୁକ୍ତ ହେବା ସମୟରେ ସେ ଲଣ୍ଡନ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଫିଲିପସଙ୍କ ସହ କାମ କରୁଥିଲେ । ଶ୍ରୀ ଅରବିନ୍ଦଙ୍କ ଉପରେ ଆହୁରି ଅଧିକ ତଥ୍ୟ ମିଳିବ, ଭାଇ ଏ ଭରସା ଦେବାରୁ ଏଠାକୁ ଆସିଛି ।”

 

“ଚମତ୍କାର ! କିନ୍ତୁ ଆପଣ ଇତିହାସର ଛାତ୍ର ନ ହୋଇ ବି ତ ବେଶ୍ ଚତୁର ଭାବରେ ଅସଲ ଫାଇଲ୍‌ପତ୍ର ମଗାଇ ପାରୁଛନ୍ତି ଦେଖୁଛି !” ସେ ମୋତେ କୌଣସି ନା କୌଣସି ଭାବରେ ଅଭିନନ୍ଦିତ କରିବାକୁ ବଦ୍ଧପରିକର ଥିଲାଭଳି କହିଲେ ।

 

“ଏ ସକାଶେ ମୋ ଭାଇଙ୍କୁ ପରିଶ୍ରମ କରିବାକୁ ପଡ଼ିଛି । ମୁଁ ଏଠାକୁ ଆସିବା ପୂର୍ବରୁ ତାଙ୍କଠୁ ତାଲିମ ପାଇଥିଲି ଓ ସେ ଫାଇଲପତ୍ରର ତାଲିକା ପ୍ରସ୍ତୁତ କରିଦେଇଥିଲେ । ମୁଁ ସେ ତାଲିକା ଅନୁସରଣ କରିଯାଉଛି ମାତ୍ର !”

 

“ଚମତ୍କାର ! ଇତିହାସର ଛାତ୍ର ନ ହୋଇ ଇତିହାସର ଏକ ଯୁଗ ପ୍ରତି ଏଡ଼େ ଆକର୍ଷଣ-!” ତେଣିକି ବିଶେଷଜ୍ଞଙ୍କ ସହାୟତା ମୋ ଉପରେ ଓଜାଡ଼ି ହୋଇ ପଡ଼ିଲା । ମୋତେ କେବଳ ଅଗ୍ରାଧିକାର ଦେଇ ଯେ କେତେକ କାଗଜର ଜେରୋକ୍‌ସ ନକଲ ପ୍ରସ୍ତୁତ କରିଦିଆହେଲା, ସେତିକି ନୁହେଁ, ସେ ବାବଦରେ ମୋଠୁଁ କୌଣସି ପଇସାପତ୍ର ବି ନିଆ ହେଲା ନାହିଁ ।

 

ମୋ ଆକର୍ଷଣ କଥା ସେ ବା କେତେଦୂର ବୁଝିଥିବେ ! ଏକ ନିକଟ ଅତୀତରେ ପ୍ରାୟ-ବିସ୍ମୃତ ରୋମାଞ୍ଚକର ଯୁଗର ସେ ଦଲିଲ ରାଶି ଭିତରେ ଆତ୍ମବିସ୍ମୃତ ହୋଇ ରହୁଥିଲି । ବାରମ୍ବାର ମନେହେଉଥିଲା, ଭାରତର ସ୍ଵାଧୀନତା ଆନ୍ଦୋଳନର ସେ ଯୁଗ ସମ୍ପର୍କରେ ଯେତିକି ଲେଖାଲେଖି ହୋଇଛି, ତାହା ସାମାନ୍ୟ । ସେ ଯୁଗର ବିପ୍ଳବୀମାନଙ୍କ ଭିତରୁ ତିନି ଚାରି ଜଣଙ୍କ ସମ୍ପର୍କରେ ଆସିବାର ଦୁର୍ଲଭ ସୌଭାଗ୍ୟ ଏ ଲେଖକର ହୋଇଛି । ସେମାନଙ୍କ ବ୍ୟକ୍ତିତ୍ଵ, ଚରିତ୍ର ଏଡ଼େ ଭିନ୍ନ, ଏଡ଼େ ମହତ୍ ଯେ ସାମ୍ପ୍ରତିକ ରାଜନୀତିକ ଲୋକଙ୍କୁ ଅନାଇ ସେମାନଙ୍କ ବିଷୟରେ ଧାରଣା କରି ହେବ ନାହିଁ ।

 

ସେମାନେ ଥିଲେ ଯେତିକି ଆଦର୍ଶବାଦୀ, ସେତିକି ବାସ୍ତବବାଦୀ । ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟରେ ଅହିଂସା ବୋଇଲେ ଯାହା ବୁଝାଇଲା, ସେମାନେ ସେଥିରେ ବିଶ୍ଵାସ କରୁ ନଥିଲେ, ଏକଥା ଠିକ୍ । ସେମାନେ ଏ ଲେଖକ ଆଗରେ ନିଷ୍କପଟରେ କହିଛନ୍ତି, ଏ ଅହିଂସା କେବଳ ଛଳନା ମାତ୍ର ନୁହେଁ, ଏକ ମହାଜାତି ପକ୍ଷରେ ମାରାତ୍ମକ, ଆତ୍ମହତ୍ୟାତ୍ମକ । ସେମାନେ ଯେ ନିଜ ତରଫରୁ ହିଂସାଚରଣ କରିବାର ପକ୍ଷପାତୀ ଥିଲେ, ତାହା ନୁହେଁ, କିନ୍ତୁ ହିଂସାଚାରୀକୁ ସେମାନେ ଶକ୍ତିପ୍ରୟୋଗ ଦ୍ଵାରା ଜବାବ୍ ଦେବାକୁ ପ୍ରସ୍ତୁତ ଥିଲେ । ସମଗ୍ର ପ୍ରକୃତିରୁ ଯେଯାଏ ହିଂସା ଦୁରୀଭୂତ ନ ହୋଇଛି (ଏବଂ ତାହା ସ୍ଳୋଗାନ୍ ବା ନୀତିଶିକ୍ଷା ଦ୍ଵାରା ସମ୍ଭବ ନୁହେଁ, ସମ୍ଭବ ଏକ ଆଧ୍ୟାତ୍ମିକ ବିବର୍ତ୍ତନ ଦ୍ଵାରା), ସେଯାଏ ତାକୁ ଶକ୍ତି ପ୍ରୟୋଗ ଦ୍ଵାରା ହିଁ ଦମନ କରିବାକୁ ହେବ । ଶକ୍ତିର ଏପରି ଉଚିତ ଓ ମହତାଶ୍ରୟୀ ଭୂମିକାକୁ ଯଦି କୌଣସି ଦ୍ୱାହି ଦେଇ ରୋକିଦିଆଯାଏ, ତେବେ ଏକ ଦିଗରେ ହିଂସାତ୍ମକ କୁଶକ୍ତିମାନେ ଭିତରେ ଭିତରେ ପୁଲକିତ ହୋଇ ଯେମିତି ବ୍ୟାପିଯିବେ, ତାକୁ ଯିଏ ରୋକି ପାରିଥାନ୍ତା ସେ ସୁସ୍ଥ ଶକ୍ତି ମଧ୍ୟ ଅବଦମିତ ହୋଇ ଦିନେ ବିକୃତ ରୂପରେ ଭୀରୁ ଗୁଣ୍ଡାମି ଓ ସନ୍ତ୍ରାସରୂପେ ଦେଖାଦେବ ।

 

ସେ ବିପ୍ଳବୀମାନଙ୍କର ଏ ଧାରଣା କେତେଦୂର ଠିକ୍, ସେକଥା ଭାରତର ଘଟଣାବଳୀ ଉପରେ ଚିନ୍ତା କରି ପାଠକମାନେ ନିଜ ନିଜ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ।

 

ସେ ଯୁଗର ଏହି ତରୁଣ ବିପ୍ଳବୀ ଜାତିପ୍ରେମୀମାନଙ୍କର ଅବିସମ୍ବାଦିତ ନେତା ଥିଲେ ଶ୍ରୀ ଅରବିନ୍ଦ । ବଙ୍ଗଳାର ଲାଟ୍ ସାର୍ ଆଣ୍ଡୃ ଫ୍ରେଜାର୍‍ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ ମିଣ୍ଟୋଙ୍କ ପାଖକୁ ଲେଖୁଛନ୍ତି : “ସବୁ କିଛି ମୂଳରେ ଅରବିନ୍ଦ, ଅଥଚ ତାଙ୍କ ଅନୁଚରମାନେ କୌଣସି ପ୍ରକାରେ ତାଙ୍କ ନାମ ଉଚ୍ଚାରଣ କରିବେ ନାହିଁ । ଅନୁଗତମାନେ ଏଭଳି ସମ୍ଭ୍ରମଭରେ ତାଙ୍କ ବିଷୟରେ କଥାବାର୍ତ୍ତା କରନ୍ତି, ଯେପରି କି ଅରବିନ୍ଦ ହେଲେ ଜଣେ ମହାନ୍ ଗୁରୁ !”

 

ଶ୍ରୀ ଅରବିନ୍ଦ ସମ୍ପାଦିତ ‘ବନ୍ଦେମାତରମ୍’ର ଜନପ୍ରିୟତା ସମସ୍ତ କଳନାକୁ ଅତିକ୍ରମ କରିଥିଲା । ‘ଷ୍ଟେଟ୍‌ମ୍ୟାନ’ର ତତ୍କାଳୀନ ସମ୍ପାଦକ ରାଟ୍‌କ୍ଳିଫ୍ କେତେ ବର୍ଷ ତଳେ ‘ମାଞ୍ଚେଷ୍ଟାର ଗାର୍ଡ଼ିଆନ୍’ କାଗଜରେ ଲେଖିଥିଲେ ଯେ, “ଭାରତୀୟ ସାମ୍ବାଦିକତାର ଇତିହାସରେ ‘ବନ୍ଦେମାତରମ୍’ର ଆବିର୍ଭାବ ଥିଲା ଏକ ଅଭୂତପୂର୍ବ ଘଟଣା । ଶକ୍ତିଶାଳୀ ବୈପ୍ଳବିକ ଭାଷା ଓ ପ୍ରଖର ବୁଦ୍ଧିମତ୍ତାରେ ସେ ପତ୍ରିକାର ପ୍ରତି ପୃଷ୍ଠା ହେଉଥିଲା ଦୀପ୍ୟମାନ ।”

 

ମିଣ୍ଟୋ କାଗଜପତ୍ରରୁ ଜଣାପଡ଼େ, ଆମେରିକାର ଭୂତ ସଭାପତି ରୁଜ୍‌ଭେଲ୍‌ଟ (୧ମ) ‘ବନ୍ଦେମାତରମ୍’ର ଖ୍ୟାତିରେ ଆକୃଷ୍ଟ ହୋଇ କାଗଜଟି ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିଥିଲେ ଓ ମିଣ୍ଟୋ ତାଙ୍କୁ କାଗଜଟି ପଠାଇବାର ବ୍ୟବସ୍ଥା କରିଥିଲେ । ରୁଜଭେଲ୍‌ଟ କାଗଜଟିକୁ ‘ଚିତ୍ତାକର୍ଷକ’ ବୋଲି ଅଭିହିତ କରି ପୁଣି ଚିଠି ଲେଖିଥିଲେ ।

 

ଆଜି ଏକଥା ସ୍ଵୀକୃତ ଯେ ଶ୍ରୀଅରବିନ୍ଦ ହେଉଛନ୍ତି ଭାରତଜନନୀଙ୍କର ପ୍ରଥମ ସନ୍ତାନ ଯିଏକି ପ୍ରକାଶ୍ୟ ଭାବରେ ଆପୋଷହୀନ ସ୍ଵାଧୀନତାର ଦାବୀ ଉପସ୍ଥାପିତ କରିଥିଲେ । ଦୃଢ଼ୀଭୂତ ସାମ୍ରାଜ୍ୟର ସେଇ ଯୁଗରେ ଏଭଳି ଦାବୀ ଉଠାଇବା ପାଇଁ ଯେଉଁ ମାତ୍ରାର ସାହସ ଓ ତ୍ୟାଗର ପ୍ରସ୍ତୁତିର ପ୍ରୟୋଜନ ଥିଲା, ତାହା ଆଜି କଳ୍ପନା କରିବା ସହଜ ନୁହେଁ । ନେତାଜୀ ସୁଭାଷଚନ୍ଦ୍ର ତାଙ୍କ ସ୍ମୃତି କଥାରେ ଲେଖିଛନ୍ତି : “ଯେତେବେଳେ ଅଧିକାଂଶ ନେତା ସବୁ ଦିଗ ବଞ୍ଚାଇ କେବଳ ସ୍ଵାୟତ୍ତ ଶାସନ ପର୍ଯ୍ୟନ୍ତ ଦାବୀ କରିବାକୁ ପ୍ରସ୍ତୁତ ଥିଲେ, ସେତେବେଳେ ଏକାକୀ ଶ୍ରୀଅରବିନ୍ଦ ସ୍ଵାଧୀନତାର ଉଦାତ୍ତ ଆହ୍ଵାନ ଶୁଣାଇଥିଲେ । ସମ୍ପୂର୍ଣ୍ଣ ଅବିଚଳିତ ଭାବରେ ସେ କାରାଦଣ୍ଡ ସହିଥିଲେ...୧୯୧୩ରେ ଯେତେବେଳେ ମୁଁ କଲିକତା ଆସିଲି, ସେତେବେଳକୁ ଶ୍ରୀଅରବିନ୍ଦ ଏକ ଅଭାବନୀୟ ଶ୍ରଦ୍ଧାପ୍ଳୁତ ନାମ । କ୍ୱଚିତ କେବେ କୌଣସି ନେତାଙ୍କ ସମ୍ପର୍କରେ ଲୋକେ ଏଡ଼େ ଭାବବିହ୍ଵଳ ହୋଇ ଆଲୋଚନା କରୁଥିବେ । କେତେ କାହାଣୀ ଶୁଣାଯାଉଥାଏ ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ... ।”

 

ମାତ୍ର ବର୍ଷ ଦୁଇଟି ଭିତରେ ଦେଶର ଯୁବଚିତ୍ତରେ ଶ୍ରୀଅରବିନ୍ଦଙ୍କ ପ୍ରଭାବ ଭାରତରେ ବ୍ରିଟିଶ ସ୍ଥିତିର ନିରାପତ୍ତାକୁ ଦୋହଲାଇଦେଲା । ୧୯୦୭ରେ ତାଙ୍କୁ ରାଜଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରାଗଲା । ଅଭିଯୋଗ ସାବ୍ୟସ୍ତ ହେଲା ନାହିଁ । ପୁଣି କିଛି ଦିନ ପରେ ତାଙ୍କୁ ଆଲିପୁର ବୋମାମାମଲାରେ ଜଡ଼ିତ କରି ଗିରଫ କରାହେଲା । ବିଚାରବେଳେ ସରକାରୀ ଓକିଲ ବାରିଷ୍ଟର ନର୍ଟନ୍ ବଡ଼ କ୍ଷୋଭରେ କହିପକାଇଥିଲେ, “ଅରବିନ୍ଦ ଅବା ସତେ ଜଣେ ରାଜା ! ଦେଶରେ ସିଏ ଯେଉଁଠାକୁ ଗଲେ ସେଠାରେ ତାଙ୍କୁ ରାଜକୀୟ ଥାଟରେ ସଙ୍ଖୋଳା ଯାଇଥାଏ ।”

 

କିନ୍ତୁ ରାଜକୀୟ ସମ୍ମାନ ଅସମ୍ମାନର ଅସୀମ ଉର୍ଦ୍ଧ୍ଵରେ ଥିଲେ ଶ୍ରୀଅରବିନ୍ଦ । ସେ ଗିରଫ୍ ହେବା ପରେ ଯେତେବେଳେ ତାଙ୍କପାଇଁ ଏକ ପ୍ରତିରକ୍ଷା ପାଣ୍ଠି ଖୋଲାହେଲା, ସେତେବେଳେ ସମ୍ପାଦକୀୟରେ ଏକ ଦୈନିକ ପତ୍ରିକା ଲେଖିଥିଲେ :

 

“On the Congress platform he had stood up as a champion of left-wing thought and a fearless advocate of independence at a time when most of the leaders, with their tongues in their cheeks, would only talk of colonial self-government. He had undergone incarceration with perfect equanimity.∙∙∙When I came to Calcutta in 1913, Aurobindo was already a legendary figure. Rarely have I seen people speak of a leader with such rapturous enthusiasm and many were the anecdotes of this great man.

 

—ନେତାଜୀ ସୁଭାଷଚନ୍ଦ୍ର

 

“ଜାତୀୟତାର ମନ୍ତ୍ର ଦେଇ ସମଗ୍ର ଭାରତ ଜାତିକୁ ପ୍ରାଣବନ୍ତ କରିଛନ୍ତି ଅରବିନ୍ଦ । ତାଙ୍କ ବଜ୍ରବାର୍ତ୍ତାରେ ପ୍ରତିଧ୍ଵନିତ ଆକୁମାରୀ ହିମାଚଳ । ହେ ଭାରତବାସୀ ! ତୁମ ପାଇଁ ସର୍ବସ୍ଵ ତ୍ୟାଗ କରିଛନ୍ତି ଏହି ଅତୁଳନୀୟ ମହାନ୍ ପୁରୁଷ । ଗ୍ରହଣ କରିଛନ୍ତି ନିଷ୍କାମ କର୍ମର ତପସ୍ୟା । ତୁମକୁ ସେ ଦେଇଛନ୍ତି ଅପରାଜେୟ ମାତୃମନ୍ତ୍ର । ହେ ଭାରତବାସୀ ! ସେହି ସତ୍ୟଦ୍ରଷ୍ଟା, ତୁମର ମନ୍ତ୍ରଦାତା, ତୁମର ଆଧ୍ୟାତ୍ମିକଗୁରୁ ଆଜି ଅଭିଯୁକ୍ତ । ତୁମେ ଯଦି ଭାରତ ଜନନୀଙ୍କର ଯଥାର୍ଥ ସନ୍ତାନ ହୋଇଥିବ, ତେବେ ତୁମ ମୁକ୍ତିଦାତାଙ୍କ ସହାୟତା ପାଇଁ ଆଜି ନିର୍ଭୟରେ ବାହାରିଆସ ।”

 

କିନ୍ତୁ ଦେଶବାସୀ ଯାହାଙ୍କୁ ସନ୍ନ୍ୟାସୀ ଓ ସତ୍ୟଦ୍ରଷ୍ଟା ଭାବରେ ଦେଖୁଥିଲେ, ସେହି ଶ୍ରୀଅରବିନ୍ଦଙ୍କୁ ଲର୍ଡ ମିଣ୍ଟୋ ଭାରତର ସବୁଠୁଁ ମାରାତ୍ମକ ବ୍ୟକ୍ତି (“It is well-known that Aurobindo is the most dangerous man with whom we had to deal.”) ବୋଲି ବର୍ଣ୍ଣନା କରି ଭାରତ ଦାୟିତ୍ୱରେ ଥିବା ମନ୍ତ୍ରୀ (Secretary of State for India)ଲର୍ଡ ମୋର୍ଲେଙ୍କୁ ଗୋପନୀୟ ଜରୁରୀ ଟେଲିଗ୍ରାମ୍ ପଠାଇଥିଲେ ।

 

ମିଣ୍ଟୋ ମହାଶୟଙ୍କର ବଡ଼ ଅଭିଳାଷ ଥିଲା ଶ୍ରୀ ଅରବିନ୍ଦଙ୍କୁ ନିର୍ବାସନ ଦଣ୍ଡ ଦେବାପାଇଁ-। ଏ ବାସନା ଚରିତାର୍ଥ କରିବାରେ ପ୍ରତିବନ୍ଧକ ଥିଲେ ମୋର୍ଲେ ।

 

ଅବଶେଷରେ ବିଚଳିତ ଭାରତସରକାର ମୋର୍ଲେଙ୍କ ବିରୋଧ ସତ୍ତ୍ଵେ ତାଙ୍କୁ ନଜଣାଇ ‘କର୍ମଯୋଗୀନ୍’ରେ ପ୍ରକାଶିତ ଏକ ପ୍ରବନ୍ଧକୁ ରାଜଦ୍ରୋହ ମୂଳକ ଆଖ୍ୟା ଦେଇ ଶ୍ରୀ ଅରବିନ୍ଦଙ୍କୁ ଗିରଫ୍ କରିବା ପାଇଁ ପରୱାନା ବାହାର କଲେ ।

 

କିନ୍ତୁ ହାୟ ! ସେତେବେଳକୁ ଶ୍ରୀ ଅରବିନ୍ଦ ଭଗିନୀ ନିବେଦିତାଙ୍କ ଉପରେ ‘କର୍ମଯୋଗୀନ୍’ ସମ୍ପାଦନାର ଦାୟିତ୍ୱ ଅର୍ପଣ କରି ପଣ୍ଡିଚେରୀ ମୁଖେ ପ୍ରସ୍ଥାନ କଲେଣି ।

 

‘ଟାଇମ୍‌ସ’ (ଲଣ୍ଡନ)ରେ ଶ୍ରୀ ଅରବିନ୍ଦଙ୍କୁ ଗିରଫ୍ ଉଦ୍ୟମର ସମ୍ବାଦ ପ୍ରକାଶ ପାଇବା ପରେ ୧୯୧୦ ମସିହାରେ ନବଗଠିତ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଭାରତ ସମ୍ପର୍କୀୟ ପ୍ରଥମ ଆଲୋଚନାରେ ଏକ ଝଡ଼ ବହିଯାଇଥିଲା । ଶ୍ରମିକଦଳର ସଭ୍ୟ ରାମସେ ମାକ୍‍ଡୋନାଲଡ (ପରବର୍ତ୍ତୀ କାଳରେ ଶ୍ରମିକଦଳ ଗଠିତ ପ୍ରଥମ ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀ) ଦାବୀ କଲେ ଯେ ‘କର୍ମଯୋଗୀନ୍’ର ସେ ତଥାକଥିତ ରାଜଦ୍ରୋହମୂଳକ ପ୍ରବନ୍ଧ ଉପସ୍ଥାପିତ କରାଯାଉ । ସରକାରଙ୍କ ପାଖରେ ସେ ପ୍ରବନ୍ଧ ପହଞ୍ଚି ନାହିଁ ବୋଲି ସରକାରୀ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମଣ୍ଟେଗୁ ଉତ୍ତର ଦେଲେ । କିଛି ସମୟ ବାକ୍‌ବିତଣ୍ଡା ଉତ୍ତାରୁ ହଠାତ୍ ସ୍ଵୟଂ ମ୍ୟାକ୍‌ଡୋନାଲଡ ନାଟକୀୟ ଭାବରେ ଉକ୍ତ ପ୍ରବନ୍ଧ ସମ୍ବଳିତ ‘କର୍ମଯୋଗୀନ୍’ ଖଣ୍ଡିଏ ବାହାରକରି ଶ୍ରୀ ଅରବିନ୍ଦଙ୍କ ପ୍ରବନ୍ଧଟି ପଢ଼ି ଶୁଣାଇବାକୁ ଲାଗିଲେ । ପ୍ରବନ୍ଧର ଚମତ୍କାର ଭାଷା ସଭ୍ୟମାନଙ୍କୁ ବିସ୍ମିତ କରିଥିଲା । ମ୍ୟାକ୍‌ଡୋନାଲଡ୍‍ ଜୋର୍ ଦେଇ କହିଲେ: ଶ୍ରୀ ଅରବିନ୍ଦଙ୍କ ଲେଖା ସହିଂସ ବିପ୍ଳବକୁ ଉତ୍ସାହିତ କରିବ ବୋଲି କୁହାଯାଉଛି । କିନ୍ତୁ ପ୍ରକୃତରେ ଯଦି କେହି ଭାରତକୁ ହିଂସା କବଳରୁ ରକ୍ଷା କରିପାରେ, ତେବେ ସିଏ ଏକା ଶ୍ରୀ ଅରବିନ୍ଦ । ସେ ଏପରି ଏକ ଉନ୍ନତ ଜାତୀୟତାବୋଧର ବାର୍ତ୍ତା ପରିବେଷଣ କରିଛନ୍ତି, ଯାହାକୁ ହୃଦୟଙ୍ଗମ କଲେ ଭାରତବାସୀ କେବେହେଲେ ହିଂସାକୁ ଆବୋରିବେ ନାହିଁ । ବରଂ, ଯଦି ତାଙ୍କ ପ୍ରବର୍ତ୍ତିତ ଜାତୀୟତାକୁ ରୋକିଦିଆଯିବ, ତେବେ ହିଂସାର ସ୍ଫୁରଣ ହେବା ଅନିବାର୍ଯ୍ୟ । ପ୍ରବନ୍ଧଟିରେ ମଧ୍ୟ ଏ ସତର୍କବାଣୀ ରହିଛି ।

 

ଯଥାସମୟରେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ଉପନୀତ ହୋଇଥିବାର ସମ୍ବାଦ ଭାରତସରକାର ପାଖରେ ତଥା ଲଣ୍ଡନରେ ପହଞ୍ଚିଲା । ଲଣ୍ଡନରୁ ମର୍ଲେ ମିଣ୍ଟୋଙ୍କୁ ଜଣାଇଲେ ଯେ ଶ୍ରୀ ଅରବିନ୍ଦ ରାଜନୀତି ଛାଡ଼ିଦେଇ ‘ଚିରନ୍ତନ ସତ୍ୟ’ର ସନ୍ଧାନରେ ଥିବାର ଖବର ସେ ବିଶ୍ଵସ୍ତ ସୂତ୍ରରୁ ପାଇଛନ୍ତି । କିନ୍ତୁ ଏ କଥା ସହଜରେ ମିଣ୍ଟୋ ବିଶ୍ଵାସ କଲେ ନାହିଁ । ଇତି ମଧ୍ୟରେ ସେ ଭାରତର ଭାଇସରୟ ପଦରୁ ଅବ୍ୟାହତି ପାଇ ସ୍ଵଦେଶକୁ ବାହୁଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ । ମୋର୍ଲେଙ୍କ ପାଖକୁ ତାଙ୍କର ଏକ ଶେଷଚିଠିରେ ସେ ଲେଖିଥିଲେ: “ଅରବିନ୍ଦ ବ୍ୟାପାର ତମକୁ ସମର୍ପି ଦେଲି । ତମ ଖବର କେତେଦୂର ସଠିକ ଜାଣେନା । ମୁଁ କିନ୍ତୁ କହିପାରେ ଯେ ମୋ ଖବର ଖୁବ୍ ନିର୍ଭରଯୋଗ୍ୟ । ଅରବିନ୍ଦ କେବେ ସୁଧାରି ହୋଇଯିବେ, ଏ କଥା ତାଙ୍କ ଅନ୍ତରଙ୍ଗ ଗୋଷ୍ଠୀ ବି ବିଶ୍ଵାସ କରନ୍ତି ନାହିଁ ।

 

ଲାଇବ୍ରେରୀରେ କାଗଜପତ୍ର ଦେଖା ଯେଉଁଦିନ ଶେଷ ହେଲା, ସେଦିନ ଉପରଓଳି ନନ୍ଦୀମହୋଦୟ ତାଙ୍କ କାରରେ ମୋତେ ସହର ବାହାରକୁ ବୁଲାଇ ନେଇଗଲେ । ଗଲୁଁ ଫାଇଫ୍ ସୀମାନ୍ତ ପର୍ଯ୍ୟନ୍ତ—ଯେଉଁଠି ଏକଦା ଥିଲା ମ୍ୟାକ୍‌ବେଥ୍‍ଙ୍କୁ ସମ୍ମୁଖ ଲଢ଼େଇରେ ହତ୍ୟା କରିଥିବା ମ୍ୟାକ୍‌ଡଫ୍‌ଙ୍କ ଦୁର୍ଗ । ମ୍ୟାକ୍‌ବେଥ୍‌ଙ୍କୁ ଡାକିଣୀମାନେ କହିଥିଲେ, ମାତୃଗର୍ଭରୁ ସ୍ଵାଭାବିକ ରୀତିରେ ନିର୍ଗତ କୌଣସି ମଣିଷ ତାଙ୍କୁ ମାରି ପାରିବ ନାହିଁ । ବିଚାରା ମ୍ୟାକ୍‌ବେଥ୍ ମୃତ୍ୟୁର ପ୍ରାକ୍ ମୁହୂର୍ତ୍ତରେ ଶୁଣିଥିଲେ ଯେ ଅସମୟରେ ମାତୃଗର୍ଭ ବିଦୀର୍ଣ୍ଣ କରି ଶିଶୁ ମ୍ୟାକ୍‍ଡଫ୍‌ଙ୍କୁ ବାହାରକରାଯାଇଥିଲା—ତାଙ୍କ ଜନ୍ମ ସ୍ଵାଭାବିକ ନୁହେଁ ।

 

ଏକ ଜଳାଶୟ ତଟସ୍ଥ ଉଚ୍ଚ ଭୂମି ଉପରେ ଛିଡ଼ାହୋଇ ବହୁ ସମୟ ଯାଏ ସ୍କଟ୍‌ଲ୍ୟାଣ୍ଡର ଧୂମ୍ରାଚ୍ଛନ୍ନ ଅନ୍ତର୍ପ୍ରଦେଶ ଆଡ଼କୁ ଅନାଇ ରହିଲୁ । ଇଚ୍ଛାଥିଲା, ଅଭ୍ୟନ୍ତରକୁ ଯାଇ ବିଖ୍ୟାତ ହ୍ରଦ ଲଚନେସ୍ ଦେଖିଆସିବାକୁ । ସେ ଜଳାଶୟ ଭିତରେ କୁଆଡ଼େ ରହିଛି ଏକ ଅତିକାୟ ପ୍ରାଗୈତିକ ଜୀବ-ବିଜ୍ଞାନୀମାନଙ୍କ ଆଗରେ ପ୍ରଚଣ୍ଡ ପ୍ରହେଳିକା । ୧୯୩୪ରେ ଜଣେ ଭଦ୍ରଲୋକ ହ୍ରଦକୂଳରେ ବୁଲୁଥିବାବେଳେ ହଠାତ୍ ଏ ଦାନବ ପାଣି ଭିତରୁ ମୁଣ୍ଡ ତୋଳିଥିଲା । ଚମତ୍କୃତ ଭଦ୍ରଲୋକ ସଙ୍ଗେ ସଙ୍ଗେ ଫଟୋ ଉଠାଇଥିଲେ । ବିଶ୍ଵବ୍ୟାପୀ ହୁଲସ୍ତୁଲ ପକାଇଥିଲା ସେ ଫଟୋ । ତା’ପରେ ଆହୁରି କେତେ ଥର କେତେ ଲୋକ ଏ ଦାନବର ଆଂଶିକ ଫଟୋ ଉଠାଇଛନ୍ତି ।

 

(ପ୍ରାଗୈତିକ କାଳର ଦାନବାକୃତି ଜୀବମାନଙ୍କ ଭିତରୁ ଅନେକ ହୁଏତ ଏବେ ବି ଅଛନ୍ତି-। ୧୯୩୮ ମସିହାରେ ଦକ୍ଷିଣ ଆଫ୍ରିକା ନିକଟବର୍ତ୍ତୀ ସମୁଦ୍ରରେ ଏଭଳି ଏକ ମତ୍ସ୍ୟଜାତୀୟ ଜୀବ ଧରାହୋଇଥିଲା, ଯାହାକି ସାତଲକ୍ଷ ବର୍ଷ ତଳୁ ନିଶ୍ଚିହ୍ନ ହେଲାଣି ବୋଲି ବୈଜ୍ଞାନିକମାନେ ଭାବିଥିଲେ ।)

 

ତେବେ ଲଚନେସ୍ ଯିବାପାଇଁ ସମୟ ନ ଥିଲା । ନନ୍ଦୀ ମହୋଦୟଙ୍କ ସହ ରାତିରେ ସହର ପ୍ରାନ୍ତର ପର୍ବତୋପରି ଅବ୍‌ଜାର୍‌ଭେଟରୀ ଉପରକୁ ଯାଇ ଆଲୋକିତ ଏଡିନ୍‌ବରାର ଦୃଶ୍ୟ ଉପଭୋଗ କଲି । ନନ୍ଦୀ ସେଇଠି ରହିଗଲେ । ତାହା ତାଙ୍କ ନୈଶ କାର୍ଯ୍ୟସ୍ଥଳୀ । ପର୍ବତ ଗାତ୍ରରେ ଅଧା ଆଲୁଅ ଅଧା ଅନ୍ଧାରରେ ସୁକୁମାର ଉଦ୍ୟାନବଳୟିତ ବାଂଲୋମାନଙ୍କ କଡ଼େ କଡ଼େ ଏକୁଟିଆ ଅବତରଣକରି ଗୋଟିଏ ବସ ଧରି ପାନ୍ଥଶାଳାକୁ ଫେରିଲି । ପରଦିନ ପ୍ରଭାତରେ ଏଡିନ୍‌ବରାରୁ ବିଦାୟ ।

Image

 

ପରିଚ୍ଛେଦ : ପନ୍ଦର

ଅସ୍ତମିତ ସୂର୍ଯ୍ୟ : ସ୍ତିମିତ ଗୋଧୂଳି

 

ମିଶରର ଶେଷ ରାଜା ଫାରୁକ୍ କହିଥିଲେ, ଏ ଶତାବ୍ଦୀ ଶେଷ ହେବା ବେଳକୁ ଭୂପୃଷ୍ଠରେ ମାତ୍ର ପାଞ୍ଚଜଣ ରାଜା ତିଷ୍ଠି ରହିଥିବେ : ଜଣେ ହେଲେ ଇଂଲଣ୍ଡର ରାଜା, ବାକି ଚାରିଜଣ ହେଲେ ତାସ୍ ପ୍ୟାକେଟସ୍ଥ ନାଲିପାନ, କାଳିପାନ, ଚିଡ଼ିଆ ଓ ଠିକ୍‌ରିର ରାଜନ୍ୟମଣ୍ଡଳୀ ! (ଫାରୁକ୍ ସ୍ଵୟଂ ବିତାଡ଼ିତ ହେବା ପୂର୍ବରୁ ବା ପରେ ଏକଥା କହିଥିଲେ ଜାଣେନା ।)

 

କିନ୍ତୁ ଇଂଲଣ୍ଡର ଖୋଦ୍ ରାଜାରାଣୀମାନେ ବେଶ୍ କେତେ ପୁରୁଷ ହେବ ନିଜର ସ୍ଥିତି ସମ୍ପର୍କରେ ସନ୍ଦିହାନ ହୋଇଆସିଛନ୍ତି । ଲର୍ଡ ହାଲଡେନଙ୍କ ଆତ୍ମକଥାରେ ଅଛି, ଦିନେ ସେ ରାଜା ସପ୍ତମ ଏଡୁଆର୍ଡଙ୍କ ସହ ଦେଖା କରିବାକୁ ଯିବାବେଳକୁ ସେଠାରେ ତତ୍କାଳୀନ ଯୁବରାଜ-ପରବର୍ତ୍ତୀ କାଳର ପଞ୍ଚମ ଜର୍ଜ—ବସିଛନ୍ତି । ରାଜା ହାଲଡେନ୍‌ଙ୍କୁ ଏହିପରି ଭାବରେ ଯୁବରାଜଙ୍କ ସହ ଚିହ୍ନା କରାଇ ଦେଲେ, “ଆସନ୍ତୁ, ଆପଣଙ୍କୁ ଇଂଲଣ୍ଡର ଶେଷ ରାଜାଙ୍କ ସହ ପରିଚିତ କରାଇଦିଏ !”

 

କିନ୍ତୁ ପଞ୍ଚମ ଜର୍ଜଙ୍କ ପରେ ଅଷ୍ଟମ ଏଡୁଆର୍ଡ, ତତ୍ପରେ ଷଷ୍ଠ ଜର୍ଜ ଓ ତସ୍ୟ କନ୍ୟା ଦ୍ଵିତୀୟ ଏଲିଜାବେଥ୍ ଯଥାବିଧି ସିଂହାସନାରୋହଣ କରିଛନ୍ତି ଓ ରାଜୁତି ଚାଲୁଛି । ଫାରୁକ୍‌ଙ୍କ ଭବିଷ୍ୟତବାଣୀ ହିଁ ହୁଏତ ସତ୍ୟ ହେବ !

 

ଇଂଲଣ୍ଡ ଛାଡ଼ିବା ସମୟ ପାଖ ହୋଇଆସୁଥିଲା । ବକିଂହାମ୍ ରାଜପ୍ରାସାଦ ପାଖଦେଇ କେତେ ଥର ଯିବା ଆସିବା କରିଛି । କିନ୍ତୁ ସେଦିନ ଟିକିଏ ସମୟ ପାଇଥିଲି ପ୍ରାସାଦ ସମ୍ମୁଖର ମହାରାଣୀ ଭିକ୍‌ଟୋରିଆଙ୍କ ବିଶାଳ ମାର୍ବଲ୍ ପ୍ରତିମୂର୍ତ୍ତି ଚତୁର୍ଦିଗସ୍ଥ ବୃକ୍ଷଲତାଶୋଭିତ ବ୍ୟାପକ ଆୟତନ ଭିତରେ ପଦଚାରଣା କରିବା ନିମନ୍ତେ ।

 

ଏ ବିଶାଳ ପ୍ରାସାଦ ଅବଶ୍ୟ ବ୍ରିଟିଶ୍ ରାଜପରିବାରଙ୍କର କୌଳିକ ଆବାସ ନୁହେଁ । ଜଣେ ସ୍ଥାନୀୟ ସାମନ୍ତଙ୍କ ନିର୍ମିତ ଏ ଅଟ୍ଟାଳିକାକୁ ରାଣୀ ଭିକ୍ଟୋରିଆଙ୍କ ସମୟରୁ ହିଁ ରାଜନିବାସରେ ପରିଣତ କରାଯାଇଛି । ତଥାପି ଏ ପ୍ରାସାଦ ହି ବର୍ତ୍ତମାନ ବ୍ରିଟିଶ୍ ରାଜତନ୍ତ୍ରର ପ୍ରତୀକ ।

 

ବିଚିତ୍ର ଅନୁଷ୍ଠାନ ଏ ବ୍ରିଟିଶ୍ ରାଜତନ୍ତ୍ର ! ପୃଥିବୀର ସବୁଠୁଁ ସଫଳ ଗଣତନ୍ତ୍ର ବୋଧହୁଏ ବ୍ରିଟେନ୍, ଅଥଚ ବ୍ରିଟେନ୍ ହିଁ ଏକମାତ୍ର ଦେଶ ଯେଉଁଠାରେ ରାଜପଦ ସବୁଠୁଁ ନିରାପଦରେ ତିଷ୍ଠି ରହିପାରିଛି । ଅବଶ୍ୟ ଏ ଅପୂର୍ବ ଓ ଅନନ୍ୟସମନ୍ୱୟ ଯେ ବିନା ସଂଘର୍ଷରେ ଉତୁରିଛି, ତାହା ନୁହେଁ-। ସେ ସଂଘର୍ଷର ଇତିହାସ ଅନ୍ତତଃ ତିନି ଶତାବ୍ଦୀ ପଛକୁ ବ୍ୟାପ୍ତ । ସେ ଇତିହାସର ସବୁଠୁଁ ଦୁର୍ଭାଗ୍ୟମୟ ଅଧ୍ୟାୟ କଥା ସ୍ମରଣ କଲେ ଆଜି ବି ଚିନ୍ତାଶୀଳ ଇଂରେଜମାନେ ଶିହରିଉଠନ୍ତି-

 

ସପ୍ତଦଶ ଶତକର କଥା । ଧର୍ମମୂଳକ ଅନ୍ଧାରି ଉତ୍ତେଜନା, ସ୍ଵାର୍ଥଗତ ଉଦ୍ଦାମ ଉଚ୍ଚାଭିଳାଷ ଓ ସାମରିକ ସାମର୍ଥ୍ୟର ସମାହାରରେ ଦେଖାଦେଇଥିଲା ଏକ ଆସୁରିକ ବ୍ୟକ୍ତିତ୍ଵ—କ୍ରମୱେଲ୍ । ଦେଶ ଭିତରେ ଗୃହଯୁଦ୍ଧ ଓ ବିଦ୍ରୋହ ବେଳେ ସୀମାନ୍ତରେ ପଡ଼ୋଶୀ ରାଜ୍ୟମାନଙ୍କର ଆକ୍ରମଣକୁ ପ୍ରତିହତ କରି ଏକ ପକ୍ଷରେ ସେ ବନିଥିଲେ ସେନାପତି; ପକ୍ଷାନ୍ତରେ ପାର୍ଲିଆମେଣ୍ଟ ଭିତରେ ବନିଥିଲେ ରାଜନୈତିକ ନେତା । ରାଜା ପ୍ରଥମ ଚାର୍ଲସ ରାଜକୀୟ କ୍ଷମତାର କିୟଦଂଶ ବି ବିସର୍ଜନ ଦେବାକୁ ନାରାଜ । କ୍ରମୱ୍ୱେଲ୍ ସ୍ଵଦେଶୀ ମାର୍କା ଧର୍ମ ନାମରେ ଓ ପାର୍ଲିଆମେଣ୍ଟର ଦ୍ଵାହି ଦେଇ ଯେତେଦୂର ସମ୍ଭବ ରାଜକ୍ଷମତା ଅପହରଣ କରିବାକୁ ବଦ୍ଧପରିକର । ଦେଶବ୍ୟାପୀ କନ୍ଦଳ ଓ ବିଭ୍ରାଟର ପଟ୍ଟଭୂମିରେ ହୁଏତ କ୍ରମୱେଲ୍‌ ଓ ତାଙ୍କ ସାମରିକ ସହକାରୀ ଦଳ ସପକ୍ଷରେ କିଛି ଅସ୍ପଷ୍ଟ ଜନସମର୍ଥନ ସୃଷ୍ଟି ହୋଇଥିଲା । କିନ୍ତୁ ଯେତେବେଳେ କ୍ରମ୍ୱେଲ୍‌ଙ୍କ ନେତୃତ୍ଵରେ ପାର୍ଲିଆମେଣ୍ଟର ଏକ ତଥାକଥିତ ବିଚାରାଳୟ ରାଜାଙ୍କର ପ୍ରାଣଦଣ୍ଡ ପାଇଁ ସିଦ୍ଧାନ୍ତ ଗ୍ରହଣ କଲା, ସେତେବେଳକୁ ସଂଘର୍ଷର ରୂପ ଆଉ ରାଜଶକ୍ତି ବନାମ ପ୍ରଜାଶକ୍ତି ହୋଇ ରହିନଥିଲା, ତାହା ପରିଣତ ହୋଇଥିଲା ରାଜଶକ୍ତି ସହିତ ସଦ୍ୟ ଉତ୍‌ଥିତ ଏକ ଭୟାବହ ଏକନାୟକତ୍ଵ ଭିତରର ସଂଘର୍ଷରେ ।

 

ଚର୍ଚ୍ଚିଲ ତାଙ୍କର ଅନବଦ୍ୟ ଇତିହାସ (A History of the English–speaking peoples. Vol. II)ରେ ଲେଖୁଛନ୍ତି (ଅନୁବାଦ ନୁହେଁ, ସଂକ୍ଷିପ୍ତସାର); ଭିକ୍‍ଟୋରିଆ ଯୁଗର ଲେଖକମାନେ ଯେପରି କ୍ରମୱେଲ୍‌ଙ୍କ ବିଜୟକୁ ରାଜାଙ୍କ ‘ଦେବଦତ୍ତ ଅଧିକାର’ ଉପରେ ଗଣତନ୍ତ୍ର ତଥା ପାର୍ଲିଆମେଣ୍ଟ ପ୍ରଥାର ବିଜୟ ବୋଲି ଅଭିହିତ କରିଯାଇଛନ୍ତି, ଆମେ ସେଥିରେ ପ୍ରଭାବିତ ହେବା ଭୁଲ୍‌ ହେବ । ପ୍ରକୃତ ପକ୍ଷରେ ତାହା ଥିଲା ସମଗ୍ର ଇଂଲଣ୍ଡର ପରମ୍ପରାଗତ ଇଚ୍ଛା ଉପରେ କୋଡ଼ିଏଟି ହଜାର ସଂଘବଦ୍ଧ, ନିର୍ମମ, ମତାଦ୍ଧ (Fanatic) ସାମରିକ ଲୋକଙ୍କ ବିଜୟ ।.....

 

ଦିନକର ଝଂଜାକ୍ରାନ୍ତ ସନ୍ଧ୍ୟାରେ—ସେତେବେଳେ ମୂଷଳ ଧାରାରେ ବର୍ଷା ପିଟୁଥାଏ । ରାଜା ଚାର୍ଲସ୍ ଯେଉଁ ଛୋଟିଆ ଦ୍ଵୀପରେ ଆଶ୍ରୟ ନେଇଥିଲେ ତା’ଉପକୂଳରେ କେତୋଟି ନୌକାରୁ କ୍ରମୱେଲ୍‌ଙ୍କ କେତେ ଦଳ ସୈନ୍ୟ ଅବତରଣ କରିବାର ଦେଖାଗଲା । ରାଜାଙ୍କ ହିତାକାଂକ୍ଷୀମାନେ ତାଙ୍କୁ ତତ୍‌କ୍ଷଣାତ୍ ପଳାଇବା ପାଇଁ ପରାମର୍ଶ ଦେଲେ । ରାଜା ସେ ସୁଯୋଗ ଗ୍ରହଣ କଲେ ନାହିଁ; କିନ୍ତୁ ତାହାହିଁ ଥିଲା ଶେଷ ସୁଯୋଗ । ତାଙ୍କୁ ମୂଳ ଭୂଖଣ୍ଡକୁ ଆଣି ଗୋଟାଏ ଦୁର୍ଗ ଭିତରେ ବନ୍ଦୀ କରାଗଲା । ତାଙ୍କ ବୋଲହାକ ପାଇଁ ଜଣେ ପରିଚାରକ ବି ଯୋଗାଇ ଦିଆଗଲା ନାହିଁ । କୋଠରିରେ ମହମବତିଟିଏ ବି ନଥିଲା ।

 

ସେ ଅନ୍ଧକାର କିନ୍ତୁ ଚାର୍ଲସ୍‌ଙ୍କ ମାନସିକ ଦୀପ୍ତିକୁ ମ୍ଳାନ କରିପାରି ନଥିଲା । କିଛି ଦିନ ପରେ କ୍ରମୱେଲ୍‌ଙ୍କର ଜଣେ ସହକାରୀ ଆସି ତାଙ୍କୁ ସେଠାରୁ ଅନ୍ୟ ଏକ ଦୁର୍ଗ ଅଭିମୁଖେ ନେଇଚାଲିଲେ । ରାଜା ବାଟରେ ତାଙ୍କୁ ପଚାରିଲେ, “ତମେ ମୋତେ ମାରିବାକୁ ନେଉଛ ପରା !”କର୍ମଚାରୀ କହିଲେ, “ନା ସାର୍, ଆଇନ୍‌ ତ ପୁଣି ରହିଛି !” ରାଜା ସେ ରାତିରେ ଶାନ୍ତିରେ ନିଦ୍ରାଗଲେ, କାରଣ ସେମାନେ ଯଦି ଆଇନ୍‌ ପ୍ରତି ଏତେ ଶ୍ରଦ୍ଧାଶୀଳ, ତେବେ ଭୟର କାରଣ ନାହିଁ; ତାଙ୍କୁ ସେମାନେ କଦାପି ହତ୍ୟା କରିବେ ନାହିଁ । କିଏ ନଜାଣେ ଯେ ରାଜା ଆଇନକାନୁନ୍‌ର ଉର୍ଦ୍ଧ୍ଵରେ !

 

ବିଚାରର ଯଥାବିଧି ପ୍ରହସନ ହେଲା । ରାଜା ଦୋଷୀ ସାବ୍ୟସ୍ତ ହେଲେ । ସମବେତ ଜନତା ଦୀର୍ଘଶ୍ଵାସ ଛାଡ଼ି “God save the King” ବୋଲି ଧ୍ୱନି ଦେଲେ । କ୍ରମୱ୍ୱେଲ୍‌ଙ୍କ ସାମରିକ ସହକାରୀମାନେ ଚିତ୍କାର କରୁଥାନ୍ତି, “ନ୍ୟାୟ ଚାହି; ଚାହି ପ୍ରାଣଦଣ୍ଡ !”

 

ରାଜାଙ୍କୁ ବଧଭୂମିକୁ ନିଆଗଲା । ତାଙ୍କୁ ଚୁପ୍ ଚାପ୍ ମରାଯାଇଥାନ୍ତା; କିନ୍ତୁ ଆପାତତଃ ନିଜର ହିଂସ୍ର ଅନୁଗାମୀମାନଙ୍କୁ ଯୋଗାଇ ଦେଲା ଭଳି ଅନ୍ୟ କିଛି ଉତ୍ତେଜନାର ଖୋରାକ କ୍ରମୱ୍ୱେଲ୍‌ଙ୍କଠି ନଥିଲା । ଅତଏବ ସେ ରାଜ-ବଧ ବ୍ୟାପାରକୁ ଗୋଟିଏ ନାଟକୀୟ ଉତ୍ସବରେ ପରିଣତ କରିବାକୁ ଚେଷ୍ଟାକଲେ । କିନ୍ତୁ ରାଜାଙ୍କ ମୁହଁର ବ୍ୟଙ୍ଗାତ୍ମକ ସ୍ମିତହସ ଓ ସଂପୂର୍ଣ୍ଣ ବେପରୁଆ ଭାବ ସେମାନଙ୍କ ଉତ୍ସାହକୁ ମ୍ଳାନ କରିଦେଲା । ରାଜାଙ୍କ ଅନ୍ତିମ ବାଣୀ ହେଲା ଯେ, ସେ ଯଦି ନିଜ କ୍ଷମତାର ଯଥେଚ୍ଛା ବ୍ୟବହାର କରିଥାନ୍ତେ, ତେବେ ଆଜି ତାଙ୍କୁ ଏ ଦଶା ଭୋଗିବାକୁ ପଡ଼ିନଥାନ୍ତା । ସେ ସହୀଦ୍‌ ହେବାକୁ ଯାଉଛନ୍ତି; କିନ୍ତୁ ସାରା ପୃଥିବୀକୁ ସେ କ୍ଷମା କରିଛନ୍ତି ।

 

ନିଜ ମୁଣ୍ଡକାଟର ବ୍ୟବସ୍ଥା କରିବା ଦିଗରେ ସେ ଘାତକ ସହ ସହଯୋଗ କଲେ । ଯଥା ସମୟରେ ମୁଣ୍ଡ ଦେହଚ୍ୟୁତ ହେଲା ଓ ତାକୁ ଦର୍ଶକମଣ୍ଡଳୀ ଆଗରେ ତୋଳିଧରାହେଲା । ଜନସମୁଦ୍ର ଭିତରୁ ଉଦ୍‌ଗତ ହେଲା ଗୋଟିଏ ଅବଦମିତ ଆର୍ତ୍ତନାଦ—ହେ ଭଗବାନ ! “ସେଭଳି ଆର୍ତ୍ତନାଦ ମୁଁ ଜୀବନରେ ଶୁଣିନାହିଁ କି ଶୁଣିବାକୁ ଚାହେଁନା”, ଜଣେ ଦର୍ଶକ ତାଙ୍କ ଡାଏରୀରେ ଲେଖି ଯାଇଛନ୍ତି ।

 

ସେଦିନରେ ସେ ଆର୍ତ୍ତନାଦ ବେଶି କାଳ ଅବଦମିତ ହୋଇ ରହିନଥିଲା । ବର୍ଷ କେତୋଟି ପରର କଥା । ନିହତ ପ୍ରଥମ ଚାର୍ଲସ୍‌ଙ୍କ ନିର୍ବାସିତ ପୁତ୍ର ଦ୍ୱିତୀୟ ଚାର୍ଲସ୍‌ ସ୍ଵଦେଶକୁ ବାହୁଡ଼ି ଆସୁଛନ୍ତି । ସୈନ୍ୟ, ସେନାପତି, ପାର୍ଲିଆମେଣ୍ଟ ସଭ୍ୟବୃନ୍ଦ, ପାଦ୍ରିଦଳ ଓ ସୀମାହୀନ ଜନତା ଭକ୍ତିଗଦ୍‍ଗଦ୍ କଣ୍ଠରେ ତାଙ୍କୁ ଅଭିବାଦନ କରି ପାଛୋଟି ଆଣୁଛନ୍ତି । ପରବର୍ତ୍ତୀ ପଦକ୍ଷେପ ? ପ୍ରତିହିଂସାର ବିକଟ ରଡ଼ିରେ ଉତ୍ସାହିତ ହେଲା ସେଦିନର ସେ ଅବଦମିତ ଅସହାୟ ଆର୍ତ୍ତନାଦ । ପୂର୍ବତନ ରାଜାଙ୍କ ହତ୍ୟାକାରୀମାନେ, ବିଶ୍ଵାସଘାତକମାନେ ନିପାତ ହେବା ଚାହି !

 

ଯେଉଁମାନେ ପ୍ରଥମ ଚାର୍ଲସଙ୍କର ପ୍ରାଣଦଣ୍ଡାଦେଶରେ ସନ୍ତକ ଦେଇଥିଲେ, ସେମାନଙ୍କ ଭିତରୁ ଥୋକେ ମରିସାରିଥିଲେ । ଆଉ ଥୋକେ ରାଜନୈତିକ ଆବହାୱାର ଗତି ବାରି ଶନୈଃ ଶନୈଃ ବିଦେଶକୁ ପଳାୟନ କରିଥିଲେ । ଉଦ୍‌ବୃତ୍ତ ବ୍ୟକ୍ତିମାନେ ଧରାହେଲେ । ସ୍ଵୟଂ ଦ୍ୱିତୀୟ ଚାର୍ଲସ୍ ପିତାଙ୍କ ଘାତକମାନଙ୍କ ପ୍ରତି କ୍ଷମାଚରଣର ପକ୍ଷପାତୀ ଥିଲେ । କିନ୍ତୁ ସେତେବେଳର ଅତ୍ୟଧିକ ରାଜଭକ୍ତ ପାର୍ଲିଆମେଣ୍ଟ ରାଜାଙ୍କ ଦରଦକୁ ନିହାତି ଭଦ୍ରତା ମନେକରି ତାହା ଉପରେ ବିଶେଷ ଗୁରୁତ୍ଵ ଦେଲାନାହିଁ । ପ୍ରଥମ ଚାର୍ଲସ୍‌ଙ୍କର ପ୍ରବୀଣ ବିଚାରକ ମଣ୍ଡଳୀରୁ ଜଣ ଜଣ ନିଜ ନିଜ ମୁଣ୍ଡଟିମାନ ହରାଇଲେ । ଉଲ୍ଲସିତ ହେଲା ଜନତା ।

 

ପ୍ରତିହିଂସାର ଅଶରୀରୀ ଦେବତା ସେତିକିରେ ସନ୍ତୁଷ୍ଟ ହେଲା ନାହିଁ । ୱେଷ୍ଟମିନ୍‌ଷ୍ଟର୍ ଆଦି ଭିତରୁ କେତେ ବର୍ଷ ତଳେ ରାଜକୀୟ ଥାଟରେ ସମାଧିସ୍ଥ ହୋଇଥିବା କ୍ରମୱେଲ୍‌ ଓ ତାଙ୍କ ସହକର୍ମୀମାନଙ୍କ କଫିନ୍ ତାଡ଼ି ବାହାର କରାଗଲା । ତା’ପରେ ଶବଗୁଡ଼ିକର ମୁଣ୍ଡକାଟ ହୋଇ ଛିନ୍ନ ମୁଣ୍ଡମାନ ନଗରୀର ଲୋକାରଣ୍ୟ ସ୍ଥାନମାନଙ୍କରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ ଝୁଲାଇ ରଖାଗଲା ଓ ତା’ପରେ ସେସବୁ ସବୁଠୁ ଘୃଣ୍ୟ ସ୍ଥାନ ବାଛି ସେଠାରେ ବିସର୍ଜନ ଦିଆଗଲା ।

 

ରାଜପରିବାର ପ୍ରତି ଜନସାଧାରଣଙ୍କ ମନୋଭାବ ବିଚିତ୍ର ଓ ବିଜଡ଼ିତ (Complex)-। ଆକର୍ଷଣ ସହ ମିଶିରହିଛି ବିଦ୍ରୋହ । କିଛି ଦିନ ତଳେ ଯେଉଁ ଲୋକଟି ରାଜକୁମାରୀ ଆନ୍‌ଙ୍କୁ ବକିଂହାମ୍ ପ୍ରସାଦ ଆଗରୁ ହରଣଚାଳ କରି ନେବାକୁ ଉଦ୍ୟମ କରୁଥିଲା, ସେ ଯେ କେବଳ ଗୋଟାଏ ବିପୁଳ ଅଙ୍କର ଖେସାରତ୍ ଆଦାୟ କରିବା ପାଇଁ ସେ ପଦକ୍ଷେପ ନେଇଥିଲା, ସେକଥା ବିଶ୍ଵାସଯୋଗ୍ୟ ମନେହୁଏନା । ସେତିକି ହୋଇଥିଲେ ସେ ଆଉ କୌଣସି କୋଟିପତିର ପିଲାପିଲିଙ୍କୁ ଅପେକ୍ଷାକୃତ ସହଜରେ ହରଣଚାଳ କରି ନେଇଯାଇ ପାରିଥାନ୍ତା । ତା’ର ସେ ଅସଫଳ ଉଦ୍ୟମ ପଛରେ ସେହି ଆକର୍ଷଣ-ବିଦ୍ରୋହର ପ୍ରଚ୍ଛନ୍ନ ବିକଳ ପ୍ରେରଣା ଥିଲା ବୋଲି ମନେହୁଏ ।

 

ସେ ଯାହାହେଉ, ମହାକାଳର ରହିଛି ଏକ ନିଜସ୍ଵ ଗତିଧାରା । ସେହି ଅପ୍ରତିରୋଧ୍ୟ ଧାରାରେ ରାଜତନ୍ତ୍ରର ସୂର୍ଯ୍ୟ ଆଜି ଅସ୍ତମିତ । ଯାହା ରହିଛି, ତାହା ଏକ ପ୍ରଲମ୍ବିତ ଗୋଧୂଳି ମାତ୍ର । ମନେହୁଏ ଜନ ସାଧାରଣଙ୍କ ଅପେକ୍ଷା ବ୍ରିଟିଶ ରାଜପରିବାର ଏ ବିଷୟରେ ଅଧିକ ସଚେତନ ।

 

ରାଜା ପଞ୍ଚମ ଜର୍ଜ କହିଥିଲେ, “ରାଜା ହୋଇଲେ ଗୋଟିଏ ନିହାତି । ସାଧାରଣ ଲୋକ–ଯାହାକୁ ନିହାତି ଅସାଧାରଣ ପରିବେଶରେ ରହିବାକୁ ପଡ଼େ ।” ହୁଏତ ଯେତେବେଳେ ରାଜତନ୍ତ୍ରର ଅନସ୍ଵୀକାର୍ଯ୍ୟ ଐତିହାସିକ ଭୂମିକା ଥିଲା, ସେତେବେଳେ ସବୁ ରାଜା ‘ନିହାତି ସାଧାରଣ ଲୋକ’ ନଥିଲେ । ହୁଏତ ଏକ ଏକ ବୃହତ୍ ଚେତନା ରାଜାଶ୍ରୟୀ ହୋଇ ମାନବକୁଳର ଭାଗ୍ୟ ନିୟନ୍ତ୍ରଣ କରୁଥିଲା । ତେବେ ଆଜି ଯେ ରାଜା ପ୍ରତି ପଞ୍ଚମ ଜର୍ଜଙ୍କ ସଂଜ୍ଞା ହିଁ ପ୍ରଯୁଜ୍ୟ, ସେଥିରେ ସନ୍ଦେହ ନାହିଁ । ନହେଲେ କି ରାଜପରିବାରର ଜଣେ ବିଶିଷ୍ଟ ବ୍ୟକ୍ତି, ଭାରତର ଭୂତ ବଡ଼ଲାଟ ଲର୍ଡ଼ ମାଉଣ୍ଟବ୍ୟାଟେନ ଓ ତାଙ୍କ ପୁଅଙ୍କୁ ଦୁଧରେ ପାଣି ମିଶାଇ ବିକ୍ରି କରିଥିବା ଅଭିଯୋଗରେ (୧୯୭୨ରେ) କୋଡ଼ିଏ ପାଉଣ୍ଡ ଲେଖାଏଁ ଜୋରିମାନା ଦେବାକୁ ପଡ଼ିଥାନ୍ତା ? (ଅବଶ୍ୟ ଦୁଷ୍କର୍ମଟି ତାଙ୍କ ଫାର୍ମର କର୍ମଚାରୀମାନେ କରିଥିଲେ !)

 

ବିଶାଳ ପ୍ରାସାଦ ଉପରେ ସନ୍ଧ୍ୟା ଘୋଟିଆସୁଥିଲା । ମଳିନ ଦେଖାଯାଉଥିଲା ରାଣୀ ଭିକ୍ଟୋରିଆ ଚହଟ ପ୍ରତିମୂର୍ତ୍ତି । ଇଂଲଣ୍ଡ ତଥା ସାମାଜ୍ୟର ସିଂହାସନରେ ଥିଲେ ଏକ ସ୍ତିମିତ ଗୋଧୂଳିର ଶେଷ ଉଦ୍‌ଭାସନ ।

Image

 

ପରିଚ୍ଛେଦ : ଷୋହଳ

ପଦଚିହ୍ନର ସନ୍ଧାନରେ

 

ଅବଶେଷରେ ପ୍ୟାରିସ୍—ସ୍ୱପ୍ନର ପ୍ୟାରିସ୍ !

 

ବାକ୍ୟଟି ସ୍ଵତଃସ୍ଫୁର୍ତ୍ତ—ଯଦିଓ ମୋତେ ବି ଖୁବ୍ ଗତାନୁଗତିକ ସେଣ୍ଟିମେଣ୍ଟାଲ ଓ ଭାବାକୁଳ ଶୁଭୁଛି । ବହୁ ମାନସରେ ପ୍ୟାରିସ୍ ଯେ ବହୁ ଜାତୀୟ ମଧୁର କଳ୍ପନା ଓ ରୋମାଞ୍ଚକର ସ୍ଵପ୍ନର ପ୍ରତୀକ, ଏଥିରେ ସନ୍ଦେହ ନାହିଁ । ସାଧାରଣ ପର୍ଯ୍ୟଟକ ପାଇଁ ପ୍ୟାରିସ୍ ସୁନ୍ଦର, ସମୃଦ୍ଧ ଓ ଅନନ୍ୟ ମହାନଗରୀ । ଧନିକ ଓ ଅଭିଜାତବର୍ଗ ପାଇଁ ବିଳାସବ୍ୟସନର ଲୀଳାଭୂମି । (ଜଣେ ଧନିକ ପ୍ୟାରିସ୍‌ରୁ ଫେରିବା ପରେ ତାଙ୍କ ବନ୍ଧୁ ପଚାରିଲେ, “କିମିତି ଲାଗିଲା ?”ଧନିକ ଉତ୍ତର ଦେଲେ, “ଚମତ୍କାର ! କିନ୍ତୁ ପଚିଶ ବର୍ଷ ଆଗରୁ ପ୍ୟାରିସ୍ ଦେଖିଥାନ୍ତି ହେଲେ !” ବନ୍ଧୁ ପୁଣି ପଚାରିଲେ, “ଅର୍ଥାତ୍ ଯେତେବେଳେ ପ୍ୟାରିସ୍ ଅସଲ ପ୍ୟାରିସ୍ ଥିଲା , ନା କ’ଣ ?” ଧନିକ ଉତ୍ତର ଦେଲେ, “ନା, ଯେତେବେଳେ ଅସଲ୍ ମୁଁ ଥିଲି !”) ଚିନ୍ତାଶୀଳ ପାଇଁ ସମସ୍ତ ସାମାଜିକ ଓ ଆର୍ଥନୀତିକ ଯୁଗାନ୍ତରର ଅୟମାରମ୍ଭ ଯେଉଁ ଫରାସୀବିପ୍ଳବ, ପ୍ୟାରିସ୍ ତାହାରି ପଟ୍ଟଭୂମି । ରୁଚିବନ୍ତମାନଙ୍କ ପାଇଁ ଅନେକ ସାହିତ୍ୟ-ସ୍ରଷ୍ଟା ଓ କଳାକାରମାନଙ୍କର ସୃଷ୍ଟି କ୍ଷେତ୍ର ପ୍ୟାରିସ୍ ଏକ ସ୍ମୃତିତୀର୍ଥ ।

 

ତେବେ ମୋ କ୍ଷେତ୍ରରେ ପ୍ୟାରିସ୍ ଯେଉଁ ବିଶେଷ ଆକର୍ଷଣ ଥିଲା, ତାହାର ହେତୁ ମାତ୍ର ଦୁଇଟି : ପ୍ୟାରିସ୍ ହେଲା ଶ୍ରୀମାଙ୍କ ଜନ୍ମସ୍ଥାନ ଏବଂ ଦ୍ୱିତୀୟରେ ମୋନାଲିସାର ଘର ।

 

ଲଣ୍ଡନ ଛାଡ଼ିବାର କିଛି ଦିନ ପୂର୍ବରୁ ସେଠାରେ ପୂର୍ବପରିଚିତ ଜଣେ ଫରାସୀ ଭଦ୍ରଲୋକ ଆଲ୍‌ବୋଆର୍‌ଙ୍କ ସହ ଦେଖା ହୋଇଥିଲା । ମୁଁ ତାଙ୍କୁ ମୋର ପ୍ୟାରିସରେ ପହଞ୍ଚିବାର ତାରିଖ ଜଣାଇଥିଲି । ବନ୍ଧୁ ଡିକ୍ ବେଟ୍‌ଷ୍ଟୋନ୍ ତାଙ୍କର ଜଣେ ଫରାସୀ ବନ୍ଧୁ ଫ୍ରାଁସୋଆ ସାନ୍‌ଙ୍କୁ ଚିଠି ଲେଖିଥିଲେ ମୋ ପାଇଁ କୌଣସି ହୋଟେଲରେ କୋଠରିଟିଏ ରିଜର୍ଭକରିବା ପାଇଁ । ତେବେ ନଗରୀଠୁଁ ଦୂରବର୍ତ୍ତୀ ବିମାନବନ୍ଦର ପର୍ଯ୍ୟନ୍ତ କେହି ଆସିବେ ବୋଲି ମୁଁ ଆଶା କରିନଥିଲି । ହଠାତ୍ ତେଣୁ ଆଲ୍‌ବୋଆର୍‌ଙ୍କୁ ଦେଖି ପୁଲକିତ ଓ ଆଶ୍ୱସ୍ତ ହେଲି । ତାଙ୍କ ସହ ଆସିଥିଲେ ଜଣେ ଅପରିଚିତ ତରୁଣ । ନାମ—ଜାକ୍‌ସ । ଜାକ୍‍ସଙ୍କର ଏକ କଚ୍ଛପାକୃତି ଛୋଟିଆ ସୁପ୍ରାଚୀନ ଗାଡ଼ି ଆରୋହଣ କରି ଆମେ ପ୍ରବେଶ କଲୁ ମହାନଗରୀ ଭିତରେ ।

 

ସେମାନେ ମୋତେ ଆଣି ଛାଡ଼ିଲେ ଫ୍ରାଁସୋଆସାନ୍‌ଙ୍କ ଦ୍ଵାରା ବ୍ୟବସ୍ଥିତ ହୋଟେଲରେ-। ତା’ପରେ ଲଣ୍ଡନରେ ଦେଖା ହୋଇଥିବା ଏକ ଦମ୍ପତିଙ୍କୁ ଭେଟିବାକୁ ଗଲି । ଭଦ୍ରଲୋକ ନଥିଲେ, ଭଦ୍ରମହିଳା ମୋତେ ନେଇ ଗୋଟାଏ କ୍ୟାଣ୍ଟିନ୍‌ରେ ଖୁଆଇ ଦେଲେ । ତା’ପରେ ତାଙ୍କର ଛୁଟି-। ସମସ୍ତେ ବ୍ୟସ୍ତ ।

 

ସାରା ଅପରାହ୍‌ଣ ଓ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ଭେଟିଲି ଓ ଏକାହିଁ କଥା ଜିଜ୍ଞାସା କଲି: କୌଣସି ଏକ କୋଠାଘରେ ଏକଦା ଶ୍ରୀମା ରହୁଥିଲେ; ତତ୍‌ସମ୍ମୁଖବର୍ତ୍ତୀ ଉଦ୍ୟାନରେ ବିଚରଣ କରୁଥିଲେ ଓ ସେତିକିବେଳେ ରଚନା କରିଥିଲେ ତାଙ୍କର ଅନବଦ୍ୟ ‘ଧ୍ୟାନ ଓ ପ୍ରାର୍ଥନା ।’ ସେ ରଚନାର ଆଧ୍ୟାତ୍ମିକ ଐଶ୍ଵର୍ଯ୍ୟ କଥା ଛାଡ଼ିଦେଲେ ବି ଫରାସୀ ଭାଷାରେ ସୁପଣ୍ଡିତ ଲୋକେ କହନ୍ତି, ତାହା ଫରାସୀ ସାହିତ୍ୟକୁ ଅତୁଳନୀୟ ଅବଦାନ । ଶୁଣିଥିଲି, ଶ୍ରୀମାଙ୍କ ସ୍ମୃତିଧନ୍ୟ ସେ ପୁରୁଣା କୋଠା ଅଦ୍ୟାପି ବିଦ୍ୟମାନ । ତାକୁ ଥରେ ଦେଖିବାର ପ୍ରବଳ କୌତୂହଳ ନେଇ ପ୍ୟାରିସ ଆସିଥିଲି । ନ ଦେଖିଲେ ମନେହେବ ଆସିବା ବୃଥାହେଲା ।

 

କିନ୍ତୁ ହତାଶ ହେଲି । ଯେଉଁମାନେ ସେ କୋଠାର ଠିକଣା ଜାଣିଥିଲେ, ସେମାନେ କେହି ସେତେବେଳେ ପ୍ୟାରିସରେ ନଥିଲେ ।

 

ଲଣ୍ଡନରେ ଥିବାବେଳେ ଦୁଇଦିନ ଧରି ଜଣେ ବନ୍ଧୁଙ୍କ ଗାଡ଼ିରେ ବସି ଶ୍ରୀଅରବିନ୍ଦଙ୍କ ପାଦଚିହ୍ନର ସନ୍ଧାନରେ ବାହାରିଥିଲି । ପାଠ ପଢ଼ିବାକୁ ଲଣ୍ଡନ୍ ଆସି ଶ୍ରୀଅରବିନ୍ଦ ଚାରିଗୋଟି ଭିନ୍ନ ଭିନ୍ନ ଘରେ ରହିଥିଲେ । ସୌଭାଗ୍ୟକୁ ସେ ଚାରିଗୋଟି ଯାକ ଘର ଅତୁଟ ରହିଥିଲା । ଲଣ୍ଡନ୍‌ ଆସି ପ୍ରଥମେ ଯେଉଁ ଘରେ ତାଙ୍କ ଦୁଇ ଅଗ୍ରଜଙ୍କ ସହ ବାଳକ ଅରବିନ୍ଦ ବୃଦ୍ଧା ଶ୍ରୀମତୀ ଡ୍ରୁଏଟ୍‌ଙ୍କ ତତ୍ତ୍ଵାବଧାନରେ ରହିଥିଲେ, ସେ ଦ୍ଵିତଳ ଘର ଅଧିକାର କରି ରହିଛନ୍ତି ଜଣେ ପାକିସ୍ଥାନୀ ଭଦ୍ରଲୋକ । ଆମେ ଘର ସାମନାରେ ପହଞ୍ଚିବା ବେଳକୁ ସେ ବାହାରି ଆସୁଥିଲେ ।

 

“ସୁ-ପ୍ରଭାତ । ଘରଟିର ଫଟୋ ନେଉଛି ।”ମୁଁ ତାଙ୍କୁ ଜଣାଇଲି । “ହେତୁ ?” —ସେ ପଚାରିଲେ ।

 

“ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଏ ଘରେ ରହିଥିଲେ ଶ୍ରୀ ଅରବିନ୍ଦ ।” ମୁଁ କହିଲି । ଭଦ୍ରଲୋକ କିଛି ବୁଝିଲେ କି ନାହିଁ ଜାଣେନା, କିନ୍ତୁ ଚମତ୍କୃତ ଦେଖାଗଲେ ଓ ଫଟୋ ନେବାକୁ ଦେଲେ ।

 

ଦିନେ ଶ୍ରୀ ଅରବିନ୍ଦଙ୍କ ଅଗ୍ରଜ ମନମୋହନ ଟିକିଏ ଧର୍ମବିରୋଧୀ ମନ୍ତବ୍ୟ ଦେଇପକାଇବାରୁ ବିଧର୍ମୀମାନଙ୍କ ଉପରେ କାଳେ ଛାତ ଛିଡ଼ିପଡ଼ିବ, ସେଭଳି ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ଶ୍ରୀମତୀ ଡ୍ରୁଏଟ୍ ରାଗିମାଗି ସେ ଘର ଛାଡ଼ି ପଳାଇଯାଇଥିଲେ ।

 

ଛାତ କିନ୍ତୁ ଏ ଯାଏ ଅତୁଟ ରହିଛି । ତେବେ ଶତାଧିକ ବର୍ଷର ପୁରୁଣା ଘର ! ହୁଏତ ଆଉ ଅଳ୍ପ କିଛି ବର୍ଷ ପରେ ଏହାର ସ୍ଥାନ ନେବ ନୂତନ ଅଟ୍ଟାଳିକା ।

 

ଦ୍ୱିତୀୟ ଘରଟି ସେତେବେଳେ ଥିଲା କେନ୍‌ସିଂଟନ୍‌ କ୍ଲବ୍‌ର କାର୍ଯ୍ୟାଳୟ । ଜେମସ୍ କଟନ୍‌ଙ୍କ ସୌଜନ୍ୟରୁ ସେମାନେ ସେ ଘରେ ରହିଥିଲେ । ପିତୃଦେବ କୃଷ୍ଣଧନ ଘୋଷ ସେତେବେଳକୁ ଟଙ୍କା କଉଡ଼ି ପଠାଇବା ବିଲ୍‌କୁଲ୍ ବନ୍ଦ କରିଦେଲେଣି । ଦୁଇଓଳି ଦୁଇ କପ୍ ଚାହା, ଖଣ୍ଡିଏ ଦୁଇଖଣ୍ଡି ପାଉଁରୁଟି ମାତ୍ର ଚୋବାଇ, ବିନା ନୈଶଭୋଜନରେ ପନ୍ଦର ଷୋହଳ ବର୍ଷ ବୟସ୍କ ଶ୍ରୀ ଅରବିନ୍ଦଙ୍କୁ ଏଠାରେ ଦୁଇବର୍ଷ ବିତାଇବାକୁ ପଡ଼ିଥିଲା ।

 

ତୃତୀୟ ଘର ପାଖରେ ଆମେ ପହଞ୍ଚିବା ବେଳକୁ ବାସିନ୍ଦାଙ୍କର ନିଦ୍ରାଭଙ୍ଗ ହୋଇ ନ ଥିଲା । ଫଟୋ ଉଠାଇ ଚତୁର୍ଥ ଘରକୁ ଗଲୁ । କଲିଂବେଲ ସୁଇଚ୍ ଚିପିବା ମାତ୍ରେ ଦ୍ୱିତଳ ଝରକାରୁ ଜଣେ କୃଷ୍ଣକାୟ ପୌଢ଼ ତାଙ୍କର ବିପୁଳ ମୁଖମଣ୍ଡଳ ଝୁଲାଇ ପଚାରିଲେ, “କଣ ଦରକାର ?”

 

“ଘରଟିର ଫଟୋ ନେଇପାରୁ ?” ମୁଁ ସବିନୟେ ଜିଜ୍ଞାସା କଲି । “ଯେତେ ଇଚ୍ଛା ନିଅ-।” ସେ କହିଲେ । କାରଣ ପଚାରିବାଭଳି ଆଗ୍ରହ ତାଙ୍କର ନଥିଲା । ପ୍ରବାସର ଶେଷ କେତେ ମାସ “ଭାରତଆତ୍ମାର ବାଣୀମୂତ୍ତି” ଶ୍ରୀ ଅରବିନ୍ଦ ଏହି ଘରେ ବିତାଇଥିଲେ ।

 

ସେ ଯାହାହେଉ, ବର୍ତ୍ତମାନ ପ୍ୟାରିସ୍ କଥାକୁ ଫେରିଆସୁଛି । ବ୍ୟର୍ଥତାର ବ୍ୟଥା ନେଇ ସନ୍ଧ୍ୟାବେଳେ ନିଜ ନିଜ କୋଠରୀ ଭିତରେ ଆସି ବସିଥିଲି । ଝରକା ଦେଇ ଦେଖୁଥିଲି ପ୍ୟାରିସ୍‌ର ମୁଖର ରାଜପଥ । କିନ୍ତୁ କିଛି ଦେଖିବାର ଆଗ୍ରହ ନଥିଲା ।

 

ଆକର୍ଣ୍ଣ ହସି କୋଠରୀ ଭିତରକୁ ପଶିଆସିଲେ ଜଣେ ଶୀର୍ଣ୍ଣକାୟ ଯୁବକ—ଫ୍ରାଁସେଆସାନ୍‌ । ଦିନକର କାମଦାମ ଶେଷ କରି ସେ ମୋତେ ସଙ୍ଖୋଳିବାକୁ ଆସିଥିଲେ । ସେ ବୋଧହୁଏ ଅନୁଭବ କଲେ ଯେ ତାଙ୍କର ବ୍ୟାପକ ହସ ମୋ ମୁହଁରେ ଯଥୋଚିତ ପ୍ରତିଫଳିତ ହେଉନାହିଁ ।

 

“କଥା କଣ ? ଦେହ ଭଲ ଅଛି ତ ?” ସେ ପଚାରିଲେ । ମୁଁ ତାଙ୍କୁ ମୋ ବିରସତାର କାରଣ କହିଲି । ସେ ମୋ ହାତ ଧରି ଝିଙ୍କି ଉଠାଇ ଦେଇ ଚାଲିବାକୁ ଆରମ୍ଭ କଲେ । ପ୍ରଖର ବୁଦ୍ଧିଦୀପ୍ତ ଏଇ ଭଦ୍ରଲୋକ ଟିକିଏ ଆଉ ପାଗଳିଆ ମନେହୁଅନ୍ତି । ଅଗତ୍ୟା ତାଙ୍କୁ ଅନୁସରଣ କଲି-। ମୋ ହୋଟେଲଠୁଁ ଦେଢ଼ ମିନିଟ୍ ଚାଲିବା ପରେ ବାମରେ ଏକ ନିର୍ଜନ ରାସ୍ତା । ସେ ପଥରେ ଆଉ ଏକ ମିନିଟ୍ ମାତ୍ର ଚାଲିବା ପରେ ଡାହାଣ ହାତରେ ଏକ ପରିଚ୍ଛନ୍ନ, ପ୍ରଶସ୍ତ ଆୟତନ-। ଫାଟକ ଭିତରକୁ ଗଲେ ଦେଖାଯିବ ମଧ୍ୟଯୁଗୀୟ ଦୁର୍ଗ ଭଳି ଏକ ଘର ।

 

“ଏଇ ଦେଖନ୍ତୁ ସେ କୋଠା !” ଫ୍ରାଁସୋଆ କହିଲେ ।

 

କୋଠାର ଛବି ପୂର୍ବରୁ ଦେଖିଥିଲି । ଚିହ୍ନିବାକୁ ମୁହୂର୍ତ୍ତେ ବିଳମ୍ବ ହେଲା ନାହିଁ । ଦିନଯାକ ଏତେ ଲୋକଙ୍କୁ ପଚାରି ବୁଲୁଥିଲି, ଅଥଚ ମୋ ବସାର କେଇଗଜ ମାତ୍ର ଦୂରରେ ସେହି ଅଭିପ୍‌ସିତ ସ୍ଥଳ !

 

କିଏ ସେ ଘରର ବର୍ତ୍ତମାନ ବାସିନ୍ଦା ? ଜଣେ ଅଦ୍‌ଭୂତ ଭଦ୍ରଲୋକ । ଘର ସାମନାରେ ନୋଟିସ୍ ଟଙ୍ଗାଇ ରଖିଛନ୍ତି, ତାଙ୍କୁ ଯେପରି କେହି ଡାକିହାକି ହରକତ ନ କରନ୍ତି । ସେ କ୍ଵଚିତ୍ କେବେ କୋଠାରୁ ଅବତରଣ କରନ୍ତି । କଣ କରନ୍ତି, ସେ କଥା କେହି ଜାଣନ୍ତି ନାହିଁ ।

 

ପ୍ୟାରିସରେ ଶ୍ରୀମା ଶ୍ରୀ ଅବିନ୍ଦଙ୍କ ସଂଖ୍ୟା କମ୍ ନୁହେଁ । ଯେଉଁ ଘରେ, ଏକ ତୁଙ୍ଗ ସମ୍ଭ୍ରାନ୍ତ ପରିବାରରେ, ୧୮୭୮ରେ ଶ୍ରୀ ମା ଜନ୍ମଗ୍ରହଣ କରିଥିଲେ, ସେ ଘର ଆଉ ତିଷ୍ଠି ନାହିଁ । ପ୍ୟାରିସ୍ ଉପର ଦେଇ ଦୁଇ ଦୁଇଟା ମହାଯୁଦ୍ଧର ବିଭୀଷିକା ନାଚିକୁଦି ଗଲାଣି । ଅତଏବ ଅନୁଗତମାନେ ଅନ୍ତତଃ ଏହି ଘରକୁ ଦଖଲ କରିବା ପାଇଁ ଏକଦା ଆଗ୍ରହ ପ୍ରକାଶ କରିଥିବା ସ୍ଵାଭାବିକ । କିନ୍ତୁ ଯାହା ବୁଝିଲି, ଏ ସବୁରେ ସ୍ଵୟଂ ଶ୍ରୀମାଙ୍କଠୁଁ କୌଣସି ଉତ୍ସାହ ସେମାନେ ପାଇଲେ ନାହିଁ । ଶ୍ରୀମାଙ୍କ ଦୃଷ୍ଟିକୋଣରୁ ବୋଧହୁଏ ଶ୍ରୀ ଅରବିନ୍ଦଙ୍କ ସହ ସମ୍ପର୍କ ବିରହିତ ତାଙ୍କର ସେ ଅତୀତ ଜୀବନକୁ ନେଇ ଆଗ୍ରହ ପ୍ରକାଶ କରିବା ଅନାବଶ୍ୟକ । ସେ ଜୀବନ ଥିଲା ଏକାଗ୍ର ପ୍ରସ୍ତୁତି । ସେ ପ୍ରସ୍ତୁତିର ପ୍ରସ୍ଫୁଟନ ଭାରତବର୍ଷରେ, ଶ୍ରୀ ଅରବିନ୍ଦଙ୍କ ସାହଚର୍ଯ୍ୟରେ ଓ ତାଙ୍କ ପୂର୍ଣ୍ଣଯୋଗର ପରିପୂରକ ଭୂମିକାରେ । ମାନବତା ପାଇଁ ସେ ମହା ଜୀବନର ଯେଉଁ ତାତ୍ପର୍ଯ୍ୟ, ତାକୁ ବୁଝିବା ସମ୍ଭବ ଏକମାତ୍ର ଭାରତବର୍ଷ ଓ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ପରିପ୍ରେକ୍ଷୀରେ । ତହିଁ ପୂର୍ବରୁ ତାଙ୍କର ସେ ଏକକ ଜୀବନଯାତ୍ରା ଓ ଆଜନ୍ମ ଦିବ୍ୟଚେତା ସେ ଜୀବନର ବହୁ ବିଚିତ୍ର ଅଭିଜ୍ଞତା ତଥା ସଂଗ୍ରାମର ତାତ୍ପର୍ଯ୍ୟ ତାଙ୍କ ନିଜ ଛଡ଼ା ଅଥବା ଶ୍ରୀ ଅରବିନ୍ଦଙ୍କ ଛଡ଼ା ଆଉ କେହି ବୁଝି ପାରିବେ ନାହିଁ । ତା'ର ପ୍ରୟୋଜନ ବି ନାହିଁ ।

 

ପରଦିନ ସକାଳେ ଜାକ୍‌ସ ଆସି ପହଞ୍ଚିଲେ । ତାଙ୍କୁ ଧରି ପୁଣି ସେ ହତା ଭିତରକୁ ଗଲି-। କ୍ୟାମେରା ବାହାର କଲି । କିନ୍ତୁ ସସଙ୍କୋଚେ ଜାକ୍‌ସଙ୍କୁ କହିଲି,କୋଠାର ସେ ରହସ୍ୟମୟ ବାସିନ୍ଦା ଯଦି ଆମକୁ ତଡ଼ିବ ?” ଜାକ୍‌ସ କହିଲେ “ଉଠାଅ ଫଟୋ—ତେଣିକି ଦେଖାଯିବ !” ସେ ସେହି ମାଟିର ବଚ୍ଚା—ଆଉ ତେବେ ଡର କଣ ? ଅତଏବ ମନଇଚ୍ଛା ଫଟୋ ନେଲି, ବିଭିନ୍ନ ଦୂରତ୍ୱରୁ, ଅଦୂରବର୍ତ୍ତୀ ନିଛାଟିଆ ପାର୍କର ଓ ନିକଟବର୍ତ୍ତୀ ଗୀର୍ଜାର । ପୂରା ପରିବେଶ ଧରା ହୋଇ ରହିଲା—ଯେଉଁ ପରିବେଶ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ତଳେ ଥିଲା ଶ୍ରୀମାଙ୍କର ଅନ୍ତରଙ୍ଗ-

 

ଇଂଲଣ୍ଡ ବିଦେଶ ହେଲେ ମଧ୍ୟ କଥିତ ଭାଷା ଇଂରାଜୀ ହୋଇଥିବାରୁ ସେତେ ବେଶି ବିଦେଶ ବୋଲି ମନେହୁଏନା । କିନ୍ତୁ ଫ୍ରାନ୍‌ସରେ ଖୁବ୍ କମ୍ ଲୋକ ଇଂରାଜୀ ବୁଝନ୍ତି । ଅତଏବ ଜାକ୍‌ସ ଯେତେବେଳେ ସ୍ଵତଃସ୍ଫୁର୍ତ୍ତ ଭାବରେ କହିଲେ ଯେ ସେ ମୋତେ ପ୍ୟାରିସ୍ ବୁଲାଇ ଦେଖାଇବେ, ସେତେବେଳେ ତାଙ୍କ ଭଳି ମୃଦୁଭାଷୀ, ସହୃଦୟ ସ୍ଥାନୀୟ ତରୁଣଙ୍କୁ ସାରଥୀରୂପେ ପାଇ ମୁଁ କୃତାର୍ଥ ମନେକରିବା ସ୍ଵାଭାବିକ ।

 

ଜାକ୍‌ସଙ୍କ ଗାଡ଼ିଟି କଚ୍ଛପାକୃତି ସିନା, କିନ୍ତୁ ବଲ୍‌ ଗାହୀନ ଅଶ୍ୱାଦପି ଗତି ତା’ର—କ୍ଷୀପ୍ର ଓ ମଧ୍ୟେ ମଧ୍ୟେ ଲୋମହର୍ଷିକ । ଏକ ପରେ ଏକ ଐତିହାସିକ ଇମାରତ୍ ଓ ସ୍ଥାନ ମାନ ଦେଖାଇଦେବା ମଝିରେ ସେ ତାଙ୍କର ଆତ୍ମକାହାଣୀ କହୁଥାନ୍ତି । କିଛି ଦିନ ତଳ ପର୍ଯ୍ୟନ୍ତ ସେ ଥିଲେ ଜଣେ ହିପ୍‌ପି, ସମ୍ଭ୍ରାନ୍ତ ଗୋଷ୍ଠୀର ହିପ୍‌ପି । ଫରାସୀ ସମାଜ ପ୍ରତି ବୈରାଗ୍ୟବଶତଃ ଗୋଟାଏ କାର୍ ଧରି, ବେହେଲା ବଜାଇ ସେ ୟୁରୋପର ଦେଶ ଦେଶାନ୍ତର ବୁଲୁଥିଲେ । ବୋଧହୁଏ ବେଲ୍‌ଜିଅମ୍‌ର ଏକ ପଲ୍ଲିପଥରେ, ଦିନକର ସନ୍ଧ୍ୟାରେ, ହଠାତ୍ ନିଜର ହିପ୍‌ପିତୃ ପ୍ରତି ମଧ୍ୟ ବୈରାଗ୍ୟ ଆସିଗଲା । କାର୍ ଓ ବେହେଲା ସେଇଠାରେ ଛାଡ଼ି ଦେଇ ସେ ଚାଲି ଚାଲି ପ୍ୟାରିସ ଫେରିଆସିଲେ ।

 

“କାର ଓ ବେହେଲା କଣ ହେଲା ?”—ବୋକାଙ୍କ ଭଳି ପଚାରିଲି ।

 

“ଓଃ, ସେ ସବୁ ସେଇଠି ପଡ଼ି ରହିଲା ।” ସେ କହିଲେ ଓ ମୋତେ ଦୀର୍ଘନିଃଶ୍ୱାସ ଛାଡ଼ିବାର ଦେଖି ଆଶ୍ଵାସନା ଦେଲେ, “ସେଇଟା ଥିଲା ଅତ୍ୟନ୍ତ ଧତଡ଼ା କାର୍ । କେଉଁଠି ନା କେଉଁଠି ତାକୁ ଫୋପାଡ଼ିବାକୁ ହୋଇଥାନ୍ତା । ଆଉ ବେହେଲା ମୁଁ ସିନା ବଜାଉଥିଲି, କିନ୍ତୁ ବଜାଇ ଯେ ଜାଣିଥିଲି ତାହା ନୁହେଁ ।”

 

ହିପ୍‌ପିତୃ ପ୍ରତି ବୈରାଗ୍ୟ ଆସିବା ପରେ ସେ ବର୍ତ୍ତମାନ ଭାରତର ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ।

 

ଆମେ ପହଞ୍ଚିଥିଲୁ ବିଶ୍ଵବିଖ୍ୟାତ ଯାଦୁଘର ଲୁଭ୍ର (Louvre)ରେ । ଏହା ହିଁ ମୋନାଲିସାର ନିବାସ । ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଅଙ୍କିତ ଏଇ ମହାନ୍ କଳା ଯୁଗେ ଯୁଗେ ଦର୍ଶକ ଓ ସମଝ୍‌ଦାରମାନଙ୍କର ଆନନ୍ଦ ଓ ବିସ୍ମୟ ଉତ୍ପାଦନ କରିଆସିଛି । ଏହାକୁ ପ୍ରଶଂସା କରି ଯେପରି ଲୋକେ ନିଜ କଳାଜ୍ଞାନ ପାଇଁ ଗର୍ବ କରିଛନ୍ତି, ସେହିପରି ଏହା ‘ଏମିତି କିଛି ନୁହେଁ’ ବୋଲି କହି ମଧ୍ୟ କେହି କେହି ଚଟକଦାର୍ ସ୍ପଷ୍ଟବାଦୀ ଭାବରେ ବାହାଦୁରୀ ନେବାର ଉଦ୍ୟମ କରିଛନ୍ତି । ମୋନାଲିସାର ମହତ୍ତ୍ଵ ପ୍ରତିପାଦନ କଲାଭଳି କଳାଜ୍ଞାନ ମୋର ନାହିଁ (ଏହା ଉପରେ ପ୍ରଚୁର ବିଦ୍‌ଗଧ ରଚନା ରହିଛି), ତଥାପି ସ୍ନବ୍‌ ଭଳି ଜଣାପଡ଼ିବାର ଆଶଙ୍କା ସତ୍ତ୍ୱେ ଏତିକି କହିବି ଯେ ମୋନାଲିସା ଚିତ୍ର ପ୍ରତି ମୋର ବାଳୁତ କାଳରୁ ଥିଲା ଦୁର୍ନିବାର ଆକର୍ଷଣ । ଅନ୍ୟ ଅନେକଙ୍କର ବି ନିଶ୍ଚୟ ଥିବ ! ଆଜିକୁ କୋଡ଼ିଏ ବର୍ଷ ତଳେ କଲିକତାର ଏକ ବିଶିଷ୍ଟ ପତ୍ରିକାରେ ମୋନାଲିସା ଓ ମ୍ୟାଡୋନା (ଲିଓନାଡୋ ଡା.ଭିନ୍‌ସିଙ୍କର ଅନ୍ୟ ଏକ ଅମର କୃତୀ)ର ଛବି ଛାପା ହୋଇଥାଏ । ପରେ ପରେ କଲିକତା ଯିବାର ସୁବିଧା ମିଳିଲା । ପତ୍ରିକାଟିର କାର୍ଯ୍ୟାଳୟକୁ ଯାଇ ପତ୍ରିକାର ସମ୍ପାଦକଙ୍କୁ ଭେଟି ଛବିର ବ୍ଲକ୍ ଦୁଇଟି ମାଗିଥିଲି । ଦରଦୀ ସମ୍ପାଦକ ନିଜେ ଯୋଡ଼ିଏ ବିପୁଳ ଢାବଲ୍‌ ଅଣ୍ଡାଳି ଅଣ୍ଡାଳି କମନୀୟ ସ୍କ୍ରିନରେ ବିଦେଶରେ ନିର୍ମିତ ସେ ବ୍ଲକ୍ ଦୁଇଟି ଉଦ୍ଧାର କରି ମୋତେ ଦେଇଥିଲେ । ସେତେବେଳେ ମୁଁ ସମ୍ପାଦନା କରୁଥିବା ଛାତ୍ର-ପତ୍ରିକା “ଆଗାମୀ”ରେ ଛବି ଦୁଇଟି ଛାପିଥିଲି । ମୋନାଲିସା ବ୍ଲକଟି ଗୋଟିଏ ପ୍ରେସରେ ରହିଯାଇଥିଲା । କିଛି ବର୍ଷ ପରେ ସେହି ପ୍ରେସରେ ମୁଦ୍ରିତ କୌଣସି ଗୀତବହିର ମଲାଟରେ ମୋନାଲିସା ବସି ଏକ ମଫସଲ ବସ୍ ଷ୍ଟାଣ୍ଡରେ ବିକ୍ରି ହେଉଥିବାର ଦେଖିଥିଲି । ବହିଟିର ନାମ ‘କଟକୀ କୁହୁକିନି’ ଅଥବା ‘କଟକୀ ଛଟକୀ’ ବା ତଜ୍ଜାତୀୟ କିଛି ।

 

ଆଜି ସତ୍ୟ ମୋନାଲିସାକୁ ଦେଖିବାକୁ ଯିବାବେଳେ ଅନୁଭବ କରିଥିଲି ଅପୂର୍ବ ପୂଲକ-। ତା’ପରେ ଶୀତତାପ-ନିୟନ୍ତ୍ରିତ ସେ ହଲ୍ ଭିତରେ ଦୀର୍ଘ ସମୟ ଧରି ହୃଦୟଭରି ଦେଖିଥିଲି ସେ ଅପରୂପ ଛବି; ଅନୁଭବ କରିଥିଲି କାଳଜୟୀ ମୋନାଲିସାର ହସ ।

 

ମୋନାଲିସାର ସ୍ରଷ୍ଟା ଲିଓନାର୍ଡୋଙ୍କ ଜନ୍ମ ୧୪୫୨ ମସିହାରେ, ଇତାଲିର ଭିନ୍‌ସି ନାମକ ଗ୍ରାମରେ । ମାନବ ଜାତିର ଇତିହାସରେ ସେଭଳି ପ୍ରତିଭାଧର ବ୍ୟକ୍ତି ଆଉ କେତେ ଜଣ ସମ୍ଭବ ହୋଇଥିବେ, ତାହା ସନ୍ଦେହର ବ୍ୟାପାର । ଏକାଧାରରେ ଚିତ୍ରଶିଳ୍ପୀ, ଶିଳ୍ପଶାସ୍ତ୍ରବିଶାରଦ, ଭାସ୍କର, ସ୍ଥପତି, ସଂଗୀତଜ୍ଞ, ଗଣିତଜ୍ଞ, ବୈଜ୍ଞାନିକ, ଉଦ୍‌ଭାବକ ଓ ଦୂରଦ୍ରଷ୍ଟା (କିଛି ବର୍ଷ ତଳେ ମିଳିଥିବା ତାଙ୍କର କେତେକ କାଗଜପତ୍ରରୁ ଜଣାଯାଏ ସେ ବିମାନ ନିର୍ମାଣ ପାଇଁ ସବିଶେଷ ଯୋଜନା ପ୍ରସ୍ତୁତ କରିଥିଲେ) । ଲିଓନାର୍ଡୋ ଡା ଭିନ୍‌ସି ୧୫୦୦ରୁ ୧୫୦୪ ଯାଏ ଚାରିବର୍ଷ କାଳ ପ୍ରତି ସନ୍ଧ୍ୟାରେ କିଛି କିଛି ସମୟ ଦେଇ ମୋନାଲିସା ଚିତ୍ର ସମ୍ପୂର୍ଣ୍ଣ କରିଥିଲେ । ମୋନାଲିସା ଯାହାଙ୍କ ପ୍ରତିକୃତି, ସେ ଥିଲେ ଫ୍ରାନ୍‌ସିସ୍କୋ ଜିଓକେଣ୍ଡୋ ନାମକ ବଣିକଙ୍କ ପତ୍ନୀ । ଭଦ୍ରମହିଳା ପ୍ରତିଦିନ ଆସି ଲିଓନାର୍ଡୋଙ୍କ ଆଗରେ ବସୁଥିଲେ । ସେ ଯେପରି ତାଙ୍କର ସେ ମୃଦୁ ହସରୁ ବିରତ ନହେବେ, ସେଥିପାଇଁ ଲିଓନାର୍ଡୋ ପଟ୍ଟଭୂମିରେ ନିରବଚ୍ଛିନ୍ନ ମଧୁର ସଙ୍ଗୀତ ବାଦନର ବ୍ୟବସ୍ଥା କରିଥିଲେ । ମହିଳାଙ୍କ ମୁହଁ ବିରସ ଦେଖାଗଲେ ତାଙ୍କ ଆଗରେ ନାନାଦି ହାସ୍ୟକର ଭଙ୍ଗୀ କରି ସରସତା ଫେରାଇ ଆଣିବାପାଇଁ ବିଦୂଷକମାନେ ବି ନିଯୁକ୍ତ ହୋଇଥିଲେ ।

 

ଏମନ୍ତ ବହୁ ପ୍ରୟାସ ଓ ପ୍ରତିଭାର ସମନ୍ଵୟରେ ଯେଉଁ ହସକୁ ଅମର କରି ରଖିଗଲେ ଲିଓନାର୍ଡୋ, ସେ ହସର ବ୍ୟାଖ୍ୟାର ଶେଷ ନାହିଁ । କେତେ ଦାର୍ଶନିକ ଓ ମନସ୍ତାତ୍ତ୍ୱିକ ବ୍ୟାଖ୍ୟା ତ ରହିଛି । ଶେଷରେ, ୧୯୫୪ ମସିହାରେ, Academy of Opthalmology and Oxolaryngelogyର ବାର୍ଷିକ ଅଧିବେଶନରେ ଜଣେ ଆମେରିକାନ୍ ସର୍ଜନ ଏହି ତଥ୍ୟ ପରିବେଷଣ କଲେ ଯେ, ମୋନାଲିସାଙ୍କ ସେ ହସ ଭଦ୍ରମହିଳାଙ୍କ କଣ୍ଠନଳୀରେ ଜମିଥିବା ଥଣ୍ଡାଜନିତ !

 

ମୋନାଲିସା ଯୁଗେ ଯୁଗେ କେବଳ ଯେ ଆନନ୍ଦ ଓ ପ୍ରଶଂସାର ଉଦ୍ରେକ କରିଛନ୍ତି, ତାହା ନୁହେ, ସେ ଉଦ୍ରେକ କରିଛନ୍ତି ମାରାତ୍ମକ ଈର୍ଷା ମଧ୍ୟ । Surrealist ଚିତ୍ରକରମାନେ ସେମାନଙ୍କ ଇସ୍ତାହାର୍ ଉପରେ ମୋନାଲିସା ମୁହଁରେ ହଳେ ନିଶ ଲଗାଇ ତାକୁ ହିଁ ସେମାନଙ୍କ ତଥାକଥିତ ବିଦ୍ରୋହର ପ୍ରତୀକ ଭାବରେ ଗ୍ରହଣ କରିଥିଲେ । ମାସେ ତଳେ ମୁଁ ଗୋଟାଏ ବିଖ୍ୟାତ ଲଣ୍ଡନ୍ ପତ୍ରିକା ପାଇଲି । ତାହା ଉପରେ ମୋନାଲିସା ମୁହଁ ସହ କେହି ଜଣେ ସାଂପ୍ରତିକ ହତଭାଗା ଅଂକିତ ଅତି କୁତ୍ସିତ ଦେହଟାଏ ଯୋଡ଼ିଦେଇ ବିକଳ ଚିତ୍ରଟାଏ ଛାପା ଯାଇଛି । ଏ ସବୁ କୁଆଡ଼େ ଆଧୁନିକତା ! ନିଜନିଜର ଅନଧିକାର ଚର୍ଚ୍ଚା ସପକ୍ଷରେ ଏମାନେ ଯେତେ ଯୁକ୍ତିର ଅବତାରଣା କରନ୍ତୁ ନା କାହିଁକି; ଜଣେ ଅସାମାନ୍ୟ ପ୍ରତିଭାର ଏକ ସଂପୂର୍ଣ୍ଣ, ସୁନ୍ଦର, କାଳଜୟୀ କୃତୀ ପ୍ରତି ଏସବୁ ହୀନମନ୍ୟତାର ବିକଳ ଅସହନୀୟତା ଛଡ଼ା ଆଉ କିଛି ନୁହେଁ ।

 

ଏକଦା ମୋନାଲିସା ପ୍ୟାରିସ୍‍ର ରାଜପ୍ରାସାଦରେ ରହୁଥିଲା । କିଛି କାଳ ଜଣେ ସମ୍ରାଟ୍‌ଙ୍କ ବାଥ୍‌ରୁମ୍‌ ବି ମଣ୍ଡିତ କରିଥିଲା । ଫରାସୀ ବିପ୍ଳବ ପରଠାରୁ ଏହାକୁ ଆଣି ରଖାଯାଇଛି ଲୁଭ୍ର ଯାଦୁଘରେ—କୃତଜ୍ଞ ଜନସାଧାରଣଙ୍କ ଆଖିପାଆନ୍ତାରେ । ବର୍ଷ କେତୋଟି ତଳେ ହଠାତ୍ ଜଣେ ବିଦେଶୀ ଦର୍ଶକ ମୋନାଲିସା ଉପରକୁ ଢେଲା ଫୋପାଡ଼ିଲେ । ତାହା ପରଠୁଁ ଚିତ୍ରଟିକୁ ବୁଲେଟ୍‌ ପ୍ରୁଫ୍‌ କାଚର ଆବରଣ ତଳେ ରଖାଯାଇଛି । ପୋଷାକ ତଥା ସାଦା ପୋଷାକରେ ନିୟତ ପୋଲିସ୍ ଜଗିଛନ୍ତି ।

 

ବିପୁଳ ସତର୍କତାମୂଳକ ବ୍ୟବସ୍ଥା ଭିତରେ ୧୯୬୩ ମସିହାରେ ଥରେ ମୋନାଲିସାକୁ ଆମେରିକା ନିଆଯାଇଥିଲା । ଉଡ଼ାଜାହାଜରେ ନିଆ ନହୋଇ ଜଳଜାହାଜରେ ନିଆହୋଇଥିଲା । ଜାହାଜ ବୁଡ଼ିଥିଲେ ବି ସେ ବିଶେଷ ନିର୍ମିତ ବାକ୍‌ସ ଭିତରକୁ ପାଣି ପଶିନଥାନ୍ତା ।

 

ଆଜି ଏ ଅଧ୍ୟାୟଟି ଲେଖୁଥିବାବେଳେ ମୋନାଲିସା ଦ୍ଵିତୀୟଥର ପାଇଁ ବିଦେଶ ଯାତ୍ରା କରୁଛି । ଏଥର ଗନ୍ତବ୍ୟ ସ୍ଥଳ ଜାପାନ । ଆମେରିକାର News Week ପତ୍ରିକାର ଏକ ସାଂପ୍ରତିକ ସଂଖ୍ୟାରେ ପଢ଼ୁଛି, ମୋନାଲିସାକୁ ସ୍ୱାଗତ କରିବା ପାଇଁ ଜାପାନ୍ ସରଗରମ । ଅଗଣିତ ଅନୁଷ୍ଠାନର କ୍ୟାଲେଣ୍ଡର ଓ ହ୍ୟାଣ୍ଡବିଲରେ ମୋନାଲିସା ଛବି । ଜଣେ ଜାପାନୀ ଝିଅ ପ୍ଲାଷ୍ଟିକ୍ ସର୍ଜରିଦ୍ଵାରା ମୋନାଲିସାବତ୍ ମୁହଁର ଅଧିକାରିଣୀ ହେବାକୁ ଚେଷ୍ଟା କରିଛି । ଚିତ୍ରଟିର ମୁଖଭଙ୍ଗୀ ଓ ପେଶି–ଗଠନକୁ କମ୍ପ୍ୟୁଟର ଦ୍ୱାରା ପରୀକ୍ଷା କରି ମୋନାଲିସାର କଣ୍ଠସ୍ୱର ଯେପରି ହୋଇଥିବା ସମ୍ଭବ ବୋଲି ଜଣାଗଲା, ସେହିଭଳି ସ୍ୱରର ରେକର୍ଡ ବାହାର କରିଛି ଗୋଟାଏ କୋମ୍ପାନୀ । ଜାପାନର ଗୋଟାଏ ବଡ଼ ଟ୍ରେଡ ୟୁନିୟନ୍ କିନ୍ତୁ ମୋନାଲିସାର ଏକ ଶୀର୍ଣ୍ଣକାୟ—ବିଷଣ୍ଣ କ୍ୟାରିକେଚାର-ସମ୍ବଳିତ ପୋଷ୍ଟର୍ ପ୍ରଚାର କରିଛନ୍ତି—ମୁଦ୍ରାସ୍ଫୀତି ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ ।

 

ଏବଂ, କେତେକ ଜାପାନୀ ଏହି ତତ୍ତ୍ଵ ପରିବେଷଣ କରୁଛନ୍ତି: ପ୍ରକୃତ ମୋନାଲିସା ବାସ୍ତବିକ ଇତାଲୀୟ ନାରୀ ନଥିଲେ—ଥିଲେ ଜାପାନୀ !

 

କେତେ ବର୍ଷ ତଳେ ଥରେ ‘ଫ୍ରି ପ୍ରେସ୍ ଜର୍ଣ୍ଣାଲ’ରେ ପଢ଼ିଥିଲି—କେତେ ଜଣ ରୁଷୀୟ କହିଥିଲେ, ମୋନାଲିସା ସହ ଆଜିକାଲିକା ରୁଷ୍ ମହିଳାଙ୍କ ଚେହେରାର କେଡ଼େ ସାମଞ୍ଜସ୍ୟ !

Image

 

Unknown

ପରିଚ୍ଛେଦ : ସତର

ପ୍ୟାରିସ୍ : ସ୍ମୃତିବିଚିତ୍ରା

 

ପ୍ୟାରିସ୍‌ର ପ୍ରଶସ୍ତ ରାଜପଥ । ଦିନକର ଅପରାହ୍‌ଣରେ ବୁଲୁଥିଲେ ଦୁଇଜଣ ଇଂରେଜ ମହିଳା—ମିସ୍ ମୋବାର୍ଲେ ଓ ମିସ୍ ଜୁର୍ଦା । ଜଣେ ଅକସ୍‍ଫୋର୍ଡର ସେଣ୍ଟ୍‌ ହ୍ୟୁଗମ୍‌ କଲେଜର ପ୍ରିନସପାଲ୍‌; ଅନ୍ୟ ଜଣକ ଅଧ୍ୟାପିକା ପରେ ପରେ ସେହି କଲେଜର ପ୍ରିନ୍‌ସପାଲ୍‌ ।

 

ଜନଗହଳି ନଥିଲା । ହଠାତ୍ ମହିଳା ଦୁହିଁଙ୍କର ମନେହେଲା, ଚତୁର୍ଦ୍ଦିଗର ବାତାବରଣ ଯେପରି ହାଲୁକା, ଝିଲିମିଲି ହୋଇ ଉଠିଛି । ଲୋକମାନଙ୍କ ଗତିବିଧି, ପୋଷାକ ପରିଚ୍ଛଦ, କଥାବାର୍ତ୍ତାର ଢଙ୍ଗ ଦେଖାଯାଉଛି ବଡ଼ ବିଚିତ୍ର ! କୋଠାବାଡ଼ି, ବାଗବଗିଚା ଇତ୍ୟାଦିର ଚେହେରା ବି ଯେମିତି ବଦଳିଯାଇଛି !

 

ସେମାନଙ୍କ ଚେତନାକୁ ଗ୍ରାସ କରିଥାଏ ଏକପ୍ରକାର ଉଦାସିଆ ଭାବ । ରାସ୍ତା ପାଖରେ ବିଶାଳ ପ୍ରାସାଦ । ସେମାନେ ଉପରକୁ ଅନାଇ ଦେଖିଲେ, ବାରାନ୍ଦାରେ ବସିଛନ୍ତି ଜଣେ ଅଭିଜାତ ମହିଳା ।

 

ସେଦିନ ସେମାନେ କିଛି ବୁଝିପାରିଲେ ନାହିଁ । ଦିନ କେତୋଟି ପରେ ସେଦିନର ସେ ଅନୁଭୂତି କଥା ପରସ୍ପର ଆଲୋଚନା କରୁଁ କରୁଁ ହଠାତ୍ ହୃଦୟଙ୍ଗମ କଲେ ଯେ ଯେଉଁ ପରିବେଶ ଓ ବାତାବରଣ ସେମାନେ ସେଦିନ ଅଙ୍ଗେ ନିଭେଇଥିଲେ, ତାହା ମୋଟେ ସ୍ଵାଭାବିକ ନୁହେଁ । ସେମାନେ ପୁଣି ସେ ଅଞ୍ଚଳକୁ ଗଲେ । ଅନୁମାନ ଠିକ୍ । ସେଦିନ ଦୃଷ୍ଟ ସେସବୁ ପୁରୁଣା ଢଙ୍ଗର ଅଟ୍ଟାଳିକା, ବାଗବଗିଚା କିଛି ହିଁ ନଥିଲା । ଆଧୁନିକ କୋଠାବାଡ଼ି-ସମନ୍ୱିତ ଜନାରଣ୍ୟ ଅଞ୍ଚଳ ତାହା-

 

ସେମାନଙ୍କର ସେ ବିଚିତ୍ର ଅନୂଭୁତି ସମ୍ପର୍କରେ ବହୁ ଆଲୋଚନା ଓ ଗବେଷଣା ହୋଇଛି । ସେ ସବୁ An Adventure ନାମକ ଗ୍ରନ୍ଥରେ ଲିପିବଦ୍ଧ । ବିଶିଷ୍ଟ ମନୀଷୀ ସି. ଇ. ଏମ୍. ଜୋଡ୍‍ ତାଙ୍କର ଜନପ୍ରିୟ ଗ୍ରନ୍ଥ Guide to Modern Thoughtରେ ଏ ଘଟଣା ତଥା ଏହି ଜାତୀୟ ଆଉ କେତେକ ଘଟଣା ସମ୍ପର୍କରେ ବିଶେଷ ଆଲୋଚନା କରିଛନ୍ତି ।

 

ମହିଳା ଦୁଇଜଣ ନିଜ ଅଜ୍ଞାତସାରରେ ସେଦିନ ହଠାତ୍ ଅଷ୍ଟାଦଶ ଶତାବ୍ଦୀ ଭିତରକୁ ପଶିଯାଇଥିଲେ ! ଅଙ୍ଗେ ନିଭେଇ ଥିଲେ ଦୁଇଶହ ବର୍ଷ ତଳର ପ୍ୟାରିସ୍‌ର ଅବସ୍ଥା । ସେମାନଙ୍କ ବିଶଦ ବିବରଣୀ ପ୍ରତି ଧ୍ୟାନ ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରାସାଦର ବାରନ୍ଦାରେ ଯେଉଁ ଅଭିଜାତ ମହିଳାଙ୍କୁ ସେମାନେ ଦେଖିଥିଲେ, ସେ ଆଉ କେହି ନୁହନ୍ତି—ଫରାସୀ-ବିପ୍ଳବ କାଳର ସାମ୍ରାଜ୍ଞୀ, ବିପ୍ଳବର ଅନ୍ୟତମ ବଳି, ରାଣୀ ମେରି ଆନ୍ତୋନିଏତ୍‌ । (ଅଜବ ମନେ ହେଲେ ବି ଏଭଳି ଘଟଣା ଘଟିଥାଏ । ଆମ ସାଧାରଣ ଧାରଣାରେ ସିନା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ବିଭକ୍ତ କାଳ; କିନ୍ତୁ କାଳର ବ୍ୟାଖ୍ୟା ଏତେ ସହଜ ନୁହେଁ ।)

 

ଯେଉଁଠି ଏକଦା ବାସ୍ତିଲ୍ କାରାଦୁର୍ଗ ବିଦ୍ୟମାନ ଥିଲା, ତାହାରି ପାଖ ଦେଇ ଯାଉଁ ଯାଉଁ ଭାବିଥିଲି—ହଠାତ୍ ଥରେ ପଶିଯାଇ ହୁଅନ୍ତା ହେଲେ ଫରାସୀ ବିଦ୍ରୋହର କେତୋଟି ଆଗ୍ନେୟ ମୁହୂର୍ତ୍ତ ଭିତରକୁ ! ଉତ୍ତେଜିତ ଲୋକାରଣ୍ୟ ଭିତରୁ ଶୁଭୁଥାନ୍ତା ହୁଏତ ବାସ୍ତିଲ୍ ପତନର ବଜ୍ରଧ୍ୱନି ।*

 

ଆଜି ଯେଉଁ ଅଟ୍ଟାଳିକାକୀର୍ଣ୍ଣ ସ୍ଥାନରେ ଏକ ଅନତି ବୃହତ୍ ସ୍ମୃତିସ୍ତମ୍ଭ ଦଣ୍ଡାୟମାନ, ସେଇଠି ଥିଲା କୁଖ୍ୟାତ ବାସ୍ତିଲ୍ କାରାଦୁର୍ଗ । ମୂଳରୁ ହିଁ ଯେପରି ଏହା ନିର୍ମମତା ପାଇଁ ଉଦ୍ଦିଷ୍ଟ ହୋଇଥିଲା ! ଏହି ଦୁର୍ଗର ପ୍ରଥମ ବନ୍ଦୀ ହେଲେ ସ୍ଵୟଂ ଏହାର ନିର୍ମାତା, ଅବ୍ରିଅଟ୍ (ଚତୁର୍ଦ୍ଦଶ ଶତାବ୍ଦୀ) । ସେବଠାରୁ ୧୭୮୯ ମସିହାର ଜୁଲାଇ ୧୪ରେ ଏହାର ଧ୍ଵଂସସାଧନ ପର୍ଯ୍ୟନ୍ତ ଏଥିରେ ବନ୍ଦୀ ହୋଇଥିଲେ ସାଧାରଣ ଅପରାଧୀଠୁ ଆରମ୍ଭ କରି ଶତ ଶତ ସମ୍ଭ୍ରାନ୍ତ, ସ୍ୱାଧୀନଚେତା ମନୀଷୀ—ବିଦ୍ରୋହୀ ଦାର୍ଶନିକ ଭଲ୍‌ ତେଆର୍‌ ପର୍ଯ୍ୟନ୍ତ । ସରକାରକୁ ଯିଏ ସମାଲୋଚନା କରୁଥିଲା, ତା'ର ଜୀବନ କଟୁଥିଲା ବାସ୍ତିଲ୍ ଅଭ୍ୟନ୍ତରରେ ଅନେକ କ୍ଷେତ୍ରରେ ସାରା ଜୀବନ ! ନିଜ ପ୍ରିୟ ଅମାତ୍ୟବର୍ଗଙ୍କୁ ରାଜା ଏକ ନିର୍ଦ୍ଦିଷ୍ଟ କାଗଜ ଉପହାର ଦେଉଥିଲେ କେବେ କେବେ । ସେ କାଗଜର ଗୁଣ ଏମିତି ଯେ ସେଥିରେ ଅମାତ୍ୟ ତାଙ୍କର ଯେଉଁ ଶତ୍ରୁଙ୍କ ନାମ ଲେଖି ପୋଲିସ୍‌ ବିଭାଗକୁ ପଠାଇଦେବେ, ସେ ବିନା ବିଚାରରେ ବାସ୍ତିଲରେ ହେବ କାରାଯୁଦ୍ଧ । ଅତଏବ ଦୁର୍ଗ ଭିତରେ ନିକ୍ଷିପ୍ତ ହେଉଥିଲେ ବ୍ୟକ୍ତିଗତ ରାଜନୈତିକ ଶତୃଠୁଁ ପ୍ରେମପ୍ରୀତିରେ ପ୍ରତିଦ୍ଵନ୍ଦ୍ଵୀ ପର୍ଯ୍ୟନ୍ତ ।

 

ଥରେ ଥରେ ବାସ୍ତିଲରେ ରହୁଥିଲେ ରହସ୍ୟମୟ ବନ୍ଦୀ । ସେଭଳି ବନ୍ଦୀଙ୍କ ସମ୍ପର୍କରେ ରକ୍ଷାକରାହେଉଥିଲା ଗୂଢ଼ ନୀରବତା । ସେମାନଙ୍କ ଭିତରେ ବିଖ୍ୟାତ ହେଲେ “ଲୌହମୁଖାଧାରୀବ୍ୟକ୍ତି” (Man with the Iron Mask) । ଚତୁର୍ଦ୍ଦଶ ଲୁଇଙ୍କ ସମୟରେ କାରାରୁଦ୍ଧ ଏହି ବ୍ୟକ୍ତିଙ୍କୁ ତାଙ୍କ ମୃତ୍ୟୁଯାଏ ଗୋଟାଏ ମୁଖା ପିନ୍ଧାଇ ରଖାଯାଇଥିଲା । ଜନଶ୍ରୁତି ବିଶ୍ୱାସ କରୁଥିଲା ଇଏ ଜଣେ ବିଶିଷ୍ଟ ରାଜପୁରୁଷ । ହୁଏତ କୌଣସି ବିଦେଶୀ ରାଜବଂଶର ଜଣେ ଅନ୍ତର୍ହିତ ଦାୟାଦ । ଭଲ୍‌ତେଆର୍ ଓ ଆଲେକ୍‌ଜାଣ୍ଡାର ଦୁମାଙ୍କ ମତରେ ଇଏ ଥିଲେ ସ୍ଵୟଂ ରାଜା ଲୁଇଙ୍କ ଭାଇ । କେତେକ କହନ୍ତି, ଏହି ରହସ୍ୟମୟ ରାଜପୁରୁଷଙ୍କ ପୁଅ କର୍ସିକାରେ ଯାଇ ବସବାସ କରିଥିଲେ । ତାଙ୍କରି ବଂଶଧର ହେଲେ ନେପୋଲିଅନ୍ ବୋନାପାର୍ଟ ।

 

ଷୋଡ଼ଶ ଲୁଇଙ୍କ ସମୟକୁ ଏ କାରାଦୁର୍ଗର ବ୍ୟବହାର କମିଯାଇଥିଲା । ବିଦ୍ରୋହୀମାନେ ବାଷ୍ଟିଲ୍‌ ଅବବୋଧ କରି କାରାଦ୍ଵାର ଭାଙ୍ଗିବା ପରେ ଦେଖାଗଲା ତହିଁ ଭିତରୁ ବାହାରିଆସିଲେ ମାତ୍ର ସାତଜଣ ବନ୍ଦୀ । କିନ୍ତୁ ଦୁର୍ଗଟି ଅତୀତର ବହୁ ବିଭୀଷିକାର କ୍ଷେତ୍ର ତଥା ସାକ୍ଷୀ ରୂପେ ଜନସାଧାରଣଙ୍କ ଆଖିରେ ସ୍ଵୈରାଚାରର ପ୍ରତୀକ ବନିଯାଇଥିଲା—ଯିମିତି ଷୋଡ଼ଶ ଲୁଇ ବ୍ୟକ୍ତିଗତ ଭାବରେ ନିର୍ଦ୍ଦୋଷ ହେବା ସତ୍ତ୍ୱେ ସ୍ଵୈରାଚାରୀ ପରମ୍ପରା ଓ ଏକ ନୃଶଂସ ଶାସନକଳର ପ୍ରତୀକରୂପେ ବଳିପଡ଼ିଥିଲେ ।

 

ଲଣ୍ଡନରେ ମାଦାମ୍‌ ତୁସାଦ୍‌ଙ୍କ ମହମପୁରୀରେ ଷୋଡ଼ଶ ଲୁଇ ତଥା ତାଙ୍କ ରାଣୀ ମେରି ଆନ୍ତୋନିଏତ୍‌ଙ୍କ ‘ଅସଲ’ ଛିନ୍ନମୁଣ୍ଡର ଛାଞ୍ଚ-ନିର୍ଗତ ମହମରୂପ ଦେଖିଥିବା କଥା ପୂର୍ବରୁ ଲେଖିଛି । ମୃତ୍ୟୁର ସେ ‘ଜୀବନ୍ତ’ ରୂପ ଭୁଲିବା ସହଜ ନୁହେଁ । ପାରିସ୍ ଦର୍ଶନ ବେଳେ ବାରମ୍ଵାର ତାହା ସ୍ମୃତି ଭିତରକୁ ଠେଲି ହୋଇ ଆସୁଥିଲା ।

 

ଐତିହାସିକମାନେ କହନ୍ତି, ଷୋଡ଼ଶ ଲୁଇଙ୍କ ବ୍ୟକ୍ତିତ୍ଵ ଯଦି ଟିକିଏ ଜବରଦସ୍ତ ଧରଣର ହୋଇଥାନ୍ତା, ତେବେ ଇତିହାସର ଗତି ବଦଳିଯାଇଥାନ୍ତା । ଧୂର୍ତ୍ତ ଅମାତ୍ୟବର୍ଗ ଓ ହୃଦୟହୀନ କର୍ମଚାରୀମାନଙ୍କୁ ଦମନ କରି ଜନସାଧାରଣଙ୍କ ଉପରେ ପ୍ରଭାବ ବିସ୍ତାର କରିବା ତ ଦୂରର କଥା, ନିଜର ରାଣୀ ଅଷ୍ଟ୍ରିଆର ରାଜଦୁହିତା ମେରୀ ଆନ୍ତୋନିଏତ୍‌ଙ୍କ ଉପରେ ବି କିଞ୍ଚିତ୍ କର୍ତ୍ତୃତ୍ୱ ରଖିବା ଭଳି ଦକ୍ଷତା (ବା ଆଗ୍ରହ) ତାଙ୍କର ନଥିଲା । ଉଦ୍ଦାମ ପ୍ରକୃତିର ରାଣୀ ଅଭିଜାତ ଲଫଙ୍ଗାମାନଙ୍କ ସହ ଅବାଧରେ ମିଳାମିଶା କରୁଥିଲେ । ସେମାନେ ନେଉଥିଲେ ତାର ଯଥାସମ୍ଭବ ସୁଯୋଗ । ରାଣୀଙ୍କ ସୁପାରିସରେ କେଉଁ ପାଷଣ୍ଡ ବନୁଥିଲା ଧର୍ମାବତାର ବିଚାରକ, କିଏ ବା ହାସଲ କରୁଥିଲା ବ୍ୟାପକ ବ୍ୟବସାୟିକ ବା ରାଜନୈତିକ ସୁବିଧା । ବିଳାସ ବ୍ୟବସ୍ଥାରେ, ସୁଖର ମୃଗତୃଷ୍ଣା ଚରିତାର୍ଥ କରିବାରେ ରାଣୀ ପ୍ରକୃତରେ ଯେଉଁ ବିପୁଳ ବିତ୍ତ ବ୍ୟୟ କରୁଥିଲେ, ସେକଥା ଜନସାଧାରଣ ପ୍ରାୟ ଜାଣୁନଥିଲେ । କିନ୍ତୁ କର୍ମଫଳ ! ରାଣୀଙ୍କ ବଦ୍‌ନାମ ହେଲା ଏଭଳି ଏକ ଘଟଣାରେ, ଯାହା ପାଇଁ ସେ ଅନ୍ତତଃ ପ୍ରତ୍ୟକ୍ଷ ଭାବରେ ଦାୟୀ ନଥିଲେ । ‘ହାରାହାର ବ୍ୟାପାର’ ନାମରେ ବିଦିତ ଏ ବ୍ୟାପାରର ସୂତ୍ରପାତ ହେଲା ଯେତେବେଳେ ଦୁଇଜଣ ହୀରା-ବ୍ୟବସାୟୀ ସେମାନଙ୍କର ସମସ୍ତ ସମ୍ବଳ ବିନିଯୋଗ କରି ଦୁର୍ମୂଲ୍ୟ ହୀରାମାନ ସଂଗ୍ରହ କରିବାକୁ ଲାଗିଲେ ଏଇ ଆଶାରେ ଯେ ତତ୍‌ନିର୍ମିତ ହାରଟିକୁ ସେମାନେ ବହୁ ଲାଭରେ ଦିନେ ଅଳଙ୍କାରପାଗଳୀ ରାଣୀଙ୍କୁ ବିକିବାକୁ ସକ୍ଷମ ହେବେ । ସେତିକିବେଳେ ରୋହାନ୍ ନାମକ ଜଣେ ସମ୍ଭ୍ରାନ୍ତ ପୁରୋହିତ ରାଣୀଙ୍କ କୋପାନଳରୁ ଉତ୍ତୀର୍ଣ୍ଣ ହୋଇ ତାଙ୍କର ପ୍ରିୟପାତ୍ର ହେବାକୁ ବ୍ୟାକୁଳ ଥିଲେ । ଦୁର୍ଭାଗ୍ୟକୁ ସେ ଭଦ୍ରଲୋକ ପଡ଼ିଲେ ମାଦାମ୍ ଲାମୋତ୍ ନାମଧେୟା ଚତୁରା ମହିଳାଙ୍କ ହାବୁଡ଼ରେ । ମାଦାମ ଲାମୋତ୍ ରାଣୀଙ୍କ ପାଖକୁ ଯିବାଆସିବା କରୁଥିଲେ । ରୋହାନ୍‌ ମାଦାମ୍‌ଙ୍କ ହାତରେ ରାଣୀଙ୍କ ପାଖକୁ ପଠାଇଲେ ଖୋସାମଦିପୂର୍ଣ୍ଣ ଚିଟାଉ । ମାଦାମ୍ ସେ ଚିଟାଉର ଉତ୍ତର ବି ଆଣିଲେ । କ୍ରମେ ଉତ୍ସାହିତ ରୋହାନ୍‌ଙ୍କ ଚିଟାଉମାନ ପ୍ରେମପତ୍ରରେ ପରିଣତ ହେଲା । ସେସବୁର ଯଥାରୀତି ଉତ୍ତର ବି ସେ ପାଇଲେ । ଏପରିକି ଦିନେ ଅନ୍ଧକାରରେ ଏକ ଉଦ୍ୟାନ ଭିତରେ ‘ରାଣୀ’ଙ୍କୁ ଦେଖାକରିବାର ଅଭାବନୀୟ ସୁଯୋଗ ବି ମାଦାମ୍‌ ଲୋମାତ୍‌ଙ୍କ ଆନୁକୁଲ୍ୟରେ ସେ ପାଇଲେ—ଅନ୍ତତଃ ପାଇଲେ ବୋଲି ସେ ମନେକଲେ । କହିବା ବାହୁଲ୍ୟ, ଏସବୁ ଥିଲା ମାଦାମ୍‌ଙ୍କ କାରସାଦି ।

 

ଅବଶେଷରେ ଉପରୋକ୍ତ ହୀରାହାରଟି ସେ କିଣିନେଇ ରାଣୀଙ୍କୁ ଉପହାର ଦେବାକୁ ସ୍ଥିର କଲେ । ଷୋହଳ ଲକ୍ଷ ଲିଭର (ପ୍ରାଚୀନ ଫରାସୀ ମୁଦ୍ରା) ମୂଲ୍ୟରେ ସେ ତାହା କିଣିବାକୁ ସ୍ଥିର ହେଲା । ଯେତେବେଳେ ରାଣୀଙ୍କ ଜ୍ଞାତସାରରେ ଏହା ହେଉଛି ବୋଲି ବିକ୍ରେତାଙ୍କର ହୃଦ୍‌ବୋଧ ହେଲା, ସେତେବେଳେ ସେମାନେ କିସ୍ତିରେ ଟଙ୍କା ପାଇବା ବ୍ୟବସ୍ଥାରେ ରାଜି ହୋଇଗଲେ । ମାଦାମ’ଙ୍କ ଜରିଆରେ ହୀରାହାର ରାଣୀଙ୍କ ନିକଟକୁ ପଠାଇ ଆପ୍ୟାୟିତ ରହିଲେ ରୋହାନ୍ । କିନ୍ତୁ ଯେତେବେଳେ ବିକ୍ରେତା ଟଙ୍କା ନ ପାଇ ରାଣୀଙ୍କ ପାଖରେ ଆପତ୍ତି କଲେ, ରାଣୀ ସେତେବେଳେ ସେ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଦେଲେ ।

 

ଦିନେ ଅମାତ୍ୟବର୍ଗଙ୍କ ଗହଣରେ ରାଜାରାଣୀ ଏକ ଧର୍ମାନୁଷ୍ଠାନରେ ଯୋଗ ଦେବାକୁ ଯାଉଛନ୍ତି, ରୋହାନ୍‌ଙ୍କ ପୌରୋହିତ୍ୟରେ—ଠିକ୍ ସେତିକିବେଳେ ନାଟକୀୟ ରୀତିରେ ପୋଲିସ୍ ଆସି ଗିରଫ କରିନେଲା ପୁରୋହିତ ରୋହାନ୍‌ଙ୍କୁ । ସେ ଅବଶ୍ୟ ପରେ ବିଚାରରେ ଖଲାସ ହେଲେ ଏବଂ ମାଦାମ୍ ଲୋମାତ୍‌କୁ ହିଁ ସର୍ବସମକ୍ଷରେ ବେତ୍ରାଘାତ ଦଣ୍ଡର ରାୟ ମିଳିଲା । କିନ୍ତୁ ହୀରାହାରଟି ହସ୍ତଗତ କରି ମଦାମ୍‌ଙ୍କ ସ୍ୱାମୀ ସେତେବେଳକୁ ଲଣ୍ଡନ ପଳାଇଥିଲେ ।

 

କେହି କେହି କହିଲେ–ଏବଂ ଅଚିରେ ତାହା ତୁଣ୍ଡବାଇଦରେ ପରିଣତ ହେଲା—ଯେ ପୂର୍ବ ଶତ୍ରୁତା ଯୋଗୁଁ ରୋହାନ୍‌ଙ୍କୁ ଅପଦସ୍ଥ କରିବା ପାଇଁ ଜାଣିଶୁଣି ରାଣୀ ଏ ଠକାମିକୁ ପ୍ରଶ୍ରୟ ଦେଇଥିଲେ । (ତାଙ୍କ ନାମରେ ହୀରା ହାର କିଣା ହେଉଛି ବୋଲି ଜଣାଇ ବିକ୍ରେତା ଚିଠି ଲେଖିଥିଲେ ଓ ରାଣୀ ସେ ଚିଠି ପଢ଼ିସାରି ତାକୁ ପୋଡ଼ି ଦେଇଥିଲେ ବୋଲି ପ୍ରମାଣ ମିଳିଥିଲା ।) ଏ ତୁଣ୍ଡ-ବାଇଦରୁ କ୍ରମେ ରାଣୀଙ୍କ ଆଚାର-ବ୍ୟବହାର ସମ୍ପର୍କୀୟ ବିଚିତ୍ର, ବିକଟ ଓ ଅତି ରଞ୍ଜିତ କେତେ କାହାଣୀ ପ୍ରଚାର ହୋଇଗଲା । ରାଣୀଙ୍କ ପ୍ରତି ସମାଜର ବିରକ୍ତି ଯାଇ ବଳେ କେନ୍ଦ୍ରୀଭୂତ ହେଲା ରାଜାଙ୍କ ଉପରେ । ବିଦ୍ରୋହୀମାନଙ୍କ ପ୍ରତିନିଧି ସଭାରେ ହୁଲ୍‌ସ୍ତୁଲ୍‌ ଭିତରେ ମାତ୍ର ଛବିଶଟି ଅଧିକ ଭୋଟରେ ରାଜାଙ୍କୁ ପ୍ରାଣଦଣ୍ଡ ଦେବାର ପ୍ରସ୍ତାବ ଗୃହୀତ ହେଲା । ଜଣେ ଉଦାର ସଭ୍ୟ ଦର୍ଶାଇଲେ ଯେ ଏଇ ସାମାନ୍ୟ ଭୋଟାଧିକ୍ୟରେ ଏଡ଼େ ବଡ଼ ସିଦ୍ଧାନ୍ତ କାର୍ଯ୍ୟକାରୀ କରିବା ଅନୁଚିତ ହେବ । ଚରମପନ୍ଥୀମାନେ ଉତ୍ତର ଦେଲେ, “ଯୁଗେ ଯୁଗେ ଆଇନ୍ କାନୁନ୍ ଅଳ୍ପ ଭୋଟାଧିକ୍ୟରେ ହିଁ ବଳବତ୍ତର ହୋଇଥାଏ ।” ପ୍ରତ୍ୟୂତ୍ତର ଦେଲେ ଉଦାର-ପନ୍ଥୀ: “ଠିକ୍ । ତେବେ ଆଜିର କାନୁନ୍‌କୁ କାଲି ତମେ ବାତିଲ୍ କରିଦେଇ ପାରିବ । କିନ୍ତୁ ଆଜି ପ୍ରାଣ ନେଲେ କାଲି ଆଉ ପ୍ରାଣଟି ଫେରାଇ ଦେଇ ପାରିବ କି ?” ଏ ଯୁକ୍ତିର ଉତ୍ତର ଅବଶ୍ୟ କେହି ଦେଇ ପାରିଲେ ନାହିଁ । ତାହା ବୋଲି ଯୁକ୍ତି ଯେ ସମର୍ଥିତ ହେଲା, ତାହା ନୁହେଁ ।

 

ରାଜାଙ୍କ ପକ୍ଷରେ ଲଢ଼ିବାକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଛିଡ଼ାହେଲେ ଜଣେ ଆଇନଜୀବୀ, ମଲେସାର୍ବିଜ୍ । ସେ କହିଲେ, “ଯେତେବେଳେ ରାଜା ମୋର ପ୍ରଭୁ ଥିଲେ, ସେତେବେଳେ ଦରବାର ପକ୍ଷର ଓକିଲ ହେବା ଥିଲା ମହାର୍ଘ ସମ୍ମାନର ବ୍ୟାପାର, ସେତେବେଳେ ଦୁଇଥର ମୁଁ ସେ ପଦ ପ୍ରତ୍ୟାଖ୍ୟାନ କରିଥିଲି । ଆଜି ରାଜାଙ୍କ ପକ୍ଷ ନେବା ବିପଜ୍ଜନକ ବୋଲି ହିଁ ମୁଁ ତାଙ୍କ ପକ୍ଷ ନେଉଛି ।” ଏହି ମହାନ୍ ଆଇନଜୀବୀଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ରାଜାଙ୍କ ମୁଣ୍ଡକଟା ହେଲା ରାଜାଙ୍କ ଶେଷ କଥା ହେଲା, “ଶତ୍ରୁମାନଙ୍କୁ ମୁଁ କ୍ଷମା କରୁଛି ଏବଂ ହେ ହତଭାଗ୍ୟ ଜନତା, ତୁମକୁ ବି…”

 

ଅଳ୍ପ ଦିନ ପରେ ମୁଣ୍ଡକଟା ହେଲା ରାଣୀଙ୍କର । ସେତେବେଳକୁ ବିଦ୍ରୋହର ରୂପ ହେଲାଣି ବିକଳ, ବିକୃତ । ଜଣକ ପରେ ଜଣେ ପ୍ରକୃତ ଦେଶପ୍ରେମୀ ଓ ଆଦର୍ଶବାଦୀ ବିପ୍ଳବୀମାନଙ୍କୁ ଗିଲୋଟିନ୍ ନିପାତ କରି ଚାଲିଥାଏ । ସେମାନଙ୍କ ଭିତରୁ ଜଣେ ତାଙ୍କ ପାଷାଣହୃଦୟ ବିଚାରକଙ୍କୁ କହିଥିଲେ, “ମୁଁ ମରୁଛି ଏମିତି ଏକ ସମୟରେ ଯେତେବେଳେ ଜନସାଧାରଣ ବୁଦ୍ଧିଭ୍ରଷ୍ଟ ହୋଇଛନ୍ତି । ଯେତେବେଳେ ସେମାନେ ହୃତ ବୁଦ୍ଧି ଫେରିପାଇବେ, ସେତେବେଳେ ତମ ପାଳି ପଡ଼ିବ—ମନେରଖ ।”

 

ଏ ବାଣୀ ସତ୍ୟ ହେଲା ଯେତେବେଳେ ମତାନ୍ଧ ରୋବ୍‍ସପିଅର୍‌ଙ୍କ ଚକ୍ରାନ୍ତରେ ବିପ୍ଳବର ମହାନ୍ ପ୍ରେରଣାଦାତା ଦାଁତନ୍‍ଙ୍କୁ ପ୍ରାଣ ଦେବାକୁ ହେଲା । ତାହା ପରେ ପରେ ହେଲା ଘଟଣାଚକ୍ରିର ବିପରୀତ-ମୃଖୀ ଆବର୍ତ୍ତନ । ପ୍ରତିହିଂସାର ଦୁର୍ନିବାର ନିୟମରେ ଅତି ଦୟନୀୟ ଭାବରେ ପ୍ରାଣ ଦେଲେ ରୋବ୍‍ସପିଅର୍ ଓ ଅନ୍ୟାନ୍ୟ ଉନ୍ମାଦ ନେତା ।

 

ମହାଜାତିର ଚେତନାରେ ଏକ ମହତ୍‍ ସତ୍ୟର ଅବତରଣ ଘଟିବା ଫଳରେ ଆରମ୍ଭ ହୋଇଗଲା ଫରାସୀ-ବିପ୍ଳବ । କିନ୍ତୁ ବିଚରା ମଣିଷ ବଡ଼ ବିକଳ ଜୀବ । ଚେତନାର ଏକ ଅଂଶରେ ସେ ଆଦର୍ଶକୁ ସ୍ୱାଗତ କରେ, ଅନ୍ୟ ଅଂଶମାନେ ତାକୁ ଭ୍ରଷ୍ଟ କରିଦିଅନ୍ତି । ଆଦର୍ଶ ସହ ମିଶିଯାଏ ବ୍ୟକ୍ତିଗତ, ଗୋଷ୍ଠୀଗତ ଉଚ୍ଚାକାଙ୍‌କ୍ଷା । ସେ ସବୁରୁ ଉଦ୍‌ଗତ ହୁଏ ନିର୍ମମତା । (ଆଦର୍ଶର ମୁଖା ପିନ୍ଧି ଯେଉଁ ନିର୍ମମତା ଆସେ, ସେ ହୁଏ ବଡ଼ ଭୟଙ୍କର ।) ଫଳରେ ଆସେ ହିଂସ୍ର ପ୍ରତିକ୍ରିୟା । ଏଇ ଅଜ୍ଞାନ-ଚକ୍ରର ଅବର୍ତ୍ତନ ଭିତରେ କାହିଁ କେତେ ଦୂରକୁ ଛିଟିକିଯାଏ ମୂଳ ଆଦର୍ଶ !

 

ଦିନ ପରେ ଦିନ ଚାଲିଥିଲା ନିର୍ବିଶେଷ ପ୍ରାଣଦଣ୍ଡର ବିଭୀଷିକା । କେତେ ନିରୀହ ଲୋକ ସନ୍ଦେହ ଶିକାର ହୋଇ ଗିଲୋଟିନ୍‍ର ବଳି ବନିଲେ ତା’ର ଇୟତ୍ତା ନାହିଁ । ସେମାନଙ୍କ ଭିତରେ ଅନେକେ ଥିଲେ ତରୁଣ । ସେହି ସବୁ ଅପ୍ରସ୍ତୁତ, ଚକିତ ଆତ୍ମାଙ୍କର ଆର୍ତ୍ତନାଦ ତଥା ଅଟ୍ଟହାସ୍ୟରେ ଯେପରି କିଛି ଦିନ ଧରି ସମଗ୍ର ମହାନଗରୀର ବାତାବରଣ ସନ୍ତ୍ରସ୍ତ ହୋଇ ରହିଥିଲା-। ଏହି ଭୌତିକ ବାତାବରଣ ଏକ କଳ୍ପନା-ରୂପ ରଖିଯାଇଛନ୍ତି ୱାସିଂଟନ୍‌ ଆର୍‌ଭିଂ‍-। ସେହି ଭୟାବହ ଯୁଗର ଏକ ବର୍ଷା-ମୁଖର ରଜନୀରେ ପ୍ୟାରିସ୍ ରାଜପଥ ଦେଇ ଜଣେ ବିଦେଶୀ ଯୁବକ ନିଜ ହୋଟେଲକୁ ଫେରୁଥିଲେ । ଘନ ଘନ ବିଜୁଳିରେ ସେ ହଠାତ୍ ଦେଖିଲେ, ଯେଉଁ ସ୍ଥାନରେ ଗିଲୋଟିନ୍ ଅବସ୍ଥିତ, ସେ ସେଇଠି ପହଞ୍ଚିଯାଇଛନ୍ତି । ସେ ଆହୁରି ମଧ୍ୟ ଦେଖିଲେ, ଗିଲୋଟିନ୍ ପାଦଦେଶରେ ମୁଣ୍ଡ ପୋତି ବସିଛି ତରୁଣୀଟିଏ । ଯୁବକ ବିବେକଚାଳିତ ହୋଇ ତରୁଣୀକୁ ସାହାଯ୍ୟ କରିବାକୁ ଯାଇ ବୁଝିଲେ ଯେ ତା’ର ପିତାମାତାଙ୍କୁ ଗିଲୋଟିନ୍ ଯୋଗେ ହତ୍ୟା କରାହୋଇଛି; ସଂସାରରେ ତାର ଆଉ କେହି ନାହିଁ । ଯୁବକଙ୍କ ଅନୁରୋଧରେ ତରୁଣୀଟି ତାଙ୍କ ସହ ତାଙ୍କ ହୋଟେଲକୁ ଆସିଲେ । ବହୁ ରାତିଯାଏ ଦୁହେଁ ଗଳ୍ପ କଲେ । ଅଚିରେ ପରସ୍ପର ବିବାହ କରିବାକୁ ସ୍ଥିର ହେଲା । ଶେଷ ରାତିବେଳକୁ ଦୁହେଁ ଶୋଇପଡ଼ିଥିଲେ । ସକାଳେ ତରୁଣୀଟି ଉଠିବା ପୂର୍ବରୁ ଯୁବକଟି ବାହାରି-ଗଲେ ଏକ ନୂଆ ବାସଘର ସନ୍ଧାନରେ । ଫେରି ଆସି ଦେଖିଲେ ତରୁଣୀ ପ୍ରାଣହୀନା । ଯଥା ସମୟରେ ପୋଲିସ୍ ଆସିଲେ । ଇନ୍‌ସପେକ୍ଟର୍ ତରୁଣୀକୁ ଦେଖି ଚମକି ପଡ଼ିଲେ । “ଇଏ କ’ଣ ?” କହୁଁ କହୁଁ ସେ ତରୁଣୀ ବେକରୁ ଏକ ସରୁ ଫିତା ଟାଣି ବହାରକରିଦେଲେ । ସଙ୍ଗେ ସଙ୍ଗେ ଛିନ୍ନ ମୁଣ୍ଡଟି ଗଡ଼ି ପଡ଼ିଲା । ଇନ୍‌ସପେକ୍ଟର୍ କହିଲେ, “ମୁଁ ଦେଖିବା ମାତ୍ରେ ଚିହ୍ନି ଥିଲି—ଏ ତରୁଣୀକୁ ଗତକାଲି ଗିଲୋଟିନ୍ ଯୋଗେ ବଧ କରାହୋଇଥିଲା-!”

 

ଆମେ ପହଞ୍ଚିଥିଲୁ ବିଖ୍ୟାତ କାଥିଡ୍ରାଲ୍ ନୋତ୍ରଦାମ୍ (Notre Dame) ଆଗରେ । ଚତୁର୍ଥ ଶତାବ୍ଦୀରୁ ଏଠାରେ ଗୀର୍ଜାଟିଏ ରହିଆସିଥିଲା । ତେବେ ଏ ବିଶାଳ, ଚିତ୍ତସ୍ପର୍ଶୀ ଇମାରତ୍ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ । ଏହାର ଆବେଦନ କାହା ପାଖରେ କେତେ ପ୍ରକାର । ଏ ଲେଖକ ଭଳି ସାହିତ୍ୟର ଜଣେ ସାଧାରଣ ଭକ୍ତ ଭିତରେ ଏହା ଭିକ୍ଟର ହ୍ୟୁଗୋଙ୍କର Hunchback of Notre Dame ଉପନ୍ୟାସର ସ୍ମୃତି ଜାଗରିତ କରିବା ସ୍ୱାଭାବିକ । ଏହାର ତୁଙ୍ଗ ମହଲାରେ ରହୁଥିଲା କୂରୂପ କ୍ଵାସିମୋଡୋ । ଗିର୍ଜାର ଘଣ୍ଟା ବଜାଇ ବଜାଇ ସେହି ଧ୍ୱନିର ପ୍ରଚଣ୍ଡତାରେ ସେ କାଳକ୍ରମେ ନିଜର ଶ୍ରୁତିଶକ୍ତି ହରାଇଥିଲା । ଆଜୀବନ ସେ ତା’ର ଖାଉନ୍ଦ, ଧର୍ମଯାଜକ ଫ୍ରୋଲୋର ଏକାନ୍ତ ଆଜ୍ଞାବହ ହୋଇ କାମ କରିଛି । ଏପରିକି ଫ୍ରୋଲୋର ନିର୍ଦ୍ଦେଶରେ ସେ ସୁନ୍ଦରୀ ଜିପ୍‌ସୀ କନ୍ୟା ଏସ୍‌ମାରେଲ୍‌ଡାକୁ ଅପହରଣ କରିବା କାର୍ଯ୍ୟରେ ବି ସାହାଯ୍ୟ କରିଛି । କିନ୍ତୁ ଅବଶେଷରେ ଯେତେବେଳେ କ୍ରୁର, ମିଥ୍ୟାବାଦୀ ଫ୍ରୋଲୋ ନିରୀହା ଜିପ୍‌ସୀ କନ୍ୟାଟିର ପ୍ରାଣଦଣ୍ଡର କାରଣ ହୋଇଛି, ସେତେବେଳେ ନିର୍ବାକ କ୍ଵାସିମୋଡା ନୋତ୍ରଦାମ୍‌ର ଉଚ୍ଚ ମହଲାରୁ ଫ୍ରୋଲୋକୁ ତଳକୁ ଠେଲିଦେଇଛି । ତା’ପରେ ହତଭାଗିନୀ ଏସମାରେଲ୍‍ଡାର ମୃତ ଦେହ ଉପରେ ନିଜେ କଚାଡ଼ି ପଡ଼ି ଜୀବନ ବିସର୍ଜିଛି—ତା’ର ଅବ୍ୟକ୍ତ ମମତାର ଶେଷ ଅଭିବ୍ୟକ୍ତିରୂପେ ।

 

ଶେଷ ଅପରାହ୍ନ ବେଳକୁ ଜାକ୍‌ସ୍‌ ଆଣି ପହଞ୍ଚାଇଥିଲେ ପ୍ୟାରିସ୍‍ର ବିଶେଷ ପର୍ଯ୍ୟଟନୀ ଆକର୍ଷଣ ଇଫେଲ୍ ଟାୱାର୍ ପାଖରେ । ପ୍ରାୟ ଏକ ହଜାର ଫୁଟ ଉଚ୍ଚ, ଥିଏଟର୍, ରେସ୍ତୋରାଁ ସମନ୍ୱିତ ପୃଥିବୀର ଉଚ୍ଚତମ ଏଇ ତ୍ରିତଳ ସ୍ତମ୍ଭର ପରିବେଶ ଚମତ୍କାର; ପୁଣି ଏହାର ଶୀର୍ଷଦେଶରୁ ସମଗ୍ର ମହାନଗରୀ ଓ ଦୂରବର୍ତ୍ତୀ ପ୍ରକୃତି-ବଳୟର ଦୃଶ୍ୟ ଉପଭୋଗ ଏକ ବିରଳ ଅଭିଜ୍ଞତା (ମୋର ସେ ସମୟ ନ ଥିଲା) ହୋଇଥିବ ନିଶ୍ଚୟ । କିନ୍ତୁ ଏହି ଉଦ୍ଧତ ସ୍ତମ୍ଭ ପ୍ୟାରିସ୍‌ର ସୌନ୍ଦର୍ଯ୍ୟର ସହାୟକ ନା ଶତ୍ରୁ, ସେ ସମ୍ପର୍କରେ ମତହୈଧ ରହିଛି । ପଢ଼ିଥିଲେ ଜଣେ କବି ଅଧିକାଂଶ ସମୟ ଏହି ସ୍ତମ୍ଭସ୍ଥିତ ରେସ୍ତୋରାଁରେ ବସିରହି ଲେଖାଲେଖି କରୁଥାନ୍ତି । ଦିନେ ତାଙ୍କର ଜଣେ ବନ୍ଧୁ ତାଙ୍କୁ କହିଲେ, “ତୁମକୁ ଇଫେଲ ଟାୱାର ବଡ଼ ଭଲ ଲାଗେ,ନୁହେଁ ?”

 

“ଭଲ ଲାଗେ ? ମୁଁ ଏଠାରେ ବସିବାର କାରଣ ଏଇଟା ହେଲା ପ୍ୟାରିସ୍‍ର ଏକମାତ୍ର ସ୍ଥାନ, ଯେଉଁଠାକୁ ଟାୱାରର ଅସହ୍ୟ ଦୃଶ୍ୟ ଦେଖାଯାଏ ନାହିଁ ।” ଉତ୍ତର ଦେଲେ କବି ।

 

ଫେରିବା ବେଳକୁ ମଝିରାସ୍ତାରେ ଆମ କାର୍ ଅଟକି ରହିଲା । ଟ୍ରାଫିକ୍ ଜାମ୍ । ଅଧଘଣ୍ଟାଏ ବିତିଗଲା । ରାତିରେ ଜାକ୍ସ ନେଇ ଛାଡ଼ିଲେ ଜଣେ ବନ୍ଧୁଙ୍କ ଘରେ । ପରଦିନ ସକାଳେ ସେ ମୋ ହୋଟେଲକୁ ଆସି ମୋତେ ନେଇ ବିମାନବନ୍ଦରରେ ଛାଡ଼ିବାର ପ୍ରତିଶ୍ରୁତି ଦେଲେ । ନୈଶ-ଭୋଜନ ପରେ ମୋର ବନ୍ଧୁଟି ମୋତେ ମାଟିତଳ ରେଳଗାଡ଼ିରେ ଆଣି ମୋ ହୋଟେଲରେ ଛାଡ଼ିଦେଇ ଯିବା କଥା । ସକାଳେ ତ ଯିବି ଜାକ୍‌ସଙ୍କ ଗାଡ଼ିରେ । ହୋଟେଲର ପ୍ରାପ୍ୟ ଦେଇସାରିଥିଲି । ଅତଏବ ମୋ ପାଖରେ ଥିବା ଉଦ୍‌ବୃତ୍ତ ଅଳ୍ପ କିଛି ଫରାସୀ ମୁଦ୍ରା । ଆଉ କିଛି କାମ ଦେବ ନାହିଁ ବିଚାରି ଜିଦ୍ କରି ସେତକ ଜାକ୍‌ସଙ୍କ ପକେଟରେ ପୂରାଇଦେଲି ।

 

ସକାଳେ ଯେତେବେଳେ ଜାକ୍‌ସ ଆସିବା କଥା, ଚାହୁଁ ଚାହୁଁ ସେ ସମୟ ଉତ୍ତୀର୍ଣ୍ଣ ହୋଇଗଲା । ବିମାନବନ୍ଦରରେ ଶୀଘ୍ର ନପହଞ୍ଚିଲେ ନହୁଏ । ଉଦ୍‌ବିଗ୍ନ ହୋଇ ବସିଛି, ଟେଲିଫୋନ୍ ବାଜିଲା । ଜାକ୍ସ ! କଥା କ’ଣ ? ସେ ଟ୍ରାଫିକ୍ ଜାମରେ ପଡ଼ି ବାଟ ଅଧରେ ଅଟକି ରହିଛନ୍ତି । ପ୍ରାୟ ଘଣ୍ଟାଏ ହେଲାଣି । କେତେବେଳେ ମୁକୁଳିବେ ଠିକ୍ ନାହିଁ । ଟ୍ୟାକ୍ସି କରି ପଳାଅ-ତାଙ୍କ ଉପଦେଶ ।

 

କିନ୍ତୁ ପଇସା କାହିଁ ? ଜାକ୍‌ସ ହୋଟେଲ ମେନେଜରଙ୍କୁ ଫୋନ୍ କଲେ । ଭଦ୍ରଲୋକ ଟ୍ୟାକ୍ସି ଡାକି ଟଙ୍କା ଦେଇ ବସାଇଦେଲେ । ମୁଁ ବିମାନ-ବନ୍ଦରରେ ପହଞ୍ଚିବାର ଅଳ୍ପ ସମୟ ଭିତରେ ଜାକ୍‍ସ ବି ଆସି ପହଞ୍ଚିଗଲେ । ବିମର୍ଷ ହସି ସେ କହିଲେ, “ପ୍ୟାରିସ୍ ତମକୁ ଛାଡ଼ିଦେବାକୁ ଚାହୁଁ ନ ଥିଲା ପରା !”

 

ଛାଡ଼ି ନ ଦେବାର କି ପନ୍ଥା ! ସୁନ୍ଦରୀ ଅଭିନେତ୍ରୀ ସାରା ବାର୍ଣ୍ଣାଡ୍ ଯେତେବେଳେ ବୁଢ଼ୀ ହୋଇ ପାରିସ୍‌ର ଏକ ତିନିମହଲା ଘରେ ରହୁଥିଲେ, ସେତେବେଳେ ଜଣେ ଭଦ୍ରଲୋକ ତାଙ୍କୁ ଦେଖାକରିବାକୁ ଗଲେ । ଲିଫ୍‌ଟ ନଥିଲା । ଶିଡ଼ି ଚଢ଼ି ଧଇଁସଇଁ ହୋଇ ଭଦ୍ରଲୋକ ସାରାଙ୍କୁ କହିଲେ, “ଏମିତି ଅଖାଡ଼ୁଆ ତିନିମହଲାଟାରେ କାହିଁକି ରହୁଛ ?”

 

ସାରା ଉତ୍ତର ଦେଲେ, “ଲୋକଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇବା ପାଇଁ ମୋ ପାଖରେ ଏ ବୟସରେ ଅନ୍ୟ କିଛି ପନ୍ଥା ନାହିଁ !”

 

ପାରିସ୍ ବି କ’ଣ ବୃଦ୍ଧା ? ଟ୍ରାଫିକ୍ ଜାମ୍ ଭଳି ପନ୍ଥା ଛଡ଼ା ତା’ ପାଖରେ କ’ଣ ଅନ୍ୟ ଉପାୟ ନାହିଁ ବିଦେଶୀକୁ ଅଟକାଇବା ପାଇଁ ?

 

ଅଛି ନିଶ୍ଚୟ । ତେବେ ସେ ସୌନ୍ଦର୍ଯ୍ୟର ଆବିଷ୍କାର ସମୟ ତଥା ଅଧିକ ଦରଦୀହୃଦୟସାପେକ୍ଷ ।

 

ପଣ୍ଡିଚେରୀର ବାସିନ୍ଦାମାନଙ୍କୁ ଆପାତତଃ ପ୍ରତିବର୍ଷ ଥରେ ଥରେ ବାସ୍ତିଲ୍ ପତନ କଥା ମନେପକାଇବାକୁ ହୁଏ । ଜୁଲାଇ ୧୪ ଦିନ ଫରାସୀ ନାଗରିକତ୍ଵ ଆଦରିଥିବା ସ୍ଥାନୀୟ ଲୋକେ ରାସ୍ତାରେ ନାଚ ଗାନ କରନ୍ତି । ଭଲ କଥା ! ଖାଲି ଶୋଚନା ଏତିକି, ବିପ୍ଳବର ଆରମ୍ଭ-ବିନ୍ଦୁ ଭାବରେ ଯେଉଁ ବାସ୍ତିଲ୍-ପତନ ଫରାସୀ ଇତିହାସରେ ମୁକ୍ତିର ସ୍ମାରକୀ, ପଣ୍ଡିଚେରୀ ଇତିହାସର ପଟ୍ଟଭୂମିରେ ସେ ଦିବସ ପାଳନ ଭାରତରେ ଫରାସୀ ଔପନିବେଶିକତାର ସ୍ମାରକୀ !

Image

 

ପରିଚ୍ଛେଦ : ଅଠର

ବାଭାରିଆ: ପ୍ରଥମ ତୁଷାରପାତ

 

ପ୍ୟାରିସ୍ ଛାଡ଼ିବାବେଳେ ଆକାଶ ଥିଲା ମେଘାଚ୍ଛନ୍ନ । ପ୍ରସ୍ତ ପ୍ରସ୍ତ ମେଘ ଭିତରେ ସନ୍ତରଣ କରି ଯେତେବେଳେ ବିମାନ ମ୍ୟୁନିକରେ ଅବତରଣ କଲା, ସେତେବେଳେ ମୃଦୁ ସୂର୍ଯ୍ୟସ୍ନାତ କୋମଳ ଦ୍ୱିପ୍ରହର । ବନ-ପର୍ବତ-ଅଧୂଷିତ ପ୍ରାଚୀନ ବିଭାରିଆ ରାଜ୍ୟର ରାଜଧାନୀ ମ୍ୟୁନିକ୍—ଜର୍ମାନ ନାମ ମୁଞ୍ଚେନ୍ ।

 

ପର୍ଯ୍ୟଟକମାନଙ୍କର ଜର୍ମାନ ଭ୍ରମଣ ସୂଚୀରେ ଥାଏ ବର୍ଲିନ୍‌ ବା ହାମ୍‌ବୁର୍ଗ; ମ୍ୟୁନିକ୍ ନୁହେଁ । ଅଥଚ ଅମାପ ଏ ମ୍ୟୁନିକ୍‌ର ସୌନ୍ଦର୍ଯ୍ୟ; ଐତିହାସିକ ତାତ୍ପର୍ଯ୍ୟ ଅପରିସୀମା । ବର୍ଲିନ୍‌ ଓ ହାମ୍‌ବୁର୍ଗ ପରେ ଜର୍ମାନୀର ଏଇ ତୃତୀୟ ବୃହତ୍ତମ ମହାନଗରୀର ଜନସାଧାରଣ ପ୍ରାଚୀନ ସଂସ୍କୃତିବନ୍ତ ରାଜ୍ୟ ବାଭାରିଆର ଅଧିବାସୀ । ବର୍ଲିନ୍ ଭଳି ସହରରେ ଅଟ୍ଟାଳିକାମାଳା ଓ ପ୍ରଖର ଯାନ୍ତ୍ରିକତା ଭିତରେ ମଣିଷକୁ ବା ଜର୍ମାନ ମାଟିକୁ ଖୋଜି ପାଇବା ସହଜ ନୁହେଁ । ମ୍ୟୁନିକ୍ ଆସିବାକୁ ସ୍ଥିର କରି ସେ ଦୃଷ୍ଟିରୁ ଠିକ କାମ କରିଥିଲି ।

 

ପ୍ରଶସ୍ତ ବିମାନବନ୍ଦରର ସ୍ୱୟଂଚାଳିତ କାଚଦ୍ୱାର ଆରପଟେ ଉପସ୍ଥିତ ଥିଲେ ଶ୍ରୀମତୀ ଏଲିଜାବେଥ୍ ବେକ୍; ଲେଖିକା, ଅନୁବାଦିକା ଓ ଭାରତ-ବିଦ୍ୟାବିଦ୍ (Indologist) । ଆମ କୋଣାର୍କ ଉପରେ ଜର୍ମାନୀରେ ସେ ଜଣେ ଅଥରିଟି । ଭାରତର ଅଧିକାଂଶ ବିଖ୍ୟାତ ମନ୍ଦିର, ଦୁର୍ଗର ଟିକିନିଖି ବିଶେଷତ୍ୱ-ସମ୍ବଳିତ ଯେଉଁ ସହସ୍ର ଆଲୋକଚିତ୍ର ତାଙ୍କ ସ୍ୱାମୀ ଆର୍ଣ୍ଣେଷ୍ଟ ବେଗ୍ ତୋଳି ରଖିଛନ୍ତି, ତାହା କେତେ ଜଣ ଭାରତୀୟ ରସିକ କରିଥିବେ ମୁଁ ଜାଣେନା ।

 

ତରୁଛାୟାଶୀତଳ ପ୍ରଶସ୍ତ ପଥରେ କାର୍ ଚଳାଇ ଏଲିଜାବେଥ୍ ମତେ ନେଇଗଲେ ସହରର ଏକ ଅଭିଜାତ ଅଞ୍ଚଳକୁ । ତହିଁ ଇସାର୍ ନଦୀକୂଳରେ ନିବିଡ଼ ତୋଟା । ତୋଟା ଆଗରେ ତାଙ୍କ ଘର । ଆମକୁ ସ୍ୱାଗତ କଲେ ଆର୍ଣ୍ଣେଷ୍ଟ୍ ଓ ସେମାନଙ୍କ ସେହ୍ନର ସାରମେୟ । ଏଭଳି ଭଦ୍ର, ନିଜ ମନୋଭାବ ପ୍ରକାଶରେ ଏଭଳି ପଟୁ କୁକୁର ଆଉ ଦ୍ଵିତୀୟ ଦେଖି ନାହିଁ । କାର୍ଟୁନିଷ୍ଟ ଓ କଲ୍ୟୁମ୍‌ନିଷ୍ଟ ଏମେରି କେଲେନ୍ ଲେଖିଛନ୍ତି, କାହାର ଘରକୁ ପ୍ରଥମେ ଗଲେ ସେ ଆଗେ ଲକ୍ଷ୍ୟ କରନ୍ତି ସେ ଘରର କୁକୁରର ବ୍ୟବହାର । କୁକୁରର ଗର୍ଜନ, ଆକ୍ରମଣ ଉଦ୍ୟମ, ବିରକ୍ତି ଅଥବା ଆଗ୍ରହ, ହର୍ଷରୁ ଅନ୍ଦାଜ କରିନିଅନ୍ତି ତା ଖାଉନ୍ଦର ଚରିତ୍ର । ଗୃହସ୍ୱାମୀ ଉପରକୁ ବଡ଼ ସଦାଶୟ ଦେଖାଯାଇ ପାରନ୍ତି; କିନ୍ତୁ ତାଙ୍କ କୁକୁର ତାଙ୍କ ଅସଲ ମନୋଭାବର ଅଭିବ୍ୟକ୍ତି ଦେବାକୁ ହିଁ ଶିଖିଯାଇଥାଏ ।

 

ଆର୍ଣ୍ଣେଷ୍ଟ୍ ଓ ଏଲିଜାବେଥ୍‌ଙ୍କ କୁକୁରର ନାମ ‘ତାରା’ । ଏହି ଭାରତ-ବନ୍ଧୁ ଦମ୍ପତିଙ୍କର ସବୁ କାରବାରରେ ଭାରତ-ଅନୁରାଗ ସ୍ପଷ୍ଟ । ସେମାନେ ସେତିକିବେଳେ ସୁଇଜରଲ୍ୟାଣ୍ଡ୍‌ର ଏକ ଜନବିରଳ ପାର୍ବତ୍ୟ ଅଞ୍ଚଳରେ ଘରଟିଏ ତିଆରି କରିଥିଲେ । ତା’ର ନାମ ଦେଇଥିଲେ ‘ଗରୁଡ଼’ ।

 

ଶେଷ ଅପରାହ୍ନ ବେଳକୁ ଆମେ ବାହାରିଲୁ ସହର ପ୍ରଦକ୍ଷିଣ ପାଇଁ । ଏକଦା ମଧ୍ୟଯୁଗୀୟ ଇମାରତ ଓ ଭାସ୍କର୍ଯ୍ୟରେ ଜର୍ମାନୀର ସମୃଦ୍ଧତମ ସହର ଥିଲା ମ୍ୟୁନିକ୍ । କିନ୍ତୁ କେତୋଟିକୁ ଛାଡ଼ିଦେଲେ ସେ ସବୁ ଭାସ୍କର୍ଯ୍ୟର ଚିତ୍ରମାନ ମାତ୍ର ଆଜି ଦେଖିବାକୁ ମିଳେ । ଦ୍ୱିତୀୟ ମହାଯୁଦ୍ଧରେ ମ୍ୟୁନିକର ଆର୍ଦ୍ଧାଧିକ କୋଠା ଧୂଳିସାତ ବା ଜଖମ ହୋଇଥିଲା । ଆଜିର ମ୍ୟୁନିକ୍ ତେଣୁ ନୂତନ ନଗରୀ ।

 

ଏଇ ନଗରୀ ଯେଉଁ ରାଜ୍ୟର ରାଜଧାନୀ, ସେହି ବାଭାରିଆ ମ୍ୟୁନିକ୍‌ର ଏକ ସୀମାନ୍ତବର୍ତ୍ତୀ ସହରରେ ଜନ୍ମିଥିଲେ ହିଟଲର୍ । ମ୍ୟୁନିକରେ ହିଁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଜୀବନ । ଜୀବନରେ ପ୍ରଥମ ଥର ପାଇଁ ପହଚିଁ‌ବାବେଳର ସେ ପୁଲକ ସେ ବର୍ଣ୍ଣନା କରିଛନ୍ତି ତାଙ୍କର ବିଖ୍ୟାତ ବା କୁଖ୍ୟାତ ଜୀବନୀ Mein Kempf ରେ : “ଅବଶେଷରେ ୧୯୧୨ ମସିହାର ବସନ୍ତରେ ପହଞ୍ଚିଲି ମ୍ୟୁନିକରେ । ସହରର ବାତାବରଣ ଏଡ଼େ ଅନ୍ତରଙ୍ଗ ଲାଗିଲା ଯେ ମୁଁ ଯେମିତି ଜୀବନର ବହୁ ବର୍ଷ ସେଠାରେ କଟାଇଛି । ଏହାର କାରଣ, ସ୍ଥାପତ୍ୟବିଦ୍ୟା ଅନୁଶୀଳନ ଫଳରେ ଜର୍ମାନ ସ୍ଥାପତ୍ୟର ଏଇ ରାଜଧାନୀ ହୋଇଉଠିଥିଲା ମୋ ଆଗ୍ରହର କେନ୍ଦ୍ରସ୍ଥଳ । ଜର୍ମାନୀକୁ ଜାଣିବାକୁ ହେଲେ ଜଣେ ମ୍ୟୁନିକ ନଗରୀକୁ ଜାଣିବା ଦରକାର । ଆଉ ମ୍ୟୁନିକ ନ ଦେଖି ଜର୍ମାନ-କଳା ସମ୍ପର୍କରେ କିଛି ଜ୍ଞାନ ଆହରଣ କରିବା ଅସମ୍ଭବ ।”

 

ମ୍ୟୁନିକ୍ ଆସି ହିଟଲର୍ ଏକ ସୈନ୍ୟବାହିନୀରେ ଯୋଗଦେଇଥିଲେ । ସେ ଆତ୍ମଜୀବନୀରେ ଲେଖିଛନ୍ତି: “ପଦାତିକ ବାହିନୀର ଛାଉଣୀରେ, ଗୋଟାଏ ଛୋଟିଆ କୋଠରୀରେ ମୁଁ ରହୁଥାଏ । ଦିନଯାକ ବାହାରେ କାଟୁଥାଏ; ରାତିରେ କୋଠରିକୁ ଫେରୁଥାଏ । ପ୍ରତ୍ୟୁଷରେ ମୋ ଘର ଚଟାଣରେ କେତୋଟି ମୂଷା ଖେଳୁଥିବା ଦେଖି ଖୁସି ଲାଗେ । ମୁଁ ଆଗରୁ ଶୁଖିଲା ରୁଟି ଟୁକୁଡ଼ା କେତେ ଖଣ୍ଡି ଚଟାଣରେ ପକାଇଦେଇଥାଏ । ତାକୁ ନେଇ ସେ ଟିକିଟିକ ଜୀବଟିମାନ କେତେ ମଉଜ ମଜଲିସ କରନ୍ତି । କ୍ଷୁଧା କଣ, ଅଭାବ କଣ, ସେ ସବୁ ଉତ୍ତମରୂପେ ଅଙ୍ଗେ ନିଭେଇଥିବାରୁ ସେମାନଙ୍କର ସେ ଉଲ୍ଲାସ ବେଶ୍ ହୃଦୟଙ୍ଗମ କରିପାରୁଥିଲି ।”

 

ସେଦିନର ଏଇ ଦରଦୀ, ତରୁଣ ଶିଳ୍ପୀ ହିଟଲର ସେ ବର୍ଷ କେତୁଟା ଭିତରେ ବନିଯିବେ ଜର୍ମାନୀର ଫୁଏରର୍, ବନିଯିବେ ଇତିହାସର ନୃଶଂସତମ ଏକଚ୍ଛତ୍ରବାଦୀ, ସେକଥା ବା କିଏ କଳ୍ପନା କରନ୍ତ । ? ‘ମଣିଷ ଗାଈ’ର ଯଦି ଦଇବ ହିଁ ସର୍ବଦା ଦଉଡ଼ି ହୋଇଥାନ୍ତା, ତେବେ କ୍ଷୋଭର କଥା ନ ଥିଲା । କିନ୍ତୁ ଅନେକ ସମୟରେ ଭୟାବହ, ପୌଶାଚିକ ଶକ୍ତିମାନ ସେ ଦଉଡ଼ିର ଭୂମିକା ତୁଲାଇଥାନ୍ତି ।

 

୧୯୨୩ ମସିହାରେ ପ୍ରଥମରେ ଫ୍ରାନ୍ସ ଜର୍ମାନୀ ଆକ୍ରମଣ କରି କିୟଦଂଶ ଅଧିକାର କରିନେଇଥାଏ । ଦେଶବ୍ୟାପୀ ସୃଷ୍ଟି ହୋଇଥାଏ ବିଶୃଙ୍ଖଳା ଓ ଜାତୀୟତାବୋଧର ଘୋର ଅଭାବ-। ସେତିକିବେଳେ ଅଭିଜାତ ବାଭାରିଆ ରାଜ୍ୟର କେତେକ ନେତା ବାଭାରିଆକୁ ଏକ ସ୍ୱାଧୀନ ରାଷ୍ଟ୍ରରୂପେ ଜାହିର୍ କରିବାକୁ ବସିଥାନ୍ତି । ସେହି ଗୋଷ୍ଠୀର ଜଣେ ନେତାଙ୍କ ସଭା ଭିତରକୁ ଦିନେ ସବାନ୍ଧବେ ଝଡ଼ବେଗରେ ପଶିଯାଇ ସବୁ ଲଣ୍ଡଭଣ୍ଡ କରିଦେଲେ ହିଟଲର୍ । ତାହା ହିଁ ହେଲା ତାଙ୍କ ରାଜନୈତିକ କାର୍ଯ୍ୟକଳାପର ପ୍ରକାଶ୍ୟ ଆରମ୍ଭ । ସେ ଥିଲେ ଅବିଭକ୍ତ ଜର୍ମାନ-ଜାତୀୟତାର ବାର୍ତ୍ତାବହ । ଜାତୀୟତାବୋଧ ଏହି ପର୍ଯ୍ୟାୟ ପର୍ଯ୍ୟନ୍ତ ଏକ ଉଚିତ ଆଦର୍ଶ । କିନ୍ତୁ ହିଟଲରଙ୍କ ଭିତରେ ତାହାର ଉଗ୍ରତମ ପ୍ରକାଶ ଘଟିଥିଲା ଅଚିରେ । ତାଙ୍କ ଜାତି ହିଁ ଶ୍ରେଷ୍ଠ ଜାତି; ନିଜ ସ୍ଵଜାତିର ଯିଏ ଏ ତତ୍ତ୍ୱର ବିରୋଧ କରୁଛି ତାକୁ ନିପାତ କର । ସମୂଳେ, ନିପାତ କର ସେ ଜାତିର ଗୌରବ ଓ ଅଭିବୃଦ୍ଧିରେ ପ୍ରତିଦ୍ୱନ୍ଦିତା କରୁଛି ଯେଉଁ ଇହୁଦୀ ସଂପ୍ରଦାୟ । (ତାଙ୍କ ନିର୍ଦ୍ଦେଶରେ, ଅକଥନୀୟ ନିର୍ଯାତନା ଭିତରେ ମରିଥିଲେ ଅନ୍ତତଃ ଷାଠିଏ ଲକ୍ଷ ଇହୁଦୀ ।) ସାରା ପୃଥିବୀ ଶାସନ କରିପାରେ ଏକମାତ୍ର ତାଙ୍କର ଜାତି ।

 

୧୯୨୩ ନଭେମ୍ବରରେ ହିଟଲରଙ୍କ ନେତୃତ୍ୱରେ ମ୍ୟୁନିକ୍ ରାଜପଥରେ ଆଗଭର ହେଉଥିଲେ ଏକ ସଶସ୍ତ୍ର ଶୋଭାଯାତ୍ରା । ବାଭାରିଆ ସୈନ୍ୟବାହିନୀ ଗୁଳି ଚଳାଇଲେ । ଷୋହଳ ଜଣ ମଲେ । ସେହିମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ହିଟଲର୍ ତାଙ୍କ ଆତ୍ମଜୀବନୀ ଉତ୍ସର୍ଗ କରିଛନ୍ତି ।

ମ୍ୟୁନିକ୍ ନଗରୀରେ ଏକ ପରେ ଏକ ପଥ ଅତିକ୍ରମ କଲାବେଳେ ହିଟଲର୍ ଓ ମହାଯୁଦ୍ଧ ସମ୍ପର୍କରେ ବହୁ କଥା ପଚାରି ବୁଝିନେବାକୁ ମନହେଉଥାଏ । କିନ୍ତୁ ଅନ୍ୟଥା ଉଦାର, ଅତି ଖୋଲା ଆର୍ଣ୍ଣେଷ୍ଟ ସେସବୁ କଥା ପଡ଼ିବା ମାତ୍ରେ ଷ୍ଟିଅରିଂକୁ ଆଉ ଟିକିଏ ଜୋରେ କୁଣ୍ଡାଇ ଧରି ରାସ୍ତା ଉପରେ ଅଧିକ ମାତ୍ରାରେ ମନୋଯୋଗ ଦେଉଥିଲେ । ଏଲିଜାବେଥ ସଂକ୍ଷିପ୍ତ ଉତ୍ତର ଦେଇ ହଠାତ୍ ତାରା ସହିତ ଗପସପ ଆରମ୍ଭ କରିଦେଉଥିଲେ । ବୁଝିଲି, ସେ ସବୁ ସ୍ମୃତି ଏବେ ବି ସେମାନଙ୍କ ପକ୍ଷରେ ବେଦନାଦାୟକ ।

ସେଦିନ ରାତିରେ ‘ଇଣ୍ଡିଆ ଏସୋସିଏସନ୍’ର ଏକ ସଭା ହେଉଥାଏ । ଅନୁଷ୍ଠାନର ସମସ୍ତ ସଭ୍ୟ ଜର୍ମାନ୍ । କିନ୍ତୁ କେବଳ ସେହିମାନେ, ଯେଉଁମାନେ ବାସ୍ତବିକ ଭାରତ ବିଷୟରେ ଆଗ୍ରହୀ, ପ୍ରାୟ ଦୁଇଶହ ଶ୍ରୋତା ଉପସ୍ଥିତ ଥିଲେ । ଭାରତ-ପ୍ରତ୍ୟାଗତା ଜଣେ ଜର୍ମାନ ମହିଳା ସାଂପ୍ରତିକ ଭାରତ ସମ୍ପର୍କରେ ଭାଷଣ ଦେଉଥିଲେ । ଏଲିଜାବେଥ୍ ଏହି ଆସୋସିଏସନର ସେକ୍ରେଟାରୀ । କିଛି ବୁଝୁ ନ ଥିଲେ ବି ସମ୍ମାନିତ ଅତିଥି ସାଜି ଗମ୍ଭୀର ହୋଇ ବସିରହିଲି । ମହିଳାଟି ମୋତେ ସମ୍ବୋଧନ କରି ଭାଷଣ ଆରମ୍ଭ କଲେ । ତେବେ ଏଲିଜାବେଥ୍ ମୋ ପାଇଁ ସେ ଭାଷଣ ତଥା ପରବର୍ତ୍ତୀ ପ୍ରଶ୍ନୋତ୍ତରର ଯେଉଁ ମର୍ମାନୁବାଦ କରିଦେଲେ, ସେଥିରୁ ବୁଝିଲି ସେ ଆଲୋଚନା ଥିଲା ଖୁବ୍ ଉଚ୍ଚକୋଟୀର ।

ସକାଳେ ବସାର ଅଦୂରବର୍ତ୍ତୀ ଏକ ପାର୍କରେ ବୁଲୁ ବୁଲୁ ଏଲିଜାବେଥ୍ ପଚାରିଲେ, “ଥମାସ୍‌ମାନଙ୍କ ନାମ ଶୁଣିଛ ?” ମୁଁ କହିଲି, “ଶୁଣିଛି ମାନେ ? ଇଂରାଜୀ ଅନୁବାଦ ଜରିଆରେ ତାଙ୍କ ଲେଖା ସହ ଆମେ ସୁପରିଚିତ ।” ଗୋଟିଏ ଏକଣା ଘରକୁ ଦେଖାଇ ସେ କହିଲେ, “ଏଇଟା ଥିଲା ତାଙ୍କ ଘର; ବର୍ତ୍ତମାନ ତାଙ୍କ ସ୍ମୃତିରେ ସଂରକ୍ଷିତ ।”

୧୯୨୯ରେ ସାହିତ୍ୟରେ ନୋବେଲ ପୁରସ୍କାରପ୍ରାପ୍ତ ଥମାସ୍‌ମାନଙ୍କ ବଡ଼ ଗଳ୍ପ The Trans-posed Head ସହ ବିଶେଷ ପରିଚୟ ଥିଲା । ‘କଥା ସରିତ୍ ସାଗର’ର ଯେଉଁ କାହାଣୀର ଅବଲମ୍ବନରେ ସେ ଗଳ୍ପଟି ଲେଖିଥିଲେ ତାହା ବେଶ୍ ଜଣାଶୁଣା । ଏକ କନ୍ୟାର ଜୀବନରେ ସେ ଗଳ୍ପଟି ଲେଖିଥିଲେ, ତାହା ବେଶ ଜଣାଶୁଣା । ଏକ କନ୍ୟାର ଜୀବନରେ ଦେଖାଦେଲା ଅଭାବନୀୟ ସଙ୍କଟ । ତା ସ୍ଵାମୀର ଦେହ ଉପରେ ତା ଭାଇର ମୁଣ୍ଡ ଓ ଭାଇର ଦେହ ଉପରେ ସ୍ୱାମୀର ମୁଣ୍ଡ ଯୋଡ଼ିହୋଇଗଲା । ବେତାଳ ବିକ୍ରମାଦିତ୍ୟଙ୍କୁ ପ୍ରଶ୍ନ କଲା “କାହାକୁ ସେ କନ୍ୟା ସ୍ୱାମୀ ରୂପେ ଗ୍ରହଣ କରିବ ?” ବିକ୍ରମ ଉତ୍ତର ଦେଲେ, “ମୁଣ୍ଡ ହିଁ ମଣିଷର ବ୍ୟକ୍ତିତ୍ୱ । ଅତଏବ ତା’ ସ୍ୱାମୀର ମୁଣ୍ଡ ସମନ୍ୱିତ ବ୍ୟକ୍ତି ହିଁ ତାର ସ୍ୱାମୀ ।”

ହିଟଲର୍ କ୍ଷମତାକୁ ଆସିବା ପରେ ଥମାସ୍‌ମାନ୍ ବିଦେଶ ପଳାଇଥିଲେ; ହିଟଲର୍‌ର ପତନ ପରେ ସ୍ୱଦେଶକୁ ବାହୁଡ଼ିଥିଲେ ଓ ପ୍ରଚୁର କ୍ଷତିପୂରଣ ବି ପାଇଥିଲେ । ତଥାପି ଶେଷ ପର୍ଯ୍ୟନ୍ତ ହିଟଲର୍‌କୁ ସହ୍ୟ କରୁଥିବା ହେତୁ ସେ ତାଙ୍କ ସ୍ୱଦେଶବାସୀଙ୍କୁ କ୍ଷମା କରିନଥିଲେ ।

ଉପରଓଳି ଆମେ ଚାଲିଲୁ ସହର ବାହାରକୁ । ପୃଥିବୀର କୌଣସି ମହାନଗରୀକୁ ବେଷ୍ଟନ କରି ଏତେ ପାଖରେ ଏଭଳି ବ୍ୟାପକ ଅରଣ୍ୟ ନଥିବ । ମାଇଲ-ମାଇଲବ୍ୟାପୀ ତୁଙ୍ଗ ସବୁଜିମା; ତୁଙ୍ଗତର ପର୍ବତର ଶିଖର-ଆଲପସ୍ ପର୍ବତମାଳାର ଉତ୍ତରାଂଶ । ପଥ ପ୍ରାନ୍ତରେ ଦେଖାଦେଇ ଅଦୃଶ୍ୟ ହୋଇ-ଯାଉଥାନ୍ତି ସୁନ୍ଦର ହରିଣଟିମାନ । ଅସ୍ତ-ସୂର୍ଯ୍ୟର ଆଭ୍ରା ନମ୍ର କୁହେଳି ସହ ମିଶି ବନ ପର୍ବତ ଉପରେ ସୃଜିଥାଏ ଅବ୍ୟକ୍ତ କବିତା ।

“ଦିଗନ୍ତର ସେ ପର୍ବତଶିଖର ଏତେ ଶୂଭ୍ର କିଆଁ ?” ମୁଁ ଅନ୍ୟମନସ୍କ ଭାବରେ ପଚାରିଦେଲି । ହସିଉଠିଲେ ଆର୍ଣ୍ଣେଷ୍ଟ ଓ ଏଲିଜାବେଥ୍ । “ଏ ପ୍ରଶ୍ନ ଜୀବନରେ ଆମେ ପ୍ରଥମ ଥର ପାଇଁ ଶୁଣିଲୁ ।” —ତୁଷାରପାତ ପ୍ରତି ଅଭ୍ୟସ୍ତ ଏଲିଜାବେଥ୍ କହିଲେ । ତା’ପରେ ବୁଝିଲି, ପୂର୍ବ ରାତିରେ ହୋଇଥିଲା ମ୍ୟୁନିକ୍ ଉପକଣ୍ଠରେ ସେ ବର୍ଷର ତୁଷାରପାତ । ପୁଲକିତ ହେଲି । ତୁଷାର-ଋତୁର ଆଗମନ ପୂର୍ବରୁ ହିଁ ୟୁରୋପ ଛାଡ଼ିବାକୁ ବସିଥିଲି । ହୁଏତ ମୋ କୌତୁହଳ ଚରିତାର୍ଥ କରିବା ପାଇଁ ୠତୁ-ଆତ୍ମା ଟିକିଏ ଆଗତୁରା ମୁଁ ସେଠାରେ ପହଞ୍ଚିବା ମାତ୍ରେ ତୁଷାରପାତର ବ୍ୟବସ୍ଥା କରିଥିଲା !

 

କେତୋଟି ଶାନ୍ତ, ପ୍ରାଚୀନ ପଲ୍ଲୀ ଅତିକ୍ରମ କରି ଅଚିରେ ଆମେ ପହଞ୍ଚିଲୁ ଏକ ବିସ୍ତୃତ, ଜନଶୂନ୍ୟ ଜଳାଶୟ ଅଞ୍ଚଳରେ । ଜଳାଶୟ ସେପାରିରେ ପର୍ବତ-ମାଳା । ମଝିରେ ବସତି ସମ୍ବଳିତ କ୍ଷୁଦ୍ର ଦ୍ଵୀପ । ପ୍ରକୃତିର ଅପରୂପ ଔଦାର୍ଯ୍ୟ । ପୁଣି ଆମ ଗାଡ଼ି ଛୁଟିଲା ଆହୁରି ଆଗକୁ । ଆୟୁତ ଫାର୍ ବୃକ୍ଷ ଶୋଭିତ ତୁଷାରାବୃତ ଏକ ପର୍ବତର ପାଦଦେଶରେ ଆମେ ପହଞ୍ଚିଲୁ । ସେଠାରୁ ବିଦ୍ୟୁତ୍‌ ତାର ଦେହରେ ଖଞ୍ଜା ହୋଇଛି ଟେଲିକ୍ୟାବିନ୍ ସେଦିନ ପାଇଁ ବ୍ୟବସ୍ଥା ବନ୍ଦ ହେବାକୁ ଯାଉଥାଏ । କିନ୍ତୁ ଆର୍ଣ୍ଣେଷ୍ଟଙ୍କ ଅନୁରୋଧରେ ସେ ଦିନର ଶେଷ ଯାତ୍ରୀ ରୂପେ ମୋତେ ଓ ତାକୁ ନେଇ କ୍ୟାବିନ ହେଲିକୋପ୍‌ଟର ଭଳି ଉପରକୁ ଉଠିଲା । ଏଲିଜାବେଥ୍ ଓ ତାରା ଅପେକ୍ଷା କଲେ ତଳେ ।

 

ସହସ୍ର ସହସ୍ର ତନ୍ଦ୍ରାବିଷ୍ଟ ଫାର୍ ବୃକ୍ଷର ସ୍ପର୍ଶ ଭିତର ଦେଇ ଆମ ଯାନ ଉପରକୁ ଉଠି ଚାଲିଥାଏ । ନୀରବତାର, ନିର୍ଜନତାର ସେ ରୂପ ଅବର୍ଣ୍ଣନୀୟ । କ୍ରମେ ଅଦୂରର ପଥ, ପ୍ରାନ୍ତର, ଜଳାଶୟ ଓ ଦୂରବର୍ତ୍ତୀ ସହରତଳି ଅଞ୍ଚଳ ବିସ୍ତୃତତର ଦେଖାଯାଇ ତା’ପରେ କୁହେଳି ଭିତରେ ଲୁଚିଗଲେ । ଟେଲିକ୍ୟାବିନ ଯାଇ ପର୍ବତଶିଖରରେ ପହଞ୍ଚିଲା । ଯେତେ ଦୂର ଦୃଷ୍ଟି ଯାଇପାରେ-ଅରଣ୍ୟ ଓ ତୁଷାର-ସବୁଜ ଓ ଶୁଭ୍ର । ସେତେବେଳ ବି ମନ୍ଦ ମନ୍ଦ ତୁଷାରକଣା ବର୍ଷୁଥାଏ ।

 

“ପ୍ରଥମ ତୁଷାରପାତ ବେଳେ ଆମେ ଏମିତି କରୁ ।” କଥା ଶେଷ ହେବା ପୂର୍ବରୁ ସଦ୍ୟ ସଫେଦ ତୁଷାରରେ ପେଣ୍ଡୁଟାଏ ବନାଇ ଆର୍ଣ୍ଣେଷ୍ଟ ମୋ ଉପରକୁ ଫୋପାଡ଼ି ସାରିଥିଲେ । ଅବିଳମ୍ବେ ମୁଁ ତାର ପ୍ରତ୍ୟୁତ୍ତର ଦେଲି । ଲୋକଲୋଚନର ଅଗୋଚରରେ, ଉଦାର ପ୍ରକୃତି-ମାତାର ଶୀର୍ଷଦେଶରେ ହଠାତ୍ ଆମେ ଦୁଇ ବୟସ୍କ ଲୋକ ଚପଳ ଶିଶୁ ବନିଗଲୁଁ—ବନିଗଲୁ ଚିରଦିନ ପାଇଁ ଅନ୍ତରଙ୍ଗ ।

 

ମନେହୋଇଥିଲା, ସେ ଏକ ପରୀ-ରାଇଜ । ସେଦିନ ବଡ଼ ବାସ୍ତବ ଭାବରେ ଅନୁଭବ କରିଥିଲି ତୁଷାରର ଏକ ଆତ୍ମସତ୍ତା ରହିଛି । ଶ୍ରୀମା’ ଥରେ ଗୋଟାଏ ଘଟଣା ବର୍ଣ୍ଣନା କରିଥିଲେ; ଆଲଜେରିଆର ଏକ ଅଞ୍ଚଳରେ ଦିନେ ରାତିରେ ଜଣେ ମହିଳା ସ୍ଵପ୍ନ ଦେଖିଲେ, କେତୋଟି ସୁନ୍ଦର ଟିକି ପରୀ ତାଙ୍କ କୋଠରୀ ଭିତରେ ଆସି ଖେଳୁଛନ୍ତି । ସେମାନେ ସେମାନଙ୍କୁ ପରିଚୟ ଦେଲେ,ସେମାନେ ତୁଷାରର ସତ୍ତା (Being)

 

ତୁଷାର ? କିନ୍ତୁ ସେ ଅଞ୍ଚଳରେ ତ ତୁଷାର ପଡ଼େନାହିଁ ! କିନ୍ତୁ ମହିଳାଙ୍କୁ ସେ ସତ୍ତାମାନେ ବୁଝାଇଦେଲେ—ଅଦୂରର ପର୍ବତଶ୍ରେଣୀ ଉପରେ ଫାର୍ ଗଛମାନ ଆରୋହଣ କରି ତୁଷାରପାତକୁ ନିମନ୍ତ୍ରଣ କରାହୋଇଛି ।

 

ମହିଳା ଉଠି ଦେଖିଲେ, ତାଙ୍କ ଚଟାଣରେ କେତେ ବିନ୍ଦୁ ତୁଷାର । ସକାଳେ ସେ ଆବିଷ୍କାର କଲେ, ପର୍ବତଶ୍ରେଣୀ ଉପରେ ନବୋଦ୍‌ଗତ ଫାର୍ ଗଛମାନଙ୍କ ଶୀର୍ଷରେ ହୋଇଥିଲା ସେ ଅଞ୍ଚଳର ଇତିହାସରେ ପ୍ରଥମ ତୁଷାରପାତ !

 

ସନ୍ଧ୍ୟା ଘନ ହୋଇଆସୁଥିଲା । ଆମେ ପୁଣି ଟେଲିକ୍ୟାବିନ୍ ଆରୋହଣ କଲୁ । ଏଥର ଅବତରଣ । କ୍ରମେ କୁହେଳି ଭିତରୁ ସ୍ପଷ୍ଟ ହେଲା ଅଦୂରର ପଲ୍ଲୀ ପ୍ରାନ୍ତର; ଦେଖାଗଲା ଆମ କାର୍; ଦେଖାଗଲେ ଏଲିଜାବେଥ୍ ଓ ଆମ ଆକସ୍ମିତ ଅନ୍ତର୍ଦ୍ଧାନରେ ବିବ୍ରତ ତାରା । ନାଚିକୁଦି ଆମକୁ ସେ ଜଣାଇଲା ଉଦ୍ଦାମ ଅଭିବାଦନ ।

 

ମୋ ମ୍ୟୁନିକ୍ ଆଗମନ ସହ ଘଟିଥିଲା ଆଉ ଏକ ଅଭାବନୀୟ ଯୋଗାଯୋଗ । ସେତିକିବେଳେ ସେଠାରେ ଅନୁଷ୍ଠିତ ହେଉଥିଲା ପୃଥିବୀର ବୃହତ୍ତମ ବିଅର (Beer) ମେଳା—October Festival ! ବାଭାରିଆ ରାଜ୍ୟ ବିଅର୍ ପାନୀୟ ଉତ୍ପାଦନରେ ଅଦ୍ଵିତୀୟ । ମେଳା ପାଇଁ ଉଦ୍ଦିଷ୍ଟ ମୈଦାନରେ ବିଅର୍ ଉତ୍ପାଦକମାନେ ଖୋଲନ୍ତି ବିରାଟ ଷ୍ଟଲ୍‌ମାନ । ପ୍ରକାଣ୍ଡ ତମ୍ବୁମାନ ଭିତରେ ଶହ ଶହ ନରନାରୀ ବିଅର୍ ପାନ କରନ୍ତି, ପଟ୍ଟଭୂମିରେ ସଙ୍ଗୀତ ସହଯୋଗରେ । ଗୋଟିଏ ପ୍ରଶସ୍ତ ଷ୍ଟଲର ତୋରଣ ଉପରେ ଥାଏ ସେ ପ୍ରତିଷ୍ଠାନର ପ୍ରତୀକ ସିଂହର ଏକ ବିଶାଳ ବିଦ୍ୟୁତ୍‍ଚାଳିତ ମୂର୍ତ୍ତି । ପ୍ରତି ମିନିଟରେ ଥରେ ସିଂହଟି ପାନପାତ୍ର ଉପରକୁ ଟେକି ମୁହଁରେ ଲଗାଏ ଓ ସେତିକିବେଳେ ସିଂହନାଦରେ ଉଚ୍ଚାରଣ କରେ ସେ ବିଅର୍‍ର ନାମ !

 

ଉତ୍ସବରେ ବିଅର୍ ପ୍ରାଧାନ୍ୟ ଲାଭକଲେ ବି ତାହା କାଳକ୍ରମେ ପରିଣତ ହୋଇଛି ଏକ ଚିତ୍ତାକର୍ଷଣ ବହୁରୂପୀ ମେଳାରେ । ଲଣ୍ଡନ ସହର ତଳି ଅଞ୍ଚଳରେ ଗୋଟାଏ ମେଳାରେ ଦିନେ ବହୁତ ସମୟ ଅତିବାହିତ କରିଥିଲି । ଏଠାରେ ଅକ୍‍ଟୋବର ମେଳାରେ ବି ପୂରା ଦିବାର୍ଦ୍ଧଟିଏ ବିତାଇଲି । ମନେହେଉଥିଲା, ଦେଶ, ଜାତି, ବର୍ଣ୍ଣ ନର୍ବିଶେଷରେ ମେଳା ମାତ୍ରରେ ଦେଖିବାକୁ ମିଳେ ମଣିଷ ଭିତରର ଅସଲ ଶିଶୁକୁ । ଭାରତରେ ବୟସ୍କାମାନେ ଖେଳନା ଟ୍ରେନ୍, ଆନନ୍ଦଚକ୍ର (Merry-go-round) ଇତ୍ୟାଦି ଚଢ଼ିବାକୁ ସଂକୋଚ ବୋଧ କରନ୍ତି; ଅଥଚ ଲୋଭାତୁର ନୟନରେ ଅନାଇ ରହନ୍ତି । ପାଶ୍ଚାତ୍ୟରେ ସେ ସଂକୋଚବୋଧ ନାହିଁ । ଆବାଳ ବୃଦ୍ଧ ବନିତା ହରଷରେ ଏସବୁ ସୁଯୋଗର ସଦ୍‌ବ୍ୟବହାର କରନ୍ତି ।

 

ଆମେ ବି ଦୁଇ ଚାରି ଧରଣର ଅତିକାୟ ଘୂରନ୍ତ ଚକ୍ର ଆରୋହଣ କଲୁ । ଗୋଟାଏ ‘ଭୂତ ଘର’ ଭିତରେ ପଶିଲୁ । କିଟିକିଟି ଅନ୍ଧକାର ଭିତରକୁ ବିକଟଦର୍ଶନ ମୂର୍ତ୍ତିମାନ ରିକ୍‌ସାରେ ବସାଇ ନେଇଯିବେ । ସବୁ ବିଦ୍ୟୁତଚାଳିତ । ଭିତରେ ଅଚାନକ ଲୋମହର୍ଷକ ଦୃଶ୍ୟମାନ ଆଖି ଆଗରେ ଝଲସି ଉଠିବ—ପ୍ରେତ, ଦାନବଙ୍କ ନୃତ୍ୟ ଓ ଅଟ୍ଟହାସ୍ୟ ଇତ୍ୟାଦି ।

 

ଆମ ଦେଶର ଦୁର୍ଗାପୂଜା ବା ଅନୁରୂପ ଉତ୍ସବବେଳେ ଯେପରି ପୁରାଣର ଘଟଣା ଅନୁସରଣରେ ମୂର୍ତ୍ତିମାନ ଗଢ଼ାହୋଇ ଦୃଶ୍ୟ ସବୁ ସଜା ଯାଇଥାଏ, ସେ ମେଳାରେ ସେହିପରି କେତେକ ଜନପ୍ରିୟ ଲୋକକଥା ଅନୁସରଣରେ ଦୃଶ୍ୟାବଳି ପ୍ରସ୍ତୁତ ହୋଇଥିବାର ଦେଖିବାକୁ ମିଳିଥିଲା ।

 

ଆହୁରି ମଧ୍ୟ ଆମେ ଦେଖିଥିଲୁ ଏକ କ୍ଷୁଦ୍ର ଜଳାଶୟ ଭିତରେ ଦୁଇଟି ଡୋଲଫିନ୍‌ଙ୍କ ଅପୂର୍ବ ଖେଳ । ଆମେରିକାରୁ ସ୍ଵତନ୍ତ୍ର ବିମାନଯୋଗେ ସେମାନେ ଆନୀତ ହେଇଥିଲେ । ‘ମାଷ୍ଟର’ର ନିର୍ଦ୍ଦେଶ ଅନୁସାରେ ପାଣି ଉପରେ ସେମାନେ ମୁଣ୍ଡରେ ବଲ୍ ଖେଳିଲେ । ପ୍ରାୟ ଛିଡ଼ାହୋଇଗଲେ ଥରେଅଧେ । ପୁଣି ଡୁଏଟ ‘ଗୀତ’ ବୋଲିଲେ । ଜଳାଶୟ ଭିତରେ ଖଣ୍ଡିଏ ଛୋଟ ଡଙ୍ଗାରେ ଯାଇ ଯେ କୌଣସି ମହିଳା ଜଣେ ବସିବାକୁ ଦର୍ଶକମଣ୍ଡଳୀକୁ ‘ମାଷ୍ଟର’ ଆହ୍ଵାନ କରନ୍ତେ ଜଣେ ତରୁଣୀ ଯାଇ ବସିଲେ ଓ ତାଙ୍କ ମୁଣ୍ଡ ଉପର ଦେଇ ଡଲଫିନ୍‌ମାନେ ଡିଆଁ ଡେଇଁ କଲେ । ତା’ପରେ ସେ ନିୟନ୍ତ୍ରଣ କଲେ ଯେ କୌଣସି ଜଣେ ପୁରୁଷଲୋକକୁ । ସଙ୍ଗେ ସଙ୍ଗେ ସୁଦର୍ଶନ, ସୁବେଶୀ ଯୁବକଟିଏ ମୃଦୁ ହସି ହୁଏସିଲ୍ ମାରି ଆଗେଇଗଲେ । ଯାଉଁ ଯାଉଁ ଦର୍ଶକଗ୍ୟାଲେରିଆଡ଼କୁ ଅନାଇ ମୁଣ୍ଡ ହଲାଉଥାନ୍ତି । ସେ ଯେ ତାଙ୍କ ସାହସ ପାଇଁ ଆମଠୁଁ ଅଭିବାଦନ ପାଇବାକୁ ହକ୍‌ଦାର, ସେଥିରେ ତାଙ୍କର ସନ୍ଦେହ ନଥିଲା । କିନ୍ତୁ ହାୟ ! ହାଲୁକା ଡଙ୍ଗାଟି ଦୋହଲିବାର ଦେଖି ଯୁବକ ବଡ଼ ସତ୍ରସ୍ତ ହେଲେ । ଡଲଫିନ୍ ଡେଇଁବାକୁ ଆରମ୍ଭ କରନ୍ତେ କାଳେ ତାଙ୍କ ମୁଣ୍ଡରେ ବାଜିବ ବୋଲି ସେ ମୁଣ୍ଡ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇଲେ ଓ ଡଙ୍ଗାଟି ଓଲଟିପଡ଼ିଲା । ଯୁବକ ବିକଳ ଭାବରେ ପାଣିରେ ଛାଟିପିଟି ହେଲେ । ଡଲଫିନ୍ ତାଙ୍କୁ ମୁଣ୍ଡରେ ନରମ ଭାବରେ ଠେଲି ଦେଲା କୂଳଆଡ଼କୁ । ବିପୁଳ କରତାଳି ଓ ହାସ୍ୟରୋଳ ଭିତରେ ଯୁବକ ଆଗତପ୍ରାୟ ସନ୍ଧ୍ୟାରେ ଶୀତରେ ଥରି ଥରି ଆଉ କୁଆଡ଼େ ନଅନାଇ ଅଦୃଶ୍ୟ ହୋଇଗଲେ-

 

ସନ୍ଧ୍ୟା ହୋଇଆସୁଥାଏ । କ୍ରମେ ମେଳା ମୈଦାନ୍‌ର ରୂପ ବଦଳି ଆସୁଥାଏ । ପ୍ରଚୁର ବିଅର୍‌ପାନର ପ୍ରତିକ୍ରିୟା ଆରମ୍ଭ ହୋଇଯାଇଥାଏ । ଅନେକଙ୍କର ଚାଲି ଟଳଟଳ । କେହି କେହି ଅବସନ୍ନ ହୋଇ ତଳେ ପଡ଼ିଗଲେଣି । ବିଦ୍ୟୁତ୍ ଆଲୋକରେ ଝଲସି ଉଠୁଛି ଚତୁର୍ଦ୍ଦିଗ । ଗୋଟାଏ ବିରାଟ ତମ୍ବୁ ଭିତରେ ଟଙ୍ଗା ହୋଇଛି ମଇଁଷିର ଦେହ । ତଳେ ନିଆଁ ଜଳୁଛି । ଟିକଟ କାଟି ଭିତରକୁ ଯାଇ ମନଇଚ୍ଛା ମାଂସ କାଟି ଖିଆଯାଇପାରେ !

 

ଆମେ ବାହାରିଆସିଲୁଁ ।

 

ପରଦିନ ମୁଁ ବିଦାୟ ନେଲି । ନିଜ ଭଉଣୀ ଭିଣୋଇଙ୍କ ପାଖରେ ଯେପରି ନିରାପଦ ଆବ୍‌ଦାରରେ ଚଳିହୁଏ, ସେମିତି ଚଳିଥିଲି ଏଲିଜାବେଥ୍ ଓ ଆର୍ଣ୍ଣେଷ୍ଟଙ୍କ ଘରେ ।

 

ବିମାନବନ୍ଦରକୁ ଆସିବାବେଳେ ଆଉ ଥରେ ସହର ବୁଲି ଦେଖିଲୁଁ । ଆଗାମୀ ବିଶ୍ଵ ଅଲମ୍ପିକ୍ (୧୯୭୨) ପାଇଁ ସହର ପ୍ରାନ୍ତରେ ଚାଲିଛି କ୍ଷିପ୍ର ପ୍ରସ୍ତୁତି । ହିଟଲର୍‌ର କର୍ମସ୍ଥଳୀ ମ୍ୟୁଜିକ୍‌ର ବାତାବରଣରେ ପୁଣି ଯେପରି ହିଟଲର୍‌ର ପ୍ରେତାତ୍ମା ହଠାତ୍ ଆବିର୍ଭୂତ ହେଲା ସେହି ଅଲମ୍ପିକ୍ ବେଳେ ! ଇସ୍ରାଏଲି ଖେଳୁଆର୍ଡମାନଙ୍କୁ ଆକ୍ରମଣ କଲେ ଆରବ ସନ୍ତ୍ରାସବାଦୀମାନେ । ଉତ୍‌ଫୁଲ୍ଲ ଅଲିମ୍ପିକ୍‍ କ୍ରୀଡ଼ାଜଗତ ଉପରେ ନମିତ ହେଲା ଆତଙ୍କ ଓ ବିଷଣ୍ଣତାର ଶୀତଳ ଛାୟା । ବିମାନବନ୍ଦରରେ ରକ୍ତସ୍ରୋତ ବହିଗଲା । ଖେଳୁଆର୍ଡଦଳ ଓ ସନ୍ତ୍ରାସବାଦୀ ଗୋଷ୍ଠୀ–ଉଭୟ ପଟରୁ ଅଧିକାଂଶ ନିହତହେଲେ ।

 

ବିଦାୟ ନେବାବେଳେ ବହୁ ପ୍ରକାରେ ତା’ର ପ୍ରତିବାଦ ଓ ଆପତ୍ତି ଜଣାଇଲା ତାରା ।

Image

 

ପରିଚ୍ଛେଦ : ଊଣେଇଶ

ସୁଶାନ୍ତ ସୁଇଜାରଲ୍ୟାଣ୍ଡ୍‌

 

“ଭଗବାନ ନିଜର କଳ୍ପନା ଦେଇ ମଣିଷ ସୃଷ୍ଟି କଲେ; ମଣିଷ ନିଜର ଶ୍ରମ ଦେଇ ସୁଇଜାରଲ୍ୟାଣ୍ଡ୍‌ ସୃଷ୍ଟି କଲା” ବୋଲି ୟୁରୋପରେ କଥାଟାଏ ପ୍ରଚଳିତ ଅଛି ।

 

ସୁଇଜାରଲ୍ୟାଣ୍ଡ୍‌ର ବୃହତ୍ତମ ନଗରୀ ଜୁରିଖରେ ଅବତରଣ କରିବାର ଅଳ୍ପ ସମୟ ଭିତରେ ଅନୁଭବ କରିଥିଲି, କଥାଟିକୁ ଟିକିଏ ବଦଳାଇଦେଲେ ଅଧିକ ଯୁକ୍ତିଯୁକ୍ତ ମନେହେବ : ଭଗବାନ ନିଜର କଳ୍ପନା ଦେଇ ପ୍ରକୃତି ଓ ମଣିଷ ସୃଷ୍ଟି କଲେ; ପ୍ରକୃତି ଓ ମଣିଷ ଯଥାକ୍ରମେ ନିଜ ନିଜର କଳ୍ପନା ଓ ଶ୍ରମ ଦେଇ ସୁଇଜାରଲ୍ୟାଣ୍ଡ୍‌ ସୃଷ୍ଟି କଲେ ।

 

ଆଲ୍‌ପସ୍ ପର୍ବତମାଳା ବଳୟିତ, ବିଶାଳ ହ୍ରଦ ‘ଲେକ୍ ଜୁରିଖ୍’ (ଦୈର୍ଘ୍ୟ ୨୫ ମାଇଲ, ପ୍ରସ୍ଥ ୧୪ରୁ ୨୪ ମାଇଲ) କୂଳରେ ଉଚ୍ଛଳ ଉଦ୍ୟାନମଣ୍ଡିତ ଜୁରିଖ୍‌ର ତୁଳନା ସେହି ସୁଇଜାରଲ୍ୟାଣ୍ଡରେ ହିଁ ମିଳିପାରେ, ଅନ୍ୟତ୍ର ନୁହେଁ । ସେ ଦେଶର ରାଜନୈତିକ ଆବ୍‌ହାୱା ଉଦାର ଓ ଶୀତଳ, ଜନତାର ଗତିବିଧି ସୌଜନ୍ୟପୂର୍ଣ୍ଣ । ଲଣ୍ଡନ୍ ଓ ପ୍ୟାରିସ୍‌ର ରାସ୍ତାଘାଟ କଡ଼ରେ ବଣିକ ସଭ୍ୟତା (ଅସଭ୍ୟତା) ଯେଉଁଭଳି ଅଶ୍ଳୀଳ ଛବି ଓ ବିଜ୍ଞାପନମାନ ମେଲିଧରି ବାତାବରଣକୁ କର୍ଦ୍ଦମାକ୍ତ କରିରଖିଥାଏ, ଜୁରିଖରେ ସେଭଳି ନାହିଁ । ଯଦିଓ ଶିଳ୍ପୋଦ୍ୟୋଗୀ ମହାନଗରୀ, ତଥାପି ପରିବେଶ ପରିଚ୍ଛନ୍ନ ଓ ପ୍ରାୟ-ନିଃଶବ୍ଦ ।

 

ଜର୍ମାନୀ ଛାଡ଼ିବାର ଅବ୍ୟବହିତ ପୂର୍ବ ବିମର୍ଷ ମୁହୂର୍ତ୍ତରେ ଭଉଣୀ ଏଲିଜାବେଥ୍ ଉପଦେଶ ଦେଇଥିଲେ, “ସୁଇଜାରଲ୍ୟାଣ୍ଡରେ ଯାହାଙ୍କ ଅତିଥି ହେବାକୁ ଯାଉଛ, ସିଏ ତୁମର ବନ୍ଧୁ । ତେଣୁ କୌଣସି ବିଷୟରେ କିଛି ସଙ୍କୋଚ କରିବ ନାହିଁ ।” “ନା ନା, ସଙ୍କୋଚ କାହିଁକି କରିବି ! ତେବେ ଏଇ ପ୍ରତ୍ୟୁଷର ଚାହା କଥାଟି… !” ମୋର ବକ୍ତବ୍ୟ ଶେଷ ହେବା ପୂର୍ବରୁ ଏଲିଜାବେଥ୍ ଫୋନ୍ ଉଠାଇ ଜର୍ମାନ ଭାଷାରେ କାହାକୁ କଣ କହୁଥିଲେ । ମର୍ମାର୍ଥ ବୁଝିନେଲି—ମନୋଜର ଖୁବ୍ ଭୋର ଚାହା ଗିଲାସେ ପିଇବାର ବଦଭ୍ୟାସ ଦୁର୍ନିବାର; ତାକୁ ସୁଧାରିବା ଦିଗକୁ ତୁମେ କୌଣସି ପଦକ୍ଷେପ ନେବା ଆବଶ୍ୟକ ନାହିଁ ।

 

ୟୁରୋପର ଦେଶ ଦେଶ ଭିତରେ ଫୋନ୍‌ବାର୍ତ୍ତା ବିନିମୟର ସୁଗମତା ସମ୍ପର୍କରେ ଆଉ ଥରେ ଅବହିତ ହୋଇ ଚମତ୍କୃତ ହେଲି । ମୋର ଏଭଳି ଚମତ୍କୃତ ହେବାର ବିବରଣୀ ପଢ଼ି ବହୁ ବର୍ଷ ପରେ ମଧ୍ୟ ଭାରତୀୟ ଟେଲିଫୋନ୍ ବ୍ୟବହାକାରୀମାନେ ଯଦି ହସିପାରିବେ, ତେବେ ଶୁଭଦିନ ଆସିଛି ବୁଝିବାକୁ ହେବ ।

 

ଜୁରିଖ ନଗରୀର ଅଦୂରବର୍ତ୍ତି ବିମାନବନ୍ଦରରୁ ଟ୍ୟାକ୍‌ସି ଧରିଲି । କାର୍ଲୋର ଆଖି ଅତ୍ୟନ୍ତ ଖରାପ ବୋଲି ଜାଣିଥିଲି । ତେଣୁ ସେ ବିମାନବନ୍ଦରକୁ କାର୍‌ ଚଳାଇ ଆସିବ, ଏକଥା ମୁଁ ଆଶା କରୁନଥିଲି କି ଚାହୁଁନଥିଲି । ଲେକ୍ ଜୁରିଖ୍ କୂଳରେ ବିଶାଳ ତ୍ରିତଳପୁରୀ ଆଗରେ ଟ୍ୟାକ୍‌ସି ଅଟକିଲା । ହସି ହସି ବାହାରିଆସିଲା ଦୀର୍ଘକାୟ, ହିମାଳୟବାସୀ ସାଧୁଟାଏ ଭଳି ଲମ୍ବ ଶୁଶ୍ରୂବନ୍ତ କାର୍ଲୋ ସୁଲାର୍ । ପଞ୍ଚସ୍ତରୀବର୍ଷ ବୟସ୍କା ମା’କୁ ଛାଡ଼ିଦେଲେ ସେ ପୈତୃକ ଦୁର୍ଗର ବାସିନ୍ଦା ଏକମାତ୍ର କାର୍ଲୋ । ତେବେ ଆଉ ଦୁଇଜଣ ମାନବେତର ବାସିନ୍ଦା ଥିଲେ–କୁକୁର ବିଲେଇ ନୁହନ୍ତି–ଏକ କଚ୍ଛପ-ଦମ୍ପତି । ଦିନଯାକ ସେମାନେ ବଗିଚାରେ ବିଚରଣ କରନ୍ତି । ରାତିରେ କାର୍ଲୋ ସେମାନଙ୍କୁ ଟେକି ଆଣି ଘର ଭିତରର ଏକ ସୌଖିନ ପାଣିକୁଣ୍ଡରେ ରଖେ ।

 

ଅଟ୍ଟାଳିକା ପଛରେ ଅନତିବୃହତ୍ ବଗିଚା । ଢେଉ ଢେଉ ବହଳ ଦୂର୍ବା । ମଧ୍ୟେ ମଧ୍ୟେ ଫଳଭରା ନାସ୍‌ପାତି ଗଛ । ତା’ପରେ ବ୍ୟାପକ ହ୍ରଦ । ତା’ ଛାତିରେ କେବଳ ନିର୍ମଳ ଆକାଶର ପ୍ରତିଫଳନ । ହ୍ରଦ ଆରପାରିରେ କୁହେଳିଭରା ନୀଳ ପର୍ବତ । ବଗିଚା ପ୍ରାନ୍ତରୁ ହ୍ରଦ ଉପରକୁ ମାଡ଼ିଯାଇଛି ଏକ ଛୋଟ, ଖୋଲା କୋଠରି । ସେଇଠି ବସି କାର୍ଲୋଠୁଁ କେତେ କାହାଣୀ ଶୁଣୁଥିଲି-। କେତେ ବର୍ଷ ତଳେ ନିଦାରୁଣ ଶୀତରେ ସେ ସମଗ୍ର ହ୍ରଦ ବରଫ ପ୍ରାନ୍ତର ପାଲଟିଯାଇଥିଲା-। ସେଭଳି ଶୀତର ସ୍ମୃତିରେ କାର୍ଲୋ ଆତଙ୍କ ଅନୁଭବ କରୁଥିଲା । ସେତେବେଳେ ପଡ଼ୋଶୀ ପଡ଼ୋଶୀ ଭିତରେ ଯେମିତି ବଢ଼ିଯାଏ ବ୍ୟବଧାନ; ସବୁ କିଛି ମନେ ହୁଏ ମନ୍ଥର, ବିଷଣ୍ଣ-

 

ମଧ୍ୟେ ମଧ୍ୟେ ହ୍ରଦ ଚହଲାଇ ଷ୍ଟିମାର୍ ଯାଉଥାଏ । ସନ୍ଧ୍ୟା ହୋଇ ଆସୁଥାଏ । ଦଳେ ରାଜହଂସ ଆମ ଆଡ଼କୁ ମାଡ଼ିଆସିଲେ ଓ ପାଟିଗୋଳ ଆରମ୍ଭ କରିଦେଲେ । ତାହା ଥିଲା ସେମାନଙ୍କର କାର୍ଲୋ ପ୍ରତି ସମ୍ଭାଷଣ । କାର୍ଲୋ ଦୌଡ଼ିଯାଇ ଘରୁ ପୁଳାଏ ରୁଟି ବିସ୍କୁଟ ଆଣି ସେମାନଙ୍କ ଆଡ଼କୁ ଫିଙ୍ଗିଲା । ନିବିଷ୍ଟ ଭାବରେ ସେସବୁ ଖାଇଦେଇ ସେମାନେ ଭାସି ଚାଲିଗଲେ ଦୂରକୁ ଦୂରକୁ ।

 

“ଏମାନେ ଏ ହ୍ରଦର ସମ୍ମାନିତ ନାଗରିକ । ଏମାନଙ୍କ ନିରାପତ୍ତା ପାଇଁ ସରକାର ଦାୟୀ-। ଏମାନେ ଅବାଧରେ ମଣିଷଙ୍କ ପାଖକୁ ଆସିବା ଫଳରେ ଥରେ କେତେଜଣ ବିଦେଶୀ ଏମାନଙ୍କ ଭିତରୁ ଯୋଡ଼ିଏଙ୍କୁ ଧରି ନେଇ ଖାଇ ଦେଇଥିଲେ । ଆମ ଗୋଏନ୍ଦାମାନେ ସେ ଲୋଭୀଙ୍କୁ ଠାବ କରିବା ଉତ୍ତାରୁ ରାତାରାତି ସେମାନଙ୍କୁ ଏ ଦେଶରୁ ବାହାର କରିଦିଆହେଲା ।”

 

ତ୍ରିତଳରେ ମୋ ରହିବାର ବ୍ୟବସ୍ଥା ହୋଇଥିଲା । ମୃଦୁ ଚନ୍ଦ୍ରର ରଜନୀ । ଝରକା ଦେଇ ବହୁ ସମୟ ଯାଏ ଅନାଇ ରହିଲି ହ୍ରଦ ଭିତରକୁ; ସେପାରିର ପର୍ବତମାଳାକୁ । ହ୍ରଦ ଓ ପର୍ବତ—ଗୋଟାଏ ସାବଲୀଳତାର ଓ ଅନ୍ୟଟି ରୁକ୍ଷତାର ପ୍ରତୀକ । ଦେଶବ୍ୟାପୀ ପ୍ରକୃତି ଏ ଦୁଇ ପ୍ରତୀକକୁ ଖେଳାଇ ରଖିଛି । ଏ ଦୁଇର ପ୍ରଭାବରେ ହିଁ ଯେପରି ସୁଇସ୍‌ମାନେ ହୋଇଛନ୍ତି ଏକାଧାରରେ ଭଦ୍ର ଓ କର୍ମଠ ।

 

ଅବଶ୍ୟ ପରିସ୍ଥିତି କିଛି ବଦଳିଛି । କିନ୍ତୁ ବର୍ଷ କେତୋଟି ତଳଯାଏ ରାଜନୈତିକ ସୁସମତା ପାଇଁ ସୁଇଜାର୍‌ଲ୍ୟାଣ୍ଡ୍‌ ଥିଲା ବିଖ୍ୟାତ । ଅନେକେ ହୁଏତ ଗୋଟାଏ ରସକଥା (Joke) ଶୁଣିଥିବେ : ଜଣେ ବିଦେଶୀ ସୁଇଜାର୍‌ଲ୍ୟାଣ୍ଡ୍‌ ଯାଇ କେତେ ଲୋକଙ୍କୁ ପଚାରିଲେ, “ଆପଣଙ୍କ ଦେଶର ପ୍ରେସିଡେଣ୍ଟଙ୍କ ନାମ କଣ ?” ସମସ୍ତେ ଅପ୍ରସ୍ତୁତ ଭାବରେ ଉତ୍ତର ଦେଉଥାନ୍ତି, “କ୍ଷମା କରିବେ ! ନାମଟି ମୋ ଜିଭ ଆଗରେ ରହିଛି, ଅଥଚ… ।” ବିସ୍ମିତ ବିଦେଶୀ ସେ ଦେଶ ଛାଡ଼ିବା ପୂର୍ବରୁ ବସ୍‌ଷ୍ଟାଣ୍ଡରେ ଜଣେ ନିରୀହଦର୍ଶନ ଭଦ୍ରଲୋକଙ୍କୁ ଶେଷଥର ପାଇଁ ସେହି ପ୍ରଶ୍ନଟି ପଚାରିଲେ-। ଭଦ୍ରଲୋକ ସଲଜ୍ଜ ହସ ହସି କହିଲେ, “ମୁଁ ହିଁ ଏ ଦେଶର ପ୍ରେସିଡେଣ୍ଟ ! ଲୋକେ ମୋ ନାମ ନଜାଣିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୁଁ ଯେ ପ୍ରେସିଡେଣ୍ଟ, ସେକଥା କାହାକୁ ଜଣାଏ ନାହିଁ-। ଏଠାରେ ନିର୍ବାଚନରେ ଅନ୍ୟ ଦେଶ ଭଳି ହଟ୍ଟଗୋଳ, ଚରିତ୍ର ସଂହାର, ଆତ୍ମବିଜ୍ଞାପନ ବା କଳଙ୍କ ପ୍ରଚାର ଇତ୍ୟାଦି ଚଳେ ନାହିଁ । ଫଳରେ… । ସେ ଯାହାହେଉ, ମୋ ନାମ ହେଲା…ଆରେ, ଆରେ, ମୋ ବସ୍ ଆସିଗଲାଣି…ଆଚ୍ଛା, ପରେ ଦେଖା ହେବ । ମୋ ନାମ ହେଲା…” କହୁଁ କହୁଁ ସେ ଅଦୃଶ୍ୟ ହୋଇଗଲେ । ବିଦେଶୀଟି ଶେଷ ପର୍ଯ୍ୟନ୍ତ ସୁଇଜାର୍‌ଲ୍ୟାଣ୍ଡ୍‌ର ପ୍ରେସିଡେଣ୍ଟଙ୍କୁ ଭେଟି ମଧ୍ୟ ତାଙ୍କ ନାମଟି ନ ଜାଣି ସ୍ଵଦେଶକୁ ବାହୁଡ଼ିଗଲେ ।

 

ଏ ରସକଥାକୁ ମୁଁ ନିର୍ଜଳ ଖଟିଗପ ବୋଲି ଭାବିଥିଲି—ଯେ ଯାଏ ଭାରତୀୟ ସାମ୍ବାଦିକ ଓ ପର୍ଯ୍ୟଟକ ସ୍ୱନାମଧନ୍ୟ ଚମନ୍‌ଲାଲ୍‌ଙ୍କ “Switzerland Shows the Way” ବହିଟି ପଢ଼ିନଥିଲି । ସେଥିରେ ସେ ଏକ ଅଭିଜ୍ଞତା ଲିପିବଦ୍ଧ କରିଛନ୍ତି । ବୋଧହୁଏ ୧୯୫୦ ବା ତହିଁର ସାମାନ୍ୟ ପୂର୍ବରୁ ସେ ସୁଇଜାରଲ୍ୟାଣ୍ଡ୍‌ର ବେର୍ଣ୍ଣ ନଗରୀରୁ ଜେନେଭା ଯାଉଥିଲେ । ଯେଉଁ ଭଦ୍ରଲୋକ କାର୍ ଚଳାଉଥିଲେ, ତାଙ୍କୁ ସେ ପଚାରିଲେ, “ଆପଣଙ୍କ ଦେଶର ପ୍ରେସିଡେଣ୍ଟଙ୍କୁ ଦେଖି ହେବ ନାହିଁ ?” ଭଦ୍ରଲୋକ ଉତ୍ତର ଦେଲେ, “ପାଞ୍ଚ ମିନିଟ୍ ଆଗରୁ ତ ଆମ କାର୍ ତାଙ୍କ ଉପରେ ମାଡ଼ିଯିବାକୁ ବସିଥିଲା !”

 

“କଣ ହେଲା ! ସେହି ଭଦ୍ରଲୋକ ? ତମ ପ୍ରେସିଡେଣ୍ଟ କଣ ଚାଲି ଚାଲି ଯିବା ଆସିବା କରନ୍ତି ?”

 

“ଆଉ କଣ କରନ୍ତେ ? ତାଙ୍କର ନିଜର କାର୍ ନାହିଁ ।”

 

“ସରକାରୀ କାର୍ ?”

 

“ସରକାରୀ କାର୍ ସରକାରୀ କାମବେଳେ ବ୍ୟବହାର ହୁଏ ।”

 

ଏଇ ଗୋଟାଏ ଘଟଣାରୁ ସେ ଦେଶର ରାଜନୀତିର ନୈତିକ ମାନ ଅନୁମାନ କରିହୁଏ-। ମାନବିକ ମର୍ଯ୍ୟାଦା ବା ପଦମର୍ଯ୍ୟାଦା ସ୍ଥୂଳ ଆଡ଼ମ୍ବର ଉପରେ ନିର୍ଭର କରେ ନାହିଁ, ଏକଥା ବୁଝିବା ଭଳି ପରିପକ୍ୱତା ସେ ଜାତିର ମଜ୍ଜାଗତ ବୋଲି ସେଠାରେ ଗଣତନ୍ତ୍ର ଏଡ଼େ ସଫଳ-। (ଅଥଚ ସ୍ୱାଧୀନତାର ୨୭ ବର୍ଷ ପରେ ବି ଭାରତରେ କେନ୍ଦ୍ରଶାସିତ କୌଣସି କ୍ଷୁଦ୍ର ରାଜ୍ୟର କୁନିଲାଟ୍ ଜଣକ କାରରେ ଯିବାବେଳେ ଆଗରେ ଅଶ୍ଳୀଳ ସାଇରେନ୍ ବଜାଉଥିବା ଜିପ୍‌ଟାଏ ଦୌଡ଼ି ଚାଲେ—କେବଳ ନିଜ ଶ୍ରୀଅଙ୍ଗ ପ୍ରତି ଜନତାର ଦୃଷ୍ଟି ଆକର୍ଷଣ କରିବା ପାଇଁ । ନ୍ୟୁନ ମନୋଭାବର ଏଭଳି ବିକଳ ପ୍ରକାଶ ଭାରତୀୟ ରାଜନୀତି ତଥା ଶାସନ ସଂସ୍ଥାକୁ ଆମୂଳଚୂଳ ଗ୍ରାସ କରି ରହିଛି ।)

 

ସ୍ଵତଃସ୍ଫୂର୍ତ୍ତ ମାନବିକ ମର୍ଯ୍ୟାଦାବୋଧ ସହିତ ସୁଇସ୍‌ମାନଙ୍କ ଚରିତ୍ରରେ ରହିଛି କ୍ଳାନ୍ତିହୀନ କର୍ମଠତା । ତା’ର ଅବିସ୍ମରଣୀୟ ଦୃଷ୍ଟାନ୍ତ ଦେଖିଥିଲି କାର୍ଲୋର ପଞ୍ଚସ୍ତରୀ ବର୍ଷ ବୟସ୍କା ଜନନୀଙ୍କ କାର୍ଯ୍ୟକଳାପରେ । ରୋଷେଇବାସଠୁଁ ବିରାଟ ଘର ପରିଷ୍କାର ରଖିବାଯାଏ, ବଗିଚା କାମ କରିବାଠୁଁ ଲୁଗାପଟା ସଫା କରିବା ଯାଏ, ସବୁ କାମ ସେ କରନ୍ତି । ଚାକର ରଖିବାର ପ୍ରଶ୍ନ ନାହିଁ । କାର୍ଲୋ ଅବିବାହିତ ।

 

ଜୁରିଖରେ ମୋର ଦ୍ଵିତୀୟ ଦିନ । ସାନ୍ନିଧ୍ୟ ଓ ଗପସପର ଉଷୁମତା ଭିତରେ କାର୍ଲୋ ତା’ର ଆଖି ଖରାପ କଥା ପାଶୋରିଦେଇ ବହୁ ଦିନ ପରେ କାର୍ ଧରି ମୋତେ ସହର ଦେଖାଇବାକୁ ବାହାରିଲା । ମୁଁ ପାଖରେ ବସି ରାସ୍ତାଘାଟର ଯାନ ନିୟନ୍ତ୍ରଣଗତ ନିର୍ଦ୍ଦେଶମାନ ତାକୁ କହିଦେଉଥାଏ । ଏକ ପରେ ଏକ ସହରର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥଳ ଅତିକ୍ରମ କରି ଆମେ ଇତାଲିୟ ଦୂତାବାସରେ ପହଞ୍ଚିଲୁଁ । ଇତାଲି ପାଇଁ ମୋର ଭିସା ଦରକାର । ସେଠାରେ ପହଞ୍ଚି ଜାଣି ଚମତ୍କୃତ ହେଲି ଯେ ଦୂତାବାସର ସେ ପ୍ରାସାଦୋପମ କୋଠାର ମାଲିକ ହେଲେ ଜଣେ ଭାରତୀୟ-ହୁଏତ ସେ ଅଞ୍ଚଳର ଏକମାତ୍ର ସ୍ଥାୟୀ ଭାରତୀୟ ବାସିନ୍ଦା । ସେ ସେଠାରେ ଜଣେ ‘ଯୋଗୀ’ ଭାବରେ ବିଦିତ । ଏକଦା ସେ ସେଠାରେ ରିକ୍ତ ହସ୍ତରେ ପହଞ୍ଚିଥିଲେ । ଲୋକଙ୍କୁ ଯୋଗାସନ ଶିକ୍ଷା ଦେଇ ଯେତିକି ବିତ୍ତ ଅର୍ଜିଛନ୍ତି, ସେଥିରେ ସେ ଏଡ଼େ ବଡ଼ କୋଠା ବନାଇ ତାକୁ ଇତାଲିୟ ଦୂତାବାସକୁ ଭଡ଼ାରେ ଦେଇଛନ୍ତି । ପାର୍ଶ୍ଵବର୍ତ୍ତୀ ଆଉ ଏକ ଘରେ ତାଙ୍କ ଯୋଗ ସ୍କୁଲ୍ ଚାଲିଥାଏ । ଉଙ୍କିମାରି ଦେଖିଲି, ଧାଡ଼ିଏ ସୁଇସ୍ ନରନାରୀ ‘ତଡ଼ାସନ’ ଅଭ୍ୟାସ କରୁଛନ୍ତି ।

 

ଏଇ ଜୁରିଖରେ ଫ୍ରୟେଡୋତ୍ତର ଯୁଗର ଶ୍ରେଷ୍ଠ ମନସ୍ତତ୍ତ୍ୱବିଦ୍, ଫ୍ରୟେଡ୍‍ଙ୍କ ଶିଷ୍ୟ ତଥା ତାଙ୍କ ତତ୍ତ୍ଵଖଣ୍ଡନକାରୀ ୟୁମ୍ (Carl Gustav Jung)ଙ୍କ ଗବେଷକ ଜୀବନର ଆରମ୍ଭ ତଥା ପ୍ରତିଷ୍ଠା । ୧୯୦୫ରେ ଜୁରିଖ୍ ବିଶ୍ଵବିଦ୍ୟାଳୟରେ ଜଣେ ତରୁଣ ଅଧ୍ୟାପକ ଥିବାବେଳେ ମଣିଷର ଅବଚେତନ ମନ ତା’ ଦେହ ଉପରେ କେଡ଼େ ପ୍ରବଳ ପ୍ରଭାବ ପକାଇପାରେ ସେ ସମ୍ପର୍କରେ ତାଙ୍କର ପ୍ରଥମ ଚମକପ୍ରଦ ଅଭିଜ୍ଞତା ସେ ନିଜ ଆତ୍ମକଥା (Memories, Dreams, Reflections)ରେ ଲିପିବଦ୍ଧ କରିଛନ୍ତି : ୧୭ ବର୍ଷ ବ୍ୟାପୀ ପାଦରେ କୌଣସି ଯନ୍ତ୍ରଣା ଯୋଗୁଁ ମୋଟେ ଚାଲିପାରୁନଥିବା ଜଣେ ମଧ୍ୟବୟସ୍କା ମହିଳାଙ୍କ ଉପରେ ସେ ଥରେ ତାଙ୍କ ଛାତ୍ରମାନଙ୍କ ସାମନାରେ ଇଚ୍ଛାତନ୍ଦ୍ରା (hypnotism) ପ୍ରୟୋଗ କରୁଥାନ୍ତି । ୟୁମ୍ କିଛି କରିବା ପୂର୍ବରୁ ହିଁ ମହିଳାଟି ଛାଏଁ ତନ୍ଦ୍ରାବିଷ୍ଟା ହୋଇଗଲେ । କିଛି ସମୟ ପରେ, ତନ୍ଦ୍ରା ଦୂର ହେବା ପରେ, ସେ ବିନା ଚିକିତ୍ସା, ବିନା ମନୋବିଶ୍ଳେଷଣରେ ହିଁ “ମୁଁ ଭଲ ହୋଇଗଲି” ବୋଲି ଘୋଷଣା କରି ସ୍ୱଚ୍ଛନ୍ଦରେ ଉଠି ଚାଲିଗଲେ । ହତଭମ୍ୱ ୟୁମ କିଛି ବୁଝିପାରିଲେ ନାହିଁ । ଛାତ୍ର-ଛାତ୍ରୀମାନେ ବଲବଲ ଅନାଇ ଥିବାର ଦେଖି ଗାମ୍ଭୀର୍ଯ୍ୟ ଜାହିର୍ କରି ୟୁମ୍ କହିଲେ, “ଦେଖିଲ ପିଲେ, ହିପ୍ନୋଟିଜିମ୍ କଣ କରିପାରେ ?”

 

ମହିଳାଙ୍କର ସେ ବିସ୍ମୟକର ନିରାମୟତା ସ୍ଥାୟୀ ମଧ୍ୟ ହେଲା । ବହୁ ପର୍ଯ୍ୟବେକ୍ଷଣ ପରେ ୟୁମ୍ ତା’ର କାରଣ ନିର୍ଣ୍ଣୟ କଲେ : ମହିଳାଙ୍କର ଏକମାତ୍ର ସନ୍ତାନ—ଯିଏ ଜଣେ ବିରାଟ ପ୍ରତିଭାବାନ୍‌ ଯୁବକ ହେବ ବୋଲି ମହିଳା ସ୍ଵପ୍ନ ଦେଖୁଥିଲେ—ହେଲା ମାନସିକ ଦିଗରୁ ବିକଳ । ସେ ପୁଅଟି ସେହି ବିଶ୍ଵବିଦ୍ୟାଳୟରେ ଛୋଟିଆ ଚାକିରିଟାଏ କରିଥାଏ । ସେତିକିବେଳେ ୟୁମ୍ ଜଣେ ଉଦୀୟମାନ୍ ପ୍ରତିଭା ହିସାବରେ ଖ୍ୟାତି ଲାଭ କରୁଥାନ୍ତି । ନିଜ ପୁଅ ଚରିତ୍ରରେ ଯେତେସବୁ ମହାର୍ଘ ଗୁଣର ବିକାଶ ଦେଖିବେ ବୋଲି ମହିଳା କଳ୍ପନା କରିଥିଲେ, ସେ ସବୁର ବିକାଶ ଘଟୁଥିଲା ୟୁମ୍‌ଙ୍କ ଭିତରେ । ଅବଚେତନରେ ମହିଳା ୟୁମ୍‌କୁ ହିଁ ନିଜ ପୁଅରୂପେ ‘ପୋଷ୍ୟ’ କରିନେଲେ । ସେହି ‘ପୋଷ୍ୟପୁତ୍ର’ର ଗୌରବ ପ୍ରଚାର କରିବାର ବାସନା ହିଁ ତାଙ୍କ ପଙ୍ଗୁତ୍ଵ ନିରାମୟ କରିଦେଲା-। ୟୁମ୍ ଲେଖିଛନ୍ତି : “ଜଣେ ଜନନୀ ତା’ର ବିକଳ ସନ୍ତାନ ସ୍ଥାନରେ ମୋତେ ଅଭିଷିକ୍ତ କରିବା ଦେଇ ମୋ ମାନସିକ ଚିକିତ୍ସକ ଜୀବନର ଅୟମାରମ୍ଭ ହେଲା ।”

 

କାର୍ଲୋ ମୋତେ କହିଲେ “ସୁଇଜାରଲ୍ୟାଣ୍ଡର ଅପରୂପ ବନରାଜି, ବନସ୍ତ ବଳୟିତ ପଲ୍ଲୀ ଓ ତୁଷାରବୃତ ପର୍ବତଶ୍ରେଣୀ ଭିତର ଦେଇ ଗୋଟାଏ ବିଶେଷ ଧରଣ ଭ୍ରମଣର ବ୍ୟବସ୍ଥା ରହିଛି । ତେବେ ଚାରିଜାଗାରେ ଗାଡ଼ି ବଦଳାଇବାକୁ ପଡ଼ିବ । ବାହାରିଯାଇ ଦେଶଟା ଦେଖିଦିଅ !” ମୁଁ ରାଜି ହେଲି । ଗନ୍ତବ୍ୟର ଶେଷ ବିନ୍ଦୁ—ଜେନେଭା ଉପକଣ୍ଠର ମଣ୍ଟ୍ରୋଠାରେ ରହନ୍ତି ସୁଇଜାରଲ୍ୟାଣ୍ଡର ଶ୍ରେଷ୍ଠ କାର୍ଟୁନିଷ୍ଟ ଡେରିବ୍ । ସେ ଓ ତାଙ୍କ ଜନନୀ ଶ୍ରୀଅରବିନ୍ଦ ଆଶ୍ରମ ପ୍ରତି ଅନୁରକ୍ତ । କାର୍ଲୋ ସେମାନଙ୍କୁ ଫୋନ୍ କଲେ । ପରଦିନ ସକାଳେ ମୁଁ ଗାଡ଼ି ଚଢ଼ିଲି ।

 

କୁହେଳି ଭିତରେ ନିମଜ୍ଜିତ ହାଲୁକା ସ୍ଵପ୍ନ ଭଳି କେତେ ପାର୍ବତ୍ୟ ପଲ୍ଲି, କେତେ କିସମର ବୃକ୍ଷଲତା ଓ ପକ୍ଷୀକୂଳ, କେତେ ଝରଣା ଓ ତୁଷାରାଚ୍ଛିନ୍ନ ପର୍ବତ ଶିଖର ଅତିକ୍ରମ କରି, ଚାରି ସ୍ଥାନରେ ଗାଡ଼ି ବଦଳାଇ, ଶେଷ ଅପରାହ୍ନରେ ମଣ୍ଟ୍ରୋରେ ପହଞ୍ଚିଲି । ଷ୍ଟେସନ୍‌କୁ ଆସିଥିଲେ ଡେରିବ୍‌ଙ୍କ ମା’ ଓ ଡେରିବ୍‌ଙ୍କ ଚିତ୍ରାଙ୍କନ ସହକାରୀ—ଜଣେ ବିନୟୀ ତରୁଣ । ଜେନେଭା ହ୍ରଦର ଏକ ପ୍ରାନ୍ତବର୍ତ୍ତୀ ଗୋଟିଏ ଛୋଟ ପାହାଡ଼ ଉପରେ ସେମାନଙ୍କର ଘର । ଚତୁର୍ଦ୍ଦିଗରେ ଅଙ୍ଗୁରଲତାର ପ୍ରାଚୁର୍ଯ୍ୟ । ଲତାରୁ ଛିଡ଼ାଇ ଅଙ୍ଗୁର ପାଟିରେ ପକାଉ ପକାଉ ସେଦିନ ସନ୍ଧ୍ୟା ଘୋଟିଆସିଥିଲା । “ସହର ଭିତରକୁ ଯିବା ଦରକାର ନାହିଁ ।” କହୁଁ କହୁଁ ମୋତେ ଉପହାର ଦେଇଥିବା ତାଙ୍କର ଗୋଟାଏ କାର୍ଟୁନ୍ ବହି ଭିତରେ ଡେରିବ୍ ଜେନେଭାର ଚିତ୍ର ଆଙ୍କିଦେଲେ ।

 

ଡେରିବ୍ ଅସାମାନ୍ୟ ଶକ୍ତିମାନ କାର୍ଟୁନିଷ୍ଟ୍, ପ୍ରଫେସନାଲ୍ । ଦେଶବିଦେଶର ବହୁ ପତ୍ରପତ୍ରିକା ତାଙ୍କ ତୁଳୀର ବାର୍ତ୍ତାବହ । ତାଙ୍କ ବାପା ଥିଲେ ଜଣେ ସୌଖିନ୍ ଚିତ୍ରକର । ବଡ଼ ବଡ଼ ବନ୍ଧେଇ କ୍ୟାନ୍‌ଭାସ୍‌ମାନ ଘରର ଗୋଟାଏ କଣରେ ବହୁ ବର୍ଷ ଧରି ଜମା ହୋଇ ରହିଥିଲା । ବହୁ ଦିନ ପରେ ବୃଦ୍ଧ ମୋ ଭିତରେ ଆବିଷ୍କାର କଲେ ଜଣେ ଦରଦୀ ସମଝଦାର । ସତ କଥାଟି ହେଲା, ମୁଁ ସେ ଚିତ୍ରକଳାର ବିଶେଷ ସମଝଦାର ଥିଲି ତାହା ନୁହେଁ; କିନ୍ତୁ ଥିଲି ତାଙ୍କ ହୃଦୟର ଆବେଗର ସମଝଦାର । ରାତ୍ରିଭୋଜନ ପରେ ଦୀର୍ଘ ସମୟ ଧରି ସେ ମୋତେ ଦେଖାଇ ଚାଲିଲେ ତାଙ୍କ ଚିତ୍ରକୃତୀମାନ । ତାଙ୍କ ବୟସ ପ୍ରାୟ ଅଶୀ । ଥର ଥର ହାତରେ ବୃଦ୍ଧ ଗୋଟାକ ପରେ ଗୋଟାଏ ଫ୍ରେମଲଗା ବିରାଟ ଚିତ୍ରମାନ ଟାଣି ବାହାର କରୁଥା’ନ୍ତି—ବିପୁଳ ପୁଲକ ସହକାରେ । ଚିତ୍ର ଦର୍ଶନ ଶେଷ ହେବା ଉତ୍ତାରୁ ସମାନ ପୁଲକରେ ସେ ମୋତେ ପାର୍ଶ୍ଵବର୍ତ୍ତୀ ଗୋଟାଏ କୋଠରିକୁ ନେଇଯାଇ କାନ୍ଥଆଡ଼କୁ ଆଙ୍ଗୁଳି ଦେଖାଇଦେଲେ । କାନ୍ଥରେ ଖୋସା ହୋଇଛି ଗୋଟାଏ ବିକଟଦର୍ଶନ, ହସନ୍ତ ହାଏନାର ମୁଣ୍ଡ ।

 

“ଓ, ଆପଣ ଭାସ୍କର ମଧ୍ୟ ! ମାଟିରେ ନା ପଥରରେ ଏଟାକୁ ବନାଇଛନ୍ତି ?” ମୁଁ ପଚାରିଲି । ସେ ହସିଲେ । “ଏଇଟା ଅସଲି ହାଏନାର ମୁଣ୍ଡ । ମୁଁ ଖୋଦ୍ ମାରିଥିଲି ଏକଦା ।” ମୁଁ ପୁଣି ତାଙ୍କ ଗୁଣର ତାରିଫ୍ କଲି । ବୃଦ୍ଧ ମୋତେ ମୋ କୋଠରି ଦେଖାଇ ନିଜେ ଶୋଇବାକୁ ଗଲେ-। ସେତେବେଳେକୁ ଅନ୍ୟ ସମସ୍ତେ ଶୋଇଲେଣି । ବାହାରେ ଅଙ୍ଗୁରଲତାରୁ ଟପ୍ ଟପ୍ ପାଣି ଝରୁଥିଲା । କିନ୍ତୁ କାଚ ଝରକା ଖୋଲି ସେ ଶବ୍ଦ ଶୁଣିବାର ଉପାୟ ନାହିଁ । ଏ ଶୀତଳ ଦେଶରେ ଝରକାମାନ ପ୍ରାୟ ବର୍ଷଯାକ ବନ୍ଦ ରହିବାହିଁ ବିଧି ।

 

ସକାଳେ ଦେଖିଲି, ଚିତ୍ରକର ବୃଦ୍ଧ ଜଣେ ତରୁଣ ଭଳି ଭିଡ଼ିଭାଡ଼ି ବେଶଭୂଷା ହୋଇ କୌଣସି ଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ଓ ତାଙ୍କ ସ୍ତ୍ରୀ ପୁତ୍ର ମୋତେ ସମଝାଇଲେ—ସେ ଯିବେ ଆଲ୍‌ପସ୍ ଆରୋହଣ କରିବାକୁ । ଗୋଟାଏ ଶିଖରରେ ତମ୍ଭୁ ପକାଇ ଦୁଇଦିନ ରହିବେ—ସେ ଓ ତାଙ୍କର ଜଣେ ବାଲ୍ୟବନ୍ଧୁ । ଗତ ଅର୍ଦ୍ଧଶତାବ୍ଦୀ ଧରି ସେ ଦୁହେଁ ପ୍ରତିବର୍ଷ ଏପରି କରି ଆସିଛନ୍ତି । ପ୍ରତିବର୍ଷ ଦୁଇବନ୍ଧୁ ନିଆଁ ଦୁଇକଡ଼େ ବସି ବାଲ୍ୟ-ସ୍ମୃତି ରୋମନ୍ଥନ କରନ୍ତି ।

 

ଭଗବାନ କରନ୍ତୁ, ଆହୁରି ବହୁ ବର୍ଷଯାଏ ସେ ନିଭୃତ ବାର୍ଷିକ ଆଳାପ ଚାଲୁରହୁ ।

 

ମୁଁ ବି ବିଦାୟ ନେଲି । ସୁନ୍ଦର ସହର ଲୁସେନ୍ ହୋଇ ଜୁରିଖ୍ ଫେରିବି । ଶ୍ରୀମତୀ ଇରିନ୍ ଷ୍ଟେସନକୁ ଆସି ବିଦାୟ ଦେଲେ । ଷ୍ଟେସନର ପ୍ରବେଶ ଦ୍ଵାର ଓ ପ୍ଲାଟଫର୍ମ ଭିତରେ ଥିବା ପଥର ପ୍ରଶସ୍ତ କାନ୍ଥଦେହରେ ଏକ ବିରାଟ ତୈଳଚିତ୍ର—ହ୍ରଦ-ପର୍ବତ-ସମନ୍ୱିତ ସେହି ଅଞ୍ଚଳର ଦୃଶ୍ୟ । “ଏହା କାହାର କଳା କହିପାରିବେ ?” —ଇରିନ୍ ପଚାରିଲେ । “ଆପଣଙ୍କ ସ୍ଵାମୀଙ୍କର ନିଶ୍ଚୟ !” କହିଲି । ବୃଦ୍ଧା ହସିଲେ ।

 

ମନେଅଛି ଏକ ତରୁଣୀ ଫେରିବାଲା କଥା । ଖଣ୍ଡିଏ ହାଲୁକା ଠେଲା ଗାଡ଼ିରେ କେକ୍, ଚାହା ଇତ୍ୟାଦି ଧରି ଗାଡ଼ିଟିକୁ ସେ ଡବାରୁ ଡବାନ୍ତର ଠେଲି ବୁଲୁଥାଏ । ଦୁଇଥର କ’ଣ କ’ଣ କିଣିଲି । ପ୍ରତିଥର ସେ ଯେଉଁ ଦାମ୍ କହେ, ବୁଝି ନ ପାରି ମୁଁ କିଛି ସୁଇସ୍‌ମୁଦ୍ରା ବଢ଼ାଇଦିଏଁ । ସେ ହସିଦେଇ ଧନ୍ୟବାଦ ଦିଏ । ପରେ ବୁଝିଲି, ପ୍ରକୃତ ମୂଲ୍ୟଠୁଁ ମୁଁ ଦୁଇଥରଯାକ କମ୍ ହଁ ଦେଇଥିଲି ।

 

ଏଥର ଆହୁରି ଛବିଳ ପ୍ରକୃତିର ଆହୁରି ଅଧିକ ପ୍ରମତ୍ତ ଲୀଳାକ୍ଷେତ୍ର ଭିତରଦେଇ ଯାତ୍ରା-। ଭୀମକାୟ ପର୍ବତ ଉପରେ ଯେଉଁଠି ବିପୁଳ ଗ୍ଲେସିଆର୍ ଭିତରୁ ବିଖ୍ୟାତ ରୋନ୍ ନଦୀ ଉତ୍ପନ୍ନ ହେଉଛି, ସେହି ମହତୀ ଶିଖରର ପାଦଦେଶ ଦେଇ ଟ୍ରେନ ଛୁଟିଚାଲିଥାଏ; ଛୁଟିଥାଏ ଆରମ୍ଭରେ କ୍ଷୀଣଧାର ପ୍ରତୀତ ସେ ନଦୀ କ୍ରମେ ଉଦ୍ଦାମରୁ ଉଦ୍ଦାମତର ହୋଇ ବାଙ୍କ ବୁଲି ଅଦୃଶ୍ୟ ହେବାଯାଏ-

 

ମଧ୍ୟେ ମଧ୍ୟେ ଉପତ୍ୟକାର ବିଜନ ପଲ୍ଲୀ । ଥରେ ପଣ୍ଡିଚେରୀ ବନ୍ଦରରେ ଆଶ୍ରିତ ଏକ ବିଦେଶୀ ଜାହାଜକୁ ନିମନ୍ତ୍ରିତ ହୋଇ ସେଠାରେ ଶୁଣିଥିଲି ଆଲପ୍‌ସ୍ ନିବାସୀ ସୁଇସ୍ ଗ୍ରାମକନ୍ୟାମାନଙ୍କର ପ୍ରିୟ ଲୋକସଙ୍ଗୀତ :

 

“ଭଲପାଏଁ ଦେଶକୁ ମୁଁ ସୁଇସ୍ ଯୁବତୀ

ତୁଷାର ଶିଖର ପରେ ଭଗବାନ ରହି

ମୋ ମାଟି, ମୋ ହୃଦୟରେ ଆଣିଛନ୍ତି ଉଦ୍ଦାମ ମୁକତି ।

ମତାଇଛି ମୋତେ ଏଇ ପର୍ବତର ଯାଦୁକରୀ ମୋହ

ହା-ଲି, ହା-ଲି, ହା-ଲି, ହା-ଲି-ଓ, ହା-ଲି-ଓ !”

 

ଏତେବେଳେ ହୁଏତ ଏଇସବୁ ଅଦୂରର ପଲ୍ଲୀଗହନରୁ ଶୁଭୁଥିବ ଏଭଳି ସଙ୍ଗୀତର ଧ୍ୱନି-। ହୁଏତ ଦୂରାନ୍ତର ଉପତ୍ୟକାର କୃଷକମାନେ ସେମାନଙ୍କ ପରମ୍ପରାଗତ ରୀତିରେ ବଂଶୀବାଦନ କରି, ନାଚି ନାଚି ଯାଉଥିବେ ଅଙ୍ଗୁର ଆବାଦ ପାଇଁ ।

Image

 

ପରିଚ୍ଛେଦ : କୋଡ଼ିଏ

“ଚିରନ୍ତନ ନଗରୀ”ର କାହାଣୀ

 

ତଳେ ବିସ୍ତୃତ ପର୍ବତଶ୍ରେଣୀ—ଇତାଲୀୟ ଆଲପ୍‌ସ୍ । ଅଦୂରରେ ଭୂମଧ୍ୟସାଗର ।

 

ପ୍ରତ୍ୟୁଷରେ ଜୁରିଖ୍ ଛାଡ଼ିଥିଲି । ଯଦିଓ ବିମାନରେ ପ୍ରତିଫଳିତ ଉଜ୍ଜ୍ୱଳ ଆଲୁଅ, ନିମ୍ନର ଆରଣ୍ୟକ ପୃଥିବୀ ଅଦ୍ୟାପି ତମସାଚ୍ଛନ୍ନ ।

 

ତଳକୁ ଅନାଇ ସ୍ମୃତିର ତମସା ଭିତରୁ ଏକଦା ଏକାନ୍ତ ଅନ୍ତରଙ୍ଗ କାହାଣୀଟିଏ ଧୀରେ ଧୀରେ ପରିସ୍ଫୁଟ ହେବାର ଅନୁଭବ କରୁଥିଲି—ଗଦ୍ୟ ସାହିତ୍ୟ ସହ ବାଲ୍ୟକାଳୀନ ପରିଚୟବେଳେ ପଠିତ ପ୍ରଥମ ବା ଦ୍ୱିତୀୟ ରଚନା—ରାଧାନାଥଙ୍କ ‘ଇତାଲୀୟ ଯୁବା’ :

 

“ଇଉରୋପ ମହାଖଣ୍ଡରେ ଆଲପ୍‌ସ୍ ନାମକ ଏକ ଦୀର୍ଘ ଉଚ୍ଚ ପର୍ବତ ଅଛି । ସେହି ଗିରିର ଉଚ୍ଚ ଉଚ୍ଚ ଶୃଙ୍ଗମାନେ ସବୁବେଳେ ତୁଷାରରେ ଘୋଡ଼ାଇ ହୋଇଥାନ୍ତି । ତଳଭାଗର ଚାରିଆଡ଼େ ନିବିଡ଼ ବନ । କୌଣସି କୌଣସି ସ୍ଥାନରେ ବିସ୍ତୃତ ତୃଣପୂର୍ଣ୍ଣ ପଦା ଅଛି । ରଖୁଆଳମାନେ ମେଣ୍ଢା ଚରାଇବ ନିମନ୍ତେ ପର୍ବତରେ କୁଟୀର ବନାଇ ରହନ୍ତି । କେବେ କେବେ ଘୋର ଝଡ଼ ହୁଏ । ବଡ଼ ବଡ଼ ଗଛମାନ ପ୍ରଚଣ୍ଡ ପବନବେଗରେ ମହୀରେ ଶୁଅନ୍ତି । ଚାରିଆଡ଼େ ତୁଷାର ବୃଷ୍ଟି ହୁଏ । ଆକାଶ ଅନ୍ଧାର ହୋଇଯାଏ । ପଥିକମାନେ ଏପରି ଝଟିକାରେ ପଡ଼ିଲେ ସେମାନଙ୍କର ମୃତ୍ୟୁରୁ ରକ୍ଷା ପାଇବାର କଠିନ ହୁଅଇ ।

 

ଆମ୍ଭେ ନେପ୍‌ଲସ୍ ନଗରୀରେ ଜନ୍ମିଥିଲୁଁ । …ଆମ୍ଭର ବୟଃକ୍ରମ ଅଧିକ ହୋଇନଥିଲା । ସଂସାରସୁଖ କିପରି ଜାଣିବାକୁ ସମର୍ଥ ହୋଇନଥିଲୁଁ । ଏପରି ଅବସ୍ଥାରେ ଏକ ମଠକୁ ପ୍ରେରିତ ହେଲୁ । ସେହି ମଠ ଭିସୁଭିୟସ୍ ଆଗ୍ନେୟଗିରିର ଏକ ଗହନ ବନ ମଧ୍ୟରେ ଅବସ୍ଥିତ ଥିଲା । ସେହି ସ୍ଥାନରେ ଚାରିଆଡ଼େ ଉଚ୍ଚ ଶୈଳ ଶିଖରଶ୍ରେଣୀ । ପାଖରେ ଗୋଟିଏ ନଦୀ । ସେହି ନଦୀର କଳକଳ ଶବ୍ଦଦ୍ଵାରା ମନରେ ଗଭୀର ଭାବର ଉଦୟ ହୁଅଇ ।”

 

ଆଜି ନେପଲସ୍ ଓ ଭିସୁଭିୟସ୍ ଅଭିମୁଖେ ଯାଉଥିବାବେଳେ ‘ଇତାଲୀୟ ଯୁବା’ର ଶକ୍ତିଶାଳୀ କରୁଣ କାହାଣୀ ବାରମ୍ବାର ମନକୁ ଆନ୍ଦୋଳିତ କରୁଥିଲା ।

 

ବିଶାଳ ବିମାନବନ୍ଦର ବାହାରକୁ ଆସିଲେ ମହାନଗରୀର ପ୍ରଶସ୍ତ ଉପକଣ୍ଠ । ‘ଚିରନ୍ତନ ନଗରୀ’ (Eternal city) ନାମରେ ଖ୍ୟାତ ରୋମ ମହାକାଳର କେତେ ପର୍ଯ୍ୟାୟର କେତେ ଉତ୍‌ଥାନ-ପତନର ସାକ୍ଷ୍ୟମାନ ଏହି ପ୍ରାନ୍ତର ତଳେ ପ୍ରସ୍ଥ ପ୍ରସ୍ଥ ହୋଇ ପ୍ରୋଥିତ ରହିଛି, ସେକଥା କିଏ କହିପାରିବ !

 

କିନ୍ତୁ ହାୟ ! ରୋମ୍ ଛୁଇଁବାର ଅଳ୍ପ ସମୟ ଭିତରେ ‘ଇତାଲୀୟ ଯିବା’ର ସେ ରୋମାଞ୍ଚକର ସ୍ମୃତି, ଏ ମହାନଗରୀର ଐତିହାସିକ ବ୍ୟାପକତାଜନିତ ଶ୍ରଦ୍ଧାଶୀଳ ଆକର୍ଷଣ ସବୁ କିଛି ଫିକାପଡ଼ିଗଲା । ବିମାନ ପ୍ରତିଷ୍ଠାନର ବସ୍ ନେଇ ସହର ଭିତରେ ଛାଡ଼ିଦେଲା । ଜଣେ କୁଲି ମୋ ସୁଟକେଶଟି ନେଇ ଦୁଇ ହାତ ଦୂରବର୍ତ୍ତୀ ଟ୍ୟାକ୍‌ସିଟାଏ ଉପରେ ଥୋଇଦେଲା । ତା’ ପ୍ରାପ୍ୟ ବିଷୟରେ ଜିଜ୍ଞାସୁ ହୋଇ ଅନାଇବାମାତ୍ରେ କହିଲା, “ଦୁଇଶହ ଲିରା ।” ଦେଲି । ଟ୍ୟାକ୍‌ସି ଆଣି ମୋ ହୋଟେଲରେ ଛାଡ଼ିଦେଲା । ମିଟର ଦେଖାଉଛି ପାଞ୍ଚଶହ ଲିରା, ସେ କିନ୍ତୁ ମାଗିଲା ଏକ ହଜାର ଲିରା । କାରଣ ? “ଏଠାକାର ନିୟମ ହେଲା, ମିଟରର ଦୁଇଗୁଣ ଦେବାକୁ ହୁଏ ।” ବିଶ୍ୱାସ ହେଉ ନ ଥିଲା; କିନ୍ତୁ ଯୁକ୍ତି କରିବି କେଉଁ ଅଭିଜ୍ଞତାର ଅବଲମ୍ବନରେ ? ଅତଏବ ଦେଲି ।

 

ଯେଉଁ ହୋଟେଲକୁ ଆସିଲି, ତା’ର ମାଲିକଙ୍କ ନିକଟକୁ ତାଙ୍କର ଜଣେ ଇଂରେଜ ସାମ୍ବାଦିକ ବନ୍ଧୁଙ୍କଠାରୁ ପରିଚୟ-ପତ୍ର ଆଣିଥିଲି । “ସେ ମୋ ଭଉଣୀର ବିଶେଷ ବନ୍ଧୁ । ତୁମେ ଆମର ବନ୍ଧୁ ବୋଲି ଜାଣିଲେ ସେ ବହୁତ ହେପାଜତ୍ କରିବ ।” ଇଂରେଜ ସାମ୍ବାଦିକ କହିଥିଲେ ।

 

ବହୁ ଆଶା ନେଇ ମାଲିକଙ୍କୁ ପ୍ରଥମେ ସାମ୍ବାଦିକ ବନ୍ଧୁଙ୍କ ନାମ ଓ ପରେ ତାଙ୍କ ବାନ୍ଧବୀଙ୍କ ନାମ କହିଲି । ମାଲିକ ଆଖି ଦୁଇଟି ଥରେ ଚହଲାଇ ଦେଲେ ଓ ହାତ ଦୁଇଟି ମୁହୂର୍ତ୍ତକ ପାଇଁ ପ୍ରସାରିତ କରିଦେଲେ ମାତ୍ର । ସେ ଲଳିତ ଭଙ୍ଗୀର ଭାଷାଗତ ଅନୁବାଦ ହେବ—କେତେ ନାରୀ ବନ୍ଧୁ ମୋର ଦେଶଦେଶାନ୍ତରେ; ବେଳ କାହିଁ ଖୋଜିବାକୁ ସ୍ମୃତିର ପୋଥିରେ !

 

ଜାଗା ନାହିଁ ବୋଲି କହି, ଘଣ୍ଟାଏ କାଳ ମୋତେ ପଦଚାରଣା କରାଇ ଶେଷକୁ ସେ ଦୈନିକ ଦୁଇହଜାର ଲିରା ଭଡ଼ାରେ କୋଠରିଟିଏ ଦେଲେ । ଜିନିଷପତ୍ର ଥୋଇଦେଇ ଆସି ଭଦ୍ରଲୋକଙ୍କୁ କହିଲି, “ବୁଲିଆସେ । ଆଚ୍ଛା, ଏଠାରେ କଣ ଟ୍ୟାକ୍‌ସିମାନେ ମିଟର ଯାହା ଦେଖାଏ ତା’ର ଦୁଇଗୁଣ ନେବା ନିୟମ ?’’

 

“ମୋଟେ ନୁହେଁ, ମୋଟେ ନୁହେଁ । ତାକୁ ପୋଲିସ ହାତରେ ସମର୍ପି ଦେବା ଉଚିତ ଥିଲା ।” ଭଦ୍ରଲୋକ କହିଲେ । ନେପ୍‌ଲସ ଓ ପୋମ୍ପେରୁ ଫେରିବା ପରେ, ରୋମ ଛାଡ଼ିବା ଦିନ ବୁଝିଲି, ଭଦ୍ରଲୋକ ମୋ’ ଠାରୁ କୋଠରି ଭଡ଼ା ବାବଦରେ ଦୁଇଗୁଣ ନେଉଥିଲେ । ସେତିକିରେ ତାଙ୍କର ତୃପ୍ତି ନ ଥିଲା । ମୁଁ ତାଙ୍କୁ ଷ୍ଟାଲିଂ ଟ୍ରାଭଲାର୍ସ ଚେକରେ ତାଙ୍କର ପ୍ରାପ୍ୟ ଦେଉଥିଲି । ବିନିମୟ ହାର ଅନୁସାରେ ପାଉଣ୍ଡର ମୂଲ୍ୟ ଯେତିକି ଲିରା, ଭଦ୍ରଲୋକ ବଡ଼ ଆମାୟିକ ଢଙ୍ଗରେ ହିସାବ କରି ମୋ’ଠୁ ତାହାଠାରୁ ବେଶି ନେଇଗଲେ ।

 

ବୁଲିବାକୁ ବାହାରି ଯାଇ ବିଖ୍ୟାତ ସେଣ୍ଟପିଟର୍ସ ଚର୍ଚ୍ଚ ପାଖରେ କ୍ୟାମେରାରେ ଫିଲ୍ମ ସରିଯିବାରୁ ସେଠାରୁ ନୂଆ ରୋଲ୍‌ଟିଏ କିଣିଲି । ସେତିକି ଦାମ୍ ଦେବାକୁ ପଡ଼ିଲା, ପରେ ଏକ ବଡ଼ ଦୋକାନରେ ଯାଇ ଦେଖିଲି ବଜାର ଦାମ୍ ତା’ର ଏକ-ତୃତୀୟାଂଶ ।

 

ବିମର୍ଷତା ଓ ବିରକ୍ତି ଭିତରେ ମନେପଡ଼ିଥିଲା, ‘‘ରୋମରେ ଥିବାବେଳେ ରୋମାନ୍‌ମାନଙ୍କ ଭଳି ଆଚରଣ କର” (When in Rome do as Romans do); କିନ୍ତୁ ସେଭଳି କରିବାର ଉପାୟ ନ ଥିଲା । ନିଜକୁ ସାନ୍ତ୍ଵନା ଦେଲି : ଏସବୁ ଦୁଃଖଦାୟକ ଅଭିଜ୍ଞତା ଆକସ୍ମିକ ଯୋଗାଯୋଗ ମାତ୍ର । ନିଜକୁ ତାଗ୍‌ଦା ଦେଲି : ଏସବୁ ଛୋଟ ଛୋଟ କଥା ନିହାତି ସାମୟିକ, ନିହାତି ଅସ୍ଥାୟୀ ଯୁଗଧର୍ମର ଲକ୍ଷଣ ମାତ୍ର । ଏ ସାମୟିକ ରୋମ ଉପରେ ମନ ନିବଦ୍ଧ କରିବି, ନା ଚିରନ୍ତନ ରୋମ ଉପରେ—ଯେଉଁ ‘ରୋମ ଅଭିମୁଖେ ପ୍ରଧାବିତ ପୃଥିବୀର ସମସ୍ତ ପଥ-?’ ( All roads lead to Rome)

 

ଅସୁମାରି କାଳ ତଳେ, କିମ୍ବଦନ୍ତୀ କହେ, ରୋମୁଲାସ୍ ଓ ରେମାସ୍ ନାମକ ଦୁଇଟି କୁନି କୁନି ଛେଉଣ୍ଡ ଭାଇଙ୍କୁ ସେମାନଙ୍କ ଅଭିଭାବକ ଗୋଟିଏ ପାତ୍ରରେ ଥୋଇ ଟାଇବାର୍‌ ନଦୀରେ ଭସାଇଦେଲା । ପାତ୍ରଟି ଭାସି ଭାସି ଯାଇ ବଣ ଭିତରେ ପାଣି ଉପରକୁ ଝାମ୍ପି ରହିଥିବା ଗୋଟିଏ ବୁଦାରେ ଅଟକିଗଲା । ପିଲାଙ୍କ କାନ୍ଦଣା ଶୁଣି ହେଟା ବାଘୁଣୀଟିର ମନରେ କରୁଣାର ଉଦ୍ରେକ ହେଲା । ସେ ସେମାନଙ୍କୁ ଦୁଧ ଦେଇ ବଞ୍ଚାଇ ରଖିଲା; କାଠହଣା ଚଢ଼େଇଟିଏ ଦୟା ବହି ଫଳମାନ ଆଣି ସେମାନଙ୍କୁ ଯୋଗାଇଦେଲା । ସେମାନେ ଟିକିଏ ବଡ଼ ହେବା ପରେ ଜଣେ ପଶୁପାଳକ ସେମାନଙ୍କୁ ପାଳିଲା । କାଳକ୍ରମେ ସେମାନେ ସେମାନଙ୍କୁ ନଦୀରେ ଭସାଇଥିବା ଅଭିଭାବକର ପ୍ରାଣ ନେଲେ; ପ୍ରତିଷ୍ଠା କଲେ ଅରଣ୍ୟଗର୍ଭର ଏକ ଶିଳାସ୍ତୂପ ଉପରେ ସେମାନଙ୍କ କଳ୍ପନା ରାଜ୍ୟର ରାଜଧାନୀ । ପ୍ରତିଷ୍ଠାର ଅବ୍ୟବହିତ ପୂର୍ବରୁ ସେମାନେ ଦେଖିଥିଲେ କେତୋଟି ହିଂସ୍ର ଗୃଧ୍ରଜାତୀୟ ପକ୍ଷୀ । ସହିଂସ ଶକ୍ତି ପ୍ରୟୋଗ ଉପରେ ସେ ପ୍ରସ୍ତାବିତ ରାଜ୍ୟର ଭବିଷ୍ୟତ ଗଠିତ ହେବ ବୋଲି ସେମାନେ ସୂଚନା ପାଇଲେ । ଅନତିବିଳମ୍ବେ ସେ ସୂଚନା ସତ୍ୟ ହେବାକୁ ଆରମ୍ଭକଲା । ଜାଆଁଳା ଭାଇ ରୋମୁଲାସ୍ ହାତରେ ବା ତା’ ନିର୍ଦ୍ଦେଶରେ ପ୍ରାଣ ଦେଲା ରେମାସ୍ । କେତେଜଣ ଦୁର୍ଦ୍ଧର୍ଷ ଦସ୍ୟୁପ୍ରକୃତିର ଲୋକଙ୍କୁ ଆଣି ରୋମୁଲାସ୍ ପ୍ରଜା ବନାଇଲା । ସେମାନଙ୍କ ସହାୟତାରେ ନିକଟବର୍ତ୍ତୀ ବସତିମାନ ଦଖଲ କରି ଗଠନ କଲା ରାଜ୍ୟ । ପ୍ରତିଷ୍ଠାତାର ନାମ ବହନକଲା ସେ କ୍ଷୁଦ୍ର ରାଜ୍ୟ–ରୋମ୍ ।

 

ସହିଂସ ରୋମ କେତେ ଦେଶ ଆକ୍ରମଣ କରି ସାମ୍ରାଜ୍ୟ ଥାପିଛି, ଅଗଣିତ ନରନାରୀଙ୍କୁ ଦାସ ବନାଇ ନିର୍ଯାତିତ କରିଛି, ଖ୍ରୀଷ୍ଟିଆନ୍ ଧର୍ମର ପ୍ରଥମ ପ୍ରସାର ବେଳେ ଅକଥନୀୟ ଯନ୍ତ୍ରଣା ଦେଇ ଧର୍ମପ୍ରାଣ ବ୍ୟକ୍ତିମାନଙ୍କୁ ହତ୍ୟା କରିଛି, ପୈଶାଚିକ ମଉଜ୍ ପାଇଁ ହଜାର ହଜାର ମଣିଷଙ୍କୁ କ୍ଷୁଧାର୍ତ୍ତ ବାଘ, ସିଂହ ମୁହଁକୁ ଠେଲିଦେଇଛି । କିନ୍ତୁ ଅନ୍ୟ ଦିଗରେ ରୋମର ସାମ୍ରାଜ୍ୟ ବିସ୍ତାର-ତୃଷ୍ଣା ଭିତରୁ ହିଁ ଜନ୍ମ ନେଇଛି ସୁଦୁରର ପ୍ୟାରିସ୍, ଲଣ୍ଡନ ଭଳି ମହାନଗରୀ । ପୁଣି ୟୁରୋପୀୟ ଗଣତନ୍ତ୍ରର ଜନ୍ମସ୍ଥାନ ହେଲା ରୋମ୍ ।

 

ଏକଦା ଅନତିଦୂରବର୍ତ୍ତୀ ଏଟ୍ରୁସ୍କାନମାନେ ରୋମ ଉପରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । ଖ୍ରୀଷ୍ଟ ଜନ୍ମର ପାଞ୍ଚଶହ ବର୍ଷ ପୂର୍ବେ ହଠାତ୍ ଦିନେ ରୋମାନମାନେ ବିଦ୍ରୋହ କରି ସେ ଶାସକମାନଙ୍କୁ ତଡ଼ିଦେଲେ—ନିଜ ରାଜ୍ୟକୁ ଘୋଷଣା କଲେ ପ୍ରଜାତନ୍ତ୍ରରୂପେ । ସେହି ପ୍ରାଚୀନ କାଳରେ ଏହି ପ୍ରଜାତାନ୍ତ୍ରିକ ଆଦର୍ଶ ସେମାନଙ୍କୁ କେତେଦୂର ଅନୁପ୍ରାଣିତ କରିଥିଲା, ତାହାର ଏକ ଦୃଷ୍ଟାନ୍ତ : ଥରେ ଏକ ପ୍ରତିବେଶୀ ରାଜ୍ୟର ସୈନ୍ୟବାହିନୀ ଆସି ଟାଇବାର୍‌ ଉପତ୍ୟକାରେ ରୋମାନ୍ ସୈନ୍ୟବାହିନୀକୁ ଘେରିଗଲେ । ରୋମବାସୀମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଧାଇଁଲେ ବୁଦ୍ଧିମାନ ଭାବରେ ଖ୍ୟାତ ଜଣେ ବୃଦ୍ଧ କୃଷକଙ୍କ ପାଖକୁ । ତାଙ୍କ ନାମ ସିନ୍‌ସିନ୍ନାଟାସ୍ ।

 

ବୃଦ୍ଧ ଆଦେଶ ଦେଲେ, ସବୁ ରୋମବାସୀ ଖଣ୍ଡିଏ ଖଣ୍ଡିଏ କାଠପଟା ଧରି ରାତିରେ ତାଙ୍କୁ ଅନୁସରଣ କରି ଉପତ୍ୟକା ଆଡ଼କୁ ଚାଲନ୍ତୁ । ଶତ୍ରୁ ସୈନ୍ୟମାନେ ରୋମାନ୍ ବାହିନୀଙ୍କୁ ଘେରିଥାନ୍ତି । ଅନ୍ଧାର ଭିତରେ ବୃଦ୍ଧଙ୍କ ନିର୍ଦ୍ଦେଶରେ ଶତ୍ରୁବାହିନୀକୁ ଘେରିଗଲେ ରୋମ୍ ବାସୀମାନେ-। ନିଜ ନିଜ ସାମ୍‌ନାରେ କାଠପଟାମାନ ପୋତି ଶତ୍ରୁବାହିନୀ ଚାରିପଟେ ଗୋଟାଏ କାଠବାଡ଼ ବୁଲାଇଦେଲେ । ଭୋର ହେବା ମାତ୍ରେ ଭିତରପଟୁ ଓ ବାହାରପଟୁ ଅଚାନକ ଆକ୍ରାନ୍ତ ହୋଇ ଶତ୍ରୁବାହିନୀ ବନ୍ଦୀ ହେଲେ ।

 

ରୋମବାସୀମାନେ ଏଥୁ ଅନ୍ତେ ସିନ୍‌ସିନ୍ନାଟ୍‍ସାଙ୍କୁ ରାଜ୍ୟର ଏକକ ଶାସକ ହେବା ନିମନ୍ତେ ଅନୁରୋଧ କଲେ । କିନ୍ତୁ ଗଣତନ୍ତ୍ରରେ ଏକନିଷ୍ଠ ବିଶ୍ଵାସୀ ବୃଦ୍ଧ କୃଷକ ସେ ଅନୁରୋଧ ପ୍ରତ୍ୟାଖ୍ୟାନ କରି ଫେରିଗଲେ ନିଜ ଜମି ଓ ହଳ ପାଖକୁ ।

 

କାଳର କୁଟିଳ ଗତିରେ କେଉଁଠି ହଜିଗଲା ସେ ଆଦର୍ଶ ! ଯେତିକି ଯେତିକି ଶକ୍ତିଶାଳୀ ହୋଇ ରୋମ ଦେଶଦେଶାନ୍ତର ଜୟ କରିବାକୁ ଲାଗିଲା, ଐଶ୍ଚର୍ଯ୍ୟ ଓ କ୍ଷମତା ତାକୁ ସେତିକି ସେତିକି ବ୍ୟଭିଚାରୀ କଲା । ଅଧିକୃତ ଦେଶମାନଙ୍କରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦାସଦାସୀ ଆମଦାନୀ ହେଲେ । ଧନିକମାନଙ୍କ ଜମିରେ ସେମାନେ ଚାଷବାସ କଲେ । ଗରିବ କୃଷକମାନେ ଦାସଦାସୀ ରଖିବାକୁ ଅକ୍ଷମ ହୋଇ ସେମାନଙ୍କ ଜମିମାନ ଧନିକମାନଙ୍କୁ ବିକ୍ରି କରି ଦେଇ ବେକାର ବନି ସହରକୁ ପଳାଇଆସିଲେ । କିନ୍ତୁ ସେମାନେ ଭୋକ-ଉପାସରେ ମରିଗଲେ ଭୋଟ ମିଳିବ କାହାଠାରୁ ? ଅତଏବ ଧନିକ ଭେଟାଶ୍ରୟୀ ଶାସକମାନେ ସେମାନଙ୍କ ଖାଇବା-ପିଇବାର ବ୍ୟବସ୍ଥା କରିଦେଲେ । ବିଦେଶରୁ ଲୁଣ୍ଠିତ ଧନର ସୁଅ ବୋହିଆସୁଥାଏ । ଅତଏବ ଜନତାର ଅନ୍ନସଂସ୍ଥାନ କରିବା ଦିଗରେ କିଛି ଅସୁବିଧା ନାହିଁ । କିନ୍ତୁ ତା’ପରେ ? ସେମାନଙ୍କର ସମୟ କଟିବ କିପରି ? ସେମାନଙ୍କୁ ମଉଜ୍‌ର ଖୋରାକ ଯୋଗାଇଦେବା ଦରକାର । ଜନତାର ଜନପ୍ରିୟ ଧ୍ଵନି ଥିଲା, ‘‘ଦିଅ ଖାଦ୍ୟ, ଦିଅ ମଉଜ !” (Bread and Sports)

 

ଭୋଟ ପ୍ରାୟ ପ୍ରକାଶ୍ୟଭାବରେ ନିଲାମ ହେଉଥିଲା । ଯିଏ ଯେତେ ଟଙ୍କା ଦେଇ ପାରିଲା, ଯେତେ ଜାକଜମକର ଆୟୋଜନ କରିପାରିଲା, ସେ ରାଜ୍ୟର କର୍ତ୍ତା ହେବାକୁ ସେତିକି ହକ୍‌ଦାର । (ଦୁଇ ହଜାର ବର୍ଷ ଅନ୍ତେ ଏ ବିଧି ଆଜି କେତେଦୂର ବଦଳିଛି, ତାହା ବିଚାର୍ଯ୍ୟ ।) କ୍ରମେ ବିତ୍ତ ଓ ଆଡ଼ମ୍ବର ସହିତ ଯିଏ ବ୍ୟକ୍ତିଗତ ହିମ୍ମତ ଓ ସମରକୌଶଳର ପରିଚୟ ଦେଇପାରିଲା, କର୍ତ୍ତୃତ୍ଵ ପାଇଁ ତାର ଦାବୀ ପାଇଲା ବେଶି ସମର୍ଥନ । ଏହି ତିନି ମହାର୍ଘ୍ୟ ବିଷୟର ସମାବେଶ ଘଟିଥିଲା ଜାଲିଅସ ସିଜର୍‌ଙ୍କ କ୍ଷେତ୍ରରେ । ତେଣୁ ସେ ରୋମ୍‌ର ସର୍ବେସର୍ବା ବନିଲେ । ତାଙ୍କର ଆକାଂକ୍ଷା ଥିଲା ‘ସମ୍ରାଟ୍‌’ ବନିବା ପାଇଁ । ସେଥିରେ ସେ କ୍ଷମତାରେ କିଛି ତାରତମ୍ୟ ହୋଇଥାନ୍ତା, ତାହା ନୁହେଁ । କିନ୍ତୁ ସବୁ କ୍ଷମତା ହାସଲ କରିବା ପରେ ଉଚ୍ଚାକାଂକ୍ଷା ପୁଣି କଣ ଖୋଜିବ ତ ? ଖୋଜୁଥିଲା ସର୍ବୋଚ୍ଚ ଉପାଧି ।

 

କିନ୍ତୁ ତାଙ୍କ କପାଳରେ ସେଇଟା ଲେଖା ନ ଥିଲା । ତାଙ୍କ ଅନୁଗତ ମାର୍କ ଏଣ୍ଟୋନି ଜନସଭାରେ ତାଙ୍କୁ ମୁକୁଟ ଯାଚିବା ବେଳକୁ ସେ କୃତ୍ରିମ ବିନୟ ତଥା ତାଚ୍ଛଲ୍ୟ ଦେଖାଇ ମୁକୁଟ ହାତରେ ଏଡ଼ାଇ ଦିଅନ୍ତେ ଜନତା ଏତେ ଉଚ୍ଚ କଣ୍ଠରେ ତାଙ୍କ ‘ତ୍ୟାଗ’ର ପ୍ରଶଂସା କଲେ ଯେ ଭଦ୍ରଲୋକ ଅଡ଼ୁଆରେ ପଡ଼ି ଆଉ ମୁକୁଟ ପରିଧାନ କରିପାରିଲେ ନାହିଁ । ପରେ ହୁଏତ ଆଉ ଏକ ସୁଯୋଗ ସୃଷ୍ଟି କରିଥାନ୍ତେ । ତେବେ, ଅଚିରେ ଗଣତନ୍ତ୍ରର ଭକ୍ତ ବ୍ରୁଟାସ୍‌ଙ୍କ ନେତୃତ୍ଵରେ ଦଳେ ରାଜନୀତିଜ୍ଞଙ୍କ ସମବେତ ଛୁରିକାଘାତରେ ସେ ଟଳିପଡ଼ିଲେ ।

 

କିନ୍ତୁ ଜୁଲିଅସ୍ ସିଜର୍‌ଙ୍କ ଏକକ ଉଚ୍ଚାକାଂକ୍ଷାର ଶକ୍ତି ଅବା ହେଲା ଗଣତନ୍ତ୍ରର ଶକ୍ତିଠାରୁ ବଳବାନ ! ସେ ଶକ୍ତି ରୂପାୟନ ନେଲା ତାଙ୍କ ଉତ୍ତରାଧିକାରୀ ଅଗଷ୍ଟସ୍ ସିଜର୍‌ଙ୍କ ଜୀବନରେ । ଅଗଷ୍ଟସ୍ ବନିଗଲେ ସମ୍ରାଟ୍‌ । ଗଣତନ୍ତ୍ରର ଅବସାନ ହେଲା ।

 

କିନ୍ତୁ ଶାସନତନ୍ତ୍ରର ଏ ପରିବର୍ତ୍ତନରେ ଜନତା ସେମାନଙ୍କ ପ୍ରାପ୍ୟ ‘ଖାଦ୍ୟ ଓ ମଉଜ’ରୁ ବଞ୍ଚିତ ହେଲେ ନାହିଁ । ଅବ୍ୟାହତ ରହିଲା ନୃତ୍ୟଗୀତର ବ୍ୟବସ୍ଥା, ଅବ୍ୟାହତ ରହିଲା ବିରାଟ କୋଲିସିଆମରେ ପଶୁ ଓ ମଣିଷ ଭିତରେ ତଥା ମଣିଷ ମଣିଷ ଭିତରେ ଭୟଙ୍କର ଲଢ଼େଇର ବିକଟ ଚାଞ୍ଚଲ୍ୟ ।

 

ଆଜି ବି ଦଣ୍ଡାୟମାନ ରହିଛି କୋଲିସିଆମ୍ । ଏକଦା ଏହାର ସ୍ତର ସ୍ତର ପ୍ରଶସ୍ତ ଗ୍ୟାଲେରିରେ ପ୍ରାୟ ନବେ ହଜାର ଦର୍ଶକ ବସିପାରୁଥିଲେ । ହାତୀଦାନ୍ତର ଚେଆର୍‌ମାନଙ୍କରେ ବସୁଥିଲେ ସମ୍ଭ୍ରାନ୍ତମାନେ; ରତ୍ନଖଚିତ ସିଂହାସନରେ ସମ୍ରାଟ୍‌ । ଏକଜାତୀୟ ମାର୍ବଲ ଗୁଣ୍ଡ ଖେଳପ୍ରାଙ୍ଗଣରେ ବିଛାଇ ଦିଆଯାଉଥିଲା । ସେ ଗୁଣ୍ଡ ଉଡ଼ି ଯେତେବେଳେ କାନ୍ଥମାନଙ୍କରେ ବସିଯାଉଥିଲା, ମନେହେଉଥିଲା ସତେ ଅବା ତୁଷାରକଣା ବୃଷ୍ଟି ହୋଇଛି !

 

ପ୍ରଥମେ ପ୍ରାଙ୍ଗଣ ଭିତରକୁ ଆସୁଥିଲେ ଜୀବଜନ୍ତୁମାନେ । ଥରେ ଥରେ ହାତୀଟାଏ କୋଲିସିଆମ୍ ଉପରକୁ ଉଠିଯାଇ ଖଣ୍ଡିଏ ଦଉଡ଼ି ଉପରେ ଚାଲି ଚାଲି ତଳକୁ ଓହ୍ଲାଇ ଆସୁଥିଲା । ତା’ପରେ ଗୋଟାଏ ଭାଲୁକୁ ସମ୍ଭ୍ରାନ୍ତ ମହିଳାବେଶରେ ଅଣାଯାଉଥିଲା । ଆଉ ଗୋଟାଏ ଭାଲୁ ଓକିଲବେଶ ହୋଇ ଦୁଇଗୋଡ଼ରେ ଛିଡ଼ା ହୋଇ ଜେରା କଲାଭଳି ଅଙ୍ଗଭଙ୍ଗୀ କରୁଥାଏ । ରତ୍ନମୁକୁଟ ଲଗାଇ, ହୀରା ହାର ପକାଇ, ସୁନାଜରିରେ କେଶବିନ୍ୟାସ କରି ଆସୁଥାଏ ସିଂହଟିଏ । ତା’ ସହ ନିର୍ଭୟରେ ଖେଳେ ଶଶକଟାଏ । ପୁଣି ପୁରୁଷ ଓ ନାରୀ ବେଶ ହୋଇ ଦଳ ଦଳ ହାତୀ ଆସି ମଣିଷଙ୍କ ଭଳି ଟେବୁଲ ଚୌକିରେ ଖାଉଥିଲେ ।...ଥରେ ଥରେ ପ୍ରାଙ୍ଗଣ ଭିତରକୁ ଛାଡ଼ିଦିଆଯିବ ପ୍ରଚୁର ପାଣି । ଜାହାଜଟିଏ ମଝିକୁ ଭାସିଯାଇ ହଠାତ୍ ଭାଜିଯିବ । ତହିଁ ଭିତରେ ଥିବେ ନାନା ପ୍ରକାର ଜୀବଜନ୍ତୁ । ସେମାନେ ସବୁ କେମିତି ବିକଳ ହୋଇ ସନ୍ତରଣ କରିବେ, ଜନତାଙ୍କୁ ସେ ଦୃଶ୍ୟ ଦେଖାଇ ଦିଆହେଉଥିଲା ।...କିନ୍ତୁ ଏହିସବୁ ନିରୀହ ଖେଳ ପାଇଁ କୋଲିସିଆମ୍ ନିର୍ମିତ ହୋଇ ନ ଥିଲା । ଲୋକଙ୍କର ଦରକାର ଥିଲା ଉତ୍ତେଜନା, ଉନ୍ମାଦନା । ହଠାତ୍‌ ପ୍ରାଙ୍ଗଣ ଚତୁଃପାର୍ଶ୍ଵସ୍ଥ ହାରମାନ ଉନ୍ମୁକ୍ତ ହୋଇଯାଏ । ଭୟଙ୍କର, ଭୋଖିଲା, ହିଂସ୍ର ଜୀବମାନେ ଛାଡ଼ ପାଇ ପ୍ରାଙ୍ଗଣ ଭିତରକୁ ଦୌଡ଼ିଆସନ୍ତି । ଗଣ୍ଡାର, ବାଘ, ଭାଲୁ, ବାର୍‌ହା, ସିଂହ ଇତ୍ୟାଦି ପରସ୍ପର ଉପରକୁ କୁଦିପଡ଼ନ୍ତି । ଅଦମ୍ୟ ଆଗ୍ରହରେ ଜନତା ସେ ଜୀବମାନଙ୍କର ସେ ଆକ୍ରମଣ ଓ ଆତ୍ମରକ୍ଷାର ନାଟକୀୟ ଦୃଶ୍ୟ ଉପଭୋଗ କରନ୍ତି । ପଶୁମାନେ ଦୈବାତ୍ ଅନୁତ୍ତେଜିତ ଥିବାର ଦେଖାଗଲେ ନାଲି ରଙ୍ଗ ଦେଖାଇ ଓ ଅନ୍ୟାନ୍ୟ ଉପାୟରେ ସେମାନଙ୍କୁ ଉନ୍ମତ୍ତ କରିବାକୁ ହୁଏ । ଯେଯାଏ ରକ୍ତସ୍ରୋତ ନ ବହିଛି, ସେଯାଏ ଦର୍ଶକମଣ୍ଡଳୀ ତୃପ୍ତ ହେବେ ନାହିଁ । ଏହି ନିଷ୍ଠୁର ଖେଳ ପାଇଁ ଦେଶଦେଶାନ୍ତରେ ନିଯୁକ୍ତ ରୋମାନ ସାମ୍ରାଜ୍ୟ ଶାସକମାନେ ଅବିଶ୍ଵାସ୍ୟ ସଂଖ୍ୟାରେ ବାଘ, ସିଂହ, ହାତୀ ଓ ଚିତା ଇତ୍ୟାଦି ସଂଗ୍ରହ କରି ପଠାଉଥିଲେ । ତେବେ ରୋମାନ୍‌ମାନେ ରକ୍ତପାତ ଦେଖିବାକୁ ଭଲପାଉଥିଲେ ସିନା; କିନ୍ତୁ ରକ୍ତର ଗନ୍ଧ ସେମାନଙ୍କୁ ସୁହାଉନଥିଲା । ତେଣୁ ମଦ୍ୟରେ ସିଦ୍ଧ ନାନାପ୍ରକାର ମସଲାର ବମ୍ଫ କୋଲିସିଆମ୍ ଭିତରେ ଖେଳାଇ ଦିଆହେଉଥିଲା ପାଇପ୍ ସାହାଯ୍ୟରେ ।

 

“କିନ୍ତୁ ଜୀବଜନ୍ତୁଙ୍କ ଲଢ଼େଇରେ କଥା ସରୁନଥିଲା । ତା’ପରେ ହିଂସ୍ର ଜନ୍ତୁଙ୍କ ସାମନାକୁ ଆସୁଥିଲେ ମଣିଷ । ପ୍ରାୟ ନିରସ୍ତ୍ର । ପଶୁ ସହିତ ସେମାନଙ୍କ ଲଢ଼େଇ କୌଶଳ ଦେଖିବାକୁ ଯେ ଜନତା ଆଗ୍ରହାନ୍ୱିତ ଥିଲା, ତାହା ନୁହେଁ, ପଶୁକବଳରେ ମଣିଷର ବିଦଳିତ ମୃତ୍ୟୁ ହିଁ ଥିଲା ସେମାନଙ୍କର ଉପଭୋଗ୍ୟ । ଏହି ବଳିମାନଙ୍କ ଭିତରେ ଥିଲେ ଅସଂଖ୍ୟ ଖ୍ରୀଷ୍ଟିଆନ୍, ଖ୍ରୀଷ୍ଟଧର୍ମର ପ୍ରଥମ ପ୍ରସାରକାଳୀନ ସହିଦ୍ ।

 

‘ତା’ପରେ ଆସୁଥିଲେ ତାଲିମପ୍ରାପ୍ତ ଗ୍ଲାଡିଏଟର୍‌ମାନେ । ସମବେତ କଣ୍ଠରେ ସମ୍ରାଟ୍‌ଙ୍କୁ ଅନାଇ ସେମାନେ ଏହି ସମ୍ଭାଷଣ ଜଣାଉଥିଲେ, “ସମ୍ରାଟ୍‍ ! ଆମେ ମୃତ୍ୟୁପଥଗାମୀମାନେ ତୁମକୁ ଅଭିବାଦନ ଜଣାଉଛୁ !”

 

“ପରସ୍ପର ଲଢ଼େଇରେ ଯେଉଁ ଗ୍ଲାଡିଏଟର୍ ଜଖମ ହୋଇ ପଡ଼ିଯାଉଥିଲା, ତାକୁ ଖତମ୍ କରିବ କି ନା, ସେ ନିର୍ଦ୍ଦେଶ ପାଇଁ ତା’ ପ୍ରତିଦ୍ୱନ୍ଦୀ ଦର୍ଶକମଣ୍ଡଳୀ ଆଡ଼କୁ ଅନାଉଥାଏ । ଲୋକେ ଯଦି ତାଙ୍କ ବୁଢ଼ାଆଙ୍ଗୁଳିମାନ ଉପରକୁ ଟେକିଦେଉଥିଲେ, ତେବେ ଆହତ ଯୋଦ୍ଧାକୁ ଛାଡ଼ିଦେବାକୁ ହେବ ବୋଲି ବୁଝାଯାଉଥିଲା । ଲୋକେ ଆଙ୍ଗୁଳି ତଳକୁ କରିବା ଅର୍ଥ ଆହତ ଲୋକକୁ ମାରିଦେବାକୁ ହେବ । ଆହତଟି ମୃତ୍ୟୁବରଣ କରିବାକୁ ଟିକିଏ ଇତସ୍ତତଃ କଲେ ଲୋକେ ଚିତ୍କାର କରୁଥିଲେ, “ଆଘାତ ଗ୍ରହଣ କର ! ଆଘାତ ଗ୍ରହଣ କର… !’

 

“ଏହି ବୀଭତ୍ସ ଉତ୍ସବ ଉପଭୋଗ କରୁଥିଲେ ସଭିଏଁ—ଧର୍ମପ୍ରାଣ ନାଗରିକ, ପୃଥୁଳକାୟ ସିନେଟର୍ ଓ ନିର୍ମହୃଦୟ ନାରୀମାନେ ମଧ୍ୟ । କୋଲିସିଆମ୍‌ର ପରିଧି ଭିତରେ ପଶିଲେ ସମସ୍ତେ ହେଉଥିଲେ ନିର୍ମମ ।” (A Book of Golden Deeds—C. M. Yonge)

 

ରୋମର ସମ୍ରାଟ୍ କନ୍‌ଷ୍ଟେନ୍‌ଟାଇନ୍ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ନୀତିଗତଭାବେ ଏ ହତ୍ୟା-ବିଧି ବାରଣ ହେଲା ସତ; କିନ୍ତୁ ସମ୍ରାଟ୍‌ଙ୍କ ଅନୂପସ୍ତିତିର ସୁଯୋଗ ନେଇ ଏହା ଅବ୍ୟାହତ ରହିଲା ଜନସାଧାରଣଙ୍କ ଦାବୀ ତଥା ରାଜ-କର୍ମଚାରୀମାନଙ୍କ ପୃଷ୍ଠପୋଷକତା ବଳରେ ।

 

ପଞ୍ଚମ ଶତକର ଆରମ୍ଭରେ ଦିନେ ରୋମାନ୍‌ମାନେ ଏକ ଯୁଦ୍ଧରେ ବିଜୟ ଲାଭ କରି କୋଲିସିଆମରେ ଉତ୍ସବ କରୁଥିଲେ । ଗ୍ଲାଡିଏଟର୍‌ମାନେ ପରସ୍ପର ଉପରକୁ ଡେଇଁପଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି, ସେତିକିବେଳେ ଏକ ଉତ୍ତେଜିତ ଚିତ୍କାର ଶୁଭିଲା, “ବନ୍ଦ କର ଏ ବିଭୀଷିକା !”

 

ସଙ୍ଗୀତ, ହାସ୍ୟରୋଳ, ଗୁଞ୍ଜନ ସବୁ ମୁହୂର୍ତ୍ତକ ପାଇଁ ସ୍ତବ୍‌ଧ ରହିଲା । ସମସ୍ତେ ଅବାକ୍ ହୋଇ ଦେଖିଲେ, ଜଣେ ବିଚିତ୍ରବେଶୀ ବୃଦ୍ଧ ବିଦେଶୀ ପଶି ଯାଇଛନ୍ତି ଅଙ୍ଗନ ଭିତରକୁ । ଦୁଇ ପକ୍ଷର ଗ୍ଲାଡିଏଟର୍‌ମାନଙ୍କ ଭିତରେ ଛିଡ଼ା ହୋଇ ସେ ପୁଣି ଚିତ୍କାର କଲେ, “ବନ୍ଦ କର ଏ ବୀଭିତ୍ସ ଖେଳ !”

 

ଦର୍ଶକମାନେ ବେଶି ସମୟ ବୃଦ୍ଧଙ୍କର ଏ ହସ୍ତକ୍ଷେପକୁ ବରଦାସ୍ତ କଲେ ନାହିଁ । ‘‘ଶେଷ କର ଏ ବୁଢ଼ାକୁ !” ସେମାନେ ଚିତ୍କାର କଲେ । ଦୁଇ ପକ୍ଷର ଗ୍ଲାଡିଏଟର୍‍ଙ୍କ ପ୍ରବଳ ଚାପରେ ନିଷ୍ପେଷିତ ହୋଇ ପ୍ରାଣ ଦେଲେ ବୃଦ୍ଧ ।

 

ଖେଳ ସେଦିନ କିନ୍ତୁ ଆଉ ଜମିଲା ନାହିଁ ।

 

ଏବଂ ତାହା ହିଁ ଥିଲା କୋଲିସିଆମରେ ଶେଷ ନରବଳି । ବୃଦ୍ଧଙ୍କ ଆତ୍ମାହୁତିର ବିମର୍ଷ ପ୍ରଭାବ ଧୀରେ ଧୀରେ ସମସ୍ତେ ଅନୁଭବ କରିଥିଲେ ।

 

ଇତିହାସ ସେ ବୃଦ୍ଧର ପରିଚୟ ସମ୍ପର୍କରେ ଏତିକି ମାତ୍ର କହେ: ସେ ଥିଲେ ଜଣେ ପ୍ରାଚ୍ୟର ପରିବ୍ରାଜକ ।

 

ବାଇରନ୍ ଲେଖିଥିଲେ :

 

While stands the Colosseum Rome shall stand;

 

When falls the Colosseum, Rome shall fall, And when Rome falls—the world.

 

କୋଲିସିଆମ୍‌ର ପତନ ହୋଇଛି, ରୋମ୍ କିନ୍ତୁ ବହୁ ସଙ୍କଟ ଭିତରେ ବି ଜିଇଁ ରହିଛି । ରୋମର ପତନ ହେଲେ ପୃଥିବୀର ପତନ ହେବ, ଏ ସମ୍ଭାବନା ବି ନାହିଁ ।

 

କୋଲିସିଆମ୍ ପ୍ରାଚୀନ ରୋମ୍‌ର ଏକମାତ୍ର ପରିଚୟ ନୁହେଁ । ସାମ୍ରାଜ୍ୟ ବିସ୍ତାର ମଧ୍ୟରେ ହେଲେ ବି ସଭ୍ୟତାର ପ୍ରସାର ଦିଗରେ ଦେଶ ଦେଶ ଭିତରେ ଧାରଣାର ଆଦାନ ପ୍ରଦାନ ଦିଗରେ ରୋମ୍‌ର ଐତିହାସିକ ଭୂମିକାର ପଟାନ୍ତର ନାହିଁ । ସର୍ବୋପରି ଖ୍ରୀଷ୍ଟଧର୍ମ ପ୍ରସାରର କେନ୍ଦ୍ର ଭୂମି ହୋଇଥିଲା ରୋମ । ଅବଶ୍ୟ ତାହା ପୂର୍ବରୁ ଆଦିଯୁଗର ଖ୍ରୀଷ୍ଟିଆନମାନଙ୍କୁ କମ୍ ନିର୍ଯାତନା ସହିବାକୁ ପଡ଼ିନାହିଁ । ମହାନଗରୀର ଉପାନ୍ତରେ ରହିଛି ବିଖ୍ୟାତ Catacombs—ଭୂଗର୍ଭ ସମାଧି ଭୂମି । ସୁଡ଼ଙ୍ଗ ଭିତରେ ଗୋପନରେ ଆଦି ଖ୍ରୀଷ୍ଟିଆନ୍‌ମାନେ ପରସ୍ପର ଭେଟୁଥିଲେ, ନୂତନ ଧର୍ମର ପ୍ରଥା ଅନୁସାରେ ମୃତ ସୃଜନମାନଙ୍କୁ ସମାଧିସ୍ଥ କରୁଥିଲେ । ଆକ୍ରମଣ ବେଳେ ସେହି ସୁଡ଼ଙ୍ଗ ପଥ ଦେଇ ବହୁ ଦୂରକୁ ପଳାଇବାର ବ୍ୟବସ୍ଥା ବି ହୋଇଥିଲl । ରୋମରେ ପ୍ରଥମ ଦିନର ଶେଷ ଅପରାହ୍‌ଣରେ ହିଁ Catacombs ଦେଖିବାର ସୁଯୋଗ ମିଳିଥିଲା । ଶୀତଳ ଭୂଗର୍ଭ ପଥରେ ବତିଟିଏ ଧରି ବାଟ କଢ଼ାଇ ନେଇ ଯାଉଁ ଯାଉଁ ଜଣେ ଧର୍ମଯାଜକ ଏକ ନୂତନ ଆଦର୍ଶ ପାଇଁ ଯେଉଁ ଅଭୂତପୂର୍ବ ପ୍ରେରଣା ଅନୁଭବ କରି ଲୋକେ ଲାଞ୍ଛନା ଓ ମୃତ୍ୟୁକୁ ବରଣ କରିନେଉଥିଲେ ତାହାର କାହାଣୀମାନ ଶୁଣାଇଥିଲେ ।

 

“ରୋମ ଦିନକରେ ତିଆରି ହୋଇ ନାହିଁ (Rome was not built in a day)-। ପ୍ରାଚୀନ ମଧ୍ୟଯୁଗୀୟ ଇମାରତ୍‌ମାଳା ସହ ଆଧୁନିକ ଅଟ୍ଟାଳିକା ସମୂହର ଅପୂର୍ବ ସମାବେଶ ଘଟିଛି ରୋମରେ । ସେ ସବୁର କାହାଣୀ ସଂକ୍ଷେପରେ ଲେଖିଲେ ବି ଏକ ବିରାଟ ଗ୍ରନ୍ଥ ହେବ । ସବୁ ଭିତରେ କାଳଜୟୀ ଭାସ୍କର ମାଇକେଲ୍ ଏଞ୍ଜେଲୋଙ୍କ କୃତିସମୃଦ୍ଧ ସେଣ୍ଟପିଟର୍ ଚର୍ଚ୍ଚ, ତହିଁ ଭିତରେ ସୁରକ୍ଷିତ ମୋସେସ୍‌ଙ୍କର ବିରାଟ ପ୍ରସ୍ତର ମୂର୍ତ୍ତି ସ୍ମୃତିରେ ଭାସ୍କର ହୋଇ ରହିଛି ।”

 

ଚିରନ୍ତନ ନଗରୀ ଛାଡ଼ି ଯାଉଥିଲି ପ୍ରେତନଗରୀ ପୋମ୍ପେ (Pompeii) ଅଭିମୁଖେ–ଗୋଟାଏ ଟୁରିଷ୍ଟ୍ ବସ୍ ଯୋଗେ । ପରିଚ୍ଛନ୍ନ, ବିସ୍ତୀର୍ଣ୍ଣ ପ୍ରାନ୍ତର ଭିତର ଦେଇ, ଇତାଲିର ପ୍ରଖ୍ୟାତ ନୀଳ ଆକାଶ ତଳେ ଉଷାର ଦ୍ୟୁତି ଆମକୁ ସ୍ପର୍ଶ କରୁଥିଲା ।

 

ଅର୍ଦ୍ଧ ଚନ୍ଦ୍ରାକାରରେ ସମୁଦ୍ର ଭିତରକୁ ନିଜର ଦୁଇ ପ୍ରାନ୍ତ ବଢ଼ାଇ ଦେଇଛି ପ୍ରାଚୀନ ନଗରୀ ନେପ୍‌ଲମ୍ । ତାକୁ ସଂକ୍ଷେପରେ ଅତିକ୍ରମ କରିଗଲୁ । ଦ୍ଵିପ୍ରହର ବେଳେ ପହଞ୍ଚିଲୁ ପୋମ୍ପେର ପାଦଦେଶରେ ।

 

ସେଠାରେ ଏକ ‘ପ୍ରଥମ ଶ୍ରେଣୀ’ ହିସାବରେ ବିଜ୍ଞାପିତ ହୋଟେଲରେ ପର୍ଯ୍ୟଟନ-ବ୍ୟବସ୍ଥାପକମାନଙ୍କ ତରଫରୁ ସଂକ୍ଷିପ୍ତ ଦିବାହାର ମିଳିଲା; କିନ୍ତୁ ପାନୀୟର ବ୍ୟବସ୍ଥା ନାହିଁ । ମୁଁ, ଜଣେ ଜାପାନୀ ଯୁବକ ଓ ଦୁଇଜଣ ଫଲିପିନୋ ମହିଳାଙ୍କ ବ୍ୟତିରେକେ ଅନ୍ୟ ସବୁ ପର୍ଯ୍ୟଟକ ଥିଲେ ୟୁରୋପୀୟ । ସେମାନେ ନିଜ ନିଜ ହାତରୁ ପଇସା ଖର୍ଚ୍ଚ କରି ମଦ୍ୟପାନ କଲେ । ମୁଁ ଓ ଜାପାନୀ ଯୁବକଟି ଗୋଟିଏ ଟେବୁଲରେ ବସିଥିଲୁ । ସେ ପିଇଲା ବିଅର୍ । ମୁଁ ଚାହିଁଲି ଗିଲାସେ ନିର୍ମଳ ପାଣି । “ପାଣି ?” ହୋଟେଲ ବୟ କହିଲା, “ପାଣି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ-।’’ ପାଣି କେହି ପିଅନ୍ତି ନାହିଁ । ଖାଇ ମୁହଁ ବି ଧୁଅନ୍ତି ନାହିଁ । ତେଣୁ ପାଣି ନାହିଁ ।

 

ବାଧ୍ୟ ହୋଇ ଏକ ବୋତଲ ଝରଣା ପାଣି (Mineral Water) ପାଇଁ ବରାଦ ଦେଲି । ଯେତେବେଳେ ବିଲ୍ ଆସିଲା, ଦେଖାଗଲା, ଜାପାନୀ ଯୁବକଙ୍କ ବିଅର୍‍ର ଦାମ୍ ଅଢ଼େଇଶହ ଲିରା । ମୋ ପାଣିର ଦାମ୍ ଛଅଶହ ଲିରା !

 

ପୁଣି ଥରେ ମନ ବିଦ୍ରୋହ କଲା । ଇଂରାଜୀରେ କ୍ରୋଧ ପ୍ରକାଶ କଲି; “ଦେଖ ବାବୁ, ତମ ଆଖିଆଗରେ ଏତେ ବଡ଼ ଗୋଟାଏ ନଗରୀ ବିଧାତାର ଅଭିଶାପରେ ଭସ୍ମୀଭୂତ ହୋଇ ପଡ଼ିଛି । ତଥାପି ତମର ଚେତା ପଶୁନାହିଁ, ମୋଠୁଁ ନିରୋଳ ପାଣି ପାଇଁ ବିଅର୍‌ର ଦୁଇଗୁଣରୁ ଅଧିକ ଦାମ୍ ଦାବୀ କରୁଛ !”

 

ବିକ୍ରେତା ମୋ କ୍ରୋଧ ବୁଝୁଥିଲା; କାନ୍ଧ ନଚାଇ ନିଜର ଅସହାୟତା ପ୍ରକାଶ କରୁଥିଲା । ତା’ର ଓ ମୋର ଉଭୟଙ୍କର ଅସହାୟତାବୋଧ ଭିତରେ ପକେଟାନ୍ତରିତ ହୋଇଗଲା ଛଅଶହ ଲିରା ।

 

ପରେ ବୁଝିଲି, ବାସ୍ତବିକ ଝରଣା ପାଣିର ଦାମ୍ ବିଅରଠୁଁ ବେଶି । ଯୌକ୍ତିକତା ? କିଛି ନାହିଁ । ଲୋକେ ସଉକ୍ ପାଇଁ ପାଣି ପିଅନ୍ତି । ସଉକ୍‌ର ମୂଲ୍ୟ ସର୍ବଦା ସୌଖୀନ୍ !

 

ବିଭିନ୍ନ ଝରଣା ପାଣି ବିକ୍ରେତାଙ୍କ ଭିତରେ ତୁମୂଳ ପ୍ରତିଯୋଗିତା । ୧୫୪୯ ମସିହାରେ ମାଇକେଲ୍ ଏଞ୍ଜେଲୋ ଫିଭ୍‍ଗି ଝରଣାର ପାଣି ପିଇ ପିଇ ନିଜ କିଡ୍‍ନି ଭିତରର ପଥର ତରଳାଇ ଦେଇଥିଲେ ବୋଲି ପୁତୁରା ପାଖକୁ ଚିଠିରେ ଜଣାଇଥିଲେ । ସେ ଝରଣା ପାଣିର ବେପାରୀମାନେ ସେ ଚିଠିକୁ ବିଜ୍ଞାପିତ କଲାବେଳକୁ ପ୍ରତିଦ୍ୱନ୍ଦୀମାନେ ତ୍ରୟୋଦଶ ଶତାବ୍ଦୀର ଜନୈକ ପୋପ୍‌ଙ୍କ ଚିଠି, ଏପରିକି ପ୍ରଥମ ଶତାବ୍ଦୀର ଜଣେ ସମ୍ରାଟ୍‌ଙ୍କ ବିବୃତିକୁ ଉଦ୍ଧାର କରି ନିଜ ନିଜ ‘ବୋତଲିତ’ ପାଣିର ପ୍ରଚାର କରନ୍ତି ।

 

ନେପ୍‌ଲସ୍ ସାଗର (Bay of Naples) କୂଳରେ ପୋମ୍ପେ ଥିଲା ଏକଦା ଏକ ପ୍ରମୋଦ ନଗରୀ । ସମୁଦ୍ର ଓ ଭିସୁଭିଅସ୍ ପର୍ବତ ମଝିରେ ଏ ନଗରୀର ପରିବେଶ ଅତି ମନୋରମ ଥିବା ହେତୁ ସମୃଦ୍ଧିବନ୍ତ ରୋମାନ୍‌ମାନେ ଏଠାରେ ଗୋଟିଏ ଗୋଟିଏ ବସାଘର ରଖିଥିଲେ । ଏଠାରେ ବି ଥିଲା । ଗ୍ଳାଡିଏଟର୍‌ମାନଙ୍କୁ ଲଢ଼ାଇବାର ବ୍ୟବସ୍ଥା, ଦାସଦାସୀ ବିକାକିଣାର ବଜାର । ସର୍ବସାଧାରଣଙ୍କ ପାଇଁ ଥିଲା ଉତ୍କୃଷ୍ଟ ସ୍ନାନାଗାର । ଅଭିଜାତ ଘରମାନଙ୍କୁ ପଥର ନଳୀ ଯୋଗେ ପାଣି ଯୋଗାଣର ବ୍ୟବସ୍ଥା ବି ଥିଲା ।

 

୭୯ ଖ୍ରୀଷ୍ଟାବ୍ଦର ଏକ ସନ୍ଧ୍ୟା । ଲୋକେ ଥିଲେ ଯଥାରୀତି ଆମୋଦଲିପ୍ତ । ଅକସ୍ମାତ ଶୁଭିଲା ଏକ ଅସ୍ୱାଭାବିକ ଶବ୍ଦ । ଆକାଶରେ ଜମୁଥିଲା ଅଭୂତପୂର୍ବ ବିବର୍ଣ୍ଣ ମେଘମାଳା ।

 

ତା’ପରେ ଆରମ୍ଭ ହେଲା ଏକ ଭୟାବହ ବର୍ଷା—ଗରମ ପାଉଁଶ ଓ ଉତ୍ତପ୍ତ, ଏପରି କି ଜ୍ଵଳମାନ ପ୍ରସ୍ତରଖଣ୍ଡମାନ ଆକାଶରୁ ଅଭିରାମ ପଡ଼ିବାକୁ ଲାଗିଲା ।

 

ବିଧାତାର କ୍ରୋଧ ? ଭାବିବାକୁ ଡର ନାହିଁ । ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ; ବଡ଼ ବଡ଼ ଘରେ ଆଶ୍ରା ନେଲେ । କିନ୍ତୁ ନଗରୀର ସବୁଠୁଁ ଶକ୍ତ ଦୁର୍ଗ—ରୋମାନ୍ ଶାସକଙ୍କ ନିବାସ—ମଧ୍ୟ ଚାହୁଁ ଚାହୁଁ ସେ ଭୟାବହ ବୃଷ୍ଟିପାତରେ ବିଧ୍ୱସ୍ତ ହେଲା । ହଠାତ୍ ନିଥର ହେଲା ନଗରୀର ମୁଖର ଜୀବନ ।

 

ଭିସୁଭିଅସରେ ଘଟୁଥିଲା ଅଗ୍ନ୍ୟୁଦ୍‍ଗୀରଣ । ଫୁଟନ୍ତ ଲାଭାସ୍ରୋତ ବହି ଆସିଲା ସହର ଭିତରକୁ । ବାମ୍ଫ ଆକାଶକୁ ଉଠି କଲା ଆଗ୍ନେୟ ବର୍ଷା । ଷାଠିଏ ଫୁଟ ଉଚ୍ଚରେ ଜମିଗଲା ଅଦ୍ଭୁତ କର୍ଦ୍ଦମ । ସମଗ୍ର ସହର ପୋତିହୋଇଗଲା । ଅଳ୍ପ କେତେକ ପଳାଇପାରିଥିଲେ । ଥୋକ ସାର୍ଣ୍ଣସ୍ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ—ହୁଏତ ଭାସିଗଲେ । ନଚେତ୍ ବିଭୀଷିକା ପରେ ଭୟାର୍ତ୍ତ ନୟନରେ ଭସ୍ମସ୍ତୂପରେ ପରିଣତ ନିଜ ନଗରୀ ଆଡ଼କୁ ଥରେ ଅନାଇ ଦେଇ ଦୂରାନ୍ତରକୁ ପଳାଇଗଲେ ।

 

ସମୟ ଅତୀତ ହେଲା । ସେ ଦିନର କର୍ମମୁଖର ବିଳାସୀ ନଗରୀ ପୋମ୍ପେ କଥା ଜଗତ ବିସ୍ମୃତ ହୋଇଗଲା । ଭସ୍ମସ୍ତୂପ ଉପରେ ବଢ଼ିଲା ବୁଦା—କ୍ରମେ ଅରଣ୍ୟ । ସତରଶହ ବର୍ଷ ବିତିଗଲା ।

 

୧୭୪୮ ମସିହାରେ ଜଣେ କୃଷକ ବଣ ଭିତରୁ ପାଇଲା କେତେକ ମୂଲ୍ୟବାନ ଜିନିଷ-। କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷିତ ହେଲା । କିନ୍ତୁ ବିଧିବଦ୍ଧ ଖନନକାର୍ଯ୍ୟ ଆରମ୍ଭ ହେଲା ମାତ୍ର ଶହେବର୍ଷ ତଳେ । ଆଜି ବି ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ତେବେ ସମଗ୍ର ସହରର କଙ୍କାଳ ବହାରିଆସିଛି-

 

ଦିବାଲୋକରେ ଔଜଲ୍ୟ ମ୍ଳାନ ହେବା ପରେ ଦିଗ୍‌ବଳୟରେ ପରିସ୍ଫୁଟ ହେଉଥିଲା ଭିସୁଭିଅସ୍ ଆଗ୍ନେୟଗିରି । ପୋମ୍ପେ ଉପରେ ନମି ଆସୁଥିଲା ନୀରବ ସନ୍ଧ୍ୟା । ସେ ନୀରବତା ଆଉ ଚହଲିବାର ନୁହେଁ ।

Image

 

ପରିଚ୍ଛେଦ : ଏକୋଇଶ

ଅଭ୍ୟୁଦୟ ନଗରୀ : ଏଥେନ୍‌ସ

 

“ଆଲୋକ ପ୍ରତିଷ୍ଠା ହେଉ ! କହିଲା ମୁକତି

ସମୁଦ୍ର-ଦିଗନ୍ତେ ଯେହ୍ନେ ହୁଏ ସୂର୍ଯ୍ୟୋଦୟ

ତତ୍‌କ୍ଷଣାତ୍ ଏଥେନ୍‌ସର ହେଲା ଅଭ୍ୟୁଦୟ !” —ସେଲି

 

“କଳାର ଜନନୀ” (Mother of Arts) ବୋଲି ଯାହାକୁ ମହାକବି ମିଲ୍‌ଟନ୍ ଅଭିହିତ କରିଛନ୍ତି, ଗଣତନ୍ତ୍ରର ଅଭ୍ୟୁଦୟ କ୍ଷେତ୍ର ଭାବରେ ଯାହାର ଐତିହାସିକ ତାତ୍ପର୍ଯ୍ୟ ଅପରିସୀମ, ବିପୁଳ ପୃଥିବୀ ବର୍ବରତାର ତିମିର ତଳେ ନିମଜ୍ଜିତ ଥିବାବେଳେ ଯେଉଁ ନଗରୀ ବୁକୁରେ ଉତ୍ତୋଳିତ ହୋଇଥିଲା ସଭ୍ୟତାର ମଶାଲ, ସେଠାରେ ଅବତରଣ କଲାବେଳେ ସ୍ଵଭାବତଃ ଯେତେ ପୁଲକିତ ବୋଧ କରିବା କଥା ତାହା କରିନଥିଲି । ଭୁଲି ପାରୁ ନଥିଲି ଯେ ଗଣତନ୍ତ୍ରର ଏଇ କୁଳୀନ ପରିକ୍ଷଭୂମି ଏକ ସାମରିକ ଶାସନକଳଦ୍ୱାରା କବଳିତ । ଅବଶ୍ୟ ଗଣତନ୍ତ୍ର ଶାସନ ମାତ୍ରେ ଯେ ବାସ୍ତବ କ୍ଷେତ୍ରରେ ସାମରିକ ବା ଏକଚ୍ଛତ୍ରବାଦୀ ଶାସନଠୁଁ ଦକ୍ଷ ବା ସୁଖପ୍ରଦ ହେବାକୁ ବାଧ୍ୟ, ତାହା ନୁହେଁ । ଶାସନର ପୋଥିଗତ ଚରିତ୍ର ଉପରେ ତାହା ନିର୍ଭର କରେନା, ନିର୍ଭର କରେ ଶାସନଭାର ଯେଉଁମାନଙ୍କ ଉପରେ ନ୍ୟସ୍ତ, ସେମାନଙ୍କ ଚେତନାର ଚରିତ୍ର ଉପରେ । କିନ୍ତୁ ରାଜନୀତିରେ ଯେତେବେଳେ ମହତ୍ତ୍ୱର ଚେତନାର ଦାରୁଣ ଅଭାବ, ସେତେବେଳେ ଅନ୍ତତଃ ଏକ ପୋଥିଗତ ଆଦର୍ଶ ଶାସନ ବ୍ୟବସ୍ଥାର ପ୍ରବର୍ତ୍ତନ ଓ ଯଥାସମ୍ଭବ ରୂପାୟନ ହିଁ ଶ୍ରେୟସ୍କର ପନ୍ଥା-। ଗଣତନ୍ତ୍ର ସେହିଭଳି ଏକ ଆଦର୍ଶ; ବହୁ ଐତିହାସିକ ଘାତ ପ୍ରତିଘାତ ଓ ସଂଘର୍ଷ ସମନ୍ୱୟ ଭିତରୁ ଉଦ୍‌ଭୂତ ଏକ ଐଶ୍ୱର୍ଯ୍ୟ ।

 

କିନ୍ତୁ ହାୟ ! ଗଣତନ୍ତ୍ରର ଏଇ ଆଦିମତମ ପରୀକ୍ଷା କ୍ଷେତ୍ରରେ ହିଁ ତା’ର କି ଦୟନୀୟ ପରାଜୟ ! ମନେହୋଇଥିଲା, ଏଥେନ୍‌ସରେ ଗଣତନ୍ତ୍ରର ପରାଭବ ଯେପରି ସୁଦୂର ଅତୀତର ଏକ ଅଭିଶାପର ହିଁ ପରିଣତି ! ପାଶ୍ଚାତ୍ୟ ଜଗତରେ ସ୍ୱାଧୀନ ଚିନ୍ତାର ପ୍ରଥମ ପ୍ରବର୍ତ୍ତକ ସେକ୍ରେଟିସ୍‌ଙ୍କୁ ଦିନେ ଏଥେନ୍‌ସବାସୀମାନେ ବିଷ ପାନ କରାଇ (ଆଇନସମ୍ମତ ଭାବରେ) ମାରିଥିଲେ । ତାଙ୍କ ବିଚାର ପ୍ରହସନର ଯେଉଁ ଚିତ୍ର ତାଙ୍କ ପଟ୍ଟଶିଷ୍ୟ ପ୍ଲାଟୋ ରଖିଯାଇଛନ୍ତି, ତାହା ଏ ଯୁଗର କୌଣସି କୌଣସି ବିଚାରଠୁଁ ଯେ ବିଶେଷ ଭିନ୍ନ, ତାହା ନୁହେଁ ।

 

ସେକ୍ରେଟିସ୍ ତାଙ୍କ ଯୁଗର ନାନାଦି ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଢ଼ୁଥିଲେ । ସେତେବେଳେ ପତ୍ରପତ୍ରିକା ନଥିଲା । ଅତଏବ ହାଟ ବା ସେହିଭଳି ଜନଗହଳି ସ୍ଥାନରେ ଯାଇ ସେ ବକ୍ତୃତା ଦେଇ ଜନତା ଭିତରେ ସଦ୍‌ବୁଦ୍ଧିର ଉଦ୍ରେକ କରିବାକୁ ଚେଷ୍ଟା କରୁଥିଲେ । ଯୁବକମାନେ ବହୁଳ ସଂଖ୍ୟାରେ ଠୁଳ ହୋଇ ତାଙ୍କ ବକ୍ତୃତା ଶୁଣୁଥିଲେ ।

 

ହଠାତ୍ ଦିନେ ମେଲିଟାସ୍ ନାମକ ‘ଲମ୍ବକେଶୀ’ ଯୁବକଟିଏ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲା—ସେ କୁଆଡ଼େ ଏଥେନ୍‌ସର ଯୁବସମାଜକୁ ଖରାପ କରୁଛନ୍ତି । ବିଚାରବେଳେ ସକ୍ରେଟିସ୍ ଉକ୍ତ ମେଲିଟାସ୍‌କୁ ଜେରା କଲେ, “ମୁଁ ଯଦି ଯୁବସମାଜର ଅନିଷ୍ଟ କରୁଛି, ଯୁବସମାଜର ହିତ କରୁଛି କିଏ ?”

 

“ଦେଶର ଆଇନ୍ ଯୁବସମାଜର ହିତ କରେ ।” କହିଲା ମେଲିଟାସ୍ ।

 

“ମୁଁ ପଚାରୁଛି, କେଉଁ କେଉଁ ଏଥେନ୍‌ସବାସୀ ସେମାନଙ୍କର ହିତସାଧନ କରୁଛନ୍ତି ?” ସକ୍ରେଟିସ୍ ପୁଣି ପ୍ରଶ୍ନ କଲେ ।

 

ମେଲିଟାସ୍ ଭାବିଚିନ୍ତି ଉତ୍ତର ଦେଲା, “ଏଠାରେ ଉପସ୍ଥିତ ଥିବା ବିଚାରକମାନେ ନିଶ୍ଚୟ ଯୁବସମାଜର ହିତ କରିଚାଲିଛନ୍ତି ।”

 

“ସବୁ ବିଚାରକ ?” ସେକ୍ରେଟିସ୍ ପ୍ରଶ୍ନ କଲେ ।

 

ହଁ, ନିଶ୍ଚୟ !” ଲମ୍ବକେଶୀ ଉତ୍ତର ଦେଲା ।

 

“ଏଠାରେ ସମବେତ ଶ୍ରୋତୃବର୍ଗ ଯୁବସମାଜର ହିତ କରନ୍ତି ନା ନାହିଁ ?” ସକ୍ରେଟିସ୍ ପୁଣି ପଚାରିଲେ ।

 

“ନିଶ୍ଚୟ ନିଶ୍ଚୟ !” ମେଲିଟାସ୍ କହିଲା ।

 

ଏଥର ହସିଲେ ସକ୍ରେଟିସ୍ । କହିଲେ, “ବାସ୍ତବିକ ଏଥେନ୍‌ସର ଯୁବସମାଜର କେଡ଼େ ସୌଭାଗ୍ୟ ଯେ ନଗରବ୍ୟାପୀ ଏତେ ଲୋକ ସେମାନଙ୍କର ହିତ କରିବାରେ ଲାଗିପଡ଼ିଛନ୍ତି—କେବଳ ମୋତେ ଛାଡ଼ି । କିନ୍ତୁ ଏତେ ଲୋକ ସେମାନଙ୍କର ହିତସାଧନାରେ ରତ ଥିବାବେଳେ ମୁଁ ଗୋଟାଏ ଲୋକ ସେମାନଙ୍କର କେତେଦୂର କ୍ଷତି କରିପାରେ ?”

 

କିନ୍ତୁ ସକ୍ରେଟିସ୍‍ଙ୍କ ଏ ଯୁକ୍ତି ବା ଏ ବିଦ୍ରୁପର ରସ ଗ୍ରହଣ କଲା ଭଳି ଉଦାରତା ବିଚାରକମାନଙ୍କର ନଥିଲା । ସତୁରିରୁ ଉର୍ଦ୍ଧ୍ୱ ବର୍ଷ ବୟସ୍କ ମହାମନୀଷୀ ସକ୍ରେଟିସ୍‌ଙ୍କ ହାତରେ ଧରାଇଦିଆଗଲା—ଗୋଟିଏ ସଖିକଣ୍ଢେଇ, ଅଜ୍ଞ ଯୁବକର ଉଦ୍ଧତ ଅଭିଯୋଗକୁ ଭିତ୍ତି କରି—ଏକ ପାନପତ୍ର, ବିଷ । “ପିଅ ଓ ମର !” ଆଦେଶ ହେଲା ।

 

କହିବା ବାହୁଲ୍ୟ, ବିଚାରକମଣ୍ଡଳୀ ଓ ଶ୍ରୋତୃବର୍ଗ କେହି ଅଜ୍ଞାନତିମିର ବଳୟ ଅତିକ୍ରମ କରିପାରିନଥିଲେ । ଗୋଟାଏ ଉଚ୍ଚତର ଚେତନାର ସ୍ଥିତିରେ ନ୍ୟୁନ ଚେତନା ପ୍ରାୟଶଃ ଅସ୍ଥିର ଅନୁଭବ କରେ । ଏଥେନ୍‌ସର ଅଭିଜାତମାନେ ସେହିଭଳି ଅସ୍ଥିରତା ଅନୁଭବ କରୁଥିଲେ ।

 

ସାଂପ୍ରତିକ କାଳର ଏକ ବିଖ୍ୟାତ ମାର୍କିନ୍ ଉପନ୍ୟାସ ‘To Kill a Mockingbird (Harper Lee) ବହିରେ ଏକ ବିଚାରର ଚିତ୍ର ଦିଆଯାଇଛି । ସେ ଚିତ୍ର ସଚ୍ଚା ପ୍ରତିନିଧି ସ୍ଥାନୀୟ ବୋଲି ଆଜି ସ୍ୱୀକୃତ । ଜଣେ କଳା ଯୁବକ ବିରୁଦ୍ଧରେ ଏକ ଅସଂସ୍କୃତ ଗୋରା ଝିଅ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ନାଟକୀୟ ଭାବରେ ତଥା ଅକାଟ୍ୟ ଭାବରେ ପ୍ରମାଣିତ ହୋଇଯିବା ପରେ ବି ଜୁରି (ସମସ୍ତେ ଗୋରା ଲୋକ) ରାୟ ଦେଇଛନ୍ତି— ଯୁବକଟି ଦୋଷୀ ! ପକ୍ଷପାତ ବ୍ୟାଧି (prejudice) ଏତେ ଯୁଗ ପରେ ମଧ୍ୟ ମଣିଷର ବିବେକକୁ କରିରଖିଛି ପଙ୍ଗୁ ।

 

ମୃତ୍ୟୁପଥଗାମୀ ସକ୍ରେଟିସ୍ ଜନତାକୁ କହିଥିଲେ, “ବେଳେ ଆସିଛି, ଆମେ ଦୁଇ ବିପରୀତ ଦିଗରେ ଯିବା । ମୁଁ ଯିବି ମୃତ୍ୟୁପଥରେ, ତମେମାନେ ଯିବ ଜୀବନପଥରେ । କିନ୍ତୁ ମୃତ୍ୟୁ ଭଲ କି ଜୀବନ ଭଲ, ଭଗବାନ ହିଁ ସେକଥା କହିପାରିବେ ।”

 

ମୁଁ ଏଥେନ୍‌ସରେ ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ଏକଦା ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ସେକ୍ରେଟିସ୍‌ଙ୍କର ବିଚାର ହୋଇଥିଲା, ଐତିହାସିକମାନେ ସେ ସ୍ଥାନ ନିରୂପଣ କରିପାରିଥିଲେ । ଖନନ କାର୍ଯ୍ୟ ଚାଲିଥିଲା । କିନ୍ତୁ ଅନ୍ୟାୟର ସ୍ମୃତିଜଡ଼ିତ ଏକ ଏକ ସ୍ଥାନରେ ପୁନରୁଦ୍ଧାର ମଣିଷର ଚେତନାରେ ଆଜି ଓ ଆଗାମୀ କାଲି ପାଇଁ ନ୍ୟାୟବୋଧର ସଞ୍ଚାର କରିପାରିବ କି ?

 

କେତେ ମହନୀୟ ସ୍ମୃତିର ସମାବେଶ ଏଥେନ୍‌ସ । ବିମାନବନ୍ଦରରୁ ନଗରୀ ଭିତରେ ପଶିବାବେଳେ ସମୁଦ୍ରତୀରରୁ ଦେଖାଯାଇଥିଲା ନଗରୀର କେନ୍ଦ୍ରବିନ୍ଦୁ—ଏକ ପର୍ବତ । ତହିଁ ଉପରେ ଅନନ୍ୟସୁନ୍ଦର ଏକ ଇମାରତ୍‌ର ଭଗ୍ନାବଶେଷ । ତା’ର ଚେହେରା ଅତି ପରିଚିତ । କେତେ ଭ୍ରମଣ କାହାଣୀ, ଇତିହାସ ଓ ପାଠ୍ୟ ପୁସ୍ତକରେ ତା’ର ଛବି ପୁରୁଷ ପୁରୁଷ ଧରି ମୁଦ୍ରିତ ହେଲାଣି । ପର୍ବତ ବିଖ୍ୟାତ ଏକ୍ରୋପୋଲିସ୍ । ସେ ଇମାରତ୍‌ର ନାମ ପାର୍ଥେନୋନ୍ । ଏକଦା ତା’ର ଅଧିଷ୍ଠାତ୍ରୀ ଥିଲେ ଦେବୀ ଏଥେନା । ତହିଁ ଶୋଭା ପାଉଥିଲା ତାଙ୍କର ବ୍ରୋଞ୍ଜମୂର୍ତ୍ତି—ଷାଠିଏ ଫୁଟ ଉଚ୍ଚ । ସେ ମୂର୍ତ୍ତିର ସୁବର୍ଣ୍ଣ ମୁକୁଟର ଝଲକରେ ଚମକି ଉଠୁଥିଲା ଦୂର ସମୁଦ୍ରବକ୍ଷରେ ନାବିକମାନଙ୍କର ଚକ୍ଷୁ ।

 

ବୋଧହୁଏ ପ୍ରଥମ ଖ୍ରୀଷ୍ଟିଆନ୍ ବା ରୋମ ସମ୍ରାଟ୍ କନଷ୍ଟେନ୍‌ଟାଇନ୍ ତାଙ୍କ ନୂଆ ରାଜଧାନୀ କନଷ୍ଟାଣ୍ଟିନୋପ୍‌ଲ୍‌ର ଶୋଭା ବର୍ଦ୍ଧନ ପାଇଁ ମୂର୍ତ୍ତିଟିକୁ ନେଇଯାଇଥିଲେ । ସେଠାରେ ଚତୁର୍ଦ୍ଦଶ ଶତାବ୍ଦୀରେ କ୍ରୁସେଡର୍‌ମାନ ତାକୁ ଭାଙ୍ଗି ରୁଜିପକାଇଲେ ।

 

ଯେତେବେଳେ ପଞ୍ଚଦଶ ଶତାବ୍ଦୀରେ ତୁର୍କମାନେ ଏଥେନ୍‌ସ ଅଧିକାର କଲେ, ସେତେବେଳେ ସେମାନେ ପାର୍ଥେନୋନ୍‌କୁ ଗୋଟାଏ ମସ୍‌ଜିଦରେ ପରିଣତ କଲେ । କିଛିକାଳ ପାଇଁ ତାହା ଚର୍ଚ୍ଚ ବି ବନିଥିଲା । ଆଜି ତାହା ଧର୍ମାନୁଷ୍ଠାନ-ନିରପେକ୍ଷ; ଉତ୍ତୀର୍ଣ୍ଣ । ପୃଥିବୀର ସୁନ୍ଦରତମ ଇମାରତ୍‍ କେତୋଟି ଭିତରୁ ଅନ୍ୟତମରୂପେ ନିୟତ ଦେଶବିଦେଶର ଶତ ସହସ୍ର ପରିବ୍ରାଜକଙ୍କ ହୃଦୟରେ ସେ ପୂଜିତ ।

 

ହଜାର ହଜାର ବର୍ଷ ତଳେ ଏକ୍ରୋପୋଲିସ୍‌ର ଚତୁର୍ଦ୍ଦିଗରେ ଅରଣ୍ୟ ଓ ଅପନ୍ତରା ବ୍ୟତିରେକେ ଆଉ କିଛି ନଥିଲା । ପର୍ବତଟି ଉପରେ କେତେଜଣ ବସତି ସ୍ଥାପନ କଲେ । କ୍ରମେ ସେ ବସତି ବଢ଼ି ତଳକୁ ଉଛୁଳିଲା । ତା’ପରେ ହେଲା ଚତୁର୍ଦ୍ଧିଗରେ ପରିବ୍ୟାପ୍ତ । ଗଢ଼ି ଉଠିଲା ଏଥେନ୍‌ସ । କାଳକ୍ରମେ ଏକ ଗଣତାନ୍ତ୍ରିକ ନଗରୀ-ରାଷ୍ଟ୍ରରୂପେ ହେଲା ତା’ର ପ୍ରତିଷ୍ଠା ।

 

ଏଥେନ୍‌ସ ବାରମ୍ବାର ଆକ୍ରାନ୍ତ ହୋଇଛି । ରାଷ୍ଟ୍ର-ଜୀବନର ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତ ହୋଇଛି ଗ୍ରୀସ୍ ଭିତରର ଗୃହଶତ୍ରୁ ସ୍ପାର୍ଟା ଦ୍ୱାରା । ପରବର୍ତ୍ତୀ କାଳରେ ବହିଃଶତ୍ରୁ—ବିଶେଷତଃ ପାରସ୍ୟ ଦ୍ୱାରା ।

 

ଅଢ଼େଇ ହଜାର ବର୍ଷ ତଳେ, ଦିନେ ଅପରାହ୍‌ଣରେ ଏଥେନ୍‌ସର ନରନାରୀ ସହର ସୀମାନ୍ତରେ ଏକଜୁଟ ହୋଇ ଦୂରକୁ ଅନାଇ ରହିଥିଲେ । ନଗର-ରାଷ୍ଟ୍ର ସୀମାନ୍ତରେ ପାରସ୍ୟାଗତ ଶତ୍ରୁ ବାହିନୀର ପ୍ରତିରୋଧ କରୁଥିଲେ ସେମାନଙ୍କ ସୈନ୍ୟଦଳ । ପରିଣତି ଜାଣିବା ପାଇଁ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥିଲେ ନାଗରିକମାନେ ।

 

ହଠାତ୍ ଦୂରରେ ଦେଖାଗଲା ଏକ କଳା ବିନ୍ଦୁ । ନାଗରିକମାନଙ୍କ ଉତ୍କଣ୍ଠା ହେଲା ଗାଢ଼ତର । ଚାହୁଁ ଚାହୁଁ ସେ ବିନ୍ଦୁ ହେଲା ସ୍ପଷ୍ଟତର । ଜଣେ ଦୌଡ଼ନ୍ତ ଆଗନ୍ତୁକ । ସେ ଆଣିଥିଲା ଯୁଦ୍ଧକ୍ଷେତ୍ରର ସମାଚାର । ଜନତା ପାଖରେ ପହଞ୍ଚି ଅଣନିଃଶ୍ୱାସୀ ହୋଇ ସେ କଚାଡ଼ିପଡ଼ିଲା । କୌଣସି ପ୍ରକାରେ କହିଲା : “ଏଥେନ୍‌ସ ଆମର ନିରାପଦ !”

 

ଜନତା ଆନନ୍ଦରେ ହର୍ଷଧ୍ଵନି କଲେ । ତାହାରି ଭିତରେ ବାର୍ତ୍ତାବହଟି ଶେଷ ନିଃଶ୍ୱାସ ତ୍ୟାଗ କଲା ।

 

୨୪ ମାଇଲ୍ ଦୂରବର୍ତ୍ତୀ ମାରାଥନ୍ ନାମକ ଯୁଦ୍ଧକ୍ଷେତ୍ରରୁ ସେ ଦୌଡ଼ି ଦୌଡ଼ି ଆସିଥିଲା-। ନାମ ତା’ର ଫିଲିପାଇଡିସ୍‌ । ସେହି ଘଟଣାରୁ କାଳକ୍ରମେ ହେଲା ମାରାଥନ ପ୍ରତିଯୋଗିତା (Marathon Race)ର ପ୍ରବର୍ତ୍ତନ । ଏଇଠି ପୁଣି ଆରମ୍ଭ ହୋଇଥିଲା ଅଲିମ୍ପିକ୍ ପ୍ରତିଯୋଗିତା ଖ୍ରୀଷ୍ଟପର୍ବ ଅଷ୍ଟମ ଶତାବ୍ଦୀରେ । ପ୍ରତି ଚାରିବର୍ଷରେ ତାହା ଦେବତା ଜିଆସ୍‌ଙ୍କ ସମ୍ମାନାର୍ଥେ ଆୟୋଜିତ ହେଉଥାଏ । ଦେଢ଼ ହଜାର ବର୍ଷକାଳ ବନ୍ଦ ରହିବା ପରେ ୧୮୯୬ରୁ ପୁଣି ତା’ର ଆରମ୍ଭ ହୋଇଛି—ସେହି ଏଥେନ୍‌ସଠାରୁ ।

 

ପାରସ୍ୟବାହିନୀକୁ ପ୍ରେରଣ କରିଥିଲେ ବିଖ୍ୟାତ ସମ୍ରାଟ୍ ଡାରିଅସ୍ । ବାହିନୀର ପରାଜୟରେ ଡାରିଅସ୍ ହେଲେ ଅତ୍ୟନ୍ତ ମୁହ୍ୟମାନ । ଏଥେନ୍‌ସ ଧ୍ଵଂସ କରିବା ପାଇଁ ସେ ବଦ୍ଧପରିକର ହେଲେ । ଜଣେ ବିଶେଷ କର୍ମଚାରୀ ନିଯୁକ୍ତ ହେଲା, ଯାହାର ଖାସ୍ କାମ ହେଲା ଡାରିଅସ୍ ଖାଇବାକୁ ବସିବାମାତ୍ରେ ଗମ୍ଭୀର ଭାବରେ ତାଙ୍କୁ କହିବା—“ସମ୍ରାଟ୍ ! ଏଥେନ୍‌ସ କଥା ଭୁଲନା ।”

 

କିନ୍ତୁ ସମ୍ରାଟ୍ ଖାଲି ଏଥେନ୍‌ସ ନୁହେଁ, ଅଚିରେ ସାରା ଦୁନିଆକୁ ଭୁଲିବାକୁ ବାଧ୍ୟ ହେଲେ-

 

ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଜେରେକ୍‌ଜେସ୍ ପିତାଙ୍କ ହିଂସ୍ରତାର ଉତ୍ତରାଧିକାର ପାଇଁ ଏକ ବିରାଟ ସେନା ପ୍ରସ୍ତୁତ କରି ଗ୍ରୀସ୍ ଅଭିଯାନ କଲେ । ସୀମାନ୍ତବର୍ତ୍ତୀ ଥାର୍ମୋପାଇଲ୍ ନାମକ ଗିରିପଥ ଦେଇ ଗଲାବେଳେ ସୁଯୋଗ ଉଣ୍ଡି ମୂଷ୍ଟିମେୟ ଗ୍ରୀକ୍ ସୈନ୍ୟ ସେମାନଙ୍କର ଗତିରୋଧ କଲେ । ତିନିଦିନ ଯାଏ ପାରସ୍ୟବାହିନୀ ଆଗେଇ ତ ପାରିଲେ ନାହିଁ, ପ୍ରଚୁର ସଂଖ୍ୟାରେ ପ୍ରାଣ ଦେଲେ ଗ୍ରୀକ୍‌ବାହିନୀ ହାତରେ । ଜେରେକ୍‌ଜେସ୍ ହତାଶ ହୋଇ ପୃଷ୍ଠଭଙ୍ଗ ଦେବାକୁ ଉଦ୍ୟତ ହେବା ବେଳକୁ ଯୁଗେ ଯୁଗେ ଯାହା ହୋଇଥାଏ, ତାହାହିଁ ହେଲା । ଜଣେ ଗ୍ରୀକ୍ ଯାଇ ଗୋପନରେ ଶତ୍ରୁପକ୍ଷକୁ ଯୋଗାଇଦେଲା ଏକ ସୁଡ଼ଙ୍ଗପଥର ସନ୍ଧାନ । ସେହି ପଥରେ ପଶିଆସିଲେ ପାରସ୍ୟବାହିନୀ । ଛାରଖାର କରିଦେଲେ ସମଗ୍ର ଏଥେନ୍‌ସ ।

 

ବର୍ଷକ ପରେ ଏଥେନ୍‌ସବାସୀମାନେ ଏକଜୁଟ ହୋଇ ଅଚାନକେ ବିଦ୍ରୋହ କରି ପାରସ୍ୟ ଶାସକମାନଙ୍କୁ ନିପାତ କଲେ ଓ ସ୍ଵାଧୀନ ହେଲେ ।

 

ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଏଥେନ୍‌ସର ଭାଗ୍ୟାକାଶରେ ହୋଇଥିଲା ମହାମନା ପେରିକ୍ଳସ୍‌ଙ୍କ ଆବିର୍ଭାବ । ତାଙ୍କ ନେତୃତ୍ଵକାଳ ଏଥେନ୍‌ସ ଇତିହାସରେ ସୁବର୍ଣ୍ଣଯୁଗ ବୋଲି ଖ୍ୟାତ । ତାଙ୍କରି ତତ୍ତ୍ୱାବଧାନରେ ପାର୍ଥେନୋନ୍ ନିର୍ମିତ ହୋଇଥିଲା । ଶିଳ୍ପ, ନାଟ୍ୟ, ଭାସ୍କର୍ଯ୍ୟ, ସଙ୍ଗୀତ—ସବୁଥିରେ ଏଥେନ୍‌ସ ସମୃଦ୍ଧିର ତୁଙ୍ଗ ସୋପାନରେ ପହଞ୍ଚିଥିଲା ।

 

ପେରିକ୍ଳସ୍‌ଙ୍କର ପ୍ରାୟ ଶହେବର୍ଷ ପରେ ଆବିର୍ଭୂତ ହୋଇଥିଲେ ସକ୍ରେଟିସ୍ । ତାଙ୍କ ପ୍ରାଣଦଣ୍ଡ ପରେ ତାଙ୍କ ମୌଳିକ ଚିନ୍ତାଧାରାର ପରମ୍ପରା ଅବ୍ୟାହତ ରଖିଲେ ପ୍ଳାଟୋ । ଏହାଙ୍କର ବି ଥିଲେ ଜଣେ ଅସାଧାରଣ ଶିଷ୍ୟ—ଆରିଷ୍ଟୋଟଲ୍ । ବିଶ୍ଵ-ମନିଷାକୁ ଏ ଗୁରୁ-ଶିଷ୍ୟ-ପ୍ରଶିଷ୍ୟଙ୍କ ଅବଦାନ ଅନବଦ୍ୟ ।

 

ବିମାନ କର୍ତ୍ତୃପକ୍ଷ ସହର ଭିତରେ ତାଙ୍କ ଅଫିସ ପାଖରେ ଛାଡ଼ିଦେବା ଉତ୍ତାରୁ ସେଠାରୁ ଖବର ନେଇ ଗୋଟାଏ ହୋଟେଲରେ ପହଞ୍ଚିଲି । ଆମେରିକାରେ ବ୍ୟବସାୟ କରୁଥିବା ଜଣେ ଭାରତୀୟ ଯୁବକ ବି ଆସି ସେତିକିବେଳେ ସେଠାରେ ପହଞ୍ଚିଥାନ୍ତି । ସେ ପୂର୍ବରୁ ଭିସା ନନେଇ ଏଥେନ୍‌ସ ଆସିଯାଇଥିଲେ; ଫଳରେ ବିମାନବନ୍ଦରରେ ତାଙ୍କୁ କିଛି ଯାତନା ସହିବାକୁ ପଡ଼ିଥିଲା । ସେ ନିଜ ଭୁଲ୍ କଥା ଭୁଲିଯାଇ ଗ୍ରୀକ୍ ସରକାରକୁ ଅନର୍ଗଳ ବକିଚାଲିଥିଲେ ହୋଟେଲର ରିସେପ୍‌ସନିଷ୍ଟ ମହିଳାଙ୍କ ଆଗରେ । ମୁଁ ଜୁରିଖରେ ଥିବାବେଳେ ସେଠାକାର ଗ୍ରୀକ୍ ଦୂତାବାସରୁ ଭିସା ଆଣିଥିଲି । ସୁରୁଖୁରୁରେ—ପୁଣି ବିନା ଫିସରେ ତାହା ପାଇଥିଲି । ଲାଞ୍ଛିତ ଭାରତୀୟଟିକୁ ଟିକିଏ ଆଶ୍ଵସ୍ତ କରିବାକୁ ଚେଷ୍ଟା କରିବା ମାତ୍ରେ ସେ ମାତ୍ରାଧିକ ଭାବରେ ‘ନିଜର’ ହୋଇଗଲେ । “ବନ୍ଧୁ ! ତମ କାର୍ଯ୍ୟକ୍ରମ କ’ଣ ?” ମୋତେ ସେ ପଚାରିଲେ । “ଆଗାମୀ ଦୁଇଦିନ ଯୋଜନାବଦ୍ଧ ଭାବରେ ବୁଲାବୁଲି କରି ଦେଖିବି । କିନ୍ତୁ ଆଜି ଅପରାହ୍‌ଣରେ ଖାଲି ଏଣେତେଣେ ଘୂରିବି ।” ମୁଁ କହିଲି ।

 

“ମୋତେ ସାଥିରେ ନେଇଯିବ ତମ ଗନ୍ତବ୍ୟ ସ୍ଥାନକୁ ।” ସେ ହସି କହିଲେ—ଏକପ୍ରକାର କାମଳଗ୍ରସ୍ତ ହସ ।

 

“ନେଇଯିବି କୁଆଡ଼େ ? ମୋର ଗନ୍ତବ୍ୟ ସ୍ଥାନ ବୋଲି କିଛି ନାହିଁ ।” ମୁଁ ବୁଝାଇଦେଲି ।

 

“ଆରେ ବନ୍ଧୁ ! ତମେ ଯେଉଁ ‘ଏଣେତେଣେ’ ଯିବାକୁ ବସିଛ, ମୁଁ ସେହି ‘ଏଣେତେଣେ’ ପାଇଁ ଏଠାକୁ ଆସିଛି । ଏଥେନ୍‌ସର ‘ଏଣେତେଣେ’ ଭାରି ଭଲ ବୋଲି ଶୁଣିଛି । ତମେ ପରା ରୋମ୍‌ରୁ ଆସୁଛ ? ରୋମ୍‌ର ‘ଏଣେତେଣେ’ କେମିତି ଲାଗିଲା ? ମୁଁ ଭାଇ ସେଠାରେ ବେଜାୟ ଠକିଛି । ଅବଶ୍ୟ ମଉଜ ପାଇନାହିଁ ବୋଲି କହୁନାହିଁ । ଶୁଣ, ମୋର ଜଣେ ଆମେରିକାନ ବାନ୍ଧବୀଙ୍କ ଭଉଣୀ ଏଠାରେ ରହନ୍ତି । ସେ ମୋତେ ଭେଟିବା କଥା । ସେ ଯଦି ଆସିବେ, ତେବେ ମୁଁ ତମକୁ ଯୁଆଡ଼େ ଯିବା କଥା ନେଇଯିବି । ସନ୍ଧ୍ୟା ପରେ । ଏବେ ବିଶ୍ରାମ କର । ଯିବ ତ ?” ଯୁବକ ବଡ଼ ଆନ୍ତରିକ କଣ୍ଠରେ ଆବ୍‌ଦାର କଲେ ।

 

ଯୁବକଟି ତାଙ୍କ ପାଇଁ ଉଦ୍ଦିଷ୍ଟ କୋଠରିକୁ ଚାଲିଯିବା ମାତ୍ରେ ରିସେପ୍‌ସନିଷ୍ଟ ମହିଳା ମୋତେ କହିଲେ, “ଏ ଲୋକ ସାଥିରେ କୁଆଡ଼େ ଯିବା ଉଚିତ ନୁହେଁ—ସେ ଭାରତୀୟ ହେଲେ ବି-!”

 

“କାହିଁକି ? ସେ କିପରି ଲୋକ ସେକଥା ଆପଣ କିପରି ଜାଣିଲେ ?” ପଚାରିଲି ।

 

“ବୁଝିବା ଭଳି ଶକ୍ତି ଭଗବାନ ଦେଇଛନ୍ତି; ନ ହେଲେ ହୋଟେଲ ଚଳାଇ ପାରନ୍ତୁ ନାହିଁ-।” ସେ ଗମ୍ଭୀର ଭାବରେ କହିଲେ । ତାଙ୍କ କଣ୍ଠସ୍ଵରରେ ବି ଆନ୍ତରିକତା ଥିଲା—କିନ୍ତୁ ଭିନ୍ନ ସ୍ତରର ।

 

“ଆପଣଙ୍କ କଥା ମାନିବି ।” କହି ମୋ କୋଠରିକୁ ଗଲି ।

 

ଅପରାହ୍‌ଣରେ ଇତସ୍ତତଃ ବୁଲିଲି । ଗୋଟାଏ ନିର୍ଜନ ସ୍ଥାନରେ ଛିଡ଼ାହୋଇ ଦୂରବର୍ତ୍ତୀ ଆକ୍ରୋପୋଲିସର ଫଟୋ ଉଠାଉଥାଏ, ହଠାତ୍ ଦୁଇ ତିନିଜଣ ସ୍ଥାନୀୟ ଯୁବକ ମୋ ପାଖ ଦେଇ ଯାଉଁ ଯାଉଁ ତାଙ୍କ ଭିତରୁ ଜଣେ ପାଟିକରି ଧମକ ଦେଇ କହିଲା—ଯାହା କହିଲା ତାହା ତାର ଅଙ୍ଗଭଙ୍ଗୀରୁ ଅନୁମାନ କଲି–“ଆରେ ବିଦେଶୀ ! ଫଟୋ ଉଠାଇବୁ ଯଦି ମୋର ଉଠା । ଦେଖ, ମୁଁ କେଡ଼େ ସୁନ୍ଦର ! ସେ ଭଙ୍ଗା ଦେଉଳର ଆଉ କେତେ ଉଠାଇବୁ ?”

 

ମୁଁ କିଛି ନ କହିବାରୁ ସେ ବିକଟ ରଡ଼ି କରି, ନାନାଦି ଅଙ୍ଗଭଙ୍ଗୀ କରି ମୋର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କଲା । ଅନ୍ୟ ଦୁଇଜଣ ନୀରବରେ ଠିଆହୋଇଥାନ୍ତି । ବୁଝିଲି, ହୁଏତ ସେମାନେ ପ୍ରକୃତିସ୍ଥ ନାହାନ୍ତି । ନହେଲେ ହଠାତ୍ ଏଭଳି ଏକ ମାନସିକ ଅବସ୍ଥାରେ ପହଞ୍ଚିଛନ୍ତି ଯେତେବେଳେ କାହାକୁ ହେଲେ ଚିଡ଼ାଇବା ନିହାତି ଦରକାର । ନିର୍ଜନ ସ୍ଥାନରେ ମୂକ ପ୍ରାୟ ନିରସ୍ତ୍ର ବିଦେଶୀଟିଏ ପାଇ ସଉକ ମେଣ୍ଟାଉଛନ୍ତି । ତେବେ ମୁଁ ଲୋକଟିର ଗ୍ରୀକ୍ ଭାଷା ଉପଭୋଗ କରୁଥାଏ—ବିଶ୍ଵବିଖ୍ୟାତ କାଳଜୟୀ ଟ୍ରାଜେଡିମାନଙ୍କର ଭାଷା ଯେତେହେଲେ !

ପରଦିନ ଅନ୍ୟାନ୍ୟ ଐତିହାସିକ ସ୍ଥାନମାନ ସମେତ ଏକ୍ରୋପୋଲିସ୍ ଦେଖିବାର ସୁଯୋଗ ହେଲା । ସେହି ଅପରୂପ ମନ୍ଦିରର ଗୋଟିଏ କଡ଼ରେ ପ୍ରାଚୀନ ଏଥେନ୍‌ସର ଛଅଟି ସୁନ୍ଦରୀ ସ୍ତମ୍ଭାୟମାନ ନାରୀମୂର୍ତ୍ତି । ସେମାନଙ୍କ ଭିତରୁ ଗୋଟିଏ ମୂର୍ତ୍ତି ରପ୍ତାନି ହୋଇଛି ଲଣ୍ଡନର ବ୍ରିଟିଶ ମ୍ୟୁଜିୟମକୁ । (ତାହା ସ୍ଥାନରେ ରହିଛି ଏକ ନକଲ ।) ଗାଇଡ୍‍ କହିଲେ, ଷଷ୍ଠ ବାନ୍ଧବୀର ବିଚ୍ଛେଦରେ ଅନ୍ୟ ପାଞ୍ଚଜଣଙ୍କ ନୟନରୁ ନୀରବରେ ରାତିରେ ଅଶ୍ରୁ ଝରେ ।

 

ବାଇରନ୍‌ଙ୍କ କବିତା (Maid of Athens) ର କେତେ ଧାଡ଼ି ମନେ ପଡ଼ିଲେ ସେହି ଶିଳା-ତରୁଣୀମାନଙ୍କ ଛବି ଆଖିଆଗରେ ଭାସିଯାଏ :

 

‘ଏଥେନ୍‌ସର ହେ ତରୁଣି ! ନେଉଛି ବିଦାୟ !

ଏଥର ଫେରାଅ ମୋର ଲୁଣ୍ଠିତ ହୃଦୟ

ଯଦି ତାହା କେବେ ଆଉ ନ ଫେରିବ ସତେ

ତା’ ସହିତ ନେଇଯାଅ ସମୁଦାୟ ମୋତେ !’

 

Maid of Athens, ere we part,

Give, oh give me back my heart

Or, since that has left my breast,

Keep it now, and take the rest.

 

-Byron

Image

 

ପରିଚ୍ଛେଦ : ବାଇଶି

କାଇରୋ : ଏକ ରାତି ଏକ ଦିନ

 

କାଇରୋରେ ଅବତରଣ କରିବା ବେଳକୁ ରାତ୍ରି ଦ୍ୱିତୀୟ ପ୍ରହର । ଇଜିପ୍‌ଟ-ଇସ୍ରାଏଲ ସମ୍ପର୍କରେ ଏକ ନୂତନ ସଙ୍କଟ ଘନୀଭୂତ ହୋଇଆସୁଥାଏ; ଯେ କୌଣସି ମୁହୂର୍ତ୍ତରେ ସଂଘର୍ଷ ଲାଗିଯାଇପାରେ । ଅତଏବ ଯାତ୍ରୀମାନେ କିଛିକାଳ ପାଇଁ ଉଭୟ କାଇରୋ ଓ ଟେଲ୍-ଆଭିଭକୁ ଏଡ଼ାଇଯାଉଥିଲେ ।

 

ନିଷ୍ପ୍ରଭ, ଜନବିରଳ ବିମାନବନ୍ଦର । ଅଦୂରରେ ମହାନଗରୀ, ଅନ୍ୟ ଦିଗରେ ଆଦିମ ସାହାରା । କଷ୍ଟମ୍‌ସ୍ ପାରିହୋଇ ଟ୍ରାଭଲର୍ସ ଚେକ୍ ଭଙ୍ଗାଇବାକୁ ଯିବା ମାତ୍ରେ ଭାରତ-ଆରବ ବନ୍ଧୁତାର ଆକର୍ଣ୍ଣ-ସହାସ୍ୟ ନମୁନା ମୋତେ ଅଭିନନ୍ଦନ ଜଣାଲେ, “ମୁଁ ଆରବ, କିନ୍ତୁ ସଂପ୍ରତି ଭାରତୀୟ ମହିଳାଟିଏ ବିବାହ କରିଛି, ହେଃ ହେଃ !” କାଉଣ୍ଟରସ୍ଥିତ କ୍ଷୀଣକାୟ କର୍ମଚାରୀଟି ମୋତେ ଏ ଖବର ଦେଲେ ଓ ମୋଠୁଁ ସେ ବାବଦରେ ବହୁତ କୃତଜ୍ଞତା ଓ ବଧେଇ ଆଶା କଲା ଭଳି ଦୃଷ୍ଟିରେ ଅନାଇଲେ । ମୁଁ ଯେତେ ଦୂର ସମ୍ଭବ ତାହା ଜଣାଇଲି ।

 

“ମୁଁ ସସ୍ତ୍ରୀକ ଆପଣଙ୍କୁ ଆପଣଙ୍କ ହୋଟେଲରେ ଭେଟିବି ।” ସେ ମୋତେ ସଦୟ ପ୍ରତିଶ୍ରୁତି ଦେଲେ । ମୁଁ ମୋ ଭାରତୀୟ ଭଗିନୀ ଓ ଆରବ ଭଗ୍ନିପତିଙ୍କୁ ସଙ୍ଖୋଳିବାର ଏଭଳି ଅଚାନକ ଦାୟିତ୍ଵରେ ଟିକିଏ ବିଚଳିତ ବୋଧ କରି ମୋ ହୋଟେଲର ଠିକଣା ଦେଇ ତାଙ୍କ ସୁବିଧା ସମୟ ପଚାରିବାକୁ ଯାଉଛି; ବିମାନ କର୍ତ୍ତୃପକ୍ଷଙ୍କ ଗାଡ଼ି ସହର ଭିତରକୁ ଯିବାକୁ ପ୍ରସ୍ତୁତ ବୋଲି ସେମାନଙ୍କର ଜଣେ କର୍ମଚାରୀ ମୋତେ ଡାକିନେଇଗଲେ । ବନ୍ଧୁ ବି ମୋ ଠିକଣା ବିଷୟରେ କୌଣସି ଆଗ୍ରହ ଦେଖାଇଲେ ନାହିଁ ।

 

“ଆଗାମୀ କାଲି ନାସେର୍‌ଙ୍କ ପ୍ରଥମ ଶ୍ରାଦ୍ଧଦିବସ,” ଜଣାଇଲେ ମୋ ପାଖରେ ବସିଥିବା ବିମାନ କର୍ମଚାରୀ ଜଣକ । ମନେ ମନେ ଭାବିଲି, ଆଗାମୀ କାଲି ତେବେ କାଇରୋର ବିଶେଷ କିଛି ଦେଖିହେବ ନାହିଁ । ଆଧୁନିକ ସଂଯୁକ୍ତ ଆରବ ସାଧାରଣତନ୍ତ୍ରର ଜନକଭାବରେ ବିଘୋଷିତ ନାସେର୍‌ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସମସ୍ତ ଅନୁଷ୍ଠାନ ବନ୍ଦ ରହିବା, ସମସ୍ତେ ବିଷଣ୍ଣ ବୋଧ କରିବା ସ୍ଵାଭାବିକ ।

 

ଗାଡ଼ି ମୋତେ ଓହ୍ଲାଇଦେଲା ନୀଳ ନଦୀ ତଟରେ ବିଶାଳ ହୋଟେଲ ‘ସେମିରାମିସ୍’ ଆଗରେ । ଆରବ୍ୟ ରଜନୀର ଜିନ୍ ଭଳି ଦିଶୁଥିବା ଧବଳ ଗାଉନ୍‌ପରିହିତ ଭୀମ-ଦର୍ଶନ କୃଷ୍ଣକାୟ ପରିଚାରକ କେତେଜଣ ମୋ ଜିନିଷପତ୍ର ଧରି ମୋତେ ଭିତରକୁ ପାଛୋଟିନେଲେ । ହୋଟେଲ କାଉଣ୍ଟରରେ ମୋ ପାସ୍‌ପୋର୍ଟ ପରୀକ୍ଷା କରି ଜଣେ ଯୁବକ କହିଲେ, “ଏଇଟି ଆମଠି ରହିବ । ତମେ ଯିବା ବେଳକୁ ନେଇଯିବ ।” ବିରକ୍ତ ବୋଧ କଲି । କହିଲି, “ରୋମ, ଏଥେନ୍‌ସ ଇତ୍ୟାଦି ସ୍ଥାନରେ ବି ହୋଟେଲମାନଙ୍କରେ ରହି ଆସିଲି । କେହି ମୋ ପାସ୍‌ପୋର୍ଟ ରଖିବାକୁ ଚାହୁଁନାହାନ୍ତି । ଯଦି ରଖିବ, ତେବେ ହଜିଗଲେ ତମେ ଦାୟୀ ହେବ ବୋଲି ଲେଖିଦିଅ ।” ବିନା ଯୁକ୍ତିର ତତ୍‌କ୍ଷଣାତ୍ ସରଳ ସ୍ନିଗ୍‌ଧ ହସ ହସି ଯୁବକ ମୋ ପାସ୍‌ପୋର୍ଟ ମୋତେ ପ୍ରତ୍ୟର୍ପଣ କଲେ । କାଇରୋରେ ରହିବା ସମୟତକ ଏଇ ଯୁବକ ହୋଇଥିଲେ ମୋର ସଦୟ ଦିଗ୍‌ଦର୍ଶକ ଓ ବନ୍ଧୁ । ଏଇ ହେଲା ଆରବ ଚରିତ୍ର—ଭଦ୍ର, ଭାବପ୍ରବଣ ଓ ସରଳବିଶ୍ୱାସୀ ।

 

ପରିଚାରକରୂପୀ ଜିନ୍‌ମାନେ ମୋତେ ଲିଫ୍‌ଟରେ ତିନି ମହଲା ଉପରକୁ ନେଇଗଲେ । କଥାରେ କୁର୍ଣ୍ଣିସ୍‌; ଏକାନ୍ତ ନମ୍ର ଓ ଅଜ୍ଞାବହ—ଯଦିଓ ଭୀଷଣାକୃତି ।

 

କାର୍ପେଟମଣ୍ଡିତ ପ୍ରଶସ୍ତ ତ୍ରିତଳ । କୋଠରିମାନ ବୃହତ୍ । କିନ୍ତୁ ସାମରିକ ଅନିଶ୍ଚୟତା ହେତୁ ଅତିଥି ପ୍ରାୟ କେହି ନାହାନ୍ତି । ଜିନ୍‌ମାନେ ବିଦାୟ ନେବା ପରେ ସେ ବିଶାଳ ପ୍ରାସାଦର ଶୂନ୍ୟତା ଚତୁର୍ଗୁଣ ଅନୁଭୂତ ହେଲା ।

 

ମାସ ମାସ ଧରି ଝରକା ଖୋଲି ଶୋଇବାର ପ୍ରଶ୍ନ ନଥିଲା । ଆଜି ଝରକାମାନ ଖୋଲିଦେଲି । ଅଦୂରବର୍ତ୍ତୀ ଏକ ଅଟ୍ଟାଳିକାର ଉପର ମହଲାରୁ ଦେଖାଯାଉଛି ଆଲୋକିତ, ସୁଶୋଭିତ ଅଭିଜାତ ଆସର । ଚାଲିଛି ନୃତ୍ୟ, ଶୁଭୁଛି ମୃଦୁ ମଧୁର ବାଦ୍ୟ । ସେ ଅନୁଷ୍ଠାନ ଚାଲିଥିଲା ପ୍ରାୟ ସାରା ରାତି ।

 

ସେଭଳି ଉତ୍ସବ ଆନନ୍ଦର ଆବ୍‌ହାଉଆ ଯେ ପର ଦିନ—ଅର୍ଥାତ୍ ‘ଜାତିର ଜନକ’ଙ୍କ ପ୍ରଥମ ମୃତ୍ୟୁ-ବାର୍ଷିକୀରେ ବିଶେଷ ମାତ୍ରାରେ ମନ୍ଦୀଭୂତ ହୋଇଥିଲା, ତାହା ମନେହେଲାନାହିଁ । ଅଥଚ ନାସେର କ୍ଷମତାସୀନ ଥିବାବେଳେ ଏଇ ଧାରଣା ସୃଷ୍ଟି କରାଯାଇଥିଲା ସେ ଯେପରି ମିଶରର ଆବାଳ-ବୃଦ୍ଧ-ବନିତାଙ୍କ ନୟନପିତୁଳା ।

 

ମନେପଡ଼ୁଥିଲା ୧୯୫୬ର ବାନ୍ଦୁଂର ଏକ ସନ୍ଧ୍ୟା । ଆଫ୍ରୋଏସିଆ ଛାତ୍ର ସମ୍ମିଳନୀ ସମାପ୍ତ ହୋଇଥାଏ । ବିଦାୟ ପୂର୍ବରୁ ଏକ ସଭାରେ ଆମେ ବିଭିନ୍ନ ଦେଶର ପ୍ରତିନିଧିଦଳ ଇନ୍ଦୋନେସୀୟ ପ୍ରସ୍ତୁତି ସମିତିକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଗୋଟାଏ ଗୋଟାଏ ସ୍ମାରକୀ ଉପହାର ଦେଇଯାଉଥାଉଁ । ଶେଷକୁ ଇଜିପ୍‌ଟ ପ୍ରତିନିଧି ଦଳର ନେତା ତାଙ୍କ ଦେଶର ସବୁଠୁଁ ମୂଲ୍ୟବାନ ଚିଜ ବୋଲି ଘୋଷଣା କରି ଅତି ନାଟକୀୟ ଢଙ୍ଗରେ ଯେଉଁ ଉପହାର ବାହାର କରି ଦେଖାଇଲେ, ତାହା ନାସେରଙ୍କ ଫଟୋଗ୍ରାଫଟାଏ ।

 

ମୃତ୍ୟୁର ବର୍ଷକ ଭିତରେ ଏମନ୍ତ ପ୍ରିୟ ନେତାଙ୍କ ସ୍ମୃତି ଏପରି ମଳିନ ହେବାର ଅନୁଭବ କରି ବିସ୍ମୟବୋଧ କରୁଥିଲି । ଅବଶ୍ୟ ଆଜି ଏ ଅଧ୍ୟାୟ ଲେଖିବାବେଳକୁ ସେ ବିସ୍ମୟ ଅପସାରିତ ହୋଇଛି । ଇତିମଧ୍ୟରେ ଆନ୍ତର୍ଜାତିକ ପ୍ରେସରେ ପ୍ରକାଶ ପାଇଛି—ସଚେତନ ଭାବରେ ମିଶରବାସୀମାନଙ୍କୁ ନାସେର ପ୍ରଭାବ ମୁକ୍ତ କରିବା ନିମନ୍ତେ ସେ ଦେଶର ବର୍ତ୍ତମାନ ଶାସକମାନେ କିପରି ଚେଷ୍ଟିତ ।

 

ଭଦ୍ରଲୋକ ତାଙ୍କ ‘ରାଜୁତି’ ନିଷ୍କଣ୍ଟକ ରଖିବା ପାଇଁ ଅବିବେକୀ ଦମନର ଆଶ୍ରୟ ନେଇଥିଲେ । ଗୋଟାଏ ଦୃଷ୍ଟାନ୍ତ : ଜଣେ ବିରୋଧୀ ରାଜନୈତିକ ନେତା ଫେରାର ହେବାରୁ ନାସେର୍‌ଙ୍କ ଆଦେଶରେ ନେତାଙ୍କର ତିନିବର୍ଷର ଶିଶୁପୁତ୍ରକୁ ଗିରଫ କରି ଜମାନତ୍ ହିସାବରେ କାରାରୁଦ୍ଧ କରାଗଲା । ବିଚାରା ବାପା ଅଚିରେ ଆତ୍ମସମର୍ପଣ କଲା । ଦୁଇବର୍ଷ ପରେ ଆଉ ଏକ ରାଜନୈତିକ ସଙ୍କଟ ବେଳେ ନାସେର ଆଦେଶ ଦେଲେ, ପୂର୍ବରୁ ଯେତେ ଲୋକଙ୍କୁ ଗିରଫ କରାଯାଇଥିଲା ସେ ସମସ୍ତଙ୍କୁ ପୁଣି କାରାରୁଦ୍ଧ କରାଯାଉ । ନଥିପତ୍ର ଅନୁସରଣ କରି ପୋଲିସ୍ ସେତେବେଳେ ପାଞ୍ଚବର୍ଷ ବୟସ୍କ ସେ ଶିଶୁଟିକୁ ମଧ୍ୟ ଗିରଫ କଲା । ନଅବର୍ଷ ବୟସ ଯାଏ ସେ କାରାରୁଦ୍ଧ ଥିଲା । ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧର ଏହା ଏକ ଘଟଣା ! ଏକଚ୍ଛତ୍ର ଶାସକଙ୍କ ଚାରିପଟେ ଯେଉଁ ଚାଟୁକାର ବଳୟ ଗଢ଼ିଉଠେ, ତାହାହିଁ ମାନବତାର ସବୁଠୁଁ ଲଜ୍ଜାକର କଳଙ୍କ । ଥରେ ନାସେର୍ ତରଭୁଜ ଚାରା ରୋପଣ କରିବାର ଛବି ସମ୍ବାଦପତ୍ରରେ ପ୍ରକାଶପାଇଲା । ପାଞ୍ଚଦିନ ପରେ ସେହି ଚାରାପ୍ରସୂତ ଅତିକାୟ ତରଭୁଜମାନଙ୍କ ଛବି ପ୍ରକାଶ କଲା ସେହି କାଗଜ । ଏ ଖବର ଲେଖି ଗୋଟିଏ ବିଦେଶୀ ପତ୍ରିକା ମନ୍ତବ୍ୟ ଦେଇଥିଲା—ୟାକୁ ହିଁ କହନ୍ତି ଯାଦୁ-ସ୍ପର୍ଶ (Magic touch) !

 

ନୀଳ ନଦୀ ଉପରେ ଉଷା ପ୍ରସ୍ଫୁଟିତ ହେବା ମାତ୍ରେ ତଳକୁ ଓହ୍ଲାଇ ଆସିଲି । ରିସେପ୍‌ସନ୍ କାଉଣ୍ଟରରେ ସେହି ଭଦ୍ର ଯୁବକ ଅଭିବାଦନ ଜଣାଇଲେ । ତାଙ୍କ ଦୀର୍ଘ ନାମର ଶେଷାଂଶ ହାସାନିନ୍ ।

 

ମୁଁ ପିରାମିଡ଼ ଦେଖିବାକୁ ଯିବାର ଇଚ୍ଛା ପ୍ରକାଶ କଲି । କିପରି ଯିବାକୁ ହେବ, କିପରି ଫେରିବାକୁ ହେବ, ସେସବୁ ବିଷୟରେ ମୋତେ ପରାମର୍ଶ ଦେଉଁ ଦେଉଁ ହାସାନିନ୍ ବୋଧହୁଏ ମୁଁ ଗୋଟିଏ ବାଉଳା ଜାତୀୟ ବ୍ୟକ୍ତି ବୋଲି ଅନୁଭବ କଲେ । ସଙ୍ଗେ ସଙ୍ଗେ ସେ କହିଲେ, “ମୁଁ ନିଜେ ତମକୁ ନେଇଯାଇ ଦେଖାଇ ଆଣିବି । ଚିନ୍ତା ନାହିଁ ।”

 

ହାସାନିନ୍‌ଙ୍କ ଘର ସହର ଉପକଣ୍ଠରେ—ବିଖ୍ୟାତ୍ ଗିଜା ଅଞ୍ଚଳରେ—ପିରାମିଡ୍‍ମାଳାର ଅଦୂରରେ । ହୋଟେଲରେ ତାଙ୍କୁ ରାତିଯାକ ବସିବାକୁ ହୁଏ । ଦିନଯାକ ଛୁଟି ।

 

ଗୋଟାଏ ଟ୍ୟାକ୍‌ସି ସହ ବ୍ୟବସ୍ଥା କରି ଆମେ ବାହାରିଲୁ । ସର୍ବତ୍ର ପ୍ରାଚୀନତାର ଓ ଆଧୁନିକତାର ଅଣସମନ୍ୱିତ ସମାବେଶ । ରାସ୍ତା କଡ଼ରେ, କିଛି କିଛି ଦୂରତାରେ, ଗୋଟାଏ ଗୋଟାଏ ଘର ସାମନାରେ ବିକଟ ନଗ୍ନଛବି ସମ୍ବଳିତ ବିଜ୍ଞାପନ । “ଏସବୁ ଆମର ନାଇଟ୍ କ୍ଲବ୍ !” ହାସାନିନ୍ ବୁଝାଇଦେଲେ । ଟଳଟଳାୟମାନ ପଦକ୍ଷେପରେ ଜଣେ ଦୁଇଜଣ ବିନିଦ୍ର ବ୍ୟକ୍ତି ସେତେବେଳକୁ ସେସବୁ ଘର ଭିତରୁ ନିଷ୍କ୍ରାନ୍ତ ହେଉଥାନ୍ତି ।

 

ତା’ପରେ ମରୁଦିଗନ୍ତକୁ ପଟ୍ଟଭୂମିରେ ରଖି ଭାସିଉଠିଲା ଅତି ପରିଚିତ ପିରାମିଡ୍‍—କାଳଜୟୀ ଆକାଂକ୍ଷାର ଇମାରତ୍ । ସେ ଆକାଂକ୍ଷା ପରଲୋକର ଜୀବନକୁ ଉପଭୋଗ କରିବା ପାଇଁ ।

 

ଚାରି ହଜାରରୁ ଛଅ ହଜାର ବର୍ଷ ତଳର ରାଜା (ଫାରୋ) ମାନଙ୍କର ସମାଧି ଏଇ ପିରାମିଡ୍‍ । ଯୁଗେ ଯୁଗେ କେତେ ପରିବ୍ରାଜକ, କେତେ ସମ୍ରାଟ୍, କେତେ ବିଜେତା ଏହାରି ପାଦଦେଶରେ ଦଣ୍ଡାୟମାନ ରହି ଏହାର ଅସାମାନ୍ୟତା ଆଗରେ ନିଜର ସାମାନ୍ୟତା ଅନୁଭବ କରି ସଙ୍କୁଚିତ ବୋଧକରିଥିବେ ।

 

ଇମାରତ୍ କେତୋଟି ଭିତରେ ବୃହତ୍ତମ ହେଲା ଚାରିହଜାର ପାଞ୍ଚଶହ ବର୍ଷ ତଳର ଫାରୋ ଖୁଫୁଙ୍କ ପିରାମିଡ । ଉଚ୍ଚତା ୪୮୧ ଫୁଟ । ଏହାର ଆୟତନ ଯେତିକି ତହିଁଭିତରେ ଅକ୍ଳେଶରେ ମିଲାନ୍ ଓ ଫ୍ଲୋରେନ୍‌ସ୍‌ର ଦୁଇ ବିଖ୍ୟାତ କ୍ୟାଥିଡ୍ରାଲ, ରୋମର ସେଣ୍ଟ ପିଟର୍ସ କ୍ୟାଥିଡ୍ରାଲ୍, ଲଣ୍ଡନର ୱେଷ୍ଟ ମିନ୍‌ସ୍‌ଟର ଆବି ଓ ସେଣ୍ଟ୍ ପଲ୍‌ସ କ୍ୟାଥିଡାଲମାନ ଏକତ୍ର ରହିଯିବା ପରେ ବି କିଛି ଜାଗା ଉଦ୍‌ବୃତ୍ତ ରହିବ ବୋଲି ଖଣ୍ଡିଏ ଇତିହାସ ବହିରେ ପଢ଼ିଥିଲି । ଗ୍ରୀକ୍ ଐତିହାସିକ ହେରୋଡୋଟାସ୍ (ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ) ପରିବେଷିତ ତଥ୍ୟ ଅନୁସାରେ ଏକଲକ୍ଷ ଲୋକ ବର୍ଷକରେ ତିନି ମାସ ଲେଖାଏଁ କୋଡ଼ିଏ ବର୍ଷ କାଳ କାମ କରି ଏହା ପୂରା କରିଥିଲେ ।

 

ଏହିସବୁ ପିରାମିଡ ଭିତରେ କଫିନରେ ଆବଦ୍ଧ ହୋଇ ରହୁଥିଲା ରାଜାଙ୍କ ଦେହ । ପ୍ରାଚୀନ ମିଶରୀୟମାନେ ଦେହକୁ ଅବିକୃତ ରଖିବାର ଦୁରୂହ ବିଦ୍ୟା ଜାଣିଥିଲେ । ଦେହ ଭିତରୁ ମଗଜ, ଯକୃତ୍ ଇତ୍ୟାଦି ଅଂଶ ବାହାର କରିଦେଇ ସେସବୁ ସ୍ଥାନରେ ନାନାଦି ମସଲା ଭର୍ତ୍ତି କରି ଉପରେ ଏକପ୍ରକାର ମାଲିସ୍ (ତାହାର ରହସ୍ୟ ଅଦ୍ୟାବଧି ଅଜ୍ଞାତ) ଲଗାଇ ଦେଉଥିଲେ । କଫିନ ଭିତରେ ଓ ବାହାରେ ବହୁ ଧନରତ୍ନ ରଖାଯାଉଥିଲା । କେବଳ ତୁଙ୍ଗ ରାଜାମାନେ ପିରାମିଡ ବନାଇ ପାରୁଥିଲେ । ଅନ୍ୟମାନଙ୍କ କଫିନ୍‌କୁ ଦୁର୍ଗମ ପର୍ବତ କନ୍ଦରରେ ବା ଅନ୍ୟ ଜାତୀୟ ଶିଳାସ୍ତୂପ ଭିତରେ ଲୁଚାଇ ରଖାଯାଉଥିଲା । ଗୁପ୍ତଧନସନ୍ଧାନୀ ଦସ୍ୟୁଙ୍କ କବଳରୁ ସେସବୁକୁ ଚିରକାଳ ନିରାପଦରେ ରଖିବା ପାଇଁ କମ୍ ଉପାୟ ଅବଲମ୍ବନ କରାଯାଇନଥିଲା । କିନ୍ତୁ ସେସବୁ ହୋଇଥିଲା ବ୍ୟର୍ଥ । ପ୍ରାୟ ଶହେ ବର୍ଷ ହେଲା ଆଇନ୍‌ସମ୍ମତ ଭାବରେ ଏସବୁ ସମାଧି ଓ ମମିଙ୍କ ଅନୁସନ୍ଧାନ ଆରମ୍ଭ ହେବା ପୂର୍ବରୁ ବିଗତ ହଜାର ହଜାର ବର୍ଷ ଭିତରେ ଦସ୍ୟୁମାନେ ଅଧିକାଂଶ ସମାଧି ଖାନ୍‌ତଲାସ କରି ଲୁଣ୍ଠନ କରିନେଇଥିଲେ । ଦୁଃଖର ବିଷୟ, ମମିମାନଙ୍କୁ ସେମାନେ ଭାଙ୍ଗି ଚୂରି ପକାଇଛନ୍ତି ମଧ୍ୟ ।

 

ଏହିସବୁ ମମିଙ୍କୁ ପରୀକ୍ଷା କଲାବେଳେ କେତେ କରୁଣ ଇତିକଥା ଜୀବନ୍ୟାସ ପାଏ । ସାର୍ ଗାସ୍‌ଟୋନ୍ ମାସ୍ପେରୋଙ୍କ ଆବିଷ୍କୃତ ମମିମାନଙ୍କ ଭିତରେ ଥିଲା ଗୋଟିଏ ଷୋହଳ ବର୍ଷ ବୟସର ଝିଅର ଦେହ । ଝିଅଟି ଥିଲା ଛଅମାସ ଗର୍ଭବତୀ । ବୋଧହୁଏ ଘଟଣାଟି ଘଟିଥିଲା ବିବାହ ପୂର୍ବରୁ । ଝିଅଟିର ‘ହିତୈଷୀ’ମାନେ ଜାଣିପାରି ବୋଧହୁଏ ତାର ସମ୍ମାନ ରକ୍ଷା କରିବା ପାଇଁ ତାକୁ ମାରିପକାଇବାକୁ ସ୍ଥିର କରିଥିଲେ । ସେମାନଙ୍କ ଆକ୍ରମଣର ପ୍ରତିରୋଧ କରିବାକୁ ଯାଇ ଝିଅଟି ପ୍ରଥମେ ନିଜ ହାତରେ କବ୍‌ଜି ଭାଙ୍ଗିଛି । ସେ ତଳେ ପଡ଼ିଯିବା ପରେ ତା’ ମୁଣ୍ଡରେ ପ୍ରହାର କରାଯାଇଛି । ବିଶେଷଜ୍ଞମାନେ ମମି ପରୀକ୍ଷା କରି ଏ ସିଦ୍ଧାନ୍ତରେ ଉପନୀତ ହେବାବେଳେ ଅଶ୍ରୁ ସମ୍ବରଣ କରିପାରିନଥିଲେ ।

 

ହଜାର ହଜାର ବର୍ଷ ତଳେ ମଣିଷକୃତ ଅପରାଧ ପାଇଁ ଏ ଯୁଗର ମଣିଷର ଅଶ୍ରୁପାତ; ଯେମିତି ଆମର ଅପରାଧ ପାଇଁ ଅଶ୍ରୁପାତ କରିବ ବହୁ ବର୍ଷ ପରର ମଣିଷ । ଏ ଅଶ୍ରୁ ବଡ଼ ମୂଲ୍ୟବାନ୍ ।

 

ପିରାମିଡର ଅଦୂରରେ ପର୍ବତପ୍ରମାଣ ସ୍ପିଙ୍କ୍‌ସ୍ । ମଣିଷ ଭଳି ମୁଣ୍ଡ, ଦେହ କିନ୍ତୁ ସିଂହଭଳି । ଏ ମୁହଁଟି ଫାରୋ ଖୁଫୁଙ୍କ ମୁହଁର ଆକୃତି ବୋଲି କୁହାଯାଏ ।

 

ରହସ୍ୟମୟ ଏଇ ସ୍ପିଙ୍କ୍‌ସ୍ ପରମ୍ପରା । ଏହା କିପରି କେବେ ମିଶରର ଶାସକମାନଙ୍କୁ ପ୍ରଭାବିତ କଲା କହିହେବ ନାହିଁ । ଏହାର ପ୍ରାଚୀନତମ ଉଲ୍ଲେଖ ମିଳେ ଗ୍ରୀକ୍ ଉପକଥାରେ । ଏକ ନିର୍ଜନ ରାସ୍ତା କଡ଼ରେ, ପର୍ବତ ଉପରେ ବସିଥାଏ ସ୍ପିଙ୍କ୍‌ସ୍ : ମୁଣ୍ଡଟି ନାରୀର, ଦେହଟି କୁକୁରର, ଲାଞ୍ଜ ସାପଟାଏ ଭଳି । ପଥିକମାନଙ୍କୁ ସେ ପ୍ରଶ୍ନ କରେ : ଏପରି ଜୀବର ନାମ କହିପାରିବ, ଯିଏ କି ପ୍ରଭାତରେ ଚାଲେ ଚାରିପାଦରେ, ବେଳ ବଢ଼ିବା ସଙ୍ଗେ ସଙ୍ଗେ ଚାଲେ ଦୁଇପାଦରେ, ସନ୍ଧ୍ୟାବେଳେ ଚାଲେ ତିନିପାଦରେ ?

 

ପଥିକ ହତଭମ୍ୱ ହୋଇଯାଏ । ନିରୁତ୍ତର ରହେ । ସ୍ପିଙ୍କ୍‌ସ୍ ତା’ ଉପରକୁ କୁଦିପଡ଼ି ତାକୁ ମାରିପକାଏ । ଦିନେ ଜଣେ ବୀର ତାକୁ ଜବାବ ଦେଲେ : ତମ ପ୍ରଶ୍ନର ଉତ୍ତର ‘ମଣିଷ’ । ଜୀବନ-ପ୍ରଭାତରେ ସେ ଚାଲେ ଦୁଇଗୋଡ଼ ଓ ଦୁଇହାତ ସାହାଯ୍ୟରେ । ବଡ଼ ହେବା ସଙ୍ଗେ ସଙ୍ଗେ ଚାଲେ କେବଳ ଦୁଇ ଗୋଡ଼ରେ । ଜୀବନ ସନ୍ଧ୍ୟାରେ ଚାଲେ ଯଷ୍ଟି ହସ୍ତେ; ଅର୍ଥାତ୍ ତିନିଗୋଡ଼ରେ ।

 

ଏ ଉତ୍ତର ଶୁଣିବା ମାତ୍ରେ ସ୍ପିଙ୍କ୍‌ସ୍ ପର୍ବତ ଉପରୁ ତଳକୁ ଡେଇଁପଡ଼ି ଆତ୍ମହତ୍ୟା କଲା ।

 

କିମ୍ବଦନ୍ତୀର ଅନ୍ତର୍ନିହିତ ଅର୍ଥ ହୋଇପାରେ ଏଇଆ : ସ୍ପିଙ୍କ୍‌ସ୍‌ର ପ୍ରଶ୍ନର ଉତ୍ତର ନିଜେ ମଣିଷ । ଅଥଚ ସ୍ଵୟଂ ଉତ୍ତର ନିରୁତ୍ତର ରହେ; ଅର୍ଥାତ୍ ମଣିଷ ନିଜକୁ ଜାଣେନା । ଯେଉଁଦିନ ସେ ନିଜକୁ ଜାଣିବ, ସେହିଦିନ ବଳେ ବଳେ ଅଜ୍ଞାନର ପ୍ରତୀକ ସ୍ପିଙ୍କ୍‌ସ୍‌ର ହେବ ଅବସାନ ।

 

ପିରାମିଡ୍‍ ଅଭ୍ୟନ୍ତରସ୍ଥ ସୁଡ଼ଙ୍ଗ ପଥରେ ଫାରୋଙ୍କ ସମାଧି କୋଠରିକୁ ଆରୋହଣ, ଅନ୍ୟତ୍ର ଏକ ଭୂଗର୍ଭ କୋଠରିରେ ଶାୟିତ କୌଣସି ରାଜପୁରୁଷଙ୍କ କଙ୍କାଳ ଇତ୍ୟାଦି ଦେଖା ଶେଷ ହେଲା । ଦେଖିଲୁ ମଧ୍ୟ ଏକ ବିଶାଳ ନୌକା । ସେଥିରେ ଦୂରାନ୍ତରରୁ ଶିଳା ବୋଝେଇ ହୋଇ ଆସୁଥିଲା । ଏକଦା ନୀଳ ନଦୀ ପିରାମିଡ୍‍ ପାଖଦେଇ ବହୁଥିଲା; କ୍ରମେ ଦୂରରେ ଯାଇଛି । ନୌକାଟି ବହୁ ଯୁଗ ପୋତି ହୋଇ ରହିବା ପରେ ଉଦ୍ଧାର ପାଇଛି ।

 

ପିରାମିଡ୍‍ କଡ଼ରେ ଗୋଟିଏ ଆଧୁନିକ ବାଂଲୋ । ହାସାନିନ୍ କହିଲେ, “ଏଇଟି ମିଶରର ଶେଷ ରାଜା ଫାରୁକ ତିଆରି କରିଥିଲେ ମଧ୍ୟେ ମଧ୍ୟେ ରାତ୍ରି ଯାପନ ପାଇଁ । କିନ୍ତୁ ଉପଭୋଗ ପୂର୍ବରୁ ସେ ବିତାଡ଼ିତ ହେଲେ । ଏବେ ସେଟିକୁ ଛୋଟ ଯାଦୁଘରଟିଏ କରିବାର ବ୍ୟବସ୍ଥା ହେଉଛି ।”

 

ଧୂ-ଧୂ ମରୁପ୍ରାନ୍ତର । ତହିଁ ଭିତରେ, ଦୂରରେ ଏକ ଅତ୍ୟାଧୁନିକ ନିଛାଟିଆ ପାନ୍ଥଶାଳା । ନାମ ‘ସାହାରା’ । ମରୁଭୂମିରେ ନିଶା ଯାପନ ପାଇଁ ପର୍ଯ୍ୟଟକମାନଙ୍କ ସକାଶେ ତହିଁ ରହିଛି ନାନାଦି ବିଳାସର ବ୍ୟବସ୍ଥା ।

 

“ଓଟ ଚଢ଼ନ୍ତୁ, ଓଟ !” ପଇସା ବଦଳରେ ଓଟଚଢ଼ାଇ ବିକୁଥିଲେ କେତେ ଜଣ ଆରବ । ମନେପଡ଼ିଲା ‘ଇଓଥେନ୍’ ବହିରେ ଆଲେକ୍‍ଜାଣ୍ଡାର କିଙ୍ଗ୍ ଲେକ୍‌ଙ୍କର ସାହାରା ସଫର୍ ବେଳେ ଓଟର ବର୍ଣ୍ଣନା ପ୍ରାଣୀ ଏଇ ଓଟ । ଖାଉନ୍ଦ ଯଦି ତା’ ପିଠିରେ ନିହାତି ବେଶି ବୋଝ ଦିଏ ତେବେ ସିଏ କେବଳ ଖାଉନ୍ଦ ମୁହଁକୁ ଅନାଇ ଦୀର୍ଘଶ୍ୱାସ ଛାଡ଼ିବ । ଅବିବେକୀ ହୋଇ ଆହୁରି ବେଶି ଚାପିଲେ ସେ କେବଳ ନୀରବରେ କରିବ; କିନ୍ତୁ କସ୍ମିନ୍‌ କାଳେ ବିଦ୍ରୋହ କରିବ ନାହିଁ ।

 

କିଙ୍ଗଲେକ୍ ପିରାମିଡ୍‍ ଦର୍ଶନ କରିଥିଲେ ପ୍ରାୟ ଦେଢ଼ ବର୍ଷ ତଳେ । ସେତେବେଳେ ଏ ସ୍ଥାନ ଥିଲା ବଡ଼ ନିର୍ଜନ, ବିପଦସଙ୍କୁଳ । ପିରାମିଡ୍‍ ଭିତରେ ପଶିଥିବାବେଳେ ତାଙ୍କୁ ମାରିପକାଇବା ପାଇଁ ଜଣେ ଆଗ୍ରହୀ ଥିଲା । ସେତେବେଳେ କଇରୋ ଥିଲା ପ୍ଲେଗ୍ ଦ୍ଵାରା ବିପନ୍ନ । ତାଙ୍କର ସମସ୍ତ ପରିଚିତ ଲୋକ ସେ କାଇରୋ ଛାଡ଼ିବା ପୂର୍ବରୁ ଜଣକ ପରେ ଜଣେ ମରିଥିଲେ । ଏପରିକି ଯାଦୁକରଟିଏ ତାଙ୍କୁ ଦୁଇଦିନ ପରେ ଭୂତ ଦେଖାଇବାର ପ୍ରତିଶ୍ରୁତି ଦେଇ ଘରକୁ ଯାଇ ମଲା । ଆଉ କାହାରି ଭୂତକୁ ହଇରାଣ କରିବା ଅପେକ୍ଷା ନିଜେ ଭୂତ ବନି ଦେଖାଦେବା ଶ୍ରେୟସ୍କର ଭାବି ସେ ଏପରି କଲା କି ନା କେଜାଣି ! ସେ ଯାହାହେଉ, କିଙ୍ଗଲେକ୍‌ଙ୍କ ସମୟର ଅଢ଼େଇ ଲକ୍ଷ ବାସିନ୍ଦା ସମନ୍ୱିତ ରହସ୍ୟାବୃତ କାଇରୋ ସହ ଆଜିର ପଚିଶ ଲକ୍ଷ ଜନସଂଖ୍ୟା-ଗର୍ବିତ ଆଧୁନିକ କାଇରୋର କେତେ ପାର୍ଥକ୍ୟ ! କିନ୍ତୁ ଯାହା ବଦଳି ନାହିଁ, ତାହାହିଁ କାଇରୋର ଏକମାତ୍ର ଆକର୍ଷଣ-। ତାହା ପିରାମିଡ୍‍ । ଆଉ ବଦଳି ନାହିଁ ଓଟ ।

 

ହାସାନିନ୍ ଏଥର ଜିଦ୍ କଲେ, “ଚାଲ ଆମ ଘରକୁ ଯିବା ।” ସହର ଉପାନ୍ତର ଗ୍ରାମ । ଏକ ଅନାଡ଼ମ୍ୱର ତ୍ରିତଳ କୋଠାର ସର୍ବୋଚ୍ଚ ମହଲାରେ ତାଙ୍କ ନିବାସ । ସେଠାରୁ ପିରାମିଡ୍‍ ସର୍ବଦା ଦୃଶ୍ୟମାନ ।

 

ହାସାନିନ୍‌ଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ । ସେ ବିଦ୍ୟାଳୟକୁ ଚାଲିଯାଇଥିଲେ । ତେବେ ସେହି ଆଧୁନିକାଙ୍କ ଅଜସ୍ର ଫଟୋଗ୍ରାଫ୍ ଦେଖାଇ ହାସାନିନ୍ ମୋତେ ଅଭିଭୂତ କରିଦେବାକୁ ବ୍ୟାକୁଳ ଥିଲେ । ଆଉ ଦେଖାଇ ଚାଲିଥିଲେ ସ୍ତ୍ରୀଙ୍କ ସମର୍ପିତ ନାନାଦି ବସ୍ତୁ । “ଇଏ ତାଙ୍କରି ତିଆରି ଟେବୁଲ୍ କ୍ଲଥ, ହାଃ ହାଃ !” ହେଲା ଆମର ଶେଯ, ହାଃ ହାଃ !” ମୁଁ ପ୍ରତି କଥାରେ କହୁଥାଏ, ତା’ ପରେ ଫ୍ରିଜ୍ ଖୋଲି ହାସାନିନ୍ ବାହାର କଲେ ଗୋଟିଏ ଥାଳି । “ଇଏ ତାଙ୍କ ତିଆରି ସୁପ୍, ହାଃ ହାଃ ।’ ଏଥର ମୋତେ କହିବାର ସୁଯୋଗ ଦେବାକୁ ହେଲେ ସୁପ୍ ଚଖାଇବା ଦରକାର ! ହାସାନିନ୍ ସେ ସିଦ୍ଧାନ୍ତ ନେଇସାରିଥିଲେ ବହୁ ପୂର୍ବରୁ । ମୋ ଆଗରେ ସୁପ୍ ଥାଇ ସେ ଅନ୍ୟପଟେ ବସିଗଲେ ଓ ନିଜେ ଗୋଟିଏ ଚାମଚ ଧରି ଆଉ ଗୋଟିଏ ଧରାଇଦେଲେ ।

 

ପ୍ରଥମତଃ ମୁଁ ମାଂସ ସୁପ୍ ଭଲପାଏନା, ଦ୍ଵିତୀୟତଃ ଏକ ତରଳ ଆଉ ଜଣଙ୍କ ସାଥିରେ ଏକ ପାତ୍ରରେ ଖାଇବା ବିଲ୍‌କୁଲ ଘୃଣାର ଏସବୁ କହି ହାସାନିନ୍‌ଙ୍କର ଉଦ୍ଦାମ ପ୍ରୀତିକୁ ବ୍ୟାହତ କଲା ଭଳି ମୋର ନଥିଲା । ଅତଏବ ସେ ତାଙ୍କ ଚାମଚ ବୁଡ଼ାଇବା ପୂର୍ବରୁ ମୁଁ ଚାମଚ ସୁପ୍ ଗିଳିପକାଇ ଆଉ ଖାଇ ପାରିବି ନାହିଁ ବୋଲି ବିକଳ ଭାବରେ ବହୁତ ବୁଝାଇଲି । ହାସାନିନ୍‌ଙ୍କ ପ୍ରବଳ ଅଭିମାନ ସତ୍ତ୍ୱେ ତାଙ୍କ ଉଚ୍ଛିଷ୍ଟ ଖାଇବାରୁ ବର୍ତ୍ତି ଗଲି ବୋଲି ଖୁସିହେଲି ଏବଂ ଏଥର କହିଲି, “ଚମତ୍କାର !”

 

ହାସାନିନ୍ ଉତ୍ସାହିତ ହୋଇ କହିଲେ, “ମୋ ସ୍ତ୍ରୀ ଏହାକୁ ଦୁଇଦିନ ତଳେ ପ୍ରସ୍ତୁତ କରିଥିଲେ । ଆମେ ଦୁହେଁ ସବୁଦିନେ ଏମିତି ଏଥିରୁ ଖାଉଁ । ଭାଗ୍ୟକୁ ଥିଲା ବୋଲି ସିନା ତମକୁ ଦେଇପାରିଲି !”

 

ବୁଝିଲି, କେବଳ ହାସାନିନ୍‌ଙ୍କର ନୁହେଁ, ତାହା ତାଙ୍କ ସ୍ତ୍ରୀଙ୍କର ଉଚ୍ଛିଷ୍ଟ ମଧ୍ୟ । ଆରବ ଅନ୍ତରଙ୍ଗତାର ଅଭିଜ୍ଞତା ଟିକକ କିଣିବା ପାଇଁ ବଡ଼ ଚଢ଼ା ମୂଲ୍ୟ ଦେବାକୁ ପଡ଼ିଲା । ଗ୍ଳାନିବୋଧ ରହିଗଲା—ଏହା ସଂସ୍କାର ଛଡ଼ା ଆଉ କିଛି ନୁହେଁ ବୋଲି ନିଜକୁ ବୁଝାଇବା ସତ୍ତ୍ଵେ ।

 

ପରଦିନ ସ୍ପର୍ଶ କଲି ଭାରତଭୂମି ବୋମ୍ବେ । ମାଲାବାର ହିଲ୍ ଉପରେ ବିଛାଇ ହୋଇ ପଡ଼ିଥାଏ ଏକ ପ୍ରାତ୍ୟୁଷିକ ବର୍ଷା ପରର ନରମ ସକାଳ । ରାଜକୁମାର ତଲୱାରଙ୍କ ଘରେ ସେତେବେଳେ ଶ୍ରୀମତୀ ତଲୱାର ଯଜ୍ଞାନୁଷ୍ଠାନ କରୁଥିଲେ । ଯଜ୍ଞକୁଣ୍ଡ ପାଖରେ ବସି ସେ ଦୁହିଁଙ୍କ ସହ ମନ୍ତ୍ରୋଚ୍ଚାରଣ କଲାବେଳେ ମନେ ହୋଇଥିଲା ସବୁ ତଥାକଥିତ ଗ୍ଳାନି କରୁଣାର ଅଗ୍ନି ସ୍ପର୍ଶରେ ଅନ୍ତର୍ହିତ ହୋଇଛି ।

Image